Unknown

 

 

 

 

 

 

 

 

 

 

 

ଅନ୍ୟ ନଦୀ, ଅନ୍ୟ ଦିଗନ୍ତ

ଜ୍ୟୋତ୍ସ୍ନା ରାଉତରାୟ

 

 

 

 

 

 

 

 

ବିସ୍ତୃତ ଆକାଶ ପରି ଭୟଶୂନ୍ୟ ଯା’ର ଛାତି ଶାନ୍ତ ଶୀତଳ ନଈପରି ମମତାଭରା ଯା’ର କୋଳ ଏବଂ ଯେଉଁମାନଙ୍କର ଆଶୀର୍ବାଦରେ ମୁଁ ପୃଥିବୀର ଆଲୋକ ଦେଖିଲି, ସେଇ ପରମପୂଜ୍ୟ ବାପା, ବୋଉଙ୍କର କରକମଳରେ.....

 

‘ବାୟା’

 

ଅନ୍ୟ ନଦୀ : ଅନ୍ୟ ଦିଗନ୍ତ

 

ନୂଆ ଚାକିରି ପାଇବା ଆନନ୍ଦରେ ନୁହେଁ, ଏକ ନୂଆ ଆବିଷ୍କାର ପାଇଁ ମନଟା ଅକାରଣରେ ପୁଲକିତ ହୋଇ ଉଠୁଥିଲା । ଆକାଶର ଅଳ୍ପ ମ୍ଲାନ ଜ୍ୟୋତ୍ସ୍ନା ବ୍ୟଞ୍ଜନାବିହୀନ ଧୂସରିତ ରାସ୍ତାର ଶେଷ ପ୍ରାନ୍ତରରେ ଚପଳ ହୋଇ ଉଠୁଥିଲା । ଆକାଶଟା କେମିତି ମୋହାଚ୍ଛନ୍ନ ଆଉ ଝାପ୍‌ସା ମନେହେଉଥିଲା । ଛାଇ ଆଲୁଅର ମାୟାଜାଲ ଭିତରେ ସୁଭାଷର ମୁହଁ ସ୍ପଷ୍ଟ ଦେଖା ନ ଗଲେ ବି ଜାଣିପାରୁଥିଲି ସେ ଖୁବ୍ ଗମ୍ଭୀର । ତଥାପି ରାତିର ସେଇ ଅନ୍ଧାର ଭିତରେ ରୋମାଞ୍ଚିତ ହେଉଥିଲି ଜୀବନର ପ୍ରଥମ ମୁକ୍ତିର ଆନନ୍ଦରେ । କଟକର ସେଇ ବିରକ୍ତିକର ରି‌କ୍‍ସା, ଗାଡ଼ିର ହର୍ଣ୍ଣ, ଫେରିବାଲାର ଚିତ୍କାର, ଅବସନ୍ନ ଅପେକ୍ଷମାଣ ଜନତାର ଚିତ୍କାର, ଗହଳି । ସବୁ ମିଶି କଟକ ଏକ ବିଚିତ୍ର ଜଗତର ସିମ୍ଫୋନି । ନାରୀ ପୁରୁଷର ବିଚିତ୍ର ଘୋଡ଼ା ଦୌଡ଼, କି ବିରକ୍ତିକର ଜୀବନ ! ଦୁର୍ବିସହ ! କିନ୍ତୁ ସୁଭାଷ ମତେ ହାତଧରି ଟାଣି ଆଣିଛି ଏଇ ସୁନ୍ଦର ନୂଆ ପୃଥିବୀ ଭିତରକୁ । ଦିବସର ଦଗ୍‌ଧମାଟି ଶୀତଳ ହୋଇଯାଇଛି । ରହସ୍ୟ ଝାପ୍‌ସା ଦୁଇ ପାଖର ଚାଳଘର । ମୁଚୁକୁନ୍ଦ ରଜନୀଗନ୍ଧାର ବାସ୍ନା । ଦୂରରେ ସାଆଁତାଳି ମାଦଳର ମନ୍ଥର ସ୍ଵର ଭିତରେ ମୋର ଚେତନା ଧୂସର ହୋଇ ଯାଉଥିଲା । କଟକର ସେଇ ନିଷ୍ଠୁର ଗଣ୍ଡି ଭିତରେ କେଉଁ ଶୈଶବ କାଳରୁ ଆବଦ୍ଧ ହୋଇ ଆସିଛି । ସ୍କୁଲ କଲେଜ ଜୀବନରେ ଅନେକ ବନ୍ଧୁ ଆମନ୍ତ୍ରଣ ଜଣେଇଛନ୍ତି ସେମାନଙ୍କର ଗାଁକୁ କିମ୍ବା ସହରକୁ ବୁଲିଯିବା ପାଇଁ ହେଲେ ମୁଁ କୁଆଡ଼େ ଯାଇପାରିନି । ପାରିବାରିକ ଅସୁବିଧାରୁ । ନ ହେଲେ ନିଜର ଅକ୍ଷମତାରୁ ।

 

ଆଉ ଏଇ ସୁଭାଷ ! ମୋର ସହପାଠୀ । ତା’ ଗାଁ କଥା ମତେ ଅନେକଥର କହିଛି । ପାହାଡ଼, ନଦୀ, ବଣ ଏସବୁ କଥା ଶୁଣିଲା ବେଳେ ଅନ୍ତରଟା କେମିତି ହୋଇଯାଏ । ପର ଛୁଟିରେ ଯିବାପାଇଁ କଥା ଦିଏ । ଅଥଚ ଗତାନୁଗତିକ ଧାରାରେ ଭାସିଯାଇ ଆଉ ପାରି ଉଠେନା–ଆଜି ସୁଭାଷର ରୂପକଥାର ଗାଁ ଦେଖି ଯେମିତି ଚେତନାହୀନ ହୋଇ ପଡ଼ୁଥିଲି । ଇଉନିଭର୍‍ସିଟି ଛାଡ଼ିଲା ପରେ ସୁଭାଷ ପ୍ରାୟ କଟକ ଆସେ । ତା’ ସହିତ ଦେଖାହୁଏ । କଥା ମଝିରେ ତା’ର ସେଇ ପୁରୁଣା ନିମନ୍ତ୍ରଣ, ‘‘କେବେ ଯିବୁ ଆମ ଗାଁକୁ ? ବାହାଘରକୁ ତ ଗଲୁନି ।” ଏମ୍. ଏ. ପରେ ସୁଭାଷ ଗାଁରେ ରହି ଚାଷବାସ ଦେଖାଶୁଣା କରୁଛି । ଆଜି ଉପରଓଳି ସୁଭାଷ ମତେ ଜୋର୍ କରି ନେଇ ଆସିଛି । ଟ୍ରେନ୍‌ରେ ଚଢ଼ିଲାବେଳେ ସୁଭାଷ ଅବିଶ୍ଵାସୀ କଣ୍ଠରେ କହିଥିଲା, ‘‘ସତରେ ଦେବ, ତୁ ଆମ ଗାଁକୁ ଆସିବୁ । ଏ ମୋପାଇଁ ଏକ ନୂଆ ସର୍‍ପ୍ରାଇଜ୍ । ମୋର ବିଶ୍ଵାସ ହେଉନିରେ ।”

 

କଟକରୁ ଏଇ ଗାଁ । ପ୍ରଚଣ୍ଡ ଏକ ତୃଷ୍ଣା ନେଇ ମୁଁ ଛୁଟି ଆସିଛି, ଏକ ନୂଆ ଆବିଷ୍କାର ପାଇଁ । ଯାହା ଦେଖିବି ସେ ଆଲୁଅ ଝଲମଲ ସହର ନୁହେଁ, ଅନ୍ଧାର, ଜୁଳୁଜୁଳା ପୋକ ଘେରା ଗାଁ । ଷ୍ଟେସନରେ ଓହ୍ଲେଇ ଆମେ କିନ୍ତୁ ଗୋଟାଏ ବି ରିକ୍‍ସା ପାଇଲୁନି । ଛୋଟ ମଫସଲୀ ଷ୍ଟେସନ । ସୁଭାଷର ଘର ଦୁଇମାଇଲ ପରେ । ସୁଭାଷ ପଚାରିଲା, ‘‘କିରେ ଚାଲି ଚାଲି ଯାଇପାରିବୁ ତ–ମୋଟେ ଦୁଇ ମାଇଲ ।”

 

ଜାଣେନା କାହିଁକି ରାତିର ସେଇ ମୋହମିଶା ଅନ୍ଧାର ମତେ ଶିହରିତ କରୁଥିଲା । ମୁଁ ନୀରବରେ ସମ୍ମତି ଜଣେଇଥିଲି ।

 

ଏଇ ଆଗରେ ଗୋଟାଏ ନଦୀ । କ୍ଷୀଣଦେହୀ, ନାଁ ଜାଣେନା । ସୁଭାଷକୁ ପଚାରିଲେ ଭଲ ହୁଅନ୍ତା । ନା ଥାଉ । ନିଃସଙ୍ଗ ଅନ୍ଧାର, ନଈର ଶବ୍ଦ, ତା’ର ଛୋଟିଆ ସ୍ରୋତ ଆଉ ଏଇ ବିକଶିତ ଜ୍ୟୋତ୍ସ୍ନା । ସବୁ ମିଶି ସ୍ଵପ୍ନ ସୃଷ୍ଟି କରୁଛି । ଏସବୁ ଭିତରେ ମଣିଷ କ’ଣ କଥା କହିପାରେ । ପ୍ରକୃତି କଥା କୁହେ । ମଣିଷ ହୁଏ ମୂକ ।

 

ସୁଭାଷର କଣ୍ଠ ଶୁଣିଲି, ‘କିରେ ଡରୁଛୁ ?’

 

ଏଇ ସୁନ୍ଦର ନିଃଶବ୍ଦତା ଭାଙ୍ଗି ଦେବାକୁ ମୋର ଜମା ଇଚ୍ଛା ହେଉ ନଥିଲା । ମୁଁ କେବଳ ଚୁପ୍‌ଚାପ୍ ହସିଲି । ସୁଭାଷ ମତେ ଥରେ ଚାହିଁଦେଇ ପୁଣି ଆଗେଇଲା । ତା’ର ଅନୁସରଣ କଲି । ପଛରେ ରହିଯାଉଥିଲା କ୍ଷୀଣ ଜଳଶବ୍ଦ, ଜ୍ୟୋତ୍ସ୍ନା, ନିମଗ୍ନ ଅନ୍ଧାର, ନଦୀ ସବୁକିଛି । ମୁଁ ଆଗେଇ ଗଲି ।

 

ରାତି ଆହୁରି ଅନେକ ବାକି ଅଛି । ସୁଭାଷର ଘରେ ସମସ୍ତେ ଶୋଇପଡ଼ିଥିଲେ । ଭିତରର କୌଣସି ଘରୁ ଲଣ୍ଠନର ଆଲୁଅ ଦିଶୁଥିଲା । ସୁଭାଷ ପଚାରିଲା, 'କିରେ କିଛି ଖାଇ ନେବୁ-?'

 

ଏତେ ରାତିରେ ଅନଧିକାର ଭାବରେ କାହାକୁ ବିରକ୍ତ କରିବା ମୋର ନୀତିବିରୁଦ୍ଧ । ମନାକଲି । ଗୋଟାଏ ଛୋଟ କୋଠରୀ ଭିତରକୁ ମତେ ନେଇଯାଇ ସୁଭାଷ କହିଲା, “ଏଇଟା ତୋ’ ରୁମ୍ । କିଛି ଅସୁବିଧା ହେବ ନାହିଁ । ଏତେ ରାତି ହେଲାଣି, ତୁ ଟାୟାର୍ଡ଼, ଅଭ୍ୟାସ ନାହିଁ ନିଶ୍ଚୟ କଷ୍ଟ ହେବ । ଗପିବାନି, ଚୁପ୍‌ଚାପ୍ ଶୋଇପଡ଼ । ପାଖ ଘରେ ମୁଁ ଅଛି । କିଛି ଦରକାର ହେଲେ ଡାକିବୁ-।” ଏକା ନିଃଶ୍ଵାସରେ ଏତକ କହି ସୁଭାଷ ଦୁଆର ଆଉଜେଇ ଦେଇ ବାହାରିଗଲା-। ମୁଁ ବିମୂଢ଼ ହୋଇ ଦରଜା ବନ୍ଦ କରି ଭିତରୁ ମେଲା ଝରକା ଦେଇ ବାହାରକୁ ଚାହିଁଲି । ଆଃ କେତେ ସୁନ୍ଦର ଏଇ ଗାଁ । ଆଉ ସେଇ ଅଙ୍କାବଙ୍କା ନଈ । ଆଲୁଅ ଅନ୍ଧାର ଭିତରେ କେମିତି ରହସ୍ୟମୟୀ । ସବୁଜ ନିର୍ଜନ କ୍ଷେତ, ତାଳ ଖଜୁରୀ ମହୁଆ ଗଛର ଅକମ୍ପିତ ନିଃସଂଗତା । ଇତସ୍ତତଃ ବଣୁଆ ବୁଦା, ଏସବୁ....ଏସବୁ ତ ମୋ ଜୀବନରେ ସ୍ଵପ୍ନ ଥିଲା । କଟକର ସେଇ ବକ୍‌ସିବଜାର, କଲେଜଛକ, କାଠଯୋଡ଼ି, ପାର୍କ, ପାନ ଦୋକାନ ଏସବୁର ନିର୍ମମତା ଭିତରେ ମୁଁ ତ ସବୁଦିନ ଚାପି ହୋଇ ରହିଯାଇଥିଲି, ରହିଯାଇଥା’ନ୍ତି ମଧ୍ୟ । ମନେ ମନେ ସୁଭାଷକୁ ଧନ୍ୟବାଦ ଜଣେଇଲି, ସେ ମତେ ଜୀବନ ଦେଖେଇଛି । ନୂଆ ଦିଗନ୍ତର ସନ୍ଧାନ ଦେଇଛି । କଟକରେ ମୁଁ କ’ଣ ମଣିଷ ହୋଇଥିଲି ! ମୋ ଜୀବନରେ ଅନେକ ଅଦେଖା ନଗରୀ ରହିଯାଇଥିଲା ।

 

କିଏ !!

 

ଚମକି ଚାହିଁଲି । କାନ୍ଧରେ କାହା ହାତର ସ୍ପର୍ଶ । କୋମଳ, ନିଥର, ଶୀତଳ ମୁହଁଟା କେମିତି ଚିହ୍ନା ଚିହ୍ନା ମନେହେଲା । କେଉଁଠି ଦେଖିଛି ! ନା, ମନେପଡ଼ୁନି ତ । କେବେ... କେଉଁଠି...ଦେହଟା ମୋର ଅକାରଣରେ ଶୀତେଇ ଉଠୁଥିଲା ।

 

ମୁଁ, ମିନି...ସେ କହିଲା ।

 

“ହଁ, ହଁ ମିନି, ମାନେ ସୁଭାଷର ଭଉଣୀ ତ । ଗଲାବର୍ଷ କଟକ ଯାଇଥିଲ, ମୋ ହାତରେ ‘ରାଖୀ’ ବାନ୍ଧିଥିଲ, ମନେଅଛି ।’ ହଠାତ୍ ଉଚ୍ଛ୍ୱସିତ ହୋଇ ଉଠୁ ଉଠୁ କେଜାଣି କାହିଁକି ଥମକିଗଲି । ହୁଏତ ମୋ ଉଚ୍ଛ୍ୱାସ ଭିତରେ କିଛିଟା ଅସମ୍ପୂର୍ଣ୍ଣ ପ୍ରଶ୍ନବାଚୀ ଥିଲା । ସେ ନୀରବତାର ଭାଷା ମିନି ହୁଏତ ବୁଝିପାରିଲା କିମ୍ବା ସନ୍ଦେହ କଲା ।

 

ଆପଣଙ୍କ ବନ୍ଧୁ ମତେ ଏଠି ଅନେକବେଳୁ ବସେଇ ରଖିଛନ୍ତି । ଆପଣ ଏ ଘରେ ପାଦ ଦେବା ପୂର୍ବରୁ, ମୁଁ ସେଇ ଚେୟାର୍‍ରେ ଅପେକ୍ଷା କରିଛି । ଆଗରୁ ସେ ମତେ ନିର୍ଦ୍ଦେଶ ଦେଇଥିଲେ-। ହୁଏତ ଆପଣ ଜାଣିନାହାନ୍ତି–

 

ଜାଣେନା କାହିଁକି ଏତେ ଉଚ୍ଛଳତା ଭିତରେ ମୁଁ ହଠାତ୍ ଚୁପ୍ ହୋଇଯାଇଥିଲି । ଲଣ୍ଠନର ଆଲୁଅ ମତେ ଉପହାସ କରୁଥିଲା । କାନ୍ଥରେ ଅନେକ ଛାୟା, ଉପଛାୟା । ସେଇ ଆବ୍‌ଛା ଅନ୍ଧାର ଭିତରେ ମୁଁ ତା’ ମୁହଁକୁ ଚାହିଁଥିଲି; ବୁଝିପାରୁ ନଥିଲି ମିନି କାହିଁକି ଆସିଛି । କାହିଁକି ଏତେ ରାତିରେ ଜଣେ ସଦ୍ୟ ପରିଚିତର କୋଠରୀରେ ସେ ଅପେକ୍ଷା କରି ବସିଛି । ଝର୍କା ସେପଟେ ମୋ ପରି ଭୟାର୍ତ୍ତ ଚିହ୍ନଟା ଯେପରି କ୍ଷୟ ହୋଇ ଯାଉଥିଲା । ବିଶାଳ ହୋଇ ଉଠୁଥିଲା ସେପାରିର ବଣ ଆଉ ଘର ଭିତରେ ସେଇ ସୁନ୍ଦର ନିଃସଙ୍ଗ ଅନ୍ଧାର । ଯେମିତି ମୋର ସମସ୍ତ ଅବୟବକୁ ଗ୍ରାସ କରି ଚାଲିଥିଲା । ମିନି ମୋ ପାଖକୁ ଲାଗି ଆସୁଛି । କବାଟ ଝରକା ସବୁ ବନ୍ଦ । ଘୁଞ୍ଚିଆସି ଭୟଭୀତ ହୋଇ କହିଲି, ‘‘ମିନି ତମେ ଚାଲିଯାଅ, ଏତେ ରାତିରେ ତମେ ଏଠି ଏକୁଟିଆ, ଭଲ ଦିଶୁନି । ସୁଭାଷ କ’ଣ ଭାବିବ !"

 

ମିନି ହସିଲା । ତା'ର ସେଇ ଶେତା ମୁହଁରେ ହସଟା କେମିତି ଅସ୍ଵାଭାବିକ ଲାଗୁଥିଲା । ମୁଁ ଆହୁରି ଭୟ ପାଇଗଲି ।

 

“ଆପଣ ଆଜି ରାତିର ଅତିଥି । ସୁରେଶ, ତପନ, ଗୋପାଳ ଏମିତି ଅନେକ ଅତିଥି ଆସନ୍ତି । ସମସ୍ତ ଭାର ମୋ ଉପରେ । ସମସ୍ତେ ସନ୍ତୁଷ୍ଟ ହୋଇ ଚାଲିଯାଆନ୍ତି । ଆପଣ ଆଜି ନୂଆ-। ଆପଣଙ୍କ ବନ୍ଧୁର ହୁକୁମ ଆପଣ ଯେମିତି ବେଶି ସମାଦର ପାଆନ୍ତି । କାରଣ ଆପଣ ବ୍ୟାଙ୍କରେ ଚାକିରି ପାଇଛନ୍ତି । ଆପଣ ଅବିବାହିତ । ସୁରେଶ, ତପନ, ଗୋପାଳଙ୍କଠୁ ଆପଣ ଅନେକ ଉଚ୍ଚରେ । ଆପଣଙ୍କ ପ୍ରତି ମୋର କର୍ତ୍ତବ୍ୟ ବେଶୀ ।”

 

ପାଖରେ ଅତି ପାଖରେ ମିନିର ନିଃଶ୍ଵାସ, ପ୍ରଶ୍ଵାସର ଶବ୍ଦ ଶୁଣିପାରୁଥିଲି । ତା’ର ସ୍ଵରରେ ଅସମ୍ପୂର୍ଣ୍ଣ ଆଦିମ ରାଗିଣୀ । ତା’ ଚାହାଣିରେ ଆହ୍ୱାନ-ଝଙ୍କାର, ରାତିର ଅନାହୃତ ପୁରୁଷ ମୁଁ-। ମିନି ମତେ ଡାକୁଛି । ଶବ୍ଦ ଉଚ୍ଚାରଣ କରି ନୁହେଁ I ଇଙ୍ଗିତରେ, ଧୀରେ ଧୀରେ, ଝର୍କା ଆରପଟେ ଜ୍ୟୋତ୍ସ୍ନାଟା ଛଟପଟ ହେଉଛି । ମୁଁ ଅସ୍ଥିର ହୋଇ ପଡ଼ୁଥିଲି । ସମସ୍ତ ଶିରା ଉପଶିରାରେ ମୋର ଜ୍ଵଳନ୍ତ ସ୍ରୋତ ମିନିର ଦେହ କମ୍ପୁଛି ହୁଏତ । ତା’ର ଧଳାବେକ ଚାରିପଟେ ହାତ ଗୁଡ଼େଇ ଝୁଲି ପଡ଼ିବାକୁ ଇଚ୍ଛା ହେଉଛି । ଲଣ୍ଠନ ପାଖରେ, ଟେବୁଲ ଉପରେ ଗୋଟିଏ ନିରୋଧ ପ୍ୟାକେଟ୍ ମତେ ଉପହାସ କରୁଛି । ଏକ ବିକଳ ଯନ୍ତ୍ରଣାରେ ମୁଁ ଛଟପଟ ହେଉଥିଲି । ହୁଏତ ମୁଁ ବେହୋସ ହୋଇଯିବି । କିନ୍ତୁ ମୁଁ କ’ଣ ପାରିବି ! ନା...ନା...ନା...ପାରିବିନି । ପାରିବିନି । ଏ ନୀରବତାରୁ ମୁକ୍ତି ନ ପାଇଲେ ମୁଁ ମରିଯିବି । ମୋର ବିବେକ...ମୁଁ ବିବେକୀ....ମୁଁ ମଣିଷ...ମୁଁ ମଣିଷ ।

 

ମୋର ଆମୂଳ ପ୍ରୋଥିତ ପାଦ ଦୁଇଟି ଟାଣି ଓଟାରି ପ୍ରାଣପଣେ କବାଟ ଫିଟେଇ ମୁଁ ଛୁଟିଲି । ପଥ ଜଣାନାହିଁ । ପାଦ ଥରୁଛି । ତଥାପି ପଳେଇ ଯିବାକୁ ହେବ । ତୀକ୍ଷ୍ଣ ଉଚ୍ଚା, ନୀଚା ପଥ-। ବଣବୁଦା । ତା’ ଭିତରେ ପାଦଟା ମୋର ଭାରସାମ୍ୟ ହରେଇ ବସୁଥିଲା । ତଥାପି ମୁଁ ଦୌଡ଼ୁଥିଲି-। ଆଗରେ ସେଇ ମୋହମୟୀ ନଦୀଟା । ମୋତେ ବାଟବଣା କରୁଥିଲା । କିନ୍ତୁ ମତେ ଷ୍ଟେସନରେ ପହଞ୍ଚିବାକୁ ହେବ । ପଛରୁ ସୁଭାଷର ଡାକ ଶୁଭୁଛି । ଶେଷ ଟ୍ରେନ୍‍ଟା ଧରିବାକୁ ହେବ-

 

ଗାଡ଼ି ଆସିବାକୁ ଆହୁରି ଅଧଘଣ୍ଟା ବାକି । ଗୋଟାଏ ବଡ଼ ନିଃଶ୍ଵାସ ନେଲି । ଏତେ ବେଳଯାଏ ମୋର ନିଃଶ୍ଵାସ ଯେମିତି ବନ୍ଦ ହୋଇ ରହିଯାଇଥିଲା । ଭୋରର ନିଦୁଆ ଷ୍ଟେସନରେ ଦୁଇ ତିନି ଜଣ ଲୋକ ବସି ତଥାପି ଘୁମଉଥିଲେ । କୋଇଲା ଧୂଆଁରେ ଭର୍ତ୍ତି ହୋଇ ଯାଇଥିବା ପାଖ ଚା' ଦୋକାନଟିରୁ ପାଣି ଗ୍ଲାସେ ପିଇବାକୁ ଇଚ୍ଛାହେଲା । ଭୀଷଣ ଶୋଷ, ତଣ୍ଟି ଅଠା ଅଠା କିନ୍ତୁ ନା….ପାହାନ୍ତି ପହରରେ ସେ ଦୋକାନୀ କ’ଣ ଖାଲି ପାଣି ଦବ !

 

କାନ୍ଧରେ ପୁଣି ସ୍ପର୍ଶ । ନରମ କୋମଳ ନୁହେଁ । ଗୁରୁ ଗମ୍ଭୀର ସୁଭାଷ ମିଟି ମିଟି ହସୁଥିଲା । ‘‘ତୋର ସେଇ ପାପ ପୁଣ୍ୟ ବୋଧ କ’ଣ ସେମିତି ଅଛି । ତୋ ଭିତରେ ସେଇ ସତ୍ ଆଦର୍ଶଟା କ’ଣ ଏବେବି ଜୀଇଁ ରହିଛି ଦେବ ? ତୁ ସେମିତି ବୋକା ହୋଇ ରହିଯାଇଛୁ !’’

 

ଆଖିରେ ମୋର ଜ୍ଵାଳା ଧରି ଆସୁଥିଲା । ଅସହାୟ ମୁଁ, ଅହେତୁକ ଚିତ୍କାର କରି କହିଲି, “କିନ୍ତୁ ତୁ ଶେଷରେ ମିନିକୁ ଏମିତି କଲୁ ? ସେ ତୋ’ ଭଉଣୀ, କ’ଣ ମୋର ନୁହେଁ ?"

 

ସୁଭାଷ ପୁଣି ହସିଲା । ଶୁଖିଲା ହସ । ହୁଏତ ଭିତରର କେଉଁ ଧ୍ଵଂସସ୍ତୂପ ଭିତରୁ ସେ ଖୋଜି ବସିଲା । ପାଇଲା କିମ୍ବା ପାଇଲାନି । “ମିନି ମୋର ଭଉଣୀ ନୁହ ଦେବ । ମିନି ମୋର ସ୍ତ୍ରୀ–’’

 

ତୋ’ର ସ୍ତ୍ରୀ...ପୁଣିଥରେ ଦୟନୀୟ ଭାବରେ ଚିତ୍କାର କରି ଉଠିଲି ମୁଁ । ନିଝୁମ୍ ଷ୍ଟେସନରେ ତାହା ପ୍ରତିଧ୍ଵନିତ ହୋଇ କେବଳ ମୋ ପାଖକୁ ଫେରିଆସିଲା “ଅନେକ ଚେଷ୍ଟା କରି ଆଜି ମଧ୍ୟ ଚାକିରିଟିଏ ପାଇଲିନି ଦେବ । ଅନେକ ଚେଷ୍ଟା କରିଛି କିନ୍ତୁ କେହି ବୁଝିଲେ ନାହିଁ ମୋର ଅବସ୍ଥା । ବୃଦ୍ଧ ବାପା ବୋଉ ନାବାଳକ ଭାଇ ଭଉଣୀ ସମସ୍ତେ ମିଶି ମୋତେ ଦୋଷ ଦେଲେ । ମୁଁ ଅପାରଗ, ଅପଦାର୍ଥ ଜଣେ ପୁରୁଷ । ଯୁବତୀ ମିନିକୁ ମୁଁ ମୁକ୍ତି ଦେବାକୁ ଚାହିଁଲି । ମୋ ଭଳି ଜଣେ ଅକ୍ଷମ ପୁରୁଷ ସହିତ ନିଜର ଭାଗ୍ୟ, ଶଙ୍ଖା ସିନ୍ଦୂରକୁ ବାନ୍ଧି ରଖିବାରେ କୌଣସି ମାନେ ହୁଏନା ମିନିର । ଅନେକ ଥର ଅନୁରୋଧ କଲି ଚାଲିଯିବା ପାଇଁ ହେଲେ ସେ ଗଲାନାହିଁ । ସମୟର ସ୍ରୋତରେ ଭାସି ଭାସି ମତେ ଶେଷରେ ତାହା ଶରଣାପନ୍ନ ହେବାକୁ ପଡ଼ିଲା । ମିନି ମତେ ପଥ ଦେଖାଇଲା । ବଞ୍ଚିବାର ଏକ ସରଳ ସୁଗମ ପଥ । ଧନ୍ୟବାଦ ଦେଇ ମିନିକୁ ଛୋଟ କରିବାକୁ ମୁଁ ଚାହେଁନା । ବେକାରତ୍ୱ ଭିତରେ ମୁଁ ନପୁଂସକ ଦେବ ! ମିନି ମତେ ପୋଷେ । ଆମ ପରିବାରକୁ ପୋଷେ । ମିନିପାଇଁ ଆମେ ବଞ୍ଚିଛୁ । ମିନିପାଇଁ ଆମର ସଂସାର ।”

 

ଷ୍ଟେସନରେ ଥିବା ଦେବଦାରୁ ଗଛ, ଆଉ ତା’ ଡାଳ ଫାଙ୍କରେ ଅସ୍ତ ହୋଇ ଯାଉଥିବା ଜହ୍ନ ମୋର ଖୁବ୍ କରୁଣ ମନେ ହେଉଥିଲା । ଆଖି ସାମନାରେ ନାଚୁଥିଲା ମିନିର ଶେତା, କଠିନ ମୁହଁ । ସୁରେଶ, ତପନ, ଗୋପାଳ ପ୍ରଭୃତି ଅନେକ ପୁରୁଷଙ୍କୁ ସନ୍ତୁଷ୍ଟ କରି ସେ ଉପାର୍ଜନ କରେ । ଯିଏ ଗତ ରାତିରେ ମୋ ପରି ଏକ ପୁରୁଷପାଇଁ ବାତ୍ୟା ବିକ୍ଷୁବ୍‍ଧ ପରି ଥରି ଉଠୁଥିଲା । କଳ୍ପନା ଚକ୍ଷୁରେ ମୋର ସେଇ ନଈଟାକୁ ମଧ୍ୟ ମନେ ପକେଇବାକୁ ଇଚ୍ଛାହେଲା । ଯାହାକୁ ଦେଖି ଗତରାତିରେ ମୁଁ ଉଦ୍‌ବେଳିତ ହୋଇ ଉଠୁଥିଲି । ମିନି ଯେମିତି ସେଇ ନଦୀ, କେବେ ଉଚ୍ଛଳ, କେବେ ଧୀର । ମିନିପାଇଁ ମୁଁ କାନ୍ଦିପାରୁ ନଥିଲି କି ସୁଭାଷ ପାଇଁ ବ୍ୟଙ୍ଗରେ ହସିପାରୁ ନଥିଲି । କାନ୍ଦିଲେ ମୋର ଦୁର୍ବଳତା । ହସିଲେ ହୁଏତ ସୁଭାଷର ସଂଗ୍ରାମୀ ଚେତନାର ଚେହେରାଟା ବିକୃତ ହୋଇଯାଇପାରେ ।

 

ଥାର୍ଡ଼ ବେଲ୍ ବାଜି ସାରିଥିଲା । ଗାଡ଼ି ଆସିଗଲାଣି । ଅଳ୍ପ ସମୟ ରହିବ । ହାତ ପତେଇ ଛିଡ଼ା ହୋଇଛି ମୋର ବେକାର ବନ୍ଧୁ ସୁଭାଷ । ମୁଁ ନୂଆ ଚାକିରି ପାଇଛି । ମୁଁ ଅବିବାହିତ-। ମତେ କିଛି ଦେବାକୁ ହେବ । ମନିସ୍ପର୍ଶ ପକେଟରୁ କାଢ଼ି ତା’ ହାତରେ ଗୁଞ୍ଜିଦେଇ ସାମନାର ଖାଲି କମ୍ପାର୍ଟମେଣ୍ଟରେ ଉଠିପଡ଼ିଲି ମୁଁ । ଛୋଟ ଷ୍ଟେସନ୍ । ଗାଡ଼ି ବେଶି ସମୟ ରହିଲାନି-। ଚଳନ୍ତା ଗାଡ଼ି ଭିତରୁ ଦେଖିଲି ସୁଭାଷ ଖୁବ୍‌ ଜୋର୍‌ରେ ହସୁଛି । ହାତ ହଲେଇ ବିଦାୟ ଜଣାଉଛି-। ମୁହଁରେ ତା’ର ତୃପ୍ତି ? ଶାନ୍ତି ? ନା ସ୍ଵସ୍ତି ? ମୁଁ ନିଶ୍ଚୟ କିଛି ଦେଖିପାରୁଥିଲି । କିନ୍ତୁ ସେ କ’ଣ ? ସୁଭାଷ ପାଇଁ ମୋର ଆତ୍ମହତ୍ୟା କରିବାକୁ ଇଚ୍ଛା ହେଉଥିଲା ।

 

କାଚର ଝରକା ଦେଇ ବାହାରକୁ ଚାହିଁଲି । ଗତ ରାତିର ସେଇ ଛାୟାଚ୍ଛନ୍ନତା ଆଉ ନାହିଁ-। ସକାଳର ଉଜ୍ଜ୍ଵଳ କୋମଳ ଖରା ଝଲମଲ ହେଉଛି ଦୂର ସବୁଜ ପ୍ରାନ୍ତରରେ । ଅଙ୍କା ବଙ୍କା ବଣୁଆ ରାସ୍ତାର ପିଠିରେ । ହୁଏତ ସେଇ ନଦୀର ଜଳରେ କିମ୍ବା ସୁନ୍ଦର ସେଇ ଦିଗନ୍ତର ଛାତିରେ । ସକାଳର ଆକାଶଟା ବେଶ୍ ତୋଫା । କିନ୍ତୁ ମୋ ଭିତରର ଅନ୍ଧକାର ଜମା ଦୂର ହେଉ ନଥିଲା ଗତ ରାତିର କିଛି ଅବାସ୍ତବ, ବିକୃତ ସ୍ଵପ୍ନ; ଗୋଟିଏ ଶେତା ମୁହଁ । ଦୁଇଟି ପ୍ରଜ୍ଵଳିତ ଆଖି ଭିତରେ ମୁଁ ବଣା ହୋଇ ଯାଇଥିଲି । କେମିତି ଏକ ପ୍ରକାର ଅସ୍ଵସ୍ତ ବୋଧ ଭିତରେ ମୁଁ ଯନ୍ତ୍ରଣା ପାଉଥିଲି । ଏକ ଅନ୍ୟ ଯୁଗର ଯନ୍ତ୍ରଣା କିମ୍ବା ମୋ ମସ୍ତିଷ୍କରେ ଅହେତୁକ ଭାବରେ ରକ୍ତ ସ୍ଫୁରଣ ହେଉଥିଲା । କିଛି ସମୟ ଏଇନା ହାତରେ । ପାଖରେ ସୁଭାଷ ନାହିଁ । ଏଇ ସମୟକୁ ଆଉ ସୁଭାଷକୁ ନେଇ ମୁଁ କ’ଣ କରିବି ? ହୁଏତ ସେ କଟକର ଗହଳି ଭିତରେ ହଜିଗଲେ ଏଇ ଯନ୍ତ୍ରଣା, ଏଇ ଅସ୍ଵସ୍ତି ବୋଧ ଦୂର ହୋଇ ଯାଇପାରେ ।

Image

 

ନିଃଶବ୍‌ଦ ନିର୍ବାସନ

 

ହିତୁଭାଇ ଥିଲେ ତା’ର ପଥ ପ୍ରଦର୍ଶକ । ସେଇ ଛୋଟ ଟାଉନରେ ପାଖାପାଖି ଘର । ପଡ଼ିଶା ଥିଲେ ସେମାନେ । ହିତୁ ଭାଇ ଥିଲେ ପରିବାରର ପ୍ରଥମ ସନ୍ତାନ ଏବଂ ପରେ ପରେ ଦୁଇ ଭଉଣୀ । ଇତି ଥିଲା ତା’ ପରିବାରର ଏକମାତ୍ର ସନ୍ତାନ । କିନ୍ତୁ ଇତି ନିଜର ସମବୟସୀ ହିତୁ ଭାଇଙ୍କ ସାନ ଉଭଣୀ ରୀନା ସହିତ ବେଶି ମିଶି ପାରୁ ନଥିଲା । ସବୁ ଯୋଗାଯୋଗ ତା’ର ହିତୁଭାଇ ସହିତ । ଯଦିଓ ହିତୁଭାଇ ଇତିଠାରୁ ଦୁଇ ତିନି ବର୍ଷ ସିନିୟର୍ ଥିଲେ, ତଥାପି ସେ ଥିଲେ ଇତିର ବନ୍ଧୁ, ଗାଇଡ଼୍‍, ଆଡ଼୍‍ଭାଇଜର ସବୁକିଛି । ହିତୁଭାଇଙ୍କୁ ଛାଡ଼ି, ଇତି ନିଜସ୍ଵ ଜଗତର କେବେ କଳ୍ପନା କରିନାହିଁ । କିନ୍ତୁ ଇତି ଜାଣେ ହିତୁଭାଇ ସହିତ ତା’ର ସମ୍ପର୍କ ମଧ୍ୟ ଅଦ୍ଭୁତ । କୌଣସି ପାପ ନଥିଲା ଛଳନା ନଥିଲା, କାମନା ନଥିଲା ନଥିଲା । ନଥିଲା ପୁଣି ଲୋକଲଜ୍ଜାର ଆଭରଣ । ତେଣୁ ସେମାନେ ପରସ୍ପର ଖୁବ୍ ନିବିଡ଼ ଭାବରେ ମିଶି ପାରୁଥିଲେ ।

 

ସେଇ ଛୋଟ ବୟସରେ ହିତୁଭାଇର ହାତ ଧରି ବେଲୁନ୍‌ବାଲାଠୁ ବେଲୁନ କିଣିଲା ବେଳେ ଇତି ଶୁଣେ, ହିତୁଭାଇଙ୍କର ବୋଉଙ୍କର କଥା–‘‘ଇତିଟା ହିତୁକୁ ବେଶ୍ ମାନୁଛି । ଠିକ୍ ଭାଇ ଭଉଣୀ ପରି । ଆହା ଭଗବାନ କ’ଣ ସତରେ କରିବେ । ସେଇ ଅଳ୍ପ ବୟସରେ । ସେଇ ସବୁ ଅଦ୍ଭୁତ କଥାର ଇନ୍ଦ୍ରଜାଲ ଭିତରେ ଇତି ପଶିପାରୁ ନଥିଲେ ମଧ୍ୟ, ତାକୁ ଓ ହିତୁଭାଇକୁ ନେଇ ଯେ କିଛି କୁହାଯାଉଛି ଏହା ସେ ବେଶ୍ ବୁଝି ପାରୁଥିଲା ।

 

ହିତୁ ଭାଇ ଥିଲେ ଅଦ୍ଭୁତ ପ୍ରକୃତିର ! ଅନର୍ଗଳ କଥା କହନ୍ତି, କାହାରି ଶାସନରେ ନଥାନ୍ତି-। ମନକୁ ଯାହା ଆସେ କହନ୍ତି । ସେ ସବୁବେଳେ କହୁଥିଲେ, ‘ମନ ମୋହର ନିଜଗୁରୁ ? ପାତଳା, ନହକା ଗୋରା ଦେହ । ଆଖି ନାକ ସେତେକ ସୁନ୍ଦର ନ ହେଲେ ମଧ୍ୟ କେମିତି ଏକ ବୁଦ୍ଧିଦୀପ୍ତ ପୌରୁଷର ଜ୍ୟୋତି । ପିଲାଦିନରୁ ଆଖି ଖରାପ ବୋଲି ଫୁଲ୍ ଲେନସ ବ୍ୟବହାର କରନ୍ତି-। ଆଉ ବଡ଼ମାନଙ୍କ ପରି ଖୁବ୍ ପ୍ରବୀଣ କଥା କହନ୍ତି । ଇତି ଥିଲା ହିତୁଭାଇର ଭକ୍ତ ଓ ନୀରବ ଶ୍ରୋତା-। ହିତୁ ଭାଇ କହନ୍ତି, “ଇତି, ଏଇ ମଧ୍ୟବିତ୍ତର ଗଣ୍ଡି ଭିତରୁ ବାହାରିଯାଇ ମୁଁ ଦିନେ କିଛି ଗୋଟାଏ କରିବି ଦୁନିଆ ତାଜୁବ ହୋଇଯିବ । କହ, ତୁ ତ ମୋର ଏଡ଼େ ବଡ଼ ଭକ୍ତ ମତେ ସାହାଯ୍ୟ କରିବୁ ତ ।” ଇତି ସେତେବେଳେ ଜମା ଅଷ୍ଟମ ଶ୍ରେଣୀର ଛାତ୍ରୀ । ବୁଝି ପାରେନା ଏଡ଼େ ବଡ଼ ଗୂଢ଼ କଥା–କେବଳ ବଡ଼ ବଡ଼ ଆଖିରେ ଚାହେଁ । କହେ, “ହିତୁଭାଇ, ମୁଁ କ’ଣ ପାରିବି ତମକୁ ସାହାଯ୍ୟ କରି ।”

 

ହିତୁଭାଇ ଫୁଲ୍ ଲେନ୍‌ସ ବାଟେ ଚାହାନ୍ତି । ଅନେକ ସମୟ ପରେ ଗମ୍ଭୀର ହୋଇ କହନ୍ତି, ‘‘ଓଲି, ତୁ କ’ଣ ମତେ ମାଟିହଣାରେ ସାହାଯ୍ୟ କରିବୁ ବୋଲି କହିଲି ! ତୁ ମୋର ଏତେ ପାଖକୁ ଆସିଗଲୁଣି ଯେ, କେବଳ ତୁ ମୋ କଥା ବୁଝିପାରିବୁ । ମତେ ଆଡ଼ଭାଇଜ୍ ଦବୁ । ଅନ୍ୟ କେହି ନୁହଁ ।” ଇତି ତଥାପି ବୁଝିପାରେନା । ଅନେକ ସମୟରେ ହିତୁଭାଇ ତା’ର ବେଣୀ ଦି’ଟାକୁ ଟାଣି ଧରି କହନ୍ତି, ‘‘ମାଉସୀ ଗୋଟିଏ ଝିଅ ବୋଲି ତତେ ବେଶି ଖାଇବାକୁ ଦେଇ ଦିନକୁ ଦିନ ଫୁଟ୍‌ବଲ୍ କରିଦଉଛନ୍ତି ତା’ ସଙ୍ଗେ ସଙ୍ଗେ ତୋ ମୁଣ୍ଡର ମସଲା ବି ।”

 

ଇତି କିନ୍ତୁ କେବେବି ରାଗିପାରେନା ହିତୁଭାଇ ଉପରେ । ହିତୁଭାଇ ସାଇକଲ୍ ପଛପଟେ ବସି ସ୍କୁଲ୍ ଯାଉ ଯାଉ ସେ କହନ୍ତି, ‘‘ଇତି ମୁଁ ଏଥର ମ୍ୟାଟ୍ରିକ୍ ଦେବି । ତୁ ତ ଜମା ଅଷ୍ଟମରେ ପଢ଼ୁଛୁ । ମୁଁ ଗଲାପରେ ତୁ କାହାଠୁ ପାଠ ବୁଝିବୁ, ଅଙ୍କରେ ତ ଗଧ ।” ଇତି କହେ, ‘‘କାହିଁକି, ତମେ, ତମେ ଯେଉଁଠି ରହିଲେ ବି ମତେ ଚିଠିରେ ଅଙ୍କ କଷି, ବୁଝେଇ ଲେଖିଦେବ । ମୁଁ ବୁଝିନେବିନି ।”

 

ସତକୁସତ ସେଇ ଛୋଟ ଟାଉନର ଛୋଟିଆ କଲେଜରେ ନ ପଢ଼ି ହିତୁଭାଇ ଦୂରକୁ କଲେଜରେ ପଢ଼ିବାକୁ ଚାଲିଯାଇଥିଲେ । ଚିଠିରେ ଅଙ୍କ କଷି ପଠାନ୍ତି । ଲେଖନ୍ତି, ‘‘ଇତି ତୁ କେବେ ଭୟ କରିବୁନି । ସବୁବେଳେ ମୁଁ ତୋ ପାଖେ ପାଖେ ଅଛି । ତୁ ତୋ ହିତୁଭାଇର ହାତଧରି ଅନ୍ଧାରରେ ଚାଲୁଛୁ । ତୋର ଭୟ କ’ଣ ? ଆଲୁଅ ନ ଥିଲେବି ତୁ ତୋ ହିତୁଭାଇର ହାତ ଧରିଛୁ ତ-।”

 

ଧୀରେ ଧୀରେ ସେଇ ପ୍ରଗଳ୍‌ଭ ଦିନ ଅପସରି ଗଲା । ସୁନେଲି ସେଇ କିଶୋରୀ ଦିନର ସମାପ୍ତି । ଇତି ବଡ଼ହୁଏ । ପ୍ରାୟ ପ୍ରତି ଶନିବାର ହିତୁଭାଇ ଆସନ୍ତି । ଅନେକ ସମୟ ଧରି ଇତିକୁ ଚାହିଁରହି କହନ୍ତି, ‘‘ଇତିରେ, ତୁ ତ ଦିନକୁ ଦିନ ବେଶ୍ ସୁନ୍ଦର ହୋଇ ଯାଉଛୁ ।” ଇତିର କିନ୍ତୁ କୌଣସି ଭାବାନ୍ତର ହୁଏନା । ସେ ବରଂ କୃଷ୍ଣଚୂଡ଼ାର ଉଲ୍ଲାସ ହୋଇ କହେ । ‘‘ହିତୁଭାଇ, ମୁଁ ଏଥର ଅଙ୍କରେ ସବୁଠୁ ବେଶି ନମ୍ବର ରଖିଛି । ପାଶ କଲେ ମୁଁ ତମରି କଲେଜରେ ପଢ଼ିବି ତ ?

 

ସତରେ, ମଣିଷ ମଣିଷ ଭିତରେ ସମ୍ପର୍କ କେଡ଼େ ଅଦ୍‍ଭୂତ । ଇତି ମ୍ୟାଟ୍ରିକ୍ ପାଶକଲା ଏବଂ ଜିଦ୍ ଧରିଲା ହିତୁଭାଇ ପାଖରେ ରହି କଲେଜରେ ପଢ଼ିବାପାଇଁ । କିନ୍ତୁ ଇତିର ବାପା ବୋଉ ବାଧାଦେଲେ । ଇତି ତ ପୁଣି ବଡ଼ ହୋଇଗଲାଣି । ଶେଷରେ ନିଷ୍ପତ୍ତି ହେଲା ଇତି ମହିଳା କଲେଜରେ ପଢ଼ିବ ଏବଂ ହଷ୍ଟେଲ୍‌ରେ ରହିବ । ହିତୁଭାଇ ଓ ଇତି ଗୋଟିଏ ସହରରେ ଭିନ୍ନ ଭିନ୍ନ କଲେଜରେ ପଢ଼ିଲେ । ହିତୁଭାଇ ସାଇନ୍‌ସ । ଇତି ଆର୍ଟସ । ଏଥର ପ୍ରତି ଶନିବାର ଘରକୁ ନ ଯାଇ ହିତୁଭାଇ ଇତି ପାଖକୁ ଆସେ । ଇତିର ସେ ଲୋକାଲ୍ ଗାର୍ଡ଼ିଆନ୍ । ହିତୁର ସାନ ଭଉଣୀ ରୀନା, ଯେ ମ୍ୟାଟ୍ରିକ୍ ପରେ ପାଠ ଛାଡ଼ିଦେଇଥିଲା, ସେ ଚିଠି ଲେଖେ, ‘‘ଇତି ତୁ ସେଠିକୁ ଗଲାପରେ ଭାଇ ଆଉ ଘରକୁ ଆସୁନାହାନ୍ତି । ତୁ କ’ଣ ଭାଇକୁ ମନ୍ତ୍ର କରିଦେଇଛୁ ।” ‘ଇତି ସେ ଚିଠି ହିତୁଭାଇକୁ ଦେଖାଏ, ହିତୁଭାଇ କିନ୍ତୁ ଗମ୍ଭୀର ହୋଇଯାଏ । ସେ ସେତେବେଳେ ଆଦର୍ଶବାଦୀ ସଦ୍ୟ ଯୁବକ । କଥାକଥାକେ ତା’ର ଖାଲି ରାଜନୀତି, ଫିଲୋସୋଫି, ରୁଷୋ, ନେହେରୁ, ରାଧାକ୍ରିଷ୍ଣଙ୍କ କଥା । ଇତି ମଧ୍ୟ ଆଉ ପିଲା ନୁହେଁ । ସେ ବୁଝିପାରେ ହିତୁଭାଇର ସେଣ୍ଟିମେଣ୍ଟ୍ ।

 

ଦିନେ ଦିନେ ଶନିବାର ଉପରଓଳି ହଷ୍ଟେଲ୍‌ରୁ ତାକୁ ବୁଲେଇ ନେଇଯାଏ ହିତୁଭାଇ । ବହୁଦୂରକୁ ଚାଲିଯାଆନ୍ତି ସେମାନେ । ରେଲଲାଇନ୍‌ର ଧାରେ ଧାରେ ବା ନଈକୂଳେ କୂଳେ ଚାଲୁ ଚାଲୁ ଇତିର ହାତଟାକୁ ଧରିପକାଇ ହିତୁଭାଇ କହନ୍ତି, ‘ଦେଖିରେ ତୋ ହାତ । ଭବିଷ୍ୟତରେ କ’ଣ ହବୁ ।”

 

ଇତି ହାତ ଦେଖାଏ । ଫୁଲ୍ ଲେନ୍‌ସ ବାଟେ ହାତଟାକୁ ଏପଟସେପଟ କରି ଦେଖିନେଇ ହିତୁଭାଇ କହନ୍ତି, ‘‘ନାଃ, ମୁଁ ଯାହା ଭାବୁଥିଲି, ତୁ ହୁଏତ ତାହା ହୋଇପାରିବୁନି । ସେଇ ସମସ୍ତଙ୍କ ପରି ବାହା ହେବୁ, ଆଉ ଚୁଲି ଫୁଙ୍କିବୁ ।" ଇତି ଅବାକ୍ ହୋଇ ପଚାରେ, ‘‘ତମେ ଆଉ କ’ଣ ଭାବୁଥିଲ କି ହିତୁଭାଇ ?”

 

ହିତୁ ଦାର୍ଶନିକ ପରି କହେ, ‘‘ତୋର ମୋର କୌଣସି ଭବିଷ୍ୟତର ଦରକାରନାହିଁ । କେବଳ ଆମର ଯେଉଁ ଅତୀତଟା ଚାଲିଗଲା ତା’ପାଇଁ ଅନୁଶୋଚନା ମାତ୍ର । ବର୍ତ୍ତମାନ ହେଉଛି ଆମ ନିଜ ହାତରେ । ଆମେ ତାକୁ ଗଢ଼ିବା । ତୁ ପାରିବୁ ତ ?”

 

ଇତି କିନ୍ତୁ ଏଥର ମଧ୍ୟ କିଛି ବୁଝିପାରେନା । ହିତୁଭାଇର ଏତେ ପାଖରେ ଥାଇ ମଧ୍ୟ ସେ ତା’କୁ ଠିକ୍ ଭାବେ ବୁଝି ପାରେନା । ହିତୁ ପୁଣି କହେ ‘‘ଇତି, ପିଲାଦିନରୁ ତୋ ସାଙ୍ଗେ ବଢ଼ିଛି, ଖେଳିଛି, ବୁଲିଛି, ତତେ ଶାସନ କରିଛି, ସ୍ନେହ କରିଛି, ଏବଂ ସବୁ ଭିତରେ ତତେ ଗୋଟିଏ କଥା କହିବାକୁ ଚାହିଁଛି । ତୁ କ’ଣ ଆଜି ଯାଏଁ ସେ କଥା ବୁଝିପାରିନୁ ?”

 

ଇତି ସତରେ କିଛି ବୁଝିପାରେନା । ସେମିତି ଅବୁଝା ଛାତ୍ରୀଟିଏ ପରି କହେ, "ହିତୁଭାଇ, କ’ଣ କହିଲେ ସିନା ବୁଝିବି । କହିବାକୁ ତମର ଏତେ ଡର କାହିଁକି ଯେ । ତମେ ତ ଜାଣ ପିଲାଦିନରୁ ମୁଁ ଟିକିଏ ବୋକି । ସେମିତି ବୋକି ହୋଇ ରହି ଯାଇଛି ।”

 

ହିତୁ କିଛି ଉତ୍ତର ଦିଏନା–କେବଳ ଘଣ୍ଟାକୁ ଚାହିଁ କହେ, ‘ଚାଲ ସନ୍ଧ୍ୟା ସାତ ହେଲାଣି । ତମ ହଷ୍ଟେଲ୍‌ର ଗେଟ୍ ପଡ଼ିଯିବ ।”

 

ଖୁବ୍ ଭଲଭାବେ ବି.ଏସ.ସି. ପାଶ କରିଥିଲେ ହିତୁଭାଇ । ଅନର୍ସରେ ଫାଷ୍ଟକ୍ଳାସ ଡିଷ୍ଟିଂସନ । ଇଉନିଭରସିଟି ଯିବାର କିଛିଦିନ ପୂର୍ବରୁ, ଠିକ୍ ପୂର୍ବପରି ଏକ ନିରୁପଦ୍ରବ ଶନିବାରରେ ଇତିକୁ ନେଇ ବୁଲି ବାହାରିଥିଲା ବେଳେ ଖୁବ୍ ବର୍ଷା ହେଲା ବାଟରେ । ଅଚାନକ ଅଦିନିଆ ବର୍ଷା । ବଡ଼ ବଡ଼ ଟୋପାରେ ବର୍ଷା ପଡ଼ୁଥାଏ । ପାଖରେ ଆଖରେ ଘର ନଥିଲା । ଅନ୍ୟ ଉପାୟ ନ ଦେଖି ହିତୁ ଇତିକୁ ନେଇ ରାସ୍ତାପାଖ ଗୋଟିଏ ବଡ଼ ଗଛମୂଳେ ଆଶ୍ରୟ ନେଇଥିଲା । ଚୁପ୍‌ଚାପ୍ ବହୁ ସମୟ ଛିଡ଼ାହେଲା ପରେ ବି ବର୍ଷା କମୁନି ଦେଖି ଇତି କ’ଣ କହିବାକୁ ଚାହିଁଲା ହିତୁଭାଇଙ୍କୁ । ଦେଖିଲା ହିତୁଭାଇ ମଧ୍ୟ ତାକୁ ଚାହିଁଛନ୍ତି । ଫୁଲ ଲେନ୍‌ସ ଭିତରୁ ଆଖି ଦୁଇଟା ଯେମିତି କଥା କହୁଛି, ‘‘ଇତି, ମୋ ହୃତ୍‌ପିଣ୍ଡଟା ତୁ କ’ଣ ଦେଖିପାରୁନୁ । ଯାହା ଗୋଟିଏ ଟକ୍ ଟକ୍ ଗୋଲାପ ପରି ତୋ ପାଦତଳେ ଲୋଟିଯିବାକୁ ଚାହେଁ ।”

 

ଇତି କୌଣସି ଉତ୍ତର ଦେଇପାରି ନଥିଲା ସେଇ ନୀରବ ଭାଷାର, ଦୁଇଟି ଅତଳାନ୍ତ ଦୀର୍ଘଶ୍ଵାସ ଭିତରେ, ସେଇ ନିଃସଙ୍ଗ ବର୍ଷାକ୍ରାନ୍ତ ଗଛତଳେ କେବଳ ସେମାନେ ଆଶ୍ରୟ ନେଇଥିଲେ କେତୋଟି ମୁହୂର୍ତ୍ତ ।

 

ହିତୁଭାଇ ଇଉନିଭରସିଟି ଚାଲିଯାଇଥିଲେ । ମଝିରେ ମଝିରେ ଚିଠି ଲେଖନ୍ତି, ‘‘ଇତି, ମଣିଷ ଜୀବନ କେଡ଼େ ଅଦ୍‍ଭୂତ କହିଲୁ । ପିଲାଦିନରୁ ତୋ ପାଖେ ବଡ଼ ହୋଇ, ତୋ ସାଙ୍ଗେ ଏତେ ମିଶି, ଏତେ ପାଖରେ ପାଇ ମଧ୍ୟ ମୁଁ ତୋତେ ମୋ କଥା କହିପାରିଲିନି । ତୁ ମଧ୍ୟ ଶୁଣିବାର ସୁଯୋଗ ଦେଇପାରିଲୁନି । ମଣିଷ ସତରେ ଗୋଟିଏ ସାମାଜିକ ଜୀବ । ଅର୍ଥାତ୍ ତାକୁ ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ହେବ । ତିଆରି କରା ରାସ୍ତାରେ ଚାଲିବାକୁ ହେବ । ସବୁ ପ୍ରକାର ନିୟମ ମାନି ଚଳିବାକୁ ହେବ । ଇତ୍ୟାଦି ଇତ୍ୟାଦି । ଆଉ ତୁ ଏମିତି ଏକ ଜୀବ ଯେ, ପିଲାଦିନରୁ ତତେ ନିଜ ପାଖେ ପାଖେ ରଖି ମୁଁ ମୋ ମନମୁତାବକ ତତେ ଗଢ଼ି ପାରିଲିନାହିଁ । ତେଣୁ ତୁ ମଧ୍ୟ ସେଇ ସାମାଜିକ ଜୀବ । କିନ୍ତୁ ଇତି ରେ, ତୁ ଦିନେ ଦେଖିବୁ, ତୋର ହିତୁଭାଇ ସମସ୍ତଙ୍କ ଆଗରେ ଗୋଟିଏ ପ୍ରଶ୍ନଚିହ୍ନ ହୋଇ ରହିଯାଇଛି, ଯାହାର ଉତ୍ତର ଜମା ନାହିଁ ।"

 

ପୁଣି କେବେ କେବେ ଲେଖନ୍ତି, “ମୁଁ ଯେମିତି ଗୋଟିଏ ଅସହାୟ ସ୍ଥାନରେ ଛିଡ଼ା ହୋଇଛି । ଆଉ ତୁ ମୋ ପାଇଁ ଏକ କୁହୁଡ଼ିଘେରା ପୃଥିବୀ ହୋଇଯାଇଛୁ କେବଳ ରହସ୍ୟମୟ । ଏତେ କମ୍ ବୟସରେ ତତେ ଏତେ ପାଖରେ ପାଇ ସୁଦ୍ଧା ତୁ ସେମିତି ପାହାଡ଼ ସେ ପାଖର ସୂର୍ଯ୍ୟ ହୋଇ ରହିଗଲୁ । ସେଇମିତି ଅନନ୍ତ ରହସ୍ୟମୟ ତୋର ଚରିତ୍ର । ତତେ କିଛି କହିବାକୁ ଗଲେ ମୋର ଭୟ ହୁଏ । ହୁଏତ ତୋର ସେଇ ପବିତ୍ର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ ଏବଂ ମୁଁ ତୋ ପାଖରେ ନିହାତି କଦାକାର କୁତ୍ସିତ ହୋଇଯିବି ।’’

 

ସମୟ, ହିତୁଭାଇ ଓ ଇତି.....ସମସ୍ତେ ଏକାସାଙ୍ଗେ ସମାନ ଗତିରେ ଆଗକୁ ମାଡ଼ି ଚାଲିଥିଲେ । ହିତୁଭାଇ ଦିନେ ଇଉନିଭରସିଟି ଛାଡ଼ିଲେ । କର୍ମ ଜୀବନ ଆରମ୍ଭ ହେଲା ତାଙ୍କର । ଲେକ୍‌ଚର୍‌ର ହୋଇ ଚାଲିଗଲେ ସେ ଅନ୍ୟ ଜାଗାକୁ । ଆଉ ଇଉନିଭରସିଟିରେ ପାଦ ଦେଲା ଇତି-। ନୂଆକରି ଜଏନ୍ କରିଥିବା ଜାଗାକୁ ଚାଲିଯିବାର ଆଗଦିନ ହିତୁଭାଇ ଆସିଥିଲେ ଇତି ପାଖକୁ-। ସେଇ ଶେଷ ଦେଖା । ବର୍ଷାର ଆୟୋଜନ ସବୁଠି । ଗାର୍ଲସ ହଷ୍ଟେଲ ପାଖ ଟଗର ଫୁଲର ଗଛସବୁ ବର୍ଷାରେ ଥର ଥର ହେଉଥିଲେ । ସେଇ ବର୍ଷାରେ ଭିଜି ଭିଜି ହିତୁଭାଇ ଆସିଥିଲେ ନୂଆ କିଣା ହୋଇଥିବା ସ୍କୁଟରଟା ନେଇ । ଟୁପଟାପ୍ ବର୍ଷାର ଶବ୍ଦ । ଯଦିଓ ବର୍ଷାର ବେଗ ବେଶି ନଥିଲା-। ତଥାପି ଇତି କହିଥିଲା । “ହିତୁଭାଇ, ବାରଣ୍ଡା ଉପରକୁ ଉଠିଆସ I ବର୍ଷା, ଦେହ ଖରାପ ହେବ-।”

 

ହିତୁଭାଇ କିଛି ନ ଶୁଣିଲା ପରି ଦୂରକୁ ଚାହିଁଥିଲେ ଫୁଲ ଲେନ୍‌ସ ବାଟେ । କହିଲେ, ‘‘ଇତି, ଅନେକ ଦିନରୁ ନିଜର ଗୋଟେ ଦାମୀ ପିଞ୍ଜରାରେ ମଇନାଟିଏ ପୋଷିଥିଲି । ସେ ପ୍ରାଣଠୁ ବଳି ନିଜର ହୋଇଯାଇଥିଲା । କିନ୍ତୁ ଦୁଃଖ କ’ଣ ଜାଣିଚୁ । ସେ ମଇନା କେବେବି ମୋ ପ୍ରାଣର ଭାଷା ବୁଝିଲାନାହିଁ । ମତେ ଚିହ୍ନି ପାରିଲାନାହିଁ । ତେଣୁ ତାକୁ ଆଜି ଉଡ଼େଇ ଦଉଛି ନୀଳ ଆକାଶରେ ଖୋଲା ବୁକୁ ଭିତରକୁ । ଯଦି କେବେ ସେ ମଇନା ଧରାଦିଏ, ଏଇ ଆଶାରେ ଦରଜାଟା ବନ୍ଦ କରୁନାହିଁ । ଆଉ ତା’ର ପ୍ରଥମ ଓ ଶେଷ ସାକ୍ଷୀ କେବଳ, ତୁ ।”

 

ଇତିକୁ କିଛି କହିବାର ସୁଯୋଗ ନ ଦେଇ ହୀତୁଭାଇ ସେମିତି ବିଷଣ୍ଣ ଓ ବିରସ ହୋଇ ସେଇ ବର୍ଷାରେ ସ୍କୁଟର ନେଇ ପୁଣି ଚାଲିଯାଇଥିଲେ । ଫ୍ଲାଗ୍ ହଲେଇ ଗାର୍ଡ଼ ହୁଇସିଲ୍ ଦେଲାପରି ତାଙ୍କ ସାର୍ଟର କିଛି ଅଂଶ ଦିଶୁଥିଲା ବହୁତ ବେଳଯାଏ । ବର୍ଷା ଭିତରେ ବୁଲୁଥିଲା ତାଙ୍କର ନୂଆ ସ୍କୁଟରର ଶବ୍ଦ । ଆଉ ସେଇ ପ୍ରଥମଥର ପାଇଁ ଇତି ଅନୁଭବ କଲା ତା’ ଦେହଟା ବେଶ୍ ହାଲ୍‌କା ହୋଇଯାଉଛି । ସେ ନିହାତି ଏକୁଟିଆ ଓ ନିଃସଙ୍ଗ ହୋଇଯାଉଛି । କେବଳ ବର୍ଷାର ଟୁପ୍‍ଟାପ୍ ଗୀତ । ଏତେବଡ଼ କୋଳାହଳମୟ ଗାର୍ଲସ ହଷ୍ଟେଲଟା ଏକ ନୀରବ ପ୍ରେତପୁରୀ ପରି ଲାଗିଥିଲା ଇତିକୁ । ନିଜର ଅବସନ୍ନ ଦେହ ଓ ମନ ଦେଇ ଗୋଟାଏ ପରେ ଗୋଟାଏ ପାହାଚ ଅତିକ୍ରମ କରି ଇତି ଫେରିଆସିଥିଲା ଉପର ମହଲାର ନିଜ ରୁମ୍‌କୁ ।

 

ତା’ପରେ ଏଇ ଦୀର୍ଘ ଚାରି ପାଞ୍ଚବର୍ଷର ମଧ୍ୟାନ୍ତର । ଇତି ମଧ୍ୟ ଲେକ୍‌ଚରର ହୋଇଯାଇଛି । କିନ୍ତୁ ଆଉ ଦେଖା ବା ଚିଠିପତ୍ର ଦିଆନିଆ ହୋଇପାରିନି ହିତୁଭାଇ ସହିତ । ଘରକୁ ଗଲେ ହିତୁଭାଇ ନଥାନ୍ତି । ହିତୁଭାଇ ଘରେ ଥିଲାବେଳେ ସେ ନଥାଏ । ଇତି ଆଶ୍ଚର୍ଯ୍ୟ ହୁଏ । ଯେଉଁ ଇତି ହିତୁଭାଇକୁ ମୁହୂର୍ତ୍ତେ ନ ଦେଖିଲେ ରହିପାରେନା, ଦୀର୍ଘ ଏତେଗୁଡ଼ାଏ ଦିନ ଧରି ସେ ତାଙ୍କୁ କେମିତି ନ ଦେଖି ରହିପାରୁଛି ! ବୋଧହୁଏ ବୟସ ଏ କ୍ଷେତ୍ରରେ ସବୁଠାରୁ ବଡ଼ ଆଶ୍ୱାସନା; ସେ ସବୁକିଛି ମନେଇ ନିଏ । ମଝିରେ ଇତି ବୋଉଠାରୁ ଜାଣିଥିଲା ହିତୁଭାଇର ବାହାଘର ହୋଇଯାଇଛି । ଏକ୍‌ସମାସ୍ ଛୁଟିରେ ବାହାଘର । ଇଚ୍ଛା କରିଥିଲେ ଇତି ବାହାଘରରେ ଯୋଗଦେଇ ପାରିଥାନ୍ତା । ପୁରାତନର ସମସ୍ତ ଦ୍ଵିଧା ଦୀର୍ଘଶ୍ଵାସ ବଦଳରେ ହୁଏତ ଆଉ ଏକ ସୁନ୍ଦର ସମ୍ପର୍କର ସୂତ୍ରପାତ ହୋଇଥାନ୍ତା; କିନ୍ତୁ ଇତି ଜାଣି ଜାଣି ଗଲାନାହିଁ । ଏକ୍‌ସମାସରେ ଏକ ବାନ୍ଧବୀର ଘରକୁ ବୁଲି ଚାଲିଯାଇଥିଲା ସେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହିତୁଭାଇ ମଧ୍ୟ କିଛି ଜଣେଇ ନଥିଲେ ତାକୁ ।

 

ପରେ ଇତି ଶୁଣିଛି । ହିତୁଭାଇଙ୍କ ପରିବାର ତାଙ୍କ ବାପାଙ୍କର ରିର୍ଟାୟାର ପରେ ସମସ୍ତେ ଗାଁକୁ ଚାଲିଯାଇଛନ୍ତି । ରୀନାର ବାହାଘର ହୋଇଯାଇଛି । ହିତୁଭାଇ ମଧ୍ୟ ନିଜ ପାଖରେ ନେଇ ସ୍ତ୍ରୀଙ୍କୁ ରଖିଛନ୍ତି । ବେଳେ ବେଳେ ଇତିର ମନ ଅଭିମାନରେ ବିଦ୍ଵେଷୀ ହୋଇଉଠେ । ହିତୁଭାଇ ସାଙ୍ଗରେ ଯଦି ଜୀବନରେ କେବେ ଥରେ ଦେଖାହୁଏ, ତେବେ କଥା ହେବନାହିଁ । ଏଇ କ’ଣ ତାଙ୍କର ସ୍ନେହ, ତାଙ୍କର ଭଲପାଇବା ! ମଝିରେ କେବଳ ପିଲା ବୟସର କେତୋଟି ଅପ୍ରାସଙ୍ଗିକ ଅଧ୍ୟାୟ । ପିଲାଦିନର ସ୍ଵପ୍ନ ମାତ୍ର ।

 

କ’ଣ ଗୋଟାଏ ଶବ୍ଦରେ ଫେରି ଚାହିଁଲା ଇତି । ବୋଉ ଆଲମିରାରୁ କ’ଣ ସବୁ ବାହାର କରୁଛି । ହାତରେ ହିତୁଭାଇର ଚିଠିଟା ଧରି ଯେମିତି ଏକ ବିଷାଦର ସ୍ଵପ୍ନ ଭିତରେ ବୁଡ଼ି ରହିଥିଲା ଏପର୍ଯ୍ୟନ୍ତ । ବାହାରେ ସାହାନାଇ ଓ ମଙ୍ଗଳ ବାଦ୍ୟର ମିଳିତ ଝଙ୍କାର । ଶଙ୍ଖର ସମୁଦ୍ର ଧ୍ୱନି, ହୁଳହୁଳି । ଏସବୁ ଭିତରେ କିଏ ତା’ ହାତରେ ଚିଠିଟା ଦେଇଯାଇଛି ଆଉ ପରିଚିତ ହାତ ଅକ୍ଷର ଭିତରେ ଇତି ବୁଲି ଆସିଛି ସାରା ଅତୀତଟା । ପୁଣିଥରେ ଖାମ୍‌ଟା ଉପରେ ଆଖି ବୁଲେଇ ନେଲା ଇତି । ସେଇ ପରିଚିତ ଅକ୍ଷର । ଏତେ ବର୍ଷ ପରେ ! କ’ଣ ଆଉ ଲେଖିଥିବେ ହିତୁଭାଇ, ସେମିତି ଭୁଲେଇ ଭାଲେଇ ଲେଖିଥିବେ, "ଇତି ତୋ’ ବାହାଘରରେ ମୁଁ ଯାଇପାରୁନି, ତୁ ରାଗିବୁନି ମୋ ରାଣଟି… ଇତ୍ୟାଦି ଇତ୍ୟାଦି.... ।"

 

କିନ୍ତୁ ନା...ଲେଖାଥିଲା, "ଇତି, ଖୁବ୍ ପିଲାଦିନରୁ ତତେ ଗୋଟିଏ କଥା କହିବି ବୋଲି କହିପାରିନି କେବେ ଏବଂ ତା’ର ପ୍ରକାଶଭଙ୍ଗୀ ଯେ କେମିତି ସେ କଥା ଆଜି ମଧ୍ୟ ମତେ ଜଣାନାହିଁ-। ତୁ ସବୁବେଳେ ମୋ ପାଖରେ ତୋର ଅଜସ୍ର ପୁଣ୍ୟ ସମ୍ଭାର ନେଇ ଛିଡ଼ା ହୋଇଛୁ । ଆଉ ମୁଁ ପାପାସକ୍ତ ଦେହ ଓ ମନ ନେଇ ତତେ ବାରମ୍ବାର ବ୍ୟତିବ୍ୟସ୍ତ କରିବାକୁ ଚାହିଁଛି । କିନ୍ତୁ ପାରିନାହିଁ । ପାରିଥିଲେ ହୁଏତ ଆଜି ଏଇ ଜ୍ଵଳନରେ ମୁଁ ଜଳୁ ନଥାନ୍ତି । ପ୍ରେମ ଓ ଭଲପାଇବା ପାଇଁ ଦୁଇଟି ପାଖାପାଖି ଆବଶ୍ୟକତା ରହିଛି । ଗୋଟିଏ ମନ ଓ ଅନ୍ୟଟି ଦେହ । ମଝିରେ କେବଳ ଗୋଟିଏ ଦୁଆର । ସଂଭ୍ରମର, ଲଜ୍ଜାର । ତାକୁ ଭାଙ୍ଗିପାରିଲେ ଆସେ ସୁଖ । ନ ହେଲେ ସେଇ ଯନ୍ତ୍ରଣା, ଅବଶୋଷ, ହା-ହୁତାଶ ।

 

ଇତି, ଭାବିବୁ ମୁଁ ଖୁବ୍ ସୁଖୀ ହୋଇଛି । ସୁଖ ବା ଦୁଃଖର ସଂଜ୍ଞା ମୁଁ ଜାଣେନା । ମୋର ଭଣ୍ଡାର ପୂର୍ଣ୍ଣ ତଥାପି ମୁଁ ଯୋଗୀ । କେବଳ ନିଛାଟିଆ ଏକୁଟିଆ ଲାଗୁଛି । ବୁଝିପାରୁନି କାହିଁକି ? ତେଣୁ ମୁଁ ଖୋଜୁଛି ମୁକ୍ତି । ତତେ ଥରେ କହିଥିଲି ନା । ମୁଁ କିଛି ଗୋଟାଏ କରିବି । ଗୋଟିଏ ପ୍ରଶ୍ନବାଚୀ ହୋଇ ରହିଯିବି । ଆଜି ସେଇ ଶୁଭଲଗ୍ନ ଆସିଛି । ଛାତିରୁ ଭାରି ପଥର ଖଣ୍ଡଟା ଓହ୍ଲାଇ ଦେଇ ମୁଁ ଚାଲିଯାଉଛି ‘ହୃଷୀକେଶ’ । ଆଉ ଫେରିବିନି । ଭଗବାନଙ୍କୁ ଖୋଜିବାକୁ ନୁହେଁ । ନିଜକୁ ଚିହ୍ନିବାକୁ । ମୁଁ ଜାଣେ ଉଦ୍ଧତ ଆକାଶ ପରି ମୋର ହୃଦୟରେ କିଛି ଗୋଟାଏ ନୂଆ ଆଲୋକର ବିଚ୍ଛୁରଣ ଘଟିବ । ଦିନେ ନା ଦିନେ । ସେ ଯେତେ ବର୍ଷପରେ ହେଉପଛେ । ସେ ବିପନ୍ନ‌ ଦୀର୍ଘଶ୍ୱାସ ନଥିବ । ଅସହାୟ ବିଷଣ୍ଣତା ନଥିବ । ନଥିବ ପୁଣି ଆତ୍ମନିଃଶବ୍ଦତା ।

 

ଇତି, ଏସବୁ ସତ୍ତ୍ଵେ ସ୍ଲେଟ୍‍ର ସବୁ ଦାଗ ପୋଛିଦେଲା ପରେ ବି, ଗୋଟିଏ ଦାଗ ସ୍ପଷ୍ଟ ହୋଇ ରହିଯାଏ । ସାରାଜୀବନ ସେ ଦାଗକୁ ବହି ଚାଲିଯିବାକୁ ହୁଏ । ବାହାରୁ କେହି ଦେଖି ପାରେନା । କିନ୍ତୁ ଭିତରେ ଭିତରେ ମଣିଷ ନଇଁଯାଏ ସେ ଭାରରେ, ସେଥିରୁ ମୁକ୍ତି ମିଳେନା-। କେବଳ ସେଇଠି ମଣିଷ ଆଉ ଆକାଶ ଛୁଇଁବାର ପ୍ରତ୍ୟାଶା ରଖେନା–ତୁ ସୁଖୀ ରହ I ତୁ ହସ । ଏଇ ମୋର ଚିରଦିନର କାମନା । ତୁ ସୁଖରେ ଅଛୁ ଜାଣିଲେ ମୁଁ ବି ସୁଖୀ, ଯେଉଁଠି ଥାଏ ପଛେ । ଯଦି କେବେ ଦୁଃଖ ପାଉ, ଦେଖିବୁ ତୁ ଗଲେ ପଠେଇବା ଆଗରୁ ମୁଁ ତୋ ପାଖରେ ପହଞ୍ଚି ସାରିଥିବି । ତୋ ଦୁଃଖ ପୋଛି ଦେବାର ଚେଷ୍ଟା କରିବି । ତୋ ଦୁଃଖ ଯଦି ମୋ ମନ ଜାଣି ନ ପାରିଲା; ତେବେ ମୋର ସେ କି ଭଲପାଇବା ! କିନ୍ତୁ ସାରାଜୀବନ ଧରି ତୁ କେବଳ ଗୋଟିଏ କଥା ପ୍ରମାଣ କରିଦେଇଗଲୁ, ‘‘Loving is the best form of revenge."

 

ଚିଠିଟାକୁ ମୁଠେଇ ଧରି ଭୋକିନା କାନ୍ଧି ଉଠିଲା ଇତି । ପାଖରେ ବସିଥିବା ଭଦ୍ରମହିଳା ଜଣକ ଚମକିପଡ଼ି ପଚାରିଲେ, “କ’ଣ ହେଲା ମା’....

 

ଆଲମିରାଟା ବନ୍ଦ କରୁ କରୁ ବୋଉ କହୁଥିଲା, ‘‘ପଚାରୁଛ ଅପା, ଏ ପରା ଘରଛଡ଼ା ବୈରାଗୀର କାନ୍ଦଣା । ଏ ଜୀବନ ପାଇଁ ସବୁ ଛାଡ଼ି ଚାଲିଯାଉଛି । କାନ୍ଦିବନି.....’’

 

ବାହାରେ ସାହାନାଇର ସ୍ୱର ଇତିର ହୃଦୟ ପରି ଆହୁରି ଭାରାକ୍ରାନ୍ତ ଓ କରୁଣ ହୋଇପଡ଼ୁଥିଲା ।

Image

 

ପ୍ରଥମ ସୁଖ

 

ବର୍ଷା ଅନେକ ବେଳୁ ଛାଡ଼ିଯାଇଛି । ବର୍ଷା ବର୍ଷା ଭାବଟା ଏବେବି ଆକାଶ ଦେହରେ । ଏମିତି ବି ହୁଏ, ଦିନେ ଦିନେ ଦି’ପହରରେ ସନ୍ଧ୍ୟାର ସ୍ପର୍ଶ ଲାଗେ ମନରେ । ଇଏ ସେମିତି ଗୋଟିଏ ବର୍ଷାକାଳର ଦିନ । ଶମ୍ପା ଜାଣି ପାରୁଥିଲା ବେଶୀ ହେଲେ ଅପରାହ୍ନ ତିନିଟା ହେବ । ଅଥଚ ସନ୍ଧ୍ୟାର ଅନ୍ଧକାର ଘେରିଆସିଲା ଭଳି ଲାଗୁଛି । ମେଘ ଜମାଟ ଅଭିମାନୀ ଆକାଶ । ଆଉ ଅସରାଏ ବର୍ଷା ହେବାର କୌଣସି ସୂଚନା ନାହିଁ । ଆକାଶରେ ଗୋଟିଏ ହେଲେ ପକ୍ଷୀ ନାହାନ୍ତି । ଗୁଡ଼ାଏ ଝଡ଼ିପୋକ କେବଳ । ବାହାରର ବହିର୍ଦୃଶ୍ୟ କେମିତି ଅପ୍ରସନ୍ନ ଲାଗୁଛି । କେମିତି ଅସ୍ୱସ୍ତି । ଏଇ ମେଘର ପଟ୍ଟଭୂମିକା ଭିତରେ ଛୋଟ ସହରଟା ଖୁବ୍ ଗମ୍ଭୀର ମନେହେଉଛି । ଆଉ ନିଜେ ଶମ୍ପା...ଦଶଦିଗବ୍ୟାପୀ ଏଇ ନିର୍ଜନତା ମେଘମୟ ଆକାଶ ଆଉ ଏକ ସାୟାହ୍ନ ପରିବେଶ ଭିତରେ ଶମ୍ପା ନିଜକୁ କୌଣସି ପୌରାଣିକ ନାରୀ ରୂପରେ କଳ୍ପନା କରିବାକୁ ଇଚ୍ଛା କରୁଛି । କାଳିଦାସଙ୍କ ଯକ୍ଷନାରୀ କିମ୍ବା ଶକୁନ୍ତଳା... ହେଲେ ଏଇ ବର୍ଷାର ବିଳାସ ଭିତରେ ଶମ୍ପାର ଆଖି ତନ୍ଦ୍ରାରେ ଅଧୀରା ହୋଇପଡ଼ୁନାହିଁ, କି କୌଣସି ପ୍ରିୟ କଳ୍ପନାରେ ମନଟା ବିଗଳିତ ଜାହ୍ନବୀ ଯମୁନା ହୋଇପାରୁନି । ଅଥଚ ଅଦିନିଆ ବର୍ଷାର ସୌରଭ । ଏକ‌ ବିଶେଷ ଛୁଟିଦିନର ଅଳସ ପରିବେଶ ପ୍ରତିଟି ମନକୁ ନିଶ୍ଚୟ ଉନ୍ମାଦ କରେ । କବି କିମ୍ବା ଭାବୁକ କରେ । କିନ୍ତୁ ଶମ୍ପା ଭାବୁଛି, ଏଇ ବର୍ଷା ନିର୍ଜନ ପରିବେଶରେ ଆତ୍ମହତ୍ୟା କଲେ କେମିତି ହୁଅନ୍ତା । ଆତ୍ମହତ୍ୟା ପାଇଁ ସମସ୍ତ ଉପକରଣ ଏଇ ଛୋଟ କ୍ଵାର୍ଟରରେ ମହଜୁଦ ଅଛି । ସ୍ଳିପିଂ ଟାବ୍‌ଲେଟ‌୍ ଲମ୍ବା ଶାଢ଼ୀ କିମ୍ବା ଷ୍ଟୋଭର କିରୋସିନି-। କାରଣ ପୃଥିବୀକୁ ଘୃଣା ନ କଲେ ମଧ୍ୟ ପୃଥିବୀକୁ ସେ ଭଲ ପାଇପାରୁନି ।

 

ଅଥଚ....ଏମିତି ବିକଳ ବୈରାଗ୍ୟ ଶମ୍ପା କେବେ ଅନୁଭବ କରି ନଥିଲା । ସୁଖ, ଦୁଃଖ, ପ୍ରେମ, ଈର୍ଷା ଆଉ ଲୋଭର ଊର୍ଦ୍ଧ୍ୱରେ । ଏକ ବହୁବର୍ଣ୍ଣ ବିଚ୍ଛୁରଣ ଭିତରେ ସେ ବିଚରଣ କରୁଥିଲା । ନିଜକୁ ଅର୍ଦ୍ଧମାନବୀ ଅର୍ଦ୍ଧ କଳ୍ପନାରେ ନିମଜ୍ଜିତ କରୁଥିଲା । ସେତେବେଳେ ଦିନସବୁ ଆରମ୍ଭ ହେଉଥିଲା ନିହାତି ସ୍ମୃତିଶୂନ୍ୟ ଭାବରେ । ଅତୀତ ଭବିଷ୍ୟତର କୌଣସି ଭାବନା ତାକୁ ମଥିତ କରୁ ନଥିଲା । ବର୍ତ୍ତମାନଟା ଥିଲା ତା’ପାଇଁ ନୂଆ ଟଙ୍କାପରି ପ୍ରିୟ । ଅଥଚ ଏଇ ବର୍ଷକ ଭିତରେ....ନିଜର ପ୍ରିୟ ତକିଆରେ ମୁହଁଟାକୁ ଚାପି ଧରିଲା ଶମ୍ପା, ଜୋର୍‌ରେ । ଗୋଟିଏ ପରିଚିତ ଦେହର ସ୍ଵେଦ ଗନ୍ଧ ସେଠି । ଶମ୍ପା ପୁଲକିତ ହୋଇପାରିଲା ନାହିଁ । ବରଂ କେମିତି ଅସ୍ଵସ୍ତି ବାନ୍ତି ବାନ୍ତି ଲାଗିଲା ତାକୁ ।

 

ବାହାରେ ମେଘର ଆୟୋଜନ । ଗୁଡ଼ାଏ ଦୁଶ୍ଚିନ୍ତା ପରି ଜମିଯାଉଛି । ଶମ୍ପା ତେବେ କ’ଣ ଆତ୍ମହତ୍ୟା ପାଇଁ ପ୍ରସ୍ତୁତ ହେବ; କିନ୍ତୁ ଶମ୍ପା ଅନୁଭବ କରିପାରୁଛି ତା’ ଗର୍ଭକୋଷରେ ଏକ ଲଘୁତର ଜୀବନ ବୃହତ୍ତର ଆଶାରେ ଦିନ ଗଣୁଛି । ଶମ୍ପା କେବେବି କଳ୍ପନା କରି ନଥିଲା ଅନ୍ୟ ଏକ ଜୀବନକୁ ସେ ନିଜ ଗର୍ଭରେ ଧାରଣ କରିବ ବୋଲି । ଅଧ୍ୟାପିକା ଶମ୍ପା ମହାନ୍ତିର ବର୍ଷକ ତଳର ଜୀବନର ଅଧ୍ୟାୟଟା ଥିଲା ନିହାତି ସ୍ମୃତି ଶୂନ୍ୟ । ଗୈରିକ ବିରାଗରେ ଉଜ୍ଜୀବିତ । ନିମ୍ନ ମଧ୍ୟବିତ୍ତ ପରିବାରର କଳା ରଙ୍ଗର କଳଙ୍କ ମୁଣ୍ଡେଇ ଶମ୍ପା ମହାନ୍ତି କେବେ ପ୍ରାପ୍ତିର ସ୍ଵପ୍ନ ଦେଖି ନଥିଲା । ନିଜର ପରିଚିତ ପୁରୁଷ ବାପା, ଭାଇ, ମାମୁଁ, ମଉସାଙ୍କ ବ୍ୟତୀତ ଅନ୍ୟସବୁ ପୁରୁଷ ଥିଲେ ଶମ୍ପାପାଇଁ ଏକ ଅପରିଚିତ ଭୟଙ୍କର ଜୀବ, ଯେଉଁମାନେ ଅତି ମାତ୍ରାରେ ଲାଭଖୋର, ପଶୁତ୍ଵର ଏକ ସୁନ୍ଦର ପରିପ୍ରକାଶ । ଏକ ଅଦ୍ଭୁତ ଅଭିନବ ସୃଷ୍ଟି । ଅଥଚ କି ଆଶ୍ଚର୍ଯ୍ୟ....ଗୋଟାଏ ବର୍ଷ ଭିତରେ ବାପୀ ମଜୁମଦାର ଶମ୍ପା ମହାନ୍ତିର ସବୁ ଧାରଣାକୁ ଭୁଲ୍ ପ୍ରମାଣିତ କରିଦେଲା; କିନ୍ତୁ ବାପୀ ମଜୁମଦାର ହିପୋକ୍ରାଟ୍ ନୁହେଁ ଏବଂ ସେ ମଧ୍ୟ ଶମ୍ପାକୁ ଦ୍ଵିଧାହୀନ ଭାବରେ ଜଣେଇ ଦେଇଛି ସେ ଶମ୍ପାକୁ କୌଣସିମତେ ବିବାହ କରିପାରିବନି । ସେ ବନ୍ଧନମୁକ୍ତ । କୌଣସି ଶୃଙ୍ଖଳ ସେ ଚାହେଁନା । ନିଜେ ଅକ୍ଷତ କୁମାର ନ ହେଲେ ମଧ୍ୟ ଅବିବାହିତ ରହିବାପାଇଁ ତା’ର ପରିକଳ୍ପନା-। ଏସବୁ ଜାଣିସାରି ମଧ୍ୟ ଶମ୍ପା କେବେ ବାପୀ ମଜୁମଦାରକୁ ଘୃଣା କରିପାରୁନି କିମ୍ବା କୌଣସି ପୁରୁଷଙ୍କୁ ନୁହେଁ ।

 

ଶମ୍ପା ପୁଣିଥରେ ମୁହଁ ଉଠେଇ ବାହାରକୁ ଚାହିଁଲା । ଆକାଶ ତଥାପି ପରିଷ୍କାର ହୋଇନାହିଁ । ପୃଥିବୀର ସେଇ ଆଦିମତମ ଗନ୍ଧଙ୍କୁ ମନଭରି ଗ୍ରହଣ କରିନେଲା ସେ । ଘାସ, ମାଟି, ଫୁଲ, ଗଛ ସବୁଠି ଅଦିନ ବର୍ଷାର ଗୋଟାଏ ଅପୂର୍ବ ସୁଗନ୍ଧ । ଏଇ ଛୋଟ ସହରକୁ ଏବେ ମନେ ମନେ ଖୁବ୍‌ ଆଦର କଲେ ଶମ୍ପା । ଏକ ଅଲୌକିକ ଅଦେଖା ଅନୁଭୂତିର ସ୍ପର୍ଶ ସେ ଏଠି ପାଇଛି । ନିଜେ ବିଭୋର ହୋଇଛି । ଶାନ୍ତି ନ ପାଇଲେ ମଧ୍ୟ ଏକ ଅଜଣା ସୁଖକୁ ନିଜର କରି ତିଳ ତିଳ ଉପଭୋଗ କରିଛି । ଏସବୁ କିନ୍ତୁ ଦିନେ ପାଇବ ବୋଲି ଶମ୍ପା ସ୍ଵପ୍ନରେବି କଳ୍ପନା କରି ନଥିଲା । କାରଣ ଶମ୍ପା ରୂପହୀନା, କଳା । ସେଇଥିପାଇଁ ଅଳ୍ପ ବୟସରୁ ତା’ର ନିଜ ଉପରେ ଅହେତୁକ ବିରାଗ । ସବୁଠି ଶୁଣିଛି ତା'ର ରଙ୍ଗ କଳା, ରୂପହୀନତାର ଚରମ ସ୍ଵାକ୍ଷର । ସେ ମଧ୍ୟବିତ୍ତ ପରିବାରର ଝିଅ । ସେ ଅଚଳ ଦୋ’ଣି । ତା’ର କୌଣସି ରାହା ନାହିଁ । ବାପା ବୋଉ, ପରିବାର ପରିଜନ–ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ଭାଷା, ସେ କଳା...ରୂପହୀନା । ଗୋଟିଏ ନିମ୍ନ ମଧ୍ୟବିତ୍ତ ପରିବାରର ଅତିରିକ୍ତ ବୋଝ ।

 

ଅଥଚ ନାଁ ତା’ର ଶମ୍ପା...ମାନେ ବିଜୁଳି । ଉଜ୍ଜ୍ୱଳ ଅନ୍ନ ବର୍ଣ୍ଣ । ଅନ୍ଧର ନାମ ପଦ୍ମଲୋଚନ-। ଏଥିପାଇଁ କେତେବେଳେ ନିଜକୁ ଖୁବ୍ ଅପମାନିତ ଓ ବିବ୍ରତ ବୋଧକରେ ସେ । ମନେ ମନେ ବିରକ୍ତ ହୁଏ ଅଭିଭାବକମାନଙ୍କ ଉପରେ । କାରଣ ନିଜ ରୂପ, ବର୍ଣ୍ଣ ସମ୍ବନ୍ଧରେ ଅତି ସଚେତନ ଶମ୍ପା ପ୍ରେମ ଭଲପାଇବାର ବହୁ ଊର୍ଦ୍ଧ୍ୱରେ ନିଜକୁ ଅବସ୍ଥାପିତ କରିଥିଲା । ଏପରି କି ନିଜକୁ ମଧ୍ୟ ସେ ଭଲପାଏନି, ସାଧାରଣ ବେଶଭୂଷା, ଆଡ଼ମ୍ବର ପରିପାଟୀ କେବଳ ଗୋଟିଏ ଲକ୍ଷ୍ୟ । ବଞ୍ଚିବାକୁ ହେବ, ଭଦ୍ର ଓ ମାର୍ଜିତ ଭାବରେ । ସ୍କୁଲ କଲେଜରେ ସହପାଠିନୀମାନଙ୍କର ରଙ୍ଗୀନ ଚିଠି ସବୁ ଦେଖି ସେ କେବଳ ପୁଲକିତ ହୋଇ ନାହିଁ । ବରଂ ରୂପହୀନତାର ଚାପରେ ନିଜର ସ୍ଵାଭାବିକ ଯୌବନକୁ ଜୀର୍ଣ୍ଣତାର ଆବେଷ୍ଟନୀରେ ବାନ୍ଧି ଦେଇଛି । ଅନେକ ବାନ୍ଧବୀ ପରିହାସ ଛଳରେ କହିଛନ୍ତି, ‘‘ତମର କ’ଣ ସାଧାରଣ ନାରୀତ୍ଵବୋଧ ନାହିଁ ଶମ୍ପା ? ସ୍ଵାଭାବିକ ଆଶା ଆକାଂକ୍ଷା, ବୟସର ଆବେଗ କ’ଣ ତମକୁ ବ୍ୟତିବ୍ୟସ୍ତ କରେନା ? ତମେ ଏତେ ନିର୍ବିକାର ଯେ-?" ଚୁପ୍ ରହିଯାଏ ଶମ୍ପା । ଅବଶ୍ୟ ତା’ର ମନ କିମ୍ବା ଦେହ କାମନା ବାସନାର ଊର୍ଦ୍ଧ୍ୱରେ ନୁହେଁ-। କିନ୍ତୁ ସେ ଭାବିଛି ନିଜର ଏପରି ଏକ ଦୀନତାରେ ସେ ସବୁ ଚିନ୍ତା କରିବା କେବଳ ପାପ ନୁହେଁ, ମହାପାପ ।

 

ମନେପଡ଼େ...ଏଇ ବର୍ଷକ ତଳେ ସ୍ଥାନୀୟ କଲେଜରେ ନୂଆ ହୋଇ ନଯୁକ୍ତି ପାଇସାରିବା ପରେ, ପ୍ରଥମ ଦିନ ଅଫିସ୍ ରୁମ୍‍ରୁ ବାହାରି ଆସୁ ଆସୁ ଶମ୍ପା ଶୁଣିଥିଲା ଗୋଟିଏ ଅନୁଚ୍ଚ ଅଥଚ ତୀକ୍ଷଣ କଣ୍ଠ । “ଇସ୍ କି ଟେରିଫିକ୍ ଫିଗର୍ !” ଚମକି ଫେରି ଚାହିଁଥିଲା ସେ । ଉଜ୍ଜ୍ୱଳ ଗୌରବର୍ଣ୍ଣ ଏକ ଦୀର୍ଘଦେହୀ ପୁରୁଷ ତା’କୁ ଚାହିଁ ମିଟି ମିଟି ହସୁଛି । ପାଖରେ ଆଉ କେହି ନାହାନ୍ତି-। ଲମ୍ବା ବାରଣ୍ଡା ଦେଇ ଫେରି ଆସୁ ଆସୁ ଅପମାନିତ ବୋଧ କରିଥିଲା ଶମ୍ପା । ପରିହାସ ନିଶ୍ଚୟ । ପିଲାଦିନରୁ ବିଭିନ୍ନ ଥଟ୍ଟା, ଆଉ ପରିହାସ ଭିତରେ ସଦା ଭୀତକ୍ରସ୍ତ ଶମ୍ପା ନିଃଶବ୍ଦରେ ଫେରିଆସିଥିଲା ।

 

କିନ୍ତୁ ପୁଣି ସେଇ ଦୀର୍ଘଦେହୀ ପୁରୁଷକୁ ସେ ଆବିଷ୍କାର କରିଥିଲା ଷ୍ଟାଫ୍ କମନ୍ ରୁମ୍‌ରେ, ବାପୀ ମଜୁମଦାର । ବଳିଷ୍ଠ ସୁନ୍ଦର ଦୀର୍ଘ ଦେହ । ଟଣା ଟଣା ଆଖି ବ୍ରଣଚିହ୍ନବିହୀନ ନିଟୋଳ ମସୃଣ ଗାଲ । ଘନ କେଶ, ଉଚ୍ଛଳ, ପ୍ରଗଳ୍‍ଭ ଦୁରନ୍ତ ଏକ ଝଡ଼ । ଯେ କୌଣସି କୁମାରୀ ପ୍ରଥମ ସାକ୍ଷାତରେ ପ୍ରେମରେ ପଡ଼ିପାରେ । ଇଂରାଜୀ ଅଧ୍ୟାପକ । ଶମ୍ପାର ସହକର୍ମୀ । ତା’ପରେ... ଶମ୍ପା ପ୍ରତି ମୁହୂର୍ତ୍ତରେ ଅନୁଭବ କରିଥିଲା ଯୋଡ଼ିଏ ଉଜ୍ଜ୍ୱଳ ଆଖି, ଦୁଇ ଫାଳ ହସନ୍ତ ଓଠ, ଗୋଟିଏ ସୁପ୍ରସନ୍ନ ମୁହଁ ତାକୁ ସବୁବେଳେ ଲକ୍ଷ୍ୟ କରୁଛି । ସନ୍ତ୍ରସ୍ତ ଶମ୍ପା ନିଜକୁ ବିଶ୍ଵାସ କରିପାରେନା । ନିଜର ବର୍ଣ୍ଣହୀନ, ରୂପହୀନ ଦେହଟା କ’ଣ ଜଣେ ସୁନ୍ଦର ପୁରୁଷ ପାଖରେ ଏଡ଼େ ମୂଲ୍ୟବାନ୍ ଆଉ ଲୋଭନୀୟ ହୋଇପାରେ ! କାମନା ପ୍ରଣୟ ପାଏ । ପାଇବାର ପିପାସାରେ କାତର ହୁଏ ମନ । ଶମ୍ପା ଆସ୍ତେ ଆସ୍ତେ ଦୁର୍ବଳ ହୋଇପଡ଼େ । ବାପୀ ମଜୁମଦାର ଆହୁରି ପରିଚିତ ହୋଇ ଉଠେ । କାରଣ ଶମ୍ପା ରୂପହୀନା ହେଲେ ମଧ୍ୟ ନାରୀ । କାମନାର ଘାତପ୍ରତିଘାତ ଭିତରେ ସେ ଲାଳିତ, ପ୍ରତିପାଳିତ । ଯଦିଓ ସେ ଜାଣିଥିଲା କୌଣସି ଦିନ ବିବାହ କରିପାରିବ ନାହିଁ । ତଥାପି ପୁରୁଷ ସମ୍ବନ୍ଧରେ ଗୋଟିଏ ଅଜଣା ଲୋଭ । ଗୋଟିଏ ଆଦିମ ପିପାସାକୁ ସେ କେବେ ପରିତ୍ୟାଗ କରିପାରି ନଥିଲା ।

 

ପରିଚୟ ଗଭୀର ହେଲାପରେ ବାପୀ ମଜୁମଦାର ଅନେକ ଥର କହିଛି, “ମିସ୍ ମହାନ୍ତି, ଅନେକ ସୁନ୍ଦରୀ ଝିଅମାନଙ୍କ ସଂସ୍ପର୍ଶରେ ଆସିଛି; ହେଲେ ତମପରି ଏକ ଭେନାସ୍ ଫିଗର୍ ମୁଁ କେବେ ଦେଖି ନାହିଁ । ଉଚ୍ଚତା ସାଙ୍ଗକୁ ଆଖି, ନାକର ଏଇ କଳାତ୍ମକ ଗଢ଼ଣ ସତରେ ଦୁର୍ଲଭ । ଶମ୍ପା ଲଜ୍ଜାବୋଧ କରେ । କଣ୍ଠରେ କୁଣ୍ଠା ଭରି କହେ, ‘‘କିନ୍ତୁ ମୋର ସବୁବେଳେ ମନେଥାଏ ମୁଁ ବର୍ଣ୍ଣହୀନା, ତେଣୁ ରୂପହୀନା ।” ବାପୀ ମଜୁମଦାରର ଗଭୀର ଆଖି ଦୁଇଟା ସଜଳ ହୋଇଉଠେ । ଆବୃତ୍ତି କଲାପରି କହେ, “ଶ୍ୟାମ ଅଙ୍ଗେ କି ଯେ ମଧୁ...ବ୍ଲାକ୍ ଇଜ୍ ସୁଇଟ୍’’ ଶମ୍ପା ମୁଗ୍‍ଧ ହୁଏ ବାପୀ ମଜୁମଦାରର ସ୍ଵୀକାରୋକ୍ତିରେ ତା’ର । ସ୍ପଷ୍ଟବାଦିତାରେ ପୁଲକିତ ହୋଇଯାଏ ଏକ ସୁନ୍ଦର ପୁରୁଷ ମୁଖରେ ନିଜ ରୂପ ପ୍ରଶଂସା ଶୁଣି । ଅଠେଇଶି ବର୍ଷର ଶମ୍ପା ମହାନ୍ତି ଏକ ଅହେତୁକ ଉଚ୍ଛୃଙ୍ଖଳ ମମତା ଅନୁଭବ କରେ ବାପୀ ମଜୁମଦାର ପ୍ରତି । ଗୁଡ଼ାଏ ଲଜ୍ଜାହୀନ ସ୍ଵପ୍ନରେ ପୁଲକିତ, ଚକିତ ହୋଇଯାଏ ସଯତ୍ନ ସାଇତା ତା’ର କୁମାରୀ ଦେହଟା ।

 

କିନ୍ତୁ ଯେଉଁଦିନ ଶମ୍ପା ପୁରୁଷ ପ୍ରେମିକର ପ୍ରଥମ ସ୍ପର୍ଶ ଅନୁଭବ କରିଥିଲା, ତା’ ଦେହର ପ୍ରତିଟି କୋଣରେ । ସେଦିନ ମଧ୍ୟ ଏମିତି ବର୍ଷାର ଗମ୍ଭୀର ପଦ ସଞ୍ଚାର ଥିଲା ଆକାଶରେ । ରାସ୍ତା ପାଖରେ ଏକ ଭୟାର୍ତ୍ତ, ଏକାକୀତ୍ଵ ନେଇ ଛିଡ଼ା ହୋଇଥିବା ସେଇ କୃଷ୍ଣଚୂଡ଼ା ଗଛଟାକୁ ସେଦିନ କାଠୁରିଆମାନେ କାଟି ପକେଇଥିଲେ । ଇଲେକ୍‌ଟ୍ରିକ୍ ଲାଇନ୍ ଯିବାରେ କୁଆଡ଼େ ଅସୁବିଧା ହେଉଥିଲା । ବାପୀ ମଜୁମଦାର ନାମକ ଏକ ବିଶାଳ ଦେହର ବିପୁଳ ଜଳଧି ଭିତରେ ହଜି ଯାଉ ଯାଉ ଶମ୍ପା ଅନୁଭବ କରିଥିଲା ଅସହ୍ୟ ଶାରୀରିକ ବିସ୍ଫୋରଣ ଭିତରେବି ତା’ ଆଖିରେ ଲୁହ । ସେ ଜାଣି ପାରି ନଥିଲା ସେ ଲୁହ ଆନନ୍ଦ, ବେଦନା ନା ଜୟର ପ୍ରାବଲ୍ୟରେ ଝରି ଯାଉଛି । ଅଥଚ ଏକ ଅନାସ୍ଵାଦିତ ପ୍ରଶାନ୍ତିରେ ସେ ବିହ୍ୱଳ ହୋଇ ଯାଇଥିଲା । ଛିନ୍ନ ଭିନ୍ନ ହୋଇ ଯାଇଥିବା ସେଇ କୃଷ୍ଣଚୂଡ଼ା ଗଛଟା କାନ୍ଦୁଥିଲା ଯେମିତି ଏକ ଧର୍ଷିତା କୁମାରୀ ପରି । ଗଛଟାରୁ ଅନେକ କ୍ଷୀର ଝରୁଥିଲା ସେଦିନ । ନିଜ ସହିତ ଏକ ସାମଞ୍ଜସ୍ୟ ଥିଲା ପରି ଅନୁଭବ କରିଥିଲା ଶମ୍ପା । କିନ୍ତୁ ଶମ୍ପା...ଅନ୍ଧ ଜହୁରୀ ପରି ଅନୁଭବ କରିଥିଲା ପ୍ରଥମ ହୀରାର ସ୍ପର୍ଶ । ଅସଂଖ୍ୟ ବିଦ୍ୟୁତ୍‍ର ବିଚ୍ଛୁରଣ ଭିତରେ ଜୀବନର ଏକ ଦୈନ୍ୟ ଜର୍ଜର ଅସ୍ତିତ୍ୱକୁ ଭୁଲିବାପାଇଁ ପ୍ରାଣପଣେ ପ୍ରୟାସ କରିଥିଲା ଶମ୍ପା-। ବାପୀ ମଜୁମଦାରର ପ୍ରଶସ୍ତ ଛାତି ଉପରେ ତା’ର ଦେହ ମନ ବଞ୍ଚିବାର ଏକ ନୂତନ ସ୍ୱାଦରେ ପୁଲକିତ ହୋଇ ଉଠୁଥିଲେ । ବାପୀ ମଜୁମଦାରର ରକ୍ତ ମାଂସର ପ୍ରବଳ ଆବେଦନ ଗ୍ରହଣ କରୁ କରୁ ଅଚେତ ପ୍ରାୟ ଶମ୍ପା ପଚାରିଥିଲା, ମୁଁ କ’ଣ ପାପ କଲି ?”

 

ବାପୀ ମଜୁମଦାର ଏକ ଅଲୌକିକ ହସରେ ଓଠ ଭର୍ତ୍ତି କରି ସମ୍ମୋହିତ ଭଳି କହିଥିଲା, ‘‘ପାପ ପୁଣ୍ୟ ମଣିଷ ସୃଷ୍ଟି କରିଛି ଶମ୍ପା । ତମେ, ମୁଁ ଏବଂ ଆମର ଏଇ ପରମ ଆକାଂକ୍ଷିତ ମୁହୂର୍ତ୍ତ ହିଁ ସତ୍ୟ ଶିବ ସୁନ୍ଦର । ପର ମୁହୂର୍ତ୍ତଟି ଯଦି ଜୀବନରେ ଅକ୍ଷୟ, ଅମର ହୋଇ ରହେ; ତେବେ ପୁଣ୍ୟ କି ଦରକାର କୁହ ?” ଏବଂ ପରମ ଶାନ୍ତିରେ ମନେ ମନେ ମନ୍ତ୍ର ଉଚ୍ଚାରଣ କରିଥିଲା ଶମ୍ପା–‘‘ଜଣକୁ ଏକାଗ୍ର ଚିତ୍ତରେ ଦେହ ମନ ଦାନ କରିବାଠୁ ସୁଖମୟ ଭୁଲ୍ ଆଉ କ’ଣ ହୋଇପାରେ-।” ଏହାରି ନାମ କ’ଣ ପ୍ରେମ ନୁହେଁ । ନିଜକୁ ଅତିରିକ୍ତ ରୂପହୀନା ଭାବୁଥିବା ଶମ୍ପା ମହାନ୍ତି ମଧ୍ୟ ପ୍ରେମ କରିପାରେ ସୁପୁରୁଷ ବାପୀ ମଜୁମଦାରକୁ । ଏହାଠାରୁ ମହାନୁଭବତା ସଂସାରରେ ଆଉ କ’ଣ ?

 

ପୃଥିବୀ ଏତେ ବୈଭବମୟ । ଏତେ ରଙ୍ଗୀନ ବୋଲି, ଏତେ ଦୀପ୍ତିମାନ ବୋଲି ଶମ୍ପା ପ୍ରଥମ ସେ ଦିନ ଅନୁଭବ କରିଥିଲା । ରୂପହୀନତାର ପଞ୍ଜୁରୀରେ ଆବଦ୍ଧ ଥିବା ପକ୍ଷୀଟା ଜୀବନର ନୀଳ ଆକାଶରେ ମୁକ୍ତିର ବିସ୍ତୃତିର ସ୍ପର୍ଶ ସେଦିନ ପ୍ରଥମ ଅଙ୍ଗେ ନିଭେଇଥିଲା । ତା’ପରେ ନିଜକୁ ବହୁ ସମୟ ଧରି ଦର୍ପଣ ସମ୍ମୁଖରେ ଉପସ୍ଥାପିତ କରିଥିଲା ଶମ୍ପା । ତୀକ୍ଷ୍ଣ ନାସିକା, ଘନ ପଲ୍ଲବ ଘେରା ବଡ଼ ବଡ଼ ଗଭୀର ଆଖି, କୁଞ୍ଚିତ କେଶ, ଉନ୍ନତ ବକ୍ଷ, କ୍ଷୀଣ କଟି । କାବ୍ୟ ବର୍ଣ୍ଣିତ ପ୍ରତିଟି ଅଙ୍ଗ ତା’ର ନିଖୁଣ, ଅସମ୍ପୂର୍ଣ୍ଣ ନୁହେଁ । ନିଜକୁ ଗଭୀର ଭାବେ ବିଶ୍ଳେଷଣ କରିଥିଲା ଶମ୍ପା । ଅଥଚ ରଙ୍ଗଟା ଯଦି ଏତେ କଳା ହୋଇ ନଥାନ୍ତା । ନିଜର ଘନ ନୀଳ ଆଖି ଦୁଇଟାକୁ ଚାହିଁ ସେଦିନ ଖୁବ୍ ହସିଥିଲା ଶମ୍ପା । ପ୍ରେମର ପ୍ରଥମ ସମ୍ଭାଷଣ ଜଣେଇ ବାପୀ ମଜୁମଦାର ପ୍ରଥମେ ଓଠ ଥାପିଥିଲା ତା’ର ସେଇ ଆଖି ଉପରେ, ‘‘କି ବ୍ରିଲିଆଣ୍ଟ୍ ଆଖି ତମର ଶମ୍ପା...” ବାପୀ ଏକ ସୁଦକ୍ଷ ବଣିଆ । ଖାଣ୍ଟି ସୁନାକୁ ଚିହ୍ନିବାକୁ ସେ ଜମା ଭୁଲ୍ କରି ନଥିଲା ଏବଂ ଶମ୍ପା ଜନ୍ମ ହେବାର ଗୁଡ଼ାଏ ଦିନ ପରେ ନିଜକୁ ସ୍ୱୟଂସମ୍ପୂର୍ଣ୍ଣ ନାରୀ ବୋଲି ବିଶ୍ୱାସ କରିଥିଲା ।

 

ଏକ ପ୍ରଚଣ୍ଡ ଜୟର ଆନନ୍ଦ ଭିତରେ ସେଦିନ ଦିଗହରା ହୋଇଯାଇଥିଲା ଶମ୍ପା ମହାନ୍ତିର ଅଠେଇଶି ବର୍ଷର ସଯତ୍ନ ସଂଯମ ଶାସିତ କୁମାରୀ ଦେହଟା । ବର୍ଣ୍ଣହୀନା, ରୂପହୀନା ଶମ୍ପା, ସ୍ଵାର୍ଥପର, ଲୋଭୀ, ଅମଣିଷ ପୁରୁଷ ସମାଜର ନିଜପ୍ରତି ଅବହେଳା ଓ ଅପମାନର ପ୍ରତିଶୋଧ ନେଇଥିଲା ଯେମିତି । ନୀଳକଣ୍ଠ ଭଳି ଆକଣ୍ଠ ବିଷ ପାନ କରିଥିଲା । ହେଉପଛେ ସେ ବିଷ ତଥାପି ଅମୃତ ଏବଂ ଯାହା ଅମୃତ ତାହା ମୃତ୍ୟୁର୍ତ୍ତୀର୍ଣ୍ଣ ମୃତ୍ୟୁଞ୍ଜୟ, ଆନନ୍ଦମୟ । ପ୍ରାପ୍ତିର ଅଶେଷ ଆନନ୍ଦ ଭିତରେ ଶମ୍ପା ଭୁଲିଯାଇଥିଲା ଜୀବନଟା ଏ ବନ୍ଦୀଶାପ ପ୍ରତି ମୁହୂର୍ତ୍ତରେ ଏଠି ସମାଜର ଚାବୁକ ଖାଇବାକୁ ହୁଏ । ଏବଂ ଶମ୍ପା ମଧ୍ୟ ସେଇଠି ଭୁଲ୍ କରିଥିଲା । ବ୍ୟକ୍ତିଗତ କାଲେଣ୍ଡରର ତାରିଖ ସବୁ ଛୁଟି ଚାଲିଥିଲେ କ୍ରମଶଃ ଏକ ଅଜଣା ଅଚିହ୍ନା ଭୟର ଛାୟା ତା’ର କୁମାରୀତ୍ୱହୀନା ଦେହ ଉପରେ ଘେରି ଆସିଥିଲା । ଏଥିପାଇଁ ସେ ଜମା ପ୍ରସ୍ତୁତ ନଥିଲା । ଜୀବନର ଏକ ପ୍ରଗଳ୍‌ଭ ପ୍ରଲୋଭନକୁ, ଏକ ଅବୁଝା ପ୍ରବୃତ୍ତିକୁ ପ୍ରଶ୍ରୟ ଦେବାକୁ ଯାଇ ସେ ନିଜ ଦେହର ପବିତ୍ରତା ନଷ୍ଟ କରିଛି । ଜୀବନରେ ଆତ୍ମସୁଖ ହୁଏତ ଚରମ କାମ୍ୟ ହୋଇପାରେ; କିନ୍ତୁ ଇପ୍‌ସିତ ନରକର ଶୂନ୍ୟତା ଭିତରେ ଆତ୍ମବିୟୋଗ କରିବାକୁ କେବଳ ଶମ୍ପା କାହିଁକି ଯେ କୌଣସି ନାରୀ ନିଶ୍ଚୟ ଅକ୍ଷମ । ଶମ୍ପା ତଥାପି ଶେଷ ଚେଷ୍ଟା କରିଥିଲା । ଏଥର ଅବଶ୍ୟ ବିବାହ କରିବ...

 

ବିବାହ ଶବ୍ଦର ଅର୍ଥ ବୁଝି ନ ପାରିଲା ପରି ଦୁଇଟି ବଡ଼ ବଡ଼ ଆଖିରେ ବାପୀ ଅନେକ ସମୟ ଧରି ଚାହିଁଥିଲା ଶମ୍ପାକୁ । ପରେ ଗମ୍ଭୀର କଣ୍ଠରେ କହିଥିଲା, ‘‘ପ୍ରେମିକା କିମ୍ବା ବାନ୍ଧବୀ ହେବାଠାରୁ ନାରୀ ବେଶି ପସନ୍ଦ କରେ କୌଣସି ଏକ ପୁରୁଷର ସନ୍ତାନର ଜନନୀ ହେବାପାଇଁ । ନାରୀ ପାଖରେ ପୁରୁଷର ଆବଶ୍ୟକତା ଏଇଠି । ତା’ଛଡ଼ା ତମ ଭଳି ଏକ ସୁନ୍ଦର ଜୀବନକୁ ନଜର ଗୃହପୋଷ୍ୟ ଏକ ଅନୁଗତ ସହଚରୀ କରିବାପାଇଁ ମୋର ମୋଟେ ଇଚ୍ଛାନାହିଁ ଶମ୍ପା । ମୁଁ ଏକ ଚିରନ୍ତନ ପୁରୁଷ । ତମେ ଏକ ଚିରନ୍ତନା ପ୍ରେମିକା । ପ୍ରେମର ସ୍ରୋତରେ ଅବଗାହନ କରି ଆମେ ଧନ୍ୟ । ସେଠାରେ ଏକ ସାମାଜିକ ଶୃଙ୍ଖଳର ପ୍ରାଚୀର ଛିଡ଼ା କରିବା ମାନେ ତମ ସହ ପ୍ରବଞ୍ଚନା କରିବା ମତେ କ୍ଷମା କର ।”

 

ବାପୀ ମଜୁମଦାରର ବିଚିତ୍ର ଅଭିବ୍ୟକ୍ତିରେ ଶମ୍ପା ରାଗି ପାରି ନଥିଲା । କିମ୍ବା ଘୃଣା ମଧ୍ୟ କରି ନଥିଲା । ନିଜର ସ୍ଵେଚ୍ଛାଚାରୀ ମନ ଉପରେ ନିଜେ ଅଭିମାନୀ ହୋଇଥିଲା ସେ । ନିଜ ବିବେକର ଜୀର୍ଣ୍ଣତା ବିରୁଦ୍ଧରେ ବୁଝିପାରି ନଥିଲା ଶମ୍ପା । ପ୍ରେମ ନାମକ ଏକ ଆବେଗମୟ ସମ୍ପର୍କର ଅସ୍ତିତ୍ୱ ଯେ ଏତେ ଭୟାବହ ହୋଇପାରେ ତା’ କେବେ ମଧ୍ୟ କଳ୍ପନା କରି ନଥିଲା । ଅନେକଗୁଡ଼ାଏ ଆଶଙ୍କା ଗ୍ରାସ କରିଥିଲା ତାକୁ I ନିଜ ଗର୍ଭକୋଷର ସତ୍ତାକୁ ସେ ଭୟ କରୁଥିଲା ପରିଚିତ ପରିବେଶ, ଦୈନନ୍ଦିନ ସମାଜ ତାକୁ କ’ଣ କ୍ଷମା ଦବ ! କିଏ ବୁଝିବ ରୂପହୀନା ଶମ୍ପାର ଅନାଘାତ କୁମାରୀ ଦେହଟା ଯୌବନର ମଧ୍ୟାହ୍ନରେ ବେଶ୍ କିଛି ନୂତନ ଗଣିତ ଆବିଷ୍କାର କରୁ କରୁ ହଠାତ୍ ଉନ୍ମାଦ ହୋଇଗଲା ବୋଲି । କିଏ ବୁଝିବ ରକ୍ତମାଂସର ଚିରନ୍ତନ ବିଳାପକୁ । କିଏ ମୂଲ୍ୟ ଦବ ଆତ୍ମବିଶ୍ଵାସର ଅବୈଧ ପ୍ରେମକୁ । ଏକ ଆତ୍ମିକ ଆକାଂକ୍ଷାକୁ ? କେବଳ ସମସ୍ତେ ହସିବେ ତା’ର ପରାଜିତ ଆତ୍ମାକୁ ଆଙ୍ଗୁଠି ଦେଖାଇ ।

 

ଝଡ଼ ଭଳି ଦୁରନ୍ତ ବାପୀ ମଜୁମଦାର ତତ୍ତ୍ୱ କଥା କହିଲେ ମଧ୍ୟ ଦାୟିତ୍ୱହୀନ ଅଭଦ୍ର ନୁହେଁ । ଶମ୍ପାକୁ ଦୋଷୀ କରି ଫେରାଇ ହେବାକୁ ସେ ଚାହିଁ ନଥିଲା । ପରାମର୍ଶ ଦେଇଥିଲା ନଷ୍ଟ କରିଦେବାପାଇଁ । କିନ୍ତୁ ଶମ୍ପା.....ନିଜର ପରମ ଆକାଂକ୍ଷିତ ସପଂଦକୁ ବିଲୁବ୍‍ଧ ପୃଥିବୀ ପାଇଁ ହତ୍ୟା କରିବାକୁ ଚାହିଁ ନଥିଲା । ଭୟଟା ଆସ୍ତେ ଆସ୍ତେ ରୂପାନ୍ତରିତ ହୋଇଥିଲା ଏକ ନିବିଡ଼ ଭଲପାଇବାରେ । ବାପୀ ମଜୁମଦାର ପରି ସୁନ୍ଦର ଏକ କ୍ଷୁଦ୍ର ଦେହ ତା’ ଗର୍ଭକୋଷରେ ଅପେକ୍ଷା କରିଛି-। ତାକୁ ମୁକ୍ତି ନ ଦେଇ ନଷ୍ଟ କରିଦେବ ! ତାକୁ ବଞ୍ଚିବାକୁ ହେବ । ହୁଏତ ଏଇ ବଞ୍ଚିବା ଭିତରେ ମରଣକୁ ବରଣ କରିବାକୁ ହେବ । ତଥାପି ତା’ର ନାରୀତ୍ୱ ଓ ଜନନୀତ୍ୱ ପାଇଁ ସେ ନିଶ୍ଚୟ ବଞ୍ଚିବ ।

 

କିନ୍ତୁ ଆଜି......ଏଇ ବର୍ଷାଭିଜା ଦିନଟାରେ ସମସ୍ତ ଶୋଚନା, ସମସ୍ତ ପରିକଳ୍ପନାକୁ ତୁଚ୍ଛ କରି ଶମ୍ପା ଚାହୁଁଛି ଆତ୍ମହତ୍ୟା କରିବାକୁ । ନିଜର ଈଷତ୍ ସ୍ଫିତ ଉଦର, ମେଘମେଦୁର ଆକାଶର ଅନ୍ଧକାର ଏବଂ ନିଜ ଚାରିପାଖର ଶୂନ୍ୟତା ହୁଏତ ଶମ୍ପାକୁ ଭୟ ଦେଖାଉଛି । ସମାଜ ପରିବେଶ, ପରିବାରର ଆତ୍ମସମ୍ମାନବୋଧ ତାଙ୍କୁ ପାଟି ମେଲେଇ ଗ୍ରାସ କରୁଛି ଯେମିତି । ଅଧ୍ୟାପିକା ଶମ୍ପା ମହାନ୍ତି ଭ୍ରଷ୍ଟା, ଚରିତ୍ରହୀନା, ଅବୈଧ ସନ୍ତାନର ଜନନୀ । ତା’ର ଶିକ୍ଷା, ସଂଭ୍ରମ ସବୁ ମିଛ । ଫମ୍ପା ବାହାନାରେ ତା’ର ନାରୀତ୍ୱ ଲାଞ୍ଛତା । ଅଦ୍‍ଭୂତ ଏକ ଚିନ୍ତା ତାକୁ ଆଚ୍ଛନ୍ନ କରି ଦେଉଛି । ପୃଥିବୀ, ଭଲମନ୍ଦ, ପାପପୁଣ୍ୟ । ସତ୍‌ଅସତ୍‌ର ଭାବନା ତାକୁ ମଥିତ କରୁଛି ହୁଏତ ଅନୁଶୋଚନା କିମ୍ବା ମ୍ଳାନବୋଧ ତାକୁ ବିବ୍ରତ କରୁଛି । ଏଇ ଦୁଇଦିନ ତଳେ ପେପର୍‌ରେ ପଢ଼ିଥିଲା ଶମ୍ପା–‘‘ଅବାଞ୍ଛିତ ମାତୃତ୍ୱ ଏଡ଼ାଇବା ପାଇଁ ସପ୍ତଦଶା ଏକ ତରୁଣୀର ଆତ୍ମହତ୍ୟା’’ ତା’ ମାନେ...‘ଶମ୍ପାର ରକ୍ଷଣଶୀଳ ମନଟା ତେବେ ଦୟାଲାଭ କରିବ !

 

ବାହାରେ ହିମ ପ୍ରବାହ । ଏକ ଭୟାର୍ତ୍ତ ନିର୍ଜନତା । ରାସ୍ତାପାଖର ସେଇ କୃଷ୍ଣଚୂଡ଼ା ଗଛଟାକୁ ଈଷତ୍ ଅନ୍ଧକାରରେ ମଧ୍ୟ ସ୍ପଷ୍ଟ ଦେଖିପାରୁଛି ଶମ୍ପା–କାଠୁରିଆର କୁରାଢ଼ୀ ଚୋଟ ଖାଇବା ପରେ ମଧ୍ୟ ଏଇ କିଛିଦିନ ଭିତରେ କଟା ଜାଗାରେ ଦୁଇ ଚାରିଟା ପତ୍ର କଅଁଳିଲାଣି । ହୁଏତ ଆଉ କେଇଦିନ ଭିତରେ ଗଛଟା ପୁଣି ପଲ୍ଲବିତ ହୋଇ ଉଠିବ । ହେଲେ ଶମ୍ପା….ନ ପାଇବାର ଯୂପକାଷ୍ଠ ଭିତରେ ମଥିତ ହୋଇ ହୋଇ ଶେଷରେ ଏକ ଅଚିହ୍ନା ପ୍ରାନ୍ତରରେ ପହଞ୍ଚି ଯାଇଛି । ସେଠି ପ୍ରାପ୍ତି ଅଛି । ଆକାଶ ଅନେକ ବିସ୍ତୃତ । ଦିଗନ୍ତ ବିସ୍ତୃତ ସବୁଜ ପ୍ରାନ୍ତର । ଅଥଚ ଆକାଶରେ ପ୍ରଚଣ୍ଡ ଖରାର ତାତି‌ । ପ୍ରାନ୍ତରରେ ଶୂନ୍ୟତାର ତୃଷ୍ଣା, କୌଣସିଠାରେ ହେଲେ ବର୍ଷାର ସୂଚନାନାହିଁ । କୃଷ୍ଣଚୂଡ଼ା ଗଛ ସହିତ ନିଜକୁ ଗୋଟିଏ ନିକିତିରେ ଓଜନ କଲା ଶମ୍ପା । କୌଣସି ଅସାମଞ୍ଜସ୍ୟ ନାହିଁ-। କାଠୁରିଆର ପ୍ରଚଣ୍ଡ ନିର୍ମମ ଆଘାତ ପରେବି ସେଠି ପତ୍ର କଅଁଳିଛି । ବଞ୍ଚିବାର ନୂତନ ସ୍ଵାଦରେ କୃଷ୍ଣଚୂଡ଼ାର ପ୍ରତିଟି ଖଣ୍ଡିତ ଶାଖା ମୁଖର । ଅଥଚ ଶମ୍ପା...ନିଜର ଚରମ ପ୍ରାପ୍ତିକୁ ଅବମାନନା କରି ସାଧୁ ସାଜିବ ! ଯେଉଁ ପ୍ରାପ୍ତିର ଆଶାରେ ଅବଚେତନ ମନର ପ୍ରତିଟି ଇଲାକାରେ ସେ ଅନ୍ଧ ପରି ଘୂରି ବୁଲୁଥିଲା, ସେଇ ଅମୂଲ୍ୟ ରତ୍ନ ପାଇସାରିଲାପରେ ସେ ତାକୁ ପାଦରେ ଠେଲିଦେବ ! ନା–ପୃଥିବୀର କୌଣସି ନିୟମ ପ୍ରତି, କୌଣସି ଶୃଙ୍ଖଳା ପ୍ରତି ତା’ର ଏତେଟିକେ ହେଲେ ଶ୍ରଦ୍ଧାନାହିଁ । ମମତା ନାହିଁ । ତେଣୁ ଶମ୍ପାକୁ ତୃଷ୍ଣା ଓ କ୍ଳାନ୍ତି ଭିତରେ ହିଁ ବଞ୍ଚିବାକୁ ହେବ । ଛୋଟ ଏକ ସ୍ଵପ୍ନର ଦେହ-ସୁଖ ତା’ର ପରିଣତ ହୋଇଛି ଦେହାତୀତ ଅସୁଖରେ-। ପ୍ରଚଣ୍ଡ କାମନା ରୂପାନ୍ତରିତ ହୋଇ ଯାଇଛି ବିଳାପ ଓ ବେଦନାରେ । ସେ ନିଃସଙ୍ଗ କିନ୍ତୁ ଅସହାୟ ନୁହେଁ । ବିବେକର ତାଡ଼ନାରେ ଅହରହ ଜର୍ଜରିତ ହୋଇପାରେ । କ୍ଷତବିକ୍ଷତ ହୋଇପାରେ କିନ୍ତୁ ଏକ ମଲା ଜୀବନକୁ ବଞ୍ଚେଇ ରଖିବାକୁ ତାକୁ ସଚେଷ୍ଟ ହେବାକୁ ପଡ଼ିବ । ନିଜର ଜ୍ଞାନ ଚେତନା ସହିତ‌ ତାକୁ ସନ୍ଧି କରିବାକୁ ହେବ । ଜୀବନର କାରାଗାରରେ ସେ ବନ୍ଦୀ । ତା’ର ପଳାୟନର ପଥ ରୁଦ୍ଧ, ତଥାପି ତା’ରି ଭିତରେ ତାକୁ ପଥ ଖୋଜିବାକୁ ପଡ଼ିବ ।

 

ଏଇ ବର୍ଷା ଆରମ୍ଭ ହେବାର ଠିକ୍ ପୂର୍ବରୁ ବାପୀ ଆସିଥିଲା ଶମ୍ପାର ଗହଳ କେଶର ଅରଣ୍ୟ ଭିତରେ ମୁହଁ ଲୁଚେଇ ଅପରାଧୀ ପରି କହିଥିଲା, “ମୁଁ ଆଜି ଏ ସହର ଛାଡ଼ି ଚାଲିଯାଉଛି ଶମ୍ପା, ମୋର ଟ୍ରାନ୍‍ସଫର ହୋଇଯାଇଛି । କିନ୍ତୁ ତମକୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଭୁଲିପାରୁନି କିମ୍ବା ପାରିବିନି ମଧ୍ୟ । ଶମ୍ପା ବାପୀ ମଜୁମଦାରକୁ ଦୂରକୁ ଠେଲିଦେଇ ପ୍ରଚଣ୍ଡ ଘୃଣା କିମ୍ବା ଅଭିମାନରେ ହତାଦର କରି ନଥିଲା ବରଂ ଏକ ଶୀତଳ ମମତା ତା’ର ଅସ୍ତିତ୍ୱକୁ ପୂର୍ଣ୍ଣ ଭାବରେ ଗ୍ରାସ କରିଥିଲା । ତା’ର ଗଭୀର ଆଖିରେ ଆଖି ମିଳେଇ ଅନେକ ସମୟ ଧରି ଲୁହ ଝରାଇଥିଲା ଶମ୍ପା । କଣ୍ଠରେ ତା’ର ଅନେକ ମେଘର କୋହ ଜମି ଯାଇଥିଲା । କାରଣ ବାପୀର ଏକ ଛୋଟ ସଂସ୍କରଣ ସେ ଦେହରେ ଧରିଛି । ଏବେ ହୁଏତ ବାପୀ ମଜୁମଦାର ଏ ସହର ଛାଡ଼ି ଚାଲିଯିବା ପାଇଁ ପ୍ରସ୍ତୁତ ହେଉଥିବ ।

 

ସେମିତି ତକିଆରେ ମୁଣ୍ଡରଖି ବାହାରକୁ ଚାହିଁଲା ଶମ୍ପା । ଆକାଶ ଏବେ ନିଜକୁ ଆସ୍ତେ ଆସ୍ତେ ପରିଷ୍କାର କରୁଛି । ସାମାନ୍ୟ ଖରାର ଆଭାସ । ଗୋଟିଏ ସୁନ୍ଦର ଆକାଂକ୍ଷିତ ଗୋଧୂଳି । ପରିଷ୍କାର ସ୍ଲେଟରେ ଏକ ସୁନ୍ଦର ଚିତ୍ର ଭଳି‌ । କେମିତି ଏକ ପବିତ୍ର ବେଦନାରେ ସ୍ନିଗ୍‌ଧ ହୋଇ ଆସୁଥିଲା ଶମ୍ପାର ମନ । ମେଘ ମେଦୁର ଆକାଶ କିମ୍ବା ମୃତ୍ୟୁମୁଖୀ ଦିନର ଯନ୍ତ୍ରଣାର ଚିତ୍କାର ସେ ଶୁଣି ପାରୁନି । ଦେହ ଭିତରେ ଅନ୍ୟ ଏକ ବିକଶିତ ଆତ୍ମାର ଆଲୋଡ଼ନ ।

 

ବିରାଟ ଏକ ଆଦର୍ଶର ସ୍ୱପ୍ନକୁ ଜାବୁଡ଼ି ଧରି ଓଡ଼ିଆରେ ମୁହଁ ଗୁଞ୍ଜିଲା ଶମ୍ପା । ସେଠି ବାପୀ ମଜୁମଦାର ଦେହର ସୁପରିଚିତ ଗନ୍ଧ ଗର୍ଭକୋଷରେ ବାପୀର ରକ୍ତକଣିକା ତୀବ୍ର ଭାବରେ ଆଲୋଡ଼ିତ । ଶୋକହୀନ ଆନନ୍ଦମୟ ଏକ ଶୂନ୍ୟତାର ଆଲୋକ ଭିତରେ ହଜିଯାଉଥିଲା ଶମ୍ପା–ଆକାଶ ଅନେକ ପରିଷ୍କାର ହୋଇଗଲାଣି ହୁଏତ । ଆଖିବୁଜି ସେ ଦେଖୁଥିଲା କେତେଗୁଡ଼ିଏ ବିକ୍ଷୁବ୍‍ଧ ଢେଉରେ ସେ ଭାସି ଚାଲିଛି । ବହୁ ଚେଷ୍ଟା କରି ମଧ୍ୟ ଢେଉସବୁ ତାକୁ ବୁଡ଼େଇ ଦେଇ ପାରୁନାହାନ୍ତି ।

 

କେମିତି ଏକ ବିଚିତ୍ର ଅନୁଭୂତିରେ ଆଖିରେ ତା’ର ଲୁହ କଣ୍ଟି ଆସୁଥିଲା । କଣ୍ଠରେ ଏକ ବିଚିତ୍ର ଆବେଗର କୋହ ଧୀରେ ଧୀରେ ଅଦ୍‍ଭୂତ ଭାବରେ ଜମାଟ ବାନ୍ଧି ଆସୁଥିଲା । ସହଜରେ ଏହା ଶେଷ ହେବାର ନୁହେଁ । ଏଇ ପ୍ରଥମ...ଏଇ ପ୍ରଥମ ଶମ୍ପା ଅନୁଭବ କଲା ସେ ଧନ୍ୟ । ସେ ଧନ୍ୟ, ସେ ଧନ୍ୟ !

Image

 

ଅପ୍ରେମିକ

 

ଫିଆଟ୍‌ର ଉତ୍ତେଜିତ ଗହ୍ୱର ଭିତରେ ବସି ମାଳିନୀ ଭାବୁଥିଲା ଭୁବନେଶ୍ୱର ଏରୋଡ଼୍ରମ କଥା–ଗୋଟିଏ ମସ୍ତବଡ଼ ପକ୍ଷୀପରି ପ୍ଲେନଟା ଛିଡ଼ା ହୋଇଥିବ । ବେଶି ଭିଡ଼ ମଧ୍ୟ ହୋଇ ନଥିବ । ସେ ନିଶ୍ଚୟ ଖୋଜିପାଇଯିବ ଅଭିଜିତ୍‌କୁ ।

 

ଅଥଚ...ସେଦିନ ସେଇ ନିର୍ଜନ ମୁହୂର୍ତ୍ତରେ କଥାଟାର ନିଷ୍ପତ୍ତି ହୋଇପାରିଲାନାହିଁ । ଏଇ ପଅରଦିନ ପର୍ଯ୍ୟନ୍ତ କଥାଟାକୁ ଲୁଚେଇ ରଖିଥିଲା ଅଭିଜିତ୍ । କାଠଯୋଡ଼ିର ପରିଚ୍ଛନ୍ନ ଆକାଶର ମ୍ଳାନ ଗୋଧୂଳି ଆଲୁଅକୁ ଚାହିଁ କରୁଣା କଲାପରି କହିଥିଲା, ‘‘ମୁଁ ନିୟୁୟର୍କ ଯାଉଛି ମାଳିନୀ, ଗୋଟିଏ ଇଞ୍ଜିନିୟରିଂ କୋମ୍ପାନୀରେ ଆପଏଣ୍ଟ୍‍ମେଣ୍ଟ୍ ପାଇ ଯାଇଛି । ଭୁବନେଶ୍ୱରରୁ ପାଲାମ ଏବଂ ତା’ପରେ ନିୟୁୟର୍କ ।”

 

ମାଳିନୀ ଚମକି ନ ପଡ଼ିଲେ ମଧ୍ୟ ସ୍ତବ୍‍ଧ ହୋଇଯାଇଥିଲା । ହଠାତ୍ ଯେମିତି ଆଶା କରି ନଥିଲା ସେ ।

 

ଏଇ ଆଜି ମଧ୍ୟ ଅଧଘଣ୍ଟା ଆଗରୁ ମାଳିନୀ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରି ନଥିଲା । କିନ୍ତୁ ଆଶ୍ଚର୍ଯ୍ୟ...ଏଇ ଅଧଘଣ୍ଟା ଭିତରେ ନିଜକୁ ନିଜର ଭାବନାକୁ ଏକତ୍ରିତ କରି ମାଳିନୀ ରାଜା ସାମନ୍ତର ଫିଆଟରେ ବସି ଚାଲିଛି ଅଭିଜିତ୍ ପାଖକୁ ।

 

ମାଳିନୀ ଧୀରେ ଧୀରେ ଅଧୈର୍ଯ୍ୟ ହୋଇପଡ଼ୁଥିଲା । ଏଗାରଟାରେ ପ୍ଲେନ୍ ଛାଡ଼ିବ । ବର୍ତ୍ତମାନ ଦିନ ଦଶ । ଏଇ ଘଣ୍ଟାଏ ଭିତରେ ସେ ନିଶ୍ଚୟ ପହଞ୍ଚିଯିବ ଅଭିଜିତ୍ ପାଖରେ । ରାଜା ସାମନ୍ତର ପାର୍ଶ୍ୱବର୍ତ୍ତିନୀ ହୋଇ ସେ ଅନୁଭବ କଲା ନିଜର ଛୋଟ ଲେଦର ବକ୍‍ସ । ମୋଟେ ଦୁଇସେଟ୍ ଶାଢ଼ୀ । ଆଉ କିଛି ପ୍ରୟୋଜନୀୟ ପଦାର୍ଥ । ଯଥେଷ୍ଟ । ଅନ୍ୟସବୁ ସେଠି କିଣି ନେଇ ହେବ । ଏତେ ବ୍ୟସ୍ତତା ଭିତରେ ଗୋଟିଏ କଥା ଭୁଲିଯାଇଛି ମାଳିନୀ । ତା’ର ପ୍ରିୟ ଭାଗବତ ଗୀତାଟା ଆଣିବାକୁ । ବାପାଙ୍କର ଉପହାର । ତା’ ଜନ୍ମ ଦିନରେ । ହେଃ, ନହେଲା ନାହିଁ । ଗୋଟିଏ ସମ୍ଭାବନାର ଆଶାରେ ନିଜକୁ ଖୁବ୍‌ ହାଲୁକା ମନେହେଉଛି ତା’ର ।

 

ହେଲେ ବଡ଼ ସମସ୍ୟା ଅଭିଜିତ୍‌କୁ ନେଇ । ଅଦ୍‍ଭୂତ ଏକ ଚରିତ୍ର ସେ ! ହୁଏତ ମାଳିନୀକୁ ନିୟୁୟର୍କ ପଥର ସାଥୀ କରିବାକୁ ରାଜି ହୋଇ ନପାରେ ସେ । ଚିରଦିନ ବେଶୀ ଟିକେ ନିରାପତ୍ତାରେ ବିଶ୍ୱାସୀ ଅଭିଜିତ୍ । ଏଇନା ହୁଏତ କାହାକୁ । ଏହା ତା’ପାଇଁ ସ୍ୱାଭାବିକ । ମନେ ମନେ କଳ୍ପନା କରୁଥିଲା ମାଳିନୀ । ଦୃଶ୍ୟଟା ଏମିତି ବି ହୋଇପାରେ । ପ୍ଲେନ ଛାଡ଼ିବାର ଅଳ୍ପ ସମୟ ଆଗରୁ ହୁଏତ ସେ ପହଞ୍ଚିଗଲା । ହାତରେ ଛୋଟ ଲେଦର ବକ୍‍ସ, ଏକ ଘରଛଡ଼ା ଅସ୍ତବ୍ୟସ୍ତ ରୂପ । ବିସ୍ମୟ ଆଉ ଅସ୍ୱସ୍ତିର ପାଚେରୀ ଡେଇଁ ଅଭିଜିତ୍ ଦୌଡ଼ି ଆସିବ ମାଳିନୀ ପାଖକୁ-। ମାଳିନୀ ଉତ୍ତେଜିତ ହୋଇ କହିବ, ‘‘ଦେଖନା ଅଭି, ସବୁ ଛାଡ଼ି ତମ ସାଙ୍ଗରେ ନିୟୁୟର୍କ ଯିବା ପାଇଁ ଚାଲି ଆସିଲି ।” ଅଭିଜିତ୍ ଅସମ୍ପୂର୍ଣ୍ଣ ବୃତ୍ତଟାକୁ ସମ୍ପୂର୍ଣ୍ଣ କରିବାକୁ ଯାଇ ମାଳିନୀର ହାତକୁ ଚାପି ଧରିବ ।

 

ଇସ୍‌ ନା...ଭୀଷଣ ଶସ୍ତା ହୋଇଗଲା କଳ୍ପନାର ଛବିଟା । ନା–ଏମିତିବି ହୋଇପାରେ । ମାଳିନୀ ଯଦି ସିନ୍ଦୂର ପିନ୍ଧି ଆସିଥାନ୍ତା, ଅଭି ନିଶ୍ଚିତ‌ ବୁଝିପାରନ୍ତା ସବୁ କଥା, ମାଳିନୀ ହାତରୁ ସୁଟ୍‌କେଶ ଛଡ଼େଇ ଦେଇ କହନ୍ତା–‘ମାନୀ, ତମର ଦାୟିତ୍ୱ ଆଜିଠାରୁ ମୋର ।’’ ମାଳିନୀର କଳ୍ପନା କୌଣସି କୂଳ କିନାରା ପାଉ ନଥିଲା । କିନ୍ତୁ ଅଭିଜିତ୍ କ’ଣ ମାଳିନୀର ଏଇ ବର୍ତ୍ତମାନର ଅବସ୍ଥାକୁ ଭଲଭାବରେ ଅନୁଭବ କରିପାରିବ ! ହୁଏତ ସେ ଭାବିବ ଏ ସବୁ ପୁରୁଣା କଥା, ପୁରୁଣା ଅଭ୍ୟାସ । କାରଣ ସେମାନଙ୍କର ପରିଚୟ ଦୀର୍ଘ ୫ ବର୍ଷର । ସେଇ ମାଳିନୀର ପ୍ରଥମ କଲେଜ ଦିନଠାରୁ । କିନ୍ତୁ ଗୋଟିଏ ତୀକ୍ଷ୍ଣ ଏକାଗ୍ର ତୀର ପରି ଏଇ ଛୁଟିଯିବା ଭିତରେ ମାଳିନୀ ହୃଦୟର ସମସ୍ତ ଅନୁଭବ ଓ ଚିନ୍ତା ଯେ ପରିସ୍ଫୁଟ ହେଉଛି ତାକୁ କ’ଣ ବିଶ୍ୱାସ କରିବ ଅଭିଜିତ୍ । ସେ ନିଶ୍ଚୟ ଆଶା ଛାଡ଼ି ଦେଇଥିବ–ମାଳିନୀ ଆସିଲାନି ।’’ ଦୁଇଟା ପାସପୋର୍ଟରୁ ଗୋଟିଏ କ୍ୟାନସେଲ୍ କରିଦେବା ପାଇଁ ଭାବୁଥିବ ।

 

ଭିନ୍ନ ଏକ ଶବ୍ଦରେ ନିଜ ଭିତରକୁ ଫେରିଆସିଲା ମାଳିନୀ । ହର୍ଣ୍ଣ ଦେଲା ରାଜା ସାମାନ୍ତ-। ତା’ର ବଳିଷ୍ଠ ସଫେଦ ହାତଟା ଷ୍ଟିୟରିଂ ଉପରେ ଘୂରି ବୁଲୁଛି । କ୍ରିମ ରଙ୍ଗର ଷ୍ଟ୍ରାଇପ୍ ବେଲ ଆଉ ହ୍ୱାଇଟ୍ ବେନିୟନ୍‌ରେ ରାଜାକୁ ଠିକ୍‌ ରାଜାପରି ଦିଶୁଛି । ରାଜାର ଡ୍ରାଇଭିଂ ଉପରେ ବିଶ୍ଵାସ ଅଛି ମାଳିନୀର । ଠିକ୍ ସମୟରେ ଭିଡ଼ କାଟି ସେ ପହଞ୍ଚେଇ ଦେବ । ଅଲ୍ ଇଣ୍ଡିଆ କାର୍ ରେସ୍‌ରେ ସେ ପ୍ରଥମ ହୋଇଥିଲା । ପୁଣି ଭାବନାରେ ମଜ୍ଜିଗଲା ମାଳିନୀ । ଅଭିଜିତ୍‌କୁ ନିଶ୍ଚୟ ପାଇଯିବ । ଛୋଟ ଘଣ୍ଟାକୁ ଚାହିଁଲା ସେ । ଶୀତ ଦିନର ସମୟ, ଦ୍ରୁତ ଆଗେଇ ଯାଉଛି । ହେ ଭଗବାନ୍ ! ଭୁବନେଶ୍ଵର ରାସ୍ତାଟା ଏତେ ଲମ୍ବା ହୋଇ ଯାଉଛି ଯେମିତି ତା’ର ଯଦି ଦୁଇଟା ପକ୍ଷୀ ଥାଆନ୍ତା ! ମନେ ହେଉଛି ସତରେ ଯେମିତି ସେ କାର୍‌ରୁ ବାହାରି ଉଡ଼ିଯିବ ! ଅଭିଜିତ୍ ଉପରେ ରାଗ ହେଲା ମାଳିନୀର । ଲୋକଟା ବି ଅଦ୍‍ଭୂତ ! ଏଇ ଦିନକ ଆଗରୁ ସବୁ କିଛି ଜଣେଇଲା । ମାଳିନୀ ଭଲକରି ଭାବିବାକୁ ମଧ୍ୟ ସମୟ ପାଇନି । ଅଭିଜିତ୍‌ର ଏ କ’ଣ ଅଗ୍ନି ପରୀକ୍ଷା ମାଳିନୀପାଇଁ !

 

ଝିରି ଝିରି ପବନ ଆଉ କାଠଯୋଡ଼ିର ଈଷତ୍ ନିର୍ଜନତା । ଗଭୀର ସୂର୍ଯ୍ୟାସ୍ତ ଭିତରେ ଶାଢ଼ୀ କାନିଟାକୁ ପିଠି ଉପରକୁ ଟାଣିନେଇ ମାଳିନୀ କହିଥିଲା, ‘ଅଭି, ଦିନକୁ ଦିନ ତମର ସ୍ଵାସ୍ଥ୍ୟ ଖରାପ ହୋଇଯାଉଛି ।” ନୀରବରେ ସିଗାରେଟ୍‌ ଟାଣୁଥିବା ଅଭିଜିତ୍ ଅନେକ ସମୟ ଧରି ଚାହିଁଥିଲା ମାଳିନୀକୁ । ହସିଥିଲା ତା’ପରେ ‘‘ପ୍ରେମ କେବେ ପ୍ରେମିକର ଓଜନ ବଢ଼ାଏ ନାହିଁ ମାନୀ, ହୁଏତ ଝିଅମାନେ ପ୍ରେମ ବିବାହ ଏସବୁ ସମ୍ପର୍କରେ ଆସିଲେ ସୁନ୍ଦର ହୋଇଯାଆନ୍ତି । ପୁରୁଷ ପୁଅର ଦିହରେ ମାଂସ ଲାଗେ ରୋଜଗାର କଲେ । ତା’ଛଡ଼ା ତମେ ତ ଜାଣିଛ ଇଞ୍ଜିନିୟରିଂ ପାଶକରି ଦୁଇବର୍ଷ ହେବ ମୁଁ ବେକାର । ବାପାଙ୍କର ଆଶା ଅନୁରୂପ ସଂପତ୍ତି ନାହିଁ ବୋଲି ବ୍ୟାଙ୍କରୁ ଲୋନ୍ ପାଇଲିନି । ତେଣୁ ବର୍ଷେ ହେବ ମାଂସ ଖିଆ ଛାଡ଼ି ଦେଇଛି । ବାପାଙ୍କର ବଡ଼ ପୁଅ । ତାଙ୍କର ସୀମିତ ପଇସାରେ ବାବୁଆନି କରିବାକୁ ଭୀଷଣ ଲଜ୍ଜା ଲାଗୁଛି । ନିଜର ସିଗାରେଟ୍ ଖର୍ଚ୍ଚପାଇଁ ବହୁ କଷ୍ଟରେ ପଇସା ରୋଜଗାର କରିବାକୁ ହୁଏ । ଏମିତି ପରିସ୍ଥିତିରେ ସ୍ୱାସ୍ଥ୍ୟ ଭଲ ରହିବ ଭାବୁଚ ।” ମାଳିନୀ ଚୁପ୍ ରହିଥିଲା । ଲୋକଟା କି ନିଷ୍ଠୁର । ମାଳିନୀର ସେଣ୍ଟିମେଣ୍ଟ୍ ବୁଝିପାରୁନି । କିନ୍ତୁ ତା’ପରେ......ତା’ପରେ ସେଇ ଅଭାବନୀୟ ପରିସ୍ଥିତି ‘‘ମୁଁ ନିୟୁୟର୍କ ଯାଉଛି ମାନୀ । ଦୁଇଟା ପାସପୋର୍ଟ ଯୋଗାଡ଼ କରିସାରିଛି । ତମର ମତ କ’ଣ ।’’

 

ସ୍ତବ୍‍ଧ ହୋଇଯାଇଥିଲା ମାଳିନୀ । ଅଭିଜିତ୍ ସେମିତି କହି ଚାଲିଥିଲା ‘‘ଇଞ୍ଜିନିୟରିଂ କମ୍ପାନୀ । କାଲକାଟାରେ ଇଣ୍ଟରଭିଉ ହୋଇଥିଲା । ଭଗବାନଙ୍କ ମେହେରବାନୀରୁ ମତେ ମିଳିଯାଇଛି । କୋମ୍ପାନୀ ଆପାର୍ଟମେଣ୍ଟ । ସବୁପ୍ରକାର ସୁବିଧା, ଆଜି ପଚିଶି । ଏଇ ସତେଇଶିରେ ମୁଁ ଭୁବନେଶ୍ୱରରୁ ଫ୍ଲାଇ କରିବି । ତମେ ରାଜି ତ !”
 

“ଏତେ ଶୀଘ୍ର ?” ବିସ୍ମୟରେ ପଚାରିଥିଲା ମାଳିନୀ । ଆଉ ଠିକ୍ ଦେଖିଥିଲା ସେଇ ଛୋଟିଆ ପ୍ରଶ୍ନଟିରେ ଧୂସର ହୋଇ ଯାଉଥିଲା ଅଭିଜିତ୍‌ର ଆଶାଦୀପ୍ତ ମୁହଁଟା । ଗୋଧୂଳି ଯାଇ ସନ୍ଧ୍ୟା ଘନେଇ ଆସିଥିଲା । ଅନେକ ସମୟ ଚୁପ୍ ରହିବା ପରେ ମାଳିନୀ ପଚାରିଥିଲା, ‘‘ରାଗିଲ ଅଭି...” ମାଳିନୀର ଗୋଟିଏ ବାହୁକୁ ଧରି ଉଠେଇ ଦେଉଦେଉ ଅଭିଜିତ୍ କହିଲା, ‘‘ରାଗିବାର କୌଣସି କାରଣ ନାହିଁ ମାନୀ । ପାଞ୍ଚବର୍ଷର ଭଲପାଇବା ହୁଏତ ପ୍ରେମ ନ ହୋଇପାରେ । ଜୀବନ ତ କେବେ ଅପେକ୍ଷା କରି ବସି ରହେନା । ନିରନ୍ତର ବାଧାକୁ ଅତିକ୍ରମ କରି କାହିଁ କେତେଦୂର ତା’ର ଗତି ଆଉ ପ୍ରକୃତି । ପ୍ରତିଟି ପଦକ୍ଷେପରେ ଅଜଣା ବିସ୍ମୟ । ଦୁଃଖ, କଷ୍ଟ, ଯନ୍ତ୍ରଣା, ଏମିତିକି ସୁଖ ମଧ୍ୟ ତା’ର ସାଥୀ ନୁହଁନ୍ତି । ସେ ସବୁକୁ ମାନିନେଇ ଜୀବନ ଆଗେଇ ଯାଏ । କାହାରିକୁ ସେ ହତାଦର କରିପାରେନା । ତେଣୁ ମାନୀ, ରାଗିବାର ଆଉ ଅବକାଶ କାହିଁ ? ମୋର ଭଲପାଇବା ହୁଏତ ତମର ଭଲପାଇବା ହୋଇ ନ ପାରେ ।”

 

ମାଳିନୀ ପୁଣି ଭାବନାକୁ ଫେରି ଆସିଲା । ଗତ କେଇ ମିନିଟ୍ ଭିତରେ ଗାଡ଼ିଟା ଜମା ଆଗେଇ ପାରିନି । ମାଳିନୀ ଭୀଷଣ ଅସ୍ଥିର ହୋଇ ପଡ଼ୁଥିଲା । ରାଗ ହେଉଥିଲା ରାଜା ଉପରେ । ବାପାଙ୍କର ମନୋନୀତ ପାତ୍ର ମସ୍ତବଡ଼ ‘ବିଜିନେସ ମେନ୍’ ବୋଲି କ’ଣ ଏତେ ଗର୍ବ । ନା–ହୁଏତ ସେ ମାଳିନୀର ବ୍ୟସ୍ତତା ବୁଝିପାରୁଛି । ହଠାତ୍ ଗାଡ଼ିଟା ଅଟକିଲା କାହିଁକି ? ଓଃ......ଆଗରେ ଗୋଟିଏ ଶୋଭାଯାତ୍ରା । ଛାତ୍ର ଏକତା ଜିନ୍ଦାବାଦ୍ ସ୍ଲୋଗାନ ଡାହାଣ ପଟେ ଦୁଇଟା ଆମ୍ବାସାଡ଼ର । ଟ୍ୟାକ୍‍ସି, ଲରି, ରିକ୍‍ସା । ବାଁ ପାଖେ ଏକ ରିକ୍‍ସାରେ କୌଣସି ଏକ ଲଟେରୀର ବିଜ୍ଞାପନ ଚାଲିଛି-। ପୋଷ୍ଟର୍‍ରେ ଏକ ଲୁଙ୍ଗି ପିନ୍ଧା ଝିଅର ଚିତ୍ର । ଜଣେ ନାମୀ ଚିତ୍ରତାରକା । ମାଳିନୀ କିନ୍ତୁ କିଛି ଭାବି ପାରୁନଥିଲା । ଶୁଖି ଯାଉଥିବା ଓଠଟାକୁ ଜିଭ ବଢ଼େଇ ଚାଟିନେଲା ମାଳିନୀ । ଅଭିଜିତ୍ ଅପେକ୍ଷା କରିଥିବ ନିଶ୍ଚୟ । ଓଃ ! ରାଜା ଷ୍ଟାର୍ଟ ଦେଉନାହିଁ କାହିଁକି ? ଏ ଭିଡ଼, ଏ ଗହଳି ତ କମିବନି-। ହେଲେ ତାକୁ ତ ପହଞ୍ଚିବାକୁ ହେବ ଠିକ୍ ସମୟରେ । ଇଚ୍ଛା ହେଉଛି ରାଜାକୁ ଚଟକଣା ଲଗେଇବାକୁ । ଲୋକଟି କେଡ଼େ ନିଷ୍ଠୁର । ସେ କ’ଣ ବୁଝିପାରୁନି ମାଳିନୀ ଧୈର୍ଯ୍ୟହୀନା ।

 

ଡାହାଣ ପଟେ ଆମ୍ବାସାଡ଼ରରେ ବସିଥିବା ପଞ୍ଜାବୀ ଯୁବକ ଜଣକ ଆଖି ଟିପିଲା ମାଳିନୀକୁ । କିନ୍ତୁ ମାଳିନୀର କୌଣସି ପ୍ରତିକ୍ରିୟା ନାହିଁ । ଆଖି ସାମନାରେ ନାଚୁଛି ଅଭିଜିତ୍‍ର ଧୂସର ମୁହଁ । “ଛାତ୍ର ଏକତା ଜିନ୍ଦାବାଦ୍” । ଓଃ ଅସହ୍ୟ । ସମାଜବାଦର କି ଦୁରନ୍ତ ନିଦର୍ଶନ । ଶୋଭାଯାତ୍ରା ଆଗେଇ ଆସୁଛି । ବର୍ଷେ ତଳେ P.G. କରୁଥିଲା ବେଳେ ମାଳିନୀ ଏମିତି ଶୋଭାଯାତ୍ରାରେ ବାହାରୁଥିଲା । ସଭାରେ ଭାଷଣ ଦେଉଥିଲା । ନିଜକୁ ନେତ୍ରୀ ଭାବି ଗର୍ବ କରୁଥିଲା । ଆଉ ଏଇଥିପାଇଁ ଅଭିଜିତ୍ ଅନେକଥର ଥଟ୍ଟା କରିଛି , ‘‘ମାନୀ ! ବଡ଼ ଲୋକର ଝିଅ, ଘନନୀଳ ନାଇଲନ୍ ଜର୍ଜେଟ ପିନ୍ଧି ଅଣ୍ଟାରେ କାନି ଗୁଡ଼େଇ ଯଦି ନେତ୍ରୀ ହେବାପାଇଁ ବାହାରେ । ତେବେ ତା’ର ଦାବୀ ନିଶ୍ଚୟ ପୂରଣ ହେବ ।” ମାଳିନୀ ସେ କଥାରେ ହସୁଥିଲା । ତମେ କେମିତି ଜାଣିବ ଅଭି ଏଥିରେ କେତେ ଆନନ୍ଦ, କେତେ ରୋମାଞ୍ଚ ଅଛି । ତମେ ତ ଚିରଦିନ ଜଣଙ୍କର ବାଧ୍ୟ ସନ୍ତାନ ।”

 

ସେକେଣ୍ଡ୍‍ କଣ୍ଟାଟା ଅନେକ ଦ୍ରୁତ ଗତିରେ ଆଗେଇ ଯାଉଛି । ‘‘ହେ ଭଗବାନ ଅଭିକୁ ମୁଁ ମନରେ, ପ୍ରାଣରେ ପୂରାପୂରି ଚାହେଁ । ମୋର ସାମାନ୍ୟ ଭୁଲ୍‍ପାଇଁ ସେ ଆଜି ଅନେକ ଦୂରକୁ ଚାଲିଯାଉଛି । ଦୁଇବର୍ଷ ବେକାର ରହିବାପରେ ଚାକିରି ପାଇବାର ଅହେତୁକ ଆନନ୍ଦରେ ସେ ଆତ୍ମହରା । ପ୍ରେମିକା ମାଳିନୀ ସେ ତୁଳନାରେ ନିହାତି ନଗଣ୍ୟ । ତାକୁ ଅଟକେଇ ଦିଅ ଭଗବାନ । ମୁଁ ମାଳିନୀ, ତା’ପାଇଁ ତୀର ଭଳି ଛୁଟିଯାଉଛି ।”

 

ଛାତ୍ରଛାତ୍ରୀମାନେ ଛକର ଠିକ୍ ରାସ୍ତା ଉପରେ ସଭା କରିବାକୁ ଆରମ୍ଭ କଲେଣି । ଜଣେ ଝିଅ ହାତ ହଲେଇ କ’ଣ ଭାଷଣ ଦେଉଛି । ଆଃ–ବେଦମ୍ ରାଗ ହେଉଥିଲା ମାଳିନୀର । କେହି କ’ଣ ବୁଝି ପାରୁନାହାନ୍ତି ମାଳିନୀ ଅଭିଜିତ୍ ପାଖକୁ ଯାଉଛି ! ଯେଉଁ ଅଭିଜିତ୍ ଆଜି, ଆଉ କେତେ ସମୟ ପରେ ସବୁଦିନ ପାଇଁ ବିଦେଶ ଚାଲିଯିବ । କେହି କ’ଣ ଜାଣି ପାରୁ ନାହାନ୍ତି ମାଳିନୀ ବୋଲି ଝିଅଟି ଅନେକ ସମ୍ଭାବନା ନେଇ ତା’ ପ୍ରେମିକ ପାଖକୁ ଯାଉଛି । ଏମାନେ ଏଡ଼େ ନିଷ୍ଠୁର ! ହେ ଭଗବାନ ! ସେକେଣ୍ଡ୍ କଣ୍ଟା ଆହୁରି ଦ୍ରୁତ ହେଉଛି ।

 

ସାରା କଟକ ଯେମିତି ତା’ର ସମସ୍ତ ବିଡ଼ମ୍ବନା, ବିଶୃଙ୍ଖଳା ଦେଇ ଅତି ଅତର୍କିତ ଭାବରେ ମାଳିନୀର ଛାତିରେ ଆଶ୍ରୟ ନେଇଛି । ମାଳିନୀ ଅନୁଭବ କରୁଛି ତା’ର ନିଜ ଛାତିରେ । ହୃତ୍‌ପିଣ୍ଡରେ ଟ୍ୟାକ୍‍ସି, କାର୍ ଓ ଲରିର ବହମାନ ଶବ୍ଦ । ନା–ଫେରିଯିବାକୁ ଆସିନି ମାଳିନୀ । ସେ ନିଶ୍ଚୟ ଯିବ । ଅଭି ତା’ର ଅତି ଆପଣାର । ପୋଲିସମାନେ ସଭା ଚାରିପଟେ ଘେରିଗଲେଣି । ଗାଡ଼ିସବୁ ପାଖକୁ ପାଖ ଲାଗି ଆସୁଛି । କ୍ଳିୟର ହେଉ ହେଉ ଅନେକ ସମୟ ଲାଗିବ । ରାଜାର ହାତକୁ ଚାପି ଧରିଲା ମାଳିନୀ–‘‘ଯେମିତି ହେଲେ ଯିବାକୁ ହେବ-।”

 

“ଦେଖନ୍ତୁ, ମିସ୍ ସାମନ୍ତରାୟ ! ଆପଣ ହୁଏତ ଆପଣଙ୍କ ବାନ୍ଧବୀକୁ ଏଆର୍‍ପୋର୍ଟରେ ମିଟ୍ କରିପାରିବେ ନାହିଁ । ଦେଖୁନାହାନ୍ତି ରାସ୍ତାର କି ଅବସ୍ଥା । ଦୁଇଦିନ ଧରି କ’ଣ ଗୋଟାଏ ଷ୍ଟ୍ରାଇକ୍ ଚାଲିଛି । ଆଜି ତା’ର ବିରାଟ ପ୍ରସ୍ତୁତି । ପୋଲିସ ଚେଷ୍ଟା କରୁଛି ।’’ ରାଜା ସାମନ୍ତ ଉଦାସ କଣ୍ଠରେ କହିଲା ।

 

ହଠାତ୍ କିଏ ଜଣେ ଲାଉଡ଼ସ୍ପିକରରେ କହିଲା, ‘ଦୟାକରି ଆପଣମାନେ ନିଜ ନିଜର ଯାନବାହନରେ ସ୍ଥିର ହୋଇ ବସିରହନ୍ତୁ । ଆଉ ଘଣ୍ଟାଏ ଭିତରେ ଟ୍ରାଫିକ୍ ଠିକ୍ ହୋଇଯିବ । ପ୍ଲିଜ-।”

 

ମାଳିନୀର ଚେତନା ଲୋପ ହୋଇ ଆସୁଥିଲା । ପ୍ରଖର ଉତ୍ତେଜନା ତା’ର ସମସ୍ତ ଚେତନାକୁ ନିଥର, ଶୀତଳ କରି ଦେଉଥିଲା । ଏଇ ଦୀର୍ଘ ସମୟ ଭିତରେ ଗହଳି ଆହୁରି ବଢ଼ିଛି । ଗାଡ଼ିସବୁ ପାଖକୁ ପାଖ ଲାଗି ଆସୁଛନ୍ତି । ବିଭିନ୍ନ ଏବଂ ବହୁମୁଖୀ ଶବ୍ଦର ଚିତ୍କାର ଭିତରେ ମାଳିନୀର ମୁଣ୍ଡ ଶୂନ୍ୟ ହୋଇ ଯାଉଥିଲା । ମାଳିନୀର ମନେ ହେଉଥିଲା ସାରା ପୃଥିବୀରେ ଯେମିତି ଗୋଟିଏ ଶବ୍ଦ । ପ୍ଲେନ ଛାଡ଼ିବାର କରୁଣ ହୃଦୟ ବିଦାରକ ଶବ୍ଦ । କାରଣ ଅଭି ଚାଲିଯାଉଛି ସବୁଦିନ ପାଇଁ । ଇସ୍ ଅଭି ଏଇ ଦୁଇଦିନ ଭିତରେ ମାଳିନୀ ସହିତ ଥରେ ହେଲେ ଦେଖାକରିନି ।

 

ମାଳିନୀର ଆଖିପତା ବୁଜି ଆସୁଥିଲା ଧୀରେ ଧୀରେ । ସେ ଯେମିତି ଶୋଇପଡ଼ିଛି । ଅଥଚ ତା’ର ପ୍ରିୟ ଅଭି ଚାଲିଯାଉଛି । ଥରଟିଏ ପାଇଁ ଡାକିବାକୁ ଚେଷ୍ଟାକଲା ମାଳିନୀ–‘‘ଅଭି, ମୁଁ ଯାଉଛି । ତମେ ରୁହ । ନିଷ୍ଠୁର ହୁଅନା–ସେ ମୋ ମନର କଥା ନୁହେଁ । ମତେ କ୍ଷମାକର । ଅଭି...ଅଭି ...ଇଉ ଷ୍ଟୁପିଡ଼...

Image

 

ଈଶ୍ୱରୀ

 

ଈଶ୍ଵରୀ କିନ୍ତୁ ମନେ ମନେ ଖୁବ୍‌ ଆନନ୍ଦ ଅନୁଭବ କଲା । ଗର୍ଭକୋଷରେ ଏକ ନୂଆ ଯନ୍ତ୍ରଣା ସତ୍ତ୍ୱେବି । ଏଆର୍‍ପୋର୍ଟର ନରମ ସୋଫାଟାରେ ତଦୁପରି ନିଜର ନରମ ଦେହଟାକୁ ଟିକେ ଲୁଜ୍ କରିନେଲା ଈଶ୍ଵରୀ । ଯେହେତୁ ଏଇ ଯନ୍ତ୍ରଣା ମଧ୍ୟ ନରମ ଲାଗୁଛି ତାକୁ ।

 

ଆଉ ଅଳ୍ପ ସମୟ ପରେ କାଉଣ୍ଟରରେ ଏଆର୍ ବେଗ୍‌ଟାକୁ ଜମାଦେଇ ଜନ୍ ଆସି ପହଞ୍ଚିଯିବ ଏବଂ ପୁଣିଥରେ ବୁଝେଇବାକୁ ଚାହିଁବ, ‘ତମେ ଭୁଲ୍ କରୁଛ ଈସ୍‍ ସୋରୀ, ଭାରତ ତମ ଦେଶ ନୁହେଁ । ଆମେରିକା ତମର ପିତୃଭୂମି । ଭାରତରେ ତମକୁ କେହି ଗ୍ରହଣ କରିବେ ନାହିଁ । ତମେ ସେଠି ନିଃସଙ୍ଗ ହୋଇ ରହିଯିବ । ମୋ କଥା ମାନ, ଆମେରିକା ତ୍ୟାଗ କରନା ।’’ ମନେ ମନେ ହସିଲା ଈଶ୍ଵରୀ । ଜନ୍ ତା’ର ଶୁଭାର୍ଥୀ । ତା’ପରି ଜଣେ ସିନିୟର ରିସର୍ଚ୍ଚ ଆସିଷ୍ଟାଣ୍ଟ । ଖୁବ୍ ଅଳ୍ପଦିନ ହେଲା ସେମାନଙ୍କର ବନ୍ଧୁତ୍ୱ । ତଥାପି ଜନ୍ ଈଶ୍ଵରୀକୁ ଏକ ଭିନ୍ନ ଆଖିରେ ଦେଖେ ।

 

ନିଜର ଫ୍ଲାଇଟ୍ ନମ୍ବର ଆଉ ପାସ୍‍ପୋର୍ଟ କାଢ଼ି ଭଲକରି ଦେଖିନେଲା ଈଶ୍ୱରୀ । ବିକି ପଟ୍ଟନାୟକ କହେ, ‘ଭାରତବର୍ଷ ଗୋଟିଏ ମହାନ୍ ଦେଶ । ବିସ୍ତୃତ ତା’ର ହୃଦୟ । ସେଠି ଧର୍ମନାହିଁ, ଜାତିନାହିଁ, ଭାଷାନାହିଁ । ସମସ୍ତେ ଏକ । ସାମ୍ୟ ମୈତ୍ରୀର ଏକ ସୁମହାନ୍‍ ପୀଠସ୍ଥଳୀ । ଭାରତ କାହାକୁ ହତାଦର କରେନା । ସମସ୍ତଙ୍କୁ ତା’ର ବିରାଟ ବକ୍ଷରେ ସ୍ଥାନ ଦିଏ ।” ଈଶ୍ଵରୀ ମନେ ମନେ କଳ୍ପନା କରିବାପାଇଁ ଚେଷ୍ଟାକଲା, ଦୂରରେ ବହୁ ଦୂରରେ ପାହାଡ଼, ପର୍ବତ, ନଦୀ, ସମୁଦ୍ର ମହାସମୁଦ୍ର ଆରପାରିରେ ଅଛି ସେଇ ଦେଶ, ନାଁ ଭାରତବର୍ଷ ! ସେଠି ବିକି ପଟ୍ଟନାୟକ ଅଛି । ଗର୍ଭକୋଷରେ କଳେବର ବୃଦ୍ଧି କରୁଥିବା ସନ୍ତାନର ଜନକ ବିକି । ‘ମାଇଁ ଡିଅର୍’ । ପାସ୍‍ପୋର୍ଟଟାକୁ ଆବେଗରେ ଓଠରେ ଛୁଆଁଇ ଦେଲା ଈଶ୍ୱରୀ । ଦେଖିଲା, ଜନ୍ ଆସୁଛି ଲମ୍ବା ଲମ୍ବା ପାହୁଣ୍ଡ ପକେଇ । ଓ୍ୱାଶିଂଟନ୍ ଇଉନିଭର୍‍ସିଟିର ସିନିୟର ରିସର୍ଚ୍ଚ ଆସିଷ୍ଟାଣ୍ଟ ‘ଜନ୍ ଷ୍ଟୁଆର୍ଟ ।’ ତା’ର କଲିଗ୍ । ନିଜର ବଳିଷ୍ଠ ଦେହଟାକୁ ଈଶ୍ଵରୀର ନରମ ଦେହ ପାଖରେ କ୍ଳାନ୍ତ ଭାବରେ ବିଛାଡ଼ି ଦେଇ ଜନ୍ କହିଲା, ‘‘ମୁଁ ମାନୁଛି ସମର୍‍ରେ ଇଉନିଭର୍‍ସିଟିର କ୍ୟାମ୍ପସ ଖାଲି । ତମେ ଛୁଟି କଟେଇବା ପାଇଁ ଇଣ୍ଡିଆ ଯାଉଛ । କିନ୍ତୁ ସତରେ କ’ଣ ତମେ ଆଉ ଆମେରିକା ଫେରିବନି ?’’ ଜନ୍‌ର ନୀଳ ଆଖିର ତାରାରେ ଅନେକ ଆଗ୍ରହ, କାମନା, ଅନୁନୟ । ଈଶ୍ଵରୀକୁ ନିଜର କରିବାର ସବୁ ପ୍ରକାର ଉପାଦାନ ସେ ଆଖିରେ । ଜନ୍ ସଚ୍ଚୋଟ । ଆଉ ପାଞ୍ଚଟା ଆମେରିକୀୟ ଯୁବକଙ୍କ ପରି ସେ 'ଡେଟ୍' କରେନା ‘ଡାନ୍‌ସ କରେନା, ଖୁବ୍ କ୍ୱଚିତ୍ ମଦ୍ୟପାନ କରେ ଏବଂ ଈଶ୍ଵରୀର ଏକନିଷ୍ଠ ପ୍ରେମିକ । ତଥାପି ଈଶ୍ଵରୀର ଆଖି ଆଗରେ ଭାସି ଉଠିଲା, କହରା କେଶ, ଈଷତ୍ କଳା ଆଖି ଆଉ ଶ୍ୟାମଳବର୍ଣ୍ଣର ସେଇ ଦୀର୍ଘ ମୂର୍ତ୍ତିଟା । ବିକି ପଟ୍ଟନାୟକ ।

 

ନା–ଈଶ୍ଵରୀ ତାକୁ ଏଇ ମୁହୂର୍ତ୍ତରେ ଦେଖିବାର ପ୍ରତ୍ୟାଶା କରୁନି ଏବଂ ଜନ୍‌ର ସରଳ ନିଷ୍ପାପ ଦୃଷ୍ଟିର ଉତ୍ତାପ କ୍ରମଶଃ କରୁଣ ହେଉଛି । କିନ୍ତୁ ଈଶ୍ଵରୀ ଜନ୍‌କୁ ବନ୍ଧୁଭାବେ । ସାରାଜୀବନର ସାଥୀ ନୁହେଁ । ହଠାତ୍ ଈଶ୍ୱରୀ ଚମକି ଉଠିଲା, ଜନ୍ ମଧ୍ୟ । ପ୍ଲେନ୍‌କୁ ଯିବାପାଇଁ ଡାକରା ହେଉଛି, ‘‘ଆଟେନସନ୍ ପ୍ଲିଜ୍ ।” ମିନି ସ୍କଟ୍‌ଟା ଝାଡ଼ିଦେଇ ଈଶ୍ଵରୀ ଉଠି ପଡ଼ିଲା । ଯେମିତି ଜନ୍‌ର ଉପସ୍ଥିତି ସେ ଜାଣିପାରୁନି । ଜନ୍ ଈଶ୍ଵରୀର ବାହୁ ଚାପିଧରି ପୁଣିଥରେ କହିଲା, ‘‘ଇସ୍ ଓ ସରି ପ୍ଲିଜ...” ଏକ ସୁଦୀର୍ଘ ଚୁମ୍ବନ ଈଶ୍ଵରୀର କପାଳରେ । ଈଶ୍ଵରୀ ନିଃଶବ୍ଦରେ ହସିଲା l ଜନ୍‌ର ଆଖି ଓଦା । ଈଶ୍ଵରୀ କିନ୍ତୁ ନିର୍ବିକାର । ବିମାନ ସିଢ଼ି ଆଡ଼କୁ ଆଗେଇ ଯାଉ ଯାଉ ହଠାତ୍ ତା’ର ହୃଦୟ ଥରି ଉଠିଲା । ହୁଏତ ଶୈଶବର ଆମେରିକାକୁ ସବୁଦିନ ପାଇଁ ଛାଡ଼ି ଚାଲିଯାଉଛି ବୋଲି । ସିଢ଼ିରେ ଉପରକୁ ଉଠୁ ଉଠୁ ଦେଖିଲା, ବାଲ୍‍କୋନିରେ ଛିଡ଼ା ହୋଇ ଜନ୍ ରୁମାଲ ହଲଉଛି । ଉଦାସ କରୁଣ ଭଙ୍ଗୀ । ଦୂରରୁ ମଧ୍ୟ ତା’ ଗାଲରେ ଲୁହର ଦାଗ ସ୍ପଷ୍ଟ ଦେଖାଯାଉଛି । ଜନ୍‍ପାଇଁ ଦୁଃଖ ଲାଗିଲା ତାକୁ । ବିଚାରା ! ନ ଜାଣି ସେ ମରୁରେ ଓଏସିସର ସନ୍ଧାନ କରୁଥିଲା । ନିଜର ମନକୁ ଏକ ପ୍ରଚଣ୍ଡ ଧମକ ଦେଇ ସେ ଭିତରକୁ ଚାଲିଗଲା । ଝରକା ପାଖରେ ତା’ର ଆସନ । ବୋଇଂ ୩୦୩ । ଶତାଧିକ ଯାତ୍ରୀଙ୍କୁ ଗର୍ଭରେ ଧରି ରନ୍‌‌ୱେରେ ଷ୍ଟାଟିଂ ଆରମ୍ଭ କରିଛି । କିନ୍ତୁ ଭିତରେ କୌଣସି ଶବ୍ଦନାହିଁ । ଝର୍କା ଦେଇ ବାହାରକୁ ଚାହିଁଲା ଈଶ୍ଵରୀ । ବାଲ୍‍କୋନୀରେ ଲୋକମାନେ ଅସ୍ପଷ୍ଟ ହୋଇ ଆସିଲେଣି । କିନ୍ତୁ ଜନ୍‌କୁ ଠିକ୍ ଦେଖିପାରୁଛି ଈଶ୍ଵରୀ । କିନ୍ତୁ ଜନ୍ ତାକୁ ଦେଖିପାରୁନି । ସେଥିପାଇଁ ହୁଏତ ଏମିତି ଶୂନ୍ୟ ଦୃଷ୍ଟିରେ, ତୀବ୍ର ଭାବରେ...ଗର୍ଜନ କରି ଉପରକୁ ଉଠୁଥିବା ବୋଇଂ ୩୦୩କୁ ଚାହିଁ ରହିଛି ସେ ।

Image

 

ଅପ୍ରେମିକ

 

ଫିଆଟ୍‌ର ଉତ୍ତେଜିତ ଗହ୍ୱର ଭିତରେ ବସି ମାଳିନୀ ଭାବୁଥିଲା ଭୁବନେଶ୍ୱର ଏରୋଡ଼୍ରମ କଥା–ଗୋଟିଏ ମସ୍ତବଡ଼ ପକ୍ଷୀପରି ପ୍ଲେନ୍‍ଟା ଛିଡ଼ା ହୋଇଥିବ । ବେଶି ଭିଡ଼ ମଧ୍ୟ ହୋଇ ନଥିବ । ସେ ନିଶ୍ଚୟ ଖୋଜି ପାଇଯିବ ଅଭିଜିତ୍‌କୁ ।

 

ଅଥଚ...ସେଦିନ ସେଇ ନିର୍ଜନ ମୁହୂର୍ତ୍ତରେ କଥାଟାର ନିଷ୍ପତ୍ତି ହୋଇପାରିଲା ନାହିଁ । ଏଇ ପଅରଦିନ ପର୍ଯ୍ୟନ୍ତ କଥାଟାକୁ ଲୁଚେଇ ରଖିଥିଲା ଅଭିଜିତ୍ । କାଠଯୋଡ଼ିର ପରିଚ୍ଛନ୍ନ ଆକାଶର ମ୍ଳାନ ଗୋଧୂଳି ଆଲୁଅକୁ ଚାହିଁ କରୁଣା କଲାପରି କହିଥିଲା, ‘‘ମୁଁ ନିୟୁୟର୍କ ଯାଉଛି ମାଳିନୀ, ଗୋଟିଏ ଇଞ୍ଜିନିୟରିଂ କୋମ୍ପାନୀରେ ଆପଏଣ୍ଟ୍‍ମେଣ୍ଟ୍ ପାଇ ଯାଇଛି । ଭୁବନେଶ୍ୱରରୁ ପାଲାମ ଏବଂ ତା’ପରେ ନିୟୁୟର୍କ ।”

 

ମାଳିନୀ ଚମକି ନ ପଡ଼ିଲେ ମଧ୍ୟ ସ୍ତବ୍‍ଧ ହୋଇଯାଇଥିଲା । ହଠାତ୍ ଯେମିତି ଆଶା କରି ନଥିଲା ସେ ।

 

ଏଇ ଆଜି ମଧ୍ୟ ଅଧଘଣ୍ଟା ଆଗରୁ ମାଳିନୀ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରି ନଥିଲା । କିନ୍ତୁ ଆଶ୍ଚର୍ଯ୍ୟ...ଏଇ ଅଧଘଣ୍ଟା ଭିତରେ ନିଜକୁ ନିଜର ଭାବନାକୁ ଏକତ୍ରିତ କରି ମାଳିନୀ ରାଜା ସାମନ୍ତର ଫିଆଟରେ ବସି ଚାଲିଛି ଅଭିଜିତ୍ ପାଖକୁ ।

 

ମାଳିନୀ ଧୀରେ ଧୀରେ ଅଧୈର୍ଯ୍ୟ ହୋଇପଡ଼ୁଥିଲା । ଏଗାରଟାରେ ପ୍ଲେନ୍ ଛାଡ଼ିବ । ବର୍ତ୍ତମାନ ଦିନ ଦଶ । ଏଇ ଘଣ୍ଟାଏ ଭିତରେ ସେ ନିଶ୍ଚୟ ପହଞ୍ଚିଯିବ ଅଭିଜିତ୍ ପାଖରେ । ରାଜା ସାମନ୍ତର ପାର୍ଶ୍ୱବର୍ତ୍ତିନୀ ହୋଇ ସେ ଅନୁଭବ କଲା ନିଜର ଛୋଟ ଲେଦର ବକ୍‍ସ । ମୋଟେ ଦୁଇସେଟ୍ ଶାଢ଼ୀ । ଆଉକିଛି ପ୍ରୟୋଜନୀୟ ପଦାର୍ଥ । ଯଥେଷ୍ଟ । ଅନ୍ୟସବୁ ସେଠି କିଣି ନେଇ ହେବ । ଏତେ ବ୍ୟସ୍ତତା ଭିତରେ ଗୋଟିଏ କଥା ଭୁଲିଯାଇଛି ମାଳିନୀ । ତା’ର ପ୍ରିୟ ଭଗବତ୍‍ ଗୀତାଟା ଆଣିବାକୁ । ବାପାଙ୍କର ଉପହାର । ତା’ ଜନ୍ମ ଦିନରେ । ହେଃ, ନହେଲା ନାହିଁ । ଗୋଟିଏ ସମ୍ଭାବନାର ଆଶାରେ ନିଜକୁ ଖୁବ୍‌ ହାଲୁକା ମନେ ହେଉଛି ତା’ର ।

 

ଜାପାନୀ ଭଦ୍ରଲୋକ ଜଣକ ନିବିଷ୍ଟ ଚିତ୍ତରେ ‘‘ଡିସ୍‍କଭରି ଅଫ୍ ଇଣ୍ଡିଆ’ ପଢ଼ି ଚାଲିଛନ୍ତି-। କିନ୍ତୁ ଈଶ୍ଵରୀ ସ୍ଵଚକ୍ଷୁରେ ଭାରତ ଦେଖିବ । ଆଲ୍‍ବାନୀ ଗିର୍ଜାର ଫାଦର ଗୋମେଜ୍ କହନ୍ତି, “ଈସ୍‍ ସୋରୀ, ଭାରତ ହେଉଛି ଅନେକ ସାଧ୍ୟ ସାଧନାର ଦେଶ । ସେଠି ନଦୀ ହେଉଛି ମାତା । ପର୍ବତ ହେଉଛି ପିତା । ସେଠି ଦୁଃଖନାହିଁ । ଶୋକନାହିଁ । କ୍ଷେତର ଫସଲ, ନଦୀର ଜଳ ଆଉ ଆକାଶର ଛାଇ ଭାରତୀୟ ମାନଙ୍କର ଅତି ପ୍ରିୟ । ଈସ୍‍ ସୋରୀ, ତମେ ସେଇ ଦେଶର କନ୍ୟା । ତମର ପିତାମାତା କିଏ ମୁଁ ଜାଣେନା । ଭାରତ ଭ୍ରମଣରେ ଥିବା ସମୟରେ ଓଡ଼ିଶାର ଏକ କ୍ଷୁଦ୍ର ପଲ୍ଲୀରୁ ତମକୁ ମୁଁ ଗୋଟେଇ ଆଣିଛି । ତମେ ପ୍ରକୃତରେ ଆମେରିକାନ୍ ନୁହଁ ଈଶ୍ଵରୀ ।

 

ଈଶ୍ଵରୀର ଅଭିଭୂତ ଆଖି ଦୁଇଟା ଗୋମେଜ୍‌ଙ୍କର କଥାରେ ଆହୁରି ବଡ଼ ହୋଇଯାଏ । ସେ ଭାରତୀୟ । ଭାରତର କେଉଁ ଏକ ପଲ୍ଲୀ ଓଡ଼ିଶାରେ ତା’ର ଜନ୍ମ । ଅଥଚ ତା’ର ପିତା ମାତା କିଏ ଫାଦର ଜାଣି ନାହାନ୍ତି । ଜ୍ଞାନ ହେବା ପରଠୁ ଈଶ୍ଵରୀ ଲକ୍ଷ୍ୟ କରି ଆସିଛି ଫାଦରଙ୍କ ଶୋଇବା ଘର କାନ୍ଥରେ ଏକ ରମଣୀର ଛବି । ସୁନ୍ଦର, ସୁଢ଼ଳ, ସୁଶ୍ରୀ, ଭାରତୀୟ ନାରୀମାନଙ୍କ ପରି ପୋଷାକ । ଅନେକ ସମୟରେ ଫାଦର ନିଃଶବ୍ଦରେ ସେଠି ଘଣ୍ଟା ଘଣ୍ଟା ଧରି ଛିଡ଼ାହୋଇ ରହନ୍ତି । ଈଶ୍ଵରୀ ବହୁଥର ପଚାରିବ ବୋଲି ଚେଷ୍ଟା କରିଛି, କିନ୍ତୁ ଗୋମେଜ୍ ଗଭୀରତାର ଉହାଡ଼ରେ ରହି ତାକୁ ସେ ସୁଯୋଗ ଦେଇ ନାହାନ୍ତି । ବିକି ପଟ୍ଟନାୟକ ଏ କଥା ଶୁଣି ବହୁ ସମୟ ଚୁପ୍ ରହିଥିଲା । ତା’ପରେ ଏକ ନୂଆ ଆବିଷ୍କାରର ସଫଳତାରେ ବିଭୋର ହୋଇ କହିଥିଲା, ‘‘ଈଶ୍ଵରୀ, ତମର ପିତା ନିଶ୍ଚୟ ଏଇ ଗୋମେଜ୍ ଆଉ ସେଇ ଭାରତୀୟ ରମଣୀ ଜଣକ ତମର ଜନ୍ମଦାତ୍ରୀ ।” ଏକ ଅବୁଝା ଛାତ୍ରୀ ଅଙ୍କ ପଢ଼ିଲାପରି ଈଶ୍ଵରୀ ଚାହିଁ ରହେ । ଆଉ ବିକି କ୍ଳାସରେ ପାଠପଢ଼େଇଲା ପରି କହେ । ମୁଁ ପ୍ରଥମରୁ ଅନୁଭବ କରିଛି ତମ ଭିତରେ ଏକ ତୀବ୍ର ମିଶ୍ରଣର ଗନ୍ଧ । ଇଣ୍ଡୋ-ମାର୍କିନ ସମ୍ପର୍କର ଏକ ଚଳମାନ ମନୁମେଣ୍ଟ ତମେ । ତମର ଏଇ ସୁନେଲୀ କେଶ, ଗାଢ଼ ନୀଳ ଆଖି, ଈଷତ୍ ନରମ ଦେହ ଆଉ ଡାହାଣ ଗାଲର ଏଇ କଳାଜାଇ–ସବୁ ହେଉଛି ମିଶ୍ରଣର ସୌନ୍ଦର୍ଯ୍ୟରେ ଭରପୂର । ଈଶ୍ୱରୀ କିଛି କହେନା । ବିକିର ମୁଗ୍‍ଧ ଚାହାଣି ପାଖରେ ସେ ଭୁଲିଯାଏ ତା’ର ଜନ୍ମ, ତା’ର ସ୍ଥିତି, ତା’ର ପରିସ୍ଥିତି । ସେ ନିଜକୁ କେବଳ ବିକିର ଭଲପାଇବା ପାଖରେ ସମର୍ପଣ କରେ ।

 

ଆଟେନ୍‌ଟିଭ ହେଲା ଈଶ୍ଵରୀ । ମାଇକ୍‌ରେ ତଥାପି ଘୋଷଣା ଚାଲିଛି ‘‘ଯେହେତୁ ଆମେ ଅନେକ ସମୟ ଧରି ମହାସମୁଦ୍ର ଉପର ଦେଇ ଉଡ଼ିଯିବା । ସେଇହେତୁ ଆନ୍ତର୍ଜାତିକ ନିରାପତ୍ତା ଅନୁଯାୟୀ ଲାଇଫ୍ ଜାକେଟ୍ ଓ ଆକାଶଛତାର ପ୍ରୟୋଜନ ରହିଛି । ବିସ୍ତାରିତ ବିବରଣୀ ପାଇଁ ଆପଣମାନଙ୍କ ସମ୍ମୁଖରେ ଥିବା ‘ବିପଦ ଏବଂ ନିରାପତ୍ତା’ ନାମକ ବହିରେ ପାଇପାରିବେ ।’’ ଈଶ୍ଵରୀ ହସିଲା । ନିଜ ଅଣ୍ଟାରେ ସେଫ‌୍‍ଟି ବେଲ୍‌ଟ ବାନ୍ଧୁ ବାନ୍ଧୁ ସେ ଭାବୁଥିଲା, ବିକି କିନ୍ତୁ ମରିବାକୁ କେବେ ଭୟ କରେନା । ସେ କହେ, ‘ଯଦି ଜୀବନ ଅଛି, ତେବେ ମୃତ୍ୟୁ ତା’ର ପାଖେ ପାଖେ ରହିଛି । ଯେବେ ସୁଖ ଅଛି, ତେବେ ଦୁଃଖର ଆଭାସ ସେଇଠି । ଯଦି ପ୍ରାପ୍ତି ଅଛି, ତେବେ ହରେଇବାର ଭୟ ସେଇଠି ଅଧିକ । ମୃତ୍ୟୁପରି ଖାଣ୍ଟିସତ୍ ଦୁନିଆରେ ଆଉ କିଛିନାହିଁ ।” ଈଶ୍ଵରୀର ମନେ ପଡ଼ିଲା ବିକିକୁ ସେ ପ୍ରଥମେ ଦେଖିଥିଲା ‘ଗୋଲ୍‌ଡ଼େନ୍ ଉଡ଼୍‍ ଫରେଷ୍ଟ’ର ଏକ ପିକ୍‌ନିକ୍ ପାର୍ଟିରେ ଉଇକ୍ ଏଣ୍ଡ୍‍ରେ । ଷ୍ଟେରିଓ ସଙ୍ଗୀତର ତାଳେ ତାଳେ ସମସ୍ତେ ଯେତେବେଳେ ନାଚରେ ମଶଗୁଲ୍ ଥିଲେ ସେତେବେଳେ ଈଶ୍ଵରୀ ଲକ୍ଷ୍ୟ କରିଥିଲା କେତେଗୁଡ଼ିଏ ‘ରେଡ଼୍‍ ଉଡ଼୍‍’ ଗଛ ପାଖରେ ଛିଡ଼ା ହୋଇ ବିକି ଆକାଶକୁ ଚାହିଁଛି । ଈଶ୍ଵରୀ ଆଗେଇ ଯାଇଥିଲା । କାରଣ ତା’ ସହିତ ଡେଟିଂରେ ଆସିଥିବା ରବର୍ଟ ସେତେବେଳକୁ ଅନ୍ୟ ଏକ ଗାର୍ଲଫ୍ରେଣ୍ଡ ସହିତ ମଜ୍ଜିଯାଇଥିଲା । ବିକି ତଥାପି ଈଶ୍ଵରୀର ଉପସ୍ଥିତିକୁ ଅନୁଭବ କରିପାରୁ ନଥିଲା । ସେମିତି ଉଦାସ ଆଖି ମେଲି ସେ ଚାହିଁଥିଲା ଆକାଶକୁ । ଈଶ୍ଵରୀ ଧୀରେ ତା’ କାନ୍ଧରେ ହାତ ଥାପିଲା । ଆଉ ଚମକିପଡ଼ି ବିକି ଉଦାସ ଆଖିରେ ତାକୁ ବହୁ ସମୟ ଧରି ଚାହିଁଥିଲା । ତା’ପରେ...କେମିତି ଭାବରେ ସେମାନଙ୍କର ଆଳାପ ହୋଇଥିଲା ଈଶ୍ଵରୀର ଆଜି ଆଉ ମନେନାହିଁ । ସେମାନେ ମଧ୍ୟ ଷ୍ଟେରିଓ ସଙ୍ଗୀତର ତାଳେ ତାଳେ ନାଚ ଆରମ୍ଭ କରି ଦେଇଥିଲେ । ନଇଁପଡ଼ି ନିଜର ମୁଣ୍ଡକୁ କାନ୍ଧ ଉପରେ ନିବିଡ଼ ଭାବରେ ଥାପିଦେଇ ବିକି କହିଥିଲା, ‘‘ମୁଁ ଖୁବ୍ ଖୁସି ଆଉ କୃତଜ୍ଞ ମଧ୍ୟ । ମୋର ଏଇ ପ୍ରଥମ ଡେଟ୍ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ।”

 

ଈଶ୍ୱରୀ କହିଥିଲା, ‘ଡେଟ୍‌ର ଅନ୍ତରଙ୍ଗତା ଧୀରେ ଧୀରେ ବଢ଼େ ଏବଂ ଏହାର ଏକ ସୁନ୍ଦର ପରିଣତି ମଧ୍ୟ ଅଛି ।’’

 

ବିକି ହସନ୍ତ କଣ୍ଠରେ ଉତ୍ତର ଦେଇଥିଲା, ‘‘ମୋର ସେକଥା ଖୁବ୍ ମନେଅଛି । ମୁଁ ଆଶା କରେ, ମୁଁ ତମର କୌଣସି ଅସୁବିଧାର କାରଣ ହୋଇନି ତ–” ।

 

ଈଶ୍ଵରୀ ହସିଥିଲା–ମୁଁ କେବଳ ଏତିକି କହିପାରେ । ତମେ ଚୁମ୍ବନର ଅଧିକାର ପାଇ ସାରିଛ ଏବଂ ସେଇ ଅଧିକାର ବିକି ସେଇ ମୁହୂର୍ତ୍ତରେ ଉପଭୋଗ କରିଥିଲା । ଈଶ୍ଵରୀର କାନ ପାଖରେ ‘ଫିସ୍ ଫିସ୍ କଣ୍ଠରେ କହିଥିଲା, ‘‘ଇଉ ସେଣ୍ଟିମେଣ୍ଟାଲ୍ ଆମେରିକାନ୍, ଆଇ ଲଭ୍ ଇଉ ।”

 

ଏକ୍‌ସକ୍ୟୁଜ୍ ମି–ସୁଶ୍ରୀ ଏଆର ହୋଷ୍ଟେସର ମଧୁର କଣ୍ଠରେ ଫେରିଚାହିଁଲା ଈଶ୍ଵରୀ । ପାନୀୟ ପରିବେଷଣ କରୁଛି ସେ । ଈଶ୍ଵରୀକୁ ପଚାରୁଛି ‘‘କ୍ଷମା କରିବେ ମ୍ୟାଡ଼ାମ୍, ଆପଣଙ୍କର କିଛି ଦରକାର ?”

 

ଈଶ୍ୱରୀ ମନାକଲା ଏବଂ ମନେ ମନେ ବିରକ୍ତ ହେଲା ମଧ୍ୟ । ଭାବନା ତା’ର ଅଯଥାରେ ଚହଲି ଯାଉଛି । ପାଖ ଜାପାନୀ ଭଦ୍ରଲୋକ ମଧ୍ୟ ସେମିତି ଏକାଗ୍ର । ନିଜକୁ ନିର୍ଜନ କରିବା ଲାଗି ଈଶ୍ଵରୀ ଟୟଲେଟ୍ ଭିତରକୁ ଚାଲିଗଲା, ଭିତରୁ ଲକ୍ କରିଦେଲା । ପ୍ଲେନ୍‌ର ଏଇ ଗୋଟିଏ ଜାଗା ଯେଉଁଠି ନିର୍ଜନତା କିମ୍ବା ପ୍ରାଇଭେସି ଅଛି । ମୁହଁଟାକୁ ମିରର୍‍ରେ ଦେଖି ନେଉ ନେଉ, ଈଶ୍ଵରୀର ମନେପଡ଼ିଲା ବିକି ପ୍ରାୟ କହେ, ତମର ଏଇ ନାଁଟାକୁ ନେଇ ମୋର ଅନେକ ଗବେଷଣା । ତମର ନାଁ ହୋଇପାରିଥାନ୍ତା–ଲିଣ୍ଡା, ମାର୍ଗାରେଟ କିମ୍ବା ସାଣ୍ଡ୍ରା । କିନ୍ତୁ ତମେ ଈଶ୍ଵରୀ ! ଫାଦର ଗୋମେଜଙ୍କର ଈଶ୍ଵର ଓ ମାନବୀୟ ପ୍ରେମରୁ ତମର ଉତ୍ପତ୍ତି । ତେଣୁ ତମେ ଈଶ୍ୱରୀ । ଈଶ୍ଵରୀ ଏତେ ନିଗୂଢ଼ ତତ୍ତ୍ୱ ବୁଝି ନ ପାରିଲେ ମଧ୍ୟ ଏତିକି ବିଶ୍ୱାସ କରେ ଯେ ତା’ ନାଁରେ ଭାରତୀୟ ଗନ୍ଧ ଖୁବ୍‌ ବେଶି ରହିଛି । ତେଣୁ ନିଜକୁ ନିଜର ପରିଚିତ ବନ୍ଧୁ ମହଲରେ ଈଶ୍ଵରୀ ଭାରତୀୟ ବୋଲି କହେ । ବନ୍ଧୁମାନେ ପରିହାସରେ କଥାଟାର ଗୁରୁତ୍ଵ ବୁଝନ୍ତିନାହିଁ । କେବଳ ଜଣେ ଗୁରୁତ୍ଵ ଦେଇଥିଲା–ସେ ଜନ୍ । ହେଇପାରେ ଈଶ୍ଵରୀ ଅରଫାନିକ୍ ତଥାପି ତା’ର ଗୋଟିଏ ଦେଶ ଅଛି । ତା ନାଁ 'ଭାରତବର୍ଷ’ ।

 

ଅନେକଥର ଈଶ୍ଵରୀର ଅନୁରୋଧକ୍ରମେ ବିକି ପ୍ଲେନ୍ ପେପରରେ ଭାରତର ମାନଚିତ୍ର ଆଙ୍କୁ ଆଙ୍କୁ କହିଥିଲା, “ଈଶ୍ଵରୀ, ଭାରତର ଭୌଗୋଳିକ ମାନଚିତ୍ର ଆଙ୍କିବା ଖୁବ୍ ସହଜ କିନ୍ତୁ ତା’ର ଐତିହାସିକ ପ୍ରାଣକୁ ଚିହ୍ନିବା ଖୁବ୍ କଷ୍ଟ । ଭାରତର ଲୋକେ ଖୁବ୍ ଗରିବ, ଦୁଇଓଳି ପରିପୂର୍ଣ୍ଣ ଭୋଜନ ପାଆନ୍ତି ନାହିଁ ଅଥଚ ତମର ଏଇ ଆମେରିକାରେ ସାଧାରଣ ଚାଷୀଟିଏ ମଧ୍ୟ ଟେଲିଭିଜନ ସେଟ୍ ରଖେ । ତମେ କ’ଣ ପାରିବ ସେଇ ଗରିବ ଦେଶକୁ ଆପଣାର କରି ।” ବିକି କ୍ଳାସରେ ପଢ଼େଇଲା ପରି କହିଚାଲେ, ‘‘ଭାରତ ହୋଇପାରେ ଗରିବ ମାତ୍ର ତା’ର ମନୁଷ୍ୟତ୍ୱ ଏବେ ମଧ୍ୟ ରହିଛି । ଭାରତବର୍ଷର ପ୍ରାଣରେ ଯେଉଁଦିନ ସଭ୍ୟତାର ବହ୍ନି ଜଳିଉଠିବ ସେଦିନ ସେ ଜାଗି ଉଠିବ, ସାରା ବିଶ୍ୱକୁ ସେ ନୂତନ ଆଲୋକରେ ଉଦ୍‍ଭାସିତ କରି ତୋଳିବ ।”

 

ଈଶ୍ୱରୀ ଅଭିଭୂତ କଣ୍ଠରେ ପଚାରେ, ‘‘କୁହ ବିକି, ମୁଁ ବହିରେ ପଢ଼ିଛି ଭାରତରେ କୁଆଡ଼େ ତପୋବନ ଅଛି । ସେଠାରେ ଋଷି ଦମ୍ପତି ରହନ୍ତି । ସେମାନେ ଇନ୍ଦ୍ରିୟଜୟୀ, ସେଠି କେବଳ ରହିଛି ଆତ୍ମାର ଆକର୍ଷଣ, ଦେହ ସେଠି ଦେହାତୀତ” । ବିକି ନିର୍ଲିପ୍ତ ହସ ହସେ, ‘‘ଏଇ କେତେ ଦିନର ରହଣି ଭିତରେ ମୁଁ ଠିକ୍ ବୁଝିପାରିଛି ଈଶ୍ଵରୀ ସବୁପ୍ରକାର ନିରାପତ୍ତା ସତ୍ତ୍ୱେ କେବଳ ଆକ୍‌ସିଡ଼େଣ୍ଟ ଫଳରେ ଆମେରିକାରେ କେତେ ହଜାର ଶିଶୁ ଜନ୍ମଗ୍ରହଣ କରନ୍ତି ସେ ଖବର କେହି ରଖେନାହିଁ । ଏମିତି ପରିବେଶରେ ତମେ ପିଲାଦିନରୁ ବଢ଼ିଆସିଛ । ତାକୁ କେମିତି ବୁଝେଇବି ଦେହାତୀତର ନିଗୂଢ଼ ତତ୍ତ୍ଵ । ଋଷି ଦମ୍ପତିଙ୍କର ଏକନିଷ୍ଠ ସାଧନା ।”

 

ଈଶ୍ୱରୀର ଏକାକୀତ୍ୱରେ ହଠାତ୍ ପୁଣି ବାଧା ଆସିଲା । କ୍ୟାପ୍‌ଟେନଙ୍କର ନିର୍ଦ୍ଦେଶରେ ସାମନାରେ ଲାଲ ଅକ୍ଷର ଜଳିଉଠିଲା, ‘‘ରିଟର୍ଣ୍ଣ ଟୁ ସିଟ୍” । ଈଶ୍ଵରୀ ଫେରି ଆସିଲା । ଆଶ୍ଚର୍ଯ୍ୟ, ସେଇ ଜାପାନୀ ଉଦ୍ରଲୋକ ଠିକ୍ ସେଇ ପୁରୁଣା ଭଙ୍ଗୀରେ ‘ଡିସ୍‍କଭରି ଅଫ୍ ଇଣ୍ଡିଆ’ ପଢ଼ି ଚାଲିଛନ୍ତି । ଲୋକଟା କ’ଣ ଜଡ଼ ନା ଅଥର୍ବ !

 

ବିମାନ ପରିଚାରିକା ଘୋଷଣା କଲା, ‘‘ଆଉ କେତେ ମିନିଟ୍ ଭିତରେ ଆମେ ପ୍ରଶାନ୍ତ ମହାସାଗର ଉପର ଦେଇ ଉଡ଼ିଯିବା, ଦୟାକରି ଆପଣମାନେ ବେଲ୍‌ଟ୍ ବାନ୍ଧି ନିଅନ୍ତୁ । ବାହାରେ କ୍ଲାଇମେଟ୍ ଚେଞ୍ଜ ହେଉଛି, କୁହୁଡ଼ି ଓ ବର୍ଷା ।” ଈଶ୍ଵରୀ ବେଲ୍‌ଟ୍ ବାନ୍ଧି ନେଇ ଉଇଣ୍ଡୋ ଦେଇ ବାହାରକୁ ଚାହିଁଲା । ରାତିର ତାରାଭରା ଆକାଶଟା କୁହୁଡ଼ିରେ ମେଘୁଆ ଦିଶୁଛି । କେବଳ କେଇଟି ଅଳ୍ପ ତାରା ମୁହଁ ଦେଖାଉଛନ୍ତି । ପୃଥିବୀଟା କେତେ ଛୋଟ ମନେହେଉଛି । ଦୂରରୁ ଦିଶୁଛି ପ୍ରଶାନ୍ତ ମହାସାଗର । ସତେ ଯେମିତି ଗୋଟିଏ ଖୋଲା ନୀଳ ପଡ଼ିଆ ।

 

ବିକି ଭାରତ ଫେରିଯିବା ପରେ ଈଶ୍ଵରୀ ହତାଶ ହୋଇ ପଡ଼ିଥିଲା । ନିଜର ଅବସ୍ଥା ବିଷୟରେ ସେ ବିକିକୁ ଯିବାବେଳେ ବିସ୍ତାରିତ ଭାବରେ ଜଣେଇଥିଲା । ବିକି ମଧ୍ୟ କୌଣସି ପ୍ରତିବାଦ କରି ନଥିଲା । ବରଂ ଈଶ୍ଵରୀର କୋମଳ ହାତକୁ ନିଜର ଦୁଇ ହାତରେ ତୋଳିଧରି ଓଠ ପାଖକୁ ନେଇ କହିଥିଲା, ‘‘ବିବାହ ନାରୀ ଜୀବନର ଏକ ପରମ ଶ୍ରେଷ୍ଠ ପରିଣତି । ଏଇ ଦିନଟିପାଇଁ ଝିଅମାନେ କଣ୍ଢେଇ ଖେଳ ଦିନଠାରୁ ସ୍ଵପ୍ନ ଦେଖନ୍ତି । ଏହାର ପ୍ରସ୍ତୁତି ପାଇଁ କେବଳ ନାରୀର ଜନ୍ମ । ସେ ଭାରତୀୟ ହେଉ ବା ଆମେରିକାନ୍ ହେଉ । ତମେ ବିଶ୍ଵାସ କର ଈଶ୍ଵରୀ, ତମ ପାଖକୁ ମୁଁ ନିଶ୍ଚୟ ଫେରିଆସିବି । ତମର ଭଲପାଇବାର ବନ୍ଧନରେ ମୁଁ ଚିରଦିନ ବନ୍ଦୀ ଆଉ ଯଦି ନ ଆସିପାରେ ତେବେ ଏଇ ମୋର ଆଡ଼୍ରେସ୍‌ ନିଅ । ତମର ଦ୍ରାବୀନେଇ ତମେ ଭାରତ ଆସିବ ମୋର ବ୍ୟଗ୍ର ଦୁଇବାହୁ ମେଲି ମୁଁ ତମକୁ ନିଶ୍ଚୟ ଗ୍ରହଣ କରିବି ।”

 

କିନ୍ତୁ ଦୀର୍ଘ ଛ’ମାସ ବିତି ଯାଇଛି । ବିକି ଫେରିନାହିଁ । ସେଦିନ ଜନ୍ କହୁଥିଲା, ‘‘ବିକି କୁଆଡ଼େ ଜଣେ ସୁନ୍ଦରୀ ଭାରତୀୟାଙ୍କୁ ବିଭା ହୋଇ ସୁଖରେ ଅଛି । ଈଶ୍ଵରୀ ତା’ପାଇଁ ଭୁଲ୍, ମିଛ ହୋଇଯାଇଛି ।” ହେଲେ ବିକି...ଈଶ୍ଵରୀ ପାଖରେ ସେ ମଣିଷ ନୁହେଁ ପ୍ରେମର ଈଶ୍ଵର । ତା’ର ଦୁଇ ଈଷତ୍ କଳା ଆଖିରେ ପ୍ରବଞ୍ଚନାର ଛାୟା କେବେ ତ ସେ ଦେଖିନି ! ତା’ର ଦୀର୍ଘ ସୁଦୃଢ଼ ଚେହେରାରେ ସେ କେବେ ତ ମିଥ୍ୟାର ଗାରିମା ଦେଖିନି ! କିମ୍ବା ତା’ର ନିବିଡ଼ ଆନ୍ତରିକ ଦୈହିକ ସ୍ପର୍ଶରେ ମଧ୍ୟ ସେ ଅନୁଭବ କରିନାହିଁ ପାପର ଛୁଆଁ । ବରଂ ଆମେରିକା ପରି ଦେଶରେ ରହି ସେ ପ୍ରତିଟି ମୁହୂର୍ତ୍ତ କେବଳ ଈଶ୍ଵରୀ ପ୍ରତି ଏକାନ୍ତ ଅନୁଗତ ଓ ସତ୍‍ଭାବରେ କଟେଇଛି ଅନ୍ୟ ଭାରତୀୟମାନଙ୍କ ପରି ସେ ଗାର୍ଲଫ୍ରେଣ୍ଡ୍ ଚେଞ୍ଜ କରିନି । ହୁଏତ କୌଣସି ଅସୁବିଧାରୁ ସେ ରହିଯାଇଛି । ତେଣୁ ଈଶ୍ୱରୀ ତା’ ପାଖରେ ପହଞ୍ଚିବା ଏକାନ୍ତ ଭାବରେ ଉଚିତ୍ ।

 

ପାସ୍‍ପୋର୍ଟ ସହିତ ଭାଙ୍ଗ କରି ରଖିଥିବା ଭାରତର ମାନଚିତ୍ରଟାକୁ କାଢ଼ି ଦେଖିଲା ଈଶ୍ଵରୀ । ବିକି ସେଥିରେ ଗୋଟିଏ ଜାଗାରେ ଡଟ୍ ଚିହ୍ନ ଦେଇଛି । ଓଡ଼ିଶା–ସେଇଠି କେଉଁଠି ବିକି ରହେ । ଈଶ୍ଵରୀ ନିଶ୍ଚୟ ଖୋଜିବ ତାକୁ । ବିକି ତା’ର ଆପଣାର ପୁରୁଷ ଏବଂ ଭାରତ ତା’ର ମାତୃଭୂମି । ସେଠାରେ ଆଉ ସେ ଅରଫାନିଜ୍ ହୋଇ ରହିବନାହିଁ । ଆଃ...ଇଣ୍ଡିଆ ଆଇ ଲଭ୍....ଲଭ ବିକି...ମାଇଁ ଡିଅର୍....

 

ହଠାତ୍ ଏକ ବିକଟ କାନଫଟା ଶବ୍ଦରେ ଚମକି ପଡ଼ିଲା ଈଶ୍ଵରୀ ସତେ ଯେମିତି ଆକାଶଟା ଛିଡ଼ି ପଡ଼ିବ । ପ୍ଲେନ୍‌ର ସମସ୍ତ ଯାତ୍ରୀଙ୍କର ମୁହଁ ବିବର୍ଣ୍ଣ, ଭୟଭୀତ । କ୍ୟାପ୍‌ଟେନ୍‌ଙ୍କ ଚିତ୍କାର ଶୁଭୁଛି–‘‘ଘନ ଅନ୍ଧାର ଆଉ କୁହୁଡ଼ିରେ ଦିଗ ନିର୍ଣ୍ଣୟ କରି ନ ପାରି ଆମେ ଭୁଲ୍ ପଥରେ ଯାଇ ଗୋଟାଏ ପାହାଡ଼ ସହିତ ଧକ୍‌କା ଲଗେଇଛୁ । ପ୍ଲିଜ୍, ଆପଣମାନେ ଏମାରଜେନ୍‌ସି ଦରଜା ଦେଇ ଆକାଶଛତା ସାହାଯ୍ୟରେ ଡେଇଁ ପଡ଼ନ୍ତୁ ।” କିନ୍ତୁ କ୍ୟାପ୍‍ଟେନ୍‌ଙ୍କ କଥା ଶେଷ ହେବା ପୂର୍ବରୁ ଯାତ୍ରୀମାନଙ୍କର ଭୟ, ହତାଶ ଓ କରୁଣ ଚିତ୍କାରରେ ସାରା ଆକାଶ ଫାଟି ପଡ଼ିଲା ପରି ଲାଗିଲା । ହଠାତ୍ ସଂବିତ ଫେରିପାଇଲା ଈଶ୍ୱରୀ । ଆକସ୍ମିକ ଧକ୍‌କାରେ ତଳିପେଟରେ ତା’ର ଅସହ୍ୟ ଯନ୍ତ୍ରଣା । ତଥାପି ନିଜକୁ ଜୋର୍‍କରି ଛିଡ଼ା କରେଇଲା ସେ । କେଇଜଣ ଯାତ୍ରୀଙ୍କର ଧକ୍‌କାରେ ଏମାରଜେନ୍‌ସି ଦ୍ଵାର ଭାଙ୍ଗି ଯାଇଛି । ଆଉ ସେଇ ବାଟ ଦେଇ ଘନ ଅନ୍ଧକାର ଭିତରକୁ ନିଜକୁ ଉଜେଇଁ ଦଉଛନ୍ତି କେତେଗୁଡ଼ିଏ ଜୀବନପ୍ରେମୀ ମଣିଷ । ଈଶ୍ଵରୀ ଦେଖିଲା, ପାଖ ଜାପାନୀ ପ୍ରୌଢ଼ ଜଣକ ଆକସ୍ମିକ ଧକ୍‌କାରେ ଚେତନା ହରେଇଛନ୍ତି । କିନ୍ତୁ ଈଶ୍ଵରୀକୁ ବଞ୍ଚିବାକୁ ହେବ । ତା’ ନିଜ ସ୍ଵାର୍ଥ ପାଇଁ ନୁହେଁ, ବିକିର ସ୍ଵାର୍ଥ ପାଇଁ ମଧ୍ୟ । ବିକିର ବଂଶଧରକୁ ସେ ଗର୍ଭରେ ଧରିଛି, ଭାରତର ଆଉ ଏକ ଉଜ୍ଜ୍ୱଳ ଭବିଷ୍ୟତକୁ ସେ ବହନ କରିଛି । ତେଣୁ ସେ ନିଶ୍ଚୟ ବଞ୍ଚିବ । ସେ ନିଶ୍ଚୟ ଭାରତ ଦେଖିବ, ତା’ର ମାତୃଭୂମି ଭାରତ !

 

ଅଚେତନ ଜାପାନୀ ଭଦ୍ରଲୋକଙ୍କୁ ପାଦରେ ଠେଲିଦେଇ ଈଶ୍ଵରୀ ଏମାରଜେନ୍‌ସି ଦ୍ଵାର ଆଡ଼କୁ ଆଗେଇଗଲା । ହାତରେ ତା’ପାଇଁ ଉଦ୍ଦିଷ୍ଟ ଆକାଶଛତା । ପ୍ଲେନ୍ ଭିତରଯାକ ଧୂଆଁ । ଈଶ୍ଵରୀ କିଛି ଦେଖି ପାରୁନି । ତଥାପି ଅଣ୍ଡାଳି ଅଣ୍ଡାଳି ସେ ପହଞ୍ଚିଗଲା । ସମସ୍ତେ ପ୍ରାଣର ମମତାରେ ବ୍ୟାକୁଳ I କିନ୍ତୁ ଈଶ୍ୱରୀର ମମତା ଯେମିତି ସବୁଠାରୁ ବେଶି । ଈଶ୍ଵରୀର ଜୀବନ ଯେମିତି ଏ ପ୍ଲେନ୍‌ର ଶତାଧିକ ଯାତ୍ରୀଙ୍କ ଠାରୁ ମୂଲ୍ୟବାନ୍ । ଯାତ୍ରୀମାନଙ୍କର ଚିତ୍କାର ଆଉ ଆର୍ତ୍ତନାଦ ଭିତରେ ପ୍ଲେନ୍‌‌ଟା ନିମ୍ନଗାମୀ ହେଉଛି । କେଉଁଠି ପଡ଼ିବ ଠିକଣା ନାହିଁ । ତା’ ପୂର୍ବରୁ 'ଈଶ୍ୱରୀ ଏମାରଜେନ୍‌ସି ଦ୍ଵାର ଦେଇ ଆକାଶଛତା ସାହାଯ୍ୟରେ ଡେଇଁ ପଡ଼ିଲା ।

 

ଈଶ୍ଵରୀ ନିଜର ଈଶ୍ୱରାୟିତ ଅବସ୍ଥାର ଠିକ୍ ପୂର୍ବରୁ ଥରେ ମନେପକାଇବାକୁ ଚେଷ୍ଟା କଲା ଭାରତର ମାନଚିତ୍ରକୁ, ନା–ମନେପଡ଼ୁନି ତେବେ ବିକିର କଥା ଭୁଲ୍ ! ଭାରତର ମାନଚିତ୍ର ଏତେ ସହଜ ନୁହେଁ । ତା’ର ଚାରିପାଖର ସ୍ଥିତି ବହୁ ଅସମାନରେ ଭରା । କିନ୍ତୁ ବିକି…ଉଃ ବିକିର ମୁହଁଟା ମଧ୍ୟ ମନେ ପଡ଼ୁନାହିଁ । ଈଶ୍ୱରୀ ବାରମ୍ବାର ମନ ସହିତ ଯୁଦ୍ଧ କଲା I ନା…ଉଦ୍‌ଭାନ୍ତ ଈଶ୍ୱରୀର ଲୁହଭରା ଦୁଇ ଆଖି ବୁଜି ଆସୁଥିଲା କ୍ଳାନ୍ତିରେ । ଅଥଚ ଦୁଇ ହାତରେ ଆକାଶଛତାର ହ୍ୟାଣ୍ଡେଲ୍‌ଟାକୁ ଜୋର୍‌ରେ ଧରି ରଖିଥିଲା ସେ । ସେ ନିଶ୍ଚୟ ବଞ୍ଚିବ । କୁହୁଡ଼ି ମିଶା ଅନ୍ଧାରର ସେଇ ଦୁର୍ଯ୍ୟୋଗମୟ ଶୀତଳ ଶୂନ୍ୟତା ଭିତରେ ଝୁଲନ୍ତ ଅବସ୍ଥାରେ ଈଶ୍ଵରୀର ଦେହଟା ଧୀରେ ଖୁବ୍ ଧୀରେ ଅବଶ ହୋଇପଡ଼ୁଥିଲା ।

Image

 

ବିସର୍ଜନ

 

ନଖି ଆକାଶକୁ ଚାହିଁଲା । ନିଆଁଲଗା ମେଘଟା ଦି’ଦିନ ହେଲା ଏମିତି ଦଲକଉଛି । ହେଲେ ବର୍ଷିବାକୁ ନାହିଁ । ମାଘ ଶେଷ । ଦି’ଅସରା ହୋଇଗଲେ କ’ଣ ନାକରା ହୁଅନ୍ତା । ମୁହଁ ସଞ୍ଜ ହୋଇନି ତଥାପି କେମିତି ନିଛାଟିଆ ଲାଗୁଛି । ଶିତୁଆ ହେମାଳିଆ ପବନ । ନଖିର ମନଟା ଖରାପ ହୋଇଗଲା । ଛୁଆଟାର ଦିହ ଭଲନାହିଁ ବୋଲି ସିନା ଆଜି ଉଛୁର ହୋଇଗଲା । ନ ହେଲେ ସୂରୁଜ ଦେବତା ମା’ କୋଳକୁ ମୁହେଁଇଲେ ସେ ବାହାରିପଡ଼େ । ଦି’ ମାଇଲକୁ ଦି’ ଖୋଜରେ ପାରି କରିଦେଇ ପହଞ୍ଚିଯାଏ ନେସନାଲ୍‍ ସଡ଼କ ପାଖରେ । ରାସ୍ତାର ସେପାଖେ ଦି’ ଚାରିଟା ଦୋକାନ । ସୁରିଆ ସୁଇଁ ପୁଅ ଦୋକାନରେ ଗୋଟିଏ ପାଖକୁ କାଠ ବେଞ୍ଚରେ ବସିଥାଏ । ହଳଦିଆ ରଙ୍ଗର ଟ୍ରକ୍ ଗାଡ଼ିଟା ରାସ୍ତାର ପାଖକୁ ଛିଡ଼ା ହୋଇଥାଏ । ନଖି ନାଲି କସ୍ତାରେ ମୁହଁ ଢାଙ୍କି ଟ୍ରକ୍‍ର ପାଖଦେଇ ଗଲାବେଳେ ଛୋପରା ପଞ୍ଜାବୀ ସର୍ଦ୍ଦାରଜୀ ଡ୍ରାଇଭର କହେ, ‘‘ସୁରିଆ ଭାଇ, ଦେଖ୍‍ରେ ତୋର ବିବି ଖାନା ନେଇ ଆସିଗଲା ।’’ ସୁରିଆ ହସେ । ନାଲି କସ୍ତାର ଓଢ଼ଣା ଭିତରୁ ନଖି ସୁରିଆର ସେଇ ମନମତାଣିଆ ହସ ଦେଖେ । ତା’ର ପେଟ ପୂରିଉଠେ । କାନିତଳୁ ଛୋଟ ଦସ୍ତା ଡବାଟିକୁ ଖୋଲି ରୁଟି ତରକାରୀ ବାହାର କରିଦିଏ । ସୁରିଆର ରାତି ଖାଇବା । ଗାଧୁଆବେଳେ ସୁରିଆ ପଞ୍ଜାବୀ ଡ୍ରାଇଭର ସାଙ୍ଗରେ ଷ୍ଟେସନରେ ଖାନା ଖାଏ । ହେଲେ ସବୁ ଦିନ ତ ଏଇ ବାଟ ଦେଇ ଯିବାକୁ ହୁଏ, ତେଣୁ ରାତିଓଳି ସେ ନଖି ହାତର ରାନ୍ଧଣା ଖାଏ ।

 

ସୁରିଆ କାହିଁ କେତେଦୂର ଯାଏ ସେଇ ସର୍ଦ୍ଦାରଜୀ ସାଙ୍ଗରେ । ସେ କୁଆଡ଼େ ସର୍ଦ୍ଦାରଜୀର ହେଲପର । କୁଆଡ଼ୁ କୁଆଡ଼ୁ ସବୁ କାଠଗଡ଼ ନେଇ ଟ୍ରକ୍ ଯାଏ ଏଇ ନେସନାଲ ସଡ଼କ ଦେଇ । ବୈତରଣୀ ପୋଲ ଖଣ୍ଡେ ବାଟରେ ରହିଯାଏ । ଆଉ ଠିକ୍ ଏଇ ଗଡ଼ାଣିଟିରେ ସରୁ ନାଲି ରାସ୍ତାଟା ନଖିର ଗାଁ ଆଡ଼କୁ ଚାଲିଯାଇଛି । ନେସନାଲ ରସ୍ତାରେ ଯିବା ଆସିବା କରୁଥିବା ଗାଡ଼ି ସବୁର ଡ୍ରାଇଭର ଆଉ ଲୋକମାନେ ଏଇ ଦୋକାନରୁ ଚା’ ଖାଆନ୍ତି, ବିଡ଼ି କିଣନ୍ତି । ହପ୍ତାରେ ଦିନେ ଛୁଟିପାଏ ସୁରିଆ । ନଖିର ମଧ୍ୟ ଛୁଟି । ସେ ଆଉ ସେଦିନ ରାସ୍ତା ପାଖକୁ ଆସେନା । ମଙ୍ଗଳବାର ଦିନ ସର୍ଦ୍ଦାରଜୀ କୁଆଡ଼େ କହେ, “ଯା’ରେ ଭାଇ ଆଜି ଛୁଟି । ତୋର ବିବି ଇନ୍ତଜାର୍ କରୁଥିବ ।’’ ସୁରିଆ ବେଳବୁଡ଼ ବେଳକୁ ପହଞ୍ଚିଯାଏ । ନଖି ସେଦିନ କେତେ ଆଦରରେ ବାରିର ଶାଗ, ତିନି ତରକାରୀକୁ ନେଇ ଛ’ ତରକାରୀ ନ’ ଭଜା କରେ । ସୁରିଆ ନାଇଁ ନାଇଁ କରି ଅନେକ ଖାଏ । ପୁଅକୁ ବୋକ ଦିଏ । ଅନେକ ରାତିଯାଏ ନଖି ସୁରିଆର ଗୋଡ଼ ଟିପିଦିଏ । ପିଠି ଆଉଁସି ଦିଏ । ମଣିଷଟା କେତେ ଖଟୁଛି । ମନ ତା’ର ଓଦା ହୋଇଯାଏ ସ୍ନେହରେ ।

 

ସବା ଶେଷରେ ସୁରିଆର ବଳୁଆ ଛାତିରେ ନିଜେ ମଥା ଗୁଞ୍ଜେ । ସୁରିଆ ନିଦ ବଲ ବଲ କଣ୍ଠରେ ନଖିର ଦିହ ଆଉଁସି କହେ, “ନଖି ! ଶୋଇନୁ କିଲୋ ! ନଖିର ଆଖିପତା ବୁଜି ହୋଇ ଆସେ ଶାନ୍ତିରେ । ସେଇ କଥା ପଦକରେ ।

 

ଆଉ ଦିନେ ଦିନେ ସୁରିଆ ଚଟ୍‍କିନା ଶୋଇପାରେ ନା । ପୁଅକୁ ଶୁଆଇ ଦେଇ ସୁରିଆର ହାତ ଧରି ନଖି ବାରିକୁ ଯାଏ । ଗଙ୍ଗଶିଉଳି ଗଛ ପାଖରେ ଦିହେଁ ବସନ୍ତି । ଅନେକ ଗପସପ ହୁଅନ୍ତି । ସୁରିଆ କହେ, “ନଖିଲୋ, ଦେଖିବୁ ଆମର ସବୁଦିନ କ’ଣ ଏମିତି ଥିବ ! ଅନ୍ଧାର ଘର ଆଲୁଅ ହେବ । ମୁଁ ବି ଦିନେ ସେଇ ସର୍ଦ୍ଦାରଜୀ ପରି ଡ୍ରାଇଭର ହେବି । ଦୂରକୁ ଦୂରକୁ ମଟର ନେଇଯିବି । ବହୁତ ପଇସା କମେଇବି । ତୁ ଆଉ ମୋପାଇଁ ରୁଟିନେଇ ରାସ୍ତା ପାଖକୁ ଯିବୁନି । ଛୋଟ ଘରଟିଏ ବନେଇ ଷ୍ଟେସନ ପାଖରେ ରହିବା । ପୁଅକୁ ବହୁତ ପାଠ ପଢ଼େଇବା । ସେ ମୋ ପରି ନ ହୋଇ ବାବୁ ହେବ ।’’ ନଖିର ଫୁଙ୍ଗୁଳା ବେକରେ ହାତ ବୁଲେଇ ଆଣି ସୁରିଆ ପୁଣି କହେ, “ଆଉ ବେଶି ଦରମା ପାଇଲେ ସବୁଠୁ ଆଗ ତୋତେ ଗୋଟେ ଚନ୍ଦ୍ରହାର ବନେଇ ଦେବି ।’’

 

ନଖି ଦେଖେ ସୁରିଆର ବଡ଼ ବଡ଼ ଆଖି ଦି’ଟାରେ କେତେ ଯାଦୁ ଭରି ରହିଛି । ଜହ୍ନ ଆଲୁଅରେ ସୁରିଆର କଳା ମଚ୍ ମଚ୍ ଗୁରୁଶାଳୀ ଦେହଟା ତାକୁ ଭାରି ଭଲଲାଗେ । ପୁଅକୁ ବୋକ ଦେଲାପରେ ସୁରିଆର ଲୋମ ଭର୍ତ୍ତି ଛାତିରେ ସେ ବୋକ ଦିଏ ।

 

ସୁରିଆ ପରି ମଣିଷଟିଏ କ’ଣ ଆଉ କାହାର ଅଛି ! ହେଇତ, ନଖିର ସଙ୍ଗାତ ନେତର ଶଶୁର ପୁଅ ନବଘନ । କେଉଁଠି ଚୌକିଆ ହୋଇଛି । କ’ଣ ଗାତ, ଚୁଲି ପିଇଆସି ରାତିରେ ନେତକୁ କେତେ ମାରେ । ଖାଇବା ବିନା ନେତଟା କଳାକାଠ ପଡ଼ିଗଲାଣି । ସବୁ ପଇସା ତ ସେଇ ନିଶା ପାଣିରେ ସରୁଛି । ନଖି ଆଗରେ ନେତ ସେଦିନ ତା’ ପିଠିରୁ ଲୁଗା କାଢ଼ି ଦେଖଉଥିଲା । ନବଘନ କେତେ ମାରିଛି । ହେଲେ ସୁରିଆ ଟ୍ରକ୍‍ରେ ସର୍ଦ୍ଦାରଜୀ ସାଙ୍ଗରେ କାମ କରେ । ଦିନେ ହେଲେ ନିଶାପାଣି ପିଇଛି ? ଦିନେ ହେଲେ ନଖିକୁ ହୁତ୍ ବୋଲି କହିଛି ?

 

କାଲି ପରି ଲାଗୁଛି । ଦୁଇ ବରଷ ତଳେ ମାଆ ସାଙ୍ଗରେ ସାନ୍ତ’ରା ସାଆନ୍ତଙ୍କ ଘରକୁ ଧାନ କୁଟି ଯାଇଥିଲା ସେ । ବୁଢ଼ୀ ସାନ୍ତାଣୀ ନଖିକୁ ଦେଖି କହିଲେ, ‘ଆଲୋ ନଖି ମା’, ନଖିଟା ଏଡ଼େବଡ଼ ହୋଇଗଲାଣି ବାହାସାହା ନ ଦେଇ ଝିଅ ଘିଅ ଘରେ ସାଇତି ରଖିଛୁ । ତୋର ତ ଆଉ ନ’ ନାହିଁ କି ଛ’ ନାହିଁ । କାମସାରି ଦେଉନୁ ।”

 

ମା’ ମୁହଁ ଶୁଖେଇ କହିଥିଲା, ‘‘ସାନ୍ତାଣୀ, କ’ଣ କରିବି, ନଖିପାଇଁ ମୁଁ କ’ଣ ନିଘା କରୁନି-। ହେଲେ ମିଳୁଛି କେତେ ? ଯେଉଁଠି ବା ମିଳୁଛି ବାଟ ଖରଚ ଦିଅ । ସାଇକଲ ଦିଅ । ମୁଁ କ’ଣ ପାରି ଉଠିବି ସାନ୍ତାଣୀ ? ମୂଲଲଗା ମୁଣ୍ଡ । ଏତେ ପଇସା କୁଆଡ଼ୁ ପାଇବି । ଜନମ ସିନା କରିଛି କରମ ତ ଦେଇନି । ନ ହେଲେ ମୋ’ପରି ଧାନ କୁଟି ପେଟ ପୋଷିବ ।”

 

ବୁଢ଼ୀ ସାନ୍ତାଣୀ ମା’ ପାଖକୁ ନାଗିଆସି କହିଲେ, “କଥାଟିଏ ରଖିବୁ କି ନଖି ମା’ । ଏଇ ଆମ ଖଞ୍ଜାର ସୁରିଆ ବା । ଗଲାସନ ବଢ଼ିରେ କୋଉ ଗାଁରୁ ଭାସି ଆସିଥିଲା, ଆମ ଘରେ ପୁଅପରି ଚଳେ । ଛେଉଣ୍ଡ ପିଲାଟା । ହେଲେ ଭାରି କାମିକା । ନଖିକୁ ଭଲ ମାନିବ । ଦି’ହାତ କରିଦେଇ ଘର ଜୋଇଁ କରି ରଖିନେ; ନଖିବି ତୋ ପାଖେ ପାଖେ ରହିବ । ଗଲାବେଳେ ପାଣି ଟୋପାଏ ଦବ ତ–

 

ନଖିର ମନେ ଅଛି । ମା’କୁ କିଛି ଖରଚ କରିବାକୁ ପଡ଼ି ନଥିଲା । ସାନ୍ତରା ଘର ରାଧାମାଧବ ଜୀଉଙ୍କର ମନ୍ଦିରରେ, କଂସା ଘଣ୍ଟାର ବାଜଣା ଭିତରେ ପୁରୋହିତେ ସୁରିଆର ହାତ ସହିତ ତା’ର ଦୁଇ ହାତ ଛନ୍ଦି ଦେଇଥିଲେ । ସେଇ ଦିନଠୁ ସୁରିଆ ହେଉଛି ନଖିର ଦେବତା । ସାନ୍ତରା ଘର ବାଉଁଶ ବଣ ଭିତରେ ନଖି ସୁରିଆର ଛୋଟିଆ ଚାଳ ଘରଟିରେ ରହିଛି । ମା’ ବେଳେ ବେଳେ ଆସେ । ଭଲମନ୍ଦ ବୁଝେ । ନଖି ସୁରିଆକୁ ଦିନେ ନ ଦେଖିଲେ ରହିପାରେନା । ସୁରିଆ ତା’ ଜୀବନ । ପୁଅ ପେଟରେ ଥାଏ । ମା’ ଗୋଟିଏ ପୋଖରୀ ପାଣିରେ ଆରପାରିକୁ ଚାଲିଗଲା । ସେଦିନ ନଖି ସୁରିଆର ଛାତିରେ ମୁହଁ ଗୁଞ୍ଜି କେତେ କାନ୍ଦିଥିଲା । ସୁରିଆ ବୋଧ ଦେଇଥିଲା । ଛି ସୁନାଟା, କାନ୍ଦନା, ମୁଁ ତ ଅଛି । ତୋ’ର କ’ଣ ଊଣା; ଡରନା । ମୋ ରାଣଟି ।

 

ସେଇ ଦିନଠୁ ନଖି ଗୋଟିଏ କଥା ଗୁରେଇ ତୁରେଇ ହୋଇଭାବେ । କି ସର୍ଜନା ଠାକୁରଙ୍କର । ପରପୁଅ ସୁରିଆ, କୋଉ ଗାଁର କେହି ଜାଣେନା । ବାପା ମା’ କିଏ ଜଣାନାହିଁ । ବଢ଼ିରେ ଭାସିଆସି ଏ ଗାଁରେ ଥାନ ନେଲା । ପୁଣି ନଖିର ହାତ ଧଇଲା, ନଖିର ସୁଖରେ ହସିଲା, ଦୁଃଖରେ ଲୁହ ପୋଛିଲା । ପୁଣି ଇହକାଳ ପରକାଳ ପାଇଁ ନଖିକୁ ପାତାଳରୁ ଉଦ୍ଧାର କରିବ । ନଖି ମନକୁ ମନ ପୁଣି ହସିଲା ।

 

“ଆରେ । ଏମିତି ମନକୁ ମନ ହସି ହସି କୁଆଡ଼େ ଧାଇଁଚୁ କିଲୋ ନଖି ।”

 

ନଖିର ଚେତା ଫେରିଲା ଯେମିତି । ଆରେ, ନେସ୍‍ନାଲ ରାସ୍ତା ପାଖେଇ ଆସିଲାଣି । ତା’ର ଖିଆଲ ନାହିଁ । ପୁଣି ଗାଁ ପ୍ରଧାନ ଘର ବଡ଼ ସା’ନ୍ତେ ସାଇକେଲରେ ଫେରୁଛନ୍ତି । ଡାହାଣ ହାତରୁ ଦସ୍ତା ଡବାଟିକୁ ବାଁ ହାତକୁ ନେଉ ନେଉ ନଖି ପାଖ ହୋଇଯାଇ କହିଲା, “ଓଳଗି ସା’ନ୍ତେ, ଆଜି ଟିକେ ଉଛୁର ହୋଇଗଲା । ଛୁଆ ବାପା ପାଇଁ ଛୁଟି ନେଇଯାଉଛି ।” ପ୍ରଧାନ ଘର ବଡ଼ ସା’ନ୍ତେ ଆଟକିଲା ପରି କହିଲେ, “ଏଇ ମେଘ ଅନ୍ଧାର ବେଳେ ଯାଉଛୁ ! ଫେରିବୁ କେମିତି ? ରେଡ଼ିଓ କହିଛି ଆଜି ବର୍ଷା ହେବ । ସଅଳ ଚଟ୍‌କିନା ପଳେଇ ଆସିବୁ ।’’

 

ସାଇକେଲ, ଚାଲିଗଲା । ନଖି ମନେ ମନେ କେତେ କଲ୍ୟାଣ କଲା ତାଙ୍କୁ । ଏଇ ସା’ନ୍ତଙ୍କ ପାଇଁ ସୁରିଆ ଏଇ ମଟର ଚାକିରିଟା ପାଇଛି । ସାଆନ୍ତଙ୍କର କେଉଁ ସାଙ୍ଗ ଘରେ ଟ୍ରକ୍ ଚାଲେ । ସେଇ ସୁରିଆକୁ ଥାନ କରି ଦେଇଥିଲେ । ଗଡ଼ାଣିରୁ ରାସ୍ତା ଉପରକୁ ଉଠି ଆସିଲା ନଖି । ହେଲେ ଇଏ କ’ଣ; ଆଜି କାହିଁ ସେହି ହଳଦିଆ ଟ୍ରକ୍ ! କାହିଁ ସେଇ ସର୍ଦ୍ଦାରଜୀର ଥଟ୍ଟାଳିଆ ମୁହଁ । ଆଉ କେଇହାତ ଦୂରରେ ଥିବା ସୁଇଁ ପୁଅର କାଠ ବେଞ୍ଚ୍‍ଟା ଫାଙ୍କା, କାହିଁ ସୁରିଆର ହସିଲା ହସିଲା ମୁହଁ ! ନଖିର ଛାତିଟା ଦାଉଁକିନା ହୋଇଗଲା । ଉଛୁର ଦେଖି ତେବେ କ’ଣ ସୁରିଆ ପଳେଇଲା । ନା....ନା.....ହେ ଠାକୁର ! ସୁରିଆ ନଯାଇ ଥାଉ । ଦୁଇ ପାହୁଣ୍ଡରେ ରାସ୍ତା ଏପଟ ଦୋକାନକୁ ଚାଲିଆସି ନଖି ପଚାରିଲା, ସୁଇଁ ପୁଅ, ଆଜି କାହିଁକି ଛୁଆବାପା ଦିଶୁନି, ଫେରିଗଲା କି-? ତମକୁ କିଛି କହିନି ।’’

 

ଚା’ ଦୋକାନି ଚା’ କରୁ କରୁ ନଖିକୁ ଚାହିଁଲା । ନୀଳ ସ୍ଵାଇଁ, ନଖିର ଗାଁ ଲୋକ । ଆହୁରି ଦୁଇ ଚାରି ଜଣ ଦୋକାନରେ ବସିଛନ୍ତି । ମନେ ପକେଇଲା ପରି ନୀଳ ସ୍ଵାଇଁ କହିଲା, ‘‘ନାହିଁ ତ ସୁରିଆ ତ ଆଜି ଆସିନାହିଁ । ଏଇଠି ତ ବସେ’’ ନଖିର ଛାତି ପୁଣି ଥରି ଉଠିଲା । ଆକୁଳ ହୋଇ ପଚାରିଲା, ‘‘ଡ୍ରାଇଭର ଆଜି ମଟର ନେଇ ଆସିନି ?"

 

ସ୍ଵାଇଁ ସେମିତି ଚିନ୍ତିତ ହେଲାପରି କହିଲା, ‘‘ନାଲୋ ନଖି, ଟ୍ରକ୍ ଆସିନି ।’’ ଡ୍ରାଇଭର ତ ଚା’ ପକୋଡ଼ି ଖାଏ, ଆଜି କେହି ଆସିନାହାନ୍ତି ।”

 

ନଖି ଲୁଗାକାନିରେ ମୁହଁଟାକୁ ପୋଛିଦେଇ ଭଲମନ୍ଦ ନବିଚାରି, ସେଇ ବେଞ୍ଚ୍‍ଟାରେ ଲଥ୍‌କିନା ବସିପଡ଼ିଲା । ‘‘କ’ଣ କରିବି ସୁଇଁ ପୁଅ । ମଣିଷଟା ଆସିଲାନାହିଁ କାହିଁକି ? ଦିନରେ କ’ଣ ଗଣ୍ଡାଏ ଖାଇଥିବ । ଏଇ ମେଘ ବର୍ଷାକୁ ଡରି । ପୁଣି ଛୁଆଟାର ଦିହ ଭଲନାହିଁ ବୋଲି ଟିକେ ଉଛୁର ହୋଇଗଲା । ମୋ ମୁଣ୍ଡ ଖାଆଟି ସୁଇଁ ପୁଅ, ସତରେ ସେ କ’ଣ ଆସିନାହିଁ ?

 

ନୀଳ ସ୍ଵାଇଁ ବୟସିଆ ଲୋକ । ଅଳ୍ପ ହସି କହିଲା, ‘‘ନଖି, ତୋ ମା’ ପରି ମତେ ପିଲାଦିନୁ ପୁଅ ଡାକି ଆସୁଛୁ । ମୁଁ କ’ଣ ତୋ ସାଙ୍ଗରେ ଗେଲ ହେଉଛି, ସତରେଲୋ ଟ୍ରକ୍ ଆସିନି-। ଆଉ ତୁ ଏମିତି ବ୍ୟସ୍ତ ହେଉଛୁ କାହିଁକି ଯେ, ଘଟିକି ଫେରିଯା । ସୁରିଆ ହୁଏତ ଟ୍ରକ୍ ସାଙ୍ଗରେ କୁଆଡ଼େ ଦୂରକୁ ଯାଇଛି, ଦେଖିବୁ ଖାଇବାକୁ ଆସିନି ଯେତେବେଳେ ରାତିକୁ ନିଶ୍ଚେ ଘରକୁ ଫେରିବ ।”

 

ନଖି ସେମିତି ଥକ୍‌କା ହୋଇ ସ୍ଵାଇଁକୁ ଚାହିଁ ରହିଲା । ସେ ପୁଣି ଦୋକାନ କାମରେ ମନ ଦେଲାଣି । ସୁରିଆ ପାଇଁ ମନ ବାହୁନି ଉଠୁଛି । ଲୋକଟା କେତେ ଖଟୁଛି । ରୁଟି ତରକାରୀ ଫେରେଇ ନେଇଯିବ ! ସୁଇଁ ପୁଅ ତ କହୁଛି ଦୂରକୁ ଯାଇଥିବ ବୋଲି । ହେଇଥିବ । ଆଜି ଭାରି କାମ ପଡ଼ିଛି । ରାତିରେ ଯଦି ଆସିବ ସୁରିଆ । ଏଇ କଥା ଭାବି ନଖିର ହତାଶିଆ ମନରେ ପୁଣି କୁଆଡ଼ୁ ପାଏ ବଳ ଚାଲିଆସିଲା । ଦସ୍ତା ଡବାଟିକୁ ଧରି ପୁଣି ରାସ୍ତା ପାଖ ଗଡ଼ାଣିରେ ପାଦ ଥୋଇଲା ସେ । ବାଟ ଚାଲୁ ଚାଲୁ ଭାବିଲା, ଆଜି ଯଦି ଦୂରକୁ ଯିବାକଥା ତେବେ...ତେବେ ତାକୁ ତ କାଲି କହିଥାନ୍ତା ସୁରିଆ । ଦୂରକୁ ଗଲେ ଆଗରୁ କହିଥାଏ ସେ I କାଲି ମଙ୍ଗଳବାର ଥିଲା । ଛୁଟି । ସୁରିଆ ତାକୁ କେତେ କଥା କହିଛି । ଭଲ ଗୋଟାଏ ରୂପାହାର ଦେଇଛି ଷ୍ଟେସନ ପାଖ ବଣିଆ ଦୋକାନରେ । ସର୍ଦ୍ଦାରଜୀ ଠୁ ଟଙ୍କା ପାଇଲେ ସେଇଟା ଆଣିବ ନଖିପାଇଁ । ପୁଅର ଜନମ ଦିନ ଆସୁଛି । ବରଷେ ପୂରିଯିବ ନୂଆ ଜାମା ପେଣ୍ଟ ହଳେ ଦରକାର । ଆକାଶକୁ ଚାହିଁଲା ନଖି । ସେମିତି ମେଘ ଢଙ୍କେଇଛି ସଞ୍ଜ ଘଡ଼ିଏ ହେବ । ଆଗ ଆଡ଼ୁ କାହାର କାନ୍ଦଣା ଶୁଭୁଛି । ନଖି କାନ ପାରି ଚାଲିଲା I ହଁ, ତ, ମଶାଣି ଆଡ଼େ ହରିବୋଲ ପକାଇ କିଏ ସବୁ ଯାଉଛନ୍ତି । ହରିବୋଲ ଡାକଟା ଯେମିତି କାନ ଉପରେ ଅଜାଡ଼ି ହୋଇପଡ଼ୁଛି । ଲଣ୍ଠନର ଆଲୁଅ ଦିଶୁଛି । ଆହା, କାହାର ସଂସାର ଉଜୁଡ଼ିଗଲା ! ପୁଣି ଏଇ ଭରା ସଞ୍ଜବେଳଟାରେ ! କି ଲୀଳା ଠାକୁରଙ୍କର ! ଜନ୍ମ ଦିଅନ୍ତି, ମାୟା ଲଗାନ୍ତି, ପୁଣି ଛଡ଼େଇ ନେଇଯାଆନ୍ତି । କାହାର ଘର ଖାଲି କରିଦେଲ ଠାକୁରେ ! ନଖିର ମନ କେମିତି ବିଷାଦରେ ଭରିଗଲା । ନଖି ଜୋର୍‍ରେ ପାଦ ବଢ଼େଇଲା । ଘରେ ପୁଅଟା ଏକୁଟିଆ ଶୋଇଛି । ନେତକୁ କହି ଆସିଛି ନଖି, ସେ ଦେଖୁଥିବ । ହେଲେ ଆଜି କି ସୁରିଆ ଆସିବ । ଭଲ ତରକାରୀ ଆଉ ଗୋଟିଏ ଦରକାର । ନଖିର କେତେ କାମ ! ପାଦ ଜୋର୍‍ରେ ଚଲାଇଲା ସେ ।

 

ନଖି ସେହି ସଞ୍ଜ ଦି’ଘଡ଼ିରୁ ଚାହିଁ ବସିଛି । କାହିଁ ସୁରିଆ ! ରାତି ଆସି ଏତେ ହେଲାଣି, ଭାତଖିଆ ପହର ଗଡ଼ିଗଲାଣି । ବିଲୁଆପଲ ଘଡ଼ି ଜଣେଇ ଦେଇ ଚୁପ୍ ହୋଇ ଗଲେଣି । କାହିଁ ସୁରିଆ ? ସୁଇଁ ପୁଅ କ’ଣ ତେବେ ମିଛ କହିଲା । ସୁରିଆ ତେବେ ଆସିବ ନାହିଁ ! ଚୁଲି ପାଖରେ ସବୁ ସେମିତି ଢଙ୍କା ହୋଇ ରହିଛି । ସୁରିଆ ଆସିଲେ ଏକାଠି ଖାଇବେ ବୋଲି ନଖି ଜଗି ବସିଛି । ହେଲେ ସୁରିଆର ଦେଖାନାହିଁ । ଦି’ ଖୋଜ ବାଟ ଗଲେ ନେତର ଘର । ଦୌଡ଼ିଯାଇ ପଚାରିଆସିବ କି ।

 

ଠକ୍....ଠକ୍....ଠକ୍

 

ନଖି କାନ ପାରିଲା । ଦାଣ୍ଡ ଦୁଆରେ କିଏ ବାଡ଼ଉଛି । ସୁରିଆ ତ ଆସିଲେ ଡାକେ ନଖି ନଖି ବୋଲି ଗାଁ କମ୍ପେଇ ଦିଏ । ନଖି ଲଣ୍ଠଣଟା ତେଜିଦେଇ ଉଠି ପଡ଼ୁ ପଡ଼ୁ ଭାବିଲା, ସୁରିଆ ଆଜିକାଲି ଭାରି ଛୋପରା ହୋଇ ଗଲାଣି । ଯେତିକି ବୟସ ବଢ଼ୁଛି, ସେତିକି ଖରାପ ହେଉଛି । ନଖିକୁ କ’ଣ ସେ ନାଁ ଧରି ଡାକି ପାରୁନି ! ଏ ଗୋଟାଏ ଫିକର । ଦୁଆର ବାଡ଼େଇ ଡରଉଛି । ନଖି କ’ଣ କେବେ ଡରେ ! ହଉ ତା’ର ଦିନେ କି ନଖିର ଦିନେ । ଏତେ ରାତି କରନ୍ତି ମଣିଷ ! ଆସିବା କଥା ତ ସଅଳ ଆସିଥିଲେ କ’ଣ ନାକରା ହୋଇଥାନ୍ତା ।

 

ଲଣ୍ଠଣଟା ବାଁ ହାତରେ ଧରି ନଖି ଦୁଆର ଫିଟାଉ ଫିଟାଉ ରାଗ ଗର ଗର ହୋଇ କହିଲା, ‘‘ତମର ଟିକେ ଅକଲନାହିଁ । ଏବେ ଫେରୁଛ, ରାତି କେତେ ହେଲାଣି ଖିଆଲ ଅଛି ?"

 

କିନ୍ତୁ ଇଏ କ’ଣ....ଲଣ୍ଠଣର ଉଜ୍ଜ୍ୱଳ ଆଲୁଅରେ ନଖି ଦେଖିଲା ସୁରିଆ ପରିବର୍ତ୍ତେ ସାନ୍ତରା ଘର ସାନ ସା’ନ୍ତେ ଆଉ ତାଙ୍କର ଚାକର ପିଲା ଗୋକୁଳି । ନଖି ତର ତରରେ ଜିଭ କାମୁଡ଼ି ପକେଇ କହିଲା, ‘‘ସାନ୍ତେ । ମୁଁ ଠଉରେଇ ପାରିଲିନାହିଁ, ହେଲେ ଏତେ ରାତିରେ ! ବୋଉ ସାନ୍ତାଣୀଙ୍କ ଦେହ କ’ଣ ଭଲନାହିଁ ? କିନ୍ତୁ ସା’ନ୍ତେ ଏମିତି ଚୁପ୍ କାହିଁକି ? କିଛି କଥା କହୁନାହାନ୍ତି-। କ’ଣ ହେଲା, ମୁହଁଟା ଏମିତି ଦିଶୁଛି । ନଖି ଗୋକୁଳିକୁ ବଲ ବଲ କରି ଚାହିଁଲା, ‘‘କଥା କଣରେ ଗୋକୁଳି ?”

 

ଗୋକୁଳି କାନ୍ଦି ଗାମୁଛାଟାକୁ ପାଟିରେ ପୂରେଇ ଭୋ କିନି କାନ୍ଦି ଉଠିଲା । ‘‘ନଖି ନାନୀ-! ସୁରିଆଇ ଆଉ ନାହିଁଲୋ...ନଖି କିଛି ବୁଝି ପାରିଲାନାହିଁ । ସୁରିଆ ସତରେ ଘରେ ନାହିଁ ତ ମଟରରେ ସର୍ଦ୍ଦାରଜୀ ସାଙ୍ଗରେ ଯାଇଛି । ଗୋକୁଳି ବଗୁଲିଆଟା ଆଉ ବେଶି କ’ଣ କହୁଛି, କାନ୍ଦୁଛି-

 

ଗୋକୁଳି ହାଉ ହାଉ ହୋଇ କାନ୍ଦୁ କାନ୍ଦୁ କହୁଥିଲା, ‘‘ଟ୍ରକ୍‍ଟା ଗୋଟାଏ ଗଛରେ ବାଡ଼େଇ ହୋଇଯାଇଛି । ସର୍ଦ୍ଦାରଜୀର ମର ମର ଅବସ୍ଥା, ହେଲେ ସୁରିଆଇଟା ଚାଲିଗଲା ଲୋ...”

 

ମଟର ଗଛରେ ବାଡ଼େଇ ହୋଇଯାଇଛି ! ସୁରିଆ ନାହିଁ; କ’ଣ କହୁଛୁ ଗୋକୁଳି ? ନଖିକୁ ଆଉ କିଛି ଶୁଭୁ ନଥିଲା । ଶିଥିଳ ହାତରୁ ତା’ର ଲଣ୍ଠଣଟା ଖସି ପଡ଼ିଲା ଶବ୍ଦ କରି । ସାନ ସା’ନ୍ତେ ଆଉ ଗୋକୁଳି ତାକୁ ଦୁଇପଟୁ ଧରି ପକେଇଲେ । ନଖି କିନ୍ତୁ କିଛି ଦେଖିପାରୁ ନଥିଲା । ସାଆନ୍ତେ ଆହୁରି କ’ଣ କହୁଥିଲେ । ସବୁ ଫାଙ୍କା, ସବୁ ଅନ୍ଧାର । ନଖି କାହା କାନ୍ଧରେ ମୁହଁ ରଖି ଶୋଇପଡ଼ିଲା ଯେମିତି ।

 

ଅନେକ ବେଳ ପରେ ନଖିର ନିଦ ଭାଙ୍ଗିଲା । ଲଣ୍ଠଣଟା ଜଳୁଛି । ରାତି ଶେଷ ପହର ନା କ’ଣ । ନଖି ଉଠିବସିଲା । ଆଃ, ଦିହଟା କି ଦରଜ । କିଏ ବାଡ଼େଇଛି ଯେମିତି । ପାଖରେ ହେଁସ ପାରି ନେତ ଶୋଇଛି । ଏପାଖକୁ ପୁଅ । ନେତ ନିଦରେ ଘୁଙ୍ଗୁଡ଼ି ମାରୁଛି । ସମସ୍ତେ ଗୋକୁଳି, ସାଆନ୍ତ ଚାଲିଗଲେଣି ପରା । ଲଣ୍ଠଣ ଆଲୁଅରେ ପୁଅର ମୁହଁ ଠିକ୍ ସୁରିଆ ପରି ଦିଶୁଛି-। ‘‘ସୁରିଆଇ ଆଉ ନାହିଁଲୋ ନଖି ନାନୀ, ସୁରିଆ ନାହିଁ...ସୁରିଆ ନାହିଁ...ଚାରିଆଡ଼େ ସେହି ଗୋଟିଏ କଥା–ସୁରିଆ ନାହିଁ....

 

ହେଲେ ଶେଷଥର ପାଇଁ ସେ କ’ଣ ଟିକେ ସୁରିଆକୁ ଦେଖିପାରିବନି । ଟିକେ ଛାତିରେ ମୁଣ୍ଡ ରଖି ପାରିବନି ! ସମସ୍ତେ ତ ସେଇ ମଶାଣିକୁ ଦିନେ ଯାଆନ୍ତି । ସୁରିଆ ନିଶ୍ଚେ ସେଇଠି ଥିବ-। ଦି’ ଖୋଜ ବାଟ । କେତେ ଥର ରୁଟି ତରକାରୀ ନେଇଯାଇଛି ଦି’ମାଇଲି ରାସ୍ତା ଉପରକୁ, ସୁରିଆ ପାଇଁ ...ଆଉ ଏଇ ମଶାଣି.....

 

ନଖି ଧୀରେ କବାଟ ଫିଟେଇଲା । ବାହାରି ପଡ଼ିଲା ମଶାଣି ଆଡ଼କୁ । ସୁରିଆକୁ ସେ ଶେଷଥର ଦେଖିବ । ମେଘ କଟିଯାଇ କେତେ ସୁନ୍ଦର ଜହ୍ନ ପଡ଼ିଛି । ହେଲେ ସୁରିଆ ନାହିଁ । କାହା ସାଙ୍ଗରେ ଗଙ୍ଗଶିଉଳି ଗଛ ପାଖେ ସୁଆଗ ହେବ ! ନଖିର ଆଖି ଲୁହ ଭର୍ତ୍ତି ହୋଇଗଲା । ଏ ଜନ୍ମପାଇଁ ସୁରିଆ ତାକୁ ଏକାକରି ଚାଲିଗଲା । ଆଉ ସେ ଆସିବନି । ଆଉ ତାକୁ ଛାତି ଉପରକୁ ଆଉଜେଇ ନବନି । ହେଲେ ନଖି ତାକୁ ଶେଷଥର ପାଇଁ ଦେଖିବ । ନଖି ଜୋର୍‍ରେ ପାଦ ବଢ଼େଇ ଚାଲିଲା ।

Image

 

ବିଜନତା ! ତୋ ବେଶ ମୋହନ

 

ଜୟିତା ଏଠି ନିର୍ବାସନରେ ଅଛି । ଠିକ୍ ଯଦିଓ ନିର୍ବାସନ ନୁହେଁ, ତଥାପି ଏଇ ପାହାଡ଼ିଆ ଗଡ଼ଜାତ ଅଞ୍ଚଳକୁ ନିର୍ବାସନର ପୃଥିବୀ ଛଡ଼ା ଆଉ କ’ଣ କୁହାଯାଇପାରେ । ଜୟିତାର କ୍ଵାଟର୍‌ଟା ଗୋଟିଏ ନିର୍ଜନ ଦ୍ଵୀପ ପରି । ଚାରିପଟେ ପାହାଡ଼ । ଗଛଲତା ଦୂରରେ ଛାଡ଼ି ଛାଡ଼ି ଅନ୍ୟ କେଇଟି କ୍ୱାଟର୍‍ । ବେଳେ ବେଳେ ସେ ଭାବେ ସବୁ ମଣିଷ କ’ଣ ନିର୍ବାସିତ ! ହୁଏତ ହଁ । ନ ହେଲେ ଯାହାକୁ ବି ସୁଖର ସଂଜ୍ଞା ପଚାରିଲେ ତା’ର ମୁହଁଟି ଝାଉଁଳିଲା ଫୁଲପରି ହୋଇଯାଏ, ତେବେ ଆମେ କ’ଣ ସମସ୍ତେ ନିର୍ବାସିତ !

 

ଅଥଚ ଜୟିତାର ଏଇ ବିରାଟ ଦୁନିଆରେ ସମସ୍ତେ ଅଛନ୍ତି । ବାପା, ବୋଉ, ଭାଇ ଭଉଣୀ, ଆତ୍ମୀୟ ସ୍ଵଜନ ଏବଂ ସର୍ବୋପରି ପ୍ରିୟ ତୋଷର ଭାବନା । ଯା’ର ଚିନ୍ତା ଏଇ ନିର୍ବାସିତ ଇଲାକାରେ ଭାବିବାକୁ ଭଲପାଏ ଜୟିତା ଗୋଟାଏ ଗୋପନ ସୁଖ କହିଲେ ଭୁଲ୍ ହେବନି । ତଥାପି ଜହ୍ନରାତିର ମାୟା, ଭିଜା ବର୍ଷାଜଳ, କ୍ଳାନ୍ତ ସନ୍ଧ୍ୟାରେ ଜୟିତାର ହୃଦୟ ଅକାରଣରେ ବିଷର୍ଣ୍ଣ ହୋଇଯାଏ । ତା’ ନିଜ ଭିତରେ ଫୁଟିଉଠେ ଏକ ଭିନ୍ନ ବ୍ୟକ୍ତିତ୍ଵ କେଉଁ ଏକ ଦ୍ୱନ୍ଦ୍ୱର ପ୍ରଭାବରେ ସେ ଦୁର୍ବଳ ହୋଇପଡ଼େ । ପ୍ରତି ରାତିରେ ଅସହାୟ ହୋଇପଡ଼େ ଜୟିତା । ଭୟଙ୍କର ରକମର ଅସହାୟ । ଅଧରାତିରେ ନିନ୍ଦ ଭାଙ୍ଗିଯାଏ । ଜୟିତାର ଝର୍କାର ସ୍କ୍ରୀନ୍ ତୋଳି ଦେଖେ ବିସ୍ତୀର୍ଣ୍ଣ ପାହାଡ଼ିଆ ଇଲାକାରେ ଜହ୍ନର ଲୁଚକାଳି ଏବଂ ସେଇ ଅସହାୟତାକୁ ସେ ନିଜ ଅଣୁ ପରମାଣୁ ଦେଇ ଜାଣେ, ଚିହ୍ନେ ଯିଏ ତାକୁ ଶୁଆଇ ଦିଏନା । ସାରାରାତି ଅନିଦ୍ରା ରଖି ଭୟ ଦେଖାଏ ଏବଂ କହେ, ତମେ ନିଃସଙ୍ଗ, ତମେ ନିଃସଙ୍ଗ, ତମେ ନିଃସଙ୍ଗ !

 

ନିଜ ଭିତରେ କଷ୍ଟ ବଢ଼ିଚାଲେ । ଆଉ ଜୟିତା ନିଜ ଭିତରେହିଁ ଦଗ୍‌ଧ ହୁଏ । ତେବେ ଜୟିତା କ’ଣ କରିବ ! ମନର ବିପ୍ଳବ ମୂର୍ତ୍ତିକୁ ସେ ଠିକ୍ ଭାବରେ ଧରିପାରିନି ଏ ଯାଏ । ତଥାପି ରିଲାକ୍‌ସ ପାଇଁ ସେ ପ୍ରିୟତୋଷକୁ ମନେ ପକାଏ । ତା’ର ହସିଲା ମୁହଁ । ହସିଲା ମୁହଁ ତଳେ ଲୁଚି ରହିଥିବା ଦାମ୍ଭିକ ବ୍ୟକ୍ତିତ୍ଵ ଏବଂ ପୁଣି ଅଳ୍ପରେ ଏକ୍‌ସାଇଟେଡ଼୍ ହୋଇପଡ଼ିଲା ଭଳି ପିଲାଳିଆମି । ଛୋଟ ଛୋଟ ସ୍ମୃତିକୁ ମନେ ପକାଇ ଜୟିତା ବିଛଣାକୁ ଫେରିଆସେ । ଆଖି ବୁଜି ଶୋଇବାକୁ ଚେଷ୍ଟାକରେ ତଥାପି ନିଦ ଆସେନା । ସେଇ ନିର୍ଜନତାର କଠିଣ ହୃଦୟ ତରଳେ ନାହିଁ । ଅନେକ ସମୟ ଅତିବାହିତ ହୋଇଗଲା ପରେ । ପାହାଡ଼ିଆ ଇଲାକାରେ ଯେତେବେଳେ ପାହାନ୍ତିଆ ପବନ ସବୁ ଗଛପତ୍ର ଛୁଇଁଯାଏ । ଜହ୍ନ ଫେରିଯାଏ ଦିଗନ୍ତକୁ । ସେତେବେଳେ ଜୟିତାର କ୍ଳାନ୍ତ ଆଖିପତା ମୁଦି ହୋଇଆସେ କା’ର କାଉଁରୀ ସ୍ପର୍ଶରେ । ପୁଣି ତନ୍ଦ୍ରା ଭାଙ୍ଗେ ସାନୁ ମାଉସୀର ଧୀର ମମତାଭରା କଣ୍ଠରେ, ‘‘ମାଲିକାଣୀ ଗୋ । ଆଜି ଉଠିବୁନି ? ଢେର ବେଳା ହୋଇଗଲା ଯେ–ଜୟିତା ତେବେ କେମିତି ମୁକ୍ତି ପାଇବ ଏଇ ଅସହାୟତାର ବା ଏଇ ନିର୍ଜନତାରୁ । ହୁଏତ ସେ ହୃଦୟ ଉପରେ ବେଶି ପରିମାଣରେ ନିର୍ଭରଶୀଳ ହୋଇପଡ଼ିଛି । ସେଇଥିପାଇଁ ସବୁକିଛି ତାକୁ ନିଃସଙ୍ଗ । ନିର୍ବାସିତ ଲାଗୁଛି । ଏଇ ଅଭିନିବିଷ୍ଟ ଶୂନ୍ୟତା କ’ଣ ନେପୋଲିୟନ ତାଙ୍କର ନିର୍ବାସିତ ଜୀବନରେ ଅନୁଭବ କରିପାରି ନଥିଲେ ? ଯେଉଁଥିପାଇଁ ସେ ବିକଳ ହୋଇ ପ୍ରାର୍ଥନା କରିଥିଲେ–‘‘ହେ ଈଶ୍ୱର । ମରିବା ପୂର୍ବରୁ ଅନ୍ତତଃ ଗୋଟିଏ ମଣିଷର ମୃତ ଦେହ ମୁଁ ଯେମିତି ଦେଖିପାରେ । କିନ୍ତୁ ଜୟିତା ତ ଏଠି ଗୋଟାଏ ଇଲାକାରେ । ଜନସମାବେଶରେ ଅଛି । ତେବେ କାହିଁକି ଏ ହୃଦୟ ଶୂନ୍ୟ ନିର୍ଜନତାର ଯନ୍ତ୍ରଣା ?

 

ଅନେକ ସମୟରେ ଜୟିତା ଚେଷ୍ଟା କରେ ସବୁଠି କିଛି ନା କିଛି ଗୋଟାଏ ଅର୍ଥ ସଂଗ୍ରହ କରିବ । ପକ୍ଷୀମାନଙ୍କ କେକାଧ୍ଵନି ଭିତରେ । ଠା ଠା କରୁଥିବା ନୀଳ ଆକାଶ ଭିତରେ କିମ୍ବା ଡେଙ୍ଗା ହୋଇ ଆକାଶ ଛୁଇଁବାପାଇଁ ପ୍ରତିଯୋଗୀତା କରୁଥିବା ଗଛଗୁଡ଼ାକ ଭିତରେ । କିନ୍ତୁ ଜୟିତା ନିଜର ସମସ୍ତ ବିଦ୍ୟା ଖର୍ଚ୍ଚ କରି ମଧ୍ୟ କିଛି ଅର୍ଥ ଖୋଜି ପାଏନା । ସ୍କୁଲରୁ ଫେରି ଜୟିତା ଅନେକ ସମୟରେ ଆଦିବାସୀ ବସ୍ତିଆଡ଼େ ବୁଲିଯାଏ । ସେମାନଙ୍କ ସାଙ୍ଗେ ଗପେ ହସେ । ସାନୁ ମାଉସୀର ଷୋଳବର୍ଷର କୁଆଁ‌ରୀ ଝିଅ ଫୁଲ, ଜୟିତାର ବେଣୀରେ ଆଞ୍ଜୁଳା ଆଞ୍ଜୁଳା ବଣୁଆ ଫୁଲ ମଣ୍ଡି ଦିଏ-। ମାଲିକାଣୀକୁ ଛୋଟ ବାଉଁଶ ଦୋଳିରେ ବସାଇ ଝୁଲାଏ । ଝୁଲୁ ଝୁଲୁ ଅନ୍ୟମନସ୍କ ଭାବରେ ଗୁଣୁ ଗୁଣୁ ହୋଇ ଗୀତ ବୋଲୁ ବୋଲୁ ହଠାତ୍ ନିଃସଙ୍ଗ ହୋଇପଡ଼େ ଜୟିତା । ମନେହୁଏ ହଠାତ୍ ସେ ଖୁବ୍ ବେଶି ନିର୍ଜନ ହୋଇଯାଇଛି । ଏବେ ଠିକ୍ ଏଇ ସମୟରେ କିଏ ଜଣେ ପାଖରେ ଥିଲେ ହୁଏତ ସେ ବାଣ୍ଟି ଦେଇଥାନ୍ତା ନିଜର ନିର୍ଜନତା । କିଏ ଥିବାର ଆଶା କରୁଛି ଜୟିତା ? ପ୍ରିୟତୋଷ-!! କିନ୍ତୁ ପ୍ରିୟତୋଷକୁ ତ ସେ ଜାଣି ଜାଣି ଛାଡ଼ି ଆସିଛି । ତା’ ସହିତ ଅନେକ ସୁଖ ଦୁଃଖର ମୁହୂର୍ତ୍ତ ବିତେଇଛି । ଏଇ ଗଡ଼ଜାତ ଅଞ୍ଚଳକୁ ଚାଲି ଆସିବାର ଠିକ୍ ମାସେ ପରେ ପ୍ରିୟତୋଷ ବିବାହ କରିଛି ପରିବାରର, ହୁଏତ ନିଜର ମନୋନୀତ ପାତ୍ରୀକୁ । ରଙ୍ଗୀନ କାର୍ଡ଼ଟାକୁ ଏବେବି ସାଇତି ରଖିଛି ଜୟିତା । ‘‘ଉଇଥ୍ ପ୍ରିୟତୋଷ’’ ସହିତ ନିଜର ନାଁଟାକୁ ଅନେକ ଥର ପ୍ରଜାପତି ଚିତ୍ରିତ ରଙ୍ଗୀନ କାର୍ଡ଼ରେ କଳ୍ପନା ଚକ୍ଷୁରେ ଦେଖିଥିଲା ଜୟିତା । କିନ୍ତୁ ଏଇ ଆଦିବାସୀ ସ୍କୁଲରେ ଜଏନ୍ କଲାପରେ ମାସଟିଏ ଯାଇନି ପ୍ରିୟତୋଷ କାର୍ଡ଼ ପଠେଇଥିଲା । ସାଙ୍ଗରେ ଚିଠିଟିଏ–

 

‘‘ସତରେ ମୁଁ ସେଦିନ ତମ ମନ ପରୀକ୍ଷା କରୁଥିଲି । ମୋର ସେ ପରୀକ୍ଷାକୁ ତମେ ପାଗଳାମି କହିପାର । ତଥାପି ମୁଁ ସତରେ ତମକୁ ଦେଖୁଥିଲି । ଦେଖୁଥିଲି ଭଲପାଇବାର ମଣିଷ ପାଖରେ ତମେ ଅନ୍ଧ ହୋଇପାରୁଛ କି’ନା–କିନ୍ତୁ ଦେଖିଲି ତମେ ଖୁବ୍ କନସସ୍ ନିଜ ବିଷୟରେ ଏବଂ ମୋ ପ୍ରତି ତମର ବିଶ୍ଵାସ ମଧ୍ୟ ସେତେ ଦୃଢ଼ ନୁହେଁ । ହୁଏତ ତମେ ମତେ ବିଶ୍ଵାସ କରି ନଥିଲ ସେଇ ମୁହୂର୍ତ୍ତରେ । ମୋର ମନେ ହୋଇଥିଲା ଯେଉଁ ଝିଅ ଭଲପାଇ ବିଶ୍ଵାସ କରିପାରୁନି ତାକୁ ନେଇ ସାରା ଜୀବନ କେମିତି ବିତେଇବି ! କିନ୍ତୁ ବିଶ୍ୱାସ କର ସେଇ ମୁହୂର୍ତ୍ତରେ ମୁଁ ତୁମକୁ ଖୁବ୍ ବେଶୀ ଚାହୁଁଥିଲି । ମୁଁ ଅନେକ ବେଶି ଇମୋଶ୍‌ନାଲ–ବା ଏକ୍‌ସାଇଟେଡ଼୍ ହୋଇ ପଡ଼ିଥିଲି । ଗୋଟିଏ ନିର୍ଦ୍ଦିଷ୍ଟ ମୁହୂର୍ତ୍ତର ପ୍ରେମ । ଭଲପାଇବା ବାରମ୍ବାର ଫେରି ଆସେନା କିମ୍ବା ତାହା ଯଦି ସୁନ୍ଦର ଚିରନ୍ତନ ଅନୁଭୂତିରେ ରୂପ ନ ପାଏ ତେବେ ତା’ର ମୂଲ୍ୟ ଆଉ ରହିଲା କ’ଣ ଜୀବନରେ ? ଗୋଟିଏ ସ୍ଥିର କରା ରାତିରେ, କୃତିମ ଅତରଲଗା ବିଛଣାରେ ଫୁଲର ମଶାରି ଭିତରେ ଜବରଦସ୍ତ ଦେହକୁ ଦେହରେ ମିଶାଇ ଦେବାରେ କିଛି ମାନେ ହୁଏନା । ସମୁଦ୍ରକୂଳର ସେଇ ମାତାଲ ପରିବେଶରେ ଝାଉଁବଣର ଆଓ୍ୱାରୀ ଭିତରେ । ଏକ ସୁନ୍ଦର ନିର୍ଜନତା ଭିତରେ ତମେ ମତେ ଓଠରେ ଓଠ ଛୁଇଁବାକୁ ଅନୁମତି ଦେଇଥିଲି । ଅନୁମତି ଦେଇଥିଲ ତମକୁ ନିଜ ଛାତିରେ ମିଶେଇ ଦବାକୁ । କିନ୍ତୁ ଯେତେବେଳେ ସାମାନ୍ୟ ପାଦେ ମୁଁ ଆଗେଇ ଗଲି, ତମେ ଭାବିଲ ମୁଁ ବନ୍ୟ ହୋଇଯାଉଛି, ଅସଭ୍ୟ ହୋଇଯାଉଛି । ଏହା କ’ଣ ମୋ ପ୍ରତି ତମର ବିଶ୍ଵାସ ! ତମର ଭଲପାଇବା ? ଗୋଟିଏ ସ୍ଥିର କରା ରାତିରେ ହୁଏତ ତମକୁ ସ୍ପର୍ଶ କରିବାକୁ ମୋର ଇଚ୍ଛାବି ନ ହୋଇପାରେ । କିନ୍ତୁ ସମୁଦ୍ରକୂଳର ସେଇ ଅନୁଭୂତି ତ ମିଛ ନୁହେଁ । ଦେହକୁ ବାଦ ଦେଇ କେବଳ ମନକୁ ନେଇ କିଏ କେଉଁଠି ଭଲପାଇଲାଣି ? କୃଷ୍ଣ ପ୍ରେମ କ’ଣ ବିଦେହୀ ? ଭୁଲ୍ ବୁଝିବନି ପ୍ଲିଜ୍ । ମୁଁ ନାଚାର ।”

ଜୟିତା ନିର୍ଜନତାରୁ ରକ୍ଷା ପାଇବାପାଇଁ ବେଳେ ବେଳେ ପ୍ରିୟତୋଷର ଫଟୋ ଦେଖେ, ଚିଠି ପଢ଼େ । କିନ୍ତୁ ସେ ପ୍ରିୟତୋଷ ପାଇଁ ଏ ଦୁଇବର୍ଷ ଭିତରେ ବେଶି ଯନ୍ତ୍ରଣା ପାଇନି । ଦୁଃଖ ଦେହସୁଆ ହୋଇ ଗଲାଣି । ହୁଏତ ସେ ଇଚ୍ଛା କଲେ ପ୍ରିୟତୋଷଠାରୁ ଆହୁରି ଭଲ କ୍ୟାଣ୍ଡିଡ଼େଟ୍‍ଟିଏ ପାଇପାରିବ । କିନ୍ତୁ ତା’ର ଏଇ ବର୍ତ୍ତମାନର ନିର୍ଜନତା ଏବଂ ଅସହାୟତା କ’ଣ ବିବାହ ପରେ ଦୂର ହୋଇପାରିବ ! ଅଥଚ ସେ ନିର୍ଜନତାକୁ ଭଲପାଏ । ପିଲାଦିନରୁ ଏକୁଟିଆ ଚୁପ୍‌‌ଚାପ୍ ରହିବା ତା’ର ସଉକ । କିନ୍ତୁ ଏତେଟା ନିର୍ଜନତା ! ବେଳେ ବେଳେ ଏଇ ପାହାଡ଼ ଇଲାକାରେ ବର୍ଷା ହେଲେ ନିଜ କୋଠରୀର କବାଟ ଝର୍କା ବନ୍ଦ କରି ଜୟିତା ନିଜ ସହିତ ଗପେ । ନିଜକୁ ପ୍ରଶ୍ନ କରେ କିଏ କାହାକୁ ନିର୍ଜନରେ ଛାଡ଼ି ଦେଇଗଲା ? ସେ ନା ପ୍ରିୟତୋଷ ! କିଏ କାହାପାଇଁ ଦେଇଗଲା ଅନୁରାଗର ଆବେଗ ଓ ଧ୍ୟାନମଗ୍ନତା ସେ ନା ପ୍ରିୟତୋଷ । ହୁଏତ ସେ ନିଜର ଏଇ ନିର୍ବାସିତ ଜୀବନପାଇଁ ଦାୟୀ । କାରଣ ସେ ଇଚ୍ଛାକରି ସେ ବିବାହ କରୁନି ଓ କୋଳାହଳ ହୋଇପାରୁନି ।

କିନ୍ତୁ ସ୍କୁଲର ଇଂରାଜୀ ଦିଦି ଅସୀମା ଦାସ କହନ୍ତି, ‘‘ବେଳେ ବେଳେ ଇଚ୍ଛା ହୁଏ ଏଇ ସଂସାର, ସ୍ଵାମୀ ପିଲାଛୁଆ ସମସ୍ତେ ସ୍ୱାର୍ଥପର । ମୁଁ ଏକୁଟିଆ ଆସିଛି, ଯିବି ମଧ୍ୟ ଏକାଟିଆ । ମୋ କଥା କିଏ ବୁଝେ ? କିଏ ଶୁଣେ ? ଅଥଚ ଅସୀମା ଦାସଙ୍କୁ ଜଣେ ସୁଖୀ ଗୃହିଣୀ ବୋଲି ଜାଣିଛି । ସ୍ଵାମୀ ଏଇ ପାହାଡ଼ି, ଇଲାକାରେ ଜିଓଲଜିଷ୍ଟ । ଅସୀମା ଦାସ ସୁନ୍ଦରୀ । ଦୁଇଟି ଛୋଟ ପିଲା । ଭାରତର ଅନେକ ଜାଗା ବୁଲିଛନ୍ତି ସେ । ତେବେ ତାଙ୍କ ମନରେ ନିର୍ଜନତା ଏତେ ଅନ୍ତରଙ୍ଗ କାହିଁକି-? ପ୍ରିୟତୋଷ ମଧ୍ୟ ଜୟିତାର ସେଣ୍ଟିମେଣ୍ଟ୍ ବୁଝିପାରିଲାନି । ତେବେ ଦୁନିଆରେ କିଏ ସ୍ଵାର୍ଥପର ? ସମସ୍ତେ ।

ଅଳ୍ପଦିନ ଆଗରୁ ବୋଉ ଚିଠି ଦେଇଛି, ‘‘ସେମାନେ ଫଟୋ ଦେଇ ପସନ୍ଦ କରିଛନ୍ତି ଜୟି । ପିଲାଟି ମିଲିଟାରୀ ଡାକ୍ତର । କାଶ୍ମୀରରେ ରହେ । ତୁ ଯାହା ଭଲପାଉ ସବୁ ପିଲାଟି ପାଖରେ ଅଛି । ତୁ ସୁଖୀ ହେବୁ । ତୋର ମତ ଜଣେଇବୁ ।’’ ଚିଠି ପଢ଼ି ମନକୁ ମନ ହସିଥିଲା ଜୟିତା । ବୋଉ ଜନ୍ମ ଦେଇଛି ବୋଲି କ’ଣ ଜାଣିପାରୁଛି ଜୟିତା କେଉଁଥିରେ ସୁଖୀ ହେବ ! ଅନ୍ୟର ହୃଦୟ ପାଖରେ ପହଞ୍ଚି ପାରିଲା ଭଳି ଶକ୍ତି କ’ଣ ମଣିଷର ଅଛି ! 'କାହିଁ ପ୍ରିୟତୋଷ ତ ଜୟିତାର ହୃଦୟକୁ ବୁଝିପାରିଲାନି । ସେ ଡାକ୍ତର ପିଲାଟି କ’ଣ ବୁଝିପାରିବ ! ଜୟିତା ଯଦି ସୁଖୀ ନ ହୁଏ ତେବେ ବୋଉ କ’ଣ କରିପାରିବ ?

ମଣିଷ ସବୁବେଳେ ଭୟ କରେ ତା’ର ମନକୁ, ମନର କଥାକୁ । ନିଜର ମନର କଥାକୁ ଅକୁଣ୍ଠିତଭାବେ ପ୍ରକାଶ କରି ପ୍ରିୟତୋଷ ଦୂରେଇଗଲା ଏବଂ ଜୟିତା ପ୍ରକାଶ କରି ନ ପାରି ଜୀବନର ଶାନ୍ତିଭଙ୍ଗ କଲା । ତେବେ ଜୟିତା କ’ଣ ଭୁଲ୍ କରିଛି ? ଏଇ ଉତ୍ପୀଡ଼କ ଭୟଙ୍କର ଶୂନ୍ୟ ନିର୍ଜନତା ଭିତରେ ଜୟିତାଭାବେ–ସେଦିନ ସମୁଦ୍ରକୂଳର ସେଇ ଶୂନ୍‍ଶାନ୍ ଓ ଇମୋଶନ୍ ଭିତରେ ପ୍ରିୟତୋଷକୁ ଦେହ ଦାନ କରି ତା’ର ଅଗ୍ନି ପରୀକ୍ଷାରେ ଜୟଲାଭ କରିଥିଲେ ହୁଏତ ସମସ୍ୟାର ସମାଧାନ ହୋଇପାରିଥାନ୍ତା । ଜୟିତା ତାର ଦେହ ମନ ପରେ ଏଇ ତୃତୀୟ ନିଃସଙ୍ଗ ସତ୍ତାକୁ ନେଇ ଏତେ ବ୍ୟଥିତ ହେଉ ନଥାନ୍ତା । ପ୍ରିୟତୋଷକୁ ସ୍ଵାମୀ ରୂପରେ ପାଇ ହୁଏତ ସେ ହୃଦୟର ସୁଦୀର୍ଘ ଗୀତିକାବ୍ୟରେ ପୂର୍ଣ୍ଣଚ୍ଛେଦ ଟାଣିଦେଇ ଥାନ୍ତା । କିନ୍ତୁ...ଚାରି କାନ୍ଥର ଆବେଷ୍ଟନୀ । ସ୍ଵାମୀ ସ୍ତ୍ରୀର ଗତାନୁଗତିକ ଜୀବନ ଭିତରେ ପ୍ରିୟତୋଷ ଆଉ ଜୟିତା କ’ଣ ଏକ ସୁନ୍ଦର ପ୍ରେମିକ ପ୍ରେମିକା ହୋଇ ରହିପାରିଥାନ୍ତେ ! ଆଜି ସେମିତି ଏଇ ଅସହ୍ୟ ନିର୍ଜନତା ଭିତରେ ବି ପ୍ରିୟତୋଷ ଏକ ସୁନ୍ଦର ଭାବନା, ଏକ ସୁନ୍ଦର ଅନୁଭୂତି ହୋଇ ଏକ ସମୁଜ୍ଜ୍ଵଳ ମୁକ୍ତା ପରି ଜୟିତାର ହୃଦୟ ଶାମୁକାରେ ଝଲସି ଉଠୁଛୁ । ସେତିକି ଗୌରବ କ’ଣ ସେ ସେଇ ସଂସାର ଭିତରେ ପାଇପାରିଥାନ୍ତା-! ଟେନିସନ୍ ସତ କହିଛନ୍ତି–

‘‘ଇଟ୍ ଇଜ୍ ବେଟର ଟୁ ହେଭ୍, ଲଭଡ଼୍ ଏଣ୍ଡ ଲଷ୍ଟ୍

ଦେନ୍ ନେଭର ଟୁ ହେଭ୍ ଲଭଡ଼୍ ଏଟ୍ ଅଲ୍ ।”

 

ହୁଏତ ଜୟିତା ବି ଦିନେ ଅସୀମା ଦାସଙ୍କ ପରି ବୋର୍ ହୋଇ କହିଥାନ୍ତା ‘ମୋର ନିର୍ଜନତା ଦରକାର’ । ତେବେ ନିର୍ଜନତା କ’ଣ ସଞ୍ଜୀବନୀ ! ଦକ୍ଷିଣା ସମୀରର ଚପଳତାର ସ୍ପର୍ଶପରି ସେ ସବୁ ମଣିଷକୁ ଥରେ ଥରେ ଛୁଇଁ ଦେଇଯାଏ । ସତରେ ଆମେ ସମସ୍ତେ ଅଳ୍ପ ବହୁତେ ନିର୍ଜନ ।

 

ଅପରାହ୍ନର କୋମଳ ଆଲୁଅରେ ଜନବିରଳ ରାସ୍ତାଟା ଦିଶୁଛି ରୂପକଥାର ରହସ୍ୟମୟ ପଥପରି । ଦୁଇପାଖେ ପାହାଡ଼ । ଗୋଟାଏ ଏକୁଟିଆ ସ୍କୁଟର ଜୟିତାର ପାଖଦେଇ ଶବ୍ଦ କରି ଚାଲିଗଲା । ଜୟିତା ଚମକିଲା । .ଆରେ ! ନିଜର କ୍ଵାଟର ଛାଡ଼ି ସେ ଅନେକ ବାଟ ଆଗେଇ ଆସିଲାଣି । କିନ୍ତୁ ଠିକ୍ କରିପାରିନି ତା’ର ଗନ୍ତବ୍ୟ । ଏଇ ଲମ୍ବା ରାସ୍ତାଟା ଏମିତି ନିର୍ଜନ । କେତେବେଳେ କାଁ ଭାଁ ବସ୍, ଲରି ବା ସ୍କୁଟର ଚାଲିଯାଏ ଦୁଇ କିଲୋମିଟର ଦୂରରେ ଥିବା ବଜାର ଆଡ଼କୁ । ସେଠି ଅଛି କଲେଜଟିଏ, ହାଇସ୍କୁଲ, ଛୋଟ ବଡ଼ ଦୋକାନ, କୋଇଲା ଡିପୋ, କାଠଗୋଲା ଆଉ ସର୍ବୋପରି ଛୋଟ ସିନେମା ହଲ୍‍ଟିଏ । ଜୟିତା ପ୍ରତିଦିନ ଏଇ ରାସ୍ତାତକ ପାର ହୋଇଯାଏ ସରକାରଙ୍କ ତରଫରୁ ନୂଆ ହୋଇ ତିଆରି ହୋଇଥିବା ଆଦିବାସୀ ସ୍କୁଲକୁ । ଛୋଟ ଛୋଟ ଆଦିବାସୀ ପିଲାକୁ ପାଠ ପଢ଼େଇ ସେ କିଛି ସମୟପାଇଁ ଭୁଲିଯାଏ ତା’ର ନିର୍ବାସନର ଯନ୍ତ୍ରଣା । ତା’ର ନିର୍ବାସନର ପୃଥିବୀ କିଛି ସମୟ ପାଇଁ କୋଳାହଳରେ ଥରିଉଠେ; କିନ୍ତୁ ଏବେ...ଏଇ ମୁହୂର୍ତ୍ତରେ ଜୟିତା ଯିବ କେଉଁଠିକୁ : ଅସୀମା ଦିଦିଙ୍କ ଘରକୁ ନା ଫୁଲ ପାଖକୁ । ନା–ଜୟିତା ସେ ସବୁ ଅଯଥା କୋଳାହଳକୁ ଯାଇପାରିବିନି । ବରଂ...ବରଂ...ହଁ ମନେପଡ଼ିଲା ଅସୀମା ଦିଦି କହୁଥିଲେ ବଜାରକୁ ଜଣେ ହରଦ୍ଵାର ସନ୍ନ୍ୟାସୀ ଆସିଛନ୍ତି । ହାତ ଦେଖି ସବୁ କହିପାରୁଛନ୍ତି, ଅନେକ ରୋଗର ପ୍ରତିକାର କରିପାରୁଛନ୍ତି । ହୁଏତ ସେ କହିଦେବେ ଜୟିତାର ଅଦୃଷ୍ଟ । ଜୟିତା ଭାବିଲା ରିକ୍ସା ନ ଡାକି ବରଂ ଚାଲି ଚାଲି ଯିବ । ମୋଟେ ତ ଦୁଇ କିଲୋମିଟର ।

ଜୟିତା ଦେଖିଲା ସିନେମା ହଲ୍‌ର ଟିକେ ଆଗକୁ ରାସ୍ତାର ଗୋଟିଏ ପଟେ, ତାଳ ବରଡ଼ାର ଚାଳିଟିଏ କରି କମଳ ଆସନରେ ବସିଛନ୍ତି ହରଦ୍ଵାର ସନ୍ନ୍ୟାସୀ । ଅର୍ଦ୍ଧନିମୀଳିତ ନେତ୍ର, ବାବୁରି ବାଳ, ରୁଦ୍ରାକ୍ଷ ମାଳା, ସିନ୍ଦୂରର ମସ୍ତବଡ଼ କଲି । କେଇହାତ ଦୂରରେ ଛିଡ଼ାହୋଇ ଜୟିତା ଲକ୍ଷ୍ୟକଲା, ପ୍ରାୟ ଦଶ ପନ୍ଦର ଜଣ ଲୋକ ଘେରି ଯାଇଛନ୍ତି ସନ୍ନ୍ୟାସୀକୁ । ଜଣେ ଯୁବକ ଚକା ଆସନରେ ସନ୍ନ୍ୟାସୀଙ୍କର ଠିକ୍ ସମ୍ମୁଖରେ ବସିଛନ୍ତି । ପାଖରେ ଅଳ୍ପବୟସୀ ସ୍ତ୍ରୀଲୋକ ଜଣେ । ଯୁବକ ଭଦ୍ରଲୋକଙ୍କର ଧର୍ମପତ୍ନୀ ହେବେ ବୋଧହୁଏ । ଜୟିତା କୌତୁହଳୀ ହୋଇ ଆଗେଇ ଆସିଲା ଅପରାହ୍ନ ଆକାଶରେ ଜଳଭାରହୀନ ମେଘଖଣ୍ଡ କେଇଟି । ଶରତ ଋତୁ ଏବେ । ଜୟିତା ଏ ସବୁରେ କୌଣସି ଦିନ ବିଶ୍ଵାସ କରୁ ନଥିଲା । ତଥାପି ମନରେ କୌତୁହଳକୁ ସବୁବେଳେ ଉଚ୍ଚ ଆସନ ଦେଇ ଆସିଛି । ଆଗେଇଗଲା ସେ । ଦୁଇ ପାହୁଣ୍ଡ । ଚାରି ପାହୁଣ୍ଡ । ଅର୍ଦ୍ଧ ନିମୀଳିତ ନେତ୍ରକୁ ଈଷତ୍ ଉନ୍ମୋଚନ କରି ସନ୍ନ୍ୟାସୀ ହିନ୍ଦୀରେ କହୁଥିଲେ, ‘‘ବେଟା, ଶରୀରର ମୁକ୍ତିରେ ଆତ୍ମାର ମୁକ୍ତି । ଦେହର ବନ୍ଧନରୁ ଆତ୍ମାକୁ ଅନନ୍ତ ଆକାଶର ନୀଳିମା ଭିତରେ ହଜାଇଦେ-। ତୋର ସବୁ ରୋଗ ଭଲ ହୋଇଯିବ ।” ଜୟିତା ଚମତ୍କୃତ ହେଲା । ସନ୍ନ୍ୟାସୀଙ୍କର ହିତ ଉପଦେଶ । ତାକୁ ଯେତେ ଭଲଲାଗୁ ନଥିଲା ତାଙ୍କର କହିବା ଭଙ୍ଗୀ ଜୟିତାକୁ ଖୁବ୍ ଆକର୍ଷିତ କରୁଥିଲା । ଜୟିତା ଆଗେଇ ଗଲା କେଇ ପାହୁଣ୍ଡ । ସନ୍ନ୍ୟାସୀ ପୁଣି କହୁଥିଲେ, ‘‘ଆନନ୍ଦରେ ରହ ବେଟା, ଆନନ୍ଦରେ ଶାନ୍ତି, ଆନନ୍ଦରେ ପ୍ରାପ୍ତି, ଆନନ୍ଦରେ ମୁକ୍ତି ।” ଜୟିତା ପୁଲକିତ ହେଲା । ସନ୍ନ୍ୟାସୀ ଏ କ’ଣ କହୁଛନ୍ତି-। ଆନନ୍ଦ ! ଆନନ୍ଦରେ ମୁକ୍ତି ଦେହରେ ଏକ ଶିହରଣ ଖେଳିଗଲା । ଜୟିତା ସେଇ ଖୋଲା ଜାଗାରେ ଛିଡ଼ାହୋଇ ତନ୍ଦ୍ରାଚାରିଣୀ ପରି ଆକାଶକୁ ଚାହିଁଲା । ନୀଳ । ପ୍ରଶାନ୍ତ । ଦିଗନ୍ତବ୍ୟାପୀ-। ଗୁଡ଼ାଏ ପକ୍ଷୀ ଏକତ୍ରିତ ହୋଇ ଡେଣା ଝାଡ଼ି ଉଡ଼ି ଯାଉଛନ୍ତି ଦୂରକୁ । ଦେହଟା ତା’ର କ’ଣ ହୋଇଗଲା । ଏ କି ଅନୁଭୂତି ! ଜୟିତାର ଦେହରେ ଆଉ ମନରେ ! ଆଃ ଏ ତେବେ ସେଇ ଆନନ୍ଦ, ଏଇ ତେବେ ତା’ର ଆତ୍ମାର ଆହ୍ଵାନ । ସବୁ ପରିଚିତ ଶବ୍ଦ ଓ ଭାଷା ହଠାତ୍ ଅର୍ଥହୀନ ମନେହେଲା ତାକୁ । ଏତ ସେଇ ନିର୍ଜନତା, ଏତ ସେଇ ନିର୍ବାସନ । ଏତ ସେଇ ନିଃସଙ୍ଗ ଆତ୍ମାର ଆହ୍ଵାନ । ଏତେଦିନ ଧରି ଯାହାକୁ ଯନ୍ତ୍ରଣାର କଣ୍ଟକବିଦ୍ଧ ବିବର ଭାବି ଆସିଛି । ସେ ତ ତା’ର ଆତ୍ମାର ଆନନ୍ଦ, ତା’ର ଶାନ୍ତି, ତା’ର ମୁକ୍ତି । ତା’ର ପୁଣି ଏଡ଼େ ମହନୀୟ ରୂପ ! ତେବେ ତା’ ଜୀବନରେ ଶୂନ୍ୟତା କାହିଁ ? କାହିଁ ନିର୍ଜନତା ! ସବୁ ମିଛ । ମନେଅଛି ପ୍ରିୟତୋଷ ଥରେ କହିଥିଲା, ‘‘ମଣିଷ ବଞ୍ଚେନାହିଁ କେବଳ ଦେହରେ । ସାର୍ଥକଭାବେ ସେ ବଞ୍ଚିରୁହେ ତା’ର ସ୍ଵପ୍ନ ଆଉ ଦେବତା ଭିତରେ-।”

ଜୟିତାକୁ ସନ୍ନ୍ୟାସୀଙ୍କର କଥାସବୁ ଏକ ସୁମଧୁର ସଙ୍ଗୀତ ପରି ଶୁଭୁଥିଲା । ନା...ଜୟିତା ଆଉ ନିଜକୁ ନିର୍ବାସିତା ଭାବିବନି । ନିର୍ଜନତାକୁ ଭୟ କରିବନି । ନିଃସଙ୍ଗତାକୁ ଭୟ କରିବନି କିମ୍ବା ଯନ୍ତ୍ରଣା ଭାବିବନି । ସେ ଭଲପାଇବ ପୁଣିଥରେ ନୂଆ କରି ଏଇ ପାହାଡ଼ଘେରା ଛୋଟ ସହରକୁ । ଏଇ ଆକାଶକୁ । ଏଇ ମିଠା ଗୀତ ଗାଉଥିବା ପକ୍ଷୀମାନଙ୍କୁ ଏଇ ଚାରିପାଖର ପ୍ରକୃତିକୁ ।

ଜୟିତାକୁ ଲାଗୁଥିଲା ସେ ଯେପରି ମୁଠାଏ ଶୁଖିଲା ପତ୍ର ହୋଇଯାଇଛି । ସାମାନ୍ୟ ସ୍ପର୍ଶରେ ଉଡ଼ିଯିବ ଦୂରକୁ । ଶେଷ ପାହୁଣ୍ଡ ଆଗେଇ ଯାଇ ଜୟିତା ନଇଁ‌ଗଲା । ତାଳବରଡ଼ାର ଚାଳି ମୁଣ୍ଡରେ ବାଜିପାରେ । ଵିଘ୍ନ ହୋଇପାରେ ସେଠିକାର ନିର୍ଜନତା । ଘେରି ରହିଥିବା ଦୁଇ ଚାରିଜଣ ସ୍ତ୍ରୀଲୋକଙ୍କ ଭିତରେ ନିଜକୁ ହଜାଇ ଦେଲା ସେ ।

Image

 

Unknown

ସ୍ମୃତିର ଧ୍ରୁପଦୀ

 

ପପି......

 

ଭୀଷଣଭାବେ ଚମକି ଉଠିଲି ମୁଁ । ଅଭ୍ୟସ୍ତ ଚେତନା ମୋର ଚହଲିଗଲା ହାତ ସମେତ ଇଂରାଜୀ ମ୍ୟାଗାଜିନ୍ ହୁଏତ ଥରିଉଠିଲା । ଭୁଲ୍ ଶୁଣିଲି କି ? ପାଟନା ଜଂସନର ଗହଳି ଭିତରେ କିଛି ଗୋଟାଏ ଭଲକରି ଶୁଣିବା କାଠିକର ପାଠ । ଦିଲ୍ଲୀ ଏକ୍ସପ୍ରେସ ଆସିବାକୁ ଆହୁରି ଦେଢ଼ଘଣ୍ଟା ବାକି । ଶୁଭେନ୍ଦୁ ରେଲୱେ ବୁକ୍‍ଷ୍ଟଲ୍‍କୁ ଯାଇଛନ୍ତି କିନ୍ତୁ ତାଙ୍କର ଏତେ ଡେରି କାହିଁକି । ଦେଢ଼ଘଣ୍ଟା ପ୍ଳାଟଫର୍ମରେ ଛିଡ଼ା ହୋଇ ପାଦକୁ କଷ୍ଟ ଦେବା ଅପେକ୍ଷା ୱେଟିଂରୁମ୍‌ରେ ମ୍ୟାଗାଜିନ୍‌ରେ ଡୁବିଯିବା ଅନେକ ଭଲ । ଠିକ୍ ଦର୍ଜା ପାଖକୁ ଲାଗି ସୋଫାଟାରେ ରିଲାକ୍‌ସ କରୁଥିଲି । ଦୂରଗାମୀ କାଁ ଭାଁ କେଇଜଣ ଯାତ୍ରୀଙ୍କ ଛଡ଼ା ଆଉ ସେଠାରେ କେହି ନଥିଲେ ।

 

ପପି......

 

ପୁଣି ସେଇ ଡାକ । ମୃଦୁ ଅଥଚ ସ୍ପଷ୍ଟ । ପାଟନା ପରି ସମ୍ପୂର୍ଣ୍ଣ ଅପରିଚିତ ତଥା ଅଣଓଡ଼ିଆ ଜାଗାରେ ମୋ ନାଁଟା କିଏ କେମିତି ଜାଣିଲା । ଶୁଭେନ୍ଦୁ ତ ଫେରିନାହାନ୍ତି ।

 

ପପି......ଚମକି ଚାହିଁଲି । ଠିକ୍ ମୋଠାରୁ ଚାରିଫୁଟ ଛାଡ଼ି ଜଣେଲୋକ । କେଉଁଠି ଦେଖିଛି କେବେ...କେଉଁଠି ! ଏ ମୁହଁ, ଏ ଚାହାଁଣି ଏ ଭାବଭଙ୍ଗୀ ମୋର ପରିଚିତ । କେଉଁଠି କେଉଁଠି.....ଧୀଲନ୍ ଭାଇ...ସ୍ମୃତିର ଶାମୁକା ମୋର ଫିଟିଗଲା । ଆଖି ମୋର ବିସ୍ମୟରେ ଭରପୂର । ଦୁନିଆର କୌଣସି ଏକ ଆଶ୍ଚର୍ଯ୍ୟ ସହିତ ମୁଁ ଯେମିତି ମୁହାଁମୁହିଁ ହେଉଥିଲି । ଅନେକ.....ଅନେକ ବର୍ଷ ପରେବି ଛାତିତଳେ ସାଇତା ଥିବା ଏକ ପରିଚିତ ମୁହଁକୁ ମୁଁ ଠିକ୍ ଚିହ୍ନି ପାରିଥିଲି ।

 

‘‘ଚିହ୍ନିପାରିଲୁ ତାହେଲେ । ଭାବିଥିଲି ହୁଏତ ପାରିବୁନି । ଗୁଡ଼ାଏ ବର୍ଷ ମାସର ବ୍ୟବଧାନ ତ ।’’ ଧୀଲ୍‌ନଭାଇ ସେମିତି ବହୁବର୍ଷ ପରେ ପରିଚିତ ହସ ହସୁଥିଲେ । ମୁଁ କିନ୍ତୁ ଆବେଗ ଆଉ ବିସ୍ମୟରେ ଚାହିଁଥିଲି କେଇ ହାତ ଦୂରରେ ଛିଡ଼ା ହୋଇଥିବା ଧୀଲନ୍ ଭାଇଙ୍କୁ । କାନର ଦୁଇପଟେ କେଇଟା ରୂପେଲୀ କେଶ, ଆଖି କେଉଁ କୋଟରରେ । ଦେହରେ ସାଧାରଣ କନାର ଫତୁଆ । ସାତସିଆଁ ଟ୍ରାଉଜର । ରଙ୍ଗ ଅନେକ ମହଳଣ ପଡ଼ିଗଲାଣି । ପାଖରେ ଗୋଟିଏ ଠେଲାଗାଡ଼ିରେ ଅନେକ ପ୍ରକାରର ଫଳ । ମୋର ନିଜର ଅଜାଣତରେ ମୁଁ ୱେଟିଂ ରୁମ୍‌ର ନରମ ସୋଫାରୁ ଉଠିଆସି ଛିଡ଼ା ହୋଇଥିଲି । ସେଇ ଠେଲା ଗାଡ଼ିରେ ହାତରଖି ଛିଡ଼ା ହୋଇଥିବା ଧୀଲନ୍ ଭାଇଙ୍କ ପାଖରେ ।

 

ମନେପଡ଼ୁଥିଲା ଦଶବର୍ଷ ତଳର ଧୀଲନ୍ ଭାଇଙ୍କୁ । ଗୋରା ତକ୍‌ତକ୍ ଦେହ । କଳା ମ‌ଚ୍‌ମଚ୍ ଗୋଛାଏ କେଶ । ବଡ଼ ସ୍ଵପ୍ନ ବିଭୋର ଆଖି । ତୀକ୍ଷ୍ଣ ନାକ । ଆଉ ତା’ତଳକୁ ମୋଟା ଧାରେ ନିଶ । ଅସମ୍ଭବ ଡେଙ୍ଗା ଥିଲେ ବୋଲି ଦୁଆର ବନ୍ଧରେ ନଇଁ ନଇଁ ଯିବାକୁ ପଡ଼େ । ଅନେକ ଥର ଧୀଲନ୍ ଭାଇ କହିଛନ୍ତି, ‘‘ପପି, ତମର ଏ ଦୁଆର ସବୁ ଆଉ ଟିକେ ଉଚ୍ଚା କରନ୍ତ ନାଇଁ । କେତେ ନ‌ଇଁବି କହିଲୁ ।”

 

କିନ୍ତୁ ଆଜି.....ସେଇ ଧୀଲନ୍ ଭାଇ ଅଛନ୍ତି । କିନ୍ତୁ ଦେହରେ ସେ ରଙ୍ଗର ଚମକନାହିଁ, ଆଖିରେ ସେ ସ୍ଵପ୍ନ ବିଭୋରତା ନାହିଁ । ଆଜିର ଧୀଲନ୍ ଭାଇ କାରୁଣ୍ୟର ଏକ ନୁଆଁଣିଆ ସ୍ତୂପ ଯେମିତି । ଅନେକ ବର୍ଷ ପରେ ଧୀଲନ୍ ଭାଇଙ୍କର ଏ ବିକଳ ରୂପ ଦେଖି ଆଖିରେ ଲୁହ ଜମି ଆସୁଥିଲା । ସେହି ଲୁହରେ ପହଁରି ଆସୁଥିଲା ଦଶବର୍ଷ ତଳର ଅତୀତଟା । ଫିଟି ଯାଉଥିଲା ଗୋଟେ କ୍ଳୋଜଡ଼୍‍ ଚାପ୍‌ଟର ।

 

ଜ୍ଞାନ ହେବା ପରଠୁ ଜାଣିଥିଲି ଧୀଲନ୍ ଭାଇ ଅନାଥ । ପିତାମାତାଙ୍କର ଅକାଳ ମୃତ୍ୟୁ ପରେ ବାପା ଧୀଲନ୍ ଭାଇଙ୍କୁ ମଣିଷ କରିଥିଲେ । ପାହାଡ଼ସିଂ ବଂଶର ବିଶ୍ୱସ୍ତ ଗୁମାସ୍ତା ଥିଲେ ଧିଲନ୍‌ ଭାଇଙ୍କ ବାପା । ମୋ ବୋଉ ପୁଅ ପରି ଦେଖେ ତାଙ୍କୁ । ବାପା ଅଶେଷ ସ୍ନେହ କରନ୍ତି । ଧୀଲନ୍‌ ଭାଇ ବୋଲି ମୁଁ ପାଗଳ ହୁଏ । କିନ୍ତୁ ଅପା...ମୋଠାରୁ ପାଞ୍ଚବର୍ଷ ବଡ଼ । ଅପା ଆଉ ଧୀଲନ୍ ଭାଇଙ୍କ ଭିତରେ ଗୋଟିଏ ଅଜଣା ଅଦେଖା ସମ୍ପର୍କ ଯେ ରହିଛି, ତାହା କେବଳ ସେ ଦୁଇ ଜଣ ଜାଣିଥିଲେ । ତେଣୁ ଅପା ଭିନ୍ନ ଆଖିରେ ଦେଖୁଥିଲା ତାଙ୍କୁ । ପାହାଡ଼ସିଂ ବଂଶର ଆତ୍ମା ସହିତ ଏକାତ୍ମ ହୋଇଯାଇଥିଲେ ଧୀଲନ୍ ଭାଇ । ଯେହେତୁ ବାପା ବୋଉ ଅପୁତ୍ରିକ ଥିଲେ । ଦୁଇଟି ଦୀପ ପାଖରେ ଘୂରିବୁଲୁଥିବା ଏକ ପରିଚିତ ପତଙ୍ଗ ଥିଲେ ଧୀଲନ୍ ଭାଇ । ଅସମ୍ଭବ କୃତି ଛାତ୍ର । ସେଥିପାଇଁ ବାପା ତାଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରି ଆଲ୍ଲାହାବାଦ୍‌ରେ ପଢ଼ଉ ଥିଲେ । ମନସ୍ତତ୍ତ୍ଵର ଛାତ୍ର ଥିଲେ ସେ ।

 

ଛୁଟିରେ ଘରକୁ ଆସିଲେ ଅନେକଗୁଡ଼ିଏ ପ୍ୟାକେଟ୍ ମୋ ହାତକୁ ବଢ଼େଇ ଦେଇ ଧୀଲନ୍ ଭାଇ ଚୁପି ଚୁପି କହନ୍ତି, ‘‘ଆଚ୍ଛା ପପି ଡିଅର, ତୋ ଅପା କ’ଣ ମୋ ଉପରେ ରାଗିଛି କି ? ଏଥର କାହିଁ ଜମା ଚିଠି ଦେଇନି । କ’ଣ ପରୀକ୍ଷା ପାଇଁ, ବ୍ୟସ୍ତ ଅଛି !” ଲିପି ଅପା ଆଉ ମୁଁ ଥିଲୁ ବଂଶର ଦୁଇଟି ଦୀପ । ତେଣୁ ଧୀଲନ୍ ଭାଇଙ୍କର ଏଇ କଥାରେ ଆଖି ମୋର ବିସ୍ମୟରେ ବଡ଼ ହୋଇ ଆସେ । ଅପା ରାଗିଲେ ଧୀଲନ୍ ଭାଇ ଦୁଃଖ ପାଆନ୍ତି କାହିଁକି ? କିଛି ସମୟ ପରେ ସବୁ ବୁଝିଲା ପରି ଫିକ୍‌କରି ହସିଦିଏ ମୁଁ । ଅପ୍ରସ୍ତୁତ ହୋଇପଡ଼ନ୍ତି ଧୀଲନ୍ ଭାଇ । ପରମୁହୂର୍ତ୍ତରେ ମୋ ନାକଟାକୁ ଖୁବ୍ ଜୋର୍‍ରେ ଟିପିଦେଇ କହନ୍ତି, ‘‘ଭାରି ଫାଜିଲ୍ ହୋଇ ଗଲୁଣି ନା–ରହ ମାଉସୀଙ୍କୁ କହୁଛି । ପପି.. ପପି ନା ଛେନା...” ହସି ହସି ଦୌଡ଼ି‌ ପଳାଏ ମୁଁ ଅପା ପାଖକୁ । ଦେଖେ ଅପାର ମୁହଁ ଆନନ୍ଦରେ ଉଜ୍ଜ୍ୱଳ ଉଚ୍ଛଳ ହୋଇଯାଉଛି ।

 

ଦୁହିଁଙ୍କର ଦୁଇଟି ହସିଲା ମୁହଁ ମୋ ପାଖରେ ଏକ ଅବୁଝା ଅଙ୍କ ପରି ରହିଯାଏ ।

 

ଥରେ ଅପାକୁ ପଚାରିଥିଲି । ‘‘ତୁ ଧୀଲନ୍ ଭାଇକୁ ବାହା ହେବୁକି ଅପା ।” ଚମକିପଡ଼ି ଅପା ଦୁଇ ହାତରେ ମୋ ମୁହଁକୁ ଚାପି ଧରିଥିଲା, ଅସ୍ପଷ୍ଟ କଣ୍ଠରେ କହିଥିଲା, ‘ଚୁପ୍ ବୋଉ ଶୁଣିବ’’; କିନ୍ତୁ ଅପାର ଟଣା ଟଣା ଆଖି ଦୁଇଟାରେ କେଇ ବିନ୍ଦୁ ଲୁହ ଟଳ ଟଳ ହୋଇଥିଲା । ଅପା ପାଖରେ ଶୋଇ ଲୁହକୁ ତା’ର ଦୁଇହାତରେ ପୋଛିଦେଇ ମୁଁ ସେଇ ବୟସରେ ବୁଝିପାରିଥିଲି, ଅପା ସତରେ ବାହା ହେବାକୁ ଚାହେଁ ଧୀଲନ୍ ଭାଇଙ୍କୁ ।

 

ମନେ ଅଛି, ଧୀଲନ୍ ଭାଇ ଥରେ କହିଥିଲେ, ‘‘ଯଦି ମୋର ଗୋଟାଏ କାମ କରିଦବୁ, ସୁନାଟା ଏଥର ଆଲ୍ଲାହାବାଦ ଗଲେ ତୋପାଇଁ ଗୋଟେ ସୁନ୍ଦର ଭ୍ୟାନିଟି ବ୍ୟାଗ୍ ଆଣିଦେବି l ତୁ ସ୍କୁଲ ନେଇ ଯିବୁ । କହ କରିଦେବୁ ।”

 

ପଚାରିଲା ଆଖିରେ ଚାହିଁଥିଲି । ‘‘ତୋ ଅପାର ସବୁଠୁ ଭଲ ଫଟୋଟି ମତେ ଲୁଚେଇ ଆଣି ଦବୁ ।” ଧୀଲନ୍ ଭାଇ ଥିଲେ ମୋର ସବୁଠାରୁ ପ୍ରିୟ । ତାଙ୍କପାଇଁ ନିଆଁକୁ ଡେଇଁପଡ଼ିବାକୁ ମଧ୍ୟ ମୋର ଆପତ୍ତି ନଥିଲା । ଆଣିଥିଲି ଅପାର ସବୁଠୁ ଭଲ ଫଟୋଟା, ଅପାକୁ ଲୁଚେଇ । ଆବେଗରେ ସେ ମୋର ଦୁଇ ବାହୁକୁ ଭିଡ଼ି ଧରି କହିଥିଲେ, ‘‘ପପି ଡିଅର୍, ତୋର ଏ ଋଣ ମୁଁ ଜୀବନରେ ସୁଝି ପାରିବିନାହିଁ” ଏବଂ ସେଇ ଫଟୋଟାକୁ ସେ ଆସ୍ତେ ଓଠରେ ଲଗେଇ କହିଥିଲେ, ‘‘ତୋ ଅପା କେତେ ସୁନ୍ଦର, ନା ପପି ?”

 

ସେଦିନର କିଶୋରୀ ମନରେ ମୋର ରୋମାଞ୍ଚ ଜାଗିଥିଲା । ଇସ୍, ଧୀଲନ୍ ଭାଇ କେତେ ଭଲପାଆନ୍ତି ଅପାକୁ ! ଏବଂ ଏମିତି ସୁଖର ମୁହୂର୍ତ୍ତ ସବୁ ଅପସରି ଯାଇଥିଲା । ଏକ ଝଡ଼ର ଆ‌‌ଘାତରେ ସବୁ ସ୍ଵପ୍ନ ସବୁ କଳ୍ପନା ଧୂଳିସାତ୍ ହୋଇଯାଇଥିଲା । ଦୁଇଟି କୋମଳ ନରମ ହୃଦୟକୁ ଅକାଳରେ ନଷ୍ଟ କରି ଦେଇଥିଲା ସେଇ ସର୍ବନାଶୀ ଝଡ଼ । ଯାହା ମଧ୍ୟ ମୋର କିଶୋରୀ ହୃଦୟକୁ ଅପନ୍ତରା କରି ଚାଲି ଯାଇଥିଲା ।

 

ଧୀଲନ୍ ଭାଇ ଶେଷ ପରୀକ୍ଷା ଦେଇସାରି ଆସିଥାନ୍ତି । ଲମ୍ବା ଛୁଟି । ମୁଁ ସବୁବେଳେ ତାଙ୍କ ପାଖେ ପାଖେ ଥାଏ । ଫଇ ଫରମାସ୍ କରୁଥାଏ । ପାଟିରୁ କଥା ବାହାରିଲେ ଦୌଡ଼ିଯାଏ । ସେଦିନ କ’ଣ ଗୋଟାଏ ଉତ୍ସବ ହେଉଥାଏ ଆମ ଘରେ । ପାରମ୍ପରିକ ଉତ୍ସବ । ଆଲୋକ ଝଲ୍‍ମଲ୍ ପାହାଡ଼ ସିଂ ବଂଶର ବିରାଟ ପ୍ରାସାଦଟା ଉତ୍‌ଫୁଲ୍ଲ ହୋଇ ଉଠୁଥାଏ ଯେମିତି । ଉତ୍ସବ ଶେଷରେ ଖାଇବା ଟେବୁଲ୍‍ରେ ଧୀଲନ୍ ଭାଇ କହିଥିଲେ ସେ ଅପାକୁ ବାହା ହେବାକୁ ଚାହାଁନ୍ତି । ବାପାଙ୍କ ହାତ ଅଟକି ଯାଇଥିଲା ପ୍ଲେଟ୍‌ରେ । ଭୟରେ ମୋ ହାତରୁ ପାଣି ଗ୍ଲାସଟା ଖସିପଡ଼ି ଭାଙ୍ଗି ଯାଇଥିଲା । ବୋଉ ଅଚାନକ ଅଘଟଣରେ ନିଥର ହୋଇଯାଇଥିଲା । ଅପାର ମୁଣ୍ଡ ଅନେକ ନଇଁ ଯାଇଥିଲା ତଳକୁ । କିନ୍ତୁ ଧୀଲନ୍ ଭାଇ ଅବିଚଳିତ କଣ୍ଠରେ ସେଇ କଥାର ପୁନରାବୃତ୍ତି କରିଥିଲେ-। ଠିକ୍ ତା’ର ପର ମୁହୂର୍ତ୍ତରେ ବାପାଙ୍କର ପାହାଡ଼ ସିଂ ରକ୍ତ ଚମକି ତାତି ଉଠିଥିଲା । ସେ ଗର୍ଜି ଉଠିଥିଲେ । ‘‘ଗୋଟାଏ ସାମାନ୍ୟ ସାଧାରଣ ଗୁମାସ୍ତା ପରିବାରର ବଧୂ ହେବ ପାହାଡ଼ ସିଂ ବଂଶର ଜ୍ୟେଷ୍ଠା କନ୍ୟା !’’ ଅସମ୍ଭବ, ତା’ ହୋଇ ପାରେନା । ସେଇ ବିପର୍ଯ୍ୟୟ ପରିବେଶରେ ଦାମୀ ପ୍ଲେଟ୍ ସବୁ ବାପାଙ୍କ ହାତର ଆଘାତରେ ଚଟାଣରେ ଅସହାୟ ଭାବରେ ଚିତ୍କାର କରୁଥିଲେ । ସମସ୍ତେ ନିର୍ବାକ, ସମସ୍ତେ ନିସ୍ପନ୍ଦ । ବାପା ତାଙ୍କର ଶେଷ କଥା ଜଣେଇ ଦେଇଥିଲେ–ଧୀଲନ୍ ଭାଇ ଯେମିତି ସେଇ ରାତିରେ ପାହାଡ଼ ସିଂ ପ୍ରାସାଦ ଛାଡ଼ି ଚାଲିଯାଆନ୍ତି । ନ ହେଲେ ତାଙ୍କର ଅନେକ ଦିନରୁ ସାଇତା ଶିକାରୀ ବନ୍ଧୁକ କଥା କହିବ । କ୍ଷୀର ଦେଇ ସେ ଏତେଦିନ ଯାଏ ଗୋଟାଏ ଗୋଖର ପୋଷିଥିଲେ ।

 

ଉତ୍ସବର ଆଲୁଅ ସବୁ ଲିଭି ଯାଇଥିଲା । ଏତେ ବଡ଼ ପ୍ରାସାଦଟା ବିସ୍ମୟରେ ସ୍ତବ୍‍ଧ ହୋଇ ଏକ ଶ୍ମଶାନରେ ପରିଣତ ହୋଇଯାଇଥିଲା । ମୁଁ କିନ୍ତୁ ଶୋଇପାରି ନଥିଲି । ତେରବର୍ଷର କିଶୋରୀ-ପ୍ରାଣ ମୋର ହାହାକାର କରି ଉଠିଥିଲା ଧୀଲନ୍ ଭାଇଙ୍କ ପାଇଁ । ଅପା ପାଇଁ । ବାପାଙ୍କ ଉପରେ ମୋର ଭାରି ରାଗ ହୋଇଥିଲା । ବାପା ଏତେ ଖରାପ ! ସେଇ ରାତିର ଅନ୍ଧକାରରେ ଧୀଲନ୍ ଭାଇ କିନ୍ତୁ ସତରେ ହଜି ଯାଇଥିଲେ । ମୁଁ ଅନେକ କାନ୍ଦିଥିଲି ତାଙ୍କ ପାଇଁ । ଆଉ ଅପା...ମୋ’ରି ଆଖି ସାମନାରେ ରଜନୀଗନ୍ଧା କଢ଼ି ପରି ସତେଜ ଚେହେରାଟା ଦିନ ଦିନ ଧରି ଝରି ଯାଇଥିଲା । ଶେଷରେ ଅପା ଦିନେ ହାର୍ଟଫେଲ୍ କରିଥିଲା । ଅପାର ମଲାଦିନ ମୁଁ କିନ୍ତୁ ଜମା କାନ୍ଦି ନଥିଲି । ମୁଁ ଯେମିତି ଚାହୁଁଥିଲି ଅପା ମରିଯାଆନ୍ତା କି–

 

ସମୟ ଗଡ଼ି ଚାଲିଛି । ମୁଁ ବଡ଼ ହୋଇଛି । ଶିକ୍ଷିତା ହୋଇଛି, ଭଲପାଇ ବିବାହ କରିଛି ମାର୍ଚ୍ଚେଣ୍ଟ୍ ଅଫିସର୍ ଶୁଭେନ୍ଦୁ ଦାସଙ୍କୁ । ଯଦିଓ ସେ ଖ୍ରୀଷ୍ଟଧର୍ମାବଲମ୍ବୀ । ବାପା ପ୍ରତିବାଦ କରିନାହାନ୍ତି । ବୋଉ ଆପତ୍ତି କରିନାହିଁ । ପାହାଡ଼ ସିଂ ରକ୍ତ ଆଜି ଶୀତଳ । ସେଇ ବିରାଟ ପ୍ରାସାଦରେ ଆଜି ଅନେକ ଶିଉଳି ଜମି ଗଲାଣି । ସବୁ ନିଥର । ସବୁ ସ୍ତବ୍‍ଧ । ସେ ସିଂହ ଗର୍ଜନ ଆଉ ନାହିଁ । ସମୟର ଚକ ତଳେ ସବୁ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଇଛି ।

 

ପପି...‘ତୁ ତେବେ କଥା କହିବୁନି...ଧୀଲନ୍ ଭାଇଙ୍କ କଥାରେ ସମ୍ବିତ ଫେରି ପାଇଲି । କିଛି ସମୟ ପାଇଁ ମୁଁ ମୂକ ହୋଇଯାଇଥିଲି ଯେମିତି । ବ୍ୟାଥାତୁର କଣ୍ଠରେ ଧୀଲନ୍ ଭାଇ କହୁଥିଲେ, ‘ତତେ ଖରାପ ଲାଗୁଥିବ ମୁଁ ବୁଝିପାରୁଛି । ଏତେ ବଡ଼ ଷ୍ଟେସନ୍, ଏତେ ଲୋକ ଆଉ ତା’ ମଝିରେ ୱେଟିଂରୁମ୍ ପାଖରେ ମୋ ଭଳି ଏକ ଦୀନ ଦରିଦ୍ର ଫଳବାଲା ସହ କଥା ହେବାକୁ ତତେ ନିଶ୍ଚୟ ଖୁବ୍ ଘୃଣା ଲାଗୁଥିବ । କିନ୍ତୁ ପପି ପାରିଲିନିରେ, ଏତେ ଦିନ ପରେ ତତେ ଦେଖି ମୁଁ ନିଜକୁ ରୋକି ପାରିଲିନି । ଯଦିଓ ତୁ ଖୁବ୍‌ ବଡ଼ ହୋଇଯାଇଛୁ ।’’ ଧୀଲନ୍ ଭାଇଙ୍କ ଆଖିରେ ଲୁହ ଟଳ ଟଳ ହେଉଥିଲା । ପରିସ୍ଥିତି ପାରିପାର୍ଶ୍ୱିକ ଅବସ୍ଥା ସବୁ ଭୁଲିଯାଇ ପାଗଳୀଙ୍କ ପରି ମୁଁ ତାଙ୍କ ହାତ ଦୁଇଟା ଚାପି ଧରିଥିଲି । କହିଲି, ‘‘ଛି ଧୀଲନ୍ ଭାଇ, ସେମିତି କୁହନା, ତମକୁ ଦେଖି କାହିଁକି କେଜାଣି ଆଖିରେ ଲୁହ ଆସିଗଲା । ଭାବୁଥିଲି...

 

ଅଳ୍ପ ଶବ୍ଦରେ ହସିଉଠି ଧୀଲନ୍ ଭାଇ କହିଲେ, “ଛାଡ଼ ସେ କଥା–ତୋ କଥା କହ । କେଉଁ ରଜା ପୁଅର ବେକରେ ମାଳା ଦେଇ ତାକୁ ଧନ୍ୟ କଲୁ ।’’ ଆଶ୍ଚର୍ଯ୍ୟ ଧୀଲନ୍ ଭାଇ ଅପା କଥା ଜମା ପଚାରିଲେନି । ହୁଏତ ଭୁଲିଯାଇଛନ୍ତି । ଆଖିରୁ ଲୁହ ପୋଛି ଧୀଲନ୍ ଭାଇଙ୍କୁ ଶୁଭେନ୍ଦୁଙ୍କର ପରିଚୟ ଦେଲି I ସେ ବିସ୍ମୟରେ ହତବାକ୍ ହୋଇ ପଡ଼ୁଥିଲେ । ପାହାଡ଼ ସିଂ ବଂଶର ଝିଅ ପୁଣି ଭିନ୍ନ ଧର୍ମରେ ପାଦ ଦେଲା ! ସେ ଯେତେ ଶିକ୍ଷିତ ଆଉ ଧନୀ ହେଉନା କାହିଁକି ।

 

‘‘ତମ କଥା କୁହ ଧୀଲନ୍ ଭାଇ । ଭାଉଜ କେମିତି, ପିଲାପିଲି କେଇଟି ? କଣ୍ଠକୁ ଯଥାସମ୍ଭବ ନରମ କରି ପଚାରିଲି ।

 

ଧୀଲନ୍ ଭାଇଙ୍କର କୋଟରାଗତ ଆଖି ଦୁଇଟା ଆହୁରୀ ଉଜ୍ଜ୍ୱଳ ହୋଇଯାଉଥିଲା । ଗଡ଼ିଆସିଥିବା ଦୁଇଧାର ଲୁହ ଉଜ୍ଜ୍ୱଳ ଆଲୁଅରେ ଚିକ୍ ଚିକ୍ କରୁଥିଲେ । ଫତୁଆର ଭିତର ପକେଟରୁ କ’ଣ ଗୋଟାଏ କାଢ଼ି ସେ ମତେ ଦେଖାଇ କହିଲେ । ‘ୟା’କୁ ତୋର ମନେଅଛି ପପି...” ମୁଁ ଚୋରି କରି ଦେଇଥିବା ଅପାର ସେଇ ଭଲ ଫଟୋଟା–ସମୟର ସ୍ପର୍ଶରେ ସାମାନ୍ୟ ହଳଦିଆ ହୋଇଗଲାଣି । କିନ୍ତୁ ଅପାର ନିଷ୍ପାପ ମୁହଁ ସେମିତି ଉଜ୍ଜ୍ୱଳ ଦିଶୁଛି । ଏକ ଅଦମନୀୟ କୋହ ମୋ ଅନ୍ତଃସ୍ଥଳରୁ ଉଠି ଆସୁଥିଲା । ସତେକି ମୁଁ ଭୋ’ କିନା କାନ୍ଦି ଉଠିବି ! ଫଟୋଟାକୁ ରଖୁ ରଖୁ ଧୀଲନ୍ ଭାଇ କହୁଥିଲେ, ‘‘ତୋ ଅପାର ଆତ୍ମା ସହିତ ମୋର ଥରେ ବିବାହ ହୋଇଥିଲାରେ ପପି ! ତୁ କ’ଣ ଜାଣିନୁ...” ଅପାର କଥା କିନ୍ତୁ ଏଥରବି ସେ ପଚାରିଲେନାହିଁ । ଆଶ୍ଚର୍ଯ୍ୟ !

 

ଗାଡ଼ି ଆସିବାର ଶେଷ ଘଣ୍ଟା ବାଜିଲା । ଧୀଲନ୍ ଭାଇ ଯିବାକୁ ବାହାରିଲେ । ତାଙ୍କ ଦୁଇ ହାତକୁ ଧରି ପକେଇ କହିଲି, ‘‘ଟିକେ ରୁହନା ଧୀଲନ୍ ଭାଇ । ଶୁଭେନ୍ଦୁ ସହିତ ପରିଚୟ କରେଇ ଦେବି ।’’

 

ହସିଲେ–ଛି, ପପି ଡିଅର୍– । ଗୋଟିଏ କଳଙ୍କିତ, ଅଭଦ୍ର, ବାରବୁଲା ଲୋକ ସହିତ ତୋର ପରିଚୟ ଅଛି ଜାଣିଲେ ଶୁଭେନ୍ଦୁ ବିରକ୍ତ ହେବେ, ତତେ ଦେଖିଲି, ମୋର ଜୀବନ ଓ ବଞ୍ଚିବାରେ ସାର୍ଥକତା ଆସିଗଲା ।”

 

ଦୁଇ ହାତରେ ଠେଲା ଗାଡ଼ିଟାକୁ ଠେଲି ଠେଲି ଧୀଲନ୍ ଭାଇ ଅନେକଙ୍କ ଗହଣରେ ଅଦୃଶ୍ୟ ହୋଇଯାଉଥିଲେ । ଆଖିରେ ମୋର ପୁଣିଥରେ ତତଲା ଲୁହ ଚହଲି ଉଠିଲା । ‘ପପି ଡିଅର’ ଅନେକ ଦିନ ତଳର ସେଇ ପରିଚିତ ସ୍ନେହମଖା ସମ୍ବୋଧନ ଇଥରରେ ଘୂରି ବୁଲୁଥିଲା । ଗୋଟାଏ ଅବରୁଦ୍ଧ ହାହାକାର ମୋର ସାରା ଦେହକୁ ଅବଶ କରି ଦେଉଥିଲା । ଛାତି ଭିତରେ ଏକ ଯନ୍ତ୍ରଣା, ଏକ ଶୂନ୍ୟତା, ଦେହଟା ଯେମିତି ଏଇ ମୁହୂର୍ତ୍ତରେ ଭାଙ୍ଗିପଡ଼ିବ । ଭିତରେ କେବଳ ବଜ୍ରପାତ ଆଉ ରକ୍ତର ଭୂମିକମ୍ପ ।

 

କାନ୍ଧରେ ଶୁଭେନ୍ଦୁଙ୍କର ସ୍ପର୍ଶ । ସଚକିତ ହେଲି । ରୁମାଲଟାକୁ ଆଖି ପାଖକୁ ନେଉ ନେଉ ପୁଣି ଫେରାଇ ଆଣିଲି । ଛି, ଶୁଭେନ୍ଦୁ କ’ଣ ଭାବିବେ ! ଏଥର ମତେ ଫେରିବାକୁ ହେବ । ଆଗରେ ମୋର ଭରା ଜୀବନର ଡାକ । ସେଠି ସ୍ଵାମୀ, ସଂସାର, ଦାସଦାସୀ, ଅସୀମ ଐଶ୍ଵର୍ଯ୍ୟ ଆଉ ବିଳାସର ସମାରୋହ । କିନ୍ତୁ ଏଇ କେତୋଟି ମୁହୂର୍ତ୍ତ ! ଆଖିରେ ପୁଣି ଲୁହ ଆସିଲା, ପ୍ରତିରୋଧ ପାଇଁ ସତ୍‍ଚେଷ୍ଟା ସତ୍ତ୍ୱେବି ।

 

ଷ୍ଟେସନର କୋଳାହଳ ଆଉ ‘‘ଆଟେନ୍‌ସନ୍ ପ୍ଲିଜ୍”ର ଡାକରା ଭିତରେ ଏକ କରୁଣ ବିକଳତାର ସ୍ଵର ଭରି ଯାଇଥିଲା ଯେମିତି । ବହୁ ଦୂରରେ ସ୍ମୃତି ମୋର କାନ୍ଦୁଥିଲା । ଶେଷଥର ପାଇଁ ଲୁହଭରା ଆଖିରେ ଚାହିଁଲି । ନା–ଧୀଲନ୍ ଭାଇ ଅନେକବେଳୁ ହଜିଗଲେଣି । ଶୁଭେନ୍ଦୁଙ୍କ ସହିତ ଆଗକୁ ପାଦ ବଢ଼େଇଲି ।

Image

 

ଯୁଦ୍ଧ

 

ସୀତା, ତମେ ସତୀତ୍ୱ ହରେଇଛ । ତମେ ସୁବ୍ରତ ଦାସର ବିବାହିତା ପତ୍ନୀ । ତିନୋଟି ସନ୍ତାନର ଜନନୀ । ଦୀର୍ଘ ଛଅବର୍ଷ ଭିତରେ ତମେ କ’ଣ ତମ ସ୍ଵାମୀ ପ୍ରତି ଏକାତ୍ମ ହୋଇପାରିନ ! ତମର ପିଲାମାନଙ୍କୁ ବାତ୍ସଲ୍ୟ ରସରେ ହଜାଇ ପାରିନ ? ଦୁଇ ଭୂରୁ ମଝିରେ ତମର ସିନ୍ଦୂର କ’ଣ ତମକୁ ପ୍ରତାରଣା କରୁନାହିଁ ! ତମେ କ’ଣ ସଧବା ? ଏହାର ଉତ୍ତର ଜରିଆରେ ତମେ ସତୀତ୍ୱ ହରେଇଲ ସୀତା ।

ସୀତାର ତନ୍ଦ୍ରାଚ୍ଛନ୍ନତା କଟିଯାଇଛି । ରାତି ଏବେ କେତେ ? ପାଖରେ ସୁବ୍ରତର ପରିପୂର୍ଣ୍ଣ ବଳିଷ୍ଠ ଶରୀର । ସୀତା ଆଡ଼କୁ ମୁହଁକରି ଶୋଇଛି ସେ । ଦୂରରେ ଛୋଟ ଏକ ଫ୍ରେମ୍‌ଦିଆ ଖଟରେ ଛୋଟ ତିନୋଟି ପିଲା । ନିଘୋଡ଼ ନିଦରେ । ସୀତା ମଡ଼ର୍ଣ୍ଣିଟି ପସନ୍ଦ କରେ; ସେଇଥିପାଇଁ ଏ ପ୍ରକାର ବ୍ୟବସ୍ଥା । ପିଲାମାନେ ପୃଥକ୍ ଶୋଇବେ ।

ଏଇ ଶୋଇବା ଘର ଭିତରେ ସବୁ ଠିକ୍ ଅଛି । ଡ୍ରୟର , ଚେଷ୍ଟ୍, ବହି ସେଲ୍‌ଫ୍, ବିଛଣା, ଗଦି, ତକିଆ ସବୁ ଏକ ପ୍ରକାରେ ବିଦ୍ୟମାନ । ତେବେ କିଏ ? କିଏ ସୂଚେଇ ଦେଲା ଯେ, ସୀତା ସତୀତ୍ୱ ହରେଇଛି ! ଏ ଘରେ ଅନ୍ୟ କେହି ନାହାନ୍ତି ତ–ତେବେ...

ସୀତା ଉଠି ବସିଲା ବିଛଣାରେ-। ବେଡ଼୍ ସୁଇଚ୍‌ଟା ଆଜି ମଧ୍ୟ ଅଫ୍ । କେବଳ ମଝି ରାତିର ଜ୍ୟୋତ୍ସ୍ନା ସାରା ଘରେ ବିଛେଇ ପଡ଼ିଛି । ତେବେ ଏକଥା ସତ ଯେ, ସେ ଆଜି ତା’ର ଶୈଶବର ଖେଳସାଥୀ ରମାକାନ୍ତକୁ ଦେହ ଦାନ କରିଛି । କିନ୍ତୁ ସେ ତ ସୁବ୍ରତକୁ ଭଲପାଏ । ସୁବ୍ରତ ତା’ର ସ୍ଵାମୀ, ଇହକାଳ, ପରକାଳର ଦେବତା । ବ୍ରାହ୍ମଣ ଅଗ୍ନିକୁ ସାକ୍ଷୀ ରଖି ସେ ତାକୁ ନିଜର କରିଛି ।

ତେବେ ସତୀତ୍ୱ କ’ଣ ଦେହାଶ୍ରୟୀ ! ଦେହଟା କ’ଣ ସବୁ ! ପ୍ରେମ, ଭଲପାଇବା, ବନ୍ଧନ ଏସବୁ କ’ଣ ମିଛ ? ଏସବୁର ଅସ୍ତିତ୍ୱ କ’ଣ କେବଳ ଦେହ ଭିତରେ ନିମଗ୍ନ ! ସୁବ୍ରତ ଶୋଇଛି ନିଶ୍ଚିନ୍ତରେ । ସୀତା ପ୍ରତି ତା’ର ଅଗାଧ ବିଶ୍ଵାସ । ସୀତାକୁ ପ୍ରେମ ବିବାହ କରିଛି ସେ । କୌଣସି ଅବ୍‌ଜେକ୍‌ସନ୍ ନାହିଁ । ସୁବ୍ରତ ସୁପୁରୁଷ । ସୁବ୍ରତ ଟାଲେଣ୍ଟେଡ଼୍‍ । ସୁବ୍ରତ ରୋମାଣ୍ଟିକ୍ । ସୁବ୍ରତ ତା’ର ସୁନ୍ଦର ସୁନ୍ଦର ତିନୋଟି ସନ୍ତାନର ଜନକ । ସୁବ୍ରତ ଏକାଧାରରେ ଜଣେ ସଫଳ ପୁରୁଷ-। ଅଥଚ ସୀତା...ପିଲାଦିନର ପରିଚିତ । ଗାଁରେ ମାଷ୍ଟ୍ରି କରୁଥିବା କଳା ମଚ୍ ମଚ୍ ଦେହର ଅଧିକାରୀ ମଫସଲି ରମାକାନ୍ତକୁ ଦେହ ଦାନ କଲା !

ତେବେ କ’ଣ ସୀତା ସୁବ୍ରତକୁ ପାଇ ଅସୁଖୀ ! ସୀତା କ’ଣ ସୁବ୍ରତଠାରୁ ଶରୀର ସୁଖ ଠିକ୍ ଭାବରେ ପାଇପାରିନି ! ନା...ନା ନା...ସୀତା ନିଜ ପ୍ରଶ୍ନରେ ନିଜେ ବ୍ୟତିବ୍ୟସ୍ତ ହୋଇପଡ଼ିଲା-। ଏମିତି କହିଲେ ସତ୍ୟର ଅପଳାପ ହେବ । ଜିଭ ଛିଡ଼ି ପଡ଼ିବ । ସେଦିନ ସୁବ୍ରତ କଲେଜରୁ ଫେରି ଟିଫିନ୍ କରୁ କରୁ କହିଥିଲା, ‘ସୀତା, କେତେଦିନ ହେବ ମନେ ହେଉଛି ତମେ ଦିନକୁ ଦିନ ରହସ୍ୟମୟ, ଉଦାସ ହୋଇପଡ଼ୁଛ । କ’ଣ ହୋଇଛି ତମର ? କ’ଣ ବୋର ଫିଲ୍ କରୁଛ ?

 

ସୀତା ହସିଥିଲା, ‘‘ସୁବ୍ରତ, ତମେ ଜାଣିପାରୁନ । ଜୀବନର ଦୈର୍ଘ୍ୟ କେତେ ବଢ଼ି ଚାଲିଛି-। ବଞ୍ଚିବାର ଐଶ୍ୱର୍ଯ୍ୟ କମି ଆସୁଛି । ତେଣୁ ବେଳେ ବେଳେ ଶୂନ୍ୟ ଗର୍ଭ ଲାଗୁଛି ଏଇ ଜୀବନ ।”

 

ସୁବ୍ରତ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲା, ‘‘ବିବାହର ମାତ୍ର ଛଅବର୍ଷ ଭିତରେ ତମର ଏ ବୈରାଗ୍ୟ କାହିଁକି ? ତମେ ପୁଣିଥରେ କର୍ମଜୀବନକୁ ଫେରିଥିଲ ସୀତା । ପୁଣିଥରେ ମୋର କଲିଗ୍ ହୋଇଯାଅ ଦେଖିବ ଛାତ୍ର ପଢ଼େଇଲାବେଳେ ତମର ଏ ନିଷ୍କ୍ରିୟତା କଟିଯିବ ।”

 

ସୁବ୍ରତ ସଚ୍ଚରିତ୍ର ପୁରୁଷ । ଏକ ସ୍ତ୍ରୀରେ ବିଶ୍ଵାସୀ ଏବଂ ଇଚ୍ଛୁକ ମଧ୍ୟ । ସେ ମନୋଗାମିଷ୍ଟ-। ପ୍ରତି ମୁହୂର୍ତ୍ତରେ ସୀତାକୁ ଦେଖି, ବୁଝି, ଉପଭୋଗ କରି ମଧ୍ୟ ସେ କ୍ଳାନ୍ତ ନୁହେଁ । ଅଥଚ ସୀତା ଏଇ କେତେଦିନ ହେବ ପ୍ରାୟ କ୍ଳାନ୍ତ ହୋଇପଡ଼ିଥିଲା । ସୁବ୍ରତ ତା’ପାଇଁ ଏକ ଯନ୍ତ୍ରଣା-। ଏକ ନିରନ୍ତର ବୋଝ ହୋଇପଡ଼ିଥିଲା । ସୁବ୍ରତର ସ୍ପର୍ଶ ତାକୁ ଅସ୍ଵସ୍ତିକର ଲାଗୁଥିଲା । ସୁବ୍ରତକୁ ଜମା ସେ ସହ୍ୟ କରିପାରୁ ନଥିଲା ଯେମିତି । ଅଥଚ ସେ ସୁବ୍ରତକୁ ଭଲପାଏ । ସୁବ୍ରତର ଦେହ ପା’ରେ, ସୁବ୍ରତର ଆସିବା ବିଳମ୍ବ ହେଲେ ସେ ବିଚଳିତ ବ୍ୟଥିତ ହୋଇପଡ଼େ, ତେବେ...

 

ସେମାନେ ପ୍ରେମ ବିବାହ କରିଛନ୍ତି । ଏକ ସୁନ୍ଦର ବୁଝାମଣାର ବିବାହ । ପରସ୍ପର ମଧ୍ୟରେ ଏକ ସୁନ୍ଦର ଆଡ଼ଜଷ୍ଟମେଣ୍ଟ । ନିଜ ଭିତରେ ସେମାନେ ପରସ୍ପର ପ୍ରତି କର୍ତ୍ତବ୍ୟ ଆବଶ୍ୟକତା ଅନୁଭବ କରିପାରିଛନ୍ତି । ତା’ର ଏଇ କେତେ ଦିନର ବୋର୍‍ଡ଼ମ୍‌ର ଅନୁଭୂତି କ’ଣ କେବଳ ଶରୀର ଅତୃପ୍ତିପାଇଁ-? ସୁବ୍ରତ ତେବେ କ’ଣ ପୁରୁଣା ଆସବାବ ହୋଇଗଲାଣି ସୀତା ପାଖରେ । ସୀତା କ’ଣ ତେବେ ନୂତନରେ ପ୍ରୟାସୀ ! ସତରେ, ମଣିଷ ମଣିଷ ଭିତରେ ସମ୍ପର୍କ କେତେ ଅଦ୍ଭୁତ-। ବେଶୀ ଆପଣାର ହୋଇ ଆସିଲେ ଅଲକ୍ଷ୍ୟରେ ଗୋଟାଏ ଦୂରତ୍ୱ ଗଢ଼ିଉଠେ । ସୀତା ସୁବ୍ରତ ପିଠିରେ ହାତ ବୁଲାଇ ଆଣିଲା । ସ୍ନେହରେ । ଛୋଟ ପିଲାଟିଏ ପରି ଶୋଇଛି ସେ ! ମନେ ମନେ ଗୋଟାଏ ଅପରାଧବୋଧର କଷ୍ଟ ତାକୁ ଯେମିତି ଅସ୍ଥିର କରି ଚାଲିଛି ଏବଂ ହୁଏତ ସେଇଥିପାଇଁ ଏ ସ୍ପର୍ଶ ।

 

ସୀତା ବାହାରକୁ ଚାହିଁଲା, ସେମିତି ମେଞ୍ଚାଏ ଜ୍ୟୋତ୍ସ୍ନା । କେତେଦିନ ହେବ ଏଇ ରାତିରେ ଶୋଇ ଶୋଇ ସୀତା ଶୁଣେ–କ୍ରମଶଃ ନିଝୁମ୍ ହୋଇଯାଉଛି ସହରଟା । ଅନ୍ଧକାର ଗର୍ଭରେ ସେ କେବଳ ଶୁଣିପାରେ ସୁବ୍ରତର ଗଭୀର ନିଃଶ୍ୱାସର ଶବ୍ଦ । ପିଲାଙ୍କର ଛୋଟ ଛୋଟ ନିଃଶ୍ୱାସ । ଜାଣି ଜାଣି ସେ ବେଡ଼୍ ଲାଇଟ‌୍ ଲିଭାଇ ଦିଏ । ଅନ୍ଧାର ତାକୁ ଭଲଲାଗେ । ନିଜ ଭିତରେ ଏକ ପ୍ରତିବାଦ ଦୃଢ଼ ହୁଏ । କେବଳ ସୁବ୍ରତ ଆଉ ପିଲାପିଲି । ଦୁନିଆରେ କ’ଣ ଆଉ କିଛିନାହିଁ ? ଏତେ ଦିନର ଘରସଂସାର ଏତେ ଦିନର ଭଲପାଇବା କ’ଣ ତେବେ ମିଥ୍ୟା ! କିଛି ତ୍ରୁଟି କ’ଣ ରହିଯାଇଛି ? ସୁବ୍ରତକୁ ପାଇ ସେ କ’ଣ ସୁଖୀ ନୁହେଁ ? ସୀତା ତେବେ କ’ଣ ଚାହେଁ ! ଏକ ଅତୃପ୍ତିକର ଯନ୍ତ୍ରଣା ତା’ର ନିଦ୍ରାକୁ ଚୋରି କରେ । ସୀତା ଅସ୍ଥିର ହୁଏ ଛଟପଟ ହୋଇ ଶୋଇପାରେନା । ଅନେକ ଥର ସକାଳେ ସୁବ୍ରତ ପଚାରେ, ‘‘ତମେ କାଲି ରାତିରେ ଶୋଇ ନଥିଲ-। ଏମିତି ଶୁଖିଲା ଦିଶୁଛ ଯେ–କ’ଣ ହୋଇଛି ତମର ?” ସୀତା କିଛି କହିପାରେନା–ଗମ୍ଭୀର ହୋଇଯାଏ । ମଣିଷ ହୁଏତ ନିଜକୁ ଭଲପାଏନା । ତା’ ପାଖର ମଣିଷକୁବି ଭଲପାଏନା । କେବଳ ଭଲପାଏ, ନିଜେ ଗଢ଼ିଥିବା ନିଜର ‘ଇମେଜ୍’କୁ ନିଜର ‘ଇଗୋ’କୁ ।

 

ସୀତା ବାହାରକୁ ଚାହିଁଲା । ବାହାରେ ଜ୍ୟୋତ୍ସ୍ନାର ପଟୁଆର । ଚୁପ୍‌ଚାପ୍ ନିସ୍ତବ୍ଧ । ଦୂରରେ ଏକ ରାତି ଜଗା ଲରିର ଶବ୍ଦ । ସୀତା ଶୁଣିଲା ପୁଣି କିଏ କହୁଛି ଯେମିତି–‘ତମେ ସତୀତ୍ୱ ହରେଇଛ, ତମ ନାମର ବଦନାମ କରିଛ ।”’ ସୀତାର ଛାତି ଭିତରେ ଏକ ଶୂନ୍ୟତାର ଯନ୍ତ୍ରଣା । ସୀତା ତେବେ କ’ଣ ପାଶବିକତାକୁ ଭଲପାଏ ? ରମାକାନ୍ତର ପ୍ରତିଟି ଆଚରଣରେ କୌଣସି ଭଦ୍ରତାନାହିଁ, ଶାଳୀନତାନାହିଁ । ନିହାତି ମଫସଲି । ଅଥଚ ସୀତାକୁ ଏବେ କାହିଁକି ପରିତୃପ୍ତି ଲାଗୁଛି-। କେତେଦିନ ହେବ ସୀତା ଭିତରେ ଗଢ଼ିଉଠିଥିବା ହେଲପ୍‌ଲେସର ଯନ୍ତ୍ରଣା ଆଉ ନାହିଁ । ତାକୁ ବେଶ୍ ଶାନ୍ତି ଲାଗୁଛି । ଅଥଚ...କିଏ–କିଏ ରାତିର ଏଇ ପ୍ରତିମୁହୂର୍ତ୍ତରେ ଚେତାଇ ଦେଉଛି ଯେ, ସେ ଦେହର ପବିତ୍ରତା ନଷ୍ଟ କରିଛି ବୋଲି । ଜୀବନର ସ୍ପର୍ଶ, ଜୀବନର ସୁଖ କହିଲେ ତ ଏକମାତ୍ର ସୁବ୍ରତଙ୍କୁ ହିଁ ବୁଝାଯାଇଥିଲା । ସେଇ ସ୍ପର୍ଶ, ସେଇ ସୁଖର ଦେବତାକୁ ଆଡ଼େଇ ଦେଇ ସେ ଗୋଟିଏ ନିଆଁ ପିଣ୍ଡୁଳାକୁ ଦେବତାର ଆସନ ଦେଇ ପାରିଲା କେମିତି ?

 

ସୀତା ଅସ୍ଥିର । ବେଦନା କାତର ଭାବରେ ସୁବ୍ରତର କପାଳରେ ଏକ ଦୀର୍ଘ ଚମ୍ବନ ଆଙ୍କିଦେଲା । ସୁବ୍ରତର ନିଦୁଆ ଶରୀର ସାମାନ୍ୟ ଥରି ଉଠିଲା । ସୁବ୍ରତର ଗୋଟାଏ ହାତ ସୁନ୍ଦର ଭାବରେ ଅବଲୀଳାକ୍ରମେ ସୀତା ଉପରକୁ ପ୍ରସରି ଆସିଲା । ସୀତା ତଥାପି ନିର୍ବିକାର । ଏକ ଯନ୍ତ୍ରଣା ଏକ ପାପବୋଧର ମାନସିକ ସ୍ଥିତି ଧୀରେ ଧୀରେ ତାକୁ ବିପର୍ଯ୍ୟସ୍ତ କରି ତୋଳୁଛି । ତା’ ଆଗରେ ବର୍ତ୍ତମାନ ସବୁକିଛି ଅନ୍ଧାର । ସେ ଯେମିତି ବାଟ ଭୁଲୁଛି । ଏକ ମୋହମାୟା ଯନ୍ତ୍ରଣା ତାକୁ ତୀର ଭଳି ବଦ୍ଧ କରି ଚାଲିଛି । ଦୁଇଦିନ ତଳେ ରମାକାନ୍ତ ସେମାନଙ୍କର ଅତିଥି ହୋଇଥିଲା । କ’ଣ ଗୋଟାଏ ସ୍କୁଲ କାମରେ ସେ ସହରକୁ ଆସିଥିଲା । ସୁବ୍ରତ ଖୁସି ହୋଇଥିଲା । ସୀତା ମଧ୍ୟ ।
 

ରମାକାନ୍ତ ତା’ର ଚିରାଚରିତ ଅଭଦ୍ର ରୀତିରେ ସୀତାକୁ ସମ୍ଭାଷଣ ଜଣାଇଥିଲା, ‘‘ସୀତା, ତୁ ଠିକ୍ ସେଇ ପିଲାଦିନ ପରି ରହିଯାଇଛୁ ଟିକେବି ବଦଳିନୁ । ତୋର ନା ତିନିଟା ପିଲା–କିନ୍ତୁ ସ୍ଵାସ୍ଥ୍ୟ ସୌନ୍ଦର୍ଯ୍ୟରେ ତୁ ସେଇ ପୁରୁଣା ଆମ ଗାଁ ସୀତା ହୋଇ ରହିଯାଇଛୁ–

 

ସୁବ୍ରତ ହସିଥିଲା ! ରମାକାନ୍ତ ଭାଇ, ତମେ ଜାଣନା, ସୀତା ବୟସ ଧରି ରଖିବା ପାଇଁ ଟାବ୍‌ଲେଟ ଖାଏ ।

 

ରମାକାନ୍ତର ନିର୍ବୋଧ ଚାହାଣି ସୀତାର ସର୍ବାଙ୍ଗ ସ୍ପର୍ଶ କରିଥିଲା । ସେ ଯେମିତି ସୀତା ଦେହର ପ୍ରତିଟି ଭୌଗୋଳିକ ମାନଚିତ୍ରକୁ ଆଖିର ଲେନସ୍‌ରେ ପରଖି ଦେଉଥିଲା । ଆଶ୍ଚର୍ଯ୍ୟ–ସୀତା ଅସ୍ୱସ୍ତି ପରିବର୍ତ୍ତେ ବରଂ କେମିତି ଏକ ଆତ୍ମ ସୁଖ ଅନୁଭବ କରିଥିଲା । କାହିଁ, ସୁବ୍ରତ ତ ଦିନେ ହେଲେ ତା’ର ଅକ୍ଷତ ଚେହେରାପାଇଁ ପ୍ରଶଂସା କରିନି । ବରଂ ତା’ର ଦେହ, ତା’ର ନିର୍ଜନତାର ଯନ୍ତ୍ରଣାପାଇଁ ବ୍ୟସ୍ତ ହୋଇଛି । ସୁବ୍ରତ କ’ଣ ଜାଣେନା, ନାରୀ ତା’ର ରୂପର ପ୍ରଶଂସା ଶୁଣିବାକୁ ସବୁଠାରୁ ବେଶି ଭଲପାଏ ବୋଲି । ରମାକାନ୍ତ ପାଇଁ ସୀତାଠୁ ବରଂ ସୁବ୍ରତ ବେଶୀ ବ୍ୟସ୍ତ ହୋଇ ପଡ଼ିଥିଲା । ସୀତାର ବାପଘର କୁଣିଆ । କିଛି ଯେମିତି ତ୍ରୁଟି ନ ହୁଏ ।

 

କିନ୍ତୁ ଆଜି ଉପରଓଳି...ରମାକାନ୍ତ ଫେରିଯିବାର ଦୁଇ ଘଣ୍ଟା ପୂର୍ବରୁ...ଛଅଟା ବସ୍ ଧରିବାକୁ ହେବ । ସୁବ୍ରତ ସେ ଯାଏ ଫେରି ନଥାଏ । ପରିପାଟୀ ହୋଇ ରମାକାନ୍ତ ସୀତାର ବେଡ଼୍‍ରୁମ୍‌କୁ ପଶି ଆସିଲା । ପିଲାମାନଙ୍କୁ ଚାକର ପିଲାଟି ବୁଲେଇ ନେଇଛି । ସୀତା ଏକ ମହିଳା ମ୍ୟାଗାଜିନ୍ ନେଇ ବ୍ୟସ୍ତ । ଅସ୍ତବ୍ୟସ୍ତ କେଶବାସ । ରମାକାନ୍ତର ଆକସ୍ମିକ ପ୍ରବେଶକୁ ସୀତା ସେତେ ଗୁରୁତ୍ଵ ଦେଇ ନଥିଲା । ରମାକାନ୍ତ ପେଟେଇ ଶୋଇଥିବା ସୀତା ପାଖକୁ ଲାଗି ବସି ପଡ଼ୁ ପଡ଼ୁ କହିଲା, “ସୁବ୍ରତ ବାବୁ ଫେରିଲେନାହିଁ ସୀତା, ମୁଁ ତେବେ ଫେରିଯାଉଛି ।” କିଛି ନ କହି ସୀତା ନୀରବ ହୋଇ ଅନେଇ ଥିଲା ରମାକାନ୍ତକୁ । କଳା ମଚ୍ ମଚ୍ ଦୀର୍ଘ ଶରୀର । ଜୋଡ଼ା ଭୂରୁ । ଦୁଇଟି ଗଭୀର ଆଖି । ବଳିଷ୍ଠ ମୁଖମଣ୍ଡଳ । ଧଳା ପଞ୍ଜାବୀ ଧୋତି । ଏକ ନିଖୁଣ ଭାସ୍କର୍ଯ୍ୟ । କୌଣସି ସ୍ନିଗ୍‌ଧତା, କୌଣସି କମନୀୟତା ବା କୌଶଳ ନାହିଁ, ଯାହା ସୁବ୍ରତ ପାଖରେ ଅଛି । ଅଥଚ ରମାକାନ୍ତ କେତେ ପୌରୁଷ ଦୀପ୍ତ !

 

ସୀତାର ଚାହାଣିରେ ଆଖି ମିଳେଇ ଅଭଦ୍ର ରମାକାନ୍ତ ହଠାତ୍ ସୀତାର ପିଠିରେ ହାତ ଥାପି କହିଥିଲା, ‘‘ମନେ ଅଛି ସୀତା, ପିଲାବେଳେ ମୁଁ ବର, ତୁ କନିଆ ହେଉଥିଲୁ । ତୋପାଇଁ ମୁଁ କେତେ ମାଡ଼ ଖାଇଛି । କୋଳି ତୋଳି ଦେଇଛି, ପୋଖରୀରୁ ପଦ୍ମ କଇଁ ତୋଳି ଦେଇଛି; କିନ୍ତୁ ତୁ ନିଜେ ମତେ ପର କରି, ମୋ କଲିଜାରେ ପାଦ ରଖି ପଳେଇ ଆସିଲୁ ଏଇ ସହରକୁ ।” ସୀତାର ଅକମ୍ପିତ ଗଭୀର ଚାହାଣି । ସୁବ୍ରତର ସବୁକିଛି ଏକାନ୍ତ କୋମଳ, ବାଳକସୁଲଭ । କିନ୍ତୁ ରମାକାନ୍ତ ! ସୀତା ନିଜେ ଜାଣେନା ମୋଟା ଭୂରୁ ମଝିରେ ସେଇ ଗଭୀର ଚତୁର ଆଖି ଦୁଇଟିକୁ ଚାହିଁ ତା’ ମନ ଭିତରେ ଏକ ଉଡ଼ିଯିବାର ବେଗ ସେ କାହିଁକି ଅନୁଭବ କଲା ! କାହିଁକି ସେ ଭୁଲିଯାଇଥିଲା ସେ ବିବାହିତା ସ୍ତ୍ରୀ, ସନ୍ତାନର ଜନନୀ । ତା’ର ପରିବାର, ସମାଜ ସବୁକିଛି । କେବଳ ସେଇ ବିଶେଷ ମୁହୂର୍ତ୍ତର ସୁଖ ଥିଲା ସୀତା ପାଖରେ ଏକ ନିରନ୍ତର ଝଡ଼ ପରି ପ୍ରଚଣ୍ଡ । ବାୟୁ ପରି, ବର୍ଷା ପରି ତୀବ୍ର । ସେଇ ଚରମ ମୁହୂର୍ତ୍ତରେ ରମାକାନ୍ତ ସୀତାର ମନ୍ଦାର ଭଳି ଲାଲ୍ ଆଖିର ତପ୍ତ ଲୁହକୁ ଦେଖି ପଚାରିଲା, । ‘‘ତୁ କାନ୍ଦୁଛୁ ସୀତା ! ଏଇ ସୁଖ ତ ଆମେ ଅନେକ ପିଲାଦିନୁ ଚାହିଁଥିଲେ ।”

 

ଫିସ୍ ଫିସ୍ କରି ସୀତା କହିଥିଲା, ଏ ଅଶ୍ରୁ, ସୁଖର ତୀବ୍ରତାରୁ ନୁହେଁ ରମାଭାଇ ! ଶରୀରର ଦାହ କେତେ ପ୍ରଚଣ୍ଡ, ତାହା ମୁଁ ବୁଝେଇ ପାରୁନି ।” ଅତ୍ୟନ୍ତ ଦୁଃଖିତ ଏକ ଜୈବିକ ଆକର୍ଷଣ ଏବଂ ରମାକାନ୍ତର ସ୍ପର୍ଶ ଭିତରେ, ସୀତା ସୁବ୍ରତର ଚିନ୍ତାକୁ ଜୋର୍-କରି ମନରୁ ଠେଲି ଦେଇଥିଲା । ପ୍ରାୟ ଘଣ୍ଟାଏ ପରେ ରମାକାନ୍ତ ଧୀରେ ଘରୁ ବାହାରି ଯାଇଥିଲା ।

 

ସୀତା ଅନେକ ଚେଷ୍ଟା କରି ମଧ୍ୟ ସ୍ଵାଭାବିକ ହୋଇ ସ୍ଵାଭାବିକ ହୋଇପାରି ନଥିଲା । ଘଟଣାର ପରମୁହୂର୍ତ୍ତରେ ଏକ ମାନସିକ ଯନ୍ତ୍ରଣା ତାକୁ ଅଥର୍ବ କରି ଦେଇଥିଲା । ଶୋଇ ରହି, ସେ ମୁଣ୍ଡ ପାଖରେ ଥିବା ବଡ଼ ଡ୍ରେସିଂ ଅଇନାଟାରେ ନିଜକୁ ଦେଖିଥିଲା । ଅଇନାରେ ପ୍ରତିଫଳିତ ତା’ର ଛବିଟା ବହୁ ସମୟ ଦେଖିଲା ପରେ ତା’ର ମନେ ହୋଇଥିଲା, ସଂସ୍କାରର ଗୋଟାଏ ଶାଣିତ ଛୁରି; ଯେମିତି ‌ତାକୁ ବିଦ୍ଧ କରିବାପାଇଁ ଦୌଡ଼ି ଆସୁଛି । ଭୟରେ ସେ ଆଖି ବୁଜି ଦେଇଥିଲା ।

 

ସୁବ୍ରତ ଫେରି ଲାଇଟ୍ ଜଳେଇଥିଲା, ‘‘ଏମିତି ଶୋଇଛ ଯେ, କ’ଣ ଦେହ ଭଲନାହିଁ ! ସୀତା, ମୋର ଟିକେ ଡେରି ହୋଇଗଲା ଷ୍ଟାଫ୍ ମିଟିଂପାଇଁ । ରମାଭାଇ ଗଲେଣି ଭାରି, ପିଲାମାନେ ଫେରିନାହାନ୍ତି ।’’ ଏକାଥରେ ଅନେକଗୁଡ଼ାଏ ପ୍ରଶ୍ନ କରି ସୁବ୍ରତ ଚାହିଁଥିଲା ସୀତାକୁ । ସୀତା ହୁଏତ ଶୋଇପଡ଼ିଛି । ତା’ପରେ...ସୀତା କିଛି ଜାଣେନା । ଏଇ ଅର୍ଦ୍ଧ ଚେତନାହୀନ ସମୁଦ୍ର ଭିତରେ ସେ ପହଁରି ଚାଲିଛି । ସୁବ୍ରତ ନିଜ ହାତରେ ସବୁ କରିଛି ପୂଜାରୀକୁ ରନ୍ଧାରେ ସାହାଯ୍ୟ କରିଛି । ପିଲାଙ୍କୁ ଖୁଆଇ ଶୁଆଇଛି । ସୀତାର ଟେମ୍ପରେଚର୍ ନେଇ ଗରମ କ୍ଷୀର ପିଆଇଛି । ତା’ପରେ ଛୋଟ ପିଲାଟିଏ ପରି ସୀତାର କାନିତଳେ କ୍ଳାନ୍ତ ଶରୀର ନେଇ ଶୋଇ ପଡ଼ିଛି ।

 

ସୀତା, ସେଇ ଚେତନାହୀନ ସମୁଦ୍ରରେ ଭାସି ଭାସି ସବୁ ଲକ୍ଷ୍ୟ କରିଛି । ତା’ ଭିତରର ପାପ ବୋଧ ଏଇ ଗଭୀର ପ୍ରଶାନ୍ତି ମଧ୍ୟରେବି ତାକୁ ପୀଡ଼ା ଦେଇ ଚାଲିଛି । ଗୋଟିଏ ସୁନ୍ଦର ସମ୍ପର୍କ-। ହୁଏତ ଏକ ସୁନ୍ଦର ପ୍ରେମକୁ ସେ ଆଜି ହତ୍ୟାକରି ଦେଇଛି ନିଜ ହାତରେ । ଅନ୍ଧକାରର ଗନ୍ଧ ସୀତାର ପ୍ରତି ସ୍ନାୟୁରେ । ସୀତା ଇଚ୍ଛା କରି ମଧ୍ୟ ତାକୁ ଆପଣାର କରିପାରୁନି । ପ୍ରତି ମୁହୂର୍ତ୍ତରେ ସେଇ ସ୍ଵରର ବିରୋଧାଭାସ । ପବନର ରୂପ ନେଇ କହିଯାଉଛି ଯେ ସେ ସତୀତ୍ୱ ହରେଇଛି । ଅକୁଣ୍ଠିତା ଜ୍ୟୋତ୍ସ୍ନାର ଏଇ ମଧୁର ସ୍ଵର ଭିତରେ ସୀତାର ପ୍ରାଣରେ ଏ ବେଦନାର ଦଂଶନ କାହିଁକି ! ରାତିର ଏ ବିନିଦ୍ର ମୁହୂର୍ତ୍ତ ଏତେ ଭାବମୟ କ’ଣ ପାଇଁ ! ଏକ ସୁତୀବ୍ର ପାପବୋଧ ଭିତରେ ସୀତାର କ୍ଷଣିକ ପ୍ରଶାନ୍ତି ନଷ୍ଟ ହୋଇ ଯିବାକୁ ବସିଛି । ମନ ଭିତରେ କିଏ ବାରମ୍ବାର ଚାବୁକ୍ ମାରି ଚେତେଇ ଦେଉଛି, ସୀତା, ତମେ ସତୀତ୍ୱ ହରେଇଛ । ସୀତା...ସୀତା...ସୀତା ତମେ ତମ ନାମରେ କଳଙ୍କ ଲେପିଛ ।" ଉଃ ..କି ବିଚଳିତ ଏ ଅପାରଗତା-! କି ଦୟନୀୟ ଅକ୍ଷମତା ! ସୀତା ଅତିଷ୍ଠ ହୋଇ ଉଠିଲା । ସବୁଆଡ଼େ ରାତିର ନିର୍ଜନତା ଘେରି ରହିଛି । ତେଣୁ ଏଇ ବିଶେଷ ଶବ୍ଦଟା ସମୟହୀନ ଧ୍ୱନିପରି ସୀତାର କାନ ପାଖରେ ଅନୁରଣିତ ହେବାରେ ଲାଗିଛି । ସୀତା ତେବେ କ’ଣ ସତୀତ୍ୱ ହରେଇଛି !!!

 

ବିଛଣାରେ ଉଠି ବସିଛି ସୀତା । କ୍ରମଶଃ ଅନ୍ଧାରୁଆ ଲାଗୁଛି ତାକୁ । ଏଇ ପ୍ରଚଣ୍ଡ ଜ୍ୟୋତ୍ସ୍ନା ଭିତରେବି । ଖୁବ୍ ବେଶି ଅନ୍ଧାର ଯେମିତି ଛାଇ ଆସୁଛି । ଅଥଚ ଅଳ୍ପ ସମୟ ପୂର୍ବରୁ ଜ୍ୟୋତ୍ସ୍ନାର ସ୍ପର୍ଶ ତାକୁ ଭଲ ଲାଗୁଥିଲା I ସୀତା ଅସ୍ଥିର ହୋଇ ଉଠିଲା । ଆରେ, ତା’ ଆଖିରେ ଲୁହ ଭର୍ତ୍ତି ହୋଇଗଲାଣି । କ’ଣ କରିବ ସେ–ସୁବ୍ରତକୁ ଡାକିବ । ତା’ ପାଖରେ ସବୁ ସ୍ୱୀକାର କରିବ ! ନା...ନା...ସୁବ୍ରତ ଖୁବ୍ ଆଘାତ ପାଇବ ! ହୁଏତ ତାକୁ ଛାଡ଼ି ଚାଲିଯିବ । ସୁବ୍ରତ ବିନା ସେ ତ ମୁହୂର୍ତ୍ତଟିଏ ବଞ୍ଚି ପାରିବନାହିଁ । ସୀତା ଭିତରେ ଏକ ତୀବ୍ର ଆବେଗ ଏବଂ ସୁଖ ଏକାସାଙ୍ଗରେ ଉଦ୍‌ବେଳିତ ହୋଇ ଉଠିଲା । କିନ୍ତୁ ଜୀବନର ଗତି ଆଉ ପ୍ରକୃତି । ଅନ୍ୟାୟ ବୋଧ ଆଉ ଅଧିକାର ବୋଧ ଏ ଦୁଇଟିର ସଂଘର୍ଷ ଭିତରେ ସୀତାର ଅସ୍ତିତ୍ୱ ବିପନ୍ନ ହୋଇଯାଉଥିଲା । କ’ଣ କରିବ ସେ–ଆତ୍ମହତ୍ୟା ! ନା-ନା ପାରିବନି ସୀତା । ସୁବ୍ରତର ଆଖି ସାମ୍ନାରେ କୁତ୍ସିତ ଭାବରେ ମରିପାରିବନି ସେ । ତେବେ ଘର ଛାଡ଼ି ପଳେଇବ ! ଓଃ ସୀତା ଯିବ କେଉଁଠିକୁ ? ସୁବ୍ରତ ଛଡ଼ା ତା’ର ଆଉ ଯେ କେହି ନାହାନ୍ତି.....

 

ହଠାତ୍ ଝଲକାଏ ଆଲୁଅ ଆସି ସୀତାର ଆଖିର ଅନ୍ଧାରକୁ ହତ୍ୟାକଲା ଯେମିତି । ସୀତା ଦେଖିଲା ଘରସାରା ବିଜୁଳି ଆଲୁଅ । ଜ୍ୟୋତ୍ସ୍ନା ଅସ୍ତ ହୋଇଯିବାକୁ ବସିଲାଣି । ଦୂରରେ ପିଲାମାନେ ଶୋଇଛନ୍ତି । ଟି-ପୟ ଉପରେ ପାଣିଗ୍ଲାସ । କିନ୍ତୁ ଖୁବ୍ ଶୋଷ ହେଉଥିଲେ ମଧ୍ୟ ପାରି ନଥିଲା ସେ ପାଣିଗ୍ଲାସ ଟାକୁ ଲକ୍ଷ୍ୟକରି । ତେବେ...ଆଖିର ଅନ୍ଧପୁଟୁଳି ଖୋଲି ସୀତା ଦେଖିଲା ବେଡ଼ସୁଇଚ୍ ଅନ୍ । ସୁବ୍ରତ ଉଠି ବସିଛି ବିଛଣାରେ । ନିଦୁଆ ଆଖିରେ ବିସ୍ମୟ । କେରାଏ ଅଲରା କେଶ କପାଳରେ । ‘‘ଦେହଟା କ’ଣ ଖୁବ୍ ଖରାପ ଲାଗୁଛି ସୀତା... ।”

 

ସୀତାର ତଣ୍ଟି ପାଖରେ ଏକ କୋହର ଜୁଆର । ସୀତାର ଛାତି ଭିତରେ ଏକ ସ୍ନେହର ବନ୍ୟା ବହିଗଲା । ସୁଖ ଓ ଦୁଃଖ ଭିତରେ ସୁବ୍ରତ ତାକୁ କେତେ ଭଲପାଏ ! ହେ ଭଗବାନ ! କ୍ଷମାକର ସୀତାକୁ ତା’ର ବିଡ଼ମ୍ବନାକୁ ।

 

ସୀତା କିଛି କହିବା ଆଗରୁ ସୁବ୍ରତ ତାକୁ ଆଉଜେଇ ନେଲା ଛାତି ଉପରକୁ । ତା’ର ମୁକୁଳା କେଶକୁ ଧୀରେ ଆଉଁସି ଦେଲା । ନିଜର ନିଦୁଆ ମୁହଁଟାକୁ ସୀତାର ବିଷଣ୍ଣ ବିପନ୍ନ ମୁହଁ ଉପରେ ଲଦି ଦେଉ ଦେଉ ସୁବ୍ରତ ଅଫ୍ କଲା ସୁଇଚ୍ । ପୁଣିଥରେ ସେଇ ଆଗଭଳି ସୀତା ପବିତ୍ର ହୋଇ ଉଠୁଥିଲା । ଦୁଇଟି ମନ ଦୁଇଟି ଦେହ ଯେମିତି ଆଉଥରେ ସବୁତକ ବ୍ୟବଧାନ ଘୁଞ୍ଚାଇ ଦେଇ ପୁଣି ଘନ ହୋଇ ଆସୁଥିଲେ । ପାଖାପାଖି ହୋଇ ଯାଉଥିଲେ । ସୀତା ପବିତ୍ର, ସତ୍ ହୋଇ ଉଠୁଥିଲା ପୁଣିଥରେ । ହେ ଭଗବାନ ! କ୍ଷମାକର ସୀତାକୁ ତା’ର ବିଡ଼ମ୍ବନାକୁ । କାରଣ ସୀତାର ଦେହ ମନ ସୁବ୍ରତର ଗଭୀର ସ୍ନେହମୟ ସ୍ପର୍ଶ ପାଖରେ ପବିତ୍ର ହୋଇଯାଉଥିଲା । ରମାକାନ୍ତର ଚିନ୍ତାଧାରକୁ କ’ଣ ଆଉ ଧରି ରଖିବା ସଂଭବ !

Image

 

ଅଂଗୀକାର

 

ଫେବୃୟାରୀ ଶେଷ । ଆକାଶରେ ଶୁକ୍ଳ ଦଶମୀର ଜହ୍ନ । ଏକ ସ୍ଵପ୍ନର ଚହଟ । ବିଦିଶା ଦେଖିଲା ସମୁଦ୍ରର ଢେଉ ସବୁ ଲମ୍ପଟ ଯୁବକ ପରି ଚୁପି ଚୁପି ଆସି ପାଦଛୁଇଁ ଚାଲିଯିବାକୁ ଚେଷ୍ଟା କରୁଛନ୍ତି । ସନ୍ଧ୍ୟା ଉତ୍ତୀର୍ଣ୍ଣ । ସମୁଦ୍ରର ଈଷତ୍ ଭିଜା ବାଲିରେ ଭିଡ଼ ତଥାପି କମିନି । ଝିରିଝିରି ପବନର ସ୍ପର୍ଶ । ପାଖକୁ ଲାଗି ବସିଥିବା ଶୁଭକାନ୍ତକୁ ଚାହିଁଲା ବିଦିଶା । ପୂରା ଲେନ୍‌ସ ଚଷମା ଭିତରେ ଥିବା ଆଖି ଦୁଇଟି ସମୁଦ୍ରର ନୀଳ ଉପରେ ନିବଦ୍ଧ । ଛୋଟ ଅଥଚ ତୀକ୍ଷ୍ଣ ଆଖି ଦୁଇଟି ଚିକ୍‍ଚିକ୍ କରୁଛି । ପରିଷ୍କାର ଦେଖି ପାରୁଛି ବିଦିଶା । ଏ ଆଖି ବିଦିଶାର ଅତି ପ୍ରିୟ । ପରିଚିତ । ମନେ ମନେ ହସିଲା ସେ । ଜିଭଟାକୁ ଧୀରେ ବୁଲେଇ ଦେଲା ସେ ଓଠ ଉପରେ । ଶୁଭକାନ୍ତର ପୂରିଲା ଓଠର ସ୍ଵାଦ ସେଠି ଭରି ରହିଛି । ଅତି ସୋହାଗରେ ଶୁଭକାନ୍ତ କେବଳ ଏତିକି କରେ । ଗଭୀର ମମତାରେ ଓଠ ଛୁଆଁଏ । କିନ୍ତୁ ଆଜି ଏତେ ସୋହାଗ ପରେ କ’ଣ ଏତେ ଭାବୁଛି ଶୁଭକାନ୍ତ । ଆଗରେ ଉଚ୍ଛଳ ସମୁଦ୍ରର ଉଦ୍‌ବେଳିତ ରୂପ, ହେଲେ ଶୁଭକାନ୍ତ ଏତେ ଚୁପ୍‌ଚାପ୍ କାହିଁକି ! ଆଖିରେ ସେଇ ଫାଜିଲାମି ନାହିଁ । ଓଠରେ ଅନବରତ କଥାର ଫୁଆରା ନାହିଁ । କଣେଇ ଚାହିଁଲା ବିଦିଶା । ବାଁ ହାତରେ ପଛକୁ ଭରାଦେଇ କେମିତି ଏକ ଅଳସ ଉଦାସ ଭଙ୍ଗୀରେ ଶୁଭକାନ୍ତ ବସିଛି । ଡାହାଣ ହାତଟା ଆଣ୍ଠୁ ଉପରେ । ପିନ୍ଧା ଷ୍ଟିଲ୍ ବଳାଟା ଚିକ୍‍ଚିକ୍ କରୁଛି । ଛାତିର ଗୋଟାଏ ବଟମ୍ ଖୋଲା । ବଳିଷ୍ଠ ଛାତିରେ ଅଳ୍ପ ଲୋମର ଆଭାସ । ମୁଗ୍‍ଧ ହେଲା ବିଦିଶା । ଆଗରୁ ବି ଏମିତି ଅନେକ ଥର ମୁଗ୍‍ଧ ହୋଇଛି । ଶୁଭକାନ୍ତକୁ ଦେଖିଲେ ବିଦିଶା ଭିତରେ ଏତେ ଭଲପାଇବା ଉଦ୍‌ବେଳିତ ହୋଇଉଠେ କେମିତି ! ଘନିଷ୍ଠ ସମ୍ପର୍କରେ ନ ଆସିଲେ ମଧ୍ୟ ଏଯାବତ୍ ଅନେକ ସୁଦର୍ଶନ ପୁରୁଷ ଦେଖିଛି ବିଦିଶା । ସ୍କୁଲ, କଲେଜ, ଇଉନିଭରସିଟ୍‌ରେ । ସବୁଠି । ହେଲେ ଶୁଭକାନ୍ତ ଯେମିତି ଭିନ୍ନ । ପୁରୁଷୋତ୍ତମ । କ'ଣ ପାଇଁ ?

 

କ’ଣ ଶୁଭକାନ୍ତ ଭଲ ଇଂରାଜୀ କବିତା ଲେଖେ ଆଉ ବିଦିଶା ଇଂରାଜୀ ଅଧ୍ୟାପିକା ବୋଲି !

 

କିମ୍ବା ଶୁଭକାନ୍ତ ସୁନ୍ଦର ସୁନ୍ଦର କଥା କହିପାରେ ବୋଲି । ନ ହେଲେ ଶୁଭକାନ୍ତ ଇଂରାଜୀ କବିତା ଲେଖି ଗୋଟାଏ ଆନ୍ତର୍ଜାତିକ ପୁରସ୍କାର ପାଇଛି ବୋଲି ।

 

ବିଦିଶା ବୁଝିପାରେନା କେଉଁଟା ଠିକ୍ ।

 

କ’ଣ ପାଇଁ ସେ ଶୁଭକାନ୍ତକୁ ଏତେ ଭଲପାଏ । ମନେହୁଏ ତା’ ବିନା ହୁଏତ ସେ ବଞ୍ଚି ପାରିବନାହିଁ । ବା ସେମିତି କିଛି । ଯଦିଓ ଏସବୁ ପୁରୁଣା କିତାବୀ କଥା ।

 

ତେବେ ଏ କଥା ସତ ଯେ, ଶୁଭକାନ୍ତ ସେଇ ସହରରେ ସରକାରଙ୍କ ‘କର’ ବିଭାଗର ଜଣେ ପଦସ୍ଥ କର୍ମଚାରୀ । ଚମତ୍କାର ଇଂରାଜୀ କବିତା ଲେଖେ । ସୁନ୍ଦର କଥା କହିପାରେ । ଆଉ ଘଣ୍ଟା ଘଣ୍ଟା ଧରି ରେକର୍ଡ଼ ପରି ଗପିପାରେ ।

 

ଆଉ ବିଦିଶା ସେଇ ସହରରେ ମହିଳା କଲେଜରେ ନୂଆ ନିଯୁକ୍ତି ପାଇଥିବା ଇଂରାଜୀ ଅଧ୍ୟାପିକା । ନିଜେ ଲେଖି ନ ପାରିଲେ ମଧ୍ୟ ବହୁତ ପଢ଼ିବା ତା’ର ହବି । ଶୁଭକାନ୍ତ କବିତାର ସେ ଜଣେ ଅନ୍ଧ ଭକ୍ତ । ଅଳ୍ପ କଥା କହେ । ଚୁପ୍‌ଚାପ୍ ରହିବାକୁ ସେ ବେଶି ଭଲପାଏ । ତେଣୁ ଶୁଭକାନ୍ତ ଫାଜିଲାମିରେ କହେ, ‘‘ଚିଠି ଲେଖାର ପ୍ରତିଭା ସବୁଠାରୁ ବେଶି ବିକଶିତ ହୁଏ ପ୍ରେମରେ ପଡ଼ିଲେ । ପୃଥିବୀର ସବୁ ଦେଶରେ ଏହାର ସତ୍ୟତା ପ୍ରମାଣିତ ହୋଇ ସାରିଛି । ଯିଏ ଭଲ ଚିଠି ଲେଖିପାରେନା ସେ ପ୍ରଥମେ ହିଁ ବୋଲ୍‌ଡ଼ ଆଉଟ୍ ହୋଇଯାଏ । ସେ ଦୃଷ୍ଟିରୁ ତମେ ଜଣେ ସଫଳ ପତ୍ର ଲେଖିକା । ମୋର ଜଣେ ବଙ୍ଗାଳୀ ବୈଜ୍ଞାନିକ ବନ୍ଧୁ କହିଲା ସେ କୁଆଡ଼େ ପ୍ରେମରେ ପଡ଼ିଲାବେଳେ, କେବଳ ‘ରବିନ୍ଦ୍ରନାଥ’ଙ୍କ କବିତା ମୁଖସ୍ଥ କରୁଥିଲା ପ୍ରେମ ଚିଠି ଲେଖିବ ବୋଲି ।"

 

ବିଦିଶା କୃତ୍ରିମ ରାଗ ପ୍ରକାଶ କରେ, ‘‘ମୁଁ କ’ଣ ତମକୁ ପ୍ରେମ କରି ଚିଠି ଲେଖିଥିଲି । ତମେ ହୁଏତ ପ୍ରୌଢ଼ କିମ୍ବା ବୃଦ୍ଧ ହୋଇପାରିଥାଅ ଏ ଧାରଣା ମୋର ନିଶ୍ଚୟ ଥିଲା । କେବଳ ତମର ସେଇ ଚମତ୍କାର ‘sorrow’ କବିତାଟା, ଯୋଉଟା ପଢ଼ି ମୁଁ ଅଭିଭୂତ ହୋଇ ଯାଇଥିଲି ଆଉ ତା’ର ଆଡ଼୍ରେସ ସଂଗ୍ରହ କରି ଚିଠି ଲେଖିଥିଲି । କେତେ ସୁନ୍ଦର ଭାବରେ ତମେ ଦୁଃଖର ସଂଜ୍ଞା ଦେଇଛ ।” ଆକାଶ ହେଉଛି ମଣିଷର ଦୁଃଖ ଆଉ ଯନ୍ତ୍ରଣାର ଏକ ମହାକାବ୍ୟ । ଲିଭିଯାଉଥିବା ତାରା ପରି ସେ ଦୁଃଖ ଅସରନ୍ତି । ପବନରେ ତା’ର ରୁଦ୍ଧ ହାହାକାର ଭରି ରହିଛି । ନଦୀର ଶୀତଳ ଜଳରେ ସେଇ ଦୁଃଖ ଯନ୍ତ୍ରଣାର ଲୁହ ସବୁ ଭରି ଯାଇଛି ।” ଶୁଭକାନ୍ତ ବିଦିଶାର ଇମୋଶନ୍ ଉପରେ ଏକ ଚାପୁଡ଼ା ଲଗେଇଲାପରି କହେ, ‘ବୁଝୁଛ ତ ମୋର ଦୁଃଖ ? ତେବେ ତମେ ଜାଣି ଜାଣି ପାଖକୁ ଆସିବାକୁ ଏତେ ଡେରି କରୁଛ କାହିଁକି ?”

 

ବିହ୍ୱଳିତା ବିଦିଶାର ଚମକ ଭାଙ୍ଗେ । ଦେଖେ ଶୁଭକାନ୍ତ ତାକୁ ଚାହିଁ ରହିଛି । ଆଖିରେ ତାକୁ ପାଇବାର କାମନା । କିଏ ଜଣେ ବିଖ୍ୟାତ ଲେଖକ କହିଥିଲେ, ନାରୀର ଉଲଗ୍ନ ଦେହଠାରୁ ପୁରୁଷର କାମନାଭରା ଚାହାଣି ଅଧିକ ସୁନ୍ଦର । ସମୁଦ୍ର, ବେଳାଭୂମି, ଆକାଶ, ସମସ୍ତେ ଯେମିତି ସମସ୍ଵରରେ ଚିତ୍କାର କରନ୍ତି । ବିଦିଶା, ଶୁଭକାନ୍ତ ତମର । ତା’ର ପ୍ରଣୟରେ ଝାସ ଦିଅ । ଏକ ହୋଇଯାଅ । ନଈ କ’ଣ କେବେ ଜାଣିବାକୁ ଚାହେଁ ସମୁଦ୍ରର ଠିକଣା ?

 

କିନ୍ତୁ ବିଦିଶା ପାରେକି ?

 

ପାରେନା । ଶୁଭକାନ୍ତର ବିହ୍ୱଳିତ ଆବେଦନ ସତ୍ୱେ ‘ଫ୍ରିଜ୍‍ଡ଼ି’ ନାରୀଟିଏ ପରି ସେ ନିସ୍ତରଙ୍ଗ ହୋଇଯାଏ । ତା’ କଣ୍ଠର ସବୁତକ ଭାଷା ହଜିଯାଏ ।

 

ବେଳେବେଳେ ଶୁଭକାନ୍ତ ଅଭିମାନ କରି କହେ, ଏକ ଆନକୁ ବୁଝିବା, ଆନକୁ ଆପଣା ଭିତରେ ହଜାଇ ଦେବାର ବିହ୍ଵଳିତ ମୁହୂର୍ତ୍ତ ଯଦି ଭଲପାଇବା, ସେମିତି ହଜାରେ ମୁହୂର୍ତ୍ତ ଆମେ ବିତେଇ ସାରିଛୁ ଏଇ ବେଳାଭୂମିରେ । ତଥାପି କ’ଣ ଆମେ ଅପୂର୍ଣ୍ଣ । ବିଦିଶା କିଛି ଉତ୍ତର ଦେଇପାରେନା । ସାମନାର ସବୁ ଦୃଶ୍ୟପଟ ତାକୁ ଫିକା ମନେହୁଏ । ଶୁଭକାନ୍ତର ତୀକ୍ଷ୍ଣ ଆଖି ଦୁଇଟା ପୂରା ଲେନ୍‌ସ ଭିତରୁ ଅପେକ୍ଷାରେ ଚିକ୍‌ଚିକ୍ କରିଉଠେ । ବିଦିଶା ବ୍ୟତିବ୍ୟସ୍ତ ହୁଏ । ଶୁଭକାନ୍ତ ଚାହିଁଛି । ଉତ୍ତର ଦେବାକୁ ହେବ ।

 

ଆସ୍ତେକିନି ଶୁଭକାନ୍ତର ବଳାପିନ୍ଧା ହାତଟାକୁ ଓଠ ଉପରେ ଚାପିଧରି କହେ ‘ପ୍ଲିଜ ଆଉ କିଛିଦିନ ମତେ ଦିଅ’ ।

 

ବେଳେବେଳେ ସେମାନେ ଅନେକ ଦୂରକୁ ଚାଲିଯାଆନ୍ତି । ଯୋଜନେ ଝାଉଁର ଜଙ୍ଗଲ ଭିତରେ ଚାହୁଁ ଚାହୁଁ ଥମକିଯାଏ ଶୁଭକାନ୍ତ । ବିଦିଶାର ପୂରିଲା କାନ୍ଧରେ ମୁହଁରଖି କହେ, ‘‘କି ଚମତ୍କାର ବାସ୍ନା ତମ ଦେହରେ ବିଦିଶା ! ପ୍ରତି ମୁହୂର୍ତ୍ତରେ ମୁଁ ଜଳୁଛି । ଆଉ ଯେ ପାରୁନି ଏ ନିଃସଂଗତା, ଏ ନିର୍ଜନତା ସହ୍ୟକରି । କଣ କରିବି ମତେ ବତେଇ ଦିଅ ।”

 

ବିଦିଶା ଚମକିପଡ଼େ । ଏ କ’ଣ ଶୁଭକାନ୍ତର ତା’ପାଇଁ ନୂଆକଥା ! ଦେଖେ ଶୁଭକାନ୍ତର ଫୁଲିଲା ଫୁଲିଲା ଓଠ ଦୁଇଟା ଅଭିମାନରେ ଆହୁରି ଭାରି ହୋଇଯାଇଛନ୍ତି । କିନ୍ତୁ କ’ଣ କହିବ ବିଦିଶା ? ଶୁଭକାନ୍ତ କ’ଣ ସତରେ ବିଦିଶା ବିହୁନେ ଚଳିପାରିବନାହିଁ । ଇଚ୍ଛାକଲେ ତାଠୁ ଅନେକ ସୁନ୍ଦରୀ ଗୁଣବତୀ ଝିଅ ପାଇପାରିବ । କିନ୍ତୁ ବିଦିଶା ଏଇ ପ୍ରାୟ ବର୍ଷଟିଏ ଧରି କେବଳ ଶୁଭକାନ୍ତ ପାଖରେହିଁ ନିଜକୁ ନିରାପଦ ଭାବେ । ଜୀବନ ସହିତ ଯେମିତି ଶୁଭକାନ୍ତହିଁ ଏକମାତ୍ର ଯୋଗସୂତ୍ର । ନିଜର ଭଲମନ୍ଦ, ନିଜର ଗାର୍ଜନ୍‌ସିପ୍ କରିବାର ଦାୟିତ୍ୱ ବର୍ତ୍ତମାନ ବିଦିଶାର ନିଜ ଉପରେ ନିର୍ଭର କରେ । ତଥାପି ଏ ଯାବତ୍ ସେ କେବଳ ଭାବେ । ଅସ୍ଥିର ହୁଏ । ହଁ, ନାହିଁର ଭଲମନ୍ଦ ଦ୍ୱନ୍ଦ୍ୱ ଭିତରେ ଛଟପଟ ହୁଏ । ବିଳମ୍ବ କରେ ।

 

ଶୁଭକାନ୍ତ କହେ, ପୁରୁଷର ମନ ବୁଝିବାର କ୍ଷମତା ଖୁବ୍ କମ୍ ଝିଅଙ୍କର ଅଛି । ସେମାନଙ୍କର ଧାରଣା ପୁରୁଷ ଯେମିତି କେବଳ ଦେହଲୋଭୀ । ବିଦିଶା ଶୁଭକାନ୍ତର କଥାର ଅର୍ଥ ବୁଝେ । ନିଜକୁ ଦୋଷୀ ଦୋଷୀ ଭାବେ । ବିଦିଶା କ’ଣ ଏଇଆ ଭାବୁନି ଯେ, ହୁଏତ ଶୁଭକାନ୍ତ ଦେହଲୋଭୀ ହୋଇପାରିଥାଏ । ତା’ର ଭଲପାଇବା କେବଳ ବିଦିଶାର ସୁଠାମ ସୁନ୍ଦର ଦେହକୁ ନେଇ ।

 

କିନ୍ତୁ ବିଦିଶା ଖୁବ୍ ଭଲଭାବେ ଜାଣେ । ଶୁଭକାନ୍ତ ନିଜର ଗତ କେଇ ବର୍ଷର ଜୀବନରେ ଘଟିଯାଇଥିବା ଘଟଣାର ସୂତାଖିଏ ମଧ୍ୟ ବିଦିଶା ପାଖେ ଗୋପନ ରଖିନାହିଁ । ତା’ର ସମସ୍ତ ଅତୀତ ତା’ର ରାଗ ଅନୁରାଗ ପ୍ରେମ ପ୍ରଣୟର ପ୍ରତିଟି କଥା ବିଦିଶା ଜାଣିଛି । ସବୁ ଜାଣିଶୁଣି ସବୁ ବୁଝିଶୁଝି ବିଦିଶା ଶୁଭକାନ୍ତର ଏତେ ନିକଟକୁ ଆସିଛି । ନିଜକୁ ସମ୍ପୂର୍ଣ୍ଣ ସମର୍ପି ନ ଦେଲେ ମଧ୍ୟ, ସହରରେ ତା’ର ଦୁର୍ନାମ କେବଳ ଶୁଭକାନ୍ତକୁ ନେଇ । ବିଦିଶା ବରଂ ଏହାର ସୁନ୍ଦର, ସମ୍ମାନସୂଚକ ସମାଧାନ କରିପାରେ । କିନ୍ତୁ ତଥାପି ବିଦିଶା ଥମକି ଯାଏ । କାହାକୁ ମନେମନେ ଈର୍ଷାକରେ । ଶୁଭକାନ୍ତର ପ୍ରତିଟି ଅଂଶ, ପ୍ରତିଟି ଭାବଭଙ୍ଗୀ, ଆଦର ସୋହାଗ ବିଭୋର ହୋଇ ଗ୍ରହଣ କଲାବେଳେ, ହଠାତ୍ ତା’ର ମନେହୁଏ ଏସବୁ...ଏସବୁ କ’ଣ ନୂଆ !

 

ଦିନେ ଶୁଭକାନ୍ତ ତ ଏସବୁ ଆଉଜଣକୁ ଠିକ୍ ଏମିତି ଭାବରେ ଦେଇସାରିଛି । ତେବେ ବିଦିଶା କ’ଣ ବଞ୍ଚିତା ନୁହେଁ କି ! ମନଟା ତା’ର ଅଭିମାନରେ କରୁଣ ହୋଇଯାଏ । ତା’ର ମନେହୁଏ ଜୀବନରେ ଅନେକ କିଛି ପାଇଯାଇଥିବା ଶୁଭକାନ୍ତ ହୁଏତ ବ୍ୟଗ୍ର ହେଉଛି ବିଦିଶାକୁ ନେଇ ଅସମାପ୍ତ ଜୀବନରେ ସଂପୂର୍ଣ୍ଣତା ଆଣିବାକୁ I କିନ୍ତୁ ବିଦିଶାର ତ ଏସବୁ ଏଇ ପ୍ରଥମ । ଏଥିପାଇଁ ବିଦିଶା ଦିନେ ଦିନେ କପଟ ପରୀକ୍ଷାର ଆଶ୍ରୟ ବି ନେଇ ସାରିଛି । ମହିଳା କଲେଜ ପାଖରେ ଥିବା ଛୋଟ ଦୋକାନ ସାମ୍‍ନାରେ ଅପରାହ୍ନ ସାଢ଼େ ପାଞ୍ଚଟାରେ ଶୁଭକାନ୍ତ ଅପେକ୍ଷା କରେ । ସ୍କୁଟର ଆଣେନା । ଚାଲିଚାଲି ଆସେ । କୌଣସି ସଙ୍କେତ ନାହିଁ । ବିଦିଶା ଠିକ୍ ଜାଣିପାରେ ଶୁଭକାନ୍ତ ଆସିଗଲାଣି । ହଜାରେ ଚୁପି ଚୁପି କଥା ଆଉ ହସ ପରିହାସ ଭିତରେ ସେ ଘଣ୍ଟା ଦେଖିଦେଖି ବାହାରି ଆସେ । ଦେଖେ ବିଦିଶା । ଶୁଭକାନ୍ତର ଆଖି ଦୁଇଟା ପୂରା ଲେନ୍‌ସ ଭିତରୁ କେମିତି ଆବେଗ ମଧୁର ହୋଇଯାଉଛି । ଜାଣି ଜାଣି ଦିନଟିଏ ନିଜକୁ ସୀମିତ ରଖି ଦେଇଥିଲା ବିଦିଶା ହଷ୍ଟେଲର ଚାରି କାନ୍ଥ ଆଉ ସିଙ୍ଗଲ୍ ବେଡ଼୍ ଭିତରେ । କିନ୍ତୁ ଶୁଭକାନ୍ତର ରୁଟିନ୍‌ରେ କୌଣସି ପରିବର୍ତ୍ତନ ନଥିଲା । ପରଦିନ ବିଦିଶାର କପାଳରେ ଉଦ୍‌ବେଗର ହାତ ରଖି ଶୁଭକାନ୍ତ ପଚାରି ଥିଲା, ‘‘ତମ ଦେହ ଭଲ ତ ! ଏମିତି ଶୁଖିଲା ଦିଶୁଛ ଯେ ! କାଲି ରାତିରେ ମୁଁ ଭଲ କରି ଶୋଇ ପାରିଲିନି ।’’

 

ବିଦିଶା ସେଦିନ ଅଭିଭୂତ ହୋଇଯାଇଥିଲା ଶୁଭକାନ୍ତର ଆନ୍ତରିକତାରେ ଛୋଟ ଅଥଚ ଗହୀର ଆଖି ଦି’ଟାରେ କେତେ ଉଦ୍‌ବେଗ ! ବିଷଣ୍ଣତା ଭଳି ଏକ ଅନୁଭବ ଛାଇଯାଇଥିଲା ବିଦିଶାର ସର୍ବାଙ୍ଗରେ, ଯେଉଁଥିପାଇଁ ସେ ଶୁଭକାନ୍ତକୁ ଦିନେ ନ ଦେଖିଲେ ରହିପାରେନା । ଠିକ୍ ସେହିପରି ଅନୁଭବ । ଅଥଚ ଶୁଭକାନ୍ତ ସହିତ ପ୍ରଥମ ପରିଚୟ ହୋଇସାରିଲା ପରେ ବିଦିଶା ତା’ର ସବୁ ଘଟଣା କେତେ ଆଗ୍ରହରେ ଶୁଣିଥିଲା । ଶୁଭକାନ୍ତର ଦିନେ ଏକ ଅଳ୍ପ ବୟସର ପୃଥିବୀ ଥିଲା-। ଏକ ଶ୍ୟାମଳବରଣା ପ୍ରିୟାର ସ୍ଵପ୍ନଥିଲା ସେଠି । ଆକାଶ, ପବନ, ଫୁଲରଙ୍ଗ ସବୁ ଥିଲା । ଶୁଭକାନ୍ତ ମଧ୍ୟ ଏସବୁକୁ ହାତମୁଠାରେ ପାଇଥିଲା । ପ୍ରିୟାକୁ ବଧୂ ରୂପରେ, ସ୍ଵପ୍ନକୁ ବାସ୍ତବରେ ମୁଠାଇଧରି ଶୁଭକାନ୍ତ ସୁଖୀ ହୋଇଥିଲା । କିନ୍ତୁ ନୀତି ଭିତରେ ଅନୀତି ରହିଲା ପରି ଶୁଭକାନ୍ତ ଦିନେ ପୁଣି ସବୁ ହରେଇ ବସିଲା କେଉଁ ଅଜଣା ହାତର ଇସାରାରେ । କେବଳ ରହିଗଲେ ଝଡ଼ରଶେଷ ଚିହ୍ନପରି ଦୁଇଟି ଯମଜକଢ଼ି ପାପୁ, ମାମୀ, ଶୁଭକାନ୍ତର ପୁଅ, ଝିଅ । ଛବିଶ ବର୍ଷରେ ଆରମ୍ଭ ହୋଇଥିବା ଜୀବନଟା ଶେଷ ହୋଇଯାଇଥିଲା ଜମା ତିରିଶି ବର୍ଷରେ । ତା’ପରେ ଶୁଭକାନ୍ତ ପୂରାପୂରି ନିଃସଙ୍ଗ । ଏକୁଟିଆ । ବିଦିଶା ସେସବୁ କଥା ଶୁଣି, ସେଦିନ ଭାବିଥିଲା ଶୁଭକାନ୍ତ କେତେ ଦୁଃଖୀ ! କେତେ ଅସହାୟ ! କରୁଣତାର ପ୍ରତିମୂର୍ତ୍ତିପରି ବସିରହିଥିବା ଶୁଭକାନ୍ତକୁ ସେଦିନ ବିଦିଶା ପ୍ରଥମେ ସ୍ପର୍ଶ କରିଥିଲା । ନିଜର ପଣତର ମମତା ଭିତରେ ସେ ଶୁଭକାନ୍ତର କ୍ଳାନ୍ତ ମୁହଁଟିକୁ ସଜୀବ କରିଦେଇଥିଲା ।

 

ଶୁଭକାନ୍ତ କହେ ତମପାଖେ ମୋର କିଛି ହେଲେ ଗୋପନୀୟତା ନାହିଁ । କ’ଣ ପାଇଁ ମୁଁ ଯେ ମୋର ଅଫିସ୍‌ର ଶୂନ୍ୟ ଅପରାହ୍‍ଣ, ନିର୍ଜନ ରାତିର ଏକକ ନିଃସଙ୍ଗତାରେ ବ୍ୟସ୍ତହୋଇ ତମ ପାଖକୁ ପଳେଇ ଆସୁଛି ତମେ କ’ଣ ବୁଝିପାରୁନ । ଏଇ ସମୁଦ୍ରର ବିଶାଳତା କ’ଣ କେବେ ଏକ କୁନି ସରଳତା ହୋଇ ଆମ ଭିତରେ ବହିଯିବନି !

 

ଶୁଭକାନ୍ତର ଉଜ୍ଜ୍ୱଳ ଆଖିରେ ଅନେକ ବିହ୍ୱଳିତ ଭାଷା । ସେସବୁ ପଢ଼ିପାରିବାର ଅନୁଭବରେ ବିଦିଶାର ଭାଷା ହଜିଯାଏ । ତଥାପି ବିଦିଶା କହେ; ତମେ କ’ଣ ମତେ ଏବେ ମଧ୍ୟ ବିଶ୍ଵାସ କରୁନ ।

 

ଶୁଭକାନ୍ତ ହସେ : ‘‘ଝିଅମାନେ ଗୋଟିଏ ନିର୍ଦ୍ଦିଷ୍ଟ ବୟସରେ ବାହାଦୁରି ନେବାପାଇଁ ମିଛ କହିଥାନ୍ତି । ତମର ଏଇନା ସେଇ ବୟସ ।”

 

ବିଦିଶା ପ୍ରଚଣ୍ଡ ଆଘାତ ପାଏ । ବେଳେ ବେଳେ ସମୁଦ୍ରର ଉଦ୍ଦାମତାକୁ ଚାହିଁ ଚୁପ୍‌ଚାପ୍ ବସିଥିଲାବେଳେ ଦୁଇଜଣଙ୍କର ଆଖି ଅଚାନକ ଏକ ହୋଇଯାଏ । ପୁଣି ଦୁଇଜଣଯାକ ଦୃଷ୍ଟି ଫେରାଇ ନିଅନ୍ତି ସମୁଦ୍ର ଆଡ଼କୁ । ବିଦିଶା କ’ଣ ଏଇ ବର୍ଷଟିଏ ଧରି ଶୁଭକାନ୍ତର ହୃଦୟପାଖେ ପହଞ୍ଚି ପାରିନି ? ବୟସ ଆଉ ଅଭିଜ୍ଞତା ଦୃଷ୍ଟିରୁ ଏଇ ସମୟ କ’ଣ ଦୁଇଟି ହୃଦୟର ଯୋଗସୂତ୍ର ପାଇଁ ଯଥେଷ୍ଟ ନୁହେଁ ! ତଥାପି କାହିଁକି ବିଦିଶାର କୁଣ୍ଠା । ବିଦିଶାର ଦୀର୍ଘସୂତ୍ରିତା । ବିଦିଶା କ’ଣ ତେବେ ଈର୍ଷା କରେ ଶୁଭକାନ୍ତର ଅତୀତକୁ ଯେଉଁଠି ସିଏ ହୁଏତ ନିଜେ ହୋଇପାରିଥାନ୍ତା ଏକଛତ୍ର ସାମ୍ରାଜ୍ଞୀ ।

 

ଦିନେଦିନେ ଶୁଭକାନ୍ତ ଖୁସିଥାଏ । ଅପେକ୍ଷାକୃତ ନିର୍ଜନ ଜାଗାରେ ଚୁପ୍‌ଚାପ୍ ବସିରହିଥିବା ବିଦିଶାର ମୁହଁକୁ ତୋଳିଧରି କହେ : ମନେପଡ଼ୁଛି ଡ୍ରାଇଡ଼େନ୍‌ଙ୍କ କବିତା ‘‘ପ୍ରିୟା ଗୋ, ତମର ଏଇ ଦୁଇଓଠ ଉପରେ ମତେ ଚିରଦିନ ମରିପଡ଼ି ରହିବାକୁ ଦିଅ । ତମର ଦୁଇ ଓଠର ସ୍ୱାଦ ପାଖରେ, ଦେବତାଙ୍କର ସୁଧାରସ ମଧ୍ୟ ବିସ୍ୱାଦ’’ । ବିଦିଶା ହସିପକାଏ । ତା’ର ନାକଟାକୁ ଜୋର୍‍ରେ ଚିପି ଦେଇ ସେ ପୁଣି କହେ : ଜାଣିଛ ପାପୁ ମାମୀଙ୍କୁ ଆଜି ତମ କଥା କହିଛି । କି ଅଦ୍ଭୁତ ଖୁସି ପିଲାଦିଟାଙ୍କର ! ସେମାନଙ୍କ ଛୋଟ ହସକାନ୍ଦର ପୃଥିବୀରେ ତମେ ସ୍ନେହର ମମତାର ବର୍ଷା ହୋଇ ଝରିଯିବ । ସେମାନେ ଆୟା ହାତରୁ ମୁକ୍ତି ପାଇବେ । ପୁଣି ମୁଁ ଦିନେ ତମର ପଣତ ଛାଇରେ ଶୋଇ ସ୍ୱପ୍ନ ଦେଖିବି । ଏସବୁ କ’ଣ ସତ ହେବ !

 

ଅକାରଣରେ ବିଦିଶାର ଆଖିରେ ଲୁହ ଭର୍ତ୍ତି ହୋଇଯାଏ । ଆଖିରେ ଦୂରକୁ ଚାହିଁ ରହିବାର ଭାବ କିନ୍ତୁ ଅନେକ ପରିମାଣରେ ଆନନ୍ଦର ସୂଚନା । ଅବୁଝା କଥା ବୁଝିପାରିବାର ଆତ୍ମସନ୍ତୋଷ l କଳ୍ପନାର ରଙ୍ଗ ତୁଳୀରେ କ’ଣ ଆତ୍ମାର କ୍ଷୁଧା ପ୍ରଶମିତ ହୋଇପାରିବ ! ତେବେ ବିଦିଶା ପଛେଇଯାଏ କାହିଁକି ?

 

ପାପୁ, ମାମୀ କିମ୍ବା ଅନ୍ୟ କିଛିପାଇଁ ନୁହେଁ ।

 

ତା’ର ଅଭିମାନ କେବଳ ପାଚେରୀ ହୋଇ ଛିଡ଼ାହୁଏ । ଆଜି ଯାହା ତା’ର ଏକାନ୍ତ ନିଜର ହୋଇଥାନ୍ତା, ଯାହାକୁ ସେ ଏକୁଟିଆ ପାଇପାରିଥାନ୍ତା, ସେସବୁ ପୂର୍ବରୁ ଅନ୍ୟ ଜଣକର ହୋଇସାରିଛି । ଏଇ ଭାବନା ତାକୁ ପ୍ରତି ମୁହୂର୍ତ୍ତରେ ପୀଡ଼ିତ କରେ ।

 

ଆଉ ଦିନେ ଦିନେ ଶୁଭକାନ୍ତ ବାଲି ଉପରେ ଚିତ୍‌ ହୋଇ ଶୋଇପଡ଼େ । ଦୀର୍ଘଶ୍ୱାସ ନେଇ କହେ, ‘‘ଆମର ସମ୍ପର୍କ କେବଳ intimacy at distance ଅନ୍ତରଙ୍ଗତା କିନ୍ତୁ ଦୂରରୁ । ହୁଏତ ମୁଁ କିମ୍ବା ତମେ ବଦଳିହୋଇ ଏ ସହର ଛାଡ଼ି ଚାଲିଯିବା ପର୍ଯ୍ୟନ୍ତ କେବଳ ସମ୍ଭାବନା ପଛରେ ଛୁଟିବାକୁ ହେବ ।’’ କିନ୍ତୁ ବିଦିଶା କ’ଣ କରିବ । ପ୍ରତି ରାତିରେ, ସିଙ୍ଗଲ୍ ବେଡ଼୍‍ରେ ଶୋଇଶୋଇ ସେ ପ୍ରସ୍ତୁତ ହୁଏ । ନା ଆଉ ଅପେକ୍ଷା ନୁହେଁ । ଗୋଟେ ପରିପୂର୍ଣ୍ଣ ଅତୀତ ଥିଲେ ମଧ୍ୟ ଶୁଭକାନ୍ତ ଆଜି ସେସବୁ ଭୁଲିଗଲାଣି । କେବଳ ତାକୁହିଁ ଭଲପାଏ । ତାକୁହିଁ ଚାହେଁ । ତେବେ ମିଛରେ ଗୋଟିଏ ଈର୍ଷା, ଗୋଟାଏ ଇଗୋ, ଗୋଟାଏ ଅଭିମାନକୁ ବଡ଼କରି ଲାଭ କ’ଣ । ତା’ଛଡ଼ା ଶୁଭକାନ୍ତକୁ ବାଦ୍‌ଦେଇ ସେ ନିଜକୁ ତ କେବେ କଳ୍ପନା କରିପାରିନି । ଶୁଭକାନ୍ତ ତା’ର ସବୁ । ତେବେ କୁଣ୍ଠା କାହିଁକି !

 

କିନ୍ତୁ ରାତି ଶେଷରେ ଆଉ ଗୋଟିଏ ଦିନ, ଝରକା ଆରପଟେ ଦେଖାଦିଏ । ବିଦିଶାର ସାରାଦିନର ପ୍ରସ୍ତୁତି ଚାଲେ ଶୁଭକାନ୍ତ ପାଇଁ । କିନ୍ତୁ ଶେଷ ମୁହୂର୍ତ୍ତରେ, ତା’ର କ’ଣ ହୁଏ ସେ ବୁଝିପାରେନା । ଶୁଭକାନ୍ତ ପାଖେ ପାଖେ ବସି କେବଳ ମନେହୁଏ, ମୋ ପୂର୍ବରୁ ଏଠି କାହାର ଲକ୍ଷ୍ମୀପାଦ ଛାପ । ମୁଁ କ’ଣ ଲିପିପୋଛି ସେ ଦାଗ ଲିଭେଇ ପାରିବି । ଅଥଚ ସେ ପରିଷ୍କାରଭାବେ ଶୁଭକାନ୍ତକୁ ପଚାରି ପାରେନା, ତମେ କ’ଣ ଭୁଲିପାରିଛ ତମର ଅତୀତକୁ ! ହୁଏତ ଶୁଭକାନ୍ତ ତା’ର କଥାର ଯାଦୁକରିରେ ହେଉ ବା ହୃଦୟ ଖୋଲାଭାବେ ହେଉ କିଛି ଗୋଟିଏ ସନ୍ତୋଷଜନକ ଉତ୍ତର ଦିଅନ୍ତା ଏବଂ ବିଦିଶା ମଧ୍ୟ ଶାନ୍ତି ପାଇପାରନ୍ତା । କିନ୍ତୁ ପାରେନା ବିଦିଶା । କାରଣ ଶୁଭକାନ୍ତକୁ ସେ ଏତେ ଭଲପାଏ ଯେ, ତା’ର ମନେହୁଏ ହୁଏତ ଶୁଭକାନ୍ତ ଆଘାତ ପାଇବ । ଯାହା ବିଦିଶାପାଇଁ ଅସହ୍ୟ ।

 

କେବଳ ଦେଖାହେଲେ ଶୁଭକାନ୍ତର ଡାହାଣ ହାତକୁ କୋଳରେ ଥୋଇ ଷ୍ଟିଲ୍ ବଳାଟାକୁ ନେଇ ଖେଳୁ ଖେଳୁ ପଚାରେ : ତମେ ଦିନକୁଦିନ ଦୁର୍ବଳ ହୋଇପଡ଼ୁଛ । ଏତେ ଚିନ୍ତା କରୁଚ କାହିଁକି ଯେ । ଶୁଭକାନ୍ତ ହାତଟା ଆସ୍ତେ ଛଡ଼େଇ ନେଇ ଦୁଇ ହାତରେ ମୁଣ୍ଡର ବାଳ ଠିକ୍ କରୁ କରୁ କହେ : “ଏକୁଟିଆ ରହିଲେ ମଣିଷ ନିଶ୍ଚୟ ଚିନ୍ତା କରିବ । ନିଃସଙ୍ଗ ହୋଇ ସମୟ କାଟିବା ଯେ କେତେ କଷ୍ଟକର ତମେ କ’ଣ ବୁଝିପାରୁନା ! ମୁଁ ମୋର ଛୋଟିଆ ପୃଥିବୀରେ କେତେ ସ୍ୱପ୍ନ ଦେଖିଛି । ଆନ୍ତରିକ ଏକନିଷ୍ଠଭାବେ ତମକୁ ଚାହୁଁଛି । କିନ୍ତୁ ତମକୁ ଉଇମେନ୍‌ସ କଲେଜର ହଷ୍ଟେଲ୍‌ପାଖେ ଛାଡ଼ିଦେଇ ଫେରିଲା ପରେ ମୋର ମନେହୁଏ ତମେ ହୁଏତ କାଲି ଆଉ ଆସିବନି-। ଗୋଟିଏ ତା’ର ବାର୍ତ୍ତା ଆସିବ । କେମିତି ଏକ ଆଶ୍ଵସ୍ତି ଏକ ଆଶଙ୍କା ମତେ ଦୁଃଶ୍ଚିନ୍ତାଗ୍ରସ୍ତ କରିପକାଏ ।

 

ବିଦିଶା ନୀରବରେ ଶୁଭକାନ୍ତର ମୁଣ୍ଡଟାକୁ ଧୀରେ ଆଉଁଶି ଦିଏ । ଅନେକ ସମୟ ଚୁପ୍ ହୋଇ ଆଖିବୁଜି ରହେ ଶୁଭକାନ୍ତ । ବିଦିଶାର ଛାତିଟା କେମିତି ଏକ ମମତାମିଶା ଶୂନ୍ୟତାରେ ଭରିଯାଏ । ମଣିଷ ଅନ୍ୟ ଏକ ନିର୍ଦ୍ଦିଷ୍ଟ ମଣିଷ ପାଖେ ଏତେ ଦୁର୍ବଳ ହୋଇପଡ଼େ କେମିତି !

 

କିନ୍ତୁ ଆଜି...‘‘ପ୍ରାୟ ନିର୍ଜନତାର ସୁଯୋଗ ନେଇ ଶୁଭକାନ୍ତ ବିଦିଶାକୁ ନିଜ ଛାତିରେ ଲଟେଇ ଦେଇଥିଲା । ତା’ର ପୂରିଲା ଓଠ ଦି’ଟା ବାରମ୍ବାର ଛୁଇଁ ଯାଇଥିଲା ବିଦିଶାର ଭିଜା ଓଠକୁ-। ଅକୁଣ୍ଠିତା ବିଦିଶା ସଲଜ୍ଜ ରୀତିରେ ସେଇ ଆବେଗ ଗ୍ରହଣ କରୁ କରୁ ହଠାତ୍ ଶୁଭକାନ୍ତ ତାକୁ ମୁକ୍ତ କରିଦେଇ ମୁହଁ ଫେରେଇନେଇ ଚୁପ୍ ହୋଇଯାଇଥିଲା । ବିଦିଶା କିଛି ବୁଝିପାରି ନଥିଲା ।

 

କୌଣସି କଥାନାହିଁ । କେବଳ ନୀରବତା ।

 

କେବଳ ହିଂସୁକୀ ସମୁଦ୍ରର ଉଚ୍ଛଳତା ।

 

ଆକାଶରୁ ତାରୁଣ୍ୟ ଝରୁଛି । ଏକ ଅପୂର୍ବ ରଙ୍ଗଭୂମିର ରୂପ ନେଇଛି ସାରା ଆକାଶ । ତାରାର କଢ଼ି । ଖଣ୍ଡ ଖଣ୍ଡ ଚପଳ ମେଘ । ବିଦିଶାର ଛାତିରେ ଶିହରଣ । ଓଠରେ ଅମୃତର ଦଂଶନ-। ଆଜି ଏଇ ସୁନ୍ଦର ମୁହୂର୍ତ୍ତରେ ଚୁପ୍‌ଚାପ୍ ବିଦିଶାର ମନେହଉଛି ସେ ଶୁଭକାନ୍ତର ଅସ୍ତିତ୍ଵ ଭିତରେ ଝାସ ଦେବକି ! ଅଥଚ ସଦା ଚପଳ ଶୁଭକାନ୍ତ ନିଥର । ଉନ୍‌ମନା ବିଦିଶାକୁ ସେ ଯେମିତି ଆଉ ଦେଖିପାରୁନି । ଏଇ କେଇ ମୁହୂର୍ତ୍ତ ପୂର୍ବରୁ ଘଟଣା କ’ଣ ତେବେ ମିଥ୍ୟା !

 

ଧୀରେ ଶୁଭକାନ୍ତର କାନ୍ଧରେ ହାତ ଥୋଇଲା ବିଦିଶା: ‘ମୋ ଉପରେ ରାଗିଲ’ ?

 

ପୂରା ଲେନ୍‌ସ ଭିତରୁ ସେଇ ତୀକ୍ଷ୍ଣ କଥାକୁହା ଆଖି ଦୁଇଟିର ଦୃଷ୍ଟି ଗଭୀର ହେଲା । ଗୋଟିଏ ଦୀର୍ଘ ନିଃଶ୍ୱାସକୁ ଚାପି ରଖି ସେ କହିଲା : ‘‘ଏ ଯାବତ୍ ମୁଁ କାହା ଉପରେ ରାଗି ପାରିନାହିଁ ବିଦିଶା । ଆଜି ଅଫିସ୍‍ରେ ବସିବସି କାମ୍ୟୁଙ୍କର ‘ଦି ମିଥ୍ ଅଫ୍ ସିସିଫସ୍’ ପଢ଼ିଲି । କେବେହେଲେ ମୁକ୍ତି ପାଇବ ନାହିଁ ଜାଣି ସୁଦ୍ଧା ସିସିଫସ୍ ପଥର ଖଣ୍ଡଟିକୁ ପାହାଡ଼ ଉପରକୁ ବୋହି ନେଇଯାଏ । ପୁଣି ଫେରିଆସେ ସେଇ ପଥର ନେଇ । ମୋର ମନେ ହେଉଛି ମୁଁ ଯେମିତି ସିସିଫସ୍ । କେବଳ ଆଶା, ଫାଙ୍କି ଭିତରେ ବଞ୍ଚି ରହିବା ଛଡ଼ା ଯେମିତି କିଛିନାହିଁ ମୋ ଜୀବନରେ । ମୋର ଅବିଚଳିତ ବିଶ୍ୱାସ ଭିତରେ ନିଃସନ୍ଦେହରେ କାହାର ଅବିଶ୍ଵାସ ଆଘାତ କରୁଛି ଅହରହ । କୁହ ଏପରି ଯନ୍ତ୍ରଣାର ପରିତ୍ରାଣ ଅଛିକି ?

 

ବିଦିଶା ନିଶ୍ୱାସର ବତାସଟା‌ ହଠାତ୍ ଯନ୍ତ୍ରଣାରେ ଭର୍ତ୍ତି ହୋଇଗଲା ପରି ଲାଗିଲା । ଏ କ’ଣ କହୁଛି ଶୁଭକାନ୍ତ ! ତେବେ କ’ଣ ଶୁଭକାନ୍ତ ଆସ୍ଥା ହରେଇ ବସିଛି ବିଦିଶା ଉପରୁ ! ବିକଶିତ ହୋଇ ଉଠୁଥିବା ସୁନ୍ଦର କଢ଼ିଟି ତେବେ କ’ଣ ଶୁଷ୍କ ବିବର୍ଣ୍ଣ ହୋଇଯିବ ଅବେଳରେ-! ସମୁଦ୍ରକୂଳ କ୍ରମଶଃ ନିରୋଳା ହୋଇ ଆସୁଛି । ଆଉ ଅଳ୍ପ ସମୟ ପରେ ଶୁଭକାନ୍ତ ଉଠିପଡ଼ିବ । ତା’ ପୂର୍ବରୁ...-

 

ଶୁଭକାନ୍ତକୁ ସନ୍ଦେହ କରିବା ମାନେ ଏକ ଦୁଃସହ ଯନ୍ତ୍ରଣାକୁ ସୁଯୋଗ ଦେବା ।

 

ବିଦିଶା ଦୁଇହାତ ପାପୁଲିରେ ଶୁଭକାନ୍ତର ମୁହଁଟାକୁ ନିଜ ଆଡ଼କୁ ଘୁଞ୍ଚେଇ ଆଣିଲା । ଭଲକରି ଚାହିଁଲା ସେ ମୁହଁକୁ । ସେ ଆଖିକୁ । ସେ ଓଠକୁ । ଏଠି ତା’ର ପ୍ରେମ ଅଛି । ଭରସା ଅଛି-। ବିଶ୍ଵାସ ଅଛି । ଅଙ୍ଗୀକାର ଅଛି । ତେବେ ତା’ର ସନ୍ଦେହ କାହିଁକି ? ବେଳାଭୂମିରେ ଆଉ କାର ପାଦଚିହ୍ନ ଲିଭିଗଲାଣି । କେବଳ ବିଦିଶାର ପାଦଚିହ୍ନ ସେଠି ସ୍ପଷ୍ଟ ହୋଇ ଉଠୁଛି । ପୁରୁଣା ଆକାଶରେ ସେଇ ମୁଠା ମୁଠା ତାରାର ଭିଡ଼ । ସେଇ ଜହ୍ନ । ସେଇ ବେଳା । ତଥାପି କେତେ ଅନ୍ତରଙ୍ଗ ଏମାନେ । ବିଦିଶାର ମନର ଝରକା ଆରପଟେ ଏମାନେ ନିତି ଛିଡ଼ା ହୁଅନ୍ତି । ଶୁଭକାମନା ଜଣାନ୍ତି । ଅଥଚ ଏତେ ଦିନ ଧରି ଏମାନଙ୍କୁ ଭ୍ରୂକ୍ଷେପ କରିନି ବିଦିଶା ।

 

ବିଦିଶାର ଉଚ୍ଚ ସ୍ୱରରେ ଗୀତ ଗାଇବାକୁ ଇଚ୍ଛାହେଲା । ହାତ ଭିତରେ ଥିବା ମୁହଁଟିର ପ୍ରତିଟି ଭାଷା ସେ ପଢ଼ିପାରୁଛି । ବୁଝିପାରୁଛି ସେଠି ଆଉ କାହାର ଦୃଶ୍ୟନାହିଁ । କେବଳ ତା’ର l ବିଦିଶାର । ହଜିଯାଉଛି ବିଦିଶା ।

 

ଆଉ କ’ଣ ପ୍ରତାରଣା କରିହେବ ଏ ଆକାଶକୁ । ଏ ସମଗ୍ର ବେଳାଭୂମିକୁ ।

 

ପ୍ରେମ ଏକ ଋତୁ

 

ସୁଖମୟ କ୍ୟାଲେଣ୍ଡରକୁ ଚାହିଁଲେ । ରବିବାର । ଏକ ନିଯୁକ୍ତିହୀନ ଛୁଟିଦିନ । ଅଥଚ ଆଜି ଦିନସାରା ସିଏ କିଛି କରିପାରିଲେ ନାହିଁ । ଦିନଟା ଶେଷ ହୋଇ ରାତିରେ ପରିଣତ ହୋଇ ଗଲାଣି । ବାହାରେ ମେଘ ମେଦୁରିତ ଆକାଶ । ଆଉ ଅଦିନିଆ ବର୍ଷାର ସଙ୍ଗୀତ; କିନ୍ତୁ ସୁଖମୟ ଶୋଇ ପାରୁନାହାନ୍ତି । କେବଳ ନିଛାଟିଆ ଲାଗୁଛି ।

 

ଚଇତି ପଶି ଆସିଲା ଭିତରକୁ । କୋଳରେ ସବା ସାନ ପୁଅ । ପଲଙ୍କର ଗୋଟିଏ ପଟେ ଶେଯ ପାରି ତାକୁ ଶୁଆଇ ଦେଉ ଦେଉ କହିଲା, ‘‘ତମେ ଶୋଇନ ଏଯାଏ । କାଲି ପରା ମର୍ଣ୍ଣିଂକ୍ଳାସ ।”’ ସୁଖମୟ ନ ଶୁଣିଲା ପରି ଚୁପ୍ ରହିଗଲେ । ଚଇତି ମଧ୍ୟ ଆଉ କିଛି କହିଲାନି । ନୀରବରେ ଶାଢ଼ିଟା ବଦଲେଇ ପଲଙ୍କ ବାଡ଼ାରେ ଥୋଇଲା ।

 

ସୁଖମୟ ଅନେଇଥିଲେ । ଚଇତିକୁ । ତାଙ୍କର ଧର୍ମପତ୍ନୀ । ଯିଏ ଦିନେ ତାଙ୍କ ତୂଳିର ପ୍ରାଣ ଥିଲା । ଚମକ ଥିଲା । ଜମକ ଥିଲା । ଆଜି ସଂସାର ଭିତରେ ପେଷି ହୋଇ କେତେ କମର୍ସିଆଲ୍ ହୋଇଗଲାଣି ! ଆଜି ରବିବାର । ଦିନଯାକ ଖାଲି ଫରମାସ । ବଡ଼ ପୁଅର ସ୍କୁଲ ଦରମା, ଝିଅର ସ୍କୁଲ ଡ୍ରେସ, ମଝିଆଟିର ଛବିବହି କିଣା ହେବ । ଦୁଧବାଲାର ପାଉଣା, କୋଳ ପୁଅଟିର ଅମୁଲନାହିଁ ଇତ୍ୟାଦି ଇତ୍ୟାଦି । ସୁଖମୟ ଏତେ ସୁନ୍ଦର ବର୍ଷା ଭିଜା ଛୁଟିଦିନଟାରେ ଥରେହେଲେ ତୁଳୀ ଧରି ପାରିନାହାନ୍ତି । କିନ୍ତୁ ଦିନ ଥିଲା...ବାହାଘରର ପ୍ରଥମ ଦୁଇଟି ବର୍ଷ...ଏମିତି ଅଦିନିଆ ବର୍ଷା ହେଲେ ଚଇତି ତାଙ୍କୁ ଜବରଦସ୍ତ ଟେବୁଲ ପାଖରୁ ଉଠେଇ ଆଣେ । ତନ୍ମୟ ଭଙ୍ଗୀରେ କହେ, ‘‘ଦେଖ, ଦେଖ କି ସୁନ୍ଦର ବର୍ଷା ! ଅଦ୍‍ଭୁତ ନା...."

 

ସୁଖମୟ ଗମ୍ଭୀର ହେଲାପରି କହନ୍ତି, ‘‘ବର୍ଷା ତ ବର୍ଷା, ପୁଣି ଅଦ୍‍ଭୁତ କ’ଣ ?”

 

ଚଇତି କପଟ ରାଗ କରେ । ଆଉ ସୁଖମୟ ତାକୁ ଭୁଲେଇବାକୁ ଯାଇ କହନ୍ତି, ‘‘ମତେ କିନ୍ତୁ ଏଇ ଅଦିନିଆ ବର୍ଷାକୁ ଶୁଭ ଶୁଭ ଲାଗେ । ଏମିତି ଏକ ବର୍ଷାରେ ଅଧୀର ବ୍ୟସ୍ତ ହୋଇ ତମେ ଆମ ମେସ୍ ବାରଣ୍ଡାକୁ ଉଠି ଆସିଥିଲ ରାସ୍ତା ଉପରୁ । ଆଉ ଆମର ପରିଚୟ ହୋଇଥିଲା । ଆଉ ଆମ ବାହାଘର ଦିନ ସେ କି ପ୍ରଚଣ୍ଡ ବର୍ଷା ! ପ୍ରାୟ ଭାସି ଭାସି ମୁଁ ତମ ଘରେ ପହଞ୍ଚିଥିଲି । ମୋଟେ ଦୁଇଟି ଟାକ୍‍ସି ନେଇ । ତେଣୁ ବର୍ଷା ଏକ ସୁନ୍ଦର ସଂଭାବନାର ଚିହ୍ନ । ଦେଖିବ ଆମର ପ୍ରଥମ ପିଲାଟି ହେବ ଏଇ ବର୍ଷାଦିନେ ।

 

ଚଇତି ଆସ୍ତେ ମୁହଁ ଗୁଞ୍ଜେ ସୁଖମୟଙ୍କ ଛାତିରେ । କିନ୍ତୁ ଆଜି–ସବୁ କେବଳ ସ୍ମୃତି ପର୍ଯ୍ୟାୟ ଭୁକ୍ତ । କେବେ ଯଦି ବର୍ଷା ଦେଖିବା ପାଇଁ ଚଇତିକୁ ସୁଖମୟ ବାଧ୍ୟ କରନ୍ତି ଏବଂ ଝରକା ପାଖକୁ ନେଇ ଆସନ୍ତି । ଚଇତି ଭୀଷଣ ବିରକ୍ତ ହୋଇଯାଏ ।

 

“ଏବେ କ’ଣ ଏଇ ସଉକ କରିବା ବେଳ ! ଦେଖୁନ, ସନ୍ଧ୍ୟା ହୋଇ ଆସିଲାଣି । ଗୁଡ଼ାଏ କାମ ମୋର । ତମେ ବରଂ ଦେଖ ଆଙ୍କିବା ପାଇଁ କିଛି ପ୍ରେରଣା ପାଇପାରିବ ।” ସୁଖମୟ ଚକିତ ହୁଅନ୍ତି ସେ ଚଇତି ଆଉ ଏ ଚଇତି କ’ଣ ଏକା ଲୋକ ! ଏଇ କ’ଣ ଦାମ୍ପତ୍ୟ ! ଏଇ କ’ଣ ସ୍ଵାମୀ ସ୍ତ୍ରୀର ଜନ୍ମାନ୍ତରର ସମ୍ପର୍କ !

 

ଚଇତି ମଶାରି ଝାଡ଼ୁଛି । ପାଞ୍ଚଫୁଟ ଦେଢ଼ଇଞ୍ଚର ସ୍ୱାସ୍ଥ୍ୟବତୀ ଦେହ । ପେଲବ ସୁଗୌର ବାହୁ । ବିବାହର ଆଠବର୍ଷ ଭିତରେ ଚାରିଟା ପିଲାର ମା’ ହୋଇ ମଧ୍ୟ ବେଶ୍ ସୁନ୍ଦରୀ ଲାଗୁଛି ସେ । ସେମିତି ଚାଲିରେ ଛଳ, ସେମିତି ଦେହରେ ଲାବଣ୍ୟ, ସେମିତି ଅଙ୍ଗୁଳିରେ ତଡ଼ିତ୍ ତାନପୂରାର ଧ୍ଵନି-। ସବୁ ଠିକ୍ ଅଛି କେବଳ ନିଜେ ଚଇତି ବଦଳି ଯାଇଛି । ଏକାନ୍ତ ପାରିବାରିକ ହୋଇଯାଇଛି-। ତା’ର ଆଉ ସୁଖମୟଙ୍କର ତୁଳୀ କାନ୍‌ଭାସ୍ ପ୍ରତି ସେମିତି ମମତା ନାହିଁ । ବରଂ ତା’ର ଅଭିଯୋଗ, “ତମେ ସେ ତୁଳୀ ରଙ୍ଗ ଛାଡ଼ିଦେଲ । କେତେଗୁଡ଼ିଏ ଟିଉସନ୍ ଧର । ନ ହେଲେ ଆର୍ଟ ବିଷୟରେ କିଛି ବହି ଲେଖି ଦେଖୁନ । ମହାନ୍ତି ବାବୁ ତମପରି ଜଣେ ଆର୍ଟ ଲେକ୍‌ଚରର ହୋଇ କେମିତି କୋଠା ବନେଇଲେଣି ।”

 

ଖୁବ୍ ବେଶି ହେଲେ ଚଇତିର ଅଣତ୍ରିଶ୍‍ ହେବ । ଏକୋଇଶିରେ ସେ ତାକୁ ବିବାହ କରିଥିଲେ । କିନ୍ତୁ ଚଇତିର ବ୍ୟବହାରରୁ ଲାଗୁଛି ଏକ ଅଭିଜ୍ଞା ପ୍ରୌଢ଼ା ରମଣୀ ଭଳି । ସୁଖମୟ ସେମିତି ଚେୟାର୍‌ରେ ବସି ଅନେଇଥିଲେ । ମଶାରି ପକେଇ ଚଇତି ଭିତରକୁ ଚାଲିଗଲାଣି । ହୁଏତ ଶୋଇ ପଡ଼ିଲାଣି । ସୁଖମୟ ଚ‌ଇତିକୁ ବିବାହ କଲାବେଳେ କେତେ ସ୍ଵପ୍ନ ଦେଖି ନଥିଲେ ସତରେ !

 

ଏଇ ସେଦିନ...ଚଇତି ଏକାନ୍ତରେ କହିଥିଲା, “ଦେଖ ବୟସ ବଢ଼ୁଛି । ଏବେଠୁ ସାବଧାନ ହେବା ଦରକାର । ଆମର ତ ପୁଅ ଝିଅ ମିଶି ଚାରୋଟି ହେଲେଣି । ଆମେ ତ ଆଉ ଏତେ ଧନୀ ନୋହୁ । କେମିତି ସେମାନଙ୍କୁ ମଣିଷ କରିବା କେବେ ଭାବୁଛ ! କେତେ ଅସୁବିଧା ହେଉଛି ତମେ କ’ଣ ବୁଝିପାରୁନ ! ସାନଟିର ଛ’ମାସ ପୂରି ଗଲାଣି । ମତେ ତ ସେତେବେଳେ ନାଇଁ କହ । ତମେ ବରଂ ଡକ୍ଟରଙ୍କ ସହିତ ପରାମର୍ଶ କର......”

 

ସୁଖମୟ କିଛି କହି ନଥିଲେ । ଚଇତି ଅପ୍ରସ୍ତୁତ ହୋଇ ପୁଣି କହିଥିଲା, ‘‘ମୋ କଥାକୁ ଭୁଲ୍‍ ବୁଝନି, ଥରେ ଭାବି ଦେଖ, ଆମେ କ’ଣ ଗାଁ ଗଣ୍ଡାର ଲୋକଙ୍କ ପରି ମୂର୍ଖ !”

 

ସୁଖମୟ ଅନୁଭବ କରିଥିଲେ ଏଇ ଆଠବର୍ଷ ଭିତରେ ସେମାନେ ସ୍ଵାମୀ ସ୍ତ୍ରୀ ହୋଇପାରିଛନ୍ତି ସିନା ହେଲେ କେହି କାହାରି ମନ ପାଖରେ ପହଞ୍ଚି ପାରିନାହାନ୍ତି । ଚଇତି ନିଜକୁ ଯେଉଁ ଭୂମିକାରେ ରଖିବାକୁ ଚାହୁଁଛି, ସୁଖମୟ ସେ ଭୂମିକା ପସନ୍ଦ କରନ୍ତିନାହିଁ । ସୁଖମୟ ନିମ୍ନ ମଧ୍ୟବିତ୍ତ ଘରର ପୁଅ । ତାଙ୍କ ବୋଉ ତ ପୁଣି ଆଠଟି ପିଲାର ମା’ । ଦିନେହେଲେ ତ ସେ ଏମିତି ଭବିଷ୍ୟତ ଚିନ୍ତାରେ ବିବ୍ରତ ହୋଇ ନଥିଲା । ତା' ବୋଲି କ’ଣ ସୁଖମୟ ଏବଂ ତାଙ୍କର ଅନ୍ୟ ଭାଇଭଉଣୀମାନେ ମଣିଷ ହୋଇ ନାହାନ୍ତି ! ତେବେ ଏ କ’ଣ ଚଇତିର ଅଧିକ ଶିକ୍ଷାର ଫଳ ! ନା ନିଜକୁ ଯୁବତୀ ରଖିବାପାଇଁ ଆପ୍ରାଣ ଚେଷ୍ଟା !

 

ବର୍ଷା କମିନି । ଟିକେ ଆଗରୁ ମନେ ହେଉଥିଲା କମିଯିବ; କିନ୍ତୁ ପୁଣି ମେଘ ଭିତରେ ବିସ୍ଫୋରଣର ଶବ୍ଦ । ସୁଖମୟଙ୍କର ଶିଳ୍ପୀ ପ୍ରାଣଟା କେମିତି ଏକ ହାହାକାରରେ ଭରିଗଲା । ସେ ଆଜି କେତେ ଅସଫଳ ସତରେ !

 

ଲାଇଟ୍ ଅଫ୍ ହୋଇନି । କାରଣ ସୁଖମୟ ଚେଇଁଛନ୍ତି । ଚେୟାର୍‌ରେ ବସି ଟେବୁଲ୍‍ରେ ସେ ଝୁଙ୍କିପଡ଼ି ଭେନସ୍ ପେନ୍‌ସିଲ୍‍ରେ କ’ଣ ଗାରେଇବାକୁ ଆରମ୍ଭ କଲେଣି । ଆଖିରେ ଆଲୁଅ ପଡ଼ୁଛି । ନିଦ ଆସୁନାହିଁ । ବାହାରେ ବର୍ଷା । ଝରକାର ଗ୍ରିଲ୍‌ରେ ମାଡ଼ିଥିବା ବର୍ଷାପୀଡ଼ିତ ମନିପ୍ଳାଣ୍ଟ୍ କେତେ ସୁନ୍ଦର ଦିଶୁଛି ଲାଇଟ୍‍ରେ । ଚଇତି ଆଖିରେ ଲୁହ ଜକେଇ ଆସିଲା । ଶୋଇ ଶୋଇ ତା’ର ସବୁ ମନେପଡ଼ିଲା । ବାପା, ବୋଉ, ଅପା, ଭାଇ ସମସ୍ତଙ୍କୁ ପର କରି ଏକା ଜିଦ୍‌ରେ ଭାଇର ବନ୍ଧୁ ସୁଖମୟଙ୍କୁ ବିବାହ କଲାବେଳେ ସେ ଭାବି ନଥିଲା ସୁଖମୟ ତାକୁ ଏମିତି ଠକେଇବେ ବୋଲି ! ସେଦିନ ସୁଖମୟଙ୍କ ସୁନ୍ଦର କଥାକୁହା ଆଖିରେ ସ୍ଵପ୍ନ, ତାଙ୍କ ବଳିଷ୍ଠ ଦେହରେ ସୌନ୍ଦର୍ଯ୍ୟ ଆଉ ତୁଳୀର କରାମତି ଦେଖି ଚଇତି ଭୁଲ୍ କରିଥିଲା ।

 

ସୁଖମୟଙ୍କର ପାଦତଳେ ନିଜକୁ ସମର୍ପଣ କରିଥିଲା; କିନ୍ତୁ ସେ ସମର୍ପଣରେ ଏତେ ଯେ ତିକ୍ତତା । ଏତେ ଅପରାଧ ଥାଇପାରେ ସେ କଥା କ’ଣ ଚଇତି ଥରେବି ଭାବିଥିଲା !

 

ଚଇତିର ମନଟା କେମିତି ବିଷଣ୍ଣ ଆଉ ଅସହାୟ ହୋଇ ଉଠିଲା । ତେବେ ତା’ ଜୀବନରେ ପ୍ରେମ ବିବାହଟା କ’ଣ ଏକ ବୃହତ୍ ଟ୍ରାଜେଡ଼ି ! ଯେଉଁଥିପାଇଁ ସେ କୌଣସି ଯୁକ୍ତିତର୍କ ଭବିଷ୍ୟତର ଭାବନାକୁ ଖାତିର କରି ନଥିଲା । ଯେଉଁ ଅନ୍ଧ ଆବେଗରେ, ଯେଉଁ ଇମୋଶନ୍‌ର ନିଶାରେ ସେ ଭାସିଯାଇ ସୁଖମୟଙ୍କର ହାତ ଧରିଥିଲା ସେସବୁ କ’ଣ ଭୁଲ୍ ? ଜୀବନ ଆଉ ମନ କ’ଣ ତେବେ ଭିନ୍ନ !

 

ସେଦିନ ଅପା ଏବଂ ଭାଇନା ଗାଡ଼ି ନେଇ ଆସିଥିଲେ । ଅପା ଚମକି ପଡ଼ିଥିଲା ଚଇତିକୁ ଦେଖି । ‘‘ଇତି, ତୋର ଚେହେରା କ’ଣ ହେଲାଣି ଲୋ ! ପିଲାର ମା’ ହେଲୁ ବୋଲି କ’ଣ ବୁଢ଼ୀ ହୋଇଗଲୁ ! କାଲିକାର ପିଲାଟା ତୋ ବୟସର ଝିଅ ବାହା ହୋଇ ନାହାନ୍ତି । ସୁଖମୟକୁ କହି କିଛି ଗୋଟାଏ ବ୍ୟବସ୍ଥା କର । ଏମିତି ପିଲା ଜନ୍ମ କରି କରି ତୁ ଦିନେ ଶେଷ ହୋଇଯିବୁ । ଜାଣିଚୁ, ବେଶି ଗର୍ଭଧାରଣ କଲେ ଜରାୟୁରେ କ୍ୟାନସର ହୋଇଯାଉଛି ।”

 

ଚଇତିର କୋହ ଉଠିଥିଲା । କ୍ୟାନ୍‌ସର ଭୟରେ ନୁହେଁ । ଆଡ଼୍‍ଭୋକେଟ୍ ବାପା, ଇଂଜିନିୟର ଭାଇ ଆଉ ବଡ଼ଲୋକ ଭଉଣୀ ଭିଣୋଇଙ୍କ କଥା ଅମାନ୍ୟ କରି ସେ ଏଇ ସୁଖ ପଛରେ ଛୁଟି ଆସିଥିବା ଅନୁତାପରେ । କ’ଣ ପାଇଲା ସେ ? ନା ସୁଖ, ନା ଶାନ୍ତି ! କେବଳ ଜଞ୍ଜାଳ ବ୍ୟସ୍ତତା, ଆଉ ଅଶାନ୍ତି । ସୁଖମୟ କ’ଣ ଚାହାନ୍ତିନି ସ୍ଵସ୍ତି । ଶାନ୍ତି, ସୁଖ ! ତେବେ !!

 

ବେଶି ବାଧ୍ୟ କଲେ କହିବେ, ‘‘ଇତି, ମୋର ତ ପୁଣି ନିଜର ଗୋଟେ ସେଣ୍ଟିମେଣ୍ଟ୍ ଅଛି-। ଯେଉଁଟା କି ଏକାନ୍ତଭାବେ ମୋ ନିଜର ।”’ ତେବେ ଇତି କ’ଣ କେହି ନୁହେଁ । କିଛି ନୁହେଁ ସେଇ ସେଣ୍ଟିମେଣ୍ଟ୍ ପାଖରେ !

 

ଶୋଇ ଶୋଇ ଚଇତି ଗୋଟିଏ ଦୀର୍ଘଶ୍ଵାସକୁ ଦମନ କଲା ବହୁ କଷ୍ଟରେ । ଚଇତି କେତେ ଗେହ୍ଲାରେ ବଡ଼ ହୋଇଛି । କୋଳପୋଛା ବୋଲି । ଅଥଚ ଏଠି ସାମାନ୍ୟ ଦରମାରେ ତାକୁ ମାସଯାକ ହିସାବ କରି କରି ଚଳିବାକୁ ହୁଏ । ତା’ମଝିରେ କିଛି ଦରକାର ହେଲେ ସୁଖମୟ ହୁଏତ ଭାବନ୍ତି, ‘‘ବଡ଼ଲୋକର ଅଲିଅଳି ଝିଅ ଚଇତି ଅଯଥାରେ ଖର୍ଚ୍ଚ କରି ଦେଇଛି ।’’ ଘରଭଡ଼ା, ପିଲାଙ୍କ ଖର୍ଚ୍ଚ ଏସବୁ ପାରିବାରିକ ଆବଶ୍ୟକତା ପୂରଣ କରୁ କରୁ ଚଇତି ଅଣନିଃଶ୍ୱାସୀ ହୋଇପଡ଼େ । ସୁଖମୟ କେବଳ ଦରମା ଗଣ୍ଡାକ ଦେଇ ଖଲାସ । ପିଲାମାନେ କେମିତି ଚଳୁଛନ୍ତି, କେମିତି ଘର ଚାଲୁଛି ସେ କଥା ସେ ବୁଝନ୍ତି ନାହିଁ । କିନ୍ତୁ ଚଇତିର ସବୁ ସଉକ ସବୁ ସେଣ୍ଟିମେଣ୍ଟ୍ ସଂସାର ଚାରିକାନ୍ଥ ଭିତରେ ପେଷିହୋଇ ଗୁଣ୍ଡ ହୋଇଗଲାଣି । ଯେଉଁ ଚଇତି ପ୍ରତିଦିନ ଖଣ୍ଡିଏ ଲେଖାଏଁ ଶାଢ଼ୀ ନ ପିନ୍ଧିଲେ କଲେଜ ଯାଏନା, ସେ ଏବେ ନିତିପିନ୍ଧା ଶାଢ଼ୀଟାକୁ ସିଲେଇ କରି ପିନ୍ଧୁଚି । ଯାହାର ଡ୍ରେସିଂ ଟେବୁଲ୍‍ରେ ବିଭିନ୍ନ ପ୍ରକାରର କସ୍‌ମେଟିକ୍ ଶୋଭା ପାଉଥିଲା ସେ ଏବେ ଦିନରେ ଥରେହେଲେ ଦର୍ପଣ ଦେଖେନା–ତା’ପରେବି ସୁଖମୟ ଆଉ କ’ଣ ଚାହାନ୍ତି ? ଚଇତିର ମନକଥା ସେ କ’ଣ ବୁଝିପାରୁନାହାନ୍ତି ! ପିଲାଗୁଡ଼ିକ ଆସ୍ତେ ଆସ୍ତେ ବଡ଼ ହେଉଛନ୍ତି । ସେମାନଙ୍କର ଚାହିଦା ବଢ଼ିଚାଲିଛି । ସୁଖମୟ ଯଦି ସେଇ ଦରମା ଗଣ୍ଡାକ ଉପରେ ନିର୍ଭର କରି ବସନ୍ତି ତେବେ ପିଲାମାନେ କ’ଣ ମଣିଷ ହୋଇପାରିବେ ! ଚଇତି କ’ଣ ତା’ର ଥାଟଟା ରଖିପାରିବ । ହେଲେ ସୁଖମୟ କିଛି ବୁଝନ୍ତି ନାହିଁ କି ବୁଝିବାକୁ ମଧ୍ୟ ଚାହାନ୍ତି ନାହିଁ ।

 

ସାନପୁଅ ଜନ୍ମ ହେବା ଆଗରୁ ମୀନା ପାଖକୁ ମେଡ଼ିକାଲ୍ ଯାଇ ଚଇତି ପରାମର୍ଶ ନେଇଥିଲା । ଏମିତି ଯଦି ସେ ବର୍ଷକୁ ବର୍ଷ ଜନନୀ ହୁଏ ତେବେ ଗାନ୍ଧାରୀ ହେବାକୁ ତାକୁ ଖୁବ୍ କମ୍ ସମୟ ଲାଗିବ । ମୀନା ଚଇତିର କ୍ଳାସମେଟ୍ । ଏବେ ମେଡ଼ିକାଲ୍‍ରେ ଡକ୍ଟର ଅଛି । ତା’ ପାଖରେ ନିଜର ପ୍ରେମ ବିବାହ ବ୍ୟର୍ଥ ଦାମ୍ପତ୍ୟ‌ ଜୀବନ କଥା କହିଲା ବେଳେ ନିଜକୁ ମେଲୋଡ଼୍ରାମାଟିକ୍ ଲାଗିଥିଲା ।

 

ମୀନା ହସିଥିଲା, ‘‘ସୁଖମୟ ବାବୁ ଯେତେବେଳେ ପକ୍ଷପାତୀ ନୁହଁନ୍ତି ତୁ କାହିଁକି ଏତେ ବ୍ୟସ୍ତ ହେଉଛୁ ! ତୋ ଶାଶୂଙ୍କ ପରି ଗୁଡ଼ାଏ ପିଲା ଜନ୍ମକରି ତୁ ମଧ୍ୟ ଗୌରବର ଅଧିକାରିଣୀ ହୋଇ ଯା–ଆଉ ତା’ ଛଡ଼ା ପିତା ସିଏ । ଦାୟିତ୍ୱ ତାଙ୍କର ।”

 

ଚଇତି ପ୍ରାୟ ରୁଦ୍ଧ ସ୍ୱରରେ କହିଥିଲା, ‘‘ପ୍ଲିଜ୍ ମୀନା, ମୋତେ ପରିହାସ କରନା । ଜାଣିଚୁ, ପିଲାମାନଙ୍କୁ ମଣିଷ କରିବାକୁ ହେଲେ କେତେ କଷ୍ଟ ସହିବାକୁ ହୁଏ !”

 

ମୀନା ସେମିତି ହସି ହସି କହିଥିଲା, ‘‘ତୁ ପାଗଳୀ ହେଲୁ ଚଇତି, ଅପରେସନ୍ ପାଇଁ ସୁଖମୟବାବୁଙ୍କର ମଧ୍ୟ ସ୍ୱୀକୃତି ଦରକାର ।”

 

ସୁଖମୟ କିନ୍ତୁ ସବୁ ଶୁଣି ଗମ୍ଭୀର ହୋଇଯାଇଥିଲା । କେବଳ ସେ ଏତିକି କହିଥିଲା, ‘‘ଆଇ ଡୋଣ୍ଟ୍ ଲାଇକ୍ ଅଲ୍ ଦିଜ୍ ଡାଟ୍ ଥିଙ୍ଗ୍‍ସ୍ ।”

 

ଚଇତି ତେବେ କ’ଣ କରିବ ! ଏକୁଟିଆ ସେ କ’ଣ କରିପାରିବ । ଅନେକଥର ମଧ୍ୟ ସେ ସୁଖମୟକୁ ନିଜ ଚାକିରି କଥା କହେ । ଓଲଟି ଭୁଲ୍ ବୁଝି ସେ କହନ୍ତି, ‘ତମର ରୋଜଗାର ମୁଁ ଚାହିଁବି । ତେବେ ମୋ ତୁଳୀ କ’ଣ ଅଥର୍ବ ହୋଇଗଲା ? ମୋ ହାତରୁ କୁହୁକ ଉଡ଼ିଗଲା !”

 

ଉଃ.....ଚଇତି କର ଲେଉଟାଇଲା । ତେବେ ଚଇତି କ’ଣ କରିବ । ସୁଖମୟ କ’ଣ ତା’ର ମନୋଭାବ, ଉଦ୍ଦେଶ୍ୟ ବୁଝିପାରୁନାହାନ୍ତି । ତା’ର ଏଇ ବ୍ୟର୍ଥ ଦାମ୍ପତ୍ୟଜୀବନ ପାଇଁ ଦାୟୀ କିଏ ? ତା’ର ନିଜର ଦୂରଦୃଷ୍ଟିର ଅଭାବ । ଲମ୍ବା ପଲଙ୍କରେ ପିଲାଏ ଶୋଇଛନ୍ତି । ବଡ଼ପୁଅ ପାଖରେ ସୁଖମୟଙ୍କର ଶୋଇବା ଜାଗା ଖାଲି । ସୁଖମୟ ସେମିତି ଚେୟାର୍‍ରେ ବସି କ'ଣ ଗାରେଇ ଚାଲିଛନ୍ତି । ଆଶ୍ଚର୍ଯ୍ୟ ମଣିଷ ଏଇ ସୁଖମୟ । ଚଇତି ତେବେ ନିରୁପାୟ ହୋଇ ଶେଷରେ ପାଗଳ ହୋଇଯିବ । ଏମିତି ଅଭାବ ଅନାଟନ ଭିତରେ ସେ କ’ଣ ପିଲାଙ୍କୁ ମଣିଷ କରିପାରିବ । ଦୁନିଆ ଆଗେଇ ଚାଲିଛି । ଛୋଟ ପିଲାଙ୍କୁ ମଣିଷ କରିବାପାଇଁ କେତେ ସୁନ୍ଦର ଯୋଜନା ପ୍ରସ୍ତୁତ ହେଉଛି-। ନୂଆ ନୂଆ ପଦ୍ଧତି ପ୍ରସ୍ତୁତ ହେଉଛି । ଅଥଚ ଚଇତି ସେଇ ଯୁଗର ତଥାକଥିତ ଶିକ୍ଷିତା ନାରୀ ହୋଇ ଏମିତି କ’ଣ ପଛେଇ ପଛେଇ ରହିବ ! ତା’ର ପିଲାଏ ତେବେ କ’ଣ ଭଲ ଭାବରେ, ମାର୍ଜିତ ଭାବରେ, ଟିକେ ବେଶି ସଉକ୍ ଭାବରେ ମଣିଷ ହେବେନି ! ଆଖିରେ ପୁଣି ଲୁହ ଜକେଇ ଆସିଲା ଚଇତିର । ସାନ ପିଲାଟାକୁ ଜାକିଧରି ସେ ଶୋଇବାକୁ ଚେଷ୍ଟା କଲା । ବର୍ଷା ହୁଏତ କମି ଆସିଲାଣି ।

 

ଚଇତିର ଗାଢ଼ ନିଦ ଭାଙ୍ଗିଗଲା । ମନ ଭିତରେ ଅସମ୍ଭବ କ୍ଳାନ୍ତି । କିନ୍ତୁ ଏ କ’ଣ ! ସୁଖମୟ ତା’ର କାନ୍ଧରେ ମୁହଁ ରଖି ଏମିତି ପିଲାଙ୍କ ପରି ହେଉଛନ୍ତି କାହିଁକି ? କ’ଣ ହେଲା ? ମୁହଁ ବୁଲେଇ ଚାହିଁବାକୁ ଚେଷ୍ଟା କଲା ଚଇତି । କିନ୍ତୁ ନା...ସୁଖମୟ ସେମିତି ଚଇତିର କାନ୍ଧ ଉପରେ ବିଛାଡି ପଡ଼ିଥିବା ମୁକୁଳା କେଶରେ ମୁହଁ ଲୁଚେଇଛନ୍ତି । ଚଇତି ଅଥର୍ବ ପରି ପଡ଼ିରହିଥିଲା । ବାହାରେ ଭିଜା ଭିଜା ଜ୍ୟୋତ୍ସ୍ନା । ଝରକାଟା ହୁଏତ ସୁଖମୟ ପୂରା ଖୋଲି ଦେଇଛନ୍ତି । ସେଥିପାଇଁ ଏତେ ଭଲ ଲାଗୁଛି । ଆକାଶ ଅକୃପଣ ହାତରେ କେବଳ ଜ୍ୟୋତ୍ସ୍ନା ଢାଳି ଚାଲିଛି । ମନିପ୍ଳାଣ୍ଟ୍, ଝରକାର ଗ୍ରୀଲ୍ ସବୁଠି ଟଳଟଳ ସୁନ୍ଦର ଜ୍ୟୋତ୍ସ୍ନା । ଜମି ରହିଥିବା କୋହ କ୍ଳାନ୍ତି ସବୁ ଚଇତି ମନରୁ ହଠାତ୍‌ ଅପସରି ଯାଉଛି ।‌ ଚଇତି ଅନୁଭବ କଲା ସୁଖମୟଙ୍କର ଗରମ ଦୀର୍ଘଶ୍ୱାସର ଶବ୍ଦ । କାନ୍ଧଟା ତା’ର ଅଥର୍ବ ଲାଗୁଛି । ସୁଖମୟ ସେମିତି ମୁହଁ ଥାପିଛନ୍ତି । ଚଇତିର ଦେହ ଓ ମନରେ ହଠାତ୍‌ ତଡ଼ିତ୍‌ର ପ୍ରବାହ । ତା’ର ମନେହେଲା ହୁଏତ କ୍ରମଶଃ ସେ ପଛେଇ ପଛେଇ ସେଇ ଆଠ ନଅବର୍ଷ ତଳର ଅତୀତକୁ ଫେରିଯାଉଛି । ଅନେକ...ହୁଏତ ଅନେକ ଯୁଗପରେ ସୁଖମୟଙ୍କ ଦେହରେ ସେଇ ପୁରୁଣା ପ୍ରେମ ପ୍ରେମ ବାସ୍ନା । ଅସ୍ପଷ୍ଟ ଭାବରେ ଚଇତି ପଚାରିଲା–ତମେ ଏଯାଏ ଶୋଇନ !

 

ଚଇତିର କାନ୍ଧ ଉପରେ ନିଜର ମୁହଟାକୁ ସେମିତି ଲଦିଦେଇ ଆବେଗ ମିଶା କଣ୍ଠରେ ସୁଖମୟ କହିଲେ, ‘‘ଇତି ତମର ସେ ସାଙ୍ଗ ମୀନା–କାଲି ତା’ ପାଖକୁ ଯିବା । ମୁଁ ନିଜେ ଅପରେସନ୍ ହେବି । ସେ କିଛି ପରାମର୍ଶ ଦେଇପାରେ ।”

 

ଚଇତିର ଆଖିରେ ଲୁହ ଜକେଇ ଆସିଲା । ଏ କ’ଣ କହୁଛନ୍ତି ସୁଖମୟ ! ସୁଖମୟଙ୍କର ଏ ମନସ୍ତାପ ପାଇଁ ହୁଏତ ଚଇତି ନିଜେ ଦାୟୀ । ଧୀର କଣ୍ଠରେ ଚଇତି କହିଲା, ‘‘ନ ଗଲେ କ’ଣ ହୁଅନ୍ତା ନାହିଁ । ତମେ ସେସବୁ ଭଲପାଅନି...."

 

'ନା, ଇତି, ବଞ୍ଚିବାକୁ ହେଲେ କିଛିଟା ଆଡ଼ଜଷ୍ଟମେଣ୍ଟ୍, କିଛିଟା ତ୍ୟାଗ ଦରକାର ପଡ଼େ । ତମକୁ ପ୍ରଥମେ ନିଜର କଲାବେଳେ ମୁଁ ସେଇ ପ୍ରତିଜ୍ଞା କରିଥିଲି । ଆଜି ମୋର ମନେପଡ଼ୁଛି ଇତି । ହୁଏତ ସମୟର ସୁଅ ଭିତରେ ଭୁଲିଯାଇଥିଲି ସେସବୁ । ତା’ଛଡ଼ା ପିଲାଏ ମଣିଷ ହେବେ ଦିନେ ହୁଏତ ତାଙ୍କ ପାଖରେ ମୁଁ ଅପରାଧୀ ହୋଇଯିବି ।”

 

ଚଇତି ଦୁଇ ହାତରେ ସୁଖମୟଙ୍କର ମୁଣ୍ଡଟାକୁ ଛାତିରେ ଚାପିଧରି କହିଲା, ‘‘ମୋ ରାଣ, ମତେ ଅପରାଧୀ କରିବନି । ତମପାଇଁ ମୁଁ ବି ଜୀବନ ଦେବି । ଏ ପ୍ରତିଜ୍ଞା ମୋର ମଧ୍ୟ ଥିଲା । ତେଣୁ ଇଚ୍ଛା ବିରୁଦ୍ଧରେ କିଛି କରି ମତେ ଦଣ୍ଡ ଦିଅନାହିଁ ।”

 

ଅନୁଭବର ଏକ ଭିନ୍ନତର ନିଶାରେ ସେମାନେ କ୍ରମଶଃ ଆଚ୍ଛନ୍ନ ହୋଇପଡ଼ୁଥିଲେ । ଚଇତି ଆଖିରେ ଲୁହ ସୁଖମୟଙ୍କର ମୁଣ୍ଡ ସ୍ପର୍ଶ କରୁଥିଲା । ସୁଖମୟଙ୍କ ଛାତିର ଭାରି ଦୀର୍ଘଶ୍ୱାସକୁ ଚଇତି ଠିକ୍ ଅନୁଭବ କରିପାରୁଥିଲା, ‘‘ଦେହ, ମନ, ପ୍ରେମ, ଆତ୍ମା ସବୁ ଠିକ୍ । ସବୁ ଏକ ପ୍ରକାର, ଏକାକାର । ଭିନ୍ନ କେବଳ ମଣିଷର ଭାବନା”–ଚଇତି ପ୍ରାଣରେ ତୁହାକୁ ତୁହା କିଏ ଯେମିତି କହିଯାଉଥିଲା ଏଇ କଥାକୁ ବାରମ୍ବାର । ବିଶ୍ୱାସର ଏକ ଜ୍ଵଳନ୍ତ ଅଗ୍ନିପିଣ୍ଡ ଭିତରେ ନିଜର ଦେହ ମନକୁ ନିଜର ସମସ୍ତ ଅସ୍ତିତ୍ୱକୁ ପୁଣିଥରେ ସମ୍ପୂର୍ଣ୍ଣ ଭାବରେ ବିଲୁପ୍ତ କରି ଦେଉଥିଲା ଚଇତି । ଆକାଶରେ ମେଘ ନାହିଁ । କେବଳ ଜ୍ୟୋତ୍ସ୍ନା....କେବଳ ଜ୍ୟୋତ୍ସ୍ନା ।...”

Image

 

Unknown

ଉପଲବ୍‍ଧି

 

ଶେଷ ଅପରାହ୍ନର ପବନଟା ପ୍ରାଣକୁ ଏମିତି କରୁଣଭାବେ ଛୁଇଁଯାଏ କାହିଁକି ! କେମିତି ସ୍ଵର୍ଗୀୟ ଅନୁଭୂତିରେ ଭରିଯାଏ ମନ । ଶେଷ ଡିସେମ୍ବରରେ ମଧ୍ୟ ବେକତଳେ ସ୍ୱେଦର ଆଭାସ । ସୁପର୍ଣ୍ଣା ଚାହିଁଲା । ପାର୍ଶ୍ୱବର୍ତ୍ତିନୀ ସୁଶ୍ରୀ ଝିଅଟି ଏକମନରେ ‘ସନ୍‍ ଡ଼େ’ ପଢ଼ୁଛି । କଟକରୁ ବାରିପଦା-। ଦୀର୍ଘ କେଇ ଘଣ୍ଟାର ପଥ–ବସ୍ ଯାତ୍ରା ! କ’ଣ କରିବ ସୁପର୍ଣ୍ଣା ! ଏଇ କେଇ ଘଣ୍ଟାକୁ କେମିତି ବିତେଇବ ? ବାହାରକୁ ଚାହିଁଲା ସେ । ସୌମ୍ୟରଞ୍ଜନର ମୁହଁଟା କେବଳ ଦିଶିଯାଉଛି । କଟକରେ ବସ୍‌ ଚଢ଼େଇଦେଲା ବେଳେ ସୌମ୍ୟ ଶେଷପଦ କହିଥିଲା, ‘‘ଆଗ କିଏ ଚିଠି ଦବ !”

 

ସୁପର୍ଣ୍ଣାର ଅଖି ଭର୍ତ୍ତି ହୋଇଗଲା ଲୁହରେ । ଅନେକ ଆଖିକୁ ଫାଙ୍କି ଦେଇ ସେ କେବଳ ସୌମ୍ୟର ହାତଟା ଚାପି ଧରିଥିଲା । ବସ୍ ଛାଡ଼ିଦବ । ତରତରରେ ସୌମ୍ୟ ଓହ୍ଲେଇ ଯାଇ ଝର୍କା ପାଖରେ ଛିଡ଼ା ହୋଇଗଲା । କେହି କିଛି କହିପାରି ନଥିଲେ । ହର୍ଣ୍ଣଦେଇ କେଉଁ ଜାଦୁକରର ଅପୂର୍ବ କାରସାଦି ପରି ବସ୍‌ଟା ଆଗକୁ ମାଡ଼ି ଚାଲିଲା I ପଛରେ ସୌମ୍ୟ ରହିଗଲା । ରହିଗଲା ଡିସେମ୍ବର ଏକତ୍ରିଶ୍‌ର ସମସ୍ତ ସ୍ମୃତି ।

 

ଡିସେମ୍ବର ଏକତ୍ରିଶ୍ ! ସତରେ କେଡ଼େ ଯନ୍ତ୍ରଣାର ଦିନ !! ସାରା ଜୀବନପାଇଁ କାହାକୁ ବିଦାୟ ଦେଇଦେଲା ପରି ଲାଗେ । ସୁପର୍ଣ୍ଣା ଏଥର ବେଶି ଫିଲ୍ କରୁଛି । ବର୍ଷର ଏଇ ଶେଷ ଦିନଟାକୁ ସେମାନେ ଏମିତି ଜାକଜମକରେ ବିତେଇ ନାହାନ୍ତି । ଲଜିଂର ଛୋଟିଆ ରୁମ୍‌ଟିରେ କେବଳ ଚୁପ୍‌‌ଚାପ୍ ଶୋଇ ରହିବା ଛଡ଼ା–

 

ସୁପର୍ଣ୍ଣା ସୌମ୍ୟରଂଜନର ଛାତିରେ ମୁହଁ ରଖି ଆସ୍ତେ କହିଥିଲା–‘‘କେତେଦିନ ଏମିତି ଓଭର୍ ସେଣ୍ଟିମେଣ୍ଟ୍ ଭିତରେ କଟିବ ? ଦୁଇ ପଟେ ଦୁଇ ମେରୁ ପରି କେବଳ ଏକ ହେବାପାଇଁ ଯୋଜନା–"

 

ଅନେକ ସମୟ ଧରି କିଛି କହି ନଥିଲା ସୌମ୍ୟରଂଜନ । ସୁପର୍ଣ୍ଣା ପୁଣି ମୁହଁ ଟେକି ପୁଣି କହିଥିଲା, ‘‘ଆଜି ମୁଁ ଫେରିଯିବି, ତମେ କିଛି କହିବନି– ।”

 

ନୀରବ ନିର୍ନିମେଷ ନୟନରେ ଅନେକ ସମୟ ଚାହିଁଲା ପରେ ସୌମ୍ୟ କହିଥିଲା, “ମୋର ପି. ଏଚ୍. ଡ଼ି. ପ୍ରାୟ କମ୍‌ପ୍ଳିଟ୍ ହୋଇଗଲାଣି ସୁ ! ଆଉ କିଛିଦିନ କ’ଣ ଅପେକ୍ଷା କରି ହେବନି ?’’

 

ସୁପର୍ଣ୍ଣା କ’ଣ କହିବ ! ସୌମ୍ୟର ଆଖି ଦୁଇଟାର ଭାଷା ଏଡ଼େ ତୀବ୍ର ଏଡ଼େ ବାଙ୍‌ମୟ ଯେ ଆଉ କୌଣସି ଭାଷା ସୃଷ୍ଟି କରି ହୁଏନି । ସୁପର୍ଣ୍ଣାର ଭୁଲ୍ ଏଇଠି । ସୌମ୍ୟର କଥାକୁହା ଭଙ୍ଗୀ ଆଉ ଉଦ୍‌ବେଗଶୂନ୍ୟ ମୁହଁକୁ ଦେଖି କେଉଁଦିନ ସେ ଭୁଲ୍ କରିଥିଲା । ଆଜିଯାଏ ତା’ର ମାସୁଲ୍ ଦେଇ ଚାଲିଛି । ନିସ୍ତାରନାହିଁ ସେଥିରୁ ବଞ୍ଚିଥିବା ଯାକେ–

 

କେତେ ବଣବୁଦା, ଗଛ, ନଈ, ପାହାଡ଼କୁ ପଛରେ ପକେଇ ଦେଇ ବସ୍‌ଟା ଛୁଟି ଚାଲିଛି-। ହେମାଳ ସନ୍ଧ୍ୟା ପାଖେଇ ଆସୁଛି । ପିଲାଦିନେ ସୁପର୍ଣ୍ଣା ଭାବୁଥିଲା ଗଛମାନେ ବସ୍ ସାଙ୍ଗରେ ପ୍ରତିଯୋଗୀତା କରି ଦୌଡ଼ୁଛନ୍ତି । କିନ୍ତୁ ଆଜି ନିଷ୍‍ପାପ ପିଲାଦିନ, ସୁନେଲି ପ୍ରଜାପତି ପରି ଯୌବନର ଛାତ୍ରଜୀବନ ସବୁ ସରିଗଲାଣି । ସଫଳତାର ପାହାଚ ଚଢ଼ି ଚଢ଼ି ସୁପର୍ଣ୍ଣା ଅନେକ ଉପରକୁ ଉଠି ସାରିଲାଣି । ସ୍କୁଲରେ ସହକର୍ମୀ ଶିକ୍ଷୟିତ୍ରୀମାନେ ସୌମ୍ୟକୁ ଦେଖିବାପାଇଁ ଜିଗର୍ କରନ୍ତି । ସୌମ୍ୟବି କେବେହେଲେ ଇଉନିଭର୍‍ସିଟିର କ୍ୟାମ୍ପସ୍ ଛାଡ଼ି ଆସେନା ସୁପର୍ଣ୍ଣାର କର୍ମସ୍ଥଳକୁ । ସୁପର୍ଣ୍ଣା ମଧ୍ୟ କେବେ ଜୋର୍ କରେନା । ମାସର ଆରମ୍ଭ ବା ଶେଷରେ ଗୋଟାଏ ବା ଦୁଇଟି ଦିନ ଏମିତି ବିତିଯାଏ କେଉଁ ଏକ ହୋଟେଲ ବା ଲଜିଂର ଛୋଟିଆ ପ୍ରକୋଷ୍ଠରେ ! ସ୍ୱାମୀ-ସ୍ତ୍ରୀର ଜୀବନ : ପୁରୀରେ ଜଗନ୍ନାଥଙ୍କୁ ସାକ୍ଷୀ ରଖି ସୁପର୍ଣ୍ଣାକୁ ସାରାଜୀବନର ସାଥୀ କରି ନେଇଥିବା, ସୌମ୍ୟର ଭିତରଟା ହୁଏତ ଖୁବ୍ ମଜଭୁତ୍ । ତଥାପି ସେ ପାରେନା ଲୋକସମାଜକୁ ପ୍ରତ୍ୟାଖ୍ୟାନ କରି । କେବଳ ସହନଶୀଳତାର ପ୍ରତିଯୋଗୀତା ! କେବେ ସୌମ୍ୟ ପି. ଏଚ୍. ଡ଼ି. ସାରି ଚାକିରି କରିବ । କେବେ ସେମାନେ ଗୋଟିଏ ଛୋଟ ନୀଡ଼ରେ ଆଶ୍ରୟ ନେବେ । ପ୍ରକାଶିତ ହେବେ ଦୁନିଆ ସାମ୍ନାରେ କେବେ...କେବେ କେବେ । ଏମିତି ଅନେକ ‘କେବେ’ ଭିତରେ ଅଣନିଃଶ୍ୱାସୀ ହୋଇଯାଏ ସୁପର୍ଣ୍ଣା ।

 

ବସ୍‌ଟା ଗୋଟେ ଷ୍ଟପେଜ୍‌ରେ ଅଟକିଗଲା । ସୁପର୍ଣ୍ଣା ଦେଖିଲା ପାଖର ସୁଶ୍ରୀ ଝିଅଟି ତାକୁ ଚାହିଁଛି । ସାମାନ୍ୟ ହସର ଉପହାର ବଢ଼େଇ ଦେଇ ସୁପର୍ଣ୍ଣା ପୁଣି ଅନ୍ୟମନସ୍କ ହୋଇଗଲା । କେତେ ଲୋକ ଓହ୍ଲେଇ ଗଲେ । ଚଢ଼ିଥିଲେ । ବସ୍‌ଟା ପୁଣି ଆଗେଇ ଚାଲିଲା ।

 

ନୂଆବର୍ଷରେ ନୂଆ ସୂର୍ଯ୍ୟକୁ ସାମ୍‍ନା କରିବା ପୂର୍ବରୁ ସୁପର୍ଣ୍ଣା ଚାଲି ଆସିଲା ନିଜର କର୍ମସ୍ଥଳକୁ । ଅଧିକ ଦିନ ଲଜିଂରେ ରହି ହେବନି । ଅଯଥାରେ ଅର୍ଥ ନାଶ । ସୌମ୍ୟର ପି. ଏଚ୍. ଡ଼ି. ପାଇଁ ସ୍କଲ୍‌ରସିପ୍ ଯାହା ପାଏ ତାହା ଯଥେଷ୍ଟ ନୁହେଁ । ତେଣୁ ସୁପର୍ଣ୍ଣା ହିସାବ କରି କରି ନିଜେ କଷ୍ଟରେ ଚଳି କିଛି ହେଲ୍‌ପ୍‍କରେ । ସୌମ୍ୟ ଅନେକ ଥର ଭୁଲ ବୁଝି ନୋଟ୍ ସବୁ ସୁପର୍ଣ୍ଣା ଉପରକୁ ଫୋପାଡ଼ିଦିଏ । ସୁପର୍ଣ୍ଣା କ’ଣ କରିବ ! ଟଙ୍କା ସବୁ ଗୋଟାଏ । ସୌମ୍ୟର ପର୍ସରେ ରଖେ । ତା’ ଛାତିରେ ଲଟେଇ ହୋଇ କହେ, ‘‘ପ୍ଲିଜ୍, ତମେ ମତେ ଭୁଲ୍ ବୁଝନା । ମତେ କ୍ଷମା କର । ତମଛଡ଼ା ମୋର ଆଉ କିଏ ଅଛି ? କୁହ, ମତେ କ’ଣ ଦୁଃଖ ଲାଗୁନି ?”

 

ଗୋଟିଏ ଉଜ୍ଜ୍ୱଳ ସମ୍ଭାବନା ଥରେ ଥରେ ସୁପର୍ଣ୍ଣାକୁ ବିଗଳିତ କରିଦିଏ । ସୁପର୍ଣ୍ଣା ସୌମ୍ୟକୁ କହେ, ‘ଦେଖ, ପି. ଏଚ୍. ଡ଼ି. ପରେ ପରେ ତମେ ସିଓର୍ ଗୋଟିଏ ଭଲ ସର୍ଭିସ୍ ପାଉଛ-। ଆମ ସ୍କୁଲର ଜଣେ ଟିଚର୍ ମୋ ହାତ ଦେଖି କହିଛନ୍ତି ମୋର ସ୍ୱାମୀ ଭାଗ୍ୟ ଖୁବ୍‌ ଭଲ । ସ୍ୱାମୀର ବହୁତ ଉନ୍ନତି ହେବ ।”

 

ସୌମ୍ୟ ହସେ । ଚୁପ୍‌ଚାପ୍‌ ଫୁଲ ଲେନସ୍‍ଟାକୁ ଧୀରେ ସଜାଡ଼ି ନେଇଛି । କହେ, “ସ୍ଵପ୍ନ ନ ଦେଖିବା ତମର ଗୋଟାଏ ହବି ହୋଇଗଲାଣି ଦେଖୁଛି ସୁପର୍ଣ୍ଣା ହୋଇ ତମ ନାଁ ‘‘ସ୍ଵପ୍ନା’ ହୋଇଥିଲେ ଖୁବ୍‌ ଭଲ ହୋଇଥାନ୍ତା କେତେ ପିଲା ପି. ଏଚ୍. ଡ଼ି. ପରେ ମାତ୍ର ଦୁଇ ଶହ ଟଙ୍କାରେ ନୂଆ ଖୋଲିଥିବା ଇଣ୍ଟରମିଡ଼ିଏଟ୍ କଲେଜରେ ଅଧ୍ୟାପକ ଅଛନ୍ତି ତା’ର ହିସାବ ରଖିଛ ? ସେମିତି ହେବା ଅପେକ୍ଷା ତମପରି ହାଇସ୍କୁଲରେ ମାଷ୍ଟ୍ରାଣୀ ହେବା ଅନେକ ଭଲ, ସୁ ।”

 

ସଂକଳ୍ପ ନିଥର ହୋଇଯାଏ ସୁପର୍ଣ୍ଣାର । ହସିବାକୁ ସେ ଭୁଲିଯାଏ । ତା’ର ଉଚ୍ଛଳ ଖୁସିର ଦେହଟା ଏକ ‘ଶବ’ରେ ପରିଣତ ହୋଇଯାଏ । ସୌମ୍ୟର ବିଷଣ୍ଣ ମୁହଁକୁ ଦେଖି ସେ ଚୁପ୍ ହୋଇଯାଏ । ‘ଶବ’ର ବା କି ଅନୁଭୂତି !

 

କା’ର ଡାକରେ ଫେରି ଚାହିଁଲା ସୁପର୍ଣ୍ଣା । କଣ୍ଡକ୍‍ଟର ବାକି ପଇସା ଫେରଉଛି । ହାତ ବଢ଼େଇ ପଇସା ନେଲା ସୁପର୍ଣ୍ଣା । ସୁଶ୍ରୀ ଝିଅଟି ପୁଣି ଚାହିଁଛି । କ’ଣ ଭାବୁଛି ‘‘ହୁଏତ ଭାବୁଥିବ ସୁପର୍ଣ୍ଣା ନୂଆ ବାହା ହୋଇଛି । ନୂଆ ବର୍ଷର ପ୍ରଥମ ଦିନ କଟେଇବା ପାଇଁ ସ୍ୱାମୀର ଚାକିରି ଜାଗାକୁ ଯାଉଛି । ଅନେକ ଦିନ ପରେ ହୁଏତ ସୁପର୍ଣ୍ଣା ସ୍ଵାମୀକୁ ଭେଟିବ । କେତେ ସୁଖୀ ସୁପର୍ଣ୍ଣା !

 

କିନ୍ତୁ...ସେ ଝିଅଟି କ’ଣ ଜାଣେ ସୁପର୍ଣ୍ଣା ନୂଆବର୍ଷର ପୂର୍ବଦିନ ସ୍ଵାମୀଠାରୁ ବିଦାୟ ନେଇ ଯାଉଛି ନିଜର କର୍ମସ୍ଥଳୀକୁ । ବାହା ହୋଇଛି ସତ ସେ ବିବାହରେ ଝୋଟି ମୁରୁଜ ପଡ଼ିନାହିଁ, ଶଙ୍ଖ ମଙ୍ଗଳ ବାଦ୍ୟ ବାଜିନାହିଁ କିମ୍ବା ରଜନୀଗନ୍ଧାର ସ୍ତବକ ମଶାରି ଭିତରେ ଚତୁର୍ଥୀର ବାସ୍ନା ଭରିନି । କେବଳ ଗରୁଡ଼ ଖମ୍ବ ପାଖରେ, ଅନେକ କୋଳାହଳ ଭିତରେ ସୌମ୍ୟର ବାମ ପାଖରେ ଛିଡ଼ା ହୋଇ ଦୁଇ ବିରାଟ ମହୀୟସୀ ଚକାଡ଼ୋଳା ଆଡ଼େ ଚାହିଁ ମନେ ମନେ ସେ ଉଚ୍ଚାରଣ କରିଛି, ‘‘ପ୍ରଭୁ, ସୌମ୍ୟ ମୋର ଜନ୍ମଜନ୍ମାନ୍ତର ସାଥୀ । ମୃତ୍ୟୁ ଛଡ଼ା ଆଉ ମୋର ଯେମିତି ବିଚ୍ଛେଦ ନ ହୁଏ-।’’ ତା’ପରେ ମଥାରେ ସିନ୍ଦୂର । ହାତରେ ବଜାରର ପାଣିକାଚ ଏବଂ ଲଜିଂରେ ଗୋଟେ ଛୋଟିଆ ପ୍ରକୋଷ୍ଠରେ ସୌମ୍ୟ ପାଖରେ ଆତ୍ମ–ସମର୍ପଣ । ସମ୍ପର୍କର ଗୋପନୀୟତା–କାରଣ ସୌମ୍ୟ ଏଯାଏ ନିଜ ଗୋଡ଼ରେ ଛିଡ଼ା ହୋଇନି ତାଙ୍କ ଘରେ ଅନେକ ସାମାଜିକ ବାଧା... ।

 

ସୁପର୍ଣ୍ଣାର ମନେ ପଡ଼ୁଥିଲା-ସ୍କୁଲ୍‌ରେ ପଢ଼ିଲା ବେଳେ ଗୋଟେ ବୁଢ଼ୀ ପ୍ରାୟ ତାଙ୍କ ଘରକୁ ମାଗିଆସେ । ସାତ ସିଆଁ ଲୁଗା, ନଇଁ ନଇଁ ଚାଲେ, ଆଖିରେ ଲେଞ୍ଜରା, ଥରି ଥରି ବସିପଡ଼େ । କାହିଁକି କେଜାଣି ସୁପର୍ଣ୍ଣାର କିଶୋରୀ ମନରେ ଛୋଟ ଝରଣାଟିଏ ବହିଯାଏ । ଭାରି ଦୟା ହୁଏ ବୁଢ଼ୀ ଉପରେ । ପ୍ରତି ସପ୍ତାହରେ ସେ ନିର୍ଦ୍ଦିଷ୍ଟ ଦିନଟିରେ ବୁଢ଼ୀଟି ପାଇଁ ଜଗି ବସିଥାଏ । ଠିକ୍ ସ୍କୁଲ ଯିବା ଆଗରୁ ସେ ବୁଢ଼ୀ ପହଞ୍ଚେ । ବୋଉଠୁ ଚାଉଳ ମୁଠେ ନେଇ ଅଜାଡ଼ି ଦେଉ ଦେଉ ସୁପର୍ଣ୍ଣା ଦେଖେ ବୁଢ଼ୀ ତା’ର ପାକୁଆ ପାଟିରେ ହସୁଛି ଆଉ ପିଲାଙ୍କ ଦରୋଟି କଥା ପରି କହୁଛି, “ମା’ ରଜାପୁଅ ପରି ବର ପାଇବୁ । ରାଜରାଣୀ ହବୁ I”

 

ସେ କହିବାର ଆବେଦନ କେତେ ନିର୍ମଳ ଥିଲା ସୁପର୍ଣ୍ଣା ଆଜି ଜାଣିପାରିନି । କିନ୍ତୁ ସେଇ କିଶୋରୀ ବୟସରେ ତା’ର ନୂଆ ସବୁଜ ମନଟା କେଉଁ ରାଜକୁମାରର ସ୍ଵପ୍ନରେ ହୁଏତ ଥରି ଶୀତେଇ ଉଠୁଥିଲା । ଯୋଉଥିପାଇଁ ସେଇ ଆଶୀର୍ବାଦର କଥା ପଦକ ଶୁଣିବାପାଇଁ ସେ ସ୍କୁଲ ନ ଯାଇ ଅପେକ୍ଷା କରେ । କେଉଁଦିନ ବୁଢ଼ୀର ସେ ଆଶୀର୍ବାଦର କଥା ସତ ହେବ ! ସୌମ୍ୟ ଭଲ ଚାକିରି ପାଇବ ! ଶାଶୂ, ଶ୍ୱଶୁର, ଦିଅର, ନଣନ୍ଦର ପରିପୂର୍ଣ୍ଣ ସଂସାର ଭିତରେ ଏକ ସୁଖର ଝରଣା ହୋଇ ଝରିଯିବ । ସମାଜର ସ୍ୱୀକୃତି ପାଇବ । ଭୋର୍‌ର ପକ୍ଷୀ ଡାକରେ ନିଦ ଭାଙ୍ଗି ସେ ଉଠି ପଡ଼ିବ । ସ୍ଵପ୍ନ ସରି ନଥିବା ସୌମ୍ୟର ମୁଦ୍ରିତ ଆଖିରେ ଓଠ ଥୋଇ ଡାକିବ, ‘‘ଏ ଉଠମ, ଦେଖ କେଡ଼େ ସୁନ୍ଦର ଧଳା ଟର୍କିସ ପରି ସକାଳ ।” ଆଉ ସୌମ୍ୟ ତା’ର ନିପୁଣତାରେ ସୁପର୍ଣ୍ଣାକୁ ଛାତି ଉପରେ ଜଡ଼େଇ ନେବ । କିଏ ଦେଖିନେବା ଭୟରେ ସୁପର୍ଣ୍ଣା ଭିଡ଼ି ହେଉଥିବ ।

 

ସୁପର୍ଣ୍ଣା ଭାବିଲା, ଆମେ ପ୍ରତିନିୟତ ଆମର ପାରିପାର୍ଶ୍ୱିକ ଜିନିଷକୁ କେତେ ଉପେକ୍ଷା କରିପାରୁ ସତରେ ! ଯେମିତି ପାର୍ଶ୍ଵବର୍ତ୍ତିନୀ ସୁଶ୍ରୀ ଝିଅଟି...ସୁପର୍ଣ୍ଣାକୁ ଚାହିଁ ହସୁଛି । ପରିଚିତ ହେବାପାଇଁ ସୁଯୋଗ ଖୋଜୁଛି ହେଲେ ସ୍ୱାର୍ଥପର ପରି ଉପେକ୍ଷା କରି କେବଳ ନିଜ କଥା ଭାବି ଚାଲିଛି ।

 

ଏଥର ଦୀର୍ଘ ଦୁଇମାସ ପରେ ସୌମ୍ୟ ସାଙ୍ଗରେ ଦେଖାହେଲା । ପିଲାଙ୍କର ପରୀକ୍ଷାପାଇଁ ସେ ନିଜେ ବ୍ୟସ୍ତ ଥିଲା । ତେଣୁ ଆସିପାରି ନଥିଲା । ସେଇଥିପାଇଁ ଦେଖାହେଲା ପରେ ସୌମ୍ୟର ସେ କି ଅଭିମାନ ! ଅନେକ କିଛି ଓଲଟପାଲଟ କରିଦେବା ପାଇଁ ସେ ଚାହୁଁଥିଲା-। କିନ୍ତୁ ସୁପର୍ଣ୍ଣାର ଅସ୍ୱସ୍ତି ସେଇ ସଂସ୍କାରର ଜିଦ୍ । ଏ ଯୁଗରେ ସେ ଅନେକ କିଛି ହୁଏ, ତା’ ମାନି ପାରେନା ସୁପର୍ଣ୍ଣା । ସେ ଚାହେଁ ପ୍ରତିଟି ମୁହୂର୍ତ୍ତକୁ ସୌମ୍ୟ ପାଖରେ ଖର୍ଚ୍ଚ କରିବ । ନିର୍ଜନରେ ନିଃଶବ୍ଦରେ ସୌମ୍ୟକୁ ଉପଲବ୍‍ଧି କରିବ । କ’ଣ ଲାଭ ବୁଲା ବୁଲି, ରେଷ୍ଟୁରାଣ୍ଟରେ ଖିଆ ବା ସିନେମା ଦେଖାରୁ ! ହୁଏତ ପ୍ରକୃତରେ ସୁପର୍ଣ୍ଣାର ଟିକେ ମଉଜ କରିବାପାଇଁ ଇଚ୍ଛାହୁଏ । କିନ୍ତୁ ସେ ଭଲକରି ଜାଣେ ଏସବୁ କଲେ ଅଯଥାରେ ପଇସା ନଷ୍ଟ । ସେଇ ପଇସାରେ ସେ ଯଦି ସୌମ୍ୟ ପରି ହରଲିକସ୍‍ଟିଏ । ଅଣ୍ଡା କେଇଟି ବା ଭିଟାମିନ୍ ଟାବ୍‌ଲେଟ୍ କିଣିଦେଇ ଯାଏଁ ତେବେ ଦିନକୁ ଦିନ ଖରାପ ହୋଇଯାଉଥିବା ସୌମ୍ୟର ସ୍ଵାସ୍ଥ୍ୟ ହୁଏତ ଭଲ ହୋଇଯାନ୍ତା । ହଷ୍ଟେଲ୍‌ରେ କ’ଣ ଭଲଭାବେ ରହିପାରେ ସୌମ୍ୟ ! ଆଶ୍ଚର୍ଯ୍ୟ ଲାଗେ ସୁପର୍ଣ୍ଣାକୁ । ସୌମ୍ୟ ସହିତ ତା’ର କୌଣସି ରକ୍ତର ସମ୍ପର୍କ ନାହିଁ । ପାଠ ପଢ଼ିଲାବେଳେ ଚିହ୍ନା ପରିଚୟ, ଆନ୍ତରିକତା ଓ ଭଲପାଇବା-। ଏତେ ଅଳ୍ପଦିନ ଭିତରେ ସେ ସୌମ୍ୟକୁ ଏତେ ଭଲ ପାଇଲା କେମିତି ? ଜନ୍ମ ହେବାର ଏତେ ବର୍ଷ ପରେ ଅପରିଚିତ ଅନ୍ୟ ଏକ ଭିନ୍ନ ପୁରୁଷ ପାଇଁ ଯେ ହୃଦୟରେ ଏତେ କୋମଳ ମମତା ଥାଇପାରେ ତା’ କ’ଣ ଜାଣିହୁଏ । ବେଳେବେଳେ ଅଭିଭୂତ ହୋଇଯାଏ ସୁପର୍ଣ୍ଣା–ଏକି କାରସାଦି ସୃଷ୍ଟି କର୍ତ୍ତାଙ୍କର ! ମମତା ପାଖରେ ଦୁର୍ବଳ ହୋଇଯିବାଟା କି ଅଭିନବ ! ଏବଂ ଦୁର୍ବଳତା ପାଖରେ ଆତ୍ମସମର୍ପଣ । ବୋଧହୁଏ ସୃଷ୍ଟିକର୍ତ୍ତା ନିଜେ ପୁରୁଷ ବୋଲି ଏମିତି ପକ୍ଷପାତିତା ପୁରୁଷ ଜାତି ପ୍ରତି-! ନହେଲେ ସୁପର୍ଣ୍ଣା ନିଜ ବାପା, ବୋଉ, ପରିବାର ଛାଡ଼ି, ସମାଜ ଛାଡ଼ି ସୌମ୍ୟପାଇଁ ଏମିତି ପାଗଳୀ ହେଉ ନଥାନ୍ତା । ଜଣକର ସ୍ତ୍ରୀ ହୋଇ ମଧ୍ୟ ନିରିମାଖି ହୋଇ ଚଳନ୍ତା ?

 

ଭୟାନକ ଏକ ଯନ୍ତ୍ରଣା ଭିତରେ ସୁପର୍ଣ୍ଣାର ମନଟା ବିଷଣ୍ଣ ହୋଇ ଉଠୁଥିଲା । ଯଦିଓ ସେ ଜାଣେ ଏ ବିଚ୍ଛେଦ ଚିରସ୍ଥାୟୀ ନୁହେଁ ପୁଣି ଆସନ୍ତା ମାସରେ ପ୍ରଥମ ସପ୍ତାହରେ ଶନିବାର କିମ୍ବା ରବିବାର ଦେଖି ସେ ସୌମ୍ୟ ପାଖକୁ ଯିବ । ତା’ର ସ୍ତ୍ରୀର ଅଧିକାର ସାବ୍ୟସ୍ତ କରିବା ପାଇଁ । ତଥାପି କି ଦରକାର ଏ ଆଶାରେ । ଏ ସହନଶୀଳତାର ପ୍ରତିଯୋଗୀତାରେ ! ଦୁନିଆକୁ ଭୁଆଁ ବୁଲେଇବାରେ ! ତା’ଅପେକ୍ଷା ସୌମ୍ୟ କାହିଁକି ସାଧାରଣଭାବେ ମାନି ନେଉନି । ଘରେ ଜଣେଇ ଦେଉନି ? ଯେତେଦିନ ଚାକିରି ନ ପାଇଛି, ସେତେଦିନ ସୁପର୍ଣ୍ଣା କ’ଣ ଘର ଚଳେଇ ପାରନ୍ତା ନାହିଁ-? ସେମାନଙ୍କ ଭିତରେ ସମ୍ପର୍କଟା କ’ଣ ତେବେ ଏମିତି କାଚ ଜିନିଷ ପରି ଶସ୍ତା ! ଆଘାତ ପାଇଲେ ଭାଙ୍ଗିଯିବ । ସୁପର୍ଣ୍ଣା ସ୍ତ୍ରୀ ହେଲେବି ତା’ର କ’ଣ ଅଧିକାର ନାହିଁ ସ୍ଵାମୀର ଅସୁବିଧାରେ ସାହାଯ୍ୟ କରିବା ? ଅଥଚ ସୌମ୍ୟ....ଦୁରନ୍ତ ଅଭିମାନରେ କରୁଣ ହୋଇଗଲା ସୁପର୍ଣ୍ଣାର ମୁହଁଟା–ଏଇ ଅଭିମାନ ପାଇଁ ଅନେକ ସମୟରେ ସୌମ୍ୟ ଓ ତା’ ଭିତରେ ମତାନ୍ତର ଦେଖା ଦେଇଛି-। ସୌମ୍ୟ ଅଭିମାନ ପସନ୍ଦ କରେନା, ଭାରି ବାସ୍ତବବାଦୀ ସେ ।

 

ବାହାରେ ହଠାତ୍ ଆଲୁଅ କମି ଆସିଲାଣି । ସନ୍ଧ୍ୟା ହେବାକୁ ଅଳ୍ପ ଡେରି । ସେମିତି କରୁଣ ପବନ ଓ ଶୀତାର୍ତ୍ତ ମୁହୂର୍ତ୍ତ ସବୁ ପାଖେଇ ଆସୁଛନ୍ତି । ଦେହର ‘ଶାଲ୍’ଟାକୁ ଭଲରେ ଜଡ଼େଇ ଦେଲା ସୁପର୍ଣ୍ଣା । ଅପରାହ୍ନର ବସ୍ ଧରିବା ବହୁ ପୂର୍ବରୁ ଲଜିଂର ସେଇ ଛୋଟିଆ ହେମାଳ ପ୍ରକୋଷ୍ଠଟିରେ ନିଜର ଅଳ୍ପ କେଇଟି ଜିନିଷପତ୍ର ଓ ସୌମ୍ୟର ଆଟାଚିଟା ସଜାଡ଼ି ରଖୁରଖୁ ସୁପର୍ଣ୍ଣା କହିଥିଲା, “ଜାଣିଛ, ମତେ ବେଳେବେଳେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ ।”

 

ସୌମ୍ୟ ଆଖିରେ ଚାହିଁଲା । କ’ଣ ? ସୁପର୍ଣ୍ଣା ଧ୍ୟାନରେ ସୌମ୍ୟର ସାର୍ଟଟା ଭାଙ୍ଗି ରଖୁ ରଖୁ କହିଥିଲା, “ଏଇ ଜୀବନଟା......କି ଅଦ୍ଭୁତ କହିଲ ! ପ୍ରତିଦିନ ଯା’ ସହିତ ଜୀବନ କଟେ, ଯାହାର ଛୋଟ ବଡ଼ ସବୁ କିଛି ସୁଖ ଦୁଃଖର ଭାଗୀଦାର ହେବାପାଇଁ ମଣିଷ ପ୍ରତିଜ୍ଞା କରିଥାଏ, ଆଖିର ସାମାନ୍ୟ ଆଢ଼ୁଆଳ ହେଲେ ସେ କେମିତି ‘ପର’ ହୋଇଯାଏ କୁହ ତ...... ।”

 

ହୁଏତ ସବୁ ବୁଝିପାରିଲା ସୌମ୍ୟରଂଜନ । କ’ଣ ପାଇଁ ସୁପର୍ଣ୍ଣାର ଏ ଅଭିମାନର ଏ ଯନ୍ତ୍ରଣା । ପାଖକୁ ଆସି ସୁପର୍ଣ୍ଣାର ମୁହଁକୁ ତୋଳିଧରି ବ୍ୟାକୁଳ କଣ୍ଠରେ କହିଥିଲା,’’ ଆଖିର ଆଢ଼ୁଆଳ ହେଲେ ମଣିଷ ପର ହୋଇଯାଏନି ସୁ : ବରଂ ବେଶି ନିଜର ହୋଇଯାଏ । କେବଳ ସ୍ଵପ୍ନଠୁ ବାସ୍ତବ ପାଖକୁ ଦୂରେଇଆସେ ମାତ୍ର । ତମେ କ’ଣ ମତେ ବିଶ୍ୱାସ କରିପାରୁନ ? ତମର ସ୍ଵପ୍ନପରି ମତେ ହେବାକୁ ସମୟ ଦିଅ ସୁ :”

 

ଏବଂ ସୁପର୍ଣ୍ଣା ସେଇ ମୁହୂର୍ତ୍ତରେ ସୌମ୍ୟରଂଜନର ଛାତିରେ ମୁହଁରଖି ଅବୁଝା ଛୋଟ ପିଲାଟିଏ ପରି କାନ୍ଦିଥିଲା କେବଳ । ସୌମ୍ୟ ତା’ର ପିଠି ଆଉଁସି କହିଥିଲା–"ଭଲପାଇବାର ଅନ୍ୟ ନାମ ନିର୍ଯ୍ୟାତନ । ତମେ ଜାଣିନ ସୁ : ତମେ ଦେଖ, ଆମର ନିର୍ଯ୍ୟାତନ ବି ଦିନେ ଶେଷ ହୋଇଯିବ-

 

ହୁଏତ ସୌମ୍ୟର ପ୍ରତିଜ୍ଞା ଥିଲା, କୌଣସି ସେଣ୍ଟିମେଣ୍ଟକୁ ବର୍ଷର ସେଇ ଶେଷ ଦିନଟାରେ ସେମାନେ ସୁଯୋଗ ଦେବେ ନାହିଁ । କିନ୍ତୁ ବର୍ଷ ଶେଷରେ ସେଇ ଯନ୍ତ୍ରଣାର ଦିନଟାରେ ସୌମ୍ୟର ତୀକ୍ଷ୍ଣ ଆଖି ଦୁଇଟା ମଧ୍ୟ ଲୁହ ଛଳଛଳ ହୋଇ ଉଠିଥିଲା । ସୁପର୍ଣ୍ଣା ଅବିରତ ଭାଙ୍ଗି ପଡ଼ୁଥିବା ମନଟାକୁ ଛିଡ଼ା କରେଇ ବସ୍‌ରେ ଚଢ଼ିଥିଲା । ମନେ ମନେ ଭାବିଥିଲା, ‘‘ନା, ମୁଁ କିଛି ତ ଭୁଲ୍ କରିନି | ଭଗବାନ ନିଷ୍ଠୁର ନୁହଁନ୍ତି । ସୌମ୍ୟକୁ ଦିନେ ମୁଁ ନିଶ୍ଚୟ ପରିପୂର୍ଣ୍ଣଭାବେ ପାଇବି ।”

 

କିନ୍ତୁ....ବସ୍‌ରେ ଏତେ ବାଟ ଆସି ସାରିଲା ପରେ ବି ପରିଚିତ ଜଗତର ପ୍ରତି ମୁହୂର୍ତ୍ତ ତାକୁ ଅସହ୍ୟ ଲାଗୁଛି । ଧୂସର ଲାଗୁଛି ସବୁକିଛି । ହାହାକାର ଲାଗୁଛି ମନଟା । ସୌମ୍ୟ ସାଙ୍ଗରେ ପୁଣି ମାସେପରେ ଦେଖାହେବ । ସେ ଯାଏଁ....ସେ ଯାଏଁ... କ’ଣ ବଞ୍ଚିପାରିବ ସୁପର୍ଣ୍ଣା ! କେବଳ ପ୍ରତୀକ୍ଷା...ନିଜର ମନର ମଣିଷ ଆଉ ଛୋଟ ଏକ ନୀଡ଼ ପାଇଁ । ହୁଏତ ଏମିତି ବି ଦିନେ ହୋଇପାରେ, ପ୍ରତୀକ୍ଷାର ଦିନ ସବୁ ଗଣି ଗଣି ଦିନେ ଶେଷ ହୋଇଯିବ । ସୌମ୍ୟ ଚେଷ୍ଟା କରି କରି ଦିନେ ଚାକିରି ପାଇବନି, ସେମାନେ ସମାଜର ସ୍ୱୀକୃତି ପାଇବେନି । ସ୍ତିମିତ ହୋଇଯିବ ଜୀବନ, ସବୁ ସରସତା ହଜିଯିବ ଆଉ ସୁପର୍ଣ୍ଣାର ଏଇ ସୁନ୍ଦର ଚେହେରାରେ ଦିନେ ଅପରାହ୍ନର ଆଲୁଅ ପଡ଼ିଯିବ......ଉଃ...ଏଇମିତି ଏକ ପରିଣତି କଥା ଭାବିଲାବେଳକୁ ଶିହରି ଉଠିଲା ସୁପର୍ଣ୍ଣା...

 

ବସ୍ ଅଟକିଛି । ବଡ଼ କୌଣସି ଷ୍ଟପେଜ୍ । ଷ୍ଟାଣ୍ଡ୍‍ଟା ଆଲୁଅରେ ଭରପୂର । ସନ୍ଧ୍ୟାର ଆଲୁଅ । ବସ୍ ଭିତରେ ମଧ୍ୟ ଆଲୁଅର ବନ୍ୟା–ସୁପର୍ଣ୍ଣା ଦେଖିଲା ପାର୍ଶ୍ଵବର୍ତ୍ତିନୀ ସୁଶ୍ରୀ ଝିଅ ଉଠି ଛିଡ଼ା ହୋଇଛି । ହୁଏତ ଏଇଠି ଓହ୍ଲେଇ ଯିବ । ସୁପର୍ଣ୍ଣା ସହିତ ଆଖି ମିଶିଲାକ୍ଷଣି, ସେ ଉଚ୍ଛଳ କଣ୍ଠରେ କହିଲା,’’ ଆସୁଛି ତେବେ..... ହ୍ୟାପି ନିଉ ଇୟର୍”

 

ସୁପର୍ଣ୍ଣା କିଛି ନ କହି ହାତଟା ଜାବୁଡ଼ି ଧରିଲା ତା’ର । ଝିଅଟି ବିଦାୟ ନେଇ ଚାଲିଗଲା-

 

ବିଷଣ୍ଣ ସୁପର୍ଣ୍ଣା ଭାବିଲା, ‘‘ସେ କେତେ ଅନ୍ୟାୟ କରିଛି ଏହା ଅମୟିକ‌ ଝିଅଟି ପ୍ରତି....”-! ବାହାରକୁ ଚାହିଁଲା ସେ ଆଲୁଅ ଝଲମଲ ବସ୍‍ଷ୍ଟାଣ୍ଡ ଏବଂ ଏକ ଅଭିନବ ଦୃଶ୍ୟ–‘‘ଛୋଟ ତିନିଚକିଆ ଠେଲା ଗାଡ଼ିଟି । ସାତ ସିଆଁ ସାର୍ଟ ଖଣ୍ଡିଏ ପିନ୍ଧି ଲୋକଟି ବସିଛି । ଦୁଇ ଗୋଡ଼ ନାହିଁ ଆଣ୍ଠୁ ପାଖରୁ । ବୟସ ଠିକ୍ ସୌମ୍ୟ ପରି । ଆଉ ସୁପର୍ଣ୍ଣା ପରି ବୟସର ରୋଗିଣା ସ୍ତ୍ରୀ ଲୋକଟି ଚିରା ଶାଢ଼ୀ ଭିତରେ ତା’ର ନାରୀତ୍ୱକୁ ଲୁଚେଇ ପାରୁନି । ତା’ପରେ ପୁଣି ଏଇ ଶେଷ ଡିସେମ୍ବରର କାଲୁଆ ପବନ । ତଥାପି ଦୁଇ ହାତରେ ଠେଲି ଠେଲି ସେ ଗାଡ଼ିଟାକୁ ଆଣୁଛି । ଠିକ୍ ସୁପର୍ଣ୍ଣା ବସିଥିବା ଝରକା ପାଖେ ଅଟକିଯାଇ ସ୍ତ୍ରୀ ଲୋକଟି କହିଲା, ‘' ମା’ ପଇସାଟିଏ ଦୟାହେଉ....’’

 

ତର୍‌ତର୍‌ରେ ପର୍ସରୁ ଆଠଣିଟିଏ କାଢ଼ି ବଢ଼େଇଦେଲା ସ୍ତ୍ରୀ ଲୋକଟି ହାତକୁ । ଯେମିତି ଏ କାମ ପାଇଁ ସେ ବହୁ ବେଳୁ ଅପେକ୍ଷା କରିଥିଲା । ଗାଡ଼ିଟିକୁ ଠେଲିନେଇ ସ୍ତ୍ରୀଲୋକଟି ପୁଣି ଚାଲିଗଲା ଆଗକୁ । ସୁପର୍ଣ୍ଣାର ମନଟା ହଠାତ୍ ସ୍ତିମିତ ହୋଇଗଲା । କି ଅଦ୍‍ଭୂତ ଭଲପାଇବା ଏ ସ୍ତ୍ରୀଲୋକଟିର ! କୌଣସି ଦିନ ଭଲ ହୋଇ ପାରିବନି ଜାଣି ସୁଦ୍ଧା ସେ ତା’ର ବିକଳାଙ୍ଗ ମଣିଷଟିକୁ ବୋହି ଚାଲିଛି । ହୁଏତ ଆହୁରି ଅନେକ ଦିନ ବୋହି ଚାଲିବ । ଏମିତି ମାଗି ମାଗି ତାକୁ ଚଲେଇବ-। ଅଥଚ ତା’ମୁହଁରେ ଏତେ ଟିକେ ଦୁଃଖ ନାହିଁ । ଯନ୍ତ୍ରଣାନାହିଁ । ଅସ୍ୱସ୍ତିନାହିଁ ।

 

ହେଲେ ସେ...ଏତେ ସାମାନ୍ୟରେ ଭାଙ୍ଗି ପଡ଼ୁଛି.... । ଯଦିଓ ସୌମ୍ୟ ତା’ର ସାରାଜୀବନ ପାଇଁ ତଥାପି ସେ ହତୋତ୍ସାହ ହୋଇପଡ଼ୁଛି । ସୌମ୍ୟ ଯଦି ଏମିତି ପଙ୍ଗୁ ହୋଇଥାନ୍ତା ଏବଂ ତାକୁ ଏମିତି ପୋଷିବାକୁ ହୁଅନ୍ତା !

 

ନା....ନା.…ମନେ ମନେ ଚିତ୍କାର କରି ଉଠିଲା ସୁପର୍ଣ୍ଣା । ସୌମ୍ୟର କିଛି ନ ହେଉ ଭଗବାନ ! ତା’ର ଚେତନାର ଗହୀରରେ ସତ୍ତାର ସମସ୍ତ ଅଣୁ ପରମାଣୁରେ ସୌମ୍ୟ ପାଇଁ ଏକ ଭିନ୍ନ ସ୍ୱାଦର ଭଲପାଇବା ହାହାକାର କରି ଉଠିଲା । ନା–ସୁପର୍ଣ୍ଣା ଆଉ କିଛି ଭାବିପାରୁନି...ସୁଖ ଦିନେ ଆସେ । ଆସେ ତ...ଆଶାରେ ଆଶାରେ ବଞ୍ଚି ରହିଲେ କ୍ଷତି କ’ଣ ?

Image

 

ସ୍ଵପ୍ନ ଶେଷ

 

ଏଠିକୁ ଦୁଇମାସ ହେବ ଆସିଲାଣି ଅନୁପମ । ଏଇ ଛୋଟ କ୍ୱାଟରଟି ମଧ୍ୟ ତା’ର ଦୁଇମାସର ବନ୍ଧୁ । ଅଥଚ ଏଇ ଘର, ଏଇ ସାରା ପାହାଡ଼ି ଇଲାକା, ଏଇ ଗଛ ପତ୍ର, ପାହାଡ଼ ସବୁକିଛି ତା’ର ଅଚିହ୍ନା ଥିଲା; କିନ୍ତୁ ଅପରିଚୟ ଆଉ ବିସ୍ମୟ ଭିତରେ ବି ଅନୁପମ ଅନୁଭବ କରିଥିଲା ଯେମିତି ଏଇ ସ୍ଥାନ ତା’ର ପରିଚିତ । ଅଥଚ ଓଡ଼ିଶା ମଧ୍ୟପ୍ରଦେଶର ସୀମାନ୍ତରେ ଏଇ ଉଦବାସ୍ତୁ ଅଞ୍ଚଳକୁ ପବ୍ଳିକ୍ ରିଲେସନସ୍ ଅଫିସର ହୋଇ ଆସିଲାବେଳେ ତା' ମନରେ କେତେ ଆଶଙ୍କା କଳ୍ପନା ବସା ବାନ୍ଧିଥିଲା । ଭାଇ କହିଥିଲେ ‘‘ଅନୁ ! ଯାଉଛୁ ସତ, ହେଲେ ସେତେ ଭଲ ଜାଗା ନୁହେଁ । ପୂର୍ବ ବଙ୍ଗର ଉଦ୍‌ବାସ୍ତୁ ଆଉ ସ୍ଥାନୀୟ ପାହାଡ଼ି ଅଧିବାସୀଙ୍କ ଭିତରେ ସେତେ ଭଲ ବୁଝାମଣା ନାହିଁ । ତଥାପି ତୋର ପ୍ରମୋଶନ ଯେତେବେଳେ ମୁଁ ନାହିଁ କରୁନି । ତଥାପି ତୋର ଆଖି କାନ ସଜାଗ ରଖିବା ଉଚିତ । ସେଠିକାର ସମସ୍ୟା ଏକ ଜାତୀୟ ସମସ୍ୟା ।’’ ବାପା ଖୁସି ହୋଇ ନଥିଲେ । ତଥାପି ରେଲୱେରେ ଷ୍ଟେସନ୍ ମାଷ୍ଟର ଚାକିରି କରିଥିବା ବାପା ଅନେକ ଅପନ୍ତରା ଜାଗା ବୁଲୁଛନ୍ତି । ତେଣୁ ଅନୁପମକୁ ବାଧା ଦେଇ ନଥିଲେ । କେବଳ ବୋଉକୁ ନେଇ‌ ସମସ୍ୟା ଉପୁଜିଥିଲା । ବୋଉ ପ୍ରାୟ ନାଇଁ କରିଦେଇଥିଲା । "ପଛେ ତୁ କିରାଣୀଟିଏ ହୋଇ ରହ, ହେଲେ ପାଖରେ ଥା, ଦେଖୁଛୁ ତ ରୋଗିଣା ମଣିଷଟେ ମୁଁ, ଭଲମନ୍ଦ ଖବର ପାଉ ପାଉ ଚାରିଦିନ-।” ଅନୁପମ ହସିଥିଲା, ‘ବୋଉ, ଲୋକେ ତ ପୁଣି ପିଲାଙ୍କୁ ବିଲାତ ଆମେରିକା ପଠେଇ ନିଶ୍ଚିତ ହୋଇ ରହୁଛନ୍ତି । ତୁ ଏଇଠିକୁ ଡରୁଛୁ । ଏ ଜାଗାଟା ପରା ଆମ ଓଡ଼ିଶାରେ ।’ ସାନ ଭଉଣୀ ମିନି କହିଥିଲା, ‘ଦେଖୁଛ ଭାଇ, ମୋ ଉପରେ ରହି ତମେ ମୋ ଭାଗ ଶରଧା ପାଇଯାଉଛି, କିନ୍ତୁ ମୁଁ ତ କୋଳପୋଛା’ । ଲାଗ ଲାଗ ଚାରି ଝିଅ ପରେ ଭାଇ ତାଙ୍କ ପରେ ଅନୁପମ ଓ ପରେ ମିନି-। ଅନେକ କଷ୍ଟରେ ସପ୍ତାହରେ ଦୁଇ ଖଣ୍ଡ ଚିଠି ଦେବାର ପ୍ରତିଶ୍ରୁତି ଦେଇ ଅନୁପମ ଚାଲିଆସିଥିଲା ଏଇ ଉଦ୍‌ବାସ୍ତୁ ଅଞ୍ଚଳକୁ । ପ୍ରଥମେ ପ୍ରଥମେ କେମିତି ନିର୍ବାସିତ ଲାଗିଥିଲା ନିଜକୁ । ତଥାପି ଧୀରେ ଧୀରେ ସବୁ ମାନି ହୋଇଯାଇଥିଲା । ଛୋଟ ବଜାରଟିଏ ଅଛି । ସପ୍ତାହରେ ଥରେ ହାଟ ବସେ । ସିନେମା ହଲ୍‌ଟିଏ ଯେଉଁଠି ବେଶି ପରିମାଣରେ ବଙ୍ଗଳା ଛବି ପଡ଼େ । ଡାକ୍ତରଖାନା, ଉଦ୍‍ବାସ୍ତୁମାନଙ୍କ ପାଇଁ ଥାନାଟିଏ । ପ୍ରାୟ ସବୁ ସୁବିଧା ରାଜ୍ୟ ସରକାରଙ୍କ ତରଫରୁ ହୋଇଛି । ଉଦ୍‌ବାସ୍ତୁମାନଙ୍କୁ କାମ ଯୋଗାଇ ଦେବାପାଇଁ ରାସ୍ତା ତିଆରି, ପାହାଡ଼ ଫଟେଇବା, ଜଙ୍ଗଲର ଗଛ କାଟିବା, ପୋଡ଼ୁ ଜମିମାନଙ୍କରେ ଚାଷ କରିବା ଆଦିର ସୁବିଧା ଅଛି । ଛୋଟ କୋଲିୟାରୀଟିରେ ସକାଳେ ସନ୍ଧ୍ୟାରେ ସାଇରନ ବାଜେ । ଅଫିସରମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୱାଟର । ଉଦ୍‌ବସ୍ତୁମାନଙ୍କ ପାଇଁ ସ୍ୱତନ୍ତ୍ର ବସ୍ତି । ଟାଇଲି ଛପର ଦିଆ ଏକ ସାଇଟିଆ ଘରଗୁଡ଼ିଏ । ଧୀରେ ଧୀରେ ଅନୁପମ ଏ ଜାଗାକୁ ଭଲପାଇ ବସିଛି । ଆଉ ଏବେ ମନେ ହେଉଛି ହୁଏତ ଏ ଜାଗା ତା’ର ପରିଚିତ ଥିଲା । ତିନିଦିନ ହେବ ବର୍ଷାଟା ଲାଗିରହିଛି । ଶନିବାରରୁ ଆରମ୍ଭ । ବୋଉ କହେ ଶନି ସାତ, ମଙ୍ଗଳ ତିନି ତେବେ ଏ ବର୍ଷା ସାତ ଦିନ ଲଗେଇବ । ବର୍ଷାପାଇଁ ଅନୁପମ ଜଲ୍‌ଦି ପଳେଇ ଆସୁଛି ଅଫିସରୁ । ଏବେ ପ୍ରାୟ ସନ୍ଧ୍ୟା ହୋଇ ଗଲାଣି । ଝରକା ପାଖେ ବସି ଅନୁପମ ବର୍ଷା ଦେଖୁଥିଲା । ବର୍ଷା କୁଆଡ଼େ ଅଭିମାନୀ ଆକାଶର ଲୁହ । କିଏ ପୁଣି କହନ୍ତି, ବର୍ଷା ଇନ୍ଦ୍ରସଭାର ମେନକା । ଇକୋନୋମିକ୍‌‌ସ୍ ଛାତ୍ର ଅନୁପମ । ସାହିତ୍ୟ ବୁଝେନା । ତଥାପି ଆଜି ମନେ ହେଉଛି, ସତରେ ଆକାଶ କାନ୍ଦୁଛି । ନହେଲେ ବର୍ଷାର ଏଇ ନୃତ୍ୟରତ ଧାରାସବୁ ଠିକ୍ ଅପ୍‍ସରା ମେନକାର ଅଙ୍ଗଭଙ୍ଗୀ ପରି । ଚାରିପଟେ ପାହାଡ଼ । ମଝିରେ ଏ ଜାଗାଟା ଠିକ୍ ଉପତ୍ୟକା ପରି । ଛୋଟ ନଈଟିଏ । ବଡ଼ ପାହାଡ଼ ଦେହକୁ ଲାଗି ବହିଯାଇଛି । ଅନେକ ସମୟରେ ଅନୁପମ ସାଇକେଲ ନେଇ ନଈକୂଳକୁ ଯାଏ, ଠିକ୍ କାହିଁକି ଯାଏଁ ତା’ ଜାଣେନା, ତଥାପି ଯାଏ । ତା’ର ମନେହୁଏ ପୃଥିବୀର ସବୁଠାରୁ ନିର୍ଜନତମ ଜାଗା ଏଇ ନଈକୂଳ । କେବଳ କୁଳୁ କୁଳୁ ଗୀତର ଧ୍ୱନି । ଭାବନା ବିଚ୍ଛିନ୍ନ ହୋଇଯାଏ । ଘରକଥା, ବୋଉ ବାପାଙ୍କ କଥା, ଭାଇ-ଭାଉଜ, ଅପା-ଭିଣୋଇ ଏବଂ ମିନି କଥା ମନେପଡ଼େ । ଠିକ୍ ଏସବୁ କାହିଁକି ଭାବେ ଅନୁପମ ନିଜେ ଜାଣେନା । ତେବେ ତା’ର ମନେହୁଏ ଛୋଟ ନଈଟାର ଗୋଟିଏ ଆକର୍ଷଣ ଅଛି । ଯାହାପାଇଁ ସେ ଟାଣି ହୋଇଯାଏ । ଏତେ ନିର୍ଜନତା ଅନୁପମ କେବେ ଅନୁଭବ କରିନି । କାରଣ ନିଃସଙ୍ଗତାକୁ ସେ ଭୟକରେ । ବରଂ କୋଳାହଳ ତା’ର ପ୍ରିୟ । ପିଲାଟି ଦିନରୁ କୋଳାହଳ ଭିତରେ ମଣିଷ ହୋଇଛି ସେ । ଭାଇ-ଭଉଣୀ ବାପା ବୋଉ ସମସ୍ତେ ତା’ର ଚାରି ପାଖର ପୃଥିବୀ । ଅନ୍ଧାର ଘରେ ଏକୁଟିଆ ରହିବାକୁ ଭୟ ପାଏ ବୋଲି ଦୁଇ ବର୍ଷ ସାନ ମିନି ତାକୁ ଅନେକ ଥର ଥଟାରେ ଚିଡ଼େଇଛି । ଅଥଚ‌ ଅନୁପମର ଏ କ’ଣ ହେଲା ? ଏଠିକୁ ଆସିଲା ପରେ ସେ ବରଂ ନିର୍ଜନତାକୁ ବେଶି ଭଲପାଉଛି । ଏଇ ଦୁଇମାସ ଭିତରେ ତା’ର ଅନେକ ଚିହ୍ନା ହୋଇଗଲେଣି । ମାଇନିଂ ଇଂଜିନିୟର ଦାସବାବୁ ଅନେକ ଥର ଡାକିଲେଣି । ତାଙ୍କ ସ୍ତ୍ରୀ କୁଆଡ଼େ ଅନୁପମ କ୍ଳାସମେଟ ଥିଲେ । ଥାନାବାବୁ ମହୀନ୍ଦର ସିଂ, କଂଟ୍ରାକ୍‌ଟର ବାନାର୍ଜିବାବୁ । ଏଠି ଏକ ମହାଜାତୀୟ ଧାରା ଯେମିତି ପ୍ରଭାବିତ ହେଉଛି । ହେଲେ ଏ ଯାଏଁ ଅନୁପମ କାହାରି ନିମନ୍ତ୍ରଣ ରକ୍ଷା କରି ପାରିନାହିଁ । ଏଇ ଝିପି ଝିପି ବର୍ଷାର ଭାବନାକୁ ଛାଡ଼ିଦେଇ ବରଂ ୱାଟର୍‌ ପ୍ରୁଫ୍‌ଟା ପିନ୍ଧି ସାଇକେଲ ନେଇ ନଈକୂଳକୁ ଗଲେ କେମିତି ହୁଅନ୍ତା ! ସାଇକେଲ ନେଇ ଯିବ ! ମିନି ଲେଖିଛି, ‘ଭାଇ ପ୍ଲିଜ୍ ତମେ ଜ୍ୟା ସ୍କୁଟର କିଣିବନି । ମୁଁ ଯାହାକୁ ଭାଉଜ ବାଛିବି ତାଠୁ ସ୍କୁଟରଟିଏ ଉପହାର ଆଣିବା ତମପାଇଁ’ । ମନକୁ ମନ ହସିଲା ଅନୁପମ । ମିନିଟା ନିହାତି ଫାଜିଲ । ଯୌତୁକ ନ କହି ଉପହାର କହୁଛି । ଅନୁପମ ବି ସ୍କୁଟର କିଣିବାକୁ ଯିବ ବା କାହିଁକି । ଭାଇ ଏକଜିକ୍ୟୁଟିଭ ଇଞ୍ଜିନିୟର ହୋଇ ସାରିଲା ପରେ ଗାଡ଼ିଟିଏ ପାଇଛନ୍ତି । ଅନେକ ଥର କହିଲେଣି, ‘ଅନୁ ସ୍କୁଟରଟା ନେଇ ଯା’; ବରଂ ମିନିକୁ ଲେଖିଦେଲେ ହେବ, ମୋ ପାଇଁ ଯେଉଁ ସ୍କୁଟର ଉପହାର ଆଣିବୁ ସେ କ’ଣ ତୋ ବର ପାଇ ଆଡ଼୍‌ଭାନସ ବୁକିଂ-?

 

ଅନୁପମର କପେ କଫି ପିଇବାକୁ ଇଚ୍ଛା ହେଲା । ହେଲେ ନିଜେ ଯାଇ ତିଆରି କରିବାକୁ ମନହେଉନି । ଆଉ ଅଳ୍ପ ସମୟ ପରେ ଉଦ୍‌ବାସ୍ତୁ ପଲ୍ଲୀରୁ ସିରାଜ ଆସିବ । ଅନୁପମର ଖାସ୍ ପାଖଲୋକ । ଚା’, କଫି, ରୋଷେଇବାସ ସବୁଥିରେ ଏକସ୍‌ପାର୍ଟ ଲୋକଟା । ଦୁଇଓଳି ରୋଷେଇ ସାରି ଅନୁପମର ଅନେକ ଫରମାସ୍ ମଧ୍ୟ କରେ । କ’ଣ ଗୋଟାଏ ବାତ ଅଛି ବୋଲି ଭାରି କାମ କରିପାରେ ନା । ବରଂ ସିରାଜ ଆସୁ । ତା’ ହାତ କଫି ଭଲଲାଗିବ । ଏଇନା ସିଗାରେଟଟାଏ ଲଗେଇଲେ ଭଲ । ଲାଇନ ତ ଗୋଳମାଳ । ଆସୁଛି ଯାଉଛି । ଫ୍ୟାନ୍‌ଟା ବନ୍ଦ । ଲାଇଟର୍ ଜଳେଇଲା ଅନୁପମ । କେବଳ ଝୁପ୍‌ ଝୁପ୍ ଟୁପ୍ ଟୁପ୍ ଶବ୍ଦ ବର୍ଷାର । ଉଦାସୀନ ଆକାଶ ଦେହରେ ଭଉଁରୀ ପରି ତୀବ୍ର ବର୍ଷାର ସ୍ରୋତ ବିଛୁଡ଼ି ପଡୁଛି । ସିଗାରେଟ୍‌‌ର ଉତ୍ତାପରେ ସାମାନ୍ୟ ଉତ୍ତପ୍ତ ହେଲା ଅନୁପମ । ମିନି ଲେଖିଛି । ‘‘ଭାଇମ ତମେ ଗଲାପରେ ଭାରି ଫାଙ୍କା ଲାଗୁଛି ଘରଟା । ଛାତ ଉପରେ ଏକା ଏକା ପର ଗଣିବା ଛଡ଼ା ମୋର ଆଉ ଅନ୍ୟ କିଛି ଧନ୍ଦା ନାହିଁ । ବୋଉ ତ ବୋଉ, ବାପା ତ ବାପା, କେବଳ ପୂଝାରୀ ସାଙ୍ଗେ ମୋର ଦିନ ରାତି କଳି । ତମେ ତ ନାହଁ । କିଏ ନେଇଯିବ ସିନେମା କିଏ ଆଣିଦେବ ମ୍ୟାଗାଜିନ୍ । ଭାଇ, ତମେ ଜଲଦି ଭାଉଜ ଆଣିଲେ ମୁଁ ପାଠ ଛାଡ଼ି ତମ ପାଖେ ପାଖେ ରହିବି । କୁହମ ଭାଇ, ତମେ କ’ଣ କାହାକୁ ପସନ୍ଦ କରିଚ, ମତେ ଲେଖିବ ମନ ଖୋଲି । ପ୍ରସ୍ତାବ ପଠେଇବା ।”

 

ଅନୁପମ ସିଗାରେଟ ପିଉ ପିଉ ପୁଣିଥରେ ହସିଲା । ପସନ୍ଦ ! ଭଲପାଇବା ! ଏଯାବତ୍ ଅନୁପମ ସବୁ ଝିଅଙ୍କୁ ସମାନ ଦେଖି ଆସିଛି । କଲେଜ, ଇଉନିଭର୍‍ସିଟିରେ ସୀତା, ଗୀତା, ରୀତା ବା ଚଞ୍ଚଳା, ଚପଳା, ସୁନୀତା ସମସ୍ତେ ଏକ ପ୍ରକାରର ଲାଗନ୍ତି ତାକୁ I ଭଲପାଇବା କେମିତି ଆସେ, କେମିତି ପର ଜନ୍ମ, କେମିତି ତା’ର ଆବିର୍ଭାବ ସେ କଥା ଅନୁପମ ଏଯାଏଁ ଜାଣିପାରିଲା ନାହିଁ । ଲଭ୍ ଏଟ୍ ଫାଷ୍ଟ ସାଇଟ ବୋଲି ପଢ଼ିଛି, ଶୁଣିଛି । ହେଲେ ପର ତ କାହିଁ କେବେ ସେ ଅନୁଭୂତ ହୋଇନି । ଅଥଚ ତା’ରି କ୍ଳାସମେଟ ଝିଅପୁଅମାନେ ପରସ୍ପର ବାହା ହୋଇ କେତେ ସଂସାର କଲେଣି, ପୁଅଝିଅର ବାପା ମା’ ହେଲେଣି । ତେବେ କ’ଣ ଅନୁପମର ଜୀବନ ଅର୍ଥହୀନ । ସେ ୟୁସୁଲେସ୍ ! ଅବ୍ୟକ୍ତ ଏକ ଅଭିମାନ ଆସିଲା ନିଜ ଉପରେ । ତା’ର ସବୁ ଅଛି । ସୁନ୍ଦର ସ୍ୱାସ୍ଥ୍ୟ ରଙ୍ଗ, ଶିକ୍ଷା, ସଭ୍ୟତା, ରୁଚି...ତେବେ ହୁଏତ ସେ ଭଲପାଇବାର ଅନୁଭୂତିକୁ ଏତେଦିନ ଧରି ଉଡ଼ାଇ କରି ଆସିଛି । ଏଇତ ..ଏଇ ପାହାଡ଼ି ଇଲାକାକୁ ସେ ଭଲପାଇଛି । ଭଲପାଇଛି ତା’ର ପ୍ରତିଟି ସମ୍ପଦକୁ । ତାର ଶୋଭାକୁ । ଅନ୍ଧାରରେ ଏକ ଖୁସିର ଗନ୍ଧରେ ଭରିଗଲା ତାର ଅନୁଭୂତି । ସେ ଅନୁଭବ କଲାବେଳେ ଏଇ ପାହାଡ଼ୀ ଇଲାକା ଆଉ ସେଇ ଅନାମିକା ନଦୀ, ତାକୁ ଆକର୍ଷିତ କରୁଛି କ୍ରମାଗତ ଭାବରେ । ଧୀରେ ଧୀରେ ସେ ଭଲପାଇ ବସୁଛି ଏଇ ସମସ୍ତ ଅପରିଚିତ ପୃଥିବୀକୁ । ହଠାତ୍ ଆଲୋକର ବନ୍ୟାରେ ଭାସିଗଲା ଛୋଟ ଘରଟା । ଅନୁପମ ଚମକି ଫେରି ଚାହିଁଲା । କିନ୍ତୁ ଏ କ’ଣ ଶସ୍ତା ଛିଟ ଶାଢ଼ୀ । ମୁଣ୍ଡରେ ଓଢ଼ଣା, ନାକରେ ଛବି ପିନ୍ଧା ଏକ ଶ୍ୟାମଳ ସତେଜ ନାରୀ ମୂର୍ତ୍ତି । ଦୁଇଟି ଗାଢ଼ ଆଖିରେ ସରଳ ଚାହାଣି । ‘‘ବାବୁ ଗୋ, ଆମି ସିରାଜମିଆଁର ମେୟେ । ଆମି ଫୁଲବାନୁ । ଆବ୍‌ବାର ଶରୀରଟା ଭାଲ ନାଇ । ତୋମାର କି କି ହବେ ବଲୋଗେ-।"

 

ଅନୁପମ ଭାଷାଟା ଅଳ୍ପ ବୁଝିଲା କି ବୁଝିଲାନି । କିଛି ଉତ୍ତର ଦେବା ଆଗରୁ ଝିଅଟି ଟେବୁଲ୍ ଉପରୁ ଚା’ କପଟା ନେଇ ବାହାରିଗଲା ରୋଷେଇ ଘର ଆଡ଼କୁ । ଏଇ ଦୁଇମାସ ଭିତରେ ତ ଅନୁପମ କାହିଁ ଜାଣିନି ସିରାଜର ଝିଅ ଅଛି ବୋଲି । ସିରାଜ ମଧ୍ୟ କେବେ କହିନି । ଅନୁପମ ପୁଣି ନିଜ ଭିତରକୁ ଫେରିଗଲା । ବର୍ଷା ସେମିତି ପଡ଼ୁଛି ଟୁପ୍ ଟାପ୍, ଟୁପ୍ ଟାପ୍ । ଆଉ ଭଲ ଲାଗୁଛି ସେ ଶବ୍ଦ ।

 

ଅନୁପମ ଖୁବ୍ ଜୋରରେ ହସି ଉଠିଲା । ଦାସବାବୁ ଏବଂ ତାଙ୍କ ସ୍ତ୍ରୀ ସୁନିତା ମଧ୍ୟ । ସୁନିତାକୁ ଦେଖି ଚିହ୍ନିପାରିଲା ଅନୁପମ । ତେବେ ସୁନିତା ଅନ୍ୟ ଡିପାର୍ଟମେଣ୍ଟ, ସାଇକୋଲୋଜି । ଆଖି ଦେଖା ଚିହ୍ନା ପରିଚୟ । ହସ ବନ୍ଦ୍ କରି ଦାସବାବୁ କହିଲେ, “‘ସତରେ ମିଷ୍ଟର ନାୟକ, ଆପଣ କାହାକୁ ଭଲପାଇନାହାନ୍ତି ? ମାନେ ନୋ ମୋସନ୍ ନୋ ଚେଞ୍ଜ୍ ଇନ୍ ଇଓର ଲାଇଫ୍ ! ଅଥଚ ଆପଣ ହ୍ୟାଣ୍ଡସମ୍, ଜଲି ଏବଂ ଟାଲେଣ୍ଡେଡ଼ । ମୋର କାହିଁ ବିଶ୍ୱାସ ହେଉନାହିଁ । ବୁଡ଼ି ବୁଡ଼ି ପାଣି ପିଉଥିଲେ କି !’’ ବସିଥିବା ସୋଫାକମ ବେଡ଼୍ ଉପରକୁ ଆସ୍ତେ ଆଉଜି ଗଲା ଅନୁପମ । ଦୁଇହାତରେ ମୁଣ୍ଡର ବାଳକୁ ଠିକ୍ କରୁ କରୁ କହିଲା, “ରିଏଲି ଦାସବାବୁ, ବେସିକାଲି କହିବାକୁ ଗଲେ, ମୁଁ ଏକ ସ୍ଵହୃଦୟ ସର୍ବସ୍ଵ ଲୋକ । ନିଜଛଡ଼ା ମୁଁ ଆଉ କିଛି ବୁଝିନି । କିଛି ଗୋଟାଏ ନୂଆ କରିବାକୁ ଭାବିନି । କଲେଜ, ଇଉନିଭର୍‍ସିଟିକୁ ଯାଏ । ପଢ଼େ, ବୁଲେ, ସିନେମା ହସ ଖୁସି । ତା’ପରେ ଘରେ ବାପା ବୋଉ, ଭାଇ ଭଉଣୀ । ଏସବୁ ଛଡ଼ା ଯେ ମଣିଷ ଜୀବନରେ ଆଉ ଏକ ପୃଥକ ପୃଥିବୀ ଅଛି, ସେ କଥା ମୋର କାହିଁ ମନେ ପଡ଼ିନି । ହୁଏତ ମୋର କୌଣସି ଅଭାବ ନଥିଲା ବା ମୁଁ ମଧ୍ୟ ଅନୁଭବ କରିନି । ତେଣୁ ଅନ୍ୟର ହୃଦୟ ପାଖରେ ପହଞ୍ଚି ପାରିନି, ଯାହାକୁ ଆପଣମାନେ ପ୍ରେମ ବୋଲି କହନ୍ତି ।”

 

ସୁନିତା ହସନ୍ତ କଣ୍ଠରେ ପଚାରିଲା, ‘‘କେବେ ଆପଣଙ୍କୁ କୌଣସି ଝିଅ ଭଲ ଲାଗିନାହାନ୍ତି ? ମୋ ଜାଣିବାରେ ଆପଣଙ୍କ ଡିପାର୍ଟମେଣ୍ଟରେ ବି ଛଅ ସାତ ଝିଅ ଥିଲେ ଏବଂ ସେମାନେ ବେଶ ସୁନ୍ଦରୀ, ମାର୍ଜିତ ରୁଚି ।’’ ଏଥର ସିଧା କରି ଚାହିଁଲା ଅନୁପମ ସୁନିତାକୁ । ବେଶ ଆଧୁନିକ ସୁନିତା । କହୁଣି ଯାଏଁ ଲମ୍ବା ଛିଟର ବ୍ଲାଉଜ । ଚଉଡ଼ା ଧଡ଼ିର ହ୍ୟାଣ୍ଡଲୁମ ଶାଢ଼ୀ କାନ୍ଧ ଉପରେ ଗୋଛା ହୋଇ ରହିଛି । ସିନ୍ଥିରେ ସାମାନ୍ୟ ସିନ୍ଦୂର । କପାଳରେ ଶାଢ଼ୀ ରଙ୍ଗର ଟିପ । କାନରେ ଦୁଇଟି ବଡ଼ ରିଂ । ବେକରେ ମୋଟା ଚେନ୍‌ଟିଏ । ବର୍ଣ୍ଣ ସାଧାରଣ ଗୋରା । ଲମ୍ବାଳିଆ ମୁହଁଟି କାରୁକାର୍ଯ୍ୟପୂର୍ଣ୍ଣ ନ ହେଲେବି ବେଶ ସୁଶ୍ରୀ । ମୋଟାମୋଟି ସୁନ୍ଦରୀ ସୁନିତା । ତା’ ତୁଳନାରେ ଦାସବାବୁ ଟିକେ ଏଜେଡ଼ ଲାଗୁଛନ୍ତି । ଅନୁପମ କହିଲା, ‘‘ଭଲପାଇବା, ଆଉ ଭଲ ଲାଗିବା ଭିତରେ ଡିଫରେନ୍‍ସ ଅଛି ମିସେସ ସୁନିତା । ଆମ ଡିପାର୍ଟମେଣ୍ଟ୍‍ରେ ହେନା ମିଶ୍ରକୁ ମୋତେ ଭଲ ଲାଗୁଥିଲା । ବେଶ୍ ଶାନ୍ତଶିଷ୍ଟ, ଅଳ୍ପ କଥା କହେ, ଚୁପ୍‍ଚାପ୍ ହସେ, ଧୀର ସ୍ଵର । ତା’ ସହିତ ମୋର ବେଶୀ ଫ୍ରେଣ୍ଡସିପ୍ ଥିଲା । ତା’ ବାହାଘରରେ ମୁଁ ଯାଇଛି ଭଦ୍ରଲୋକମାନଙ୍କୁ ସଂଖୋଳିଛି; ଫିଷ୍ଟରେ ପରଷିଛି । ହେଲେ ତା’ର କୌଣସି ସ୍ମୃତି ମୋର ମନ ତଳେ ଛପି ରହି ଯାଇନି-। ଅତଏବ ମୁଁ ତାକୁ ଭଲପାଇନି ଏବଂ ଆମର ରିଲେସନ ନିଶ୍ଚୟ ପ୍ରେମ ନୁହେଁ ।’ ଦାସବାବୁ ଟିକେ ଗୋରା ମଣିଷ ହୁଏତ ଅଭିଜ୍ଞ ବି । ଅନ୍ତତଃ ଅନୁପମର ମନେହୁଏ ନୂଆ ଗୋଟାଏ ସିଗାରେଟ୍ ଅଫର କରି ଦାସବାବୁ ନିଜେ ଲାଇଟର ଜଳେଇ ଲଗେଇବାରେ ଅନୁପମକୁ ସାହାଯ୍ୟ କଲେ । ସିଗାରେଟ୍‌ଟାକୁ ପାଟିରେ ସେମିତି କାମୁଡ଼ି ଧରି କହିଲେ, ‘ମୋର ଧାରଣା ଭଲପାଇବା ପାଇଁ ମଣିଷର ସବ୍‌କନସସରେ କିଛି ସେକ୍‌ସ ଆପିଲ୍ କାମ କରେ । ହୁଏତ ଅନୁପମବାବୁଙ୍କ କ୍ଷେତ୍ରରେ ତାହା ହେବାର ସୁଯୋଗ ହୋଇଛି ।’’ ଅନୁପମ ପୁଣିଥରେ ହୋ ହୋ‌ ହୋଇ ହସି ଉଠିଲା । ଦାସବାବୁ ଗମ୍ଭୀର ହୋଇ କହିଲେ, ‘‘ଜଣେ ଶିକ୍ଷିତ ମାର୍ଜିତ ସୁଦର୍ଶନ ଯୁବକ କ’ଣ ଏତେ ଶୀତଳ ହୋଇପାରେ ! ପୁଣି ଆଜିର ଏଇ ଖୋଲାଖୋଲି ପ୍ରେମ ଯୁଗରେ ।” ଅନୁପମ ଯେମିତି ହସି ହସି ଗଡ଼ିଯିବ । ବହୁ କଷ୍ଟରେ ହସବନ୍ଦ କରି ସେ କହିଲା, ‘‘ଦାସବାବୁ ଆପଣ ସତରେ ସୁନ୍ଦର କହିପାରନ୍ତି । ଆପଣଙ୍କର ଜଣେ ବକ୍ତା ହେବାର ଥିଲା । ମାର୍ଭେଲାସ ଆପଣଙ୍କର କହିବା ଭଙ୍ଗୀ ନ ହେଲେ ଆପଣ ଅଭିନେତା ହୋଇପାରିଥାନ୍ତେ ।’’ ଟି ପଟରୁ ଚା’ ଶେଷ ହୋଇଯାଇଥିଲା । ସୁନିତା ଉଠିଗଲା ନୂଆ ଚା’ ବରାଦପାଇଁ । ପଛପଟଟା ମଧ୍ୟ ସୁନିତାର ବେଶ୍ ସୁନ୍ଦର । ଛୋଟ ଅଥଚ ମୋଟା ବେଣୀ । ଗୁରୁ ନିତମ୍ବ, ମିଡ଼ିଲ ହାଇଟ ସୁନିତାର । ଏ ବି ତ ଏକ ପ୍ରକାର ଭଲଲାଗିବା । ଅନୁପମ ମୁଗ୍‍ଧ ହୋଇଛି ସୁନିତାର ରୁଚି ଆଉ ଚେହେରାରେ । ଅଥଚ ଭଲପାଇବା କେମିତି ଅନୁଭୂତି । ଦାସବାବୁ ସେମିତି କପଟ ଗାମ୍ଭୀର୍ଯ୍ୟ ରଖି କହିଲେ, ‘ଅନୁପମବାବୁ ସୁନିତା ଥିଲା ବୋଲି ପଚାରିପାରୁ ନଥିଲି; ଆଚ୍ଛା ଆପଣଙ୍କର ସେ ମେଡ଼୍ ସରଭେଣ୍ଟ, ସିରାଜ ମିଆଁର ସେଇ ଷୋଳ ବୟସୀ ଝିଅ । ସେ ତା’ ବାପା ଦେହ ଭଲ ହେବାପରେବି ଆପଣଙ୍କୁ ଦେଖାଶୁଣା କରିଛି । କଥା କ’ଣ ?”

 

ଅନୁପମ ଚମକିଲା । ଆରେ ସତେତ । ସିରାଜର ଦେହ ଭଲ ହୋଇଗଲାଣି; ଅଥଚ ଫୁଲବାନୁ ନିତି ଆସୁଚି । ସୁନିତା ଚା’ ନେଇ ଫେରି ଆସିଥିଲା ସେତେବେଳକୁ । ଅନୁପମକୁ ମଧ୍ୟ କିଛି ଉତ୍ତର ଦେବାକୁ ପଡ଼ିଲାନି । ତଥାପି ଦ୍ୱିତୀୟ କପ ଚା’ର ସଦ୍‌ବ୍ୟବହାର କରୁ କରୁ ସେ ଭାବୁଥିଲା ଫୁଲବାନୁ କଥା । ଶ୍ୟାମଳ ରଙ୍ଗର ସରଳ ଝିଅଟିଏ । ଆଖି ଦି’ଟା ବେଶ୍ ସୁନ୍ଦର । ସବୁବେଳେ ଧୀର ସଂଯତ । ଚୁପ୍ ଚାପ୍ ସବୁ କରିଦିଏ । ଦାସବାବୁ ଚା’ ପିଉ ପିଉ କହିଲେ, ‘ନୀତା, ଅନୁପମ ବାବୁ ପାଇଁ ଗୋଟାଏ ଫିଲ୍‍ଡ଼ ତିଆରି କର, ବିଚରା ଫୁଲ କ’ଣ, ବଗିଚା କ’ଣ, ଭଅଁର କ’ଣ କିଛି ବୁଝିଲେନି ।’’ ସୁନିତା ଅଳ୍ପ ହସି କହିଲା, ‘‘କେମିତି ଫିଲ୍‌ଡ଼ କରିବି ଯେ, ଏଇଟା ତ ଗୋଟାଏ ରିଫ୍ୟୁଜି ଏରିଆ । ଯେଉଁ କେଇଜଣ ଅଛନ୍ତି ସମସ୍ତେ ପ୍ରାୟ ମ୍ୟାରେଡ଼ । ପୁଣି ଦୁଃଖିତ ଯେ ମୋର ମଧ୍ୟ କେହି ଭଉଣୀ ନାହାନ୍ତି । ଅନୁପମବାବୁ ଯଦି କହିବେ, ରିଫ୍ୟୁଜିଙ୍କ ଭିତରୁ ଟ୍ରାଇ କରାଯାଇପାରେ । ପୁଣି ଥରେ ହସର ତରଙ୍ଗ । ଅନୁପମ କିଛି କହିଲାନି ବାରମ୍ବାର ତା’ର ମନକୁ ଆସୁଚି ଫୁଲବାନୁର ପ୍ରତିଟି କଥା । କାହିଁକି ଆସୁଚି ଝିଅଟା ? ହୁଏତ ଅତିରିକ୍ତ ଭଲ ବୋଲି । ଆଉ ଗୋଟାଏ ସିଗାରେଟ୍ ଲଗେଇ ତା’ର ଉତ୍ତାପରେ ସେ ଆତ୍ମବିଶ୍ୱାସ ଫେରାଇ ଆଣିବାକୁ ଚାହୁଁଥିଲା-। ଦାସବାବୁ କ’ଣ ତେବେ ସନ୍ଦେହ କରୁଛନ୍ତି ? ହଠାତ୍ ଯେମିତି ଫୁଲବାନୁ ଅନୁପମର ଘଟଣା ବିହୀନ ଶାନ୍ତ ଜୀବନରେ ଗୋଟାଏ ସାଇକ୍ଳୋନର ପ୍ରଚଣ୍ଡତା ନେଇ ଚାଲି ଆସିଛି । ଅନୁପମ ଚୁପ୍ ଚାପ୍ ଉଠି ପଡ଼ିଲା । ଦାସବାବୁ ଏବଂ ସୁନିତା ମଧ୍ୟ ।

 

ଆଜି ଅନୁପମର ମନଟା ବେଶ୍‌ ଖୁସି ଖୁସି ଲାଗୁଛି । ଅଫିସରେ ମିନିର ଚିଠିଟା ପାଇଚି-। ପୁଣି ଉପର ଅଫିସର କହିଛନ୍ତି ତା’ର ପବ୍ଳିକ୍ ରିଲେସନ କାମଟା ବେଶ୍ ଭଲ ହେଉଛି ! ମିନି ଲେଖିଛି, ‘‘ଭାଇ, ଝିଅଟିଏ ଦେଖିଛି ମତେ ଖୁବ୍ ଭଲଲାଗିଲା । ତମର ପସନ୍ଦ ହବ । କହିବ ଯଦି ଫଟୋ ପଠେଇବି । ଭାଇମ, ବୋଉ ବ୍ୟସ୍ତ ହେଲାଣି, ଆସନ୍ତା ଫେବୃଆରୀରେ କରିଦେଲେ ଭଲହୁଅନ୍ତା ।”

 

ଅନୁପମ ଚାଲୁ ଚାଲୁ ହସିଲା । କି ଅଦ୍‍ଭୂତ ଏଇ ମିନିଟା । ସବୁ କଥାରେ ଗୋଟାଏ ଜିଦ୍-। କ୍ୱାଟରକୁ ନ ଫେରି ନଈ ଆଡ଼କୁ ମୁହେଁଇଲା । ଓଡ଼ିଶା ମଧ୍ୟପ୍ରଦେଶର ସୀମାନ୍ତବର୍ତ୍ତୀ ଏଇ ଇଲାକା-। ସୁନ୍ଦର ପ୍ରାକୃତିକ ପରିବେଶ । ପାହାଡ଼ ଘେରା ଗୋଟାଏ ଅନାମିକ ନଦୀ । ବଂଶଧାରା କିମ୍ବା ତା’ର କିଛି ଗୋଟାଏ ଶାଖା ନଦୀ ହେବ ବୋଧହୁଏ । ପ୍ରାୟ ସନ୍ଧ୍ୟା ହୋଇଗଲାଣି । ଅଳ୍ପ ଅଳ୍ପ ଅନ୍ଧାର ପାହାଡ଼ ଉପରେ ଛାଇ ଯାଉଛି । ଦୁଇ ଚାରିଟା ତାରା ଏଠି ସେଠି ଉଙ୍କି ଦେଲେଣି । ଅଳ୍ପ ଅନ୍ଧାରରେ ନୀଳାଭ ଆକାଶଟା ଏକ ଅଦ୍‍ଭୁତ ସୌନ୍ଦର୍ଯ୍ୟରେ ଭରପୂର । ଅନୁପମ ସେମିତି ଆଗେଇଗଲା । ଆଶ୍ଚର୍ଯ୍ୟ ହେଲା ଅନୁପମ କ୍ଷୀଣ ଦେହୀ ନଦୀଟା ଗୋଟାଏ ବଡ଼ ବରଗଛର ପାଖ ଦେଇ ବହି ଯାଉଛି । ସେଇ ସ୍ଥାନଟା ସାମାନ୍ୟ ଓସାରିଆ । ଗଛର ମୂଳ ଚାରିପାଖ ପାଣିରେ ଓଦା-। ସେଇ ଛାଇ ଅନ୍ଧାର ଭିତରେ ଅନୁପମର ମନେହେଲା ଗଛଟା ଏକାକୀ ବିରହୀ । କେବଳ ନଈକୁ ଚାହିଁ ରହିଛି । ନଈ ତା’ର ପଥ ବଦଳାଇ କେବଳ ଗଛମୂଳକୁ ସାମାନ୍ୟ ସ୍ପର୍ଶ କରି ବହି ଯାଉଛି ସାଗର ସଙ୍ଗମ‌ପାଇଁ । ନଈର ବହିଯିବା ପଥରେ ଏଇ ଗଛଟି ଭଲପାଇବାର ଅର୍ଘ୍ୟନେଇ ଛିଡ଼ା ହୋଇଛି ହୁଏତ, କିନ୍ତୁ, ନଈ ତା’ର ନିଜର ବହିଯିବାର ତାଗିଦ୍‌ରେ ନିଜର ନିଖାଦ ସ୍ୱାର୍ଥପରତାରେ ସାଗର ସଙ୍ଗମପାଇଁ ଚାଲି ଯାଇଛି । କିନ୍ତୁ ବିଚାରୀ ଗଛ ସେମିତି ସ୍ଥିର ଅଚଞ୍ଚଳ । କେବଳ ନଈର ସାମାନ୍ୟ ଛୁଆଁ ଟିକେ ପାଇଛି ବୋଲି ସେ ଧନ୍ୟ । ଯେମିତି ସେ ଜଣେଇ ଦେବାକୁ ଚାହୁଁଛି ‘‘ମୋ ହୃଦୟର ପଥକାଟି ତମେ ବହିଯାଉଛ ନଈ, ଅନ୍ୟର ହୃଦୟକୁ କିନ୍ତୁ ମୁଁ ତ ପଥ ହରେଇନି ମୁଁ ସେମିତି ଛିଡ଼ାହୋଇ ରହିଛି, ଜଣେଇଦେବାକୁ ନଦୀ ମୁଁ ତମକୁ ଭଲପାଏ ସ୍ଥିର ନିଶ୍ଚିତ ଭାବରେ ।’ ଅନୁପମର ମନଟା ଅକାରଣରେ ବିଷଣ୍ଣ ହୋଇଗଲା । ସମସ୍ତେ କହନ୍ତି ନଦୀ ନାରୀ ଏକା କଥା । ତେବେ...ନା ସେତ କାହାକୁ ଭଲପାଇନି ଏଯାଏ । ତେଣୁ ବୁଝିବ ସେ କେମିତି । ଅନୁପମ ନଈକୂଳ ଛାଡ଼ି ଆଗେଇଗଲା ପାଖ ଶାଳ ପିଆଶାଳର ଜଙ୍ଗଲ ଆଡ଼କୁ । ଉଦ୍‌‌ବାସ୍ତୁମାନଙ୍କ ସାହାଯ୍ୟରେ ଏ ଜଙ୍ଗଲ ସଫା ହେଉଛି । ହୁଏତ କୌଣସି ଶିଳ୍ପ ପରିକଳ୍ପଳା ବା ରାସ୍ତା ନିର୍ମାଣର ସୁବିଧା ପାଇଁ । ଝରାପତ୍ରର ଶେଯ ଉପରେ ପାଦ ରଖି ରଖି ଅନୁପମ ଆଗେଇ ଚାଲିଥିଲା ଅନ୍ୟମନସ୍କ ଭାବରେ । ଚିରଦିନ ସେ କୋଳାହଳକୁ ଭଲପାଇ ଆସିଛି । ଏଇ ପ୍ରଥମ ତା’ର ମନେହେଲା ବେଳେବେଳେ ନିର୍ଜନତା ବି ମଣିଷର ଆପଣାର ହୋଇଯାଏ ଏବଂ ମଣିଷ ଏକାକୀ ହୋଇଗଲେ ନିର୍ଜନତା ତା’ର ସାଥୀ ହୁଏ । ମନେହେଲା ପ୍ରୟୋଜନର ବାହାରେ ଏଇ ନିର୍ଜନତା ଭିତରେ ଅନେକ ସୁନ୍ଦର ସୁନ୍ଦର କଥା ଅଛି । ଅନେକ ଭଲ ଭଲ ଦୃଶ୍ୟଅଛି । ଅନେକ ଅକାରଣ ଭାବନାବି ଅଛି ।

 

‘ବାବୁ ଗୋ, ତୁମି ଏଇଖାନେ....ଚମକି ଚାହିଁଲା ଅନ୍ୟମନସ୍କ ‘ଅନୁପମ’ । ଫୁଲବାନୁ । ସିରାଜ ମିଆଁର ସେଇ ଶ୍ୟାମଳ ଝିଅଟି । ନିଖୁଁତ ଖୋଦାଇ କରାଯାଇଥିବା ଶ୍ୟାମଳ ମୁହଁରେ ପୃଥିବୀର ଯାହା କିଛି ସତ୍, ଯାହା କିଛି ସୁନ୍ଦର, ଯାହାକିଛି ମମତା ସବୁ ଯେମିତି ଅଜାଡ଼ି ହୋଇ ଏକାଠି ରୂପ ନେଇଛି । ଏ ଭିତରେ ସେମାନଙ୍କ ଭାଷା ଭଲ କରି ଜାଣିଗଲାଣି ଅନୁପମ । ଫୁଲବାନୁ ମଧ୍ୟ ଖଣ୍ଡି ଓଡ଼ିଆ କହେ । ଫୁଲବାନୁ ହାତରେ ବାଉଁଶ ଝୁଡ଼ି । ମୁଣ୍ଡରେ ଛିଟ ଶାଢ଼ୀର ଓଢ଼ଣା । ନାକରେ ନାକଛବି । ଫୁଲବାନୁ ଖଣ୍ଡି ଓଡ଼ିଆରେ ପଚାରିଲା, ତମେ ଏବାଟେ ଆଇଚ କେନ ବାବୁ । ଅଭ୍ୟାସ ନାଇଁ ସାପ ଫାପ୍ ଅଛି, ବାଘ ବି ଆସେ । ଅନୁପମ ହସିଲା । ତୁ ଆସୁଚୁ; ତତେ ଭୟ ଲାଗୁନି ? ମୁଁ କାହିଁକି ଡରିବି, ଫୁଲବାନୁ ହସିଲା । ବାଁପଟ ତଳ ପାଖେ ଗୋଟାଏ ଦାନ୍ତ ବେହେଡ଼ା ଏଇ ପ୍ରଥମ ଲକ୍ଷ୍ୟ କଲା ଅନୁପମ । ସେଇ ବେହେଡ଼ା ଦାନ୍ତଟି ଯେମିତି ତା’ର ସୌନ୍ଦର୍ଯ୍ୟ ବଢ଼େଇ ଦେଇଛି । ଅନୁପମ ଏବାଉଟ୍ ଟର୍ଣ୍ଣ କଲା । ଫୁଲବାନୁର ପାଖେ ପାଖେ ଚାଲୁ ଚାଲୁ ସେ ଲକ୍ଷ୍ୟ କରୁଥିଲା ତା’ର ଚାଲିବା ଛନ୍ଦକୁ, ତା’ର ଅବହେଳିତ ଅଥଚ ସଞ୍ଜତ ବେଶଭୂଷାକୁ । ସବୁଦିନେ ସହରରେ ବଢ଼ି ଆସିଛି ଅନୁପମ । ହେଲେ ଏମିତି ବ୍ୟକ୍ତିତ୍ୱ ସମ୍ପନ୍ନ ଝିଅ ସେ କେବେ ଦେଖିନି । ‘ଆଚ୍ଛା ଫୁଲ, ଆବ୍‌ବା ଛଡ଼ା ତୋର କ’ଣ ଆଉ କେହି ନାହାନ୍ତି ?” ମୁଣ୍ଡ ହଲେଇ ନାହିଁ କଲା ଫୁଲ‌ବାନୁ । ଅନୁପମ ପୁଣି ପଚାରିଲା ‘‘ତୋର ଗାଁ କଥା ମନେ ପଡ଼େନା ।” ଫୁଲବାନୁ ଚାହିଁଲା ଅନୁପମକୁ । ଚାଲୁ ଚାଲୁ ଅଟକି ଗଲା ସେ । ଦୁଇଟି ସଜଳ କଳା ଆଖିରେ ହୁଏତ ଲୁହର ଆଭାସ-। ନିଜ ଭାଷାରେ ସେ କହିଲା, ‘‘ମନେ ପଡ଼େ ବାବୁ, ପଦ୍ମାନଦୀ କୂଳର ଝିଅ ମୁଁ । ଚାଷ ଜମି ଆମର ଜୀବନ । ପ୍ରତିଦିନ ଆବ୍‍‌ବା ପାଖକୁ ଖାନା ନେଇ ଯାଉ ମୁଁ ଆଉ ଆମ୍ମା । ଆମ୍ମା ଭାତ ପରଷେ ! ସେମାନଙ୍କୁ ଛାଡ଼ିଦେଇ ମୁଁ ନଈ ପାଖକୁ ଚାଲିଆସେ । ମୁଁ ଦେଖେ ପଦ୍ମାର ନୀଳ ଢେଉ, ପଦ୍ମାର ନୌକା, ପଦ୍ମା ଛାତିରେ ଖେଳି ଖେଳି ଭାସି ଯାଉଥିବା ଶୁଖିଲା ପତ୍ର ! ମତେ ଚୁପ୍‌‌ଚାପ୍ ଚାହିଁ ବସିଥିବାର ଦେଖିଲେ, ଆବ୍‌ବା ହସି ହସି ମୋ ପିଠି ଥାପୁଡ଼େଇ କହେ, ଘୋଡ଼ା ପିଠିରେ ଚଢ଼ି କେଉଁ ନବାବ ଘରର ଅମୀର ପୁଅ ଆସିବ ଏଇ ନଦୀ ପାରହୋଇ ତତେ ସାଦୀକରି ନେଇଯିବ । ତୁ ହେବୁ ତା’ର ନଜରାନା ! ମୁଁ ନିଜେ ଜରିଦିଆ ଟୋପି ପିନ୍ଧି ତତେ ଘୋଡ଼ା ପିଠିରେ ବସେଇ ଦେବି ତା’ ପାଖରେ । ହେଲେ ବାବୁ କ’ଣ ହେଲା କେଜାଣି । ଯୁଦ୍ଧ ଲାଗିଲା । ସମସ୍ତେ ଗାଁ ଛାଡ଼ି, ଖେତ ଖମାର ଛାଡ଼ି, ଦେଶ ଛାଡ଼ି, ପଳେଇ ଆସିଲେ । ଆବ୍‌ବା ଆମ୍ମା ସାଙ୍ଗରେ ମୁଁ ମଧ୍ୟ ପଳେଇ ଆସିଲି । ସୀମାନ୍ତ ପାର ହେବାପରେ ଆମ୍ମା ଗୋଟାଏ ପାଇଖାନାରେ ମରିଗଲା । ସେଇଠି ମାଟିଖୋଳି ତାକୁ କବର ଦେଇ ଆମେ ଚାଲି ଆସିଲୁ ଏପାଖକୁ । ତା’ପରେ ରେଳଗାଡ଼ିରେ ବସି କେତେବାଟ ବୁଲି ଏଇ ଜାଗାରେ ପହଞ୍ଚିଲୁ । ତା’ପରେ ଏଇ ପାଞ୍ଚ ସାତବର୍ଷ ଗଲାଣି । ପ୍ରଥମେ ପ୍ରଥମେ ଭାରି ଖରାପ ଲାଗୁଥିଲା । ଆବ୍‌ବା ମତେ କାମ କରିବାକୁ ଛାଡ଼େନା । ସେ ବି ବେମାରିପାଇଁ ଭାରି କାମ କରିପାରେନା । ବାବୁଭାୟାଙ୍କ ପାଖରେ ରୋଷେଇ କରେ । ଯାହା ମିଳେ ଆମେ ଦୁଇଜଣ ଚଳିଯାଉ । ଘରେ ବସି ବସି ଖରାପ ଲାଗିଲେ ମୁଁ ଏଇ ନଈ ପାଖକୁ ଚାଲିଆସେ । ପଦ୍ମା କଥା ମନେପଡ଼େ । କିନ୍ତୁ ନୌକା ନାହିଁ । ଏ ନଦୀର ଆରପାଖେ କେଉଁ ଦେଶ ମୁଁ ଜାଣେନା-! ତଥାପି ମତେ ଭଲଲାଗେ । ଶୁଖିଲା ପତ୍ର ଗୋଟେଇ ନିଏ ଜାଳେଣି ପାଇଁ । କିଛି ସମୟ‌ ବୁଲି ବୁଲି ପୁଣି ଘରକୁ ଫେରିଯାଏ ।’’ ତନ୍ମୟ ହୋଇ ଫୁଲବାନୁର କଥା ଶୁଣୁ ଶୁଣୁ ଅନୁପମ ଭାବିଲା; ତା’ ମନଟା ଆଜି ସତରେ ଖୁବ୍ ଖୁସି । ହୁଏତ ଆଜିର ସବୁ ମୁହୂର୍ତ୍ତଗୁଡ଼ିକ ତା’ପାଇଁ ମହାର୍ଘ । ଯାହାର ମୂଲ୍ୟ ବେଶୀ କିଛି ନୁହେଁ । ତଥାପି ଏଇ ଆତ୍ମମଗ୍ନତା ଏଇ ଅନୁଭୂତିର ସୁଖ ଠିକ୍ ଭାଷାରେ ପ୍ରକାଶ କରି ହୁଏନା । ହୁଏତ କବି ବା ଲେଖକ ପାରୁଥିବେ ସେ ସବୁ ଲେଖାରେ ପ୍ରବେଶ କରି । କିନ୍ତୁ ଅନୁପମ ତା’ର ଏଇ ସୁଖର ଅନୁଭୂତିକୁ କେବଳ ଛାତି ଭିତରେ ସାଇତି ରଖିବ ସାଇତି ରଖିବ ଆଖିର ତାରାରେ, ଗଭୀର ନିଶ୍ୱାସରେ ।

 

ଏଇ ପାହାଡ଼ି ଇଲାକାକୁ ଚାକିରି ନେଇ ଆସିବାର ପ୍ରାୟ ହାଫ୍‌ଇୟର ବିତେଇ ଦେଲାଣି ଅନୁପମ । ପ୍ରଥମେ ଆସିଲାବେଳେ ମନେ ହୋଇଥିଲା ସହର ବଜାର ଛାଡ଼ି, ଯେଉଁ ଅପନ୍ତରାକୁ ସେ ଯାଉଛି ସେଠି ଚଳିପାରିବ ତ ? ତଥାପି ମନରେ ପ୍ରଶ୍ନ ଥିଲା, ମାନସିକ ଦୃଢ଼ତା ସତ୍ତ୍ୱେବି; କିନ୍ତୁ ଏଠିକୁ ଆସି ତା’ର ମନେହେଉଛି ଚାରିପାଖର ଏଇ ସବୁଜ ଶାଳୀନ ସୁନ୍ଦର ପାହାଡ଼, ବଣ ନଦୀ ଏବଂ ଏଇ ଛୋଟ ଉପତ୍ୟକା ପରି ଇଲାକାରେ ବାସ କରୁଥିବା ମଣିଷମାନେ ଯେମିତି ଏକ ଭିନ୍ନ ପୃଥିବୀର, ଏକ ଭିନ୍ନ ଜଗତର । ଏଠି କାଠ କଟାହୁଏ । ଖଣ୍ଡ ଖଣ୍ଡ କାଠ ଟ୍ରକରେ ବୁହା ହୋଇଯାଏ କାହିଁ କେତେ ଦୂରକୁ । କୋଲିଆରୀରେ ସାଇରନ୍ ବାଜେ । ଉଦ୍‌ବାସ୍ତୁ ବସ୍ତିରେ ଆଲୁଅ ଜଳେ । ଆଭିଜାତ୍ୟ କ୍ୱାଟରମାନଙ୍କରୁ ସୁରେଲା ହିନ୍ଦୀ ଗୀତର ଆୱାଜ ଭାସି ଆସେ । ଆଉ ଅନୁପମ ଝରକାପାଖେ ଛିଡ଼ା ହୋଇ ଶୁଣେ ପତ୍ରର ମର୍ମର ଧ୍ୱନି, ସିରି ସିରି ପବନର ଗୀତ, ବାହୁଡ଼ା ପକ୍ଷୀଙ୍କର କୂଜନ । ଫୁଲବାନୁ ହାତର ରାନ୍ଧଣା ଖାଇ, ଦଶଟାରୁ ପାଞ୍ଚଟା ଅଫିସ କରି ମିନିକୁ ଚିଠି ଲେଖି ଅନୁପମର ଦିନଗୁଡ଼ାକ ଏକାକୀତ୍ୱର ନିର୍ଜନତା ଭିତରେ ବେଶ୍ କଟିଯାଏ । ଯେଉଁ ନିର୍ଜନତା ତାକୁ ଦୁଃଖ ଦିଏନା, ଦିଏ ଭାବନାର ସୁର, ଦିଏ ନିଜକୁ ଜାଣିବାର ସୁଯୋଗ । ଅନୁପମ ଏସବୁ କେବେ ମଧ୍ୟ ଅନୁଭବ କରି ନଥିଲା । ତା’ର ଯେଉଁ ବୟସ ସବୁ ହଜିଯାଇଛି, ସେସବୁ କେବଳ କୋଳାହଳରେ ଭରପୂର । ଯେମିତି ଅପ୍ରାସଙ୍ଗିକ ଏକ ଅଧ୍ୟାୟ ପରି । ନଥିଲା ଢେଉ, ନଥିଲା ଚଞ୍ଚଳତା । ଏଠିକୁ ଆସି ଅନୁପମ ଅନୁଭବ କରୁଛି ଏଇ ସବୁଜ ପାହାଡ଼ ଦେହରେ, ଅନାମିକା ନଦୀ ସ୍ରୋତରେ, ବଣୁଆ ଫୁଲର ବାସ୍ନାରେ, ଏବଂ ସର୍ବୋପରି ଏଇ ନିର୍ଜନ ଅବସର ଭିତରେ, ତା’ର ବହୁ ଇପ୍‌ସିତ ସ୍ୱର୍ଗକୁ ସେ ପାଇଯାଇଛି । ତେବେ ଅନୁପମ କ’ଣ‌ ଏଠିକୁ ଆସି ବଦଳି ଯାଇଛି ! ସୁନିତା ଦାସବାବୁ ୟା ଭିତରେ ଅନେକ ଥର ଆସିଲେଣି ଅନୁପମର କ୍ୱାଟରକୁ । ଦାସବାବୁଙ୍କ ଆଖିରେ ସେଇ ଭ୍ରୂକୁଟୀ । ଫୁଲବାନୁର ହାତ ତିଆରି କଫି ଖାଇ ସୁନିତା ଖୁବ୍ ଖୁସି । ତା’ ମତରେ ରିଫ୍ୟୁଜି କଲୋନିରେ ପୁଣି ଏମିତି ସୁନ୍ଦର, ସଭ୍ୟ ଝିଅ ଅଛନ୍ତି ବୋଲି ତା’ର ଧାରଣା ନଥିଲା । ଶତଚେଷ୍ଟା କରି ମଧ୍ୟ ଅନୁପମ ପଚାରି ପାରିନି ସିରାଜ ବଦଳରେ ଫୁଲବାନୁ କାହିଁକି କାମ କରିବାକୁ ଆସୁଛି । ଅବଶ୍ୟ ସିରାଜ ମଧ୍ୟ ଦିନରେ ଥରେ ଆସେ । ଅନୁପମର ଦରକାରୀ ଜିନିଷ ବଜାରରୁ ଆଣିଦିଏ । ଫୁଲବାନୁ ରୋଷେଇ କରେ, ଘର ସଫାକରେ, ଡ୍ରେସ୍ ସଫା କରିଦିଏ, ଅସନା ଖଟ ସଜାଡ଼ି ଦିଏ–ସବୁ ସାରି ଅନୁପମର ଟେବୁଲ୍‌ରେ ଖାଇବା ଘୋଡ଼େଇ ଦେଇ ଅଳ୍ପ ସଞ୍ଜ ହେଲେ‌ ସେ ଫେରିଯାଏ-। ଅନୁପମର ମଧ୍ୟ କେମିତି ଗୋଟାଏ ମମତା ଆସିଥିଲା ଫୁଲ ପ୍ରତି । ନିଜର ନିର୍ଜନତାର ଏକମାତ୍ର ସାଥୀ ଫୁଲବାନୁ । ଛୁଟି ଦିନରେ ଅଥବା ସନ୍ଧ୍ୟାବେଳେ ଘରକୁ ଯିବା ଆଗରୁ ଫୁଲବାନୁ ଅନେକ ଗପେ ଅନୁପମ ସହିତ । ଅନୁପମ ଦ୍ୱିଧା କରେନା । ଫୁଲବାନୁର ସରଳ ଆଖିରେ ଏମିତି ଏକ ପ୍ରକାର ଆକର୍ଷଣ ଅଛି ଯାହାକୁ ଅନୁପମ ମୋଟେ avoid କରିପାରେନା । ଇକୋନୋମିକ୍‌ସର ଛାତ୍ର ଅନୁପମ । ଏଠିକୁ ଆସି ଧୀରେ ଧୀରେ ବଦଳିଯିବାକୁ ବସିଲାଣି । ତେବେ କ’ଣ ଅନୁପମର ହୃଦୟରେ ପରିବର୍ତ୍ତନ ଆସିଛି । ଏଇ ନିର୍ଜନତା, ଏଇ ସୌନ୍ଦର୍ଯ୍ୟ ସର୍ବୋପରି ଫୁଲର ସାହଚର୍ଯ୍ୟ....ନା ଫୁଲକୁ ଏତେ ପାଖରେ ପାଇ ସୁଦ୍ଧା ଅନୁପମ କେବେ ତା’ର ଅବମାନନା କରିନାହିଁ । ଏକ ସୁନ୍ଦର ଅକୃତ୍ରିମ ହୃଦୟ ପ୍ରତି ବିଶ୍ଵାସ ଯଦି ଭଲପାଇବା ହୁଏ ତେବେ ଅନୁପମ ଫୁଲକୁ ଭଲପାଇଛି । ଯଦି ୟା'ରି ନା ପ୍ରେମ ହୁଏ ତେବେ ଅନୁପମ ଅସ୍ୱୀକାର କରିପାରିବନି ନିଜକୁ । ଏଠାକୁ ଆସି ଅନୁପମ ଭୁଲିଯାଇଛି ଯେ ସେ ଜଣେ କ୍ଷୁଦ୍ର ମନଧାରୀ ସ୍ୱାର୍ଥପର ମଣିଷ । ସେ ଭୁଲିଯାଇଛି ତା’ର ଦୁଃଖ, ତା’ର ସୁଖ ଏକମାତ୍ର ଦୁଃଖ ବା ସୁଖ ନୁହେଁ । ଏଇ ସୁନ୍ଦର ନୀଳ ଆକାଶ, ଏଇ ପାହାଡ଼ଘେରା ବିସ୍ତୀର୍ଣ୍ଣ ଅଞ୍ଚଳ, ଏଇ ନଦୀ, ପାଣିପବନ; ସିରାଜ, ଫୁଲ, ସମସ୍ତେ, ସବୁକିଛି ଦାମୀ । ସବୁର କିଛି ନା କିଛି ମାନେ ଅଛି, ମୂଲ୍ୟ ଅଛି । ସବୁରି ସୁଖ ଦୁଃଖରେ ସେ ଭାଗୀ । ସମସ୍ତଙ୍କର ଜୀବନ ଏକଇ ଛନ୍ଦରେ ରୀତିମୟ । ମିନି ଲେଖିଛି; ଭାଇ, ୟା ଭିତରେ ମୁଁ ଫଟୋ ପଠେଇଦେବି । ଦଶହରା ଛୁଟି ଆଉ କେଇଦିନ ରହିଲା । ତମେ ଆସିବ ତ ? ମୁଁ ଖୁବ୍ ବୋର୍ ହୋଉଛି । ଏଥର ତମ ପାଖକୁ ଚାଲିଯିବି । ତମେ ଲେଖିଛ ଭାରି ସୁନ୍ଦର ଜାଗା ସେଟା ।

 

ଆଜି ଅଫିସରୁ ଟିକେ ଶୀଘ୍ର ଚାଲି ଆସିଛି ଅନୁପମ । ଦେହଟା ସାମାନ୍ୟ ଖରାପ ଲାଗୁଥିଲା । ଫୁଲ ଆଶ୍ଚର୍ଯ୍ୟ ହୋଇଥିଲା । ଏତେ ଜଲ୍‌ଦୀ ଫେରି ଆସିବାର କାରଣ ପଚାରିଥିଲା । ଅନୁପମ ଆଶ୍ଚର୍ଯ୍ୟ ହୁଏ କି ବିଚିତ୍ର ଏଇ ମଣିଷ, ଆଉ କେତେ ଅଦ୍ଭୁତ ଏଇ ସମ୍ପର୍କ । ଅନୁପମ ଓଡ଼ିଶାର ଏକ କୋଳାହଳମୟ ସହରର ମଣିଷ । ଆଉ ପଦ୍ମା ନଦୀର ଶାନ୍ତ ପରିବେଶର ଝିଅ ଫୁଲବାନୁ । କେହି କାହାରିକୁ ଜାଣି ନଥିଲେ, ଚିହ୍ନି ନଥିଲେ, ଅଥଚ ଏକ ଅକୃତ୍ରିମ ସମ୍ପର୍କ ଭିତରେ ସେମାନେ ବନ୍ଧା ହୋଇଯାଇଛନ୍ତି । ଅନୁପମ ଶୁଣେ ଫୁଲର କଥା; ଫୁଲ ବୁଝେ ଅନୁପମର ବ୍ୟଥା । ଅଥଚ କୌଣସି ଦେଣାପାଉଣାନାହିଁ କୌଣସି ଚୁକ୍ତିନାହିଁ, କୌଣସି ମୋହନାହିଁ ଲୋଭ ନାହିଁ । ଅନୁପମ କେବେ ଫୁଲକୁ ନିଦ୍ରାହୀନ ରାତିରେ ଭାବିନି; ନିଦ୍ରା ଭିତରେ ତାକୁ ଗ୍ରାସ କରିନି, ଅଥଚ ଫୁଲ ପ୍ରତି ତା’ର ଏକ ଅଦ୍ଭୁତ ମମତା ଆସିଯାଇଛି । ଯାହା ଶବ୍ଦହୀନ ଭାବରେ ପ୍ରଜ୍ଜ୍ୱଳିତ ହୋଇଥାଏ । ବାବୁ ଗୋ, ଚା’ ଅନୁପମ ଫେରି ଚାହିଁଲା । ଘରସାରା ଆଲୁଅର ଢେଉ । ୟା ଭିତରେ ଅନ୍ଧାର ହୋଇଗଲାଣି ତା’ର ଖିଆଲ ନାହିଁ । ଫୁଲ ଆଲୁଅ ଜଳେଇ ଚା’ନେଇ ଛିଡ଼ା ହୋଇଛି । ଆଖିରେ ତା’ର ପଦ୍ମା ନଦୀର ସେଇ ଢଳ ଢଳ ନୀଳ ଚାହାଣି । ଝରକା ପାଖରୁ ଘୁଞ୍ଚି ଆସିଲା ଅନୁପମ । ଫୁଲ ହାତରୁ ଚା’ ନେଇ ଚେୟାରରେ ଆଉଜି ବସିଲା । ଫୁଲ ଚମକିପଡ଼ି କହିଲା, ବାବୁ ତମକୁ ଜର । ଅନୁପମ ହସିଲା; ନା ଫୁଲ ସେ କିଛି ନୁହେଁ । ଏମିତି ଦେହ ଟିକେ ଭଲ ଲାଗୁନି । ଦୁଇଚାରି ଦିନ ହେବ ଅଫିସରେ ଖୁବ୍ କାମ ପଡ଼ୁଛି । ବିନା ଦ୍ୱିଧାରେ ଫୁଲର ଡାହାଣ ହାତଟା ଅବଲୀଳାକ୍ରମେ ପ୍ରସରିଗଲା ଅନୁପମର କପାଳ ଉପରକୁ । ଫୁଲ ପୁଣିଥରେ ଛୋଟ ପାଟିରେ ଚିତ୍କାର କରି ଉଠିଲା, ‘‘ଇସ୍, ଦେହରେ ତାତି, ଖଇ ଫୁଟୁଛି ।" ଅନୁପମ ଆଖି ବନ୍ଦ କଲା-। କେତେ ଥଣ୍ଡା ଫୁଲର ଏଇ ନରମ ହାତଟା । ହାତରେ ଚା' କପ୍‌ଟା ଥରୁଛି । ଧୀରେ ଥୋଇଦେଲା ସେ ଛୋଟ ଟୁଲ୍‌ଟାରେ । ଆଖି ଫିଟେଇଲା ଅନୁପମ । ଫୁଲ ମୁହଁରେ ଗଭୀର ଉଦ୍‌ବେଗ । ଢଳ ଢଳ ଆଖିର ଚାହାଣି ଆହୁରି ବେଶୀ କରୁଣ । ଫୁଲ କହିଲା, ‘‘ବାବୁ ତମେ ବସିଥା ମୁଁ ଆବ୍‌ବାକୁ ଡାକି ଆଣୁଛି ।” ସ୍କ୍ରିନଟା ଆଡ଼େଇ ଦେଇ ଫୁଲ ତଡ଼ିତ ବେଗରେ ବାହାରିଗଲା । ଅନୁପମର ମନ ଏକ ଅକାରଣ ଖୁସିରେ ହଠାତ୍‌ ପୁଲକିତ ହୋଇ ଉଠିଲା । ଫୁଲର ଏଇ ବ୍ୟସ୍ତତା ଫୁଲର ଏଇ ମମତା ଆଉ ଅନୁପମର ଏଇ ଆତ୍ମସୁଖର ନାଁ । କ’ଣ ପ୍ରେମ ? ଭଲପାଇବା ଅନୁପମ ଟଲ୍ ଉପରୁ ଚା’କପ୍ ନେଇ ଆରାମରେ ଚୁମୁକ ଦେଇ ସେଥିରେ ଆଃ..... !

 

ଏକାଦିକ୍ରମେ ଚାରିଦିନ ଥଣ୍ଡା ଜର ଭୋଗି, ଅନୁପମ ଯେତେବେଳେ ନିଜ ଭିତରକୁ ଫେରିଆସି ଆଖି ଫିଟେଇଲା ପ୍ରଥମେ ଦେଖିଲା ଫୁଲକୁ । ଅନୁପମ ଜାଣେନା ଏଇ ଚାରିଦିନ ସେ କେମିତି ବିତେଇଛି । କାରଣ ସେ ପୂରାପୂରି ବେହୋସ ଥିଲା । ଆଖିରେ ତା’ର ଅସୀମ କୃତଜ୍ଞତା ଫୁଲପାଇଁ ସିରାଜପାଇଁ । ଏମାନେ ପର କେହି ନୁହନ୍ତି । ତଥାପି ଏଇ ଦୂର ପରବାସରେ ଏପରି ମମତା, ଭଲପାଇବା କ’ଣ ସତରେ ମଣିଷ ପାଖେ ସଂଭବ ? ଫୁଲଠୁ ଶୁଣିଲା ସେଇ ସମୟ ଭିତରେ ଦାସବାବୁ, ସୁନିତା, ପାଖପଡ଼ିଶା, କଣ୍ଟ୍ରାକ୍‌ଟର ବାନାର୍ଜୀବାବୁ ସମସ୍ତେ ଆସିଥିଲେ । ଦାସବାବୁ ଅନୁପମର ଘରକୁ ଖବର ଦେବାପାଇଁ ଭାରି ବ୍ୟସ୍ତ ହେଉଥିଲେ । ଠିକଣା ବୋଧହୁଏ ସେ ଭଲକରି ଜାଣିନାହାନ୍ତି । ଦେହର ଦୁର୍ବଳତା ପାଇଁ ଅନୁପମ ଆହୁରି ଚାରିଦିନ ଛୁଟି ନେଇଛି । ସ୍ଥାନୀୟ ଡାକ୍ତରଙ୍କ ମନା ବାହାରକୁ ଯିବାକୁ । ଅନୁପମ ଚୁପ୍‌ଚାପ୍ ଝରକା ପାଖେ ବସିରହେ । ପାହାଡ଼ି ଇଲାକା ଅକାଳେ ସକାଳେ ହଠାତ୍ ମେଘ ଦେଖାଦିଏ । ଥଣ୍ଡା ପବନ ବହେ । ବେଳେବେଳେ ବର୍ଷାବି ହୋଇଯାଏ । ଆଜି ସେମିତି ମେଘୁଆ ଆକାଶ । ଅନୁପମ ମିନିକୁ ଚିଠି ଲେଖି ବସିଲା । ନିଜ ଦେହ ବିଷୟ ନେଇ । ଫୁଲ ଚା’ ନେଇ ଠିକ୍ ସେଇ ସମୟରେ ଘରକୁ ପଶି ଆସିଲା । ଚା’ କପ୍‌ଟା ଟେବୁଲ୍ ଉପରେ ଥୋଇ କହିଲା, ‘ବାବୁ ଝରକାଟା ବନ୍ଦ କରିଦିଅ । ଦେହଟା ଅସଜଡ଼ା ଅଛି ?” ଅନୁପମ କିଛି ଉତ୍ତର ନ ଦେଇ ଚୁପ୍‌ଚାପ୍ ହସିଲା । ଫୁଲ କାନିରେ ଚଟାଣଟା ଝାଡ଼ି ଦେଇ ବସି ପଡ଼ୁ ପଡ଼ୁ ପଚାରିଲା, ‘‘ବାବୁ ଗୋ କାହାକୁ ଚିଠି ଲେଖୁଛି ?” ଅନୁପମ ଯେମିତି ହସିଲା । ବୁଝିପାରିଲା ଫୁଲ କ’ଣ ଜାଣିବାକୁ ଚାହୁଁଛି । ଫୁଲର ଆଖିରେ ଆଖି ମିଶେଇ କହିଲା, ଅନୁପମ, ‘ମୋ ଭଉଣୀ ମିନିକୁ’ । ଫୁଲ ମୁହଁର ରଙ୍ଗ ବଦଳିଗଲା ଯେମିତି । ‘‘ତମର ସ୍ତ୍ରୀକୁ ଲେଖୁନ-!’ ଅନୁପମ ସେମିତି ହସନ୍ତ କଣ୍ଠରେ କହିଲା ମୁଁ ତ ବାହା ହୋଇନି ଚିଠି ଲେଖିବି କାହାକୁ-।” ଫୁଲ ଆଖି ବଡ଼ ବଡ଼ କରି କହିଲା, ଆମ୍ମା କହେ ତମର ସୁନ୍ଦରୀଆ ସ୍ତ୍ରୀଟିଏ ଅଛି । ତୁମେ ତାକୁ ନିତି ଚିଠି ଲେଖ, ଭଲଘର ପାଇଲେ ତାକୁ ନେଇ ଆସିବ ।’ ଟେବୁଲ ଉପରୁ ଚା’ ନେଇ ଚୁମୁକ ଦେଲା ଅନୁପମ । ‘ସେ ଧାରଣା ଭୁଲ୍ । ମୁଁ ବାହା ହୋଇନି ।’ ଅନୁପମ ଲକ୍ଷ୍ୟ କଲା ଫୁଲ ଆଖିରେ ଏକ ଅଜଣା ଖୁସିର ଢେଉ । ଫୁଲ ପୁଣି ପଚାରିଲା, ‘ବାବୁ ଗୋ, ତୁମେ ଅନେକ ପାଠପଢ଼ିଛ । କେତେ ଭଲ ଝିଅ ଦେଖିଥିବ । କାହାକୁ ମନରେ ଧରିନ ।” ଅନୁପମ ଏଥର ଟିକେ ଜୋର୍‍ରେ ହସିଉଠିଲା, କହିଲା ‘‘ଦେଖିଛି ଅନେକ ଝିଅଙ୍କ ସାଙ୍ଗେ ପାଠପଢ଼ିଛି, ହେଲେ ତୋ ପରି ଏତେ ଭଲ ଝିଅ କେଉଁଠି ଦେଖିନି ।” ଫୁଲ ହଠାତ୍ ଚୁପ୍ ହୋଇଗଲା । ଅନୁପମ ସାମାନ୍ୟ ଝୁଙ୍କି ପଡ଼ି ଫୁଲର କାନ୍ଧରେ ହାତ ରଖି ପଚାରିଲା, ସତରେ ତମ ଗାଁକୁ ଫେରିଯିବାକୁ ତୋର ଜମା ଇଚ୍ଛା ହୁଏନା ଫୁଲ ? ସେଠି ତୋର କେହି ମନଲାଖି ମଣିଷ ନଥିଲେ ?’’ ଅନୁପମର ସ୍ପର୍ଶ ହୁଏତ ଏଇ ପ୍ରଥମ ଫୁଲ ଅନୁଭବ କଲା ଯେମିତି । ତା’ ଦେହ ଥରି ଉଠିଲା ଏକ ଅହେତୁକ ଶିହରଣରେ । କ’ଣ ଭାବି ଅନୁପମ ମଧ୍ୟ ହାତ ଉଠେଇନେଲା । ଫୁଲ ସାମାନ୍ୟ ଚଞ୍ଚଳ ହୋଇ ଗୋଟିଏ ଦୀର୍ଘନିଶ୍ୱାସ ନେଇ କହିଲା, ‘ମନେ ପଡ଼େ ବାବୁ, ଆମ ଗାଁ କଥା, ପଦ୍ମା କଥା ତମକୁ ତ ସବୁ କହିଛି-। ଫେରିଯିବା କଥା କହୁଛ, ଆମ୍ମା କହିଛି, ଯେବେ ଯୁଦ୍ଧ ସରିବ ଶାନ୍ତି ଆସିବ ଆମେ ପୁଣି ଚାଲିଯିବା । ସତ ବାବୁ, “ମୋର ଆଉ ଫେରିଯିବାକୁ ଇଚ୍ଛାନାହିଁ ଜମା । ଏଠି ମାୟା ଲାଗିଗଲାଣି । ମୋର ସେଠି କେହି ଭାଲବାସାର ଲୋକ ନାହିଁ । ଆମ୍ମା ବି ନାହିଁ, କାହାପାଇଁ ଆଉ ଫେରିଯିବି ? କେବଳ ଗୋଟିଏ କଥା ଭାବି ମନଟା ଆଉଟି ହୋଇଯାଏ ।” ଅନୁପମ ଜିଜ୍ଞାସୁ ଦୃଷ୍ଟିରେ ଚାହିଁଲା । ଫୁଲବାନୁ ଫିକ୍ କରି ହସିଦେଇ କହିଲା, ‘‘ସଇ ନବାବ ଘରର ପୁଅ କଥା । ପଦ୍ମାପାର ହୋଇ ଯିଏ ଆସି ମତେ ନେଇଯିବ । ଏ ନଈର ଆରପାରିରେ ଆଉ ତ କିଛି ଦେଶନାହିଁ ବାବୁ ? ଅନୁପମ କିଛି ଉତ୍ତର ଦେଲାନାହିଁ ।’’ ଭାବିଲା କି ଅଦ୍‍ଭୁତ ସରଳ ଏଇ ଝିଅଟା । ପୁଣିଥରେ ଫେରିଯିବାର ଆଶାନାହିଁ । ଫେରିଗଲେ ମଧ୍ୟ ସେଠି କ’ଣ ପରିସ୍ଥିତି ତା’ର ମଧ୍ୟ ଠିକଣା ନାହିଁ, କିନ୍ତୁ ମନ ଭିତରେ କୈଶୋରର ଏକ ସବୁଜ ସ୍ଵପ୍ନକୁ କେତେ ଯତ୍ନରେ ସାଇତି ରଖିଛି । ସିରାଜ ପହଞ୍ଚି ଯାଇଥିଲା । ଅନୁପମକୁ ଚାହିଁ ନିଜ ଭାଷାରେ ପଚାରିଲା, ‘ଦାସବାବୁ ଔଷଧ ପାଇଁ ଯିବି, ବର୍ଷା ଆସୁଛି, ଜଲ୍‌ଦି ଗଲେ ଫେରିଆସିବି ।" ଅନୁପମ କହିଲା, ‘‘ଫୁଲ, ମୋ ପର୍ସରୁ ପଇସାଦେ ସିରାଜକୁ । ମୁଁ ଚିଠିଟା ଶେଷ କରେ-। ଫୁଲ ଉଠିଗଲା ।” ଅନୁପମ ମିନିକୁ ଲେଖିବସିଲା । ‘‘ମିନି, ଏଠିକୁ ଆସିଲାବେଳେ ମୁଁ କେତେ ଡରୁଥିଲି । ତମେ ସବୁ ଭାବିଥିଲ ହୁଏତ ଚାକିରି ଛାଡ଼ି ମୁଁ ପଳେଇବି, କିନ୍ତୁ ସତେ ଲୋ, ଏବେ ମନେ ହେଉଛି ସବୁଦିନ ସାରାଜୀବନ ମରିବା ଯାଏ ଯଦି ଏଇଠି ରହିଯାଇପାରନ୍ତି ତେବେ କେତେ ଭଲହୁଅନ୍ତା । ଏଠିକୁ ନ ଆସିଲେ ତୁ ବିଶ୍ଵାସ କରି ପାରିବୁନି I କେତେ ନିର୍ଜନ ସୁନ୍ଦର ଏଇ ପୃଥିବୀ-। ଭାଉଜ କରି ଯାହାକୁ ଆଣିବୁ ସେ ଯଦି ମୋର ଏଇ ନିର୍ବାସନ ସହିତ ସହଯୋଗ କରିବ, ତେବେ ମୋର ଆପତ୍ତିନାହିଁ, କିନ୍ତୁ ସେ କ’ଣ ପାରିବ ?”

 

ଫୁଲ ଫେରିଆସିଥିଲା, ଦ୍ୱିତୀୟ କପ୍ ଚା’ ନେଇ । କେତେ ମନ ବୁଝିପାରେ ଏଇ ଫୁଲ-। ଅନୁପମ ଠିକ୍ ଏଇ ମୁହୂର୍ତ୍ତରେ ଚା’ର ପ୍ରତ୍ୟାଶାରେ ଥିଲା । ସିରାଜ ଔଷଧ ନେଇ ଫେରିନି, ଫୁଲ ହାତରୁ କପ୍‍ଟା ନେଇ ଦେଖିଲା, ବାହାରେ ଟୁପ୍ ଟାପ୍ ବର୍ଷା ଆରମ୍ଭ ହୋଇଗଲାଣି । ସୁନ୍ଦର ମିଠା ସଙ୍ଗୀତ ବର୍ଷାର । ଫୁଲ ଛିଡ଼ା ହୋଇଛି । କ’ଣ ଭାବି ଅନୁପମ ଫୁଲକୁ ଚାହିଁଲା । ଫୁଲର ଗହୀର କଳା ଆଖିରେ ଅନେକ ଭାଷା । ସେ ଭାଷା ଅନୁପମ ପଢ଼ି ମଧ୍ୟ ପଢ଼ି ପାରିଲାନି । ଗୋଟିଏ ସୁନ୍ଦର ପାପ କେଉଁଠି ଲୁଚିଛପି ରହିଛି । ଶେଷ ଚୁମୁକ ଦେଇ ସେ ଫେରାଇ ଦେଲା ଫୁଲକୁ ଚା’ କପ୍‌ଟା । ନିଃଶବ୍ଦରେ ଫୁଲ ଚାଲିଗଲା । ଅନୁପମ ବୁଝିପାରିଲାନି ହଠାତ୍ ତା’ ମନଟା କାହିଁକି ବିଷର୍ଣ୍ଣ ହୋଇ ଉଠିଲା । ମିନିକୁ ଲେଖିଥିବା ଚିଠିଟା ଚିରି ଟିକ୍ ଟିକ୍ କରି ବାହାରକୁ ପକେଇଦେଲା ଅନୁପମ । ବାହାରେ ବର୍ଷାର ସେଇ ସଙ୍ଗୀତ । ଟୁପ୍......ଟାପ୍ ।

 

ସାଇକେଲଟା ନେଇ ଜୋର୍‌ରେ ଫେରୁଥିଲା ଅନୁପମ । ଅନେକ ଦିନ ହେବ ସେ ମିନିକୁ ଚିଠି ଲେଖିନି, ମିନି ମଧ୍ୟ ଦେଇନି । କ’ଣ ହେଲା, ମନ ଭଲନାହିଁ ସେତେ । ହୁଏତ ଘର ଆଡ଼୍ରେସ୍‌ରେ ଦେଇଥିବ । ଗୋଟାଏ ଆଶା ନେଇ ତୀବ୍ର ବେଗରେ ଛୁଟି ଯାଉ ଯାଉ ବାଟରେ ଥାନା ଇନ୍‌ଚାର୍ଯ ମହୀନ୍ଦର ସିଂ ଅନୁପମକୁ ଦେଖି ଯେମିତି ହାତରେ ସ୍ଵର୍ଗ ପାଇଲେ । ହିନ୍ଦୀରେ କହିଲେ, ‘‘ଆରେ ଅନୁପମବାବୁ ଯେ, ମୁଁ ଆପଣଙ୍କୁ କ୍ୱାଟରରୁ ଖୋଜି ଆସିଲି ।’’ ଅନୁପମ ସାଇକେଲରୁ ଓହ୍ଲାଇ ପଡ଼ିଲା । ମହୀନ୍ଦର ସିଂ ମଧ୍ୟ । କଥା କ’ଣ ପଚାରିବାରୁ ମହୀନ୍ଦର ସିଂ କହିଲେ ବଡ଼ ବିପଦ ଅନୁପମ, ସମସ୍ୟା ଖୁବ୍ ଜଟିଳ, ଉଦ୍‍ବାସ୍ତୁମାନେ ପଳେଇ ଯିବାକୁ ବାହାରିଲେଣି । କେଉଁଠୁ କାହା ପାଖରୁ ଖବର ପାଇଲେ ଯୁଦ୍ଧ ସରିଗଲାଣି, ଏବେ ଶାନ୍ତି । ତେଣୁ ସମସ୍ତେ ଚାଲିଯିବାକୁ ତିଆରି । ଜଣେ ଦୁଇଜଣ ମଧ୍ୟ ଚାଲିଗଲେଣି । ଉପରୁ ଖବର ଆସିଛି ଏମାନଙ୍କୁ ଯେ କୌଣସି ମତେ ବୁଝେଇ ଶୁଝେଇ ରଖିବାକୁ ହେବ । ଆପଣଙ୍କ ସଙ୍ଗେ ଉଦ୍‍ବାସ୍ତୁ ପଲ୍ଲୀର ରିଲେସନ୍ ଖୁବ୍ ଭଲ । ପ୍ଲିଜ୍, ଆପଣ ସକ୍ରିୟଭାବେ ଚେଷ୍ଟା କରନ୍ତୁ ଅନୁପମବାବୁ । ଅନ୍ତତଃ ଆମ‌ପାଇଁ ।

 

ଅନୁପମ ଚୁପ୍‍ଚାପ୍ ଶୁଣିଲା । ଘଟଣାର ଆକସ୍ମିକତା ତାକୁ ମଧ୍ୟ ଆଘାତ ଦେଲା । ମହୀନ୍ଦର ସିଂ କହି ଚାଲିଥିଲେ, ଚାରିଆଡ଼େ ସତର୍କ ବ୍ୟବସ୍ଥା ହେଉଛି, ସବୁଠି ସେମାନଙ୍କୁ ଯଥାସାଧ୍ୟ ବୁଝେଇବାର ଚେଷ୍ଟା ଚାଲିଛି । ହେଲେ ଜୋର ତ କରିହେବନି ସେମାନଙ୍କୁ, ନିର୍ଦ୍ଦେଶ ମଧ୍ୟ ନାହିଁ ।

 

ଅନୁପମ ନିଃଶ୍ୱାସଟିଏ ନେଇ କହିଲା କମଳ, ମିଷ୍ଟର ସିଂ, ଆମେ ତ ଯଥାସାଧ୍ୟ ଚେଷ୍ଟା କରିବା, ଫଳ ଭଗବାନଙ୍କ ହାତରେ । କ’ଣ କରାଯିବ କହନ୍ତୁ । ପ୍ରାୟ ଅଶିକ୍ଷିତ ଲୋକ ଏମାନେ, ନିଜେ ଦେଶ, ଗାଁ ଭୂଇଁ ଛାଡ଼ି ଏତେ ଦୂରରେ ପଡ଼ିରହିବାକୁ ହୁଏତ ସେମାନଙ୍କୁ ଭଲ ଲାଗୁନି । ସେମାନଙ୍କ ମନରେ ଗୋଟାଏ ଭଲ ଭାବନା ସୃଷ୍ଟି କରିବାକୁ ଅନେକ ଦିନ ଲାଗିଯିବ । କାରଣ ଦେଶକୁ ଏମାନେ ଖୁବ୍ ଭଲପାଆନ୍ତି, ଏମିତି ଆଲୋଚନା କରୁ କରୁ ମହୀନ୍ଦର ସିଂ ବିଦାୟ ନେଇ ଚାଲିଗଲେ । ଅନୁପମ ଫେରିଆସିଲା ନିଜ କ୍ୱାଟର ଆଡ଼କୁ । ଅକାରଣରେ ସେ ହଠାତ୍ ଅନ୍ୟମନସ୍କ ହୋଇଗଲା । ଚାକିରି କଲେବି ଏ ବିଷୟରେ ତା’ର ଅଭିଜ୍ଞତା କମ୍ । ଏମିତିକି ସୁଖ ଦୁଃଖ ସମ୍ପର୍କରେ ମଧ୍ୟ । ତଥାପି ଗୋଟାଏ ନିଃଶ୍ୱାସକୁ ଚାପି ରଖି ସେ ଭାବିଲା, ସ୍ଵପ୍ନ ଦେଖିଥିଲା ସେ ଏଇ ଉଦ୍‍ବାସ୍ତୁ ଏରିଆକୁ ଆହୁରି ଉନ୍ନତ କରିବ । ଏମାନଙ୍କୁ ଶିକ୍ଷିତ କରାଇବ, ଏମାନଙ୍କ ଦାରିଦ୍ର୍ୟ ଘୁଞ୍ଚାଇବ । ହେଲେ ଉଦ୍‌ବାସ୍ତୁମାନଙ୍କ ପାଇଁ ତିଆରି ହୋଇଥିବା ମାଇନର ସ୍କୁଲର ପାଖ ଦେଇ ଗଲାବେଳେ ଅନୁପମର ମନଟା କାନ୍ଦ କାନ୍ଦ ହୋଇଗଲା । ଏମାନେ ଯଦି ସତରେ ଏ ସ୍ଥାନ ଛାଡ଼ି ଚାଲିଯାଆନ୍ତି, ତେବେ ଏ ସବୁର ମୂଲ୍ୟ କ’ଣ ? ଆଉ ଆଗକୁ ଭାବି ପାରିଲାନି ଅନୁପମ । ଘର ପାଖେ ପହଞ୍ଚି ଯାଇଛି ଗେଟ୍ ଫିଟେଇ ସାଇକେଲଟା ବାରଣ୍ଡା ଉପରକୁ ଉଠେଇ ଦେଇ କାନ୍ଥକୁ ଡେରିଦେଲା । ସିରାଜ ପରେ ଭିତରକୁ ନେଇଯିବ । ଦୁଆର ମେଲା, ସନ୍ଧ୍ୟା ହୋଇଗଲାଣି-। ଭିତରୁ ଆଲୁଅ ଦିଶୁଛି । ଫୁଲ ଅଛି ନିଶ୍ଚୟ ! ତେବେ ଏତେ ଚୁପ୍‌ଚାପ୍ କାହିଁକି ? ସବୁଦିନ ଅନୁପମ ଫେରିଲାବେଳକୁ ଫୁଲର ଗୁଣୁ ଗୁଣୁ ଗୀତ ଶୁଭେ । ଅଧିକାଂଶ ଗ୍ରାମ୍ୟ ଗୀତ । ବଙ୍ଗଳା ଭାଷାରେ, ସୁର ତାଳ ଜ୍ଞାନ ସେତେ ଠିକ୍ ନ ହେଲେବି କଣ୍ଠଟା ଖୁବ୍ ମିଠା । ଅନୁପମକୁ ଭଲଲାଗେ-। କିନ୍ତୁ ଆଜି ଚୁପ୍‌‌ଚାପ୍ । ନିଃଶବ୍ଦରେ ଅନୁପମ ନିଜ ରୁମ୍ ଭିତରକୁ ପଶିଗଲା । କିନ୍ତୁ ଏ କ’ଣ ? ଟେବୁଲ୍‌ରେ ସଜଡ଼ା ହୋଇ ରଖାଯାଇଥିବା ଅନୁପମର ଛୋଟ ଷ୍ଟାଣ୍ଡ୍ ଫଟୋଟିକୁ ଫୁଲ ଏକଲୟରେ ଦେଖୁଛି । ଘରେ ଟଙ୍ଗା ଯାଇଥିବା ଜଗନ୍ନାଥଙ୍କ ଫଟୋ ପାଖରେ ଧୂପଟିର ବାସ୍ନାସାରା ପରିବେଶକୁ କେମିତି ଏକ ପବିତ୍ର କରି ତୋଳୁଛି । ଅଳ୍ପ ସମୟ ପୂର୍ବରୁ ଅନୁପମର ମନଭିତରେ ସୃଷ୍ଟି ହୋଇଥିବା ଅବଶୋଷ ଅଭିମାନ ସବୁ ଦୂରେଇ ଗଲା । ଗଳାଝାଡ଼ି ଅନୁପମ ପଚାରିଲା, ଫୁଲ କ’ଣ ଦେଖୁଛୁ ସେଠି । ମୋର କିଛି ଚିଠି ଆସିଛି ? ଫୁଲ ଚମକି ଫେରି ଚାହିଁଲା ! ଗହୀର କଳା ଆଖି ଦୁଇଟିରେ ଲୁହ ଟଳମଳ ହେଉଛି । ଅନୁପମ ଆଶ୍ଚର୍ଯ୍ୟ ହେଲା । ‘‘ଆରେ ଫୁଲ ତୁ କାନ୍ଦୁଛୁ କାହିଁକି ! କ’ଣ ସିରାଜ କିଛି କହିଛି ?” ଫୁଲର ଓଠଟା ଥରି ଉଠିଲା । ବାଁ ପାଖ ତଳ ଓଠକୁ କାମୁଡ଼ିଧରି ଫୁଲ ବାହାରିଗଲା ଝଡ଼ ବେଗରେ । ଅନୁପମ ଚୁପ୍‌‌ଚାପ୍ ଚାହିଁରହିଲା ସେଇଆଡ଼େ ହୁଏତ ଏଇ ଚୁପ୍‍ଚାପ୍ ପରିବେଶରେ ମଧ୍ୟ କିଛି ଗୋଟାଏ ଭାଷା ଅଛି, ଯାହା ଅନୁପମ ବୁଝିପାରୁଛି ଅଥଚ ତାକୁ ଓଠରେ ତୋଳି ନେଇପାରୁନି ।

 

ଖୁବ୍ ଭୋରରୁ କୋଲିଆରୀର ସାଇରନ୍ ଶବ୍ଦରେ ନିଦ ଭାଙ୍ଗିଗଲା ଅନୁପମର । ଏତେ ଶୀଘ୍ର ସେ କେବେ ଉଠେନି । ଘରେ ଥିଲାବେଳେ ବୋଉ, ମିନି, ନ ହେଲେ ଭାଉଜ ଉଠେଇ ଦିଅନ୍ତି । ଏଠିକୁ ଆସିଲା ପରେ ସିରାଜ ନ ହେଲେ ଫୁଲ ତା’ର ନିଦ ଭାଙ୍ଗନ୍ତି । ଅଥଚ ଆଜି ନିଜେ ଉଠି ପଡ଼ିଛି ଅନୁପମ । ଅଫିସ ଯିବା ପୂର୍ବରୁ ଥରେ ଉଦ୍‌ବାସ୍ତୁ ପଲ୍ଲୀ ଆଡ଼େ ଯିବାକୁ ହେବ । ମହୀନ୍ଦର ସିଂ ଗୋଟାଏ ଗୁରୁଦାୟିତ୍ଵ ଦେଇଛନ୍ତି । ସିରାଜ ଡାକେ ‘ଦାଦାବାବୁ’ । ତେଣୁ ଉଦ୍‌ବାସ୍ତୁ ପଲ୍ଲୀର ପ୍ରତିଟି ହୃଦୟ ପାଖରେ ଅନୁପମ ଦାଦାବାବୁ ନାମରେ ପରିଚିତ । ସେମାନଙ୍କୁ ବୁଝେଇବାକୁ ହେବ, ‘‘ଏତେ ସୁନ୍ଦର ସୁବିଧା ସୁଯୋଗ ଛାଡ଼ି ଚାଲି ଯାଅନା ଭାଇମାନେ । ଏ ଜାଗା ତମରି । ତମରି ପରିଶ୍ରମର ଫଳରେ ସବୁ କିଛି ହୋଇଛି । ଯୁଦ୍ଧ ପରେ ହୁଏତ ସବୁକିଛିର ରୂପ ବଦଳି ଯାଇଥିବ । ତେଣୁ ଏଇ ନିଶ୍ଚିତ ସ୍ଥିତିକୁ ଛାଡ଼ି ଅନିଶ୍ଚିତ ପଛରେ ଛୁଟି ଯାଅନା । ଏଠି ତମର ଶିକ୍ଷା, ସ୍ୱାସ୍ଥ୍ୟ ଉପାର୍ଜନ ପାଇଁ ସବୁ ସୁବିଧା ଅଛି । ତେଣୁ ତମେ ଫେରି ଯାଅନା’’ ମନେମନେ ଏତିକି କଥାକୁ ବାରମ୍ବାର ଘୋଷିଲା ଅନୁପମ ।

 

ବାହାରେ ଫର୍ଚ୍ଚା ହୋଇ ଆସିଲାଣି । ଚାରିପାଖେ ପକ୍ଷୀଙ୍କର କଳରବ । ଥଣ୍ଡା ପବନ ଦେହ ଛୁଇଁ ଯାଉଛି । ପାହାଡ଼ି ଇଲାକାରେ ଏତେଦିନ ପରେ ବି ଅନୁପମ ଏମିତି ସୁନ୍ଦର ସକାଳ କେବେ ଦେଖି ନଥିଲା । ଏ ଯେମିତି ଏଇ ଦୀର୍ଘ କେଇ ମାସ ଭିତରେ ପ୍ରଥମ କୋଳାହଳ । ଟ୍ରକଟିଏ ଚାଲିଗଲା ଶବ୍ଦ କରି । ବୋଧହୁଏ ଜଙ୍ଗଲକୁ ଯାଉଛି କାଠପାଇଁ । ଦୂରରୁ ସେଇ ଅନାମିକା ନଦୀଟାର କୁଳୁ କୁଳୁ ଗୀତ ଶୁଭୁଛି । ଅନୁପମ ଘଣ୍ଟା ଦେଖିଲା । ସାଢ଼େ ପାଞ୍ଚଟା । ଫୁଲ ଆସିବାକୁ ଆହୁରି ଅଧଘଣ୍ଟା ବାକି । ଅନ୍ୟମନସ୍କ ଭାବରେ ଝରକାର ସ୍କ୍ରିନ୍‌ଟାକୁ ଟେକିଦେଲା ଅନୁପମ । ଦେଖିଲା ସିରାଜ ଆସୁଛି । ଫୁଲ ଆସିନି । ଏତେ ସୁନ୍ଦର ପରିବେଶରେ ଅନୁପମର ମନଟା ହଠାତ୍‌ ଖରାପ ହୋଇଗଲା । ସିରାଜ ଆସି ମୁଣ୍ଡ କୁଣ୍ଡେଇ ଲାଜୁଆ ହୋଇ କହିଲା, ‘ଦାଦାବାବୁ’ ଗୋ, ଆଜି ଆମେ ଚାଲିଯାଉଛୁ ଆମ ଦେଶକୁ । ବୁଢ଼ୀ ଢେର ଦିନରୁ ମରିଗଲାଣି । ଖବର ଆସିଛି । ପଦ୍ମା ଆମକୁ ଡାକୁଛି ।

 

ଅନୁପମ ଚମକି ପଡ଼ିଲା ଭୀଷଣଭାବେ । ଆଜି ଚାଲି ଯାଉଛ ? ଯେମିତି କଥାଟା ଏଇ ନୂଆ ଶୁଣିଲା ସେ ।

 

“ହଁ ଦାଦାବାବୁ । ବାରଟାବେଳେ ଗାଡ଼ି । ଷ୍ଟେସନ ଯାଏଁ ଚାଲିଯିବାକୁ ହେବ ।" ଅନୁପମ ସେମିତି ଥରିଲା କଣ୍ଠରେ ପଚାରିଲା, ‘‘ଫୁଲ, ସେ ବି ଯିବ” ! ହସିଲା ସିରାଜ । ‘ଦାଦାବାବୁ ଗୋ, କାହା ପାଖେ ରଖିଯିବି ତାକୁ । ଗୋଟିଏ ବୋଲି ପିଲା ମୁଁ ଚାଲିଯିବି, ସେ ଯିବନି-। ଦେଶପାଇଁ ମନଟା ଭାରି ବିକଳ ହେଉଛି । ଫୁଲ ଆସିବ ତମକୁ ଦେଖା କରିଯିବ, ଦାଦାବାବୁ, ଗରିବକୁ ଭୁଲିବନି । ଫୁଲଟା ତମ ଭଉଣୀ ପରି ।” ଅନୁପମ ଯେମିତି ମୂକ ହୋଇଯାଇଛି । ପକ୍ଷୀ କୂଜନ, ପବନର ସଙ୍ଗୀତ ସତ୍ତ୍ଵେ ସବୁ ଚୁପ୍‌ଚାପ୍ ନିଃଶବ୍ଦ ଲାଗୁଛି ତାକୁ । ଏତେ କୋଳାହଳ ସବୁ ମିଥ୍ୟା । ନିଦରୁ ଉଠି ଘୋଷିଥିବା ସେଇ ସବୁ କଥା ପାସୋରି ଯାଉଛି । ସେ ଆଉ କହିବ କାହାକୁ ସିରାଜ ଚାଲିଯାଉଛି, ଫୁଲ ଚାଲିଯାଉଛି । ଅନୁପମ ଆଉ ବୁଝେଇବ କାହାକୁ ? ସିରାଜ କୋଇଲାରେ ଆଞ୍ଚ ଦେଲାଣି, ହୁଏତ ଶେଷଥର ପାଇଁ ଦାଦାବାବୁଙ୍କୁ ଖୁଆଇଦେଇ ଯିବ ! ଅନୁପମ ମନା କରିପାରିଲା ନାହିଁ । କଣ୍ଠ ପାଖରେ କେମିତି ଏକ ଅରୁଚି ଆଉ କାନ୍ଦ କାନ୍ଦ ଭାବ । ବେଶି ସମୟ ରହିଲେ ହୁଏତ ସେ କାନ୍ଦି ପକେଇପାରେ । କାନ୍ଧରେ ଟାଉଏଲ୍‌ଟା ପକେଇ ଅନୁପମ ଦ୍ରୁତ ବେଗରେ ବାଥ୍‌ରୁମ ଆଡ଼କୁ ଚାଲିଗଲା ।

 

ଚେୟାରରେ ଦୈନିକ ସମ୍ବାଦପତ୍ରଟା ଦେଖୁ ଦେଖୁ ଅନୁପମ ଲକ୍ଷ୍ୟ କଲା ଫୁଲ ସବୁଦିନ ପରି ତା’ର ଡ୍ରେସ, ରୁମାଲ, ଜୋତା, ମୋଜା ସବୁ ସଜାଡ଼ି ରଖୁଛି । ଟେବୁଲ୍‌ଟା ପରିଷ୍କାର କରୁଛି । ୟା ଭିତରେ ଅନୁପମ ନିଜକୁ ଅନେକ ପ୍ରକୃତିସ୍ଥ କରି ସାରିଲାଣି । କଣ୍ଠରେ ସାମାନ୍ୟ କୌତୁକ ଭରି ସେ ପଚାରିଲା, ‘‘ଫୁଲ ସତରେ ତୁ ଚାଲିଯିବୁ ତମ ଦେଶକୁ ?” ରୁମାଲଟା ଚାରିଭାଙ୍ଗ କରି ରଖୁ ରଖୁ ଫୁଲ ଆସ୍ତେ ମୁଣ୍ଡ ହଲେଇଲା । ‘ମୋ କଥା ତୋର ମନ ପଡ଼ିବ ? ଫୁଲର କର୍ମବ୍ୟସ୍ତ ହାତଟା ଅଟକିଗଲା । ସିଧା କରି ଅନୁପମକୁ ଚାହିଁଲା ସେ । ଗଭୀର ନିଷ୍ପାପ ଆଖି ଦୁଇଟିରେ ଅନେକ ଅକୁହା କଥା, ଅନେକ ଅବୁଝା ଭାଷା । ଅନୁପମ ପଢ଼ି ମଧ୍ୟ ପଢ଼ିପାରୁନି । ହୁଏତ ଫୁଲ କହୁଛି ବାବୁ ଗୋ; ତମକୁ ଛାଡ଼ି ମୋର ଯିବାକୁ ଜମା ଇଚ୍ଛାନାହିଁ । ପଦ୍ମାକୁ ଭୁଲିଗଲିଣି-। ସେଇ ନବାବ ପୁଅର ସ୍ଵପ୍ନ ମନରୁ କେବେଠୁ ଲିଭିଗଲାଣି । ତମେ ଥରେ ମାତ୍ର ମୋ ହାତ ଧରି ଅଟକେଇ ଦିଅ । ମଲା ଯାଏଁ ମୁଁ ଏ ଜାଗା ଛାଡ଼ିବିନି । ତମ ସେବା କରି ମରିଯିବି । ହେଲେ ତମେ କ’ଣ ପାରିବ ମୋତେ ଅଟକେଇ ? ଅନୁପମ ଆଖି ଫେରେଇନେଲା । ପୁଣି କିଛି ସମୟ ଚୁପ୍‌ଚାପ୍ । ଆଖିଆଗରେ ପେପରଟାକୁ ଧରି ରଖିଲେ ମଧ୍ୟ ଅନୁପମର ବ୍ୟସ୍ତ ଆଖି ଫୁଲ ପଛରେ ଘୂରିବୁଲୁଛି । ଗତ ସନ୍ଧ୍ୟାରେ ଏକଲୟରେ ଚାହିଁ ରହିଥିବା ଫଟୋଟାକୁ ଫୁଲ ଲୁଗା କାନିରେ ଝାଡ଼ି ରଖୁଛି । ଅନୁପମ କହିଲା ‘ଫୁଲ, ମୋପାଇଁ ତୁ ଅନେକ କରିଛୁ, ତୋ ଋଣ ମୁଁ ଏ ଜୀବନରେ ଶୁଝିପାରିବିନାହିଁ । ତମର କ’ଣ ଦରକାର କହିଲୁ, ତତେ ଗୋଟାଏ କିଛି ଦେବି ଯାହାପାଇଁ ତୁ ମତେ ସବୁଦିନେ ମନ ରଖିବୁ ।”

 

ଅନୁପମକୁ ପଛ କରି ଛିଡ଼ା ହୋଇଥିବା ଫୁଲ ହଠାତ୍ ବୁଲିପଡ଼ିଲା । ଚାହିଁଲା ଅନୁପମକୁ ସେମିତି ଛଳ ଛଳ ଚାହାଣି । ଓଠ ଥରୁଛି । କ’ଣ କହିବାପାଇଁ ଚାହିଁ ମଧ୍ୟ ସେ କହିପାରୁନି ଯେମିତି । ଅନୁପମ କହିଲା, ‘‘ଫୁଲ ତୋତେ ମୋ ରାଣ କହ ।” କିଛି ନ କହି ଫୁଲ ନୀରବରେ ଛାତିରେ ଚାପି ଧରିଲା ଅନୁପମର ସେଇ ଛୋଟିଆ ଫଟୋଟିକୁ । ମୁଣ୍ଡରୁ ଓଢ଼ଣା ଖସିଯାଇଛି । ବୁଜିଲା ଆଖି ଭିତରୁ ଲୁହର ଦୁଇଟି ଗାଢ଼ ଧାର ବହିଗଲା ତା’ର ଦୁଇ ଶ୍ୟାମଳ ଗଣ୍ଡ ଦେଇ । ଏକ ଅବାରିତ ବର୍ଷା ଧାର ପରି । ଅନୁପମର ଆଖିକୁ ସେଇ ଲୁହ ସଂକ୍ରମିତ ହେଲା । ଅନୁପମ କ’ଣ କରିବ–କ’ଣ କହିବ । ନିଜ ପ୍ରତି ଅବିଶ୍ୱାସ ଆସୁଚି ତା’ର । ଫୁଲର‌ ସେଇ ନାକ ଛବିଟା ଚିକ୍ ଚିକ୍ କରୁଛି ସକାଳର ଉଜ୍ଜ୍ୱଳ ଆଲୁଅରେ । ଚାପା ଏକ ଦୀର୍ଘଶ୍ୱାସ ଅନୁପମର ହୃଦୟ ଛୁଇଁଗଲା । ରୋଷେଇଘରୁ ସିରାଜ ନିଜ ଭାଷାରେ ଡାକିଲା, ଫୁଲ, ଘରକୁ ଚାଲିଯା । ସବୁ ସଜାଡ଼ି ରଖିବୁ । ବେଳ ହୋଇଯିବ ।’ ଫଟୋଟି ଥୋଇଦେଇ ମୁଣ୍ଡରେ ଓଢ଼ଣା ଟାଣି ଫୁଲ ବାହାରିଗଲା ନିଃଶବ୍ଦରେ ।

 

ଛୋଟ ଷ୍ଟେସନ । ପାସେଞ୍ଜର୍ ଟ୍ରେନ୍‌ଟା ମଧ୍ୟ ଅଳ୍ପ ସମୟ ରହେ । ଅନୁପମ ଲକ୍ଷ୍ୟ କଲା ଫୁଲ ଆଉ ସିରାଜ ପରି ଅନେକ ଆସିଛନ୍ତି । ସମସ୍ତଙ୍କ ମୁହଁରେ ଘରକୁ ଫେରିବାର ଆନନ୍ଦ । ମହୀନ୍ଦର ସିଂଙ୍କ କଥା ଅନୁସାରେ, ସେ ଆଜି ଏମାନଙ୍କୁ ଚାଲି ନ ଯିବାପାଇଁ ବୁଝେଇଥାନ୍ତା ଅଥଚ ଫୁଲ ଆଉ ସିରାଜକୁ ବିଦାୟ ଦେବାପାଇଁ ସେ ଷ୍ଟେସନ ଆସିଛି । କାଲି ଦାସବାବୁ ଏକଥା ଶୁଣିଲେ ହୁଏତ ଅନେକ କିଛି ଥଟ୍ଟାର ସୁଯୋଗ ପାଇଯିବେ । କିନ୍ତୁ ଅନୁପମ ଜାଣେନା ଅଫିସ୍‌ରେ ଅଳ୍ପସମୟ ରହି ସାଇକେଲ ନେଇ ସେ ହଠାତ୍‌ କାହିଁକି ଷ୍ଟେସନ ଆଡ଼େ ଚାଲି ଆସିଲା । ସିରାଜ ଆଉ ଫୁଲ କମ୍ପାର୍ଟମେଣ୍ଟ୍ ଭିତରକୁ ଚାଲିଗଲେଣି । ଷ୍ଟଲ୍‌ରୁ ଗୋଟାଏ ସିଗାରେଟ୍ କିଣି ଧରିଲା ସେ-। ଛୋଟ ପ୍ଳାଟଫର୍ମରେ କିଛି ସମୟ ଏପଟ ସେପଟ ହେଲା । ଦୁଇଟି ଧାତବ ସରଳରେଖା ଯେମିତି ଅନେକ ଦୂରକୁ ଚାଲିଯାଇଛି । ତା’ର ଆଦିନାହିଁ ଅନ୍ତନାହିଁ । ହୁଏତ ସରଳରେଖାର ଶେଷରେ ଅନୁପମର କୋଳାହଳମୟ ସହର ଥାଇପାରେ କିମ୍ବା ଫୁଲର ପଦ୍ମାନଦୀର ସେଇ ଶାନ୍ତ ପରିବେଶ ଥାଇପାରେ ଝରକା ପାଖେ ଫୁଲ ବସିଛି । ଅଳ୍ପ ଦୂରରୁ ଅନୁପମ ଭଲକରି ଦେଖିପାରୁଛି ତାକୁ । ଛିଟ ଶାଢ଼ୀ–ମୁଣ୍ଡରେ ଓଢ଼ଣା ନାକରେ ସେଇ ସବୁଜ ରଙ୍ଗର ଛବିଟିଏ । ଶ୍ୟାମଳ ବରଣ । ଗହୀର କଳା ଆଖି । ଅନୁପମ ଜାଣି ଜାଣି ଆଉ ଫୁଲକୁ ଚାହିଁଲାନି । ଥାର୍ଡ଼ବେଲ୍ ବାଜିଲା । ଅନୁପମ ଦେଖିଲା ଅନେକଗୁଡ଼ିଏ ଆଲୋକଉଜ୍ଜ୍ୱଳ ମୁହଁ ଖରାରେ ଝଲମଲ କରୁଛି । ସତେ ଯେମିତି ସେମାନେ କହୁଛନ୍ତି–ଦାଦାବାବୁ ଗୋ, ଘରକୁ ଫେରିଯିବା ପରି ଆନନ୍ଦ ଆଉ ନାହିଁ । ତମେ ଘରଛଡ଼ା ହୋଇଛ । କ’ଣ ଏକା ବୁଝିପାରିବ ଏ ଆନନ୍ଦକୁ । ବଣର ପକ୍ଷୀକୁ ଯେତେ ଦୁଧ କଦଳୀ ଦେଇ ପୋଷିଲେ ମଧ୍ୟ ସେ ଉଡ଼ିଯାଏ ସେଇ ବଣ ଆଡ଼କୁ । କାରଣ ସେ ବନ୍ଧନ ଚାହେଁନା ସୁନା ପଞ୍ଜୁରୀ ଚାହେଁନା । ମୁକ୍ତ ଆକାଶ ତା’ର ଲୋଡ଼ା-

 

ଥାର୍ଡ଼ ବେଲ୍ ଆଉ ସିଗନାଲ୍ ଜରିଆରେ ଟ୍ରେନ୍‌‌ଟା ଧୀରେ ଧୀରେ ଚାଲିବାକୁ ଆରମ୍ଭ କଲାଣି । ପାଦତଳର ମାଟି ଥରୁଛି, କମ୍ପୁଛି । ସେଇ କମ୍ପନ ଅନୁପମର ନିଜ ଭିତରେ ଯାହା କ୍ରମଶଃ ବଢ଼ୁଛି; କିନ୍ତୁ କମୁନାହିଁ । ସେ ପାରିଲାନାହିଁ ଏମାନଙ୍କୁ ଅଟକେଇ, ଏପରିକି ସିରାଜ ଏବଂ ଫୁଲକୁ ମଧ୍ୟ । କି ଅପାରଗତା ! ଟ୍ରେନ୍‍ର ଝର୍କା ଦେଇ ଅନେକଗୁଡ଼ିଏ ମୁହଁ ହସୁଛନ୍ତି । ହୁଏତ ଥଟ୍ଟା କରୁଛନ୍ତି, ତମେ ଆମକୁ ବାନ୍ଧି ରଖିପାରିବନି । ଅନୁପମ ଭିତରେ ଅକ୍ଷମତାର ଏକ ଦଂଶନ । ଏକ ତୀବ୍ର ଜ୍ୱାଳା । ଟ୍ରେନ୍‌‌ଟା ପ୍ଲାଟଫର୍ମ ପାରି ହୋଇଗଲାଣି । ଶେଷ ହୋଇଗଲାଣି । ଶେଷ ମୁହୂର୍ତ୍ତରେ ଫୁଲ କ’ଣ ତାକୁ ଚାହିଁଥିଲା । ସେ ତ କାହିଁ ଶେଷଥର ଫୁଲକୁ ଦେଖିପାରିଲାନାହିଁ । ଅନେକଗୁଡ଼ିଏ ଫୁଲର ମୁହଁ ଯେପରି ତା’ର ଆଖିକୁ ଅନ୍ଧ କରି ଦେଇଥିଲେ ।

 

ପ୍ଳାଟଫର୍ମର ବାହାରକୁ ଆସି ଅନୁପମ ଭାବିଲା, ଆଜି ଛୁଟି ନେବ । ବାକି ଦିନସାରା ଚିଠି ଲେଖିବ, ‘ମିନି ମୁଁ ରାଜି । ପର ଚିଠିରେ ଫଟ‌ ପଠେଇବୁ । ମୁଁ ଆଉ ଏକୁଟିଆ ରହିପାରିବିନି-। ନିଃସଙ୍ଗତା ଅସହ୍ୟ । ଆଉ ଲେଖିବ, ମିନିଲୋ ମୁଁ ଭଲ କହୁଥିଲି ଏ ଜାଗାଟା ଭାରି ନିର୍ଜନ । ଖାଁ ଖାଁ, ବୋରିଂ । ତୁ ଆସିବୁ ନାହିଁ । ମୁଁ ବରଂ ଏଠୁ ବଦଳି ପାଇଁ ଚେଷ୍ଟା କରି ଚାଲିଯିବି ।” ସାଇକେଲରେ ଚଢ଼ି ଜୋର୍‍ରେ ପେଡ଼େଲ ମାରିଲା ଅନୁପମ । ତା’ର ମନେହେଲା ସେ ଦୌଡ଼ି ଚାଲିଯିବ କୌଣସି ସୁଖ ପାଖକୁ । ଯେଉଁଠି ମୋହନାହିଁ, ଜ୍ୱାଳାନାହିଁ, ଯନ୍ତ୍ରଣାନାହିଁ, ସ୍ଵପ୍ନ ଭଙ୍ଗର ଦଗ୍‌ଧତା ନାହିଁ । ଏଇ ମୁହୂର୍ତ୍ତରେ ଅନୁପମର ଆଉ କର୍ତ୍ତବ୍ୟ କ’ଣ ? କେବଳ କ୍ୱାଟରକୁ ଫେରିଯାଇ ମିନିକୁ ଚିଠି ଲେଖିବା ଛଡ଼ା । କାରଣ ସେଇଥିରେ ସେ ଖୋଜି ପାଇବ ତା’ର ହଜିଲା ଶାନ୍ତିକୁ ।

Image

 

Unknown

ସନ୍ଧି

 

ବିଛଣାରୁ ଉଠିପଡ଼ିଲା ଅରୁଣାଭ । ରାତି ବାରଟାର ସେଇ ଗୁଡ଼୍‌ସ ଟ୍ରେନ୍‌ଟା ଯାଉଛି । ସବୁଦିନ ନିୟମିତ ଯାଏଁ ହୁଏତ । କିନ୍ତୁ ଅରୁଣାଭ ଶୁଣିବାର ସୁଯୋଗ ପାଏନା । ଷ୍ଟେସନଠୁ ଅଳ୍ପ ଦୂରରେ ଅରୁଣାଭର ବସା । ଦିନରେ ବିଭିନ୍ନ କୋଳାହଳ ଭିତରେ ଚାପା ପଡ଼ିଯାଏ ରେଳଗାଡ଼ିର ଆୱାଜ୍ ସବୁ । କିନ୍ତୁ ଏଇ ରାତିରେ ! ଜ୍ୟୋତି ଅନେକଥର ଏଇ ସମୟରେ ଅରୁଣାଭର ଛାତିରେ ମଥା ରଖି କହିଛି, ‘ଏଇ ଜାଣିଚ ? ରେଲଗାଡ଼ିର ଝୁକ୍‌ ଝୁକ୍ ଆୱାଜ ଭିତରେ କେମିତି ଏକ ଜାଦୁ ଭରିରହିଛି । ବିଶେଷତଃ ଏଇ ରାତିରେ । ଅନ୍ଧାରରେ ସେ ଯେମିତି ଅଲଗା ଏକ ରହସ୍ୟମ ସ୍ପନ୍ଦନରେ ଅର୍ଥମୟ ହୋଇଉଠେ’ । କିନ୍ତୁ ଆଜି ଗାଡ଼ିଟାର ସେଇ ଶବ୍ଦ ଭିତରେ କିଛି ହେଲେ ମାଧୁର୍ଯ୍ୟ ତ ନାହିଁ । ବରଂ ରାତି ଉପରେ ଏକ ଗୁରୁଭାର ପରି ଅନ୍ଧାରକୁ ଯେମିତି ଦଳିତାମଥିତ କରୁଛି ।

 

ଅରୁଣାଭ ବେଡ଼୍‌ଲାଇଟ୍‌ଟା ଜଳେଇଲା । ପିଙ୍କି ଶୋଇଛି । ମୁହଁରେ ଅନେକ ପବିତ୍ରତାର ଛାପ । ଧୀରେ ଖଟରୁ ଓହ୍ଲେଇ ଆସି ଟେବୁଲ୍‌ରେ ନିଜ ଉଦ୍ଦେଶ୍ୟରେ ଢଙ୍କା ହୋଇଥିବା ପାଣି ଗ୍ଲାସ୍ ଆଣି ପିଇଲା ସେ । ଏଇ କେଇମାସ ହେବ ତା’ର ଏକ ଅଭ୍ୟାସ ହୋଇଗଲାଣି । ରାତିରେ ଉଠି ପାଣି ପିଇବା । ଠିକ୍ ଶୋଷ ଲାଗେ । ଆଉ ନିଦବି ଭାଙ୍ଗେ । ତେଣୁ ଚାକର ପିଲାଟିକୁ କହି ଏଇ ବ୍ୟବସ୍ଥା କରିଛି ସେ । ଗ୍ଳାସଟା ଯଥା ସ୍ଥାନରେ ଥୋଇଦେଇ ଅରୁଣାଭ ପିଙ୍କିକୁ ଚାହିଁଲା । ଏପଟକୁ ମୁହଁ‌ ବୁଲେଇ କରମାଡ଼ି ଶୋଇଛି । ଦେହରୁ ଫୋମ୍‌ର କମ୍ବଳଟା ସାମାନ୍ୟ ଖସି ଆସିଛି ଛାତି ପାଖକୁ । ଏଇ ଜାନୁଆରୀ ଶେଷରେ ମଧ୍ୟ ଏଠି ଶୀତର ପ୍ରକୋପ କମିନି । ପିଙ୍କିଟା ଭାରି ଶୀତକାତୁରୀ । ସବୁବେଳେ ଉଷୁମ ଖୋଜେ । କିନ୍ତୁ ଅରୁଣାଭ କ’ଣ ସେତେଟା ଉଷୁମ ତାକୁ ଦେଇପାରେ । ଯେତେଟା ଦେଇପାରନ୍ତା ଜ୍ୟୋତି...... ।

 

ଟ୍ରେନ୍‌‌ଟା ଚାଲିଗଲାଣି । ଉପରକୁ ଚାହିଁଲା ଅରୁଣାଭ । ସିଲିଂ ଫ୍ୟାନ୍‌ଟାରେ ଅନେକ ଅଳନ୍ଧୁ ଜମିଗଲାଣି । ଶୀତ ଦିନରେ ଏଇଟା ଅକାମୀ ହୋଇଯାଏ । ଜିରୋ ପାୱାରର ବେଡ଼୍‍ଲାଇଟ୍‌ରେ ଅଳନ୍ଧୁ ପରିଷ୍କାର ଦେଖା ନ ଗଲେ ମଧ୍ୟ, ଅରୁଣାଭ ଜାଣିପାରିଲା ଏଇ ପ୍ରିୟ ବେଡ଼୍‍ରୁମ୍‌ଟା କ୍ରମଶଃ ଅପରିଷ୍କାର ହୋଇଯାଉଛି । ଅଥଚ ସବୁ ସେମିତି ଅଛି । ଜାହାଜ ପରି ସୁନ୍ଦର ପ୍ୟାଟର୍ଣ୍ଣର ଖଟ । ନୀଳ ବେଡ଼୍ କଭରରେ ନୀଳ ସମୁଦ୍ରର ଢେଉ । ଖଟ ତଳକୁ କାର୍ପେଟ ଉପରେ ସୁନ୍ଦର ଧଳା ଲୋମର ଫାର୍ ବିଛା ହୋଇଛି । ଖଟ ପାଖକୁ ଲାଗି ଡ୍ରେସିଂ ଟେବୁଲ । ତା’ ପାଖକୁ ଲାଗି ଛୋଟ ଟେବୁଲ୍ ଆଉ ଦୁଇଟି କଣ୍ଢେଇ ପରି ଛୋଟ ଛୋଟ ଆର୍ମଚେୟାର୍ । ସବୁ ସେଇ ଏକଇ ଢଙ୍ଗରେ ରହିଛନ୍ତି । ତଥାପି ସବୁ କେମିତି ଧୂସର । ସତେ ଯେମିତି ସାରା ଘରେ ଏକ ବିଷର୍ଣ୍ଣ ବିବର୍ଣ୍ଣ ଉତ୍ସବ ଚାଲିଛି । ଅଥଚ କେଇମାସ ପୂର୍ବରୁ ଏଇ ଘର କାନଭାସର ଏକ ନିଖୁଣ ଛବି ପରି ଲାଗୁଥିଲା । ଦୂରରୁ କେଉଁଠି ମାଦଳ ଶୁଭୁଛି ହୁଏତ କେଉଁ ବସ୍ତିଆଡ଼ୁ ଭାସି ଆସୁଚି । ଜ୍ୟୋତି କହେ ମାଦଳର ସଙ୍ଗୀତ ଭିତରେ ଏକ ନିଃସଙ୍ଗ ବିଷାଦ ଭରି ରହିଥାଏ । ଟ୍ରେନ୍‌ଟା ଚାଲିଗଲା ପରେ ରାତିର ନିଝୁମତା ଭିତରେ ମାଦଳର ସଙ୍ଗୀତ ତେଣୁ ବେଶ୍ ସ୍ପଷ୍ଟ । ବାହାରେ ଶ୍ରୀଗର୍ତ୍ତ ଜ୍ୟୋତ୍ସ୍ନା । ଅରୁଣାଭର ଛାତି ଥରେଇ ଅକାରଣରେ ଏକ ଦୀର୍ଘନିଃଶ୍ୱାସ ବାହାରି ଆସିଲା । ସମସ୍ତ ରକ୍ତକଣିକାରେ କେମିତି ଏକ ନିଃସଙ୍ଗ ଉଦାସୀନ ଶ୍ଳୋକର ଉଚ୍ଚାରଣ । ଆଜି ସନ୍ଧ୍ୟାବେଳେ ଅଫିସରୁ ଫେରି ପିଙ୍କିକୁ ଗେଲକଲାବେଳେ ପିଙ୍କି କହିଲା, ‘ବାପା, ଆଜି ଭାରି ଶୀତ ହେଉଛି । ବୋଉକୁ ଆମ ପାଖେ ଶୁଆଇବା ଆର ଘରେ ବୋଉକୁ ଭାରି ଶୀତ ଲାଗୁଥିବ, ନୁହେଁ ?

 

ଚମକି ପଡ଼ିଥିଲା ଅରୁଣାଭ । ଚାରିବର୍ଷର ପିଙ୍କି । କେତେ ଜାଣିଲାପରି କଥା‌ କହୁଛି । କେମିତି ଜାଣିଲା ଜ୍ୟୋତି ଅଲଗା ଘରେ ଶୋଉଛି ବୋଲି ! ଏଇ କେଇ‌ ମାସର ଅନିମତା ପାଇଁ ଜ୍ୟୋତି ପିଙ୍କିକୁ ଖୁଆଇ ପିଆଇ ଶୁଆଇ ସାରିଲା ପରେ ଆର ଘରକୁ ଯାଏ । ପୁଣି ସକାଳେ ସେମାନେ ଉଠି ସାରିଲାପରେ ଯାଇ ପିଙ୍କି ଉଠେ । ବିଛଣାରେ ମଧ୍ୟ ସେତେ ଅଦଳବଦଳ ନାହିଁ । ସେମିତି ଡବଲ୍‌ବେଡ଼୍ । ଦୁଇପଟେ ବଡ଼ ତକିଆ । କାନ୍ଥ ପାଖକୁ ଲାଗି ପିଙ୍କିର ଛୋଟ ଶେଯ । ଏ ସବୁ ସତ୍ତ୍ୱେ କେମିତି ଜାଣିପାରିଲା ପିଙ୍କି ! ଚାରିବର୍ଷର ପିଲା ଏତେ ପରିଷ୍କାର ଏତେ ଅଭିଜ୍ଞ କଥା କହିପାରୁଛି କେମିତି ? ଅଥଚ ଅରୁଣାଭ ବୋଉଠୁ ଶୁଣିଛି, ସେ କୁଆଡ଼େ ମାଇନର ପାଶ ଯାଏ ଭଲକରି କଥା କହିପାରୁ ନଥିଲା । ବୋଉ କେତେ ଠାକୁର ଦିଅଁ ଦେବତାଙ୍କୁ ଭୋଗ ଦେଇଛି । ପିଙ୍କି–ଅରୁଣାଭ ଆଉ ଜ୍ୟୋତିର ପାଞ୍ଚବର୍ଷ ବିବାହିତ ଜୀବନର ଏକ ସୁନ୍ଦର ବିଜ୍ଞାପନ । ଜ୍ୟୋତି ଆଉ ଅରୁଣାଭର ମିଳିତ ଛାଞ୍ଚରେ ଗଢ଼ା ପିଙ୍କି ଏକ ସୁନ୍ଦର କଢ଼ି । ଜ୍ୟୋତି ପ୍ରାୟ ସବୁବେଳେ ଖୁଣ୍ଟା ଦେଇ କହେ, ‘‘ପିଙ୍କି ଫାଦର୍ସ ଚାଇଲଡ଼ । ମୋ ପାଖେ ଯାହା ଅଳି ନ କରେ ତୁମ ପାଖେ ତା’ର ଦୁଇଗୁଣ ଅଳି କରେ । ଆଶ୍ଚର୍ଯ୍ୟ ସାଇକ୍ଳୋଜି ପିଲାଟାର । ପିଲାମାନେ ମା’କୁ ବେଶି ଭଲପାଆନ୍ତି । ଅଥଚ ପିଙ୍କିକୁ ମୁଁ ଦଶମାସ ଦଶଦିନ ଗର୍ଭରେ ଧରିଛି ।’

 

ଅରୁଣାଭ ହସେ । ‘ଫ୍ରଏଡ଼୍‍ଙ୍କ ଫର୍ମୁଲାରେ ଝିଅମାନେ ବାପାକୁ ବେଶି ଭଲପାଆନ୍ତି ଜାଣିନ । ତମେତ ପୁଣି ତମ ବାପାଙ୍କର ଗେହ୍ଲାଝିଅ ଥିଲ । ତା’ ଛଡ଼ା ପିଙ୍କି ପ୍ରତି ତମର ସେତେ ଦୁର୍ବଳତାନାହିଁ । ଯେତେ ଅଛି ତମର ସେଇ ପ୍ରିୟ କବିଙ୍କ ଉପରେ । ମୋର ମନେହୁଏ ପିଙ୍କି ପ୍ରତି ତମେ ଉଦାସୀନ । କ’ଣ ମିଛ କହିଲି ।’ ଅରୁଣାଭ ଅବଶ୍ୟ ନିଚ୍ଛକ ଥଟ୍ଟାରେ ଏସବୁ କହେ I କିନ୍ତୁ ଜ୍ୟୋତି କିଛି ସମୟ ଚାହେଁ ଅରୁଣାଭକୁ । ଉତ୍ତର ଦିଏନା । ଚୁପ୍‌‌ଚାପ୍ ଚାଲିଯାଏ ଅରୁଣାଭ । ଜାଣେ ଜ୍ୟୋତି ଅସ୍ୱାଭାବିକ ଭାବରେ ଅଭିମାନୀନି । ଆଉ ଆତ୍ମସମ୍ମାନବୋଧ ତା’ର ବେଶି । ଉପରକୁ ଦେଖିଲେ ଚୁପ୍‌ଚାପ୍ ନିସ୍ତରଙ୍ଗ ଏବଂ ଶ୍ୟାମଳ ଛାୟାଘେରା ହ୍ରଦପରି ଲାଗେ । ସେ ହ୍ରଦରେ ବୁଡ଼ିଯିବାକୁ ଇଚ୍ଛାହୁଏ । କିନ୍ତୁ ଭିତରେ ଭିତରେ ଏକ ଅବୁଝା ବଣ ମଇନା ।

 

ଅଥଚ ଦିନ ଥିଲା, ଯେତେବେଳେ ଏଇ ଜ୍ୟୋତିପାଇଁ ଅରୁଣାଭ ପାଗଳ ହୋଇଯାଇଥିଲା । ସହରର କେଉଁ ଏକ ପୁସ୍ତକ ପ୍ରଦର୍ଶନୀରେ ଜ୍ୟୋତି ସହିତ ଆଳାପ ପରିଚୟ । ଷ୍ଟେଟ୍ ବ୍ୟାଙ୍କର ଅଫିସର ହେଲେ ବି, ଅରୁଣାଭର ସାହିତ୍ୟ ପ୍ରତି ଅନୁରାଗ ଅଛି । ଜଣେ ସାହିତ୍ୟିକ ବନ୍ଧୁକୁ ନେଇ ସେ ପ୍ରଦର୍ଶନୀକୁ ଯାଇଥିଲା । ବନ୍ଧୁ ଜଣକ ଜ୍ୟୋତି ସହିତ ତା’ର ପରିଚୟ କରେଇ ଦେଇଥିଲେ, “ଇଏ ହେଉଛନ୍ତି ସାହିତ୍ୟିକା ମିସ ଅମୁକ । ଭଲ ଲେଖନ୍ତି’ । ଅରୁଣାଭ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପ୍ରୌଢ଼ା, ଗମ୍ଭୀର ଭାବଭଙ୍ଗୀ ବଦଳରେ କାନ୍ଧରେ ଶାନ୍ତିନିକେତନୀ ବ୍ୟାଗ୍ ଝୁଲେଇଥିବା ଏକ ସୁଶ୍ରୀ ଯୁବତୀ ମୂର୍ତ୍ତି ! ଅରୁଣାଭର ମୁଗ୍‌ଧ ଭାବଭଙ୍ଗୀ ଦେଖି ବନ୍ଧୁ ଫିସ୍‌ଫିସ୍ ହୋଇ କହିଥିଲେ, ‘‘ବନ୍ଧୁ, ସାବଧାନ, ବାଟ ହୁଡ଼ନା । କାଳନାଗୁଣୀଟେ । କଲେଜରେ ଅନେକ ପୁଅଙ୍କୁ ଜଳେଇଛି । ଜମା ଚାନ୍‌ସ ଦବନି । ଭାରି ‘ଇଗୋ’ । କିନ୍ତୁ ଅରୁଣାଭ ଅବାକ୍ ହୋଇ ଚାହିଁଥିଲା ଜ୍ୟୋତିକୁ । ସୁନ୍ଦର ମୁହଁଟିରେ ବିଷର୍ଣ୍ଣ ଛାୟାଚ୍ଛନ୍ନ ଦୁଇଟି ଆଖି । ବେକରେ ଏକ ଗାଢ଼ ବଡ଼ କଳାଜାଇ । ବିଷର୍ଣ୍ଣ ଚେହେରା କ’ଣ ବେଶି ସୁନ୍ଦର ଲାଗେ ଆଖିକୁ ! ପରିଚୟର ସାମାନ୍ୟତମ ଭଦ୍ରତା ଖାତିରରେ, ଜ୍ୟୋତି ଦୁଇହାତ ଯୋଡ଼ି, ଅଳ୍ପ ହସି ଦେଇ ଆଗକୁ ପାଦ ବଢ଼େଇ ସାରିଥିଲା । କିନ୍ତୁ ଅରୁଣାଭ ଛାଡ଼ିବାର ପାତ୍ର ନୁହେଁ । ଏ ଯାବତ୍ ସେ ସବୁ Competitionରେ ଭଲଭାବେ ପାଶ୍‍ କରିଛି । ଆଉ ଏଇ ଝିଅଟାକୁ ପାରିବନି !

 

ତା’ପରେ । ଅରୁଣାଭ ଆଜି ନିଜେ ମଧ୍ୟ ବିଶ୍ଵାସ କରିପାରେନା । ସେ କେମିତି ଲୟ କରିଥିଲା ଜ୍ୟୋତିକୁ । ଗମ୍ଭୀର, ଚୁପ୍‌ଚାପ୍ । ଅଳ୍ପ କଥା କହୁଥିବା ଝିଅଟିକୁ । ଅରୁଣାଭ ପାଗଳ ହୋଇ ଯାଇଥିଲା ଜ୍ୟୋତି ପାଇଁ । ଜ୍ୟୋତିର ପ୍ରତିଟି କଥାବାର୍ତ୍ତା, ପ୍ରତିଟି ଭାବଭଙ୍ଗୀ ଚାଲିଚଳନ ଅରୁଣାଭ ପାଇଁ ପ୍ରିୟତର ହୋଇ ଉଠିଲା । ସେ ସହରରେ ଜ୍ୟୋତି ଯେମିତି ଏକମାତ୍ର ଅତୁଳନୀୟା-। କୌଣସି ପୂର୍ବରାଗ ନ ଥାଇ ସେ ସେଇ ଜ୍ୟୋତିକୁ, ସେଇ ସାହିତ୍ୟିକ ବନ୍ଧୁଙ୍କ ଜରିଆରେ ବିବାହ ପ୍ରସ୍ତାବ ଦେଇଥିଲା ଏବଂ ଅଭିନବ ଭାବରେ ସମ୍ମତି ପାଇଥିଲା ମଧ୍ୟ । ସାହିତ୍ୟିକ ବନ୍ଧୁ ବଧେଇ ଜଣେଇ ଥିଲେ–‘ବାଜିମାତ୍ କଲ ବନ୍ଧୁ । କାଳନାଗୁଣୀକୁ କି ଗଦ ଶୁଙ୍ଘେଇ ପେଡ଼ିରେ ଭରିଲ ।’

 

ଚତୁର୍ଥୀ ଦିନ । ବନ୍ଧୁମାନେ ବାହାବା ଦେଇଥିଲେ । ବେଶ୍ ଚାର୍ମିଂ । ତେବେ ବେଶି ଟିକେ ଗମ୍ଭୀର । ଭାଇ ସାବଧାନ । ସାହିତ୍ୟିକା ! ପ୍ରଥମ ସଂଭାଷଣ ଯେମିତି କାବ୍ୟିକ ହୁଏ । ନ ହେଲେ ‘ଫାଷ୍ଟ ଇଂପ୍ରେସନ୍ ଲାଷ୍ଟସ୍ ଲଙ୍ଗ୍’ । ଅରୁଣାଭ ଟିକେ ଘାବରେଇ ଯାଇଥିଲା । ନିଜେ ପଢ଼ିଥିବା ବହୁ ଇଂରାଜୀ, ହିନ୍ଦୀ, ଓଡ଼ିଆ ବହିରୁ ଡାଇଲଗ୍ ଘୋଷିଥିଲା । କେମିତି ଜ୍ୟୋତିକୁ ସମ୍ଭାଷଣ ଜଣେଇବ । ହେଲେ ତାକୁ କିଛି କହିବାକୁ ପଡ଼ି ନଥିଲା । ନାଲି ବନାରସୀର ଓଢ଼ଣାକୁ ଅଳ୍ପ ଟେକିଦେଇ ଅରୁଣାଭର ପାଦଛୁଇଁ ପ୍ରଥମେ କଥା ଆରମ୍ଭ କରିଥିଲା, ‘ତୁମକୁ ମୋର ଆଜି କେତୋଟି କଥା କହିବାର ଅଛି... ।’

 

ସେ ଅଦ୍ଭୁତ କଥାର ପ୍ରତିଟି ଅକ୍ଷରକୁ ଅରୁଣାଭ ଏଇ ପାଞ୍ଚ ବର୍ଷର ବିବାହିତ ଜୀବନ ଭିତରେ ଜମା ଭୁଲି ପାରିନି ।

 

‘‘ମୋର ଏକ ନିଜସ୍ୱ ଜଗତ ଅଛି । ମୋର ଜଣେ ପ୍ରିୟ କବି ଅଛନ୍ତି । ତାଙ୍କର କବିତା ଭିତରେ ମୁଁ ନିଜର ଆତ୍ମାକୁ ଖୋଜିପାଏ । ଅନେକ ଛୋଟ ବୟସରୁ ମୁଁ ତାଙ୍କର ଅନୁରାଗିଣୀ । ମୋର କିଛି ସମୟ ସେଇ ଜଗତରେ ବିତିବ । କିନ୍ତୁ ମୋର କର୍ତ୍ତବ୍ୟ ମୁଁ ନିଶ୍ଚୟ କରିବି । ସେଥିରେ ତ୍ରୁଟି ରହିବନି । ତମର ଅସୁବିଧା ମଧ୍ୟ ହେବନି । ହେଲେ ‘ଡୋଣ୍ଟ୍ ଓ୍ୱାଣ୍ଟ୍ ଟୋଟାଲ୍ ଅଫ୍ ମି...

 

ଅଫ୍‌କୋର୍ସ...ଅରୁଣାଭର ଉତ୍ତର । ନିର୍ବୋଧ ଅରୁଣାଭ ସେଦିନ ମନେ ମନେ ହସିଥିଲା-। ବୁଝିପାରି ନଥିଲା । ଜ୍ୟୋତି ବୋଧହୁଏ ନିଜର ଲେଖାଲେଖିର ସୁବିଧାପାଇଁ ଏସବୁ କହୁଛି । ଅରୁଣାଭ ମଧ୍ୟ ଚାହେଁ ଜ୍ୟୋତି ଆହୁରି ବଡ଼ ହେଉ । ଉନ୍ନତି କରୁ ।

 

କିନ୍ତୁ ଆଜି....ଅରୁଣାଭର ଛାତି ଭିତରେ କେମିତି ଏକ ବ୍ୟଥାର ସୃଷ୍ଟି ହୁଏ-। ବଞ୍ଚିବାଟା ନିହାତି ଫାଙ୍କି ବୋଲି ମନେହୁଏ । ହାତଗୋଡ଼ ବାଡ଼େଇ ପିଙ୍କି ପରି କାନ୍ଦିବାକୁ ଇଚ୍ଛା ହୁଏ । ତା’ର ମନେହୁଏ ଏ ଯାବତ୍ ସେ ଜ୍ୟୋତିର ଦେହଟା ପାଇଛି । ମନ ନୁହେଁ । କୁଆଡ଼େ ଗଲା ସେ ସୁଖର ଦିନ । ଅନୁରାଗର‌ ରାତି ସବୁ । ଆଜି ସବୁ ସ୍ଵପ୍ନପରି ମନେହୁଏ । ଲାଜକୁଳୀ । ଗମ୍ଭୀର । ଚୁପ୍‌ଚାପ୍ ଜ୍ୟୋତି ଧୀରେ ଧୀରେ ସହଜ ହୋଇଯାଇଥିଲା ସ୍ୱାମୀ ଅରୁଣାଭ ପାଖରେ । ଅରୁଣାଭର ପୋଷାକ, ସ୍ୱାସ୍ଥ୍ୟ, ଭଲମନ୍ଦ ଯେମିତି ଅରୁଣାଭର ନିଜସ୍ୱ ନୁହେଁ । ସବୁ ଜ୍ୟୋତିର ।

 

ଯେମିତି–'ଏଇ । ଏତେ ପରିଶ୍ରମ କାହିଁକି କରୁଚ । ସ୍ଵାସ୍ଥ୍ୟ ଖରାପ ହୋଇଯାଉଛି ନ ହେଲେ–ରିଏଲି, ତମକୁ ଏ ବ୍ରାଉନ୍ ସାର୍ଟଟା ବେଶ୍ ମାନୁଛି, ‘‘ଶ୍ୟାମ ନାଗର ଏ ବେଶ ହୋଇବନାହିଁ-।”

 

ଅଥବା–ଏ ମା’ ଟାଇମ୍ କେତେ ହେଲାଣି ଦେଖୁଛ । ଅଫିସ୍ ଯିବନି, ଏଇ ନିଅ ତମ ସେଭିଂ ବକ୍‍ସ ।

 

ଏମିତି କେତେ ରାଗ ଅନୁରାଗ । ନୂଆ ଆଇଟମ୍ । ନୂଆ ଅନୁଭୂତି । ବ୍ୟାଙ୍କରୁ ଫେରି ସ୍କୁଟର ରଖିବା ପୂର୍ବରୁ ଜ୍ୟୋତି ପହଞ୍ଚି ସାରିଥାଏ । ବାଥ୍‌ରୁମ୍‌ରେ ହାତ ପାଖକୁ ସବୁ ବଢ଼େଇ ଦିଏ-। ଖାଇବା ଟେବୁଲ ସେପାଖରେ ବସି ଏଟା ଖାଅ, ସେଟା ଖାଅ କହି ଜିଦ୍ କରେ । ଅରୁଣାଭ ଭାବେ ଜ୍ୟୋତିକୁ ପାଇ ସେ ସୁଖୀ ହୋଇଛି । ଜ୍ୟୋତି ପରି ଝିଅ ଭାଗ୍ୟରେ ଥିଲେ ମିଳେ । ଜ୍ୟୋତି ତା’ପାଇଁ ଏକାଧାରରେ ପ୍ରିୟା-ବାନ୍ଧବୀ-ଜାୟା-ଜନନୀ ।

 

ଜ୍ୟୋତିକୁ ଖୁସି କରିବାପାଇଁ ସେ ମଧ୍ୟ ପ୍ରାଣପଣେ ଚେଷ୍ଟା କରେ । ପ୍ରତିଦିନ ସନ୍ଧ୍ୟାରେ ବୁଲିଯିବା, ଶନିବାରରେ ଫିଲ୍ମ । ଆଉ ରବିବାରରେ ଦୂରକୁ କୁଆଡ଼େ ପିକ୍‌‌ନିକ୍ ଥିଲା ରୁଟିନ୍ । ଦିନେ ଦିନେ ପୂଝାରୀକୁ ସାମାନ୍ୟ କିଛି ବତେଇ ଦେଇ ଜ୍ୟୋତିକୁ ନେଇ ହୋଟେଲରେ ଖାଇବା ଥିଲା ଅରୁଣାଭର ଅନ୍ୟ ଏକ ସଉକ ।

 

ଜ୍ୟୋତି ଏଥିପାଇଁ ମଝିରେ ମଝିରେ କୃତ୍ରିମ କ୍ରୋଧ ପ୍ରକାଶ କରେ । ‘ମିଛରେ ଗୁଡ଼ାଏ ପଇସା ନଷ୍ଟ କରୁଛ, ଘରେ ଏସବୁ କଲେ ଚଳନ୍ତାନି ?’ ଜ୍ୟୋତି କାନ୍ଧରେ ମୁହଁ ରଖି ତା’ ଦେହର ଲାଭେଣ୍ଡରଡ଼ିଭର ବାସ୍ନା ଗ୍ରହଣ କରୁ କରୁ ଅରୁଣାଭ କହେ, ‘ଜୀବନରେ ଏତେଗୁଡ଼ାଏ ବର୍ଷ ଖର୍ଚ୍ଚ କରି ମୁଁ କାହାକୁ ଭଲପାଇ ନଥିଲି । ଭଲପାଇଲେ ଏସବୁ କରାଯାଏ । ପ୍ରଥମେ ଭଲପାଇଲି ତମକୁ । ମତେ ମୋର ଓରିମାନ ପୂରା କରିବାକୁ ଦିଅ, ପ୍ଳିଜ୍ ।’ ପୁଣି ମାସର ପ୍ରଥମ ଦରମାରେ ଜ୍ୟୋତିପାଇଁ କିଛି ଗୋଟାଏ ନ ଆଣିଲେ ଅରୁଣାଭର ମନ ଶାନ୍ତି ହୁଏନା । ଏଥିପାଇଁ ଜ୍ୟୋତି ସତରେ ବିରକ୍ତ ହୁଏ, ‘ତମେ ମତେ କ’ଣ ଶାଢ଼ୀ, ଗହଣା, କସ୍‌ମେଟିକ୍‌ରେ ପୋତି ପକେଇବ । ଝିଅ ଜୀବନରେ ଏସବୁ ସଉକ ଥିଲା । ଅନ୍ୟମାନଙ୍କୁ ଦେଖେଇବାର ଗୋପନ ଅଭିଳାଷ ଥିଲା । ଏବେ ତ ସବୁ ତମ ପାଖେ । ଯାହାହେଲେବି ତମେ ମତେ ନିଶ୍ଚୟ ପାଇବ । ମିଛରେ ଏସବୁ ଖର୍ଚ୍ଚ କରି ଆଣୁଚ...ଅରୁଣାଭ ପୁଣି ଅମାୟିକ ହସ ହସେ, ‘କିଛିଦିନ ଏସବୁ କରିବାକୁ ଦିଅ । କିଏ ଗୋଟିଏ ତୃତୀୟ ଅସ୍ତିତ୍ୱ ଆସିଗଲେ ଆଉ କ’ଣ ଏସବୁ କିଣି ହେବ ? ସେତେବେଳେ ଗ୍ଳାକଶୋ, ବେବିଫୁଡ଼ ପାଇଁ ଲମ୍ବା କ୍ୟୁରେ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ହେବ । ସେତେବେଳେ ତମେ ଅଭିମାନ କଲେବି ତମପାଇଁ ଶାଢ଼ୀ ଖଣ୍ଡେ କିଣିଦେବାକୁ ମତେ ଫୁରୁସତ୍ ମିଳିବନି ।’’

 

ଜ୍ୟୋତି ହସି ପକାଏ । ଲାଜରେ ରଙ୍ଗା ହୋଇଯାଏ ତା’ର ସାରାମୁହଁ । ଅରୁଣାଭ କେବଳ ମୁଗ୍‍ଧ ହୋଇ ଚାହିଁ ରହେ । ଜ୍ୟୋତିର ଏକ ଅଙ୍ଗରେ ଏତେ ରୂପ ! ଜ୍ୟୋତି କେବଳ ଯେ ଏକ ଛଳଛଳ ପ୍ରେମିକା ତା’ ନୁହେଁ, ସାବିତ୍ରୀ କିମ୍ବା ସୁଦଶାରେ ବ୍ରତ ବାନ୍ଧି, ନାଲିଧଡ଼ି ମଠାର ଶାଢ଼ୀ ପିନ୍ଧି, ଉପବାସୀ ଦେହ ମନ ନେଇ ସେ ଯେତେବେଳେ ଅରୁଣାଭକୁ ପ୍ରଣାମ କରେ, ଅରୁଣାଭର ମନେହୁଏ, ଭଗବାନ ଜ୍ୟୋତିକୁ ସବୁ ଜନ୍ମରେ ତା’ପାଇଁ ରଖିଥାନ୍ତୁ ।

 

ଏଇ ସେଦିନ ପରି ମନେହୁଏ, ଗାଁରେ ବାପାଙ୍କ ଦେହ ଖରାପ ବେଳେ ଜ୍ୟୋତିକୁ ସେ ଦେଖି ଚମକି ପଡ଼ୁଥିଲା । ଏ କ’ଣ ସେଇ ଜ୍ୟୋତି । ଯିଏ ଶାନ୍ତିନିକେତନୀ ବ୍ୟାଗ କାନ୍ଧରେ ଝୁଲେଇ ପୁସ୍ତକ ପ୍ରଦର୍ଶନୀକୁ ଯାଏ । ଅରୁଣାଭ ସାଙ୍ଗରେ ହୋଟେଲରେ କଣ୍ଟା ଚାମଚରେ ଖାଏ, ଆଉ ରବିବାରରେ ଅରୁଣାଭ ପଛରେ ସ୍କୁଟରରେ ବସି ବହୁ ଦୂରକୁ ପିକ୍‌ନିକ୍ ପାଇଁ ଯାଏ ! ଲମ୍ବ ଓଢ଼ଣା, ଚୁପିଚୁପି କଥା, ପୋଖରୀରେ ଗାଧୁଆ, ଘଣ୍ଟା ଘଣ୍ଟା ଚୁଲିପାଖେ ବସି ରୋଷେଇ କରିବା ଜ୍ୟୋତିପାଇଁ ଏତେ ସହଜ ହୋଇଗଲା କେମିତି । ବୋଉକୁ ଭାଗବତ ଶୁଣେଇବା, ବାପାଙ୍କ ଗୋଡ଼ ଚିପିଦେବା, ଏସବୁ ଶିଖିଲା କେଉଁଠୁ ଜ୍ୟୋତି । ପଚାରିଲେ କହେ, କାହିଁକି ମୁଁ କ’ଣ ମେମ; ମୋ ବୋଉ, ତମ ବୋଉ ଯେଉଁ ବଂଶର ଝିଅ, ମୁଁ ବି ସେମିତି ଜଣେ । ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି । ଏସବୁ ଦେଖିଲେ ଅରୁଣାଭର ଛାତି ଭିତରେ ଏକ ଗୋପନ ସୁଖ ଯନ୍ତ୍ରଣା ଦିଏ । ତା’ର ମନେହୁଏ–ବଞ୍ଚି ରହିବାଟା ଆନନ୍ଦଦାୟକ ନୁହେଁ, ମଣିଷ ଜନ୍ମ ପାଉଛି ବୋଲି ମଧ୍ୟ ସେ ସୌଭାଗ୍ୟବାନ୍ ନୁହେଁ । କେବଳ ଜ୍ୟୋତିକୁ ପାଇଛି ବୋଲି ସେ ପରିପୂର୍ଣ୍ଣଭାବେ ସୁଖୀ ।

 

କିନ୍ତୁ...ପିଙ୍କି ବର୍ଷକର ହୋଇଗଲା ପରେ...ଜ୍ୟୋତି ଭିତରେ ପରିବର୍ତ୍ତନ ଲକ୍ଷ୍ୟକଲା ଅରୁଣାଭ । ପୁଣି ସେଇ ପୂର୍ବ ଅବସ୍ଥା, ଚୁପ୍‌‌ଚାପ୍, ଗମ୍ଭୀର, ଛାୟାଘେରା ଆଖି ଦୁଇଟିରେ ବିଷାଦମୂର୍ତ୍ତି । ଅରୁଣାଭ ବୁଲିଯିବା ପାଇଁ ବା ସିନେମା ଟିକଟ୍ କରି ଆଣିଲେ ଜ୍ୟୋତି ପିଙ୍କିର ଦ୍ୱାହି ଦେଇ ଆଡ଼େଇଯାଏ । ଅରୁଣାଭ ଆଶ୍ଚର୍ଯ୍ୟ ହୁଏ । ପିଙ୍କିପାଇଁ ତ ଜଣେ ସ୍ତ୍ରୀଲୋକ ବରାବର ଅଛି । ତଥାପି ଫାଜିଲାମି କରିବାପାଇଁ କହେ, ‘ଗୋଟିଏରେ ତ ତମେ ବୋଉପରି କହିଲଣି । ମୋର ଯେ ସାତପୁଅ ସୁନାନାକୀ ଝିଅ ଗଢ଼ିବାର କଥା ଥିଲା, ଜ୍ୟୋତି କିଛି କୁହେନା, ଆଗପରି ପ୍ରଗଳ୍‌ଭ ହୋଇ ଉଠେନା । ଚୁପ୍‌‌ଚାପ୍ ଲୁଗା ବଦଳାଏ ‌। ଅରୁଣାଭର ମନରେ ଆଘାତ ଲାଗେ ଜ୍ୟୋତି ଯେମିତି ମୁକ୍ତ ପାରା ଆଉ ତାକୁ ବନ୍ଧନରେ ପକାଇବା ପାଇଁ ଅରୁଣାଭ ନାମକ ପୁରୁଷର ବ୍ୟାକୁଳ ପ୍ରଚେଷ୍ଟା । ତେବେ ଅରୁଣାଭ କ’ଣ ଭୁଲ୍ କରିଛି । ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ ସେ ଏଇ ପ୍ରଶ୍ନ ଭିତରେ ଦଂଶିତ ହୁଏ । ତା’ପରେ ପିଙ୍କି ବଡ଼ ହୋଇଛି, ଏକ, ଦୁଇ, ତିନି, ଚାରି । ଦରୋଟି ପାଟିର ବାବା, ମାମା ଏବେ ବାପା ବୋଉ ହେଲାଣି । ସାଧାରଣ ମା’ମାନଙ୍କ ପରି ଜ୍ୟୋତିର ମନ ଆନନ୍ଦରେ କୁଳ ଭାଙ୍ଗେନା । ଚୁପ୍‌‌ଚାପ୍ ଡ୍ୟୁଟି କଲାପରି ପିଙ୍କି ଆଉ ଅରୁଣାଭର ସବୁ ତତ୍ତ୍ଵ ବୁଝେ । ଘର ସଜାଏ, ପିଙ୍କିକୁ ଡ୍ରେସ୍ କରାଏ । ଅରୁଣାଭର ସାର୍ଟ ପ୍ୟାଣ୍ଟ ଆଇରନ୍ କରେ । କିନ୍ତୁ ବିଷାଦଭରା ଆଖିରେ ସେଇ ଛାୟାଚ୍ଛନ୍ନ ନୀରବତା ଦିନେ ଦିନେ ଏମିତି ପରିସ୍ଥିତି ଆସିଛି । ପାଖରେ ଶୋଇଥିବା ଜ୍ୟୋତି ଚୁପ୍‌‌ଚାପ୍ ନିଥର । କୌଣସି ଆବେଗ ନାହିଁ । ଅଦ୍ଭୁତ ନୀରବତାର ରାଜତ୍ୱ କେବଳ ଶବ୍ଦମାନ କାନ୍ଥ ପାଖକୁ ଶୋଇଥିବା ପିଙ୍କିର ଛୋଟ ନିଃଶ୍ୱାସ । ଅରୁଣାଭ ଅନୁଭବ କରେ ଜ୍ୟୋତିର ଛାତି ଫଟେଇ କେବଳ ଗୋଟିଏ ଗୋଟିଏ ଦୀର୍ଘ ନିଃଶ୍ୱାସ ବାହାରି ଆସୁଛି । ତେବେ ଜ୍ୟୋତି କ’ଣ ସୁଖୀ ନୁହେଁ ? ଅରୁଣାଭର ପାଟିକରି କାନ୍ଦିବାକୁ ଇଚ୍ଛା ହୁଏ । କିନ୍ତୁ ସେ ପାରେନା । ତା’ର ମନେହୁଏ ସେ ଯେମିତି ଅନେକ କିଛି ହରେଇ ବସୁଛି । ଦୂରେଇ ଯାଉଛୁ ତା’ର ନିଶ୍ଚିତ ପୃଥିବୀଠାରୁ । ଜ୍ୟୋତି ଆଉ ତା’ ଭିତରେ ଥିବା ସମ୍ପର୍କ କ୍ରମଶଃ ଶୀତଳ ହୋଇଯାଉଛି । ଜ୍ୟୋତି ଦୂରେଇ ଯାଉଛି ତା’ ପରିଧି ଭିତରୁ । ତେବେ ଏ କ’ଣ ମୋହଭଙ୍ଗ ?

 

ବେଳେବେଳେ ତା’ର ଇଚ୍ଛା ହୁଏ । ଜ୍ୟୋତିକୁ ନିଜ ଛାତିରେ ଆଗପରି ଭିଡ଼ିଧରି କହିବ, ‘ଜ୍ୟୋତି, ମୁଁ ତମକୁ ପ୍ରାଣଭରି ଭଲପାଏ । ତମ ବିନା ମୁଁ ମୁହୂର୍ତ୍ତେ ବଞ୍ଚି ପାରିବିନାହିଁ । କୁହ, ମତେ ଏତେ ବଦଳି ଯାଉଛ କାହିଁକି ? ତମେ ଦୂରେଇ ଯାଅନି । କେବଳ ଖାଇବା, ପିଇବା, ଅଫିସ କରିବା କ’ଣ ଜୀବନ ? ମୁଁ ଚାହେଁ ତମେ ଆଗପରି ସ୍ଵପ୍ନ ଦେଖ, କଳ୍ପନା କର, ଗଛ, ଫୁଲ, ଲତାକୁ ନେଇ ମୁଗ୍‍ଧ ହୁଅ । ଲେଖାଲେଖି କର, ଆଉ ତମରି କଣ୍ଠ ସଙ୍ଗୀତରେ ମତେ କୁହ ଯେ ଚିରଦିନ ଜହ୍ନ ଅଛି, ସ୍ଵପ୍ନ ଅଛି, ଆଲୁଅ ଅଛି ।’ କିନ୍ତୁ ପାରେନା ଅରୁଣାଭ । ନିଜର ego ତାକୁ ବାରଣ କରେ-। ଛାତି ଭିତରେ ବ୍ୟର୍ଥତାର ଶୋକ ଲହଡ଼ି ଭାଙ୍ଗେ । ସ୍ମୃତିର ଅଗଣାରେ ମୋହମୟ ବିଷାଦର ଲକ୍ଷ୍ମୀପାଦ ଛାପ ପଡ଼େ । ଅରୁଣାଭ ତେବେ ଠକି ଯାଇଛି । ଜୀବନଟା ମସ୍ତବଡ଼ ଏକ ଫାଙ୍କ ପରି ମନେହୁଏ । ତେବେ ସେ କ’ଣ ଆତ୍ମହତ୍ୟା କରିବ ! କିନ୍ତୁ ପିଙ୍କି ପାଇଁ ତା’ର ବଞ୍ଚିବାଟା ପ୍ରୟୋଜନୀୟ ମନେହୁଏ-। କାରଣ ପିଙ୍କିକୁ ସେତେ ଭଲପାଏନା ଜ୍ୟୋତି, ଅରୁଣାଭ ଅନୁଭବ କରିଛି ଖୁବ୍ ଭଲଭାବେ । ମା’ ମନ କ’ଣ ଏତେ ସ୍ନେହହୀନ ଆଉ ନିର୍ଲିପ୍ତ ହୋଇପାରେ ।

 

କିନ୍ତୁ ଏଇ କେଇମାସ ତଳେ....ହଠାତ୍ ଦିନେ ସଅଳ ବ୍ୟାଙ୍କରୁ ଫେରିଆସିଥିଲା ଅରୁଣାଭ । ଛୋଟ ଚାକର ପିଲାଟି କବାଟ ଫିଟେଇ ଦେଲାପରେ ଅରୁଣାଭ ଜ୍ୟୋତିକୁ ଚମକେଇ ଦେବ ବୋଲି ଭାବୁଥିଲା । ଆଜି ଜ୍ୟୋତିକୁ ନେଇ ସେ ନିଶ୍ଚୟ ସିନେମା ଯିବ । ଭଲ ରଷିଆନ ପିକ୍‍ଚରଟିଏ ଆସିଛି । ପିଙ୍କିର ପାଟି ଶୁଭୁନି । ହରିମା’ କୁଆଡ଼େ ବୁଲେଇ ନେଇଛି ବୋଧହୁଏ । ପାଦ ଚିପିଚିପି ଅରୁଣାଭ ଆଗେଇଗଲା ବେଡ଼୍‍ରୁମ୍ ଆଡ଼କୁ । ସ୍କ୍ରିନ୍‌ଟାକୁ ଟେକିଦେଇ ଅରୁଣାଭ ଚମକି ପଡ଼ିଲା । ଜ୍ୟୋତି ଶୋଇଯାଇଛି । ଜ୍ୟୋତି ତ ଅବେଳରେ ଜମା ଶୁଏନା । ଏଇନା ପ୍ରାୟ ଅପରାହ୍ନ ସାଢ଼େ ତିନି । ଧୀରେ ଆଗେଇଗଲା ସେ ଜ୍ୟୋତି ଆଡ଼କୁ । ଜ୍ୟୋତି ଆଖିବୁଜି ଶୋଇଛି-। ଦୁଇ ଗାଲରେ ଲୁହର ଦୁଇଟି ଗାଢ଼ ଦାଗ । ଅଳ୍ପ ଶୁଖିଯାଇଛି । ଛାତି ଉପରେ ରଖା ଦୁଇ ହାତ ଭିତରେ ଗୋଟିଏ ରଙ୍ଗୀନ ଡାଏରୀ । ଅରୁଣାଭ କ’ଣ କରିବ କିଛି ଠିକ୍ କରିପାରିଲାନି । ଡାଏରୀଟା ଦେଖିବାକୁ ଭାରି ଇଚ୍ଛା ହେଲା । କିନ୍ତୁ ଜ୍ୟୋତି ଉଠିପଡ଼ିବ, ହୁଏତ ଭୁଲ୍ ଭାବିବ ଅରୁଣାଭକୁ । ଅରୁଣାଭ ଛୋଟ ହୋଇଯିବ । ହୀନମନା ହୋଇଯିବ । ନା–ଅରୁଣାଭ ଦୀର୍ଘଶ୍ୱାସ ଚାପି ବାହାରକୁ ବାହାରି ଆସିଲା । ଛାତି ଭିତରେ ସେଇ ବ୍ୟର୍ଥତାର ଶୋକ ଉଛୁଳି ଉଠୁଛି ପୁଣିଥରେ । ପକେଟରୁ ଦୁଇଟି ଟିକଟ କାଢ଼ି ଚିରି ପବନରେ ଉଡ଼େଇ ଦେଲା ସେ ।

 

ପରେ ଅରୁଣାଭ ଗୋପନରେ ସେ ଡାଏରୀଟା ଦେଖିଥିଲା । ଅନେକଗୁଡ଼ିଏ କବିତାରେ ଭର୍ତ୍ତି । ପ୍ରତି କବିତାରେ ଅଣ୍ଡରଲାଇନ/ମନ୍ତବ୍ୟ । କାହାର ଏ କବିତା ଲେଖକ କିଏ, କିଛିର ସୂଚନାନାହିଁ । ଅରୁଣାଭ ବି କବିତା ସହିତ ଏତେ ପରିଚିତ ନୁହେଁ । ଗୋଟାଏ ଧୂଆଁ ଭିତରେ ରହିଗଲା ସବୁ ଅରୁଣାଭର ସେଠି ପ୍ରବେଶ ନିଷେଧ ।

 

ଏଇ ତେବେ କ’ଣ ଜ୍ୟୋତିର ନିଜସ୍ୱ ଜଗତ । କେଉଁଠି ସ୍ଵାମୀ-ସନ୍ତାନ-ସୁଖ-ସମୃଦ୍ଧି ସବୁ ମିଛ !

 

ଅରୁଣାଭ ଶୁଣେଇଥିଲା ସେଇ ଶେଷ କଥା ପଦକ, ‘ଜ୍ୟୋତି ! ତମର ଅସୁବିଧା ହେଲେ ତମେ ଆରଘରେ ତୁମର ନିଜସ୍ୱ ଜଗତକୁ ନେଇ ରୁହ । ପିଙ୍କି ଏ ଘରେ ମୋ ପାଖେ ରହିବ । ତମେ ବୋର ହେଉଛ । ତମର ଲେଖାଲେଖିରେ ବାଧା ହେଉଛି । ତୁମକୁ ଅଯଥା କଷ୍ଟ ଦେବା ମୁଁ ଚାହେଁନା ।’

 

ଜ୍ୟୋତି କିଛି ପ୍ରତିବାଦ କରି ନଥିଲା । ସେମିତି ନିଥର ଚାହାଣି । ଛାୟାଘୋରା ଦୁଇ ଆଖିରେ ନିସ୍ତବ୍‍ଧ ଭାଷା ନେଇ ସେ ଅନ୍ୟ ରୁମରେ ନିଜକୁ ସୀମିତ କରି ଦେଇଥିଲା ଦୁନିଆର ଅଲକ୍ଷ୍ୟରେ । ତା’ପରେ ଏଇ କେଇ ମାସ । କୌଣସି ଅଯଥା ଅଭିଯୋଗ ନାହିଁ, ଅଶାନ୍ତି ନାହିଁ । ନୀରବ ଅରୁଣାଭ, ନୀରବ ଜ୍ୟୋତି ଖାଇବା, ପିଇବା ସବୁ ମେସିନ ପରି । ବାହାରୁ କେହି କିଛି ଜାଣିପାରନ୍ତି ନାହିଁ; କିନ୍ତୁ ଆଜି ପିଙ୍କି କ’ଣ କହିଲା....ଚାରିବର୍ଷର ପିଙ୍କି କ’ଣ ବୁଝେଇ ଦେଲା ବତିଶବର୍ଷର ଅରୁଣାଭକୁ । ରାତିରେ, ଖାଇବା ଟେବୁଲରେ ଜ୍ୟୋତିକୁ ସବୁ କହିସାରି ଅରୁଣାଭ ଭାବିଥିଲା ଜ୍ୟୋତ କିଛି Suggestion ଦବ । କିନ୍ତୁ ନା...ଜ୍ୟୋତି କିଛି ସମୟ ଚାହିଁଥିଲା ଅରୁଣାଭକୁ । ଅଧାଖିଆ ହୋଇ ଉଠି ଯାଇଥିଲା ତେବେ ଅରୁଣାଭ କ’ଣ କରିବ ? ଫେରାର ଆସାମୀ ପରି ପିଙ୍କିକୁ ଲୁଚି ଲୁଚି ବୁଲିବ । ନା ପିଙ୍କିକୁ ବୁଝେଇ ଦେବ–‘ପିଙ୍କିରେ, ତୋ ବୋଉର ଏକ ନିଜସ୍ୱ ଜଗତ ଅଛି । ସେଠି ଆମେ କେହି ନୋହୁଁ । ତୁ ବି ମୂଲ୍ୟହୀନ, ମୁଁ ବି କାଣିକଉଡ଼ି । ଅଯଥାରେ ତୋ ବୋଉକୁ ବୋର୍ କରିବା ଆମର ଉଚିତ୍ ନୁହେଁ, ଆମେ ଆମର ଜୀବନ ପଛରେ କେବଳ ଦୌଡ଼ି ଚାଲିବା ।”

 

କିନ୍ତୁ ପିଙ୍କି କ’ଣ ବୁଝି ପାରିବ, ଅରୁଣାଭର ବତିଶବର୍ଷର ମନଟା ତ ବୁଝିପାରୁନି ।

 

ବାହାରେ ସତରେ ଆଜି ଭୀଷଣ ଥଣ୍ଡା । ଭିତରେ ଅପେକ୍ଷାକୃତ କମ୍ । ତଥାପି ଅରୁଣାଭର ଦେହଟା ଥରୁଛି । ପିଙ୍କିପରି ଖୋଜୁଛି କାହାର ଉଷୁମ କୋଳର ଆଶ୍ରୟ । ନାକରୁ ବାହାରି ଆସୁଥିବା ଗରମ ପବନର ଉଷ୍ମତା ଭିତରେ ଅରୁଣାଭ ନିଜର ଅନୁଭବର ପରିଧିକୁ ଉଷ୍ମ କରି ପିଙ୍କି ପାଖକୁ ଫେରିଯିବାକୁ ଚାହିଁଲା । କିନ୍ତୁ ହଠାତ୍ ତା’ର ଆଖି ପଡ଼ିଲା କାନ୍ଥ ଉପରେ । ଗୋଲାପ ଫୁଲର ବେଡ଼୍‌ଲାଇଟ୍ ପାଖରେ ଜାକିଜୁକି ହୋଇ ବସିଛି ପ୍ରଜାପତିଟି । ହୁଏତ ତା’ର ଦେହଟା ଜିରୋପାଓ୍ୱାର ବେଡ଼୍‍ଲାଇଟ୍ ପାଖରେ ଉଷ୍ମତା ଭିକ୍ଷା କରୁଛି କିମ୍ବା ପ୍ରଜାପତିଟି ଭୁଲ୍‍ କରୁଛି କାଚର ବେଡ଼୍‍ଲାଇଟ୍‍କୁ ସତ ଗୋଲାପ ଭାବି । କିନ୍ତୁ ଏଇ ପ୍ରଜାପତଟି ନିଜର ଆଲୁଅରେ ହୁଏତ ଗୋଲାପଫୁଲ ପାଖେ କେତେ ପୌରୁଷ ଜାହିରି କରୁନଥିବ । ଅରୁଣାଭର ମନଟା କ'ଣ ହୋଇଗଲା । ତା’ର ମନେହେଲା ଯେମିତି ବାହାରର ସବୁଯାକ ଥଣ୍ଡା ଘର ଭିତରକୁ ଏକା ସାଙ୍ଗେ ପଶିଆସି ତାକୁ ଖିନ୍‌ଭିନ୍ କରୁଛନ୍ତି । ବିଛଣାରେ ଇଡ଼ିଯାଇ ତାକୁ ଶୋଇବାକୁ ମନା କରୁଛନ୍ତି । ତେବେ ଅରୁଣାଭ କ’ଣ କରିବ ତା’ର ସମସ୍ତ ‘ଇଗୋ’ର ମାଟି ଧୋଇ ହେଇଯାଉଛି I ବିନା ମାନସିକ ପ୍ରସ୍ତୁତିରେ ଅରୁଣାଭ କବାଟ ଫିଟେଇ ବାହାରକୁ ବାହାରି ଆସିଲା । ସେ ଜ୍ୟୋତିର ଉଷୁମ କୋଳ ଚାହେଁ । ଯେଉଁ କଥାକୁ ସେ ଏଇ କେଇ ମାସ ଭିତରେ ଭାଷାରେ ପ୍ରକାଶ କରିପାରି ନଥିଲା । ଆଜି ତାହା ପ୍ରକାଶ କରିବ । କହିବ ଜ୍ୟୋତି, ଆମ ଭିତରେ କାନ୍ଥ ଗଢ଼ି ଉଠିବାକୁ ଦିଅନାହିଁ । ତମର ନିଜସ୍ଵ ଜଗତ ନେଇ ତମେ ରୁହ I କିନ୍ତୁ ମତେ ବଞ୍ଚିବାକୁ ଦିଅ । ଆଉ କହିବ ମୋ ଭିତରେ ଏତିକି ଆବେଗକୁ ମୁଁ ଭାଷାରେ ପ୍ରକାଶ କରି ନଥିଲି ବୋଲି । ଆଜି ଶୀତରେ ଥରୁଛି-। ଏତେ ଭାଷାର ଆବେଗ ଥିବା ସତ୍ତ୍ୱେ ମୁଁ କାହିଁକି ଓଠର ଭାଷାରେ କହିପାରିଲିନି ତମକୁ ମୋର ଅସହାୟତା ପୃଥିବୀରେ ଏତେ ଶବ୍ଦ ଥିବା ସତ୍ତ୍ୱେ ବି ତମେ ମୋ ପାଖେ ପ୍ରତିବାଦ କଲନି ଚୁପ୍‌ରହି ମୋ ଯନ୍ତ୍ରଣାକୁ ବଢ଼େଇ ଦେଲ । ଅନ୍ୟ ରୁମ୍‌କୁ ଚାଲିଗଲ । କେତେ ଭଲହୁଅନ୍ତା ସତରେ ଯଦି ତମେ ମୁଁ ପିଙ୍କି ପରି ନିଷ୍ପାପ ସରଳ ହୋଇଥାନ୍ତେ ଅନ୍ତତଃ ପିଙ୍କିପାଇଁ ତମକୁ ସ୍ଵାର୍ଥ ତ୍ୟାଗ କରିବାକୁ ହେବ ।’

 

ୟା' ଭିତରେ ଅରୁଣାଭ କେତେବେଳେ ବାରଣ୍ଡା ପାରହୋଇ ଜ୍ୟୋତିର ଦରଜା ପାଖେ ପହଞ୍ଚି ସାରିଥିଲା ଏବଂ ସଙ୍କେତର ଜବାବ ଦେଇ ସାମ୍ନାରେ କବାଟ ଫିଟେଇ ଜ୍ୟୋତି ଛିଡ଼ା ହୋଇଥିଲା । ଅବିନ୍ୟସ୍ତ କେଶବାସ । ନିଦ ମଳ ମଳ ଆଖିରେ ସେ ସ୍ଥିର ଛାୟାଚ୍ଛନ୍ନ ହୃଦର ଗଭୀରତା, କୁଞ୍ଚିତ ଭୂରୁ ଦୁଇଟିରେ ଗରବିଣୀର ଗାରିମା । ଅରୁଣାଭ ଅନେକ କଥାର ପ୍ରସ୍ତୁତି ସତ୍ତ୍ୱେ କିଛି କହିପାରିଲାନି । କେବଳ ବ୍ୟଗ୍ର ଦୁଇ ବାହୁରେ ଜ୍ୟୋତିର ନରମ ଦେହଟାକୁ ନିଜ ଆଡ଼କୁ ଭିଡ଼ିଆଣି ତା’ ଦେହର ସମସ୍ତ ଉତ୍ତାପକୁ ନିଜ ଦେହରେ ଭରିନେଲା ଆକୁଳରେ । ଯେମିତି କେଉଁ ଏକ ଶୀତଳ ମେରୁ ଅତିକ୍ରମ କରି ସେ କ୍ଳାନ୍ତ ଶୀତାର୍ତ୍ତ ହୋଇ ପହଞ୍ଚି ଯାଇଛି ଏକ ବିରାଟ ଅଗ୍ନିକୁଣ୍ଡ ପାଖରେ । ଆରାମରେ ଜ୍ୟୋତିର କାନ୍ଧରେ ମୁହଁଟାକୁ ତୀବ୍ରଭାବେ ଘଷୁ ଘଷୁ ଅରୁଣାଭ କେବଳ ଏତିକି କହିଲା–ଜ୍ୟୋତି ମୁଁ ତମକୁ ଚାହେଁ, କେବଳ ତମକୁ ।

Image

 

ପଳାତକ-୨

 

ବସ୍‌ଟା ଧୂଳି ଉଡ଼େଇ ଚାଲିଗଲା । ଶବ୍ଦଟା କାନ ପାଖରେ ତଥାପି ବାଜୁଛି । ଅପରାହ୍ନ ଆଲୁଅ ଭିତରେ ଶୁଭକାନ୍ତ ଦେଖିଲା, ତା’ରି ପରି ଆଉ ଦୁଇ ତିନିଜଣ ଓହ୍ଲେଇଲେ । ସମସ୍ତେ ଗାଉଁଲି l ଶୁଭକାନ୍ତକୁ ଚାହୁଁଥାନ୍ତି । ମନେ ମନେ ହସିଲା ଶୁଭକାନ୍ତ । ଏମାନଙ୍କ ପାଖରେ ସେ ଆଜି ଅପରିଚିତ । ମୁଣ୍ଡ ଉପରେ ବିସ୍ତୃତ ନୀଳ ଆକାଶ । ଗୁଡ଼ାଏ ପକ୍ଷୀ ଧାଡ଼ିବାନ୍ଧି ଉଡ଼ି ଯାଉଛନ୍ତି । ଚାରିଆଡ଼େ ଏକ ନିର୍ଜନତାର ସଙ୍ଗୀତ । ପବନ ଦୌଡ଼ି ଦୌଡ଼ି ଆସିଲା ପରି ଲାଗୁଛି । ବୈଶାଖର ଶେଷ । ମାଟିର ବାସ୍ନା, ଧୂଳି ଧୂଳିଆ । ଗଛପତ୍ରରେ ଏକ ରୁକ୍ଷଭାବ । ଏମାନେ କ’ଣ ଅପରିଚିତ ! ଶୁଭକାନ୍ତ ଦେଖିଲା ଓହ୍ଲେଇଥିବା ଲୋକମାନଙ୍କ ଭିତରୁ ଜଣେ ଦୁଇଜଣ ରାସ୍ତାପାଖ ତାଳ ବରଡ଼ାଘେରା ଛୋଟ ଚା’ ଦୋକାନଟିରେ କାଠ ବେଞ୍ଚରେ ବସି ଚା’ ପିଇଲେଣି । ଶୁଭକାନ୍ତର ଚା’ ପିଇବାକୁ ଇଚ୍ଛା ହେଲା; କିନ୍ତୁ ସେ ଯଦି ଯାଇ ସେଇ ବେଞ୍ଚରେ ବସେ; ଆଉ ଚା’ ମାଗେ ତେବେ ସେମାନେ ପୁଣି ଚାହିଁବେ । ଆଖିରେ ସେଇ ଅଚିହ୍ନା ଅଚିହ୍ନା ଭାବ ଆଉ ଜିଜ୍ଞାସା–‘ତମେ କିଏ ବାବୁ-। ତମପରି ଏଇ ଗାଁର ବସ୍ ଷ୍ଟପେଜ୍‌ରେ ବି ଆଉ କେହି ଓହ୍ଲାନ୍ତି ନାହିଁ । ତମେ କ’ଣ ଏ ଗାଁକୁ ସରକାରୀ କାମରେ ଆସିଚ ।” କିନ୍ତୁ ସେମାନେ କ’ଣ ଜାଣନ୍ତି, ହାତରେ ବ୍ରିଫ୍‍କେଶ, ଓଠରେ ସିଗାରେଟ୍, ଆଖିରେ ଫଲସ୍ ଗ୍ଲାସ, ପୂରାପୂରି ସାହେବ ପୋଷାକ ପରିହିତ ପ୍ଳାଣ୍ଟ୍ ଇଂଜିନିୟର ଶୁଭକାନ୍ତ ଦଶବର୍ଷ ତଳେ ଖାକି ହାଫ୍‌ପ୍ୟାଣ୍ଟ ଆଉ ଧଳା ହାୱାଇନ୍ ପିନ୍ଧି ଆଜିପରି ଏକ ଅପରାହ୍ନରେ ଏଇମିତି ଧୂଳି ଉଡ଼େଇ ସହରକୁ ଚାଲି ଯାଉଥିବା ଏକ ନାଲି ରଙ୍ଗର ବସ୍‌ରେ ନିର୍ବାସିତ ହୋଇ ଯାଇଥିଲା । ତା’ପରେ ଏତେଗୁଡ଼ାଏ ବର୍ଷ ! ସେଦିନ ଏମିତି ଚା’ ଦୋକାନ ନଥିଲା-। କେବଳ ସେ ଜାଗାରେ ଥିଲା ଗୋଟାଏ ବୁଢ଼ା ବରଗଛ । ଶୁଭକାନ୍ତ କ’ଣ ଭୁଲିଯାଇଛି, ବଡ଼ରାସ୍ତାର ଦେହକୁ ଲାଗି ଶାଖାନଦୀ ପରି ଥିବା ଏଇ ନୂଆପିଚୁ ଢଳା ରାସ୍ତା କେଉଁଆଡ଼େ ଯାଇଛି-। ଅବଶ୍ୟ ସେଦିନ ଏହାର ରୂପ ଥିଲା ନାଲି ମାଟି ଆଉ ଧୂଳିରେ ଭର୍ତ୍ତି । ଏଇ ରାସ୍ତାରେ ଗଲାବେଳେ ଆଗ ଗାଁ ପଟେ ସେଇ ସରୁ ନଈଟା ପଡ଼େ । ତା’ ପାଖେ ପାଖେ ଗଇଶ, ପଳାଶ, ଜାମୁ, ତାଳ, ଖଜୁରି ବଣ l କିଆଫୁଲ ଦୂରରେ ଆରପଟେ ଜୁଇ ଜଳେ । ବିଲୁଆ ଡାକେ । ଝିଁ ଝିଁ ଝିଙ୍କାରୀର ଗୀତ ଶୁଭେ । ତା’ପରେ ଶିବ ମନ୍ଦିର ମଙ୍ଗଳା ଚଉତରା, ଭାଗବତ ଟୁଙ୍ଗି, ଆଉ ଧାଡ଼ି ଧାଡ଼ି ନୁଆଁଣିଆ ଚାଳଘର । ସକାଳେ ଶୁଭେ ହଳ ଫିଟେଇବାର ଗୀତ । ଆଉ ସଞ୍ଜରେ ଘଷିଧୂଆଁ ସାଙ୍ଗେ ମଧୁମାଳତୀର ବାସ୍ନା ମନ୍ଦିରର ଘଣ୍ଟା, ଖୋଳ ଭିତରେ ସନ୍ଧ୍ୟା ଆଳତି ହୋଇଯାଏ । ଶୁଭକାନ୍ତ କ’ଣ ଭୁଲିଯାଇଛି ଏସବୁ ! ବ୍ରିଫ୍‌କେଶ୍‌ଟାକୁ ଡାହାଣ ହାତରୁ ବାଁ ହାତକୁ ନେଇ ଛାତିରେ ହାତ ମାରିଲା ଶୁଭକାନ୍ତ । ଏ ଛାତି ଭିତରେ ସେସବୁ ସେମିତି ଅଛି । କେବଳ ସମୟର ଗୋଟାଏ ମୃଦୁ ଆସ୍ତରଣ ତା’ ଉପରେ । ଇଚ୍ଛା କଲେ ଶୁଭକାନ୍ତ ସେ ଆସ୍ତରଣ କାଢ଼ି ଦେଖିପାରେ । ପ୍ରତିଟି ଜିନିଷକୁ ଛୁଇଁ ଛୁଇଁ ଅନୁଭବ କରିପାରେ । ସେତେବେଳେ ଥିଲା ସତର ବର୍ଷର ଗୋଟିଏ ଅବାକ୍ ପୃଥିବୀ, ଗୋଟିଏ ନିଜସ୍ୱ ଆକାଶ, ଗୋଟିଏ ସୁନ୍ଦର ଜଗତ ସେଠି ସ୍ନେହ ମମତା ଭର୍ତ୍ତି ଥିଲା । ଯେମିତି ସେସବୁ ସାରା ଜଗତକୁ ବାଣ୍ଟି ଦେଇଥିଲେ ମଧ୍ୟ ସରିଯାଇ ନଥାନ୍ତା ।

 

ନୂଆ ପିଚୁଢ଼ଳା ରାସ୍ତାରେ ପାଦ ଥୋଇଲା ଶୁଭକାନ୍ତ । ରାସ୍ତାର ଦୁଇପଟେ କ୍ଷେତ ଖାଁ ଖାଁ ଟାଙ୍ଗରା । ଠାଏ ଠାଏ ପନିପରିବା ଚାଷ ହୋଇଛି । ବର୍ଷା ହୋଇନାହିଁ ବୋଧହୁଏ । ଅକ୍ଷୟ ତୃତୀୟାରେ ହଳ ଆରମ୍ଭ ହୁଏ । ଶୁଭକାନ୍ତର ମନେଅଛି, ଏଇ ରାସ୍ତା ପାଖ ବିଲଟାରେ ଦିନେ ଏକ ଘୁମନ୍ତ ପାହାନ୍ତିରେ ସବୁ ଗାଁ ପିଲାଏ ମିଶି ଗୋଟାଏ ହେଟାବାଘ ମାରିଥିଲେ । ସେଦିନର ସେଇ ଆନନ୍ଦ କଥା ମନେପଡ଼ିଲେ ଦେହର ଲୋମ ଟାଙ୍କୁରି ଉଠେ । ଏବେବି କ’ଣ ପିଲାଏ କାକୁଡ଼ି ଚୋରି କରିବାପାଇଁ ପାହାନ୍ତାରୁ ଉଠି ଏପଟେ ଆସନ୍ତି ଆଉ ହେଟାବାଘ ଦେଖିଲେ ଗୋଡ଼େଇ ଯାଆନ୍ତି ଠେଙ୍ଗା ଧରି । ଭୁଲିପାରିନି ଶୁଭକାନ୍ତ । ଏଇ ଦୀର୍ଘ ଦଶବର୍ଷର ସହରୀ ଜୀବନର ଗୋଟିଏ ଗୋଟିଏ ପାହାନ୍ତିରେ ତା’ର ମନେପଡ଼ିଛି ବିଲ ମଝିରେ ହେଟାବାଘର ଅସହାୟ ଅବସ୍ଥା ଆଉ ଜଳ ଜଳ ଆଖି ଏବଂ ତାକୁ ଘେରି ରହିଥିବା ପିଲାଙ୍କର ଅଶାନ୍ତ ଉତ୍ତେଜିତ କୋଳାହଳ । ଛିଡ଼ା ହୋଇ ପଡ଼ୁ ପଡ଼ୁ ପାଦ ବଢ଼େଇଲା ଶୁଭକାନ୍ତ । ନା, ଏବେ ଏଠି କ’ଣ ଛିଡ଼ା ହୋଇ ହେବ ! ରାସ୍ତାଟାର ପରିବର୍ତ୍ତନ ହୋଇଯାଇଛି । ସେଇ ନାଲି ମାଟିର ସରୁ ରାସ୍ତା ନୁହ । କେବଳ ସାଇକେଲ୍ ନ ହେଲେ ଶଗଡ଼ଟାଏ ଯାଉଥିଲା । ଆଉ ଏବେ ଟ୍ରକ୍‌ଟାଏ ଚାଲିଯିବ !

 

ଏଇ ସେଇ ନଈ । ମିଛେଇ ଗାଁର ସବୁ ଧାନ କ୍ଷେତ ଶେଷ ହେଲାପରେ ଯେମିତି ସବୁ ବିଲକୁ ଛୁଇଁ ଛୁଇଁ ମମତାମୟୀ ମା’ ପରି ବହି ଯାଇଛି । ଏବେ ସବୁ ଧାରଟିଏ କେବଳ । ମନେହୁଏ ଚୁପ୍‌‌ଚାପ୍ ଶାନ୍ତ ଝିଅଟିଏ । ହେଲେ ବର୍ଷା ଦିନେ....କି ଭୟଙ୍କର ସେ ରୂପ ! ସବୁ ଧାନବିଲ ବୁଡ଼େଇ ଦିଏ । ରାସ୍ତାରେ ପାଣି ଚାଲେ । ଗାଁ ମଝି ମଙ୍ଗଳା ଚଉତରା ପାଖକୁ ବଢ଼ିପାଣି ଚାଲିଯାଏ । ଗାଁ ବୁଡ଼ିଯିବ ବୋଲି ସମସ୍ତେ “ମା’ ମଙ୍ଗଳା ସାହା’’ କହି ପ୍ରାର୍ଥନା କରନ୍ତି । ଆଶ୍ଚର୍ଯ୍ୟ କଥା....ଏତେ ଏତେ ସୁଅ ଯେମିତି ଧୀର ହୋଇ ମଙ୍ଗଳା ଚଉତରା ପାଖେ ଛଟପଟ ହେଉଥାଏ । ପାଣି ଚଉତରା ଟପେ ନାହିଁ । ଚଉତରାର ପିଣ୍ଡା ଛୁଇଁ ଛୁଇଁ ପୁଣି ଫେରିଯାଏ । ଆଉ ଏଇ ଖରାଦିନେ ସ୍କୁଲ୍‌ର ଗ୍ରୀଷ୍ମଛୁଟି ହୋଇଯାଏ । ତୋଟାରେ ଆମ୍ବ ପାଚିଥାଏ । ଶୂନ୍‌ଶାନ୍ ଖାଁ ଖାଁ ନିଃସ୍ୱ ଦି’ ପ୍ରହରରେ ଶୁଭେ କେବଳ ଗାଈଜଗା ପିଲାର ବଇଁଶୀ । ଧଡ଼ ଧାଡ଼ ଢିଙ୍କି ପାହାର । ଶୁଭକାନ୍ତ, ରାମ ଶ୍ୟାମ, ବିଜୁ ସମସ୍ତେ ପଳେଇ ଆସନ୍ତି ଏ ପାଖକୁ । ତୋଟାରୁ ଆମ୍ବ ଖାଇ, ନଈର ଥଣ୍ଡା ପାଣିରେ ବୁଡ଼ିବୁଡ଼ି ମାଛ ଧରନ୍ତି । ଦଣ୍ଡିକିରି, କଉ, ଠିକିରି କେତେ ଜାତି ମାଛ । ବେଳବୁଡ଼ି ଆସିଲେ ପ୍ରଧାନ ଅଜା ପୋଖରୀପାଣି ଆସି ପାଟି କରନ୍ତି, ‘‘ସବୁ ସାରିଦେଲେରେ” ଏ ବାଳୁଙ୍ଗାଗୁଡ଼ାକ । ମାଛଯାକ ସବୁ ବୋହି ନେଲେରେ....” ତାଙ୍କୁ ଖତେଇ ଖତେଇ ଦୌଡ଼ି ପଳାନ୍ତି ସମସ୍ତେ । ଓଦା ସର ସର ହୋଇ ପଛରେ ଶୁଭକାନ୍ତ ଅପରାଧୀ ପରି ପାହୁଣ୍ଡ ପାହୁଣ୍ଡ ଗଣି ସେ ଯାଏଁ । ପଧାନ ଅଜା ଗୁଡ଼ାଖୁ‌ ଟେଳାକ ପାଟିରେ ପୂରାଇ କହନ୍ତି ଏଇଟା ସବୁ ନଷ୍ଟର ଗୋଡ଼ା, ଚୁପ୍ ସଇତାନ’’ । ଏବେ କ’ଣ ପଧାନ ଅଜା ବଞ୍ଚିଛନ୍ତି ! ଆଉ ରାମ, ଶ୍ୟାମ, ବିଜୁ....ଆରେ ଏଇତ ସେଇ ଢିଅ । ସର୍ବସାଧାରଣଙ୍କର । ବର୍ଷାଦିନେ ଅରମା ଗଛ ଲତାରେ ଭର୍ତ୍ତି ହୋଇଯାଏ । ପୂଜା ପାର୍ବଣରେ ସଫା ହୋଇ ନାଟ ତାମସା ହୁଏ । ରାବଣ ବଧ, ଦ୍ରୌପଦୀ ବସ୍ତ୍ର ହରଣ, କୃଷ୍ଣକେଳି କେତେ କ’ଣ....କେର୍‌ପାଲ ପଡ଼େ । ବଡ଼ ବଡ଼ ଲଣ୍ଠନ ଲାଇଟ୍ ଜଳା ହୋଇ ଯାତ୍ରାହୁଏ । ସବା ଆଗରେ ଗୋଟାଏ ବେଞ୍ଚରେ ସରପଞ୍ଚ ବସନ୍ତି । ଏଇ ଦଶବର୍ଷ ଭିତରେ ଶୁଭକାନ୍ତ କେତେ ‘ମୂର୍ତ୍ତି’ ଦେଖିଛି, ହେଲେ କୃଷ୍ଣକେଳି, ଦ୍ରୌପଦୀ ବସ୍ତ୍ରହରଣ ଦେଖିଲା ବେଳର ସେ ସୁଖ, ସେ ରୋମାଞ୍ଚ ଆଜି କେବଳ ସ୍ଵପ୍ନପରି ମନେହୁଏ । ଢିହ ଉପରେ କେଡ଼େ ସୁନ୍ଦର ଘରଟିଏ ତିଆରି ହୋଇଛି । କୋଣୀକିଆ ଘର, ଚାରିପଟେ ମଲ୍ଲୀଗଛ ଧାଡ଼ି ଧାଡ଼ିରେ ଲଗା ହୋଇଛି । ବାଉଁଶ କଣିରେ ବାଡ଼ଘେରା ତାଟି ପାଖରେ ଲେଖା ହୋଇଛି । ‘ଆଦର୍ଶ ପାଠାଗାର’ । କାହିଁକି କେଜାଣି ଶୁଭକାନ୍ତର ମନଟା କେମିତି ଏକ ପୁଲକରେ ଭରିଗଲା । ଦଶବର୍ଷ ! ଆଃ..... ସ୍ମୃତି ଭିତରେ ସବୁତ ବଞ୍ଚି ରହିଛି-

 

ଥମକି ଛିଡ଼ା ହୋଇ ପଡ଼ିଲା ଶୁଭକାନ୍ତ ।

 

ଆରେ ଏଇଠି ତ ଆମ୍ବ ତୋଟା ଥିଲା । ସପ୍ତାହରେ ଦୁଇଥର ଏଇଠି ହାଟ ବସେ । ହାଟ ପାଳିରେ ହାଫ୍‌ଛୁଟି । ଗାଁର ସବୁ ଲୋକ ରୁଣ୍ଡ ହୁଅନ୍ତି । କେତେ ଦରବ କେତେ ବ୍ୟସ୍ତତା । କେତେ ଆନନ୍ଦ, ହାଫ୍‌ଛୁଟି ହେଲେ ପିଲାଏ ସୋଲା ଭଜା ବରା ଫୁଲୁରି ଖାଆନ୍ତି । ଶୁଭକାନ୍ତ ବି ଅନେକ ଥର ଖାଇଛି । ଅଥଚ ସେଇ ଡେଙ୍ଗା ଡେଙ୍ଗା ବ୍ରହ୍ମରାକ୍ଷସ ପରି ଛିଡ଼ା ହୋଇଥିବା ଗଛସବୁ ଆଜି ନାହିଁ । ରଜରେ ଏଇଠି ବାଉଁଶ ଦୋଳି, ଚରଖି ଦୋଳି ଲାଗେ । ନୂଆ ଲୁଗା ପିନ୍ଧି, ସଜବାଜ ହୋଇ ଝିଅ ପିଲାଏ ଗୀତ ବୋଲି ଦୋଳି ଖେଳନ୍ତି । ଆଉ ସେଇଠି.....କିଆବୁଦା ଉହାଡ଼ରେ ଚିତାଏ ଉଞ୍ଚର ଗୋଟାଏ ଉଇ ହୁଙ୍କା ଥିଲା । ଯୋଉଠି ଦୁଇଟା ବଡ଼ ବଡ଼ ଗୋଖର ସାପ ମୁହଁ ପୂରେଇ ଉଇ ଖାଆନ୍ତି । ଅନେକ ଥର ଦେଖିଛି ଶୁଭକାନ୍ତ । ସେ ଜାଗାରେ ଲମ୍ବା ଲମ୍ବା ପକ୍‍କା ଘର-। ଆଗରେ କେତେ ପ୍ରକାର ଫୁଲଗଛ । କଳା ରଙ୍ଗର ଗେଟ୍‌ରେ ଲେଖା ହୋଇଛି ‘ବାଳିକା ବିଦ୍ୟାଳୟ’ ତେବେ....ତେବେ ଝିଅମାନେ ଅଲଗା ପାଠପଢ଼ି ଶିଖିଲେଣି ! ସେଦିନ ହାତ ଗଣତି କେତୁଟା ଝିଅ ପଢ଼ୁଥିଲେ । ସେଥିରେ ପୁଣି ବାରକଥା ଭିତରେ ଅଧାରୁ ସେମାନେ ବନ୍ଦକରି ଦେଉଥିଲେ । ଶୁଭକାନ୍ତର ନାଚିବାକୁ ଇଚ୍ଛାହେଲା, ସେ ଭୁଲିଗଲା....ସେ ମିଷ୍ଟର ଶୁଭକାନ୍ତ ଦାସ, ବି. ଇ. । ଆହା.....ରାସ୍ତାପାଖର ଏଇ ବୁଢ଼ା ଶିମିଳି ଗଛଟା କିନ୍ତୁ ସେମିତି ଅଛି । କିଏ ଯେମିତି ଦୟାକରି ଛାଡ଼ି ଦେଇ ଯାଇଛି । ଶୀତ ଶେଷରେ କେତେ ଶିମିଳି ଫୁଲ ଫୁଟେ ଆଉ ଝରେ । ସବୁ ଓଲଟପାଲଟ ଭିତରେ ଏଇ ବୁଢ଼ା ଗଛଟି ଯେମିତି ଶୁଭକାନ୍ତ ପାଖେ ଅକ୍ଷୟ ଆଉ ଅବ୍ୟୟ ।

 

ସତରେ, ପାର୍ବତୀପୁର ବଦଳି ଯାଇଛି ! ଶୁଭକାନ୍ତ ଏମିତି ଭାବି ନଥିଲା ଯେ, ସେ ସେଇ ପୁରୁଣା ଦଶବର୍ଷ ତଳର ପାର୍ବତୀପୁରକୁ ଦେଖିବ । ହେଲେ ଏତେଟା ପରିବର୍ତ୍ତନ ସେ କ’ଣ ଆଶା କରିଥିଲା ! ଏସବୁ ଦେଖି ଶୁଭକାନ୍ତର ମନେହେଲା, ସହର ଯେମିତି ପାର୍ବତୀପୁର ପାଖରେ ବାଟ ଭୁଲିଯାଇଛି । ହୁଏତ ସେ ନଜେ ବୁଝିପାରୁନି । କେଉଁ ପଟ ଦେଇ ପଳେଇ ଯିବ । ସେଇ ପୁରୁଣା ହାଇସ୍କୁଲଟା । ଯେଉଁଠି ଶୁଭକାନ୍ତ ପାଠ ଶେଷକରି ସହରକୁ ପଳେଇଥିଲା, ସେଇଟା ସତରେ ଅନେକ ବଡ଼ ହୋଇଯାଇଛି । ସେଇ ମାଟିପିଣ୍ଡା, ଏକ ସାଇଟିଆ ଚାଳଘର । ଆଗରେ ଦୁଇଚାରିଟା ଗେଣ୍ଡୁଗଛ ବଦଳରେ, ଲମ୍ବା ଝକ୍‌ଝକ୍‌ ପକ୍‍କା ବରଣ୍ଡା, ଖେଳ ପଡ଼ିଆ, ସହର ଫୁଲରେ ସଜ୍ଜିତ କୋଠାଘର । ନୂଆ ହାଇସ୍କୁଲ ବଡ଼ ଗେଟ୍‌ର ଡାହାଣ ପଟେ କାଠ ଗୋଦାମ, ତେଜରାତି ଦୋକାନ ଆଉ ନୂଆ ପିଚୁଢ଼ଳା ରାସ୍ତା ପାଖେ ପାଖେ ଇଲେକଟ୍ରିକ୍ ତାର ଖୁଣ୍ଟି । ପାର୍ବତୀପୁର କେତେ ବଡ଼ ହୋଇଗଲାଣି ସତରେ ! ଏଇ ସେଇ ଶିବ ମନ୍ଦିର ଆଉ ଭାଗବତ ମଠ, ଜାଗର ଆଉ ଦୋଳ ପୁନେଇଁରେ ଏଠି ମେଳା ବସେ । ଆଉ ଏଇ ମଠ ପୋଖରୀରୁ ବର୍ଷକରେ ଥରେ ମାଛ ଧରା ହୁଏ । ସବୁ ଲୋକେ ଭାଗକରି ନିଅନ୍ତି । ଶୁଭକାନ୍ତ ଯେମିତି ପାହାଚ ପରେ ପାହାଚ ଅତିକ୍ରମ କରି କିଛି ଗୋଟାଏ ଆଶ୍ଚର୍ଯ୍ୟ ଜିନିଷ ପାଖରେ ପହଞ୍ଚି ଯାଉଛି ।

 

ଗାଁ ଭିତରେ ପାଦ ଦେଇ ସାରିଥିଲା ଶୁଭକାନ୍ତ । ସେଇ ଧାଡ଼ି ଧାଡ଼ି ଚାଳଘର ଭିତରେ ମୁଣ୍ଡ ଟେକିଛି ପକ୍‍କାଘର, ଟାଇଲି ଛପର ଘର । ଗାଁ ଦାଣ୍ଡରେ ପଞ୍ଝାଏ ପିଲା ଡୁ ଡୁ ଖେଳୁଛନ୍ତି । ଚାଉଳ ଗୋଲା ଭିତରୁ ମେସିନ୍‌ର ଆୱାଜ ଶୁଭୁଛି । ଏଇ ପ୍ରଥମ ଘରଟା ଥିଲା ପଧାନ ଅଜାଙ୍କର । ଗାଁର ମାମଲତ୍‌କାର ସେ । ଓଉଫୁଲିଆ ଜାଉଁଳି କବାଟ, ଚାଳରେ କଖାରୁ ଲଟା ବଦଳରେ ଟାଇଲଛପର ଘର । କାଠ ପଟାର କବାଟ । ନିତି ସ୍କୁଲରୁ ଫେରିବାବେଳେ ଅଜା ଅଣ୍ଟାଏ ଉଞ୍ଚପିଣ୍ଡାରେ ବସି ହେମଦସ୍ତାରେ ପାନ ଛେଚୁଥାଆନ୍ତି । ଶୁଭକାନ୍ତ ସାଙ୍ଗମାନଙ୍କ ସହିତ ହାତ ପତେଇ ପାନ ଚୋବାଇଲା ପରି ଅଭିନୟ କରି ପାନ ମାଗେ, ଅଜା ଖଣ୍ଡେ ପାନ ଦିଅମ, ତମ ହାତ ଭାରି ମିଠା । ଅଜା ହେମଦସ୍ତା ବାଡ଼ି ଉଠାନ୍ତି ମାରିବାକୁ । ସମସ୍ତେ ଖିଲିଖିଲି ହୋଇ ହସି ଦୌଡ଼ି ପଳାନ୍ତି । ମୁହଁସଞ୍ଜ ଭିତରେ ଗୋଧୂଳି ଉଡ଼ା ଆଲୁଅ ନିଭି ନିଭି ଆସେ । ଠିକ୍ ଦଶବର୍ଷ ପରେ ସେମିତି ଏକ ଗୋଧୂଳି ଉଡ଼ା ମୁହୂର୍ତ୍ତ । ପଧାନ ଅଜାଙ୍କର ବଡ଼ ପିଣ୍ଡାଟା ଶୂନ୍‌ଶାନ୍ । ଭିତରୁ ପାଟି ଶୁଭୁଛି । ପ୍ରଧାନ ଅଜାଙ୍କର ପୁଅ ନଥିଲା । କେବଳ ପାଞ୍ଚଟି ଝିଅ । ଆଜି କିଏ ସବୁ ଏଠି ଅଛନ୍ତି କିଏ ଜାଣେ ! ସମସ୍ତଙ୍କର ଆଖିରେ କୌତୁହଳ ଅନୁସନ୍ଧିତ୍ସା । ଶୁଭକାନ୍ତକୁ କେହି ଚିହ୍ନିପାରୁ ନାହାନ୍ତି । ଶୁଭକାନ୍ତ ସହରି ହୋଇଯାଇଛି ।

 

ଶୁଭକାନ୍ତ ଜାଣେ, ଅତୀତ ଫେରି ଆସେନା । ତା’ର ସେଇ ବାଲ୍ୟ, କୈଶୋର ଓ ପ୍ରଥମ ଯୌବନ ଆଉ ଫେରି ଆସିବ ନାହିଁ । ତଥାପି କିଛି ଆସେ, ନିଜର ଅନୁଭୂତି ଭିତରେ ଜୀବନ୍ତ ହୋଇଯାଏ । କିଛି ସମୟ ପାଇଁ ସବୁ ପ୍ରତ୍ୟକ୍ଷ ସବୁ ସତ୍ୟ ହୋଇ ଛିଡ଼ାହୁଏ । ଆଜି ଦୀର୍ଘ ଦଶବର୍ଷ ପରେ ଶୁଭକାନ୍ତ ଅନୁଭବ କରୁଛି ସବୁ । ମନେ ପଡ଼ୁଛି ସାହିତ୍ୟ ସାର୍‌ଙ୍କ କଥା–ତାଙ୍କର ସେଇ ହାତ ହଲେଇ ବୁଝାଉଥିବାର ଦୃଶ୍ୟ–‘‘ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନ ଥାଉ ତା’ର ନାଁଟି । ମାଟିର ସେଇ ସରଗ ମୋର”...ନା....ଆଉ ମନେପଡ଼ୁନି କିଛି । ଗୋଟାଏ ଦୀର୍ଘଶ୍ୱାସ ବାହାରି ଆସିଲା ଛାତି ଭିତରୁ । ବେଙ୍ଗନାନୀର ଚିଠିଟା ପକେଟ୍ ଭିତରେ ଅଛି । ନାନୀ ଲେଖିଛି, ‘‘ଶୁଭ, ତୋ ଠିକଣାଟା ବହୁ କଷ୍ଟରେ ଯୋଗାଡ଼ କଲି, ତୁ ଏଇନା ସହରୀ ବାବୁ ହୋଇଗଲୁଣି । ମନେ ରଖିଚୁ କି ବେଙ୍ଗନାନୀକୁ–ଆସିବୁ କି ଥରେ, କେତେ ଇଚ୍ଛା ହେଉଛି ତତେ ଦେଖିବାକୁ, କେତେ କଥା ଅଛି କହିବାକୁ । ଏଇ ପାର୍ବତୀପୁର ଆଉ ଆଗପରି ନାହିଁ । ସବୁ ବଦଳି ଗଲାଣି । ଏମିତିକି ତୋର ବେଙ୍ଗନାନୀ ମଧ୍ୟ । ଆଗପରି ଆଉ ସକାଳେ ସଞ୍ଜେ ଦୁଇଟା ବସ୍ ଚାଲୁନାହିଁ । ଏବେ ଚାରିଟା ବସ୍ ଯାଉଛି ଆସୁଛି । ପ୍ରଥମ ବସ୍ ଭୋର ପାଞ୍ଚରେ ଯାଏ । ଆଉ ଶେଷ ବସ୍ ଅପରାହ୍ନ ପାଞ୍ଚଟାରେ ଫେରିଆସେ । ଆସିବୁକି ଥରେ । ତତେ ମୋର ଖୁବ୍ ଦରକାର’’-। ଶୁଭକାନ୍ତ ଜାଣେ, ଗାଁ ମୁଣ୍ଡର ସେଇ ବଡ଼ କୃଷ୍ଣଚୂଡ଼ା ଗଛର ଠିକ୍ ପଛପଟେ ବେଙ୍ଗ ନାନୀର ଛୋଟିଆ ଚାଳ ଘରଟି । ନଟ ବଡ଼ବାପାଙ୍କର ଏକମାତ୍ର ସନ୍ତାନ ବେଙ୍ଗନାନୀ । ମନେଅଛି ବଡ଼ା’ପାଙ୍କୁ ସେଇ ପାଞ୍ଚହାତିଆ ମର୍ଦ୍ଦ । କାନ୍ଧରେ ହଳ ନେଇ ଗଲାବେଳେ ଗୋଟିଏ ଡେଙ୍ଗା ତାଳଗଛ ପରି ଦିଶନ୍ତି । ଦଶବର୍ଷ ତଳେ ଶୁଭକାନ୍ତକୁ ଶେଷ ବସ୍‍ରେ ଚଢ଼େଇ ଦେଇ ଦୂରର ବାଲିପଠା ଉହାଡ଼ରେ ଗୋଟାଏ ଜଳନ୍ତା ନିଆଁ ପିଣ୍ଡୁଳା ପରି ବୁଡ଼ି ଯାଉଥିବା ସୂର୍ଯ୍ୟ ଆଡ଼େ ଚାହିଁ ବଡ଼ା'ପା କହିଥିଲେ, ‘‘ଶୁଭ, ସହରକୁ ଯାଉଛୁ, ମଣିଷ ପରି ମଣିଷ ହବୁ । ଏଇ ଅପନ୍ତରା ଭୂଇଁକୁ ଦିନେ ସାହେବ ହୋଇ ଫେରିଆସିବୁ । ଗାଁ ମାଟିର ଉନ୍ନତି କରିବୁ’’–ହୁଏତ କଥା ସତ ହୋଇଛି । ହେଲେ କି ଉନ୍ନତି ସେ ଆଉ କରିବ ! ସେ ମଣିଷ ବି ଅଛନ୍ତି କି ନାହିଁ କିଏ ଜାଣେ ! !

 

ଆଉ ବଡ଼ମା’ ବାଙ୍ଗରା ମଣିଷ । ଗୁଣ୍ଠୁଣୀ ହାତୀପରି ଚାଲି । ଶୁଭକାନ୍ତକୁ ଘଷି ମାଜି ପାଣି ଢାଳି ଗାଧୋଇ ଦେଲାବେଳେ ଆକଟି କହନ୍ତି, “ଶେଯରୁ ତ ବାପ ମା’ଙ୍କୁ ଖାଇଲୁ । ଏବେ ଟିକେ ନିଜକୁ ଅନାରେ, ବଡ଼ ହେଲୁ ବୁଦ୍ଧି ହେଲାନାହିଁ ।” ଏକାସାଙ୍ଗେ ପଢ଼ୁଥିବା ବେଙ୍ଗନାନୀ ହାକିମୀ କରି କହେ, ତୁ ମତେ ନାନୀ ଡାକିବୁ, ମୁଁ ତୋଠୁ ବର୍ଷେ ବଡ଼ଟି–ବେଙ୍ଗନାନୀ କ’ଣ ସେମିତି ଅଛି !‌ ଏଇ ଦଶବର୍ଷ ଭିତରେ ଶୁଭକାନ୍ତ ପ୍ରାୟ ଭୁଲିଯାଇଥିଲା ବେଙ୍ଗନାନୀକୁ ! କିନ୍ତୁ ଚିଠିଟା ପାଇ ତା’ର ମନେ ହେଲା, ଇଚ୍ଛାକଲେ ସବୁ ଭୁଲି ହୁଏନା । ମନେପଡ଼ିଲା ବେଙ୍ଗନାନୀ ନାଲି କସ୍ତା ପିନ୍ଧି ଖରାରେ ଛିଡ଼ାହେଲେ ଭାରି ସ୍ନିଗ୍‌ଧ ଦେଖାଯାଏ । ଶୁଭକାନ୍ତ ପାଦ ବଢ଼େଇଲା, ସନ୍ଧ୍ୟା ହୋଇଗଲାଣି । ଶଙ୍ଖଧ୍ୱନି ଶୁଭୁଛି । ଭାସି ଆସୁଛି ପୋଡ଼ା ସଞ୍ଜସଳିତାର ବାତ୍ସ୍ନା । ବେଙ୍ଗନାନୀ ଏଇନା କେମିତି ଦିଶୁଥିବ, କ’ଣ କରୁଥିବ !

 

।। ଦୁଇ ।।

 

ମୃଦୁ ଶବ୍ଦରେ ଶୁଭକାନ୍ତ ଫେରି ଚାହିଁଲା । ବେଙ୍ଗନାନୀ ଚା’ ନେଇ ଆସୁଛି । ମୁହଁରେ ବାସୀ ନିଦର ଛାପ । ବାହାରେ ସକାଳର କୋଳାହଳ । ଏତେ ବର୍ଷ ଭିତରେ ଶୁଭକାନ୍ତ ଏଇ ପ୍ରଥମ ଏତେ ସକାଳୁ ଉଠି ପଡ଼ିଛି । ବେଙ୍ଗନାନୀ ଅବଶ୍ୟ ଉଠେଇ ଦେଇଛି, ଶୁଭକାନ୍ତ ଚୁପ୍‌‌ଚାପ୍‌ ଘର ଭିତରେ ଆଖି ବୁଲେଇ ନେଲା I ଏଇଟା ନିଶ୍ଚୟ ବେଙ୍ଗନାନୀର ଘର । ଆଗେ ଏତେ ପରିଷ୍କାର ନଥିଲା । ଏଇ ଘରେ ଧାନବସ୍ତା ଚାଉଳ ବସ୍ତା ରହେ । ଆଉ ଗୋଟିଏ ପଟେ ସେ ବଡ଼ବାପାଙ୍କ ପାଖେ ମସିଣାରେ ଶୁଏ । ପାଖ ଘରେ ବଡ଼ମା, ବେଙ୍ଗନାନୀ, ତା’ ପାଖକୁ ରୋଷ ଘର । ମେଲା ବାରଣ୍ଡା । ସବୁ ସେମିତି ଅଛି । ଖାଲି ଟିକିଏ ଆଧୁନିକ ପରିବର୍ତ୍ତନ । କେତୁଟା ଟ୍ରଙ୍କ, ଛୋଟ ଆଲମିରାଟିଏ, ଟୁଲ୍‌ଟିଏ, ଆଉ ଏଇ ଖଟଟି । କାନ୍ଥରେ କେତେ ଦେବଦେବୀଙ୍କର ଫଟ । ଅଲଣାରେ ଶାଢ଼ୀ, ବ୍ଲାଉଜ କେତେଖଣ୍ଡ । ରାତିରେ ଭଲକରି ଦେଖି ନଥିଲା । ଏ ସବୁ, ଏଇ ଘର, ଏଇ ଚାରି ପାଖର ପରିବେଶ ସବୁ ତ ଶୁଭକାନ୍ତର ଚିହ୍ନା । ତଥାପି କେମିତି ଅପରିଚୟ ଆଉ ବିସ୍ମୟ ଭିତରେବି ସେ ଆରାମ ଅନୁଭବ କରିଥିଲା । ସାରା ଗାଁପରି ବେଙ୍ଗନାନୀର ଘରବି ବଦଳି ଯାଇଛି-। ଘରକୁ ବିଜୁଳିବତୀ ନିଆ ହୋଇଛି । ବେଶି ପରିଚ୍ଛନ୍ନ ଲାଗୁଛି । ଚା’ ପିଉ ପିଉ ବେଙ୍ଗନାନୀକୁ ଚାହିଁଲା ଶୁଭକାନ୍ତ । ବେଙ୍ଗନାନୀର ଭଲ ନାଁ କନକଲତା, ସମସ୍ତେ ବେଙ୍ଗ ଡାକନ୍ତି ଗେଲରେ । କନକଲତା କେବଳ ସ୍କୁଲର ଉପସ୍ଥାନ ଖାତାରେ ସୀମିତ ଥିଲା । ବେଙ୍ଗନାନୀ ହସିଲା, ‘ତୋର ଭାରି ଅସୁବିଧା ହଉଥିବ ! ହେଲେ ମୁଁ ଜାଣେ ତୁ ମାନେଇ ନବୁ ।’ ନୀରବରେ କପ୍‌ଟା ଟୁଲ୍ ଉପରେ ଥୋଇଦେଇ ଶୁଭକାନ୍ତ ଚାହିଁଲା ବେଙ୍ଗନାନୀକୁ । ଏଇ ଦଶବର୍ଷ ଭିତରେ ବେଙ୍ଗନାନୀ ମଧ୍ୟ ଅନେକ ବଦଳି ଯାଇଛି । ସୁନ୍ଦର ଆଖି ଦି’ଟାରେ କେମିତି ଏକ ବିଷନ୍ନତା । ହସକୁରୀ, ଅଭିମାନିନୀ ଚପଳା ବେଙ୍ଗନାନୀ ଅନେକ ବେଶୀ ଗଭୀର ଆଉ ଚୁପ୍‌ଚାପ୍‌ ହୋଇଯାଇଛି । ଖଟର ଗୋଟାଏ ପଟେ ବସି ପଡ଼ୁ ପଡ଼ୁ ବେଙ୍ଗନାନୀ କହିଲା ‘ଶୁଭ, ତତେ କାଲି ଭଲ ନିଦ ହୋଇଥିଲା ତ । ତୋର ତ ଏସବୁରେ ଅଭ୍ୟାସ ନାହିଁ ।’ ଖଟ ଉପରେ ବିଛା ହୋଇଥିବା ଶସ୍ତା ବିଛଣା ଚଦରକୁ ଚାହିଁ ସେ କହୁଥିଲା ।

 

ଏଇ ପ୍ରଥମ କଥା କହିଲା ଶୁଭକାନ୍ତ । ଅଳସ ଭାଙ୍ଗୁ ଭାଙ୍ଗୁ କହିଲା । ‘କାଲି ଏତେ ସୁନ୍ଦର ଥଣ୍ଡା ପବନ ଦେଲା, ଯାହା ଏଆର୍‍କୁଲାର ରୁମ୍‌ରେ ବି ମିଳେନା । ଆଉ ନିଦ କଥା ପଚାରୁଛୁ, ଏଇ ଗରମ ଦିନରେ ପ୍ଳାଣ୍ଟ ଏରିଆରେ ଯେତେ ଗରମ ହୁଏ, ତୁ ଜାଣିଲେ କାବା ହୋଇଯିବୁ । ଏମିତି ପବନ ଏଇ କେବଳ ପୁରୀର ସମୁଦ୍ରକୂଳ ଛଡ଼ା ଆଉ କେଉଁଠି ମିଳିବ ! ଏଇ ଥଣ୍ଡା ପବନ ଏଇ ଚୁପ୍‍ଚାପ୍‍ ଶାନ୍ତ ପରିବେଶ ଭିତରେ ଅନିଦ୍ରା ରୋଗୀକୁ ମଧ୍ୟ ନିଦ ହୋଇଯିବ, ଆଉ ଜାଣୁ ତ ସହଜରେ ମୁଁ ନିଦକାତୁରା–

 

ବେଙ୍ଗ ଲକ୍ଷ୍ୟ କଲା କଥା କହୁ କହୁ ଶୁଭକାନ୍ତର ସ୍ୱରଟା କେମିତି ଆବେଗ ପ୍ରବଣ ହୋଇଯାଇଛି । ଏଇ ଶୁଭକାନ୍ତ...ଶାନ୍ତ ନିରୀହ, ନକ୍ ନକ୍ ଦିହ । ଆଜି କେତେ ବଡ଼ ହୋଇଗଲା ! ଏକ ପରିପୂର୍ଣ୍ଣ ସ୍ୱାସ୍ଥ୍ୟବାନ୍ ସୁପୁରୁଷ !!

 

ଶୁଭକାନ୍ତ ପଚାରିଲା–ବଡ଼ମା’ କ’ଣ ସବୁବେଳେ ବିଛଣାରେ ପଡ଼ିଥାନ୍ତି–

 

ବେଙ୍ଗ ଚାହିଁଲା–ଅର୍ଥହୀନ ସେ ଦୃଷ୍ଟି । କିଛି ମନେ ପକେଇଲା ପରି କହିଲା, ଆଉ କ’ଣ କରିବ କହ, ଗୋଟାଏ ହାତ, ଗୋଟାଏ ଗୋଡ଼ ପୂରାପୂରି ଅଚଳ, ପାରାଲିସିସ୍ । ବହୁ କଷ୍ଟରେ ଉଠେଇ ତା’ର ସବୁକାମ ମତେ କରିବାକୁ ହୁଏ ।

 

ଶୁଭକାନ୍ତର ଛାତି ଭିତରେ କେମିତି ଏକ ବ୍ୟଥାର ଦଂଶନ । ଏଇ ବଡ଼ମା’ ! ନିଟୋଳ ସ୍ୱାସ୍ଥ୍ୟବତୀ । ଗୋରା ତକ୍‌ ତକ୍ କପାଳରେ ନାଲି ସିନ୍ଦୂରର ବିନ୍ଦୁ । ନାକରେ ମସ୍ତ ଗୁଣା । ଓଢ଼ଣାଟା ସବୁବେଳେ ଆଖି ଉପରେ ଥାଏ । ଶୁଭକାନ୍ତକୁ କୂଅ ମୂଳେ ଗାଧୋଇ ଦେଲାବେଳେ ଦୋହଲୁଥିବା ସେଇ ଗୁଣାକୁ ଅବାକ୍ ହୋଇ ଚାହିଁ ରହେ ଶୁଭକାନ୍ତ । ବଡ଼ମା’ ପାଟି କରି କହନ୍ତି, କିରେ ମତେ ଚାହିଁଚୁ କ’ଣ, ପାଣି କୁଳି କରିଦେ, ପାଟିରେ ଅସନା ଥିବ ।” ହେଲେ ସେଇ ବଡ଼ମା’–ଆଜି ଜରାଜୀର୍ଣ୍ଣ କଙ୍କାଳସାର ଏକ ଜୀବନ୍ତ ଅସ୍ତିତ୍ୱ ମାତ୍ର । ଫାଙ୍କା କପାଳ । ବାଳସବୁ ଝୋଟ ପରି । ଶୁଭକାନ୍ତ ପ୍ରଥମେ ଭୟ ପାଇଯାଇଥିଲା ଏଇ ବଡ଼ମା’କୁ !

 

ଆଉ ବଡ଼ା’ପା.....ଶୁଭକାନ୍ତ ଆସ୍ତେ ଆସ୍ତେ ପଚାରିଲା ।

 

ପିନ୍ଧିଥିବା କାନିଟାକୁ କାନ୍ଧ ଉପରକୁ ଟାଣିନେଇ ଗୋଟିଏ ନିଶ୍ଵାସକୁ ଚାପି ରଖି ବେଙ୍ଗନାନୀ କହିଲା, ‘‘ଗାଁକୁ ରେମନ୍‍ ସର୍କସ ଆସିଥାଏ । ମଠ ପଡ଼ିଆରେ ସର୍କସବାଲା ତମ୍ବୁ ପକେଇ ରହୁଥାନ୍ତି । ମୁହଁ ସଞ୍ଜବେଳେ ବାପା ମୋଠୁ ପାନଖଣ୍ଡେ ନେଇ ସେପଟେ ବୁଲିଯାଇଥିଲେ ବହୁତ ରାତିଯାଏ ଫେରିଲେ ନାହିଁ । ବୋଉ ବ୍ୟସ୍ତ ହେଲା । ସକାଳୁ ତାଙ୍କର ଶବଟା ମଠ ପୋଖରୀ ପାଣିରେ ଭାସୁଥିଲା । ସମସ୍ତେ କହିଲେ–ବିଶ୍ୱାଳ ପୁଅ ବୁଡ଼ି ମଲା । ଦେ’ଣା କରିଥିଲାଟି, କିଏ ଶୁଝିଥାନ୍ତା । ପୁଅ ବକଟେ ତ ଭଗବାନ ଦେଇନାହାନ୍ତି । ପରେ ଜାଣିଲି ଜମି ବିବାଦ । କିଛି କରିବାର ନଥିଲା । ତୋ କଥା ମନକୁ ଆସିଲା । ହେଲେ ତୋର ଠିକଣା ଜଣାଥିଲେ ତ–"

 

ନଟ ବଡ଼ା’ପା...ସେଇ ପାଞ୍ଚହାତୀ ମର୍ଦ୍ଦ । ମୁଣ୍ଡରେ ଠେକା । ପାନପିକରେ କଷରା ଓଠ ମନେପଡ଼ିଲାକ୍ଷଣି ଶୁଭକାନ୍ତର ଛାତି ଭିତର କେମିତି ହୋଇଗଲା ।

 

କଥାକୁ ବାଆଁରେଇ ନେଲାପରି ବେଙ୍ଗ କହିଲା । ‘ବୋଉ କ’ଣ କହୁଥିଲା ଜାଣିଚୁ ।’ ପଚାରିଲା ଆଖିରେ ଚାହିଁଲା ଶୁଭକାନ୍ତ ।

 

ତୁ ଆଉ ସେଇ ଆଗର ଶୁଭ ହୋଇ ରହିନୁ ।

 

ବଡ଼ ପାଟିରେ ହସି ଉଠିଲା ଶୁଭକାନ୍ତ । ‘‘ବଡ଼ମା କ’ଣ ସେଇ ଆଗପରି ଅଛନ୍ତି ! ନା ତୁ–ତୁବି ତ ଢେର ବଦଳି ଯାଇଚୁ । ସମୟଟା ସତରେ ଭାରି ନିଷ୍ଠୁର ବେଙ୍ଗନାନୀ; ସମସ୍ତଙ୍କୁ ବଦଳେଇ ଦିଏ ।”

 

ବେଙ୍ଗନାନୀ ହସୁ ହସୁ କହିଲା, ‘ବୁଢ଼ୀ ହୋଇଯାଇଛି, ନାରେ ? ତୁ କେତେ ସୁନ୍ଦର ଦିଶୁଚୁ । ଆଉ ମୁଁ...ନିଶ୍ୱାସଟିଏ ଛାଡ଼ି ପୁଣି କହିଲା, ତୁ ସ୍କଲରସିପ୍ ପାଇଲୁ ବୋଲି ବାପା ତତେ ଜିଦ୍ କରି ସହର ପଠେଇ ଦେଲେ । ତା’ପରେ ଏଇ ଦଶବର୍ଷ ! ତୁ ବୁଝି ପାରିବୁନି । କେତେ ଖାଲ ଢିପ ଦୁଃଖ ଯନ୍ତ୍ରଣା ଭିତରେ ବାଟ ଚାଲିବାକୁ ହୋଇଛି ମତେ । ବାପା ଚାଲିଗଲେ । ବୋଉ ବେମାର ହେଲା, ଜମି ଗଲା । କେବଳ ଏଇ ଢିହ ଖଣ୍ଡିକୁ ଆଶ୍ରାକରି କେତେ କଷ୍ଟରେ ଅଧା ପାଠକୁ ଘୋଷି ଘୋଷି ମାଟ୍ରିକ୍ ପାଶ୍‍ କଲି । ଭଗବାନ ବଡ଼ଲୋକ, ଗାଁରେ ଗାର୍ଲସ୍‌ ସ୍କୁଲ ଖୋଲିଲା । ସମସ୍ତେ ଦୟାକରି ମତେ ଏଇ ଚାକିରିଟା ଦେଲେ ।’

 

ପରିବେଶକୁ ହାଲୁକା କରିବାପାଇଁ, ଶୁଭକାନ୍ତ ଥଟ୍ଟାରେ କହିଲା, ‘ସତରେ ତତେ ଜମା ମାଷ୍ଟ୍ରାଣୀ ଦିଶୁନି । ପାଠ ପଢ଼ିବୁନି ବୋଲି ତ ସେଦିନ ଶ୍ରେଣୀରୁ ବସ୍ତାନି ଧରି ପଳେଇ ଆସିଲୁ । ତତେ କେତେ ବୁଝେଇଛି ସେଦିନ । ତୋର ସେଇ ଗୋଟିଏ କଥା, ତୁ ମୋଠୁ ସାନ ଏକାସାଙ୍ଗେ ତୋରି ଶ୍ରେଣୀରେ ପଢ଼ିବିନି । ମୂର୍ଖ ହେବି ପଛେ । ଝିଅପିଲା ମୁଁ, ପାଠପଢ଼ି କ’ଣ ହାକିମ ହେବି !”

 

ଲମ୍ବା ବେଣୀଟାକୁ ଖୋସା କରୁ କରୁ ବେଙ୍ଗ କହିଲା, ‘ସେଦିନ ପିଲା ଥିଲି । ଅଳ୍ପ ବୟସର ଏକ ଜିଦ୍‌ଖୋର ହୃଦୟ ଥିଲା । ଭାରି ନରମ । ତା’ପରେ ବଡ଼ ହୋଇଗଲି । ହୃଦୟଟାବି କଷ୍ଟ ସହି ସହି ଟାଣ ହୋଇଗଲା । ଭଲମନ୍ଦ, ଯନ୍ତ୍ରଣା ଦୁଃଖ ଭିତରେ ଜୀବନକୁ ଚିହ୍ନି ଶିଖିଲି ।’ ଶୁଭକାନ୍ତ ସେମିତି ହାଲୁକା ସ୍ଵରରେ କହିଲା, ‘ମନେ ଅଛି ବେଙ୍ଗନାନୀ, ତୋର ଅଙ୍କ ହେଉ ନଥିଲା ବୋଲି ସାର୍‌ଙ୍କ ଆଗେ ତୋ କାନ କେତେଥର ମୋଡ଼ିଛି । ତୁ ଠିକ୍ ମନେ ରଖିଥାଉ କେତେଥର ଘରକୁ ଫେରି ବସ୍ତାନୀ ଥୋଇଦେଇ ବଡ଼ମା’ ଆଗରେ ସେତିକି ଥର ଗଣି ଗଣି ମୋ କାନ ମୋଡ଼ୁ-। ବଡ଼ମା’ ଯେତେ ମନାକଲେ ମଧ୍ୟ କିଛି ଶୁଣୁନା ।’

 

ବେଙ୍ଗ ହସିଲା । ‘ଅଙ୍କ ଭଲ କରୁ ବୋଲି ତୁ ଆଜି ଇଞ୍ଜିନିୟର ସାହେବ । ଅଙ୍କ ଭଲ ନାହିଁ ବୋଲି ଜୀବନର ସବୁ ହିସାବ ମୋର କେବଳ ଭୁଲ୍ ।

 

ତୁ ଆଜି ସ୍କୁଲ ଯିବୁନି......

 

ନା, ଆଜି ଛୁଟି ନେଇଛି ତୋପାଇଁ । କେତେ ବର୍ଷ ପରେ ଆସିଛୁ । ଏଇ ମଫସଲରେ ଏକୁଟିଆ ତତେ ଭଲ ଲାଗିବନାହିଁ । ବୋଉ ତ ବେମାରିଆ–

 

ପାଖଘରୁ କ୍ଷମତା ଅଥଚ ତୀକ୍ଷ୍ଣ ଡାକ ଶୁଭିଲା । ବେଙ୍ଗଲୋ, ଶୁଭ ଦାନ୍ତ ଘଷିଲାଣିଟି, ପିଲାଟାର କଥା ନ ବୁଝି ଖାଲି ଗପୁଚୁ.....

 

ବ୍ୟସ୍ତ ହୋଇ ଛିଡ଼ା ହୋଇ ପଡ଼ିଲା ବେଙ୍ଗନାନୀ । ମଶାରିଟା ପୂରା ଖୋଲି ଦଉ ଦଉ କହିଲା ।

 

ହେଇ, ଗପୁ ଗପୁ ଭୁଲିଯାଇଛି ତୋ କଥା । ବୋଉ ରାଗିବ । ତୁ ଗଲୁ କୂଅମୂଳେ ପାଣି କାଢ଼ିଦେଇ ଆସିଛି ଚଟ୍‌ ପଟ୍ ଦାନ୍ତ ଘଷି ପକେଇବୁ । କୂଅମୂଳ ମନେଅଛିଟି ? ତକିଆ ତଳୁ ଘଣ୍ଟା କାଢ଼ି ଦେଖୁ ଦେଖୁ ଶୁଭକାନ୍ତ କହିଲା । ବେଙ୍ଗନାନୀ, କହିବାକୁ ଗଲେ ତୁ ତୋ ଶୁଭକୁ ଭୁଲି ଯାଇଚୁ-। ଶୀତଦିନେ ଗାଧୋଇବିନି ବୋଲି ତୋଠୁ ସେଇ କୂଅମୂଳେ କାନମୋଡ଼ା ଖାଇଛି । ନିଷ୍ଠୁର ପରି କୂଅର ଥଣ୍ଡାପାଣି ଢାଳରେ ମୋ ଉପରେ ଅଜାଡ଼ି ଦେଇଚୁ । ସେସବୁ କ’ଣ ଭୁଲିବା କଥା–

 

କ’ଣ ଭାବି ବେଙ୍ଗ ଜୋର୍‌ରେ ହସି ଉଠିଲା । ଶୁଭକାନ୍ତ ଟୁଲ୍ ଉପରୁ ଟୁଥବ୍ରସ୍ ନେଇ ସ୍ଳିପର୍‌ଟା ଗଳେଇ ବାହାରି ଯାଉ ଯାଉ କହିଲା, ‘କେତେଦିନ ପରେ ଏମିତି ଏକ ସୁନ୍ଦର ସକାଳ ଦେଖିଲି । କଣେଇ ଚାହିଁଲା ବେଙ୍ଗ ଶୁଭକାନ୍ତ ମୁହଁକୁ ସେ ମୁହଁରେ ଆନ୍ତରିକ ଜୀବନ୍ତ ହସର ଫୁଲଝର । ବିଛଣା ଚଦରଟା ଭଲକରି ଝାଡ଼ିଦେଲା ସେ । ଆର ଘରୁ ବୋଉର ବିଡ଼୍‍ ବିଡ଼୍‍ କଥା ଶୁଭୁଛି । ବିରକ୍ତ ହେଉଛି ବୋଧହୁଏ । ବାହାରେ ଝର୍କା ଆରପଟେ ଏକ ସୁନ୍ଦର ସକାଳ ସ୍ଵାଗତ କରୁଛି । କାହିଁକି କେଜାଣି ବେଙ୍ଗର ଛାତି ଫଟେଇ ଏକ ଦୀର୍ଘଶ୍ଵାସ ବାହାରି ଆସିଲା । କୃଷ୍ଣଚୂଡ଼ା ଗଛରେ ଅନେକ ପକ୍ଷୀଙ୍କର କଳରବ ।

 

।। ତିନି ।।

 

ତାସ୍ ମୁଠାକ ଆଉଥରେ ନ ଫେଣ୍ଟି ଶୁଭକାନ୍ତ କହିଲା, ‘ବେଙ୍ଗନାନୀ, ଚାଲ ଟିକେ ନଈ ଆଡ଼େ ବୁଲି ଆସିବା । ମନ ଅଥୟ ହେଲାଣି ଅନେକ ବେଳୁ, ଆଉ ଟିକେ ଖରା କମୁ । ବେଙ୍ଗ ଅବାକ୍ ହୋଇ କହିଲା । ନା, ତାସ୍‌ରେ ଆଉ ମନ ଲାଗୁନି । ଉଠ୍ ଏବେ । ଶୁଭକାନ୍ତର ଜିଦ୍ । ଅଗତ୍ୟା ବେଙ୍ଗ ଉଠି ପଡ଼ିଲା । ରହ ତେବେ ବୋଉକୁ କହି ଆସେ ।’
 

ଅପରାହ୍ନର ଆଲୁଅ ନରମ ହୋଇ ଗଲାଣି । ବେଙ୍ଗନାନୀ ଘର ବାରିପଟ ସରୁ ରାସ୍ତାରେ, ଚାଲୁ ଚାଲୁ ଶୁଭକାନ୍ତ ଅନ୍ୟମନସ୍କ ଭଳି କହିଲା, ‘ମଣିଷର ଜୀବନଟା କେଡ଼େ ଅଦ୍ଭୁତ ସତରେ ! ମୁଁ କ’ଣ କେବେ ଭାବିଥିଲି ତୋ ସାଙ୍ଗେ ଆଉଥରେ ଦେଖାହେବ ବୋଲି । ସେଦିନ ସେଇ ନାଲି ବସ୍‌ଟାରେ ଚଢ଼ି ଏକାନ୍ତ ଏକୁଟିଆଭାବେ ଚାଲିଗଲା ପରେ ସହରରେ ଅନେକଥର ଭାବିଛି ଛୁଟିରେ ଆସି ବୁଲିଯିବି । କିନ୍ତୁ ହୋଇପାରେନା ସ୍କଲର୍‌ସିପ୍‌ରେ କେତେଟା ବା ଟଙ୍କା ମିଳେ-। ଛୁଟିରେ ଅର୍ଥ ଉପାର୍ଜନର ଯୋଜନା ଆଉ ବଡ଼ ହେବାର ଅଦମ୍ୟ ଉନ୍ମାଦନା ଭିତରେ ଗାଁ କଥା । ବଡ଼ାପା’ଙ୍କ କଥା, ବଡ଼ମା’ ଓ ତୋ କଥା ମନେ ପଡ଼ିଲେ ବି ଜୋର୍ କରି ସେସବୁ ଭୁଲିଯିବାକୁ ହୁଏ-। ମଝିରେ ମଝିରେ କେବଳ ବଡ଼ା’ପାଙ୍କ ଚିଠି ଖଣ୍ଡେ ଖଣ୍ଡେ ପାଉଥିଲି । ଦୁଇବର୍ଷ ପରେ ସେ ମଧ୍ୟ ବନ୍ଦ ହୋଇଗଲା ।

 

ବେଙ୍ଗ କିଛି କହିଲା ନାହିଁ । ସେ ବୁଝିଲା ଶୁଭକାନ୍ତର ଅବଶୋଷ କେଉଁଠି, ଅନୁତାପ କେଉଁଠି । ସେ ଭାବୁଛି ବାପା ମା’ ଛେଉଣ୍ଡ ହୋଇଗଲା ପରେ ଯେଉଁ ବଡ଼ା’ପା ବଡ଼ମା ତା’ପାଇଁ ଏତେ କରିଥିଲେ, ସ୍କୁଲର ପାଠ ଶେଷ କରାଇ ବେଶି ପଢ଼େଇବା ପାଇଁ ସହର ପଠେଇଥିଲେ, ତାଙ୍କପାଇଁ ସେ କିଛି କରିପାରିଲା ନାହିଁ ! ଧୀରେ ଧୀରେ ଛାଇ ପଡ଼ି ଆସୁଚି । ତଥାପି ଗରମ ଝାଞ୍ଜି ପବନ । ଶୁଖିଲା ଧୂଳିର ଆସ୍ତରଣ । ଦୂରରୁ କୋଇଲିର ସୁର ଶୁଭୁଛି । ରାସ୍ତାର ଦୁଇପଟେ ଛୋଟ ଛୋଟ ବଇଁଚ କୋଳି, ପଳାଶ ବୁଦା । ଖରାଦିନିଆ ଅନାମିକା ବଣୁଆ ଫୁଲର ସମାରୋହ । କାଲିର ସେଇ ଲାଷ୍ଟ୍ ବସ୍‌ଟା ଧୂଳି ଉଡ଼େଇ ଚାଲିଯାଉଛି । ଦୂରରୁ ବସ୍‌ର ପଛପଟ ଦିଶୁଛି କେବଳ-

 

ନୀରବତା ଭାଙ୍ଗିଲା ବେଙ୍ଗ । ‘ଶୁଭ, ତୁ ତ ପଚାରିଲୁନି, ତୋ ଠିକଣା ମୁଁ କେମିତି ପାଇଲି ।’

 

ହସିଲା ଶୁଭକାନ୍ତ । ମଣିଷ ଇଚ୍ଛା କଲେ ଅନେକ କିଛି ଅସାଧ୍ୟ ସାଧନ କରିପାରେ । ମୁଁ କେବଳ ଜାଣେ ତୁ ମତେ କେତେ ସ୍ନେହ କରୁ । ତେଣୁ ଆଡ଼୍ରେସ୍‌ଟା ଖୋଜି ବାହାର କରିବା କିଛି ବଡ଼ କଥା ନୁହେଁ ।

 

ବେଙ୍ଗ ନ ଶୁଣିଲା ପରି କହିଲା, ‘ଯଦୁକୁ ମନେଅଛି ତୋର, ଆମ ସାଙ୍ଗେ ପଢ଼ୁଥିଲା । ପାଠ ହୁଏନି । କେବଳ ବାପାର ପଇସା ଜୋରରେ ସମସ୍ତଙ୍କୁ ସାଙ୍ଗ କରିନିଏ । ତା’ଠୁ ପଇସା ଧାର୍ ନେଇ ତୁ, ମୁଁ କେତେଥର ହାଟରୁ ବରା କିଣି ଖାଇଚୁ । ସେ ଏବେ ଗାଁର ସରପଞ୍ଚ । ଗାର୍ଲସ ସ୍କୁଲର ସେକ୍ରେଟାରୀ । ମତେ ସୁନଜରରେ ଦେଖେ । ବେଳେ ବେଳେ ଆମ ଘରକୁ ଆସି ବୋଉର ଭଲମନ୍ଦ ଖବର ନିଏ । ଏବେ ଧାନଗୋଲା ପକେଇଛି । ବହୁତ ପଇସା । ସେ ଥରେ ରାଉରକେଲାରେ ତତେ ଦେଖିଥିଲା । କହୁଥିଲା ତୁ କୁଆଡ଼େ ବଡ଼ ଇଞ୍ଜିନିୟର୍‍ ହୋଇଚୁ, ବଦଳି ଯାଇଚୁ, କ୍ୱାଟର୍ ପାଇ ସାହାବୀ ପଡ଼ାରେ ରହୁଚୁ ।’

 

ଶୁଭକାନ୍ତ କିଛି କହିଲା ନାହିଁ । ସେମାନେ ନଈ ପାଖେ ପହଞ୍ଚି ଯାଇଥିଲେ । ଏପାଖେ ଜମା ପାଣି ନାହିଁ । ପୂରାପୂରି ଶୁଖିଲା । ଶୁଭକାନ୍ତ ପକେଟ୍‌ରୁ ସିଗାରେଟ୍, ଲାଇଟର୍ କାଢ଼ି ଧରେଇଲା । ପଚାରିଲା, ‘ଆଚ୍ଛା ବେଙ୍ଗନାନୀ’ ଆଉ କ’ଣ କେହି ନଈଆଡ଼େ ଆସୁ ନାହାନ୍ତି କି । ଏଇ ସମୟରେ ଏଇ ପଟେ କେତେ ଭିଡ଼ ହୁଏ । ଆଉ ତୋର ସେଇ ବଉଳ । ଯିଏ ନଈରେ ବୁଡ଼ ପହଁରା ଦେବାରେ ଧୂରନ୍ଧର, ମତେ ଥରେ ବୁଡ଼େଇ ମାରିଥିଲା କହିଲେ ଚଳେ....କ’ଣ କରୁଚି ଏଇନା ନଈକୂଳରେ ଥିବା ଖଣ୍ଡେ ବଡ଼ ପଥରକୁ କାନିରେ ଝାଡ଼ିଦେଇ ବସି ପଡ଼ୁ ପଡ଼ୁ ବେଙ୍ଗ କହିଲା, ‘ସେ କ’ଣ ସହରୀ ଝିଅ ହେଇଛି ଯେ କଣ କରିବ–କେବେଠୁ ବାହା ହେଇ ଗଲାଣି । ଦୁଇଟା ପିଲା । ରଜ, ଦୋଳ, କୁଆଁର ପୁନେଇଁରେ ଆସେ । ଥରେ ଅଧେ ଦେଖାହୁଏ । ନିଜ କଥା ନେଇ ସମସ୍ତେ ବ୍ୟସ୍ତ । ଆଉ ନଈକୂଳର ଭିଡ଼ କଥା ପଚାରୁଛୁ । ଗାଁରେ ଟିଉବ୍‌ୱେଲ୍ ବସିଲାଣି । ନଈକୁ କିଏ ପଚାରେ ! ପିଇବା ପାଇଁ ସିନା ଏଠି ଭିଡ଼ । ନୂଆକୁ ପାଇଲେ ଲୋକେ ପୁରୁଣାକୁ କେଡ଼େ ଜଲ୍‌ଦି ଭୁଲିଯାଆନ୍ତିରେ ଶୁଭ । ସେମିତି ଏଇ ନଈ । ଏବେ କେତେ ଏକୁଟିଆ ।

 

ଆଉ ପଧାନ ଅଜା–

 

ଟିକେ ଆଶ୍ଚର୍ଯ୍ୟ ହୋଇ ବେଙ୍ଗ ଚାହିଁଲା । ଶୁଭକାନ୍ତ ସେମିତି ଛିଡ଼ା ହୋଇଛି ଦୀର୍ଘ ଚେହେରା । ଅପରାହ୍ନ ଆଲୁଅରେ ଏକ ଛବି ପରି ଦିଶୁଛି ତା’ର ଛାଇଟା । ପଚାରିଲା ଆଖିରେ କିଛିହେଲେ ବିଡ଼ମ୍ବନା ନାହିଁ । କୌଣସି ଅହଙ୍କାର ନାହିଁ କେବଳ ଜିଜ୍ଞାସା । ଖୁବ୍ ସରଳ ।

 

‘ପଧାନ ଅଜାଙ୍କୁ ମନେ ଅଛି ତୋର.....ଗଲାସନ ସେ ଚାଲିଗଲେ । ତତେ ବହୁତ ଖୋଜୁଥିଲେ ସତରେ । ତାଙ୍କୁ ଆମ ସ୍କୁଲର ପଛପଟେ ସମାଧି ଦିଆ ହୋଇଛି ସେ ଥିଲେ ଆମ ସ୍କୁଲର ଉଦ୍‌ଘାଟକ । ଗାଁର ସବୁଠୁ ବୟସ୍କ ବ୍ୟକ୍ତି ।’ କେମିତି ଏକ ବିଷଣ୍ଣତାରେ ଭରିଗଲା ଶୁଭକାନ୍ତର ମନ । ମୋଟେ ଦଶବର୍ଷ ! ୟା’ରି ଭିତରେ କେତେ କ’ଣ ପରିବର୍ତ୍ତନ ହୋଇଯାଇଛି । ଜୀବନରେ ଅନେକ କିଛି ପାଇଲା ଶୁଭକାନ୍ତ । କିନ୍ତୁ ଏଇ ଜନ୍ମମାଟିକୁ ଫେରିଆସି ତା’ର ମନେ ହେଉଛି, ସେ ମଧ୍ୟ ବହୁତ କିଛି ହଜେଇ ଦେଇଛି । ଏଇ ବେଦନା ଏଇ ଯନ୍ତ୍ରଣା କାହାକୁ ଦେଖାଇ ହୁଏନି । ଏମିତି ନିଜେ ନିଜେ ଅନୁଭବ କରିହୁଏ । ପଥର ଉପରେ ଚୁପ୍‌‌ଚାପ୍ ନଈକୁ ଚାହିଁ ବସିଥିବା ବେଙ୍ଗନାନୀ କ’ଣ ବୁଝି ପାରିବ ସବୁକଥା ! ଅଥଚ ଏଇ ବେଙ୍ଗନାନୀ–ଦିନେ ଥିଲା ତା’ର ଖେଳର ସାଥୀ । ତା’ର ମାଷ୍ଟର । ତା’ର ଶାଇଡ଼୍‍ । ଆଜି କେଡ଼େ ଅସହାୟ ଦିଶୁଚି ସତରେ ! ନିଜେ ଶୁଭକାନ୍ତକୁ ହଜାରେଥର କାନ ମୋଡ଼ିଲେବି ଆଉ କିଏ ଟିପ ଛୁଇଁ ଦେଲେ ଅଣ୍ଟାଭିଡ଼ି କଳି କରେ-। ଶୁଭକାନ୍ତର ବହିପତ୍ର ସଜାଡ଼ି ଦିଏ । ବଣରୁ କାନକୋଳି ତୋଳିଦିଏ । ଲୁଚେଇ ଆଚାର ଆଣିଦିଏ । ଗୋଟାଏ ପିଠାରୁ ଫାଳେ ଖାଇ ଫାଳେ ଦିଏ । ଅଥଚ ସେଇ ଶୁଭକାନ୍ତ ତା’ର ଜୀବନର ସଙ୍କଟ ମୁହୂର୍ତ୍ତରେ କିଛିହେଲେ କରିପାରିଲା ନାହିଁ । କେଉଁଠୁ ସତ୍‌ସତିଆଟାଏ ସତ୍ ସତ୍ କରି ଉଠିଲା । ଗୋଟାଏ ଦୀର୍ଘ ନିଃଶ୍ୱାସ ବାହାରି ଆସିଲା ଅଜାଣତରେ ଶୁଭକାନ୍ତର ଛାତି ଫଟେଇ l ଏଇ ଗାଁ, ଏହାର ରାତିଦିନ, ତାରାଜହ୍ନ,ଦାଣ୍ଡ, ଗଛଲତା, ଫୁଲର ବାସ୍ନା, ପିଣ୍ଡାରେ ମିଞ୍ଜି ମିଞ୍ଜି ଆଲୁଅ । ଭାଗବତ ପଦ ସବୁ ମିଶି ତା’ର ରକ୍ତରେ ଏତେଦିନ ଧରି କେମିତି ଲୁଚି ରହିଥିଲେ ! କାହିଁ ସହରରେ ଥରେହେଲେ ତ କାର୍ଯ୍ୟବ୍ୟସ୍ତତା ଭିତରେ ସେ ସଭାନାହିଁ ଏସବୁ କଥା । ତେବେ ଆଜି କାହିଁକି–ଶୁଭକାନ୍ତ ଅନୁଭବ କଲା ତା’ ପାଦତଳେ ସେଇ ଗାଁ ମାଟିର କାଦୁଅ ଦାଗ ଏବେ ବି ଲାଗି ରହିଛି । ତା’ ପୋଷାକରେ ଝାଡ଼ିଦେଲେ ଗାଁ ଧୂଳି ଏବେବି ଝରି ପଡ଼ିବ ।

 

ସେମିତି ଛିଡ଼ା ହୋଇ ଶୁଭକାନ୍ତ ପଚାରିଲା, ‘ବେଙ୍ଗନାନୀ ତୁ ମତେ ଚିଠିରେ ଲେଖିଥିଲୁ କେତେ କଥା କହିବୁ ବୋଲି । କାହିଁ କହିଲୁନି ତ–ଅନ୍ଧାର ହୋଇ ଆସୁଥିଲା ଧୀରେ ଧୀରେ । ନଈ ଉପରେ ଥିବା ବାଉଁଶ ଚା’ର ଉପର ଦେଇ ଗାଈଆଳ ଗାଈଗୋଠ ଧରି ଫେରୁଥିଲା । ଆଗରେ ଗୋଟାଏ କଅଁଳା ବାଛୁରୀ ଦୌଡ଼ି ଚାଲିଛି । ତାଳବଣି ଆରପଟେ ସୂର୍ଯ୍ୟ ବୁଡ଼ି ଯିବାକୁ ବସିଲେଣି । ସେଇଆଡ଼େ ଚାହିଁ ବେଙ୍ଗନାନୀ ଧୀରେ କହିଲା, ‘ଏଇତ କାଲି ପହଞ୍ଚିଲୁ । ରହ ଦି’ଦିନ, ଶୁଣିବୁ ।”

 

ପବନଟା ଆସ୍ତେ ଥଣ୍ଡା ହୋଇ ଆସିଲାଣି । ଚୁପ୍‌‌ଚାପ୍ ପରିବେଶ । ଗାଈଆଳ ଗାଈ ଗୋଠ ନେଇ ଫେରିଗଲାଣି । ଶୁଭକାନ୍ତ ଆଉ ଗୋଟାଏ ସିଗାରେଟ୍ ଧରାଇଲା । କହିଲା, ଉଠ୍ ଯିବା ଏଥର । ବଡ଼ମା’ ଏକୁଟିଆ–

 

ସଞ୍ଜ ହୋଇ ସାରିଲାଣି । ବେଙ୍ଗ ଉଠି ପଡ଼ିଲା ନୀରବରେ । ପୂର୍ବ ରାସ୍ତାରେ ନ ଫେରି ସିଧା ପିଚୁ ଢଳା ରାସ୍ତାରେ ପାଦ ଥୋଇଲେ ସେମାନେ । ଗାଁ ଭିତର ଦେଇ ଆସୁ ଆସୁ କା’ ବାଡ଼ିର ଜହ୍ନିଫୁଲର ଭୀରୁ ବାସ୍ନା ଭାସି ଆସିଲା । ମନେପଡ଼ିଲା ବିଥିତ ବିସ୍ମୃତ ଶୈଶବର ନିରୀହ ସଙ୍ଗୀତ–

 

ଜହ୍ନିଫୁଲ ଠା ଠୋ, କାକୁଡ଼ିଫୁଲ ଠୋ ଠା

 

ଗୁଣ୍ଡୁଚିମୂଷା କହି ଯାଇଛି, ଚାଉଳ ମାଣେ ଥୋଇ ଥା...

 

ଗୋଟାଏ ସାଇକେଲ୍ ବ୍ରେକ୍ କଷିଲା ପାଖରେ । ‘ଏଇ ମୁହଁ ସଞ୍ଜରେ କୁଆଡ଼େ ଯାଇଥିଲୁ କି ବେଙ୍ଗ’ ? ଶୁଭକାନ୍ତ ଦେଖିଲା ସୁପର ଫାଇନ୍ ଧୋତି କମିଜ୍ ବାବୁରୀ ବାଳ, ମୋଟା ନିଶର ଶ୍ୟାମଳ ଡିଗ୍ ଡିଗା ଭଦ୍ରଲୋକ ଜଣେ । ଫେରି ଚାହିଁଲା ବେଙ୍ଗ । ଗାଁ ରାସ୍ତାରେ ପିଲାଏ ନିଜ ନିଜର ଧୂଳିଘର ଭାଙ୍ଗି ଦେଲେଣି । କେତେକ ଭାଙ୍ଗିବାରେ ବ୍ୟସ୍ତ ।

 

‘ଓ, ଗୋକୁଳିଭାଇ । ବୁଲିଯାଇଥିଲି ନଈଆଡ଼େ । ୟାକୁ ଚିହ୍ନିଚୁଟି । ଶୁଭମ, ମନେନାହିଁ । କ୍ଳାସରେ ଫାଷ୍ଟ୍ ହେଉଥିଲା ।”

 

ଗୋକୁଳି ବଡ଼ ବଡ଼ ଆଖିରେ ଚାହିଁଲା ଶୁଭକାନ୍ତକୁ । ଆଖିରେ ବିସ୍ମୟ, ସନ୍ଦେହ ଜିଜ୍ଞାସା-। ହୁଏତ ମନେ ପକେଇବା ପାଇଁ ଚେଷ୍ଟାକଲା । ଭୁଲି ଗଲାଣି ହୁଏତ କେଜାଣି ଦଶବର୍ଷ ତ-! କିମ୍ବା ବିଶ୍ୱାସ ହେଉନି । ଏଇ କ’ଣ ସେଇ ରୋଗଣା ଶୁଭକାନ୍ତ ! ହୁଏତ ମୁହଁ ଅନ୍ଧାରରେ ଜାଣିପାରିଲାନି । କିମ୍ବା ସାହସ ପାଇଲାନାହିଁ କଥା କହିବାକୁ । ଚୁପ୍‌ଚାପ୍ ସାଇକେଲ୍ ନେଇ ପୁଣି ଚାଲିଗଲା । ହେଲେ ବେଙ୍ଗନାନୀ ଏକ ପରିଚୟ ଦେଇ ଶୁଭକାନ୍ତର ! ଶୁଭକାନ୍ତ କ’ଣ କେବଳ ଫାଷ୍ଟ ହେଉଥିଲା କ୍ଳାସରେ ? ସେ କ’ଣ ତା’ର କେହି ନୁହ ? କେମିତି ଏକ ଶୋକର ବିଳାପରେ ଅଭିମାନୀ ହୋଇଗଲା ଶୁଭକାନ୍ତର ମନ । ଗୋକୁଳିକୁ ମନେପକେଇଲା ସେ । ସବା ପଛରେ ବସିଥାଏ । ପାଠକରୁ କି ନ କରୁ ସବୁ ଯାତ୍ରା ଗୀତ ମନେ ରଖି ବୋଲେ । ସାର୍ ଆସିବା ଡେରି ହେଲେ ସମସ୍ତେ ଘେରିଯାଇ ତା’ ଗୀତ ଶୁଣି ମଜା କରନ୍ତି । କ’ଣ ଭାବି ହସିଦେଲା ବେଙ୍ଗନାନୀ । କହିଲା, ‘ଗୋକୁଳି ତତେ ଜାଣି ଜାଣି ଚିହ୍ନି ପାରିଲା ନାହିଁ । ଏବେ ଆମ ସ୍କୁଲ ଝିଅଙ୍କୁ ଗୀତ ଶିଖଉଛି-।’

 

ଗାଁ ମଝି ବଡ଼ ବୃନ୍ଦାବତୀ ଚଉରା ତଳେ କିଏ ଜଣେ ବୟସ୍କା ସଞ୍ଜବତୀ ଥୋଉଛନ୍ତି । ବତୀ ଲିଭିଯିବା ଭୟରେ ପଣତରେ ଉହାଡ଼ କରୁଛନ୍ତି ପବନକୁ । ଚାରିଆଡ଼େ ଶଙ୍ଖଧ୍ୱନି । ପୋଡ଼ା ସଳିତାର ବାସ୍ନା ପବନରେ ସମସ୍ତେ ତାକୁ ଅଚିହ୍ନା ଆଖିରେ ଚାହୁଁଛନ୍ତି । ତେବେ କ’ଣ ସେ ଏଠି ଅପରିଚିତ ! ଶୁଭକାନ୍ତ ପୁଣିଥରେ ଅନ୍ୟମନସ୍କ ହୋଇଗଲା ।

 

।। ଚାରି ।।

 

ଏଇ ଛୋଟିଆ ନଈଟି । ରୁଗ୍‌ଣା ଏକ କିଶୋରୀ ଝିଅପରି ଶୋଇ ଯାଇଛି–ଯେମିତି ଠିକ୍ ବାଉଁଶ ଚା’ର ପାଖେ ଅଳ୍ପ ସୁଅ । ଏଇ ନଈଟି କେଉଁ ବାଟ ଦେଇ କୁଳୁ କୁଳୁ ହୋଇ ଗୀତ ଗାଇ ସମୁଦ୍ରରେ ମିଶି ଯାଇଛି ସେ ଠିକଣା ଶୁଭକାନ୍ତ ଜାଣେନା । ତଥାପି ଏଇ ନଈକୂଳରେ ବାଲ୍ୟ କୈଶୋରର ଆଉ ଆଦ୍ୟ ଯୌବନର କେତେ ସ୍ମୃତି ଛପି ରହିଛି । ପଢ଼ିଲାବେଳେ ଷ୍ଟାଡ଼ିଟୁର୍ । ଏକସ୍‍କରସନ୍‌ରେ ଅନେକ ଜାଗା ବୁଲି କେତେ ବଡ଼ ବଡ଼ ନଈ ଦେଖିଛି ଶୁଭକାନ୍ତ । କାଶ୍ମୀରରେ ସେ ପାହାଡ଼ ନଈର ମନୋରମା ଛବି କିମ୍ବା ହୃଷୀକେଶ ପାଖରେ ସଙ୍ଗୀତମୟୀ ଗଙ୍ଗା କିନ୍ତୁ ଏଇ ଛୋଟ ନଈଟିର ସୌନ୍ଦର୍ଯ୍ୟ ଯେମିତି ଏକ ଅକ୍ଷୟ ଚିତ୍ରପଟ ହୋଇ ରହିଯାଇଛି ଶୁଭକାନ୍ତର ହୃଦୟରେ ଏକ ନଈ ସାଙ୍ଗେ ଶୁଭକାନ୍ତର ଆତ୍ମାର ସମ୍ପର୍କ । ସେଇ କେଉଁ ଧୂସର ଅତୀତରେ ଖରାଦିନେ ଅଦିନିଆ ବର୍ଷା କାଚୁଥିବ । ମୁଣ୍ଡରେ ପଖିଆ ଦେଇ ନାଉରିଆ ଚୁପ୍‌ଚାପ୍ ବସିଥିବ ମଙ୍ଗରେ ବନିଶୀ ଧରି । ଦୁଇ ପାଖେ ଏଇ ବର, ଓସ୍ତ ଜାମୁଗଛ ସବୁ ବର୍ଷା ପବନରେ ଦୋହଲୁଥିବେ । ଗଛପତ୍ର ଘାସ ସବୁ ଥରୁଥିବ ଉନ୍ମାଦନାରେ । ଆଉ ଶୁଭକାନ୍ତ ଓଦା ସରସର ହୋଇ କୂଳରେ ଛିଡ଼ା ହୋଇ ପଚାରୁଥିବ, ‘ହେ, ନାଉରିଆ ଭାଇ ଡଙ୍ଗାରେ ମତେ ଟିକେ ବୁଲେଇ ନବୁ ।’ ହସରେ ଓଠ ଭର୍ତ୍ତିକରି ନାଉରିଆ କହୁଥିବ । ‘ବର୍ଷାଦିନ ଆସୁ । ମାଛ ମାରି ଗଲେ ଆର ପାରିକୁ ନେଇଯିବି ଯେ, ଏଇନାଗେ ପାଣି କମ୍, ଯିବ କିମିତି’ । ନାଉରିଆ ଭାଇର କଳା ମଚ୍‌ମଚ୍ ବଳିଷ୍ଠ ମୁହଁ ବର୍ଷା ଟୋପାରେ କେମିତି ଅଦ୍ଭୁତ ସୁନ୍ଦର ଦିଶୁଥିବ । ପୁଣି ତୋଫା ଜହ୍ନ କିରଣରେ ବେଙ୍ଗନାନୀ ସାଙ୍ଗେ ଖୁଦୁରୁକୁଣୀ ଉଜେଇଁବାର ସେସବୁ ମୁହୂର୍ତ୍ତ ଆଜି କେବଳ ମୁଗ୍‍ଧ ଧ୍ୟାନରେ ଧରା ଦେଉଛି ସିନା । ମନ ହେଉଛି ଏମିତି ଏଇ ନଈକୂଳେ, ଏଇ ଓସ୍ତ ଗଛଟାକୁ ଆଉଜି ବସି ସାରାଜୀବନ କଟେଇ ଦେଲେ କେମିତି ହୁଅନ୍ତା !

 

ବୈଶାଖ ଶେଷର ଏଇ ଗରମ ପବନ । ଦିଗହଜା ହୁଡ଼ାମାଳବିଲ ତା’ରି ଭିତରେ ଛକ ପରି ଦିଶୁଥିବା କେତୁଟା ଗଛ । ବାଉଁଶ ବଣ, କିଆଗୋହିରୀ ଭିତରେ ଡୁ ଡୁ ଖେଳର ରୋମାଞ୍ଚ ସବୁକିଛି ଆଜି ମହଳତା ପଡ଼ିଗଲାଣି । ଅଦୂରରେ ତାଳଗଛର ମଥାନରେ ଆଉଟା ସୁନାର ରଙ୍ଗତୂଳୀ । ଦଳ ଦଳ ଚଢ଼େଇ ଘରମୁହାଁ ନିଛାଟିଆ ଶିମିଳିଗଛରେ ସେମାନଙ୍କର କିଚିରି ମିଚିରି ଶବ୍ଦ । ଶୁଭକାନ୍ତକୁ କେମିତି ନିଃସଙ୍ଗ, ପରିତ୍ୟକ୍ତ ଲାଗୁଥିଲା । ଦୁଇଦିନ ହେବ ଆସିଲାଣି ଶୁଭକାନ୍ତ-। କାହିଁକି କେଜାଣି ଫେରିଯିବାକୁ ମନ କହୁନାହିଁ । ଯଦିଓ ସେ ଭଲରେ ଜାଣେ ତାକୁ ନିଶ୍ଚୟ ଫେରିବାକୁ ହେବ । ବେଙ୍ଗନାନୀ ସ୍କୁଲ ଚାଲିଗଲା ପରେ ବଡ଼ମା’ ସାଙ୍ଗେ ଏଣୁତେଣୁ ଗପୁ ଗପୁ ନିଦ ଆସିଯାଏ । ଅପରାହ୍ନର ଖରା ନରମ ହୋଇ ଆସିଲେ ସେ ଚାଲିଆସେ ଏଇପଟକୁ । ବେଙ୍ଗନାନୀ ସ୍କୁଲରୁ ଫେରିଲା ଯାକେ ସେ ଏମିତି ନିଜକୁ ଖୋଜି ବସେ । ଅଣ୍ଡାଳି ଦେଖେ । କେତେ ବଦଳିଛି । ଏଇ ଗାଁର ପ୍ରତି ଧୂଳି ସହିତ ତା’ର ପ୍ରତିଟି ଅଣୁ ମିଶିଯାଇଛି ଅଥଚ ସେ ଆଜି ଏଠି ଅପରିଚିତ ! ଏତେବର୍ଷ ପରେ ସେ ନିଜ ଜନ୍ମଭୂମିକୁ ଫେରି ଆସିଛି । କିନ୍ତୁ କୌଣସି ଉପାୟ ନାହିଁ ନିଜେ ଯାଇ ପୁରୁଣା ମଣିଷଙ୍କ ସାଙ୍ଗେ ଦେଖା କରିବ, କଥା ହେବ ଏକ ଦ୍ୱନ୍ଦ୍ୱ ଭିତରେ ସେ ଧନ୍ଦି ହେଉଛି, ସେମାନେ କ’ଣ ଆଗପରି ଆଦରରେ ତୋଳି ନେବେ, ସ୍ନେହ ଦେବେ, ମମତା ଦେବେ !

 

ଆଜି ବଡ଼’ମା ସାଙ୍ଗେ ବହୁତ କଥା ହେଲା । ବଡ଼ା’ପା ଗଲାପରେ କେମିତି ଯେ ବେଙ୍ଗନାନୀ ଦୁଇଟି ପେଟ ଚଳେଇଛି, ବିଲବାଡ଼ି ସବୁ ଦେ’ଣାରେ ଗଲା । ତା’ପରେ ପୁଣି ବଡ଼ମା’ର ଖର୍ଚ୍ଚ, ମାଲିସ୍‍ ପାଇଁ ତେଲ, ଏଟା ସେଟା, ଗାଁର ଭଲମନ୍ଦରେ ଚାନ୍ଦା । କହୁ କହୁ ବଡ଼ମା’ର ସେଇ ତୋତା ହାଡ଼ୁଆ ମୁହଁରେ ଥିବା ଗହୀରା ଆଖି ଦୁଇରୁ ପାଣି ନିଗିଡ଼ି ପଡ଼ିଲା । ବଡ଼ମା’ ଭଲରେ ଉଠି ବସି ପାରେନା । ବଡ଼ମା’ର ଯାବତୀୟ କାମ । ସବୁ ଘରକାମ, ରୋଷେଇ ସବୁ କିଛି ସାରି ଆଖିରେ ନାକରେ କ’ଣ ଦି’ଟା ପୂରେଇ ସ୍କୁଲ ଦୌଡ଼ି ପଳାଏ । ବେଳେବେଳେ ଯଦୁ ଆସେ । ସରପଞ୍ଚ ହେଇଛି ସିନା । ପିଲାଟି ଭଲ । ଭଲ ମନ୍ଦରେ ସାହାଯ୍ୟ କରେ । କିଏ ଜାଣେ କେଉଁଦିନ ବେଙ୍ଗନାନୀର ଦୁଃଖ ଯିବ । କିନ୍ତୁ ସେଦିନ ଶୁଭକାନ୍ତ ଭାବୁଥିଲା ବେଙ୍ଗନାନୀ କେତେ ସୁଖୀ !

 

ଅଳସ ଭାବରେ ଶୁଭକାନ୍ତ ହାତ ଦି’ଟାକୁ ସାମ୍ନାକୁ ସିଧା କରିଦେଲା । ବଡ଼ମା’ ମଧ୍ୟ ଯଦୁ ପ୍ରଶଂସାରେ ମୁଖର । ଯଦୁ ତେବେ ଏ ଘରେ ଏକ ହିତୈଷୀ ବନ୍ଧୁ, ଚେତନା ଭିତରେ ଗୋଟିଏ ପତଳା ଓଢ଼ଣା ପରି ବର୍ତ୍ତମାନ ଓ ଅତୀତ ଦୋଳି ଖେଳୁଛି । ଦମ୍‌କାଏ ପବନ ପରି ଝଲକାଏ ସ୍ମୃତି ଉଡ଼ି ଆସି ବର୍ତ୍ତମାନକୁ ଦୂରେଇ ଦେଉଛି । ଆଖିଆଗରେ ସେଇ ବାଲ୍ୟ କୈଶୋରର ଦିନଗୁଡ଼ିକ ତା’ର ବାପା ବୋଉ କିଏ ତା’ର ଜମା ମନେନାହିଁ । କେବଳ ବଡ଼’ପା ଓ ବଡ଼ମା’ର ସ୍ମୃତି । ବାପା ତା’ର କୁଆଡ଼େ ଗାଁ ଅବଧାନ ଥିଲେ । ଝାଡ଼ା ବାନ୍ତିରେ ଦୁଇଜଣଯାକ ଗୋଟାଏ ଦିନରେ ଚାଲିଗଲେ-। ସେବେଠୁ ସେ ପିତୃମାତୃହୀନ । ପଡ଼ିଶା ଜ୍ଞାତି ନଟ ବଡ଼ା’ପା ଆଉ ବଡ଼ମା’ଙ୍କ ପାଖରେ ସେ ମଣିଷ ହୋଇଛି । ଶୀତ ଦିନରେ ବଡ଼'ବାପାଙ୍କ ପାଖରେ ମସିଣାରେ କନ୍ଥା ଘୋଡ଼େଇ ହୋଇ ତାଙ୍କୁ ଜାବୁଡ଼ି ଧରି ଶୋଇଲା ବେଳେ କେବେବି ଭାବିନାହିଁ ଏ ପର । କିମ୍ବା ବଡ଼ମା’ର କାନି ଧରି ଦୋଳଯାତ୍ରାରେ ରଙ୍ଗ ଖେଳିବାପାଇଁ ପଇସା ମାଗିଲାବେଳେ ସେ ଭାବିନି ଏ ମୋର ମା’ ନୁହେଁ । ବେଙ୍ଗନାନୀ ପାଇଁ କୁଆଁର ପୁନେଇଁରେ କେବଳ ପାଣିରେ ପଶି କଇଁଫୁଲ ତୋଳୁ ତୋଳୁ ସେ ଭାବିନି ଯେ ଅନ୍ୟ କାହାପାଇଁ ତୋଳୁଛି । ଅଥଚ ଆଜି ସେ ସମସ୍ତଙ୍କ ପାଖେ କେବଳ ପର । ସେ ଯେମିତି ବହିରାଗତ । ଆଉଟ୍‌ସାଇଡ଼ର୍ । ସରପଞ୍ଚ ଯଦୁ କେତେ ନିଜର ! ଏ ଦୁଇଦିନ ଭିତରେ ଥରେ ବି ଶୁଭକାନ୍ତ ଯଦୁକୁ ଏ ଘର ଭିତରେ ଦେଖିପାରିନି । ଅଥଚ ଯଦୁକୁ ତା’ର ପରିଷ୍କାର ମନେଅଛି । ବେଙ୍ଗନାନୀ ସେତେବେଳକାର ଢଙ୍ଗରେ ଆଣ୍ଠୁ ତଳକୁ ନାଲିଫ୍ରକ୍ ପିନ୍ଧେ । ଆଉ ସେ ନିଜେ ଫିତା ଲୁଗା ଖାକି ହାଫ୍ ପ୍ୟାଣ୍ଟ । ଜାଗର ଯାତରେ ଦୁଇଜଣଙ୍କୁ ଦୁଇହାତରେ ଧରି ବୁଲଉ ବୁଲଉ ବଡ଼ା’ପା କହନ୍ତି, ‘ଶୁଭରେ, ଆରସନକୁ ବେଙ୍ଗୁଲୀର ବାହାଘର ଦବା । ତୁ ବରଧରା ଯିବୁଟି ।” ବରଧରା କ’ଣ ସେଦିନ ଶୁଭକାନ୍ତ ବୁଝି ନଥିଲା, କ’ଣ କରିବାକୁ ହୁଏ, ଭଲ କି ମନ୍ଦ, କେବଳ ଆନନ୍ଦରେ ଡିଆଁଟାଏ ମାରିଦେଇ ସେଇଠି ନାଚି ପକେଇ କହିଥିଲା, ‘ବଡ଼ା’ପା ମୋପାଇଁ ଭଲ ସୁପରଫାଇନ୍ ଜାମାଟାଏ କିଣିଦେବଟି । ବରକୁ ଧରି ଧରି ନେଇ ଆସିବି-।’ ଆଉ ବେଙ୍ଗନାନୀ ମଧ୍ୟ ତାକୁ ପୁଳାଏ ଚିମୁଟି ଦେଇ କହିଥିଲା, ‘ମୁଁ ବାହା ହେବି ଯେ, ତୁ ସୁପରଫାଇନ୍ ଜାମା ପିନ୍ଧିବୁ ।’ ମନେଅଛି ଶୁଭକାନ୍ତର, ଜାଗର ଯାତର କେଇଟା ମାସ ପରେ ଏକ ଭରା ଅଶିଣରେ ବେଙ୍ଗନାନୀ ସତକୁ ସତ ବାହା ହୋଇଯାଇଥିଲା । ଶୁଭକାନ୍ତ ବି ବରଧରା ହୋଇଥିଲା-। ସେ ବର କେମିତି, କେମିତି ଦେଖିବାକୁ କିଛି ମନେନାହିଁ । କେବଳ ମନେଅଛି, କେତେ ରୋଷଣୀ ଭିତରେ ବେଙ୍ଗନାନୀର ସେଇ ପତଳା କିଶୋରୀ ଦେହଟା ନାଲି ଶାଢ଼ୀରେ କେତେ ସୁନ୍ଦର ଦିଶୁଥିଲା ସରୁ ଅଣ୍ଟା ଚାରିପଟେ ସେଇ ରୂପା ଗୋଠଟା ଖୁବ୍ ଚହଟ ଦେଖାଯାଉଥିଲା । ଗୋଟାଏ ମାସପରେ ବେଙ୍ଗନାନୀ ପୁଣି ଫେରି ଆସିଥିଲା । ସମସ୍ତେ ଯେତେବେଳେ କାର୍ତ୍ତିକ ପୁନେଇଁ ସକାଳେ ଗାଧୋଇ, ହୁଳହୁଳି ଦେଇ, ଶଙ୍ଖ ବଜେଇ କଦଳୀ ପଟୁଆର ଡଙ୍ଗା ନଈରେ ଭସଉଥିଲେ, ସେତିକିବେଳେ ବେଙ୍ଗନାନୀର କାଚ, ନାଲି ଶଙ୍ଖା କେଇଜଣ ଗାଁ ମାଇପେ ହାତରେ ଭାଙ୍ଗି ଦେଉଥିଲେ । ବଡ଼ମା’ ବାହୁନି ବାହୁନି ତଳେ ମୁଣ୍ଡ ବାଡ଼େଇ କାନ୍ଦୁଥାଏ । ବଡ଼ବାପା ଖଟକୁ ଆଉଜି ପଥର ପରି ଛିଡ଼ା ହୋଇଥାନ୍ତି । ଏତେକଥା ହେଉଥାଏ । ହେଲେ ବେଙ୍ଗନାନୀ ଟିକେ ବି କାନ୍ଦୁ ନଥାଏ । ସବୁ ସରିଲା ପରେ ବେଙ୍ଗନାନୀ ଦୌଡ଼ିଆସି ଚୁପ୍‌‌ଚାପ୍ ଜଳକା ମାରି ଛିଡ଼ା ହୋଇଥିବା ଶୁଭକାନ୍ତକୁ କୁଣ୍ଢେଇ ପକେଇ କହିଥିଲା, ‘ଶୁଭ ମୋ ବର ମରିଗଲାରେ ତୁ ବଡ଼ ହେଲେ ମୋପାଇଁ ଆଉ ଗୋଟେ ବର ଖୋଜି ଦେବୁନି ?’ କ’ଣ ଭାବି ଶୁଭକାନ୍ତ ସେଦିନ ମୁଣ୍ଡ ହଲେଇ ସମ୍ମତି ଦେଇଥିଲା । ସମସ୍ତେ ଭୁଲି ଯାଇଥିଲେ ସେ କଥା । ବେଙ୍ଗନାନୀ ପୁଣି ସ୍କୁଲ ଯାଇଥିଲା । କିନ୍ତୁ ଆଉ ଫ୍ରକ୍ ପିନ୍ଧି ନଥିଲା ବେଙ୍ଗନାନୀ । କେବଳ ରଙ୍ଗ ଢଙ୍ଗର କସ୍ତା ଶାଢ଼ୀ ପିନ୍ଧେ-। ଗାଁ ମାଇପେ କେତେ କଥା କହନ୍ତି । ବେଙ୍ଗନାନୀ କାହାରି କଥା ଶୁଣେନାହିଁ ।

 

ଆଜି ସେଇ ବେଙ୍ଗନାନୀ କେତେ ନିଃସହାୟା ହୋଇଯାଇଛି ! କେବଳ ଧଳା ଶାଢ଼ୀ ଭିତରେ ଏକ ବିଷାଦମୟୀ ରୂପ ! ଦୁଃଖର ଇତିବୃତ୍ତ କ’ଣ ଏତେ ଲମ୍ବ !

 

ଏଇ ଯେଉଁ ନଣ୍ଡା ବରଗଛଟା ଦିଶୁଛି, ମନେଅଛି ମ୍ୟାଟ୍ରିକ୍ ପରୀକ୍ଷା ଅଳ୍ପଦିନ ଥାଏ । ନଈଆଡ଼େ ପୋଖରୀପାଣି ଯାଇଥିଲା ଶୁଭକାନ୍ତ । ସମସ୍ତେ କହନ୍ତି ସେଇ ନଣ୍ଡା ବରଗଛଟାରେ ଗୋଟାଏ ବ୍ରହ୍ମରାକ୍ଷସ ଅଛି, ରାତି ହେଲେ ବାହାରେ ‌। ମୁହଁ ସଞ୍ଜ ହୋଇ ଆସୁଥାଏ । ତେଣୁ ଡରରେ ଚଟ୍‌ପଟ୍ କାମସାରି ଶୁଭକାନ୍ତ ଦୌଡ଼ି ପଳେଇ ଆସିବାକୁ ଚାହୁଁଥାଏ । ହଠାତ୍ କାହାର ଖଣ୍ଡିକାଶ ଶୁଭିଲା । ଶୁଭକାନ୍ତ ଭୀଷଣ ଡରିଗଲା । ପ୍ରାଣମୂର୍ଚ୍ଛା ଗାଁ ମୁହାଁ ହୋଇ ଦୌଡ଼ିବା ସମୟରେ ପଛରୁ ହସିହସି ବେଙ୍ଗନାନୀ ଡକା ଛାଡ଼ିଥିଲା, ‘ହେ ଶୁଭ, ମାଇଚିଆଟା କିରେ ଡରି ପଳାଉଛୁ, ତତେ ଲାଜନାହିଁ । ନଈରେ ବୁଡ଼ି ମରୁନୁ ।’

 

ଆଜି ସେଇ ବେଙ୍ଗନାନୀ ଶୁଭକାନ୍ତ ପାଇଁ କେତେ ବ୍ୟସ୍ତ ହେଉଛି ! ତା’ର ଖାଇବା ଗାଧୋଇବା, ଶୋଇବା ଏଇ ଚିନ୍ତାରେ ସେ ପ୍ରତି ମୁହୂର୍ତ୍ତରେ ବିଚଳିତ । ନାଇଁ କରୁ କରୁ ଆଜି ସକାଳେ କାହାଠୁ ଅଣ୍ଡା ମଗେଇ ନେଇ ଆସିଥିଲା । ବେଙ୍ଗନାନୀ, ସତରେ କ’ଣ ଶୁଭକାନ୍ତ ସାହେବ ହୋଇଯାଇଛି !

 

ଆଖିରେ କ’ଣଟାଏ ପଡ଼ିଗଲା ଶୁଭକାନ୍ତର । ପକେଟ୍‌ରୁ ରୁମାଲ୍ ବାହାର କରି ଆଖିଟା ଦଳୁଦଳୁ ଶୁଭକାନ୍ତ ଭାବିଲା ବେଙ୍ଗନାନୀ ଫେରିବଣି ସ୍କୁଲରୁ । ଫେରି ବ୍ୟସ୍ତ ହେଉଥିବ ତା’ପାଇଁ । ନାଃ ଆଉ ବସିହେବ ନାହିଁ । କ’ଣ ଭାବି ଛୋଟ ଟେକାଟିଏ ନଈକୁ ପକେଇ ଦେଇ ଉଠିପଡ଼ିଲା ଶୁଭକାନ୍ତ । ପାଣିରେ ଗୋଟାଏ ଛୋଟ ଭଉଁରୀ ଖେଳିଗଲା । ଭଉଁରୀରେ କେତେ ମୁହଁ, କେତେ ଛବି, କେତେ ସ୍ମୃତି । ଶୁଭକାନ୍ତ ଥମ୍‌କି ଛିଡ଼ାହୋଇ ବିହ୍ୱଳିତ ହୋଇ ଦେଖିଲା ପୁରୁଣାକୁ l କିମ୍ବା ପୁରୁଣା ଭିତରେ ନୂଆ କିଛି ଦେଖି ବିସ୍ମିତ ହୋଇ ପଡ଼ିଲା ।

 

।। ପାଞ୍ଚ ॥

 

ଅଳ୍ପ ସମସ୍ତ ଆଗରୁ କୁଣ୍ଡାଝଡ଼ା ବର୍ଷା ଅସରାଏ ହୋଇଯାଇଛି । ବୈଶାଖର ଶେଷ । ଅଦିନିଆ ବର୍ଷା । ଗରମ ବଦଳରେ କେମିତି ଥଣ୍ଡା ଥଣ୍ଡା ଲାଗୁଛି ଦିନଟା ସକାଳଠୁ ବେଶ୍ ଉଜ୍ଜ୍ୱଳ ଥିଲା । ଖରା ଚିକ୍‌ ମିକ୍ । ଚାରିଆଡ଼େ ସବୁଜ ସ୍ନିଗ୍‌ଧ ଆଭାରେ ମନୋରମ । ନୀଳ ଆକାଶରେ ଡେଣା ଝାଡ଼ି ଶଙ୍ଖଚିଲ ଉଡ଼ି ଯାଉଥିଲା । ଗୋଧନ ପଡ଼ିଆରେ ଦଳଦଳ ପ୍ରଜାପତି, କଙ୍କି, ପବନର ବେଗ ନରମ ଥିଲା । କିନ୍ତୁ ଶୁଭକାନ୍ତ ବୁଲି ବୁଲି ଫେରିଆସିଲି ପରେ ହଠାତ୍ ମେଘୁଆ ହୋଇଗଲା ସାରା ଆକାଶ । ଧୂଆଁ ପରି ଛାଇଗଲା ମେଘର ଆସ୍ତରଣ । ସୁନା ଝିଲିମିଲି ଦିନ ଉପରେ କିଏ ଯେମିତି କଳା ଓଢ଼ଣୀଟିଏ ବିଛେଇ ଦେଲା । ତା’ପରେ କୁଣ୍ଡାଝଡ଼ା ବର୍ଷା । ଶୀତଳ ପବନ ।

 

ଏବେ ବର୍ଷା ପୂରା ଛାଡ଼ିଯାଇଛି । ବାହାରେ ଭିଜା ଭିଜା ଜ୍ୟୋତ୍ସ୍ନା । କୃଷ୍ଣଚୂଡ଼ା ଗଛ ଉପରେ ଧଳା ରେଶମୀ ଚାଦର ପରି ଜ୍ୟୋତ୍ସ୍ନା ବିଛେଇ ହୋଇଯାଉଛି । ଦୂର ଫାଙ୍କା ପଡ଼ିଆରେ ଛୋଟ ଛୋଟ ବଣୁଆ ଗଛର ବୁଦା ଉପରେ ଜହ୍ନ ଆଲୁଅ ନିଝୁମ ହୋଇଯାଉଛି କ୍ରମଶଃ । ଆଦିଗନ୍ତ ଥକ୍‍କାରେ ଝିମେଇ ପଡ଼ିଲା ପରି ଲାଗୁଛି । ହାଲୁକା ପାତଳା ମେଘଖଣ୍ଡ ଭାସିଯାଉଛି ପୂର୍ବ ଆଡ଼କୁ-। ଆଜି କି ତିଥି ! ଶୁଭକାନ୍ତର ଆଜି ନିଜକୁ ଭାରି ପରି ତୃପ୍ତ ମନେ ହେଉଛି । ନିଜକୁ ଏମିତି ପରିପୂର୍ଣ୍ଣତା ଭିତରେ ହଜେଇ ଦେବାର ତୃପ୍ତି ଓ ସନ୍ତୋଷରେ ତା’ର ଆଖି ଦୁଇଟା ଭାବପ୍ରବଣତାରେ ଛଳ ଛଳ ହୋଇ ଉଠିଲା । ଝର୍କା ପାଖେ ବାହାରକୁ ଚାହିଁ ଚୁପ୍‌ ଚାପ୍ ପ୍ରେତ ପରି ଛିଡ଼ା ହୋଇଥିବା ବେଙ୍ଗନାନୀକୁ ଶୁଣେଇ କହିଲା, ‘କାଲି ମୁଁ ଫେରିଯିବି ବେଙ୍ଗନାନୀ, ସେଠି ସବୁ ଠିକ୍ କରି ରଜବେଳକୁ ଆସି ତତେ, ବଡ଼ମା’କୁ ନେଇଯିବି । ବଡ଼ମା’କୁ ଏମିତି ଅବସ୍ଥାରେ ଏଠି ପଡ଼ି ରହିବାକୁ ମୁଁ ଦେବିନାହିଁ । ତୁ କେତେ ଆଉ ଖଟିବୁ । ମୋ ପାଖେ ତତେ ଆଉ ଚାକିରି କରିବାକୁ ପଡ଼ିବନି ।”

 

ବାହାରୁ ଆଖି ଫେରେଇଲା ବେଙ୍ଗ । ବିଜୁଳି ଆଲୁଅରେ ଶୁଭକାନ୍ତ ଦେଖିଲା ନିରାଭରଣା ବ୍ରହ୍ମଚାରିଣୀ ବେଙ୍ଗନାନୀ । ଉଜ୍ଜ୍ୱଳବର୍ଣ୍ଣା । ଶାଣିତ ତରବାରି ପରି ବେଙ୍ଗନାନୀର ସେ ଚେହେରାର ଐତିହ୍ୟ ଆଜି ଆଉ ନାହିଁ । କେମିତି ମଉଳା ଗଙ୍ଗଶିଉଳି ପରି ସେ ବ୍ରତଚାରିଣୀ । ଓଲଟ ପଦ୍ମପାଖୁଡ଼ା ପରି ଆୟତ ଆଖି । ଭ୍ରୂଲତା, ପୂରିଲା ଓଠ, ଗହଳ କୁଞ୍ଚୁକୁଞ୍ଚିଆ ବାଳର ସେ ସତେଜ ଯୁବତୀ ମୂର୍ତ୍ତି । ଯାହାକୁ ସେ ଦଶବର୍ଷ ତଳେ ଛାଡ଼ି ଯାଇଥିଲା ଆଜି ସେ’ତ ଏକ ବିଷଣ୍ଣତା, କରୁଣା ତା’ର ଛାପ କେବଳ ।

 

‘ବୋଉ କ’ଣ ଯିବ ? ଏଇ ମାଟି, ଏଇ ପୀଠ । ଏଇ ଭିଟା ପ୍ରତି ବୋଉର କେତେ ମମତା ତା’ କ’ଣ ତୁ ଜାଣିନୁ ଶୁଭ–’

 

ଶୁଭକାନ୍ତ ଚୁପ୍ ରହିଗଲା । ରାତିର ଆକାଶରେ ଜ୍ୟୋତ୍ସ୍ନାର ସଫେଦ ଆସ୍ତରଣଟା ମାଟି ଉପରେ ଝୁଲି ପଡ଼ିଥିଲା ଯେମିତି । ଶିତୁଳିଆ ପବନ, ଅନାମିକା ଫୁଲର ବାସ୍ନାରେ ଆମୋଦିତ ହୋଇ ଉଠୁଥିଲା । କୃଷ୍ଣଚୂଡ଼ା ଗଛ ସେପଟେ, ତାଳବଣି ଉପରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ଦ୍ଵୀପପରି ଜଳୁଥିଲା ।

 

ସତରେ, ଏଇପରି ଏକ ସୁନ୍ଦର ପୃଥିବୀରୁ ବଡ଼ମା’ ବା କେଉଁ ଜାହାନ୍ନମକୁ ଯାଇପାରନ୍ତା-! ବଡ଼ମା’ର ସବୁ ସୁଖ ଦୁଃଖ, ବନ୍ଧନ, ପାପ ପୁଣ୍ୟ ସ୍ୱର୍ଗ ନର୍କ ମୋକ୍ଷ ସବୁ ତ ଏଇଠି-। ଏ ବନ୍ଧନରୁ ବଡ଼ମା’ ମୁକ୍ତ ହୋଇପାରିବ ନାହିଁ । ମନେଅଛି ଥରେ ରଥ ବେଳକୁ ଗାଁ ଲୋକେ ତୀର୍ଥ କରି ବାହାରି ଥିଲେ ପୁରୀକୁ । ସେ ବର୍ଷ ଭଲ ଫସଲ ହୋଇଥାଏ । ନଈରେ ବି ବଢ଼ି ନଥାଏ-। ଗାଧୁଆବେଳ । ଯେତେ ତରକାରୀ ହୋଇଥାଉ ପଛେ ବାରିର ମୁଠାଏ ଲେଉଟିଆ ଶାଗ ବଡ଼ିରେ ନ ଭାଜିଲେ ବଡ଼ା’ପା କଂସା ପାଖେ ବସନ୍ତି ନାହିଁ । ବଡ଼ମା’ ସେ କାମ ସବୁ ଶେଷ କରି ତେଲ ଗିନାଏ ଥୋଇ କହିଲା, ‘ସଅଳ ଯାଅମ, ଶୁଭଟାକୁ ଭୋକ ହେବଣି । ତମ ସାଙ୍ଗେ ଖାଇବ ବୋଲି ବସିଛି ପରା ।’

 

ବଡ଼ା’ପା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘ଆଜି କ’ଣ ଶୁଭର ସ୍କୁଲ ନାହିଁକି’ । ବଡ଼ମା’ ଓଢ଼ଣାଟାକୁ ଆଉ ଟିକେ ଟାଣିଦେଇ କହିଲା, ‘ଗାଁ ଲୋକେ ସବୁ କୁଆଡ଼େ ଦିଅଁ ଦର୍ଶନପାଇଁ ପୁରୀକୁ ଯାଉଛନ୍ତି । ଚାନ୍ଦା ଉଠା ହେଉଛି, ସେଥିପାଇଁ ପରା ଛୁଟି ହୋଇଗଲା ।”

 

ବଡ଼ା’ପା ଗିନାରୁ ତେଲ ଟିକେ ଗଡ଼େଇ ନେଇ କହିଲେ, ହଁ, ହଁ ହଜାରେ ବର୍ଷରେ ଥରେ ଏମିତି ଯୋଗ ଆସେ । ଗୋବିନ୍ଦ ଦ୍ୱାଦଶୀ ପଡ଼ୁଛି ନୂଆ କଳେବର ହେବ । ଭାଗ୍ୟରେ ଥିଲେ ଏମିତି ସୁଯୋଗ ହୁଏ ।’ କିନ୍ତୁ ସେକଥା ଶୁଣିବାପାଇଁ ବଡ଼ମା’ ସେଠାରେ ନଥିଲା । ଶାଗ ଶୀତଳ ହୋଇଯିବ ବୋଲି ତାଙ୍କର ଭବନା । ରୋଷେଇଘରର ନିଆଁ ଧୂଆଁ ଭିତରେ ସେ ହଜିଯାଇଥିଲା ।

 

ସେଦିନ ସଞ୍ଜବେଳେ ପ୍ରଥମ ଆଷାଢ଼ର ବର୍ଷା ଅସରାଏ ହୋଇସାରିଥାଏ"। ବାରିପଟ ଗୁହାଳ ପିଣ୍ଡାରେ ବଳଦଙ୍କ ପାଇଁ କୁଳୁଚି ସିଝୁଥିଲା । ତା’ରି ରଡ଼ ନିଆଁ ପାଖେ ପିକା ଟାଣୁ ଟାଣୁ ବଡ଼ା’ପା କହିଲେ, ‘ବେଙ୍ଗ ବୋଉ, ତୋର ତ ବହୁଦିନରୁ ଇଚ୍ଛା ପୁରୀ ଯିବାକୁ । ମୁଁ ତତେ କେବେ ତ ନେଇଯାଇ ପାରିବି ନାହିଁ । ଏସନ ଭଲ ଧାନ ହୋଇଛି, କେଇ ପୁଡ଼ି ବିକିଦେ, ଚାନ୍ଦାବି କିଛି ମିଳିବ ଗାଁରେ କିଏ ମାଇପେ ଯାଉଛନ୍ତି ବୁଝି ବୁଲିଆସୁନୁ ଏଘର ଏରୁଣ୍ଡି ବନ୍ଧ ତ ପାରି ହେଲୁନି । ବାହାରେ କ’ଣ ହେଉଛି ଥରେ ଦେଖିଆ’–

 

ବେଙ୍ଗନାନୀକୁ ଖାଇବାକୁ ଦେଉ ଦେଉ ବଡ଼ମା’ ବେଖାତିର୍ କଲା ପରି କହିଲା, ‘ହଁ ମ, ମୋର କିଏ ଯାଉଛି । ଧାନଗଣ୍ଡେ ଭଲ ହୋଇଛି ବୋଲି ବିକି ଦେବି ! ବେଙ୍ଗର ବାହାଘର ଆସନ୍ତା ସନ । କିଛି ରଖି ଛଞ୍ଚି ନ ଦେଲେ ତମେ ହଇରାଣ ହେବନି । ଆଉ ମତେ ଯିବାକୁ କହୁଚ, ତମେ ଚଳି ପାରିବଟି । ପାଖକୁ ଗାମୁଛାଟାଏ ବଢ଼େଇ ନ ଦେଲେ ତମର ଚଳେନାହିଁ । ବେଙ୍ଗୀ, ଶୁଭ ଏ ପିଲା ଦି’ଟା କ’ଣ ପାରିବେ ! ତା’ପରେ ଗୀତ ବୋଲିଲା ପରି କହିଲା, ‘ସକଳ ତୀର୍ଥ ତୋ ଚରଣେ ବଦ୍ରିକା ଯିବି କି କାରଣେ ।’

 

ମେଲା ପିଣ୍ଡାରେ ଲଣ୍ଠନ ଜାଳି ବସି ପଢ଼ୁଥିବା ଶୁଭକାନ୍ତ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲା ବଡ଼ମା’ର ମୁହଁକୁ । ଡିବିରି ଆଲୁଅରେ ତା’ର ମୁହଁଟା ଖୁବ୍ ଉଜ୍ଜ୍ୱଳ ଦିଶୁଥିଲା । ବହିରେ ପଡ଼ିଥିବା ସୀତା ସାବିତ୍ରୀଙ୍କର ମୁହଁ ମନେ ପଡ଼ିଗଲା । ବଡ଼ମା’ କ’ଣ ସେସବୁ କାହାଣୀ ଜାଣିଛି ଯେ, ସ୍ୱାମୀର ସୁଖ, ସ୍ୱାମୀର ଘର ବିବାହିତା ନାରୀର ସବୁଠୁ ବଡ଼ ଧର୍ମ ବୋଲି । କେଉଁଠୁ ଗୋଟାଏ ସତ୍‌ସତିଆ ସତ୍ ସତ୍ କରି ଉଠିଥିଲା । ବାରିପଟ ପିଜୁଳିଗଛରୁ ବାଦୁଡ଼ି କେଇଟା ଅନ୍ଧାରରେ ଫଡ଼୍ ଫଡ଼୍‍ ହୋଇ ଉଡ଼ି ଯାଇଥିଲେ ।

 

ସେ ବଡ଼ମା’ ସତରେ ଆଜି କ’ଣ ଯିବ ! ପୁଣି ଶୁଭକାନ୍ତ ସାଙ୍ଗରେ ସହରକୁ । ଯିଏ ପୁରୀ ଦିଅଁ ଦର୍ଶନପାଇଁ ଯାଇ ନଥିଲା । ଯିଏ ପୁଣି ପାର୍ବତୀପୁରକୁ ସାରା ପୃଥିବୀଭାବେ । ପାର୍ବତୀପୁରର ମାଟି ତା’ପାଇଁ ଚନ୍ଦନ ଏଇ ମିଛେଇ ନଈର ପାଣି ତା’ପାଇଁ ଗଙ୍ଗା । ଯିଏ ଜାଣିବାକୁ ଚାହେଁନି ପାର୍ବତୀପୁରଠୁବି ବଡ଼ ଗାଁ ଅଛି, ସହର ଅଛି, ଦେଶ ଅଛି, ମହାଦେଶ ଅଛି ।

 

ଦୀର୍ଘନିଶ୍ୱାସଟିଏ ବାହାରି ଆସିଲା ଶୁଭକାନ୍ତର ଛାତି ଫଟେଇ ।

 

ପରିବେଶକୁ ହାଲୁକା କରିଦେବା ପାଇଁ ସେ କହିଲା, ‘ଗୋଟାଏ ଯୁଗ ପରେ ଆଜି ପୋଡ଼ ପିଠା ଖାଇଲି । କ୍ଷୀରରେ ବୁଡ଼େଇ । ତୁ ଏଡ଼େ ସୁନ୍ଦର ପୋଡ଼ ପିଠା କରିପାରୁ । ଠିକ୍ ବଡ଼ମା’ ପରି । ତତେ ତ ଚୁଲି ଲଗେଇ ଆସୁ ନଥିଲା । କେବେ ଶିଖିଲୁ ଏସବୁ ।”

 

ବେଙ୍ଗ କିଛି କହିଲା ନାହିଁ । କେବଳ ହସିଲା ନୀରବରେ, ଶୁଖିଲା ହସ, କେମିତି ନିର୍ଜୀବ-। ହୁଏତ ଶୁଭକାନ୍ତ କାଲି ଫେରିଯିବ ବୋଲି ବେଙ୍ଗନାନୀର ଏ ଦୁଃଖ, ପାର୍ବତୀପୁରର ଅନେକ ବଦଳ ସତ୍ତ୍ୱେ ବି ଶୁଭକାନ୍ତ ତା’ର ପୁରୁଣା ପାର୍ବତୀପୁରର ଅନେକ କିଛି ଖୋଜି ପାଇଛି, ବଡ଼ମା’, ବେଙ୍ଗନାନୀ, ଏଇ ଦୁଇ ବଖରିଆ ଘର, ଯଦିଓ ଇଲେକ୍‌ଟ୍ରିକ୍ ଆସିଛି । ସେଇ ପୁରୁଣା ନଈଟା, ବୁଢ଼ା ଶିମିଳିଗଛଟା, ଏମିତି କେତେକଣ ରହିଯାଇଛି ପୁରୁଣା ରୁମାଲର କର୍ପୂର ଗନ୍ଧ ପରି । ଦଶବର୍ଷ ତଳେ ସେ ଯେମିତି ଛାଡ଼ି ଯାଇଥିଲା ଠିକ୍ ସେମିତି ନ ରହିଲେ ମଧ୍ୟ । ସମୟ କିଛି କିଛି ବଦଳେଇ ଦେଇଥିଲେବି ଅସଲ ପାର୍ବତୀପୁର କେଉଁଠି ଟିକେ ଛପି ରହିଯାଇଛି । ୟା ପରେ ପୁଣି ସେଇ ସହର, ସେଇ କୋଳାହଳ, ସେଇ ରୁଟିନ୍, ସେଇ ଯାନ୍ତ୍ରିକ ଜୀବନର ପୁନରାବୃତ୍ତି । ଏଠି ଏଇ କେତେଦିନ ଭିତରେ ସକାଳର ଶୁଭ୍ରତା ଆଉ ତଟକା ପବନର ସ୍ୱାଦ ମୁହଁରେ ଭରି ବେଙ୍ଗନାନୀ ଡାକି ଦିଏ, ‘ଶୁଭ, ଉଠି ପଡ଼ । ମୁହଁ ଧୋଇପକା, ଚା’ ବସେଇଲଣି ପରା’ । କିନ୍ତୁ....ୟା ପରେ !

 

ଝର୍କା ବାହାରେ ସେମିତି ଜ୍ୟୋତ୍ସ୍ନା । । ଅଳ୍ପ ସମୟ ଆଗରୁ ଥିଲା କଳା ମେଘର ଆସ୍ତରଣ, ବର୍ଷା । ଏବେ ଜ୍ୟୋତ୍ସ୍ନା । ଖୁବ୍ ସ୍ପଷ୍ଟ । ପାଖ ଆଖରେ ଯାହା ସବୁ ଅଛି ନିଖୁଣ ଭାବରେ ଦିଶୁଛି । ବେଙ୍ଗନାନୀ ସେମିତି ଝର୍କା ପାଖେ ଛିଡ଼ା ହୋଇଛି । ଏଥର ନୀରବତା ଭାଙ୍ଗିଲା ନିଜେ ବେଙ୍ଗନାନୀ । ‘ଶୁଭ, ତତେ ଯାହା କହିବାପାଇଁ ଏତେବର୍ଷ ପରେ, ଏତେ ଦୂରରୁ ଡାକି ଆଣିଥିଲି, ଶୁଣିବୁନି !’

 

ଶୁଭକାନ୍ତ ଚାହିଁଲା ବେଙ୍ଗନାନୀକୁ । ଆଜି ଭାରି ସୁନ୍ଦର ଦିଶୁଛି ବେଙ୍ଗନାନୀ ଭିଜା ଭିଜା ଜ୍ୟୋତ୍ସ୍ନା ଆଲୁଅରେ ।

 

ଏକା ଧ୍ୟାନରେ ଶୁଭକାନ୍ତର ଆଖିରେ ଆଖି ରଖି ବେଙ୍ଗ କହିଲା, ‘ଶୁଭ ମୁଁ ପାପ କରିଛି-। ମତେ...ମତେ ତୁ ଏଠୁ ତୋ ପାଖକୁ ନେଇଯିବୁନି ? ବେଙ୍ଗନାନୀ ଏକଥା କହୁଛି ! ନିର୍ବାକ ବିସ୍ମୟରେ ଶୁଭକାନ୍ତ ଚାହିଁ ରହିଲା । ହଠାତ୍ ଦୁଇ ହାତରେ ମୁହଁ ଢାଙ୍କି ପ୍ରେତପରି ଛିଡ଼ା ହୋଇଥିବା ବେଙ୍ଗନାନୀ କଇଁ କଇଁ ହୋଇ କାନ୍ଦି ଉଠିଲା ।

 

‘ମୁଁ କଳଙ୍କିନୀ ଶୁଭ, ଦୁଇମାସର ଗର୍ଭ ମୋର । ମୁଁ କଳଙ୍କିନୀ, ଏ ବଂଶରେ କାଳି ଲେପିଛି । ମୁଁ ପାପିନୀ ମତେ ତୁ ଏଠୁ ନେଇଯା–ମତେ ବଞ୍ଚା ଶୁଭ ।"

 

ବେଙ୍ଗନାନୀ...ଚିତ୍କାର କରି ଶୁଭକାନ୍ତ ଉଠି ପଡ଼ିଲା ଖଟରୁ । ବେଙ୍ଗନାନୀ ଗର୍ଭବତୀ ! ବେଙ୍ଗନାନୀ ପାପ କରିଛି ! ! ହଠାତ୍ ଏତେ ସୁନ୍ଦର ଥଣ୍ଡା ପବନଟା ଗୁଳୁଗୁଳିରେ ପରିଣତ ହୋଇଗଲା । ସମସ୍ତ ଚେତନା ଉତ୍ତପ୍ତ, ଅସ୍ଥିର ମନେ ହେଲା ସବୁ ପବନ ଯେମିତି ରୁଦ୍ଧ ହୋଇ ତଣ୍ଟି ପାଖେ ଅଟକି ଯାଉଛି ହଠାତ୍ ମନେ ପଡ଼ିଲା ସେଇ ଅନ୍ଧ କୂପ କଥା । ପାଣି ନାହିଁ, କେବଳ ଖାଁ ଖାଁ ଅନ୍ଧାର । ଏକଦମ୍ ତଳେ ପଥର । ଟିକେ ହେଲେ ଗୁଳ୍ମ ନାହିଁ । ଆଉ ତା’ରି ଭିତରେ ସେଇ ଏକୁଟିଆ ସରୀସୃପଟା ପଡ଼ିଛି ଦିନ ପରେ ଦିନ ବର୍ଷ ପରେ ବର୍ଷ । ଶୁଭକାନ୍ତ ସେମିତି ଏକ ଗହ୍ୱରରେ ଛଟପଟ ହେଲା କି ଆଉ !

 

ମୁହଁରୁ ହାତ କାଢ଼ିଦେଇ ବେଙ୍ଗନାନୀ ତାକୁ ଚାହିଁଛି । ତା’ ଜୀବନର ସବୁ ଆକୁଳତା, ବେଦନା, ବ୍ୟର୍ଥତା ସେଇ ମୂର୍ଚ୍ଛିତ ପରିବେଶରେ ଯେମିତି ରୂପ ପାଉଛି । କରୁଣ ବିଷାଦଗ୍ରସ୍ତ ଆଖିରେ ଆଶାର ଚଞ୍ଚଳତା । ସେ ଆଖି କହୁଚି, ‘ଶୁଭ, ମତେ ତୁ ଏଠୁ ନେଇଯା । ମୁଁ ପାପ କରିଛି ଆଉ ମୋର ଏଠି ସ୍ଥାନନାହିଁ । ମୁଁ ଜାଣେ କେବଳ ତୁ ହିଁ ମତେ କ୍ଷମା ଦବୁ ।’

 

ଠିକ୍ ସେଇ ପିଲାଦିନ ପରି ଲାଗୁଛି । ‘ଶୁଭ, ମୋପାଇଁ ତୁ ଆଉ ମୋଟେ ବର ଆଣି ଦବୁନି ! ବାହାରେ ସେଇ ସୁନ୍ଦର ଜ୍ୟୋତ୍ସ୍ନା ଏବେ କେମିତି କରୁଣ ଲାଗୁଛି । କୃଷ୍ଣଚୂଡ଼ା ଗଛର ମଥାନ ଉପରେ ତାରା କେଇଟା ହୀରାମୁଣ୍ଡା ପରି ଜକ୍ ଜକ୍ କରୁଛନ୍ତି । ଶୁଭକାନ୍ତ ଚାହିଁଲା ବେଙ୍ଗନାନୀକୁ । ଆଖି ତାର ଜଳିଗଲା ପରି ଲାଗିଲା । କ’ଣ କହିବ ଶୁଭକାନ୍ତ ! ବେଙ୍ଗନାନୀର ଦୁଃଖର ଆଶ୍ୱାସନା କ’ଣ ହୋଇପାରେ ।

 

।। ଛଅ ।।

 

ରାତି ପାହିବାକୁ ଆହୁରି ଅନେକ ବାକି ଅଛି । ଏ ପର୍ଯ୍ୟନ୍ତ ମନ ଭିତରେ ଅସହ୍ୟ ଉତ୍ତାପ ଓ ଅସ୍ୱସ୍ତି । ପୁଣି ବିଭିନ୍ନ ଖାପ୍‍ଛଡ଼ା ଚିନ୍ତା ଭିତରେ ଶୁଭକାନ୍ତ ଆଖିର ପତା ଏକ କରିପାରିନି-। ସାରା ବିଛଣାରେ କେବଳ ଅସହ୍ୟ ଯନ୍ତ୍ରଣାର କଣ୍ଟକବିଦ୍ଧ ଆସର ।

 

ବେଙ୍ଗନାନୀ ପାପଗର୍ଭା ! ଏତେଦିନ ଧରି ଶୁଭକାନ୍ତ ନାରୀଚରିତ୍ର ସହିତ ସେତେ ବେଶି ପରିଚିତ ନଥିଲା । କେବଳ ବଡ଼ମା’ ଆଉ ଏଇ ବେଙ୍ଗନାନୀ ! ବାଲ୍ୟ କୈଶୋରର ମଧୁର ସ୍ମୃତି ଦୁଇଟି । ତା’ପରେ ଦୀର୍ଘ ଏତେଗୁଡ଼ାଏ ବର୍ଷ ! କେବଳ ଜୀବନ ସଂଗ୍ରାମ ଆଉ ବଡ଼ ହେବାର ଲକ୍ଷ୍ୟ ଭିତରେ ଶୁଭକାନ୍ତ ହଜି ଯାଇଥିଲା । ଆଜି ସେଇ ବେଙ୍ଗନାନୀର ମଧୁର ସୁନ୍ଦର ନାରୀ ଚରିତ୍ର ଭିତରେ ଏକ ପ୍ରହେଳିକାର ସଂସ୍ପର୍ଶରେ ଆସି ଶୁଭକାନ୍ତ ବିସ୍ମୟାଭିଭୂତ ହୋଇପଡ଼ିଛି । କେଉଁ ଘରବୁଡ଼ା ନାଗରର କୁଳବୁଡ଼ା ଡାକରେ ଜବାବ ଦେଇ ବିଧବା ବେଙ୍ଗନାନୀ ଆଜି କଳଙ୍କିନୀ ରାଇ । କିଏ ଦାୟୀ ! କିଏ ଏଇ ସର୍ବନାଶର ନାୟକ !! କିଏ ବୋଲି ପଚାରିବା ପାଇଁ ଶୁଭକାନ୍ତର ଜିହ୍ୱା ଚଞ୍ଚଳ ହୋଇ ଉଠିଥିଲେହେଁ ସେ ତାହା ପ୍ରଶମିତ କରି ଦେଇଥିଲା । ଏ ନିଷ୍ଠୁର ପ୍ରଶ୍ନ ସେ ବେଙ୍ଗନାନୀକୁ ପଚାରି ପାରିଲାନି କୌଣସିମତେ । ବିସ୍ମୟ, କରୁଣା ଆଉ ଘୃଣାର ଦ୍ୱନ୍ଦ୍ୱ ଭିତରେ ସେ କେବଳ ଚାପି ଧରିଥିଲା ବେଙ୍ଗନାନୀର ଶୀତଳ ହାତଟାକୁ । ତୁଳିଅଙ୍କା ଚିତ୍ରପଟ ପରି କୃଷ୍ଣଚୂଡ଼ା ଗଛର ମଥାନରେ ଜହ୍ନଟା କେବଳ ଲୁଚକାଳି ଖେଳୁଥିଲା । ବେଙ୍ଗନାନୀ ନିଶ୍ଚିନ୍ତରେ ଫେରିଯାଇଥିଲା ବଡ଼ମା’ ପାଖକୁ । ଯେମିତି ଶୁଭକାନ୍ତର ହାତରେ ଅନେକ ଆଶ୍ୱାସନାର ଉତ୍ତର ଭରି ରହିଥିଲା ।

 

କିନ୍ତୁ ଶୁଭକାନ୍ତ ଶୋଇ ପାରିନି ଏ ପର୍ଯ୍ୟନ୍ତ । ସେ କ’ଣ ପାରିବ ବେଙ୍ଗନାନୀକୁ ଆଶ୍ରୟ ଦେଇ ! ଅଥଚ ଆଜି ସେ ବେଙ୍ଗନାନୀକୁ ଚାକିରି କରେଇ ଦବନି । ସହରକୁ ନେଇଯିବ ଏମିତି କେତେ ଆଶାର କଥା କହିଛି । ଅନ୍ତର୍ଯ୍ୟାମୀ ଜାଣନ୍ତି, ବେଙ୍ଗନାନୀକୁ ସେ କୌଣସି ଦିନ ମନ୍ଦ ଆଖିରେ ଦେଖିନାହିଁ । କିନ୍ତୁ ଆଜି ବେଙ୍ଗନାନୀକୁ, ତା’ର ପାପ ଗର୍ଭକୁ ସେ କେମିତି ନିଜର ବୋଲି ପରିଚୟ ଦେଇପାରିବ ! ଶୁଭକାନ୍ତ ଅସ୍ଥିର ହେଉଥିଲା । କିଏ ସେ ! କାହାର ସନ୍ତାନକୁ ଗର୍ଭରେ ଧରିଛି ବେଙ୍ଗନାନୀ...ତେବେ...କ’ଣ ସେଇ ଯଦୁ ! ଯିଏ ଭଲ ମନ୍ଦରେ ହାନି ଲାଭରେ ଆସି ସାହାଯ୍ୟ କରେ ବୋଲି ବଡ଼ମା’ କହୁଥିଲେ । ସିଏ ସରପଞ୍ଚ ବହୁତ ପଇସା ଅଛି ବୋଲି ବେଙ୍ଗନାନୀ କହୁଥିଲା । ହେ ଭଗବାନ ! ଏ’କି ଯନ୍ତ୍ରଣା ଶୁଭକାନ୍ତ ଭିତରେ । କ’ଣ କଲେ ସେ ମୁକ୍ତି ପାଇବ । ତା’ର ଶୈଶବ, କୈଶୋରର ସେଇ ମମତାମୟୀ ଦେବୀ ବେଙ୍ଗନାନୀ କେମିତି ଏତେ କୁତ୍ସିତ କଦାକାର ହୋଇଗଲା !

 

କାହାର ଉଜାଣି ପିଲାଟି ନିଶୁନ ରାତିର ନିର୍ଜନତାକୁ ଖିନ୍‌ଭିନ୍ କରି କାନ୍ଦି ଉଠୁଛି । ସେଇ କାନ୍ଦଣାର ପ୍ରତିଧ୍ୱନି ଭିତରେ ରାତିର ଗଭୀରତମ ଅନ୍ତଃସ୍ଥଳ ବିଦ୍ଧ ବିଦୀର୍ଣ୍ଣ ହୋଇ ଯାଉଛି ଯେମିତି । ସେଇ କାନ୍ଦଣାର କରୁଣତା ଭିତରେ ଶୁଭକାନ୍ତର ଆତ୍ମା ଉଦ୍‌ବେଳିତ ହୋଇ ଉଠୁଛି । ଶୁଭକାନ୍ତ କ’ଣ କରିବ...କ’ଣ କରିବ...କ’ଣ କରିବ...

ବିଛଣାରୁ ଉଠି ପଡ଼ିଲା ଶୁଭକାନ୍ତ । ବେଙ୍ଗନାନୀ ଅଖଣ୍ଡ ଭରସା ରଖି ଶୋଇଯାଇଛି ନିଶ୍ଚିନ୍ତରେ । ଶୁଭକାନ୍ତ ତାକୁ ଠକେଇବ ନାହିଁ । ତାକୁ ହତାଦର କରିବନାହିଁ, ଏ ବିଶ୍ୱାସ ତା’ର ପ୍ରିୟ ଶୁଭ ଉପରେ ଅଛି । ହେଲେ କେଡ଼େ ନିରୀହ ଆଉ ବୋକା ଏଇ ବେଙ୍ଗନାନୀ ! ସେ କ’ଣ ଜାଣିପାରୁନି, ଶୁଭକାନ୍ତ ଆଉ ସେଇ ହାପ୍‍ପ୍ୟାଣ୍ଟ୍ ପିନ୍ଧା ଶୁଭକାନ୍ତ ନୁହେଁ । ବେଙ୍ଗନାନୀର ଆଖି ଲୁହର ଇଶାରାରେ ଯିଏ ସମୁଦ୍ରକୁ ଡେଇଁ ପଡ଼ୁଥିଲା, ନିଆଁରେ ହାତ ପୋଡ଼ି ଦେଉଥିଲା, ସେ ଏବେ ଅନେକ ବଡ଼ ହୋଇଗଲାଣି । ଦଶବର୍ଷର ନିଷ୍ଠୁର ସମୟ ଭିତରେ ସେ ଶୁଭକାନ୍ତର ନରମ ହୃଦୟଟା ଅନେକ ଟାଣ ହୋଇଗଲାଣି । ବ୍ରିଫ୍‌କେଶ୍ କାଲିଠୁ ସଜାଡ଼ି ରଖିଛି ବେଙ୍ଗନାନୀ । ଚଟ୍‌ପଟ୍ ଅଲୁଗୁଣୀରୁ ପ୍ୟାଣ୍ଟ୍ ସାର୍ଟ ଆଣି ପିନ୍ଧି ପକେଇଲା ଶୁଭକାନ୍ତ-। ପ୍ରଥମ ବସ୍ ଭୋର୍ ପାଞ୍ଚଟାରେ ଯାଏ । ଆଉ ଏଇନା...ଘଣ୍ଟା ଦେଖିଲା ଶୁଭକାନ୍ତ । ରାତି ସାଢ଼େ ତିନ୍ । କେଇ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ସେଇ ରାସ୍ତା ପାଖ ଚା’ ଦୋକାନର କାଠ ବେଞ୍ଚ୍ ଉପରେ ।‌ ଧୀରେ କବାଟ ଫିଟେଇ ବ୍ରିଫ୍‌କେଶ୍‌ଟାକୁ ଧରି ବାହାରକୁ ବାହାରି ଆସିଲା ଶୁଭକାନ୍ତ । ପଶ୍ଚିମ ପଟେ ବୁଡ଼ି ଯାଉଥିବା ଜହ୍ନର କ୍ଷୀଣାଂଶ, ପୂର୍ବ ପଟେ କେବଳ ଅନ୍ଧାର ଆଉ କେତୋଟି ତାରା, ଠିକ୍ ବେଙ୍ଗନାନୀର ଆଖି ଲୁହ ପରି ଛଳ ଛଳ ହେଉଥିଲେ । ଜୋର୍‌ରେ ଆଗକୁ ପାଦ ବଢ଼େଇଲା ଶୁଭକାନ୍ତ । ସେଇ ଉଜାଣି ପିଲାଟାର କାନ୍ଦ ବନ୍ଦ ହୋଇନାହିଁ । ରାତିର ନିର୍ଜନତା ଭିତରେ କେବଳ ଢେଉ ଖେଳି ଯାଉଛି । ମା’ଟା ଶୋଇପଡ଼ିଛି ବୋଧହୁଏ । ଆହୁରି ଜୋର୍‌ରେ ପାଦ ବଢ଼େଇ ଚାଲିଲା ଶୁଭକାନ୍ତ । ଠିକ୍ ଦୌଡ଼ିଲା ପରି । ପଛରୁ ସତେ ଅବା ବେଙ୍ଗନାନୀର ପାଟି ଶୁଭିଯାଉଛି, ତୁ ପଳଉଛୁ ଶୁଭ...ପଳଉଛୁ...ଶୈଶବ, କୈଶୋର ଆଉ ପ୍ରଥମ ଯୌବନର ସମସ୍ତ ମାୟା, ମମତା, ଭଲପାଇବାକୁ ପଛରେ ପକେଇ ଶୁଭକାନ୍ତ ପଳେଇ ଯାଉଥିଲା ।

 

ଏକ ନିଷ୍ଠୁର ପରିହାସ ପରି ଶୁଭୁଥିଲା ସେଇ ହତଭାଗା ପିଲାର କାନ୍ଦଣା–

Image